Unknown

 

 

 

 

 

 

 

 

ଅନ୍ୱେଷଣ

(ଉପନ୍ୟାସ)

ମାୟାଧର ମାନସିଂହ

 

ଅନ୍ୱେଷଣ

(୧)

 

ଯେଉଁଆଡ଼େ ଆଖି ବୁଲାଇବ କେବଳ ଇଟା ଓ ପଥର, ପଥର ଓ ଇଟା, ଯାହାକୁ ଲୋକେ କୋଠା କହନ୍ତି । ପ୍ରଦେଶର ପ୍ରଧାନ ସହର । ସମସ୍ତ ମଇଳା, ସକଳ ବୀଭତ୍ସତାକୁ ଘୋଡ଼ାଇବାର ବିରାମହୀନ, ଦୁର୍ଦ୍ଧର୍ଷ ଚେଷ୍ଟାରେ ଚତ୍ତୁର୍ଦ୍ଦିଗରେ ଉଠିଛି କୋଠାର ମାଳା; ଆଗରେ ପଛରେ ଏପଟେ ସେପଟେ ଯେଉଁଆଡ଼େ ଆଖି ପକେଇବ । ଯେଉଁମାନେ ମଫସଲର ଗୋମୟକୁ ନାକ ଟେକନ୍ତି, ଏ ସହରରେ ସେମାନେ ଅଶ୍ୱପୁରୀଷ ଓ ନର୍ଦ୍ଦମାର ନରକକୁ ନିରୁଦବେଗରେ ସହିଥାନ୍ତି । ଗାଁ ଦାଣ୍ଡର ଧୂଳି ଯାହାଙ୍କ ଆଖିରେ ଆଦିମତା ଓ ଅସଭ୍ୟତାର ପ୍ରତୀକ, ଦୁଇଅସ୍ରା ବର୍ଷାପରେ ସହରର ରାସ୍ତାରେ ଲକ୍ଷ ଲକ୍ଷ ନରପଦର ଠୁଳୀଭୂତ ମଇଳା ଓ ଜକଲାଟା ତାଙ୍କ ଆଖିକି ବାଧେ ନାହିଁ । ଆଶ୍ଚର୍ଯ୍ୟ ଏହି ସହରର ମୋହ ।

 

ପ୍ରଭୁପାଦ ବସି ଭାବେ । ନିଜ ମେସ୍‍ର କୋଠାର ଛାତ ଉପରେ ଧୀରେ, ନିଶ୍ଚିନ୍ତେ ପାଦ ଚାରଣ କରୁ କରୁ, ସେ ଭାବେ । ଅଧ୍ୟୟନ ବ୍ୟପଦେଶରେ ତା’ର ସହରରେ ରହିବା ଆଜକୁ ପାଞ୍ଚ ବର୍ଷ ହୋଇ ଗଲାଣି । ଯେତେବେଳେ ସେ ତା’ର ପଲ୍ଲୀଗୃହ ଛାଡ଼ି ସହରକୁ ଆସିଥିଲା, ସେତେବେଳେ ସେ ଚିକ୍କଣଗଣ୍ଡ-ଅଜାତଶ୍ମଶ୍ରୁ କିଶୋର । ଏବେ ସେ ପୋଷ୍ଟ ଗ୍ରାଜୁଏଟ ଛାତ୍ର । କ୍ଷୌରକର୍ମର ଦୈନନ୍ଦିନ ଅଭ୍ୟାସ ବହୁକାଳ କଲାପରେ ଏବେ ସେ ପ୍ରକୃତି ନିକଟରେ ଆତ୍ମସମର୍ପଣ କରି ସାରିଛି–ତା’ର ଗଣ୍ଡ, ଓଷ୍ଠ ଓ ଚିବୁକ ବର୍ତ୍ତମାନ ଏକ କୃଷ୍ଣ, ମସୃଣ, କୋମଳ ଶ୍ମଶ୍ରୁର ପ୍ରଲେପରେ ଅଳଂକୃତ ।

 

ଦଶହରା ଆରମ୍ଭ । ବର୍ଷା ଛାଡ଼ି ଯାଇଛି, କିନ୍ତୁ ରାସ୍ତାରେ କାଦୁଅ ଏପର୍ଯ୍ୟନ୍ତ ଶୁଖିନି । ଗାଡ଼ିଆ, ପୋଖରୀମାନଙ୍କରେ ପ୍ରାବୃଟର ଜଳ-ଦାନ ସଞ୍ଚିତ ହୋଇ ରହିଛି, ଏବଂ ସେହି ଦାନର ପ୍ରାଚୁର୍ଯ୍ୟଭିତରେ ଖେଳି ଖେଳି ପ୍ରାଣର ଆତ୍ମ-ମୁଗ୍ଧ ଉତ୍ସାହରେ ଭାସି ଉଠୁଛି କଇଁଫୁଲ ଓ ଦଣ୍ଡିକେରି ମାଛର ମନ୍ଦା । ଗରମ ଏକାବେଳକେ ଛାଡ଼ି ଯାଇଛି । ଧରଣୀର ଦ୍ଵାରଦେଶରେ ଶୀତର ପ୍ରଥମ ପାଦପାତ ଦେଖା ଦେଲାଣି । ସକାଳର ସବୁଜ କୋମଳ ଘାସ-ଆସ୍ତରଣ ଉପରେ କୋଟି କୋଟି ମୁକ୍ତାର ଅକୁଣ୍ଠିତ ବିଛୁରଣ । ସକାଳ ସମୟ । ହେମନ୍ତ ପ୍ରଭାତର ସ୍ଵର୍ଣ୍ଣ ରବିକର ଏଇମାତ୍ର ମେଲି ମେଲି ଅସୁଛି ଓ ତା’ର କନକ-ରଞ୍ଜନରେ ରୁକ୍ଷ, ନିଷ୍ଠୁର, କୁତ୍ସିତ ସହରର କୋଠା ଓ ଗଳିଗୁଡ଼ାକୁ ମଧ୍ୟ ଏକ ଅତୀନ୍ଦ୍ରିୟ ରୁପାବେଶ ଦେଇ ଦେଇ ଯାଉଛି । ପ୍ରଭୁପାଦ ଶାନ୍ତ, ଶୀତଳ, ମଧୁର ଏଇ ହେମନ୍ତ ପ୍ରଭାତରେ ପ୍ରକୃତିର ଏଇ ଯାଦୁକ୍ରିୟାକୁ ଦେଖୁଛି ଓ ଭାବୁଛି । ଭାବୁଛି ତା’ର ପଲ୍ଲୀକଥା । ଭାବୁଛି ଏଇ ସହରର ଧନାଢ଼୍ୟ ବାହାର ଓ ତା’ର ବୀଭତ୍ସ ଦରିଦ୍ର ଭିତରଟା ମଧ୍ୟରେ ବହୁପ୍ରସାରୀ ବ୍ୟବଧାନଟାକୁ ।

 

ନିଦ୍ରିତ ସହର କ୍ରମେ ଜାଗ୍ରତ ହୋଇ ଉଠିଲାଣି । ଦିନ ହେଲେ ମଧ୍ୟ କୌଣସି କୌଣସି କୋଠାର ବାତାୟନ ଦେଇ ଦେଖାଯାଉଛି ଯେ ବିଦ୍ୟୁତ-ବର୍ତ୍ତିକା ଏପର୍ଯ୍ୟନ୍ତ ଜଳୁଛି । ଧନୀର ଘର । ଅପବ୍ୟୟ ପାଇଁ ଚିନ୍ତା ନାହଁ । ଠିକ୍ ତଳେ ଫୁଟ୍‍ପାଥରେ ଗୋଟେ ଗୋଟେ ହତଭାଗ୍ୟ ଲକ୍ଷ୍ମୀଛଡ଼ା ଏପର୍ଯ୍ୟନ୍ତ ଶୋଇଥିବାର ଦେଖା ଯାଉଛି । କି ମଇଳା ସେମାନଙ୍କର ପରିଧେୟ । ପ୍ରଭୁପାଦ ସେ କପଡ଼ାରେ ତା’ର ଲଣ୍ଠନ ବା ଯୋତା ପୋଛିବାକୁ ମଧ୍ୟ ଚାହିଁବନି । କିନ୍ତୁ ସେଇ ତାଙ୍କର ଏକମାତ୍ର ପରିଧେୟ, ବସନ ଓ ଭୂଷଣ, ଉଭୟ । କିଏ ସେମାନେ ? ଭିଖାରୀ ? କୁଷ୍ଠୀ ? ପାଗଲା ? ରିକ୍‍ସାବାଲା ? ସେମାନଙ୍କର ପ୍ରଭୁପାଦ ପରି ସ୍ନେହମୟ ପିତା, ମାତା, ଭାଇ, ଭଉଣୀ କେହି ହେଲେ କେଉଁଠି ନାହାନ୍ତି । ମନୁଷ୍ୟ ଏପରି ହତଭାଗ୍ୟ ଓ ଛିନ୍ନମୂଳ ହୁଏ କିପରି ? କିନ୍ତୁ କି ନିଶ୍ଚିନ୍ତ ସେମାନଙ୍କର ନିଦ୍ରା । ପ୍ରଭୁପାଦକୁ ଅନେକ ରାତ୍ରଯାଏ ନିଦ ହୁଏନା, କେତେ ତା’ର ଦୁଶ୍ଚିନ୍ତା, କେତେ ଭାବନା । କିନ୍ତୁ ଏଇ ହତଭାଗ୍ୟ ଲକ୍ଷ୍ମୀଛଡ଼ାମାନେହିଁ ସବୁଠାରୁ ଭଲ ନିଦ ଭୋଗ କରନ୍ତି । ଆଶ୍ଚର୍ଯ୍ୟ ପ୍ରକୃତିର ଯୋଗ, ବିଯୋଗ । ଆଶ୍ଚର୍ଯ୍ୟ ତା’ର ଲାଭାଲାଭର ତାଲିକା । ସବୁ ଭାବଭିତରେ ଲୁଚେଇ ରଖିଥାଏ ସେ ଅଭାବର ଜଳନ୍ତା ଅଙ୍ଗାର ଏବଂ ସବୁ ଅଭାବର ତଳେ ତଳେ ରଖିଥାଏ ଏକ ଅପ୍ରକାଶ୍ୟ ସନ୍ତୋଷ ।

 

ପ୍ରଭୁପାଦ ବହୁ ବେଳ ଭାବିଲାଣି । କୌଣସି ଏକ ନିର୍ଦ୍ଦିଷ୍ଟ ଭାବନା ନାହିଁ । ଚିନ୍ତା ତା’ର କ୍ରୀଡ଼ାରତ ବାନର ପରି ଡାଳରୁ ଡାଳକୁ କେବଳ ଲମ୍ଫ ଦେବାରେ ଲାଗିଛି । ହୁଏତ ସେ ମେସ୍‍ର ଚାକରର ବଦମାସି କଥା ପ୍ରଥମେ ଭାବି ଭାବି ଉଠିଥିଲା ଉପରକୁ, କିନ୍ତୁ ସେ ବର୍ତ୍ତମାନ ଭାବୁଛି ଏକ ଭୃତ୍ୟହୀନ, ଶ୍ରେଣୀହୀନ, ଦାରିଦ୍ର୍ୟହୀନ ରାମରାଜ୍ୟର କଥା । ହଁ ହଁ, ନଟିଆ ପ୍ରକୃତରେ ବଦମାସ । ଲକ୍ଷେ ଟଙ୍କା ଥାଉ, ତାକୁ ମାତ୍ର ପଚାଶଟି ଟଙ୍କାର ମାଲିକ କରି ଦିଆଗଲେ ହୁଏତ ନଟିଆର ଜୀବନରେ ବଦାନ୍ୟତା ଫୁଟି ବାହାରିବ, ବାହାରିବ ଦୟା, ଦାକ୍ଷିଣ୍ୟ, ପୁରୁଷକାର । ଅଭାବରେ ପଡ଼ିହିଁ ନଟିଆ ମେସ୍‍ର ପରିବାରୁ ଓ ବାବୁମାନଙ୍କର ବଜାର ସଉଦାରୁ ଦି’ ପଇସା କାଢ଼ି ରଖିବାକୁ ଚେଷ୍ଟା କରେ ଓ ମିଛ କହେ । ପ୍ରଭୁପାଦ ଏସବୁ ଭାବେ, କିନ୍ତୁ ଶେଷ ସିଦ୍ଧାନ୍ତ କରେ ଯେ ନଟିଆ ଏକ ବଦମାସ, ଆଜି ତାରି ଦଣ୍ଡବ୍ୟବସ୍ଥା ହେବଇ ହେବ ।

 

ଠିକ୍ ଏଇ ସମୟରେ ଭୃତ୍ୟ ନଟବରର ନାଟକୀୟ ଆବିର୍ଭାବ । ଘୋର କୃଷ୍ଣବର୍ଣ୍ଣ ଚେହେରା । ମୁଣ୍ଡର ଟାଆଁଶା ବାଳ ତା’ର ସମସ୍ତ ସାଧନାକୁ କ୍ଳୀବତ୍ଵ ଦେଇ କପାଳ ଉପରକୁ ଘୋଡ଼ାଚୁଟି ପରି ଝୁଙ୍କି ପଡ଼ିଛି । ଦନ୍ତ ଚତୁଷ୍କୋଣାକାର ଓ ବୃହତ୍ । ମୁହଁରେ ହସଟି ଲାଗି ରହିଛି ଓ ହସିଲେ ସମଗ୍ର ପାଟିଟି କୁକୁର ଆଁ ପରି ମେଲା ହୋଇଯାଏ । ଗୁଣ୍ଡି ପାନ, ବିଡ଼ି ଖାଇ ଦାନ୍ତର ଚେହେରା କାହିଲ୍ । ଦେହରେ ମାତ୍ର ଏକ ଖଣ୍ଡ ହାପ୍‍-ପ୍ୟାଣ୍ଟ, ସେ ପୁଣି କୌଣସି ବାବୁଙ୍କ ଦାନ, ତା’ର ନିମ୍ନ ଭାଗ ଛିଣ୍ଡି ଛିଣ୍ଡି ଗଲାଣି, ଫିଟ୍‍ ଅଭାବରୁ ଧଡ଼ି ନାଭି ତଳକୁ ବରାବର ଖସି ଆସୁଛି ଓ ସେ ବରାବର ତାକୁ ଟେକିବାରେ ଲାଗିଛି । ସୁପୁଷ୍ଟ ଶରୀର । ବିଧାତାର ଜମାଖର୍ଚ୍ଚର ଅଲଙ୍ଘନୀୟ ନିୟମ ଅନୁଯାୟୀ ଏଇ ଦରିଦ୍ରମାନେ ହଁ ପାଇଥାନ୍ତି ଶକ୍ତ, ସମର୍ଥ, ପରିପୁଷ୍ଟ ଶରୀର ଓ ନିଖୁଣ ସ୍ଵାସ୍ଥ୍ୟ । ବାବୁମାନେ ରସଗୋଲା ଖାଇ ଖାଇ ଡିସପେପ୍‍ସିଆଗ୍ରସ୍ତ, କିନ୍ତୁ ବାବୁମାନେ ଛାଡ଼ିଯାଉଥିବା ମୋଟା ଭାତ, ମୋଟା ଡାଲି ଖାଇ ନଟିଆ ନିରୋଗ ଓ ସବଳ ।

 

ପ୍ରଭୁପାଦ ଅନ୍ୟଆଡ଼େ ବହୁକ୍ଷଣ ଚାହିଁବାପରେ ହଠାତ୍ ଫେରିଚାହେଁ ତ ଦେଖେ ନଟିଆ ଠିଆ ହୋଇଛି ହାତରେ ଖଣ୍ଡେ ଚିଠି ବଢ଼େଇ । ସେ ହଠାତ୍ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା । ପଚାରିଲା, “କିରେ ତୁ କେତେବେଳୁ ଆଇଲୁଣି ? ଏ ଚିଠି କିଏ ଦେଲା ?” “ଆଜ୍ଞା, ମୁଁ ଏଇନେ ଆଇଲି, ଏ ଚିଠି କାଲି ସଞ୍ଜବେଳେ ଜଣେ ବାବୁ ଦେଇଗଲେ ଆପଣଙ୍କୁ ଦବା ପାଇଁ, ଆପଣ କାଲି ବହୁତ ରାତିକି ଆଇଲେ, ମୁଁ ଦେଇ ପାରି ନ ଥିଲି ।” ନଟିଆ ଏହା କହି ଚିଠିଟି ବଢ଼ାଇ ଦେଲା ଓ ହାତକୁ ଛନ୍ଦି ମିଟିମିଟି କରି ଚାହିଁ ଅନ୍ୟ ଆଦେଶକୁ ଅପେକ୍ଷା କରି ରହିଲା ।

 

ପ୍ରଭୁପାଦ ଚିଠି ଖୋଲିଲା । ପେନ୍‍ସିଲରେ ଲେଖା । ସାମାନ୍ୟ ଦୁଇଟି ଲାଇନ୍‍, ଇଂରେଜୀରେ ଲେଖା । ତା’ର ତର୍ଜମା ଏଇପରି ।

 

ସ୍ନେହର ପ୍ରଭୁ,

 

କାଲି ମଲ୍ଲିକାର ଜନ୍ମଦିନ, ରବିବାର । ତେଣୁ ଆମେ ସେଇ ଉପଲକ୍ଷରେ ଗୋଟିଏ ପିକ୍‍ନିକ୍‍ ପାର୍ଟିର ଆୟୋଜନ କରୁଛୁ । ଯିବୁ ଧବଳେଶ୍ଵର ପଠାକୁ । ତମେ ଯିବାକୁ ଇଚ୍ଛା କଲେ ସକାଳ ୮ଟାରେ ଆମ ଘରଠିକି ଆସିବ । ଇତି ।

 

ସ୍ନେହର ଉଦୟନ

 

ତା’ର ବନ୍ଧୁ ଉଦୟନର ଚିଠି । ଧବଳେଶ୍ଵର ପିକ୍‍ନିକ୍, ମଲ୍ଲିକାର ଜନ୍ମଦିନ । ପ୍ରଭୁପାଦର ଅଳସ ଚିତ୍ତ ହଠାତ୍‍ କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା । ଆରେ, ଏ ଯେ ସାତଟା ବାଜିଗଲା । ଉଦୟନର ଘର ଯାଇ ସହର ସେପଟେ । ଯାଉ ଯାଉ କେବଳ ଘଣ୍ଟାଏ ଲାଗିଯିବ । ପ୍ରଭୁପାଦ ବ୍ୟଗ୍ର ଓ ଉଦ୍‍ବିଗ୍ନ ହୋଇଉଠିଲା, ସେ ଯିବ ନିଶ୍ଚୟ, ସାଇକଲରେ ଯିବ, ନା ରିକ୍‍ସାରେ ? କିଛି ଠିକ୍ କରି ପାରୁନି ସେ । ହଁ, ହଁ, ପ୍ରେଜେଣ୍ଟ ? ମଲ୍ଲିକାର ଜନ୍ମଦିନ । ପିକ୍‍ନିକ୍‍ ପାର୍ଟି । କିଛି ତ ହାତରେ ନେଇ ଯିବ ସେ ? ନା, ନା, ବନ୍ଧୁର ଅନୁରୋଧର ଛାୟାତଳେ ସେ କୌଣସି ପ୍ରକାର ଅସାମାଜିକତା ବା ନୀଚତାକୁ ଘୋଡ଼େଇବାକୁ ଚାହେଁନା । ପିକ୍‍ନିକ୍‍ ପାର୍ଟିରେ ଯୋଗ ଦେବାକୁ, ଧବଳେଶ୍ୱର ଦେଖିବାକୁ, ବିଶେଷତଃ......ଗୋଟିଏ ସୁନ୍ଦର ମୁହଁକୁ ଆଉରି ଥରେ, ସେ ହେଉପଛେ ସହସ୍ରତମ ଥର, ଆଉରି ଥରେ ଅତି ନିକଟରେ ଦେଖି ଆସିବାକୁ ତା’ର ତୀବ୍ର ଆକର୍ଷଣ । କିନ୍ତୁ ସେ କ’ଣ କେବଳ ଭିକ୍ଷୁକ ହୋଇ, ଉପଯାଚକ ହୋଇ ସାମାଜିକ ମିଳନ ମଣ୍ଡପରେ ଠିଆହେବ ଯାଇ ? ନା, ନା, ତା’ ହେବ କିପରି ? ଅନ୍ୟର ସାମାନ୍ୟତମ ଦାନକୁ ମଧ୍ୟ ସେ ଯଥାଶକ୍ତି ପ୍ରତିଦାନ ଦେବାର ଅୟୋଜନ କରିବ । କିନ୍ତୁ କାହିଁ ଉପହାର ? ଏଇକ୍ଷଣି କୌଣସି ଦୋକାନ ଖୋଲି ନ ଥିବ, ଖଣ୍ଡେ ପାନ ବା ସିଗାରେଟ୍‍ ଟିନ୍‍ ବି ମିଳିବନି । ପୁଣି ଆଜି ରବିବାର । ତା’ର ଭ୍ରୂଯୁଗଳ କ୍ରମେ କୁଟିଳୀକୃତ ହୋଇ ଆସିଲା । ଏତେବଡ଼ ସୁବିଧା ଭଣ୍ଡୁର ହେବାର ସମ୍ଭାବନାରେ ସେ ହଠାତ୍‍ ଧୈର୍ଯ୍ୟଚ୍ୟୁତ ହେଲା ପରି ହେଲା । ତା’ର ସମସ୍ତ ବିରକ୍ତି ଉଦ୍‍ଗୀର୍ଣ୍ଣ ହେଲା ସେଇ ଭୃତ୍ୟ ଉପରେ, “ଆବେ, ତୁ ମତେ ରାତିରେ ନ ଦେଲୁ କାଇଁକି ଏ ଚିଠି ? ନିଶ୍ଚିନ୍ତରେ ଘୁଙ୍ଗୁଡ଼ି ମାରି ଶୋଇ ମତେ ଦିନ ଦି’ପହରକୁ ଆସି ମୁହଁ ଦେଖାଉଛୁ ? ଏ ଚିଠି ଅନୁସାରେ ସବୁ କାମ ଭଣ୍ଡୁର କଲୁ ତୁ ! ଯେତେ କହିଲେ ତୁ ଶୁଣିବାକୁ ନେଇଁ ।” ୟା କହି କହି ସେ ନଟିଆର ଦି’କାନକୁ ମୋଡ଼ିବାକୁ ଲାଗିଲା । ସେଇ ମୋଡ଼ିବାରେ ତା’ର ରାଗ ଶାନ୍ତ ହୋଇ ଅନୁତାପ ଆସିଲା ବେଳକୁ ସେ ଦେଖୁଛି ନଟବର କେବଳ ବୋକା ଭଳି ହସୁଛି ।

 

“ହଉ ହଉ, ଯା’ ତ ଗୋଟେ ରିକ୍‍ସା ଡାକି ଆଣେ” କହି ପ୍ରଭୁପାଦ ତଳକୁ ଦମ ଦମ କରି ଖସି ଆସିଲା । ନଟବର ପଛେ ପଛେ ଦୌଡ଼ି ଖାଲି ଡାକ ଛାଡ଼ୁଥାଏ “ଆଜ୍ଞା, ଚା’ ଆଣିବିନି, ଚା’ ହେଇଗଲାଣି ଯେ !” ପ୍ରଭୁପାଦ ଶୁଣି ମଧ୍ୟ ନ ଶୁଣିଲା ପରି ତା’ ରୁମ୍‍ଭିତରେ ପଶିଗଲା ।

 

ତା’ର ସ୍ନାନକ୍ରିୟା ସରିଥିଲା । ପ୍ରାତଃସ୍ନାନ ତା’ର ବହୁ ଦିନର ଅଭ୍ୟାସ । ବର୍ତ୍ତମାନ ତା’ର ପ୍ରଶ୍ନ, ସେ ପ୍ୟାଣ୍ଟ୍‍ ନା ଧୋତି ପିନ୍ଧି ବାହାରିବ । ମନେ କଲା ଏଟା ପିକ୍‍ନିକ୍‍ ପାର୍ଟି, ଧବଳେଶ୍ୱର ତୀର୍ଥକ୍ଷେତ୍ର, ତେଣୁ ଶୁଭ୍ର ଖଦଡ଼ର ଧୋତି ଓ ଏକ ପଞ୍ଜାବୀ ପିନ୍ଧି ସେ ବାହାରିପଡ଼ିଲା । ପକେଟରେ ମିନିବ୍ୟାଗ୍‍ଟି ରଖିଲା । ଇଚ୍ଛା ଯେ, ବାଟରେ ଯଦି କିଛି ଉପହାର୍ଯ୍ୟ ଆଖିରେ ପଡ଼େ ସେ କିଣି ନେବ-

 

(୨)

 

“ସେ ଗଛର ନୁଆଁଣିଆ ଡାଳରେ ହାତ ଦେଇ ଠିଆ ହୁଅ ଟିକିଏ ମଲ୍ଲିକା ! ଏ ରକମ ବ୍ୟାକ୍‍ଗ୍ରାଉଣ୍ଡ ସହଜରେ ମିଳେନା । ମୁଁ ଏ ସ୍ନାପ୍‍ଟି ନେଇସାରିଲା ପରେ ତମର ଗୋଟାଏ ସ୍କେଚ୍ ମଧ୍ୟ କରି ନେବି ।’’

 

ଧବଳେଶ୍ଵରରେ ସେ ଦିନର ପିକ୍‍ନିକ୍‍ ପାର୍ଟିର ମୂଳପିଣ୍ଡ ଶ୍ରୀମତୀ ମଲ୍ଲିକା ମହାପାତ୍ର ସମ୍ମୁଖରେ ଦଣ୍ଡାୟମାନା, ସାଥିରେ ପ୍ରତିବେଶୀ ସଙ୍ଗିନୀ ଶ୍ୟାମା, ସହାଧ୍ୟାୟିନୀ । ମଲ୍ଲିକା ତନ୍ଵୀ । ମୁଖଟି ସାମାନ୍ୟ ଲମ୍ବାଶିଆ ଓ ଅତ୍ୟନ୍ତ ଡଉଲ । ନାକଟି ସରୁ ଓ ସିଧା । ବର୍ଣ୍ଣ କମଳାଲେମ୍ବୁର ବର୍ଣ୍ଣପରି । ଶ୍ଵେତ ଓ ହରିଦ୍ରାର ମଧୁର ମିଶ୍ରଣ । ମୁଖମଣ୍ଡଳରେ ସ୍ନିଗ୍‍ଧ ଲାବଣ୍ୟ ଓତପ୍ରୋତ ହୋଇ ରହିଛି । ଇସ୍କୁଲପଢ଼ା ବାଳିକାମାନଙ୍କଠାରେ ଏପରି ଦେଖାଯାଏନା, କାରଣ ବିଜ୍ଞାପନ-ପ୍ରଚାରିତ କୌଣସି ପ୍ରସାଧନକୁ ମଲ୍ଲିକା ଏପର୍ଯ୍ୟନ୍ତ ତା’ର ତ୍ରିସୀମା ଡେଇଁବାକୁ ଦେଇନି । କିଶୋର ବୟସର ସ୍ଵପ୍ନବିଭୋର, ଅକଳୁଷ, ନିର୍ମଳ, ନିରୀହ ରୁପାସ୍ତରଣଟି ଏକ୍‍ଜାମିନେଶନ୍‍ର ସମସ୍ତ ଅତ୍ୟାଚାର ସତ୍ତ୍ୱେ ମଲ୍ଲିକାର ଶରୀରଲତାରେ ଏପର୍ଯ୍ୟନ୍ତ ପରିପାଟି ଭାବରେ ଲାଗି ରହିଛି । ଆଜି ତା’ର ଜନ୍ମଦିନରେ ସେ ମହାନଦୀର ଶରଦ-ନିର୍ମଳ ସ୍ରୋତରେ ଅବଗାହନ କରି ଆସିଛି । ପଛରେ ଝୁଲି ପଡ଼ିଛି କୃଷ୍ଣ, କୁଞ୍ଚିତ, ମୁକ୍ତ କେଶଜାଳ । ଚୂର୍ଣ୍ଣକୁନ୍ତଳସବୁକୁ ସେ ବାରମ୍ବାର ଦୁଇ ଗଣ୍ଡରୁ ପଛକୁ ପେଲି ପେଲି ଦେଉଛି, ମୁଖର ସ୍ଥିର ସୌନ୍ଦର୍ଯ୍ୟକୁ ଚଞ୍ଚଳ ଓ ବିଛୁରିତ କରି । କପାଳରେ ଚନ୍ଦନର ଶ୍ଵେତ ଆସ୍ତରଣ ଭିତରେ ଗୋଟିଏ ସିନ୍ଦୂରର ଟିପ–ଦେବତାର ଆଶୀର୍ବାଦ ଓ ସୌନ୍ଦର୍ଯ୍ୟ-ଲକ୍ଷ୍ମୀର ପ୍ରତୀକ । ମଲ୍ଲିକା ପାଟଳବର୍ଣ୍ଣର ଖଣ୍ଡିଏ ନୂଆ ଶାଢ଼ି ପିନ୍ଧିଛି । ଅତି ଶାନ୍ତ, ସଂଯତ ବେଶ, କୌଣସି ଆଡ଼ମ୍ବରର ବ୍ୟଞ୍ଜନା ନାହଁ; ସୌନ୍ଦର୍ଯ୍ୟର ଆସ୍ଫାଳନ ନାହିଁ; କିନ୍ତୁ ସେହି କାରଣରୁ ଆହ୍ୱାନ ଅତି ମଧୁର ଓ ଅକାଟ୍ୟ ।

 

ମଲ୍ଲିକା ଓ ଶ୍ୟାମା ଉଭୟେ ଫଟୋର ସୂଚନାରେ କେବଳ ଲାଜରେ ହସିବାକୁ ଲାଗିଲେ-। ମଲ୍ଲିକା କ୍ଷୀଣ ପ୍ରତିବାଦ କଲା ‘ନା’, ‘ନା’ କରି । ଶ୍ୟାମା କହଲା, “ଆପଣ ଏଠି କୁ’ଆଡ଼ୁ ଆସି ପହଞ୍ଚିଲେ ?”

 

ଆଗନ୍ତୁକ ଶ୍ରୀକଣ୍ଠ ଜଣେ ଆର୍ଟିଷ୍ଟ୍‍ । ଏମାନଙ୍କର ଆଗରୁ ବହୁ ପରଚିତ । ଅବିବାହିତ । ପୈତୃକ ସମ୍ପତ୍ତି କିଛି ଅଛି, ଯେଉଁଥିରେ ଗୁଜୁରାଣ ମେଣ୍ଟିଯାଏ । ତା’ଛଡ଼ା ଆର୍ଟ ଓ ଫଟୋଗ୍ରାଫିରୁ ଯତ୍‍କିଞ୍ଚିତ୍‍ ଆୟ ଆସେ ସେଇଥିରେ ସାମାଜିକ ଫୂର୍ତ୍ତିଟା ବଜାୟ ରଖିହୁଏ । ଜଣେ ବିଧବା ପିଇସୀ ଘର ଦେଖେ । ଶ୍ରୀକଣ୍ଠ କିନ୍ତୁ ପ୍ରାୟଇ ଘରେ ଥାଏନା, ଆଜି ପୁରୀ, କାଲି କଲିକତା, ସାତଦିନ ପରେ ଲଖନଉ ବା ଶ୍ରୀନଗର । ସ୍ଵାଧୀନ ରହିଛି ସେ କେବଳ ସଂସାରଟାକୁ ଓ ଜୀବନଟାକୁ ନିର୍ବନ୍ଧନ ହୋଇ ଦେଖିଯିବ ଓ ଭୋଗ କରିବ ବୋଲି; ଅବଶୋଷ ରହି ଯାଇଛି ଏଯାଏଁ ଯେ ୟୁରୋପ ଯିବାର ସୁଯୋଗ ବା ପଇସାପତ୍ରର ଯୋଗାଡ଼ଟା ଏପର୍ଯ୍ୟନ୍ତ ହୋଇପାରିଲା ନାହଁ । କିନ୍ତୁ ଶ୍ରୀକଣ୍ଠ ଶ୍ଵେତ ଦେଶକୁ ନ ଯାଇଛି ବୋଲି ଶ୍ଵେତାଙ୍ଗ ନର ବା ନାରୀକୁ ଯେ ନ ଜାଣିଛି ନୁହେଁ । କଳାର ସାର୍ବଜନୀନ ଭାଷା ସାହାଯ୍ୟରେ ମାନବ ଗୋଷ୍ଠୀର ଯେତେ ଅଂଶ ସଙ୍ଗେ ସଖ୍ୟ ସ୍ଥାପନ କରିବା ତା’ ପକ୍ଷରେ ସମ୍ଭବ ତା’ ସେ କରିବାରେ ପରାଙ୍‍ମୁଖ ହୋଇ ନାହଁ ।

 

କଟକରେ ଥିଲାବେଳେ ଶ୍ରୀକଣ୍ଠ ସମୟ ସମୟରେ ବାହାରିପଡ଼େ ମହାନଦୀ ଓ କାଠଯୋଡ଼ୀର ଏପାଖ ବା ସେପାଖକୁ, ଧୂଳିମଳିହୀନ ପ୍ରକୃତି ବା ପଲ୍ଲୀର ଶାନ୍ତ ଶୋଭା ଉପଭୋଗ କରିବାପାଇଁ । ଏହିପରି ଅନେକ ପ୍ରାକୃତିକ ଓ ମାନବିକ ଚିତ୍ର ତା’ର ଘର କାନ୍ଥମାନଙ୍କରେ ଝୁଲୁଛି । ତା’ ଘରକୁ ପଶିଗଲେଇ ଆଖିରେ ପଡ଼େ “ଜଳ ଓ ଅଗ୍ନି” ଚିତ୍ରଟି । ଗୋଟିଏ ପଲ୍ଲୀ-ପୁଷ୍କରିଣୀ ଓ ତା’ ଜଳରେ ସ୍ନାନରତା ଏକ ନବବୟସୀ ସୁନ୍ଦରୀ ପଲ୍ଲୀବାଳା–ଏଇ ମାତ୍ର ତା’ର ବିଷୟବସ୍ତୁ । ଯେ ରୂପକୁ ଅଗ୍ନି ମନେ କରେ ଓ ସେଇ ରୂପକୁ ନେଇ ପ୍ରତ୍ୟହ ତୂଳି ଓ ବର୍ଣ୍ଣରେ ଖେଳାକରେ, ସେ ଏପର୍ଯ୍ୟନ୍ତ ସେଥିରେ ଦଗ୍‍ଧ ହୋଇନି କିପରି, ତାହାହିଁ ଭାବିବାର କଥା-

 

ଶ୍ରୀକଣ୍ଠ ଉତ୍ତର ଦେଲେ, “ମୁଁ, ତମେମାନେ, ଆସିବାର ବହୁ ଆଗରୁ ଏଠାକୁ ଆସିଥିଲି । ତମେସବୁ ଏଠାକୁ ଆସିବ ବୋଲି ମୁଁ ଜାଣିଇ ନ ଥିଲି । ମୁଁ ଛୁଟି ପାଇଲେ ବରାବର ଏ ଅଞ୍ଚଳକୁ ଖସି ଆସେ ଯେ…” ଶ୍ରୀକଣ୍ଠ କଥା କହୁ କହୁ ସେଣେ ତା’ର ଉତ୍‍ସ୍ଥିତ କାମେରା ଚର୍‍ର୍‍ କରି ସାରିଲାଣି । ଶ୍ୟାମା ଓ ମଲ୍ଲିକା ଉଭୟେ ବିସ୍ମିତ ହୋଇ ପଚାରିଲେ, “କ’ଣ ହୋଇଗଲା, ଏଡ଼େ ବେଗେ ? କାଇଁ ଦେଖି ।’’ ଶ୍ରୀକଣ୍ଠର ମୁଖରେ ବିଜୟର ମୃଦୁ ହସ । “ଖୁବ୍ ଭଲ ଉଠିବ” ସେ କହିଲା । “ସୁନ୍ଦର ପାଗ, ବ୍ୟାକ୍‍ଗ୍ରାଉଣ୍ଡ ବି ଚମତ୍‍କାର, ତମମାନଙ୍କର ପୋଜ୍ (ସେ ବାସ୍ତବରେ ମଲ୍ଲିକାର ସ୍ନାପ୍‍ହିଁ ନେଇଛି; କିନ୍ତୁ ଭଦ୍ରତାରେ ବହୁବଚନ ବ୍ୟବହାର କରିବାକୁ ବାଧ୍ୟ ହେଲା) ବି ସୁନ୍ଦର ହୋଇଛି । ଏଇକ୍ଷଣି ଆଉ ଦେଖିବାର କ’ଣ ଅଛି ? ମୋର ଆଉରି ଦି’ ତିନିଟା ଫିଲମ୍ ବାକି ଅଛି । ଲାଣ୍ଡସ୍କେପର ଛବି ନେବି । କାଲି କିବା ପଅରଦିନ ଘରେ ଦେଖେଇ ଆସିବି ।’’

 

“ଅମେ ତା’ହେଲେ ଯାଉଛୁ” କହି ମଲ୍ଲିକା ଆଉଜିଥିବା ଗଛଡାଳକୁ ଛାଡ଼ି ଠିଆ ହେଲା । ଶ୍ରୀକଣ୍ଠ ‘ନା’ ‘ନା’ ଚିତ୍କାର କରି ଉଠିଲା । “ଟିକିଏ”, “ଆଉ ଟିକିଏ ଠିଆ ହୋଇ ଯା”, “ସୁନାଝିଅଟି ପରା’’ ‘‘ମୁଁ ଏଇ କେତୋଟା ଗାର ମାତ୍ର ଟାଣିନିଏ ।’’ ମଲ୍ଲିକାର ନାହିଁ କରିବାର ସାହସ ଆଉ ରହିଲା ନହିଁ । ସେ ସେଇପରି ସେଇ ଡାଳକୁ ଆଉଜି ଠିଆହୋଇ ରହିଲା । ଶ୍ୟାମା ତା’ର ପଛପଟେ । ଦୁହେଁ ପରସ୍ପରକୁ ଚାହିଁ ମଝିରେ ମଝିରେ କେବଳ ହସୁଥାନ୍ତି । ଶ୍ରୀକଣ୍ଠ ଇତିମଧ୍ୟରେ ଦଉଡ଼ିଯାଇ ଗୋଟିଏ ଅଦୂରବର୍ତ୍ତୀ ବୁଦାତଳୁ ତା’ର ବ୍ୟାଗ୍ ନେଇ ଇଜେଲ୍‍ଟା ଠିଆ କରେଇ ସାରିଲାଣି । ସେ ଜାଣିଲାଣି ଯେ ସେ ଯାହା କରୁଛି ତାହା ଭାରତୀୟ ସମାଜରେ ଅନ୍ୟାୟ । ଜଣେ ଅବିବାହିତା ବାଳିକାର ଛବି ଓ ଫଟୋ ଉଠେଇବାର ଅଧିକାର ଭାରତବର୍ଷରେ କୌଣସି ଲୋକର ନାହଁ, ଅଭିଭାବକମାନଙ୍କର ସୁସ୍ପଷ୍ଟ ଅନୁଜ୍ଞା ବ୍ୟତିରେକେ । କିନ୍ତୁ ଆମ୍ର ବୃକ୍ଷର ଛାୟାରେ, ଆମ୍ର ବୃକ୍ଷର ନୁଆଁଣିଆ ଡାଳକୁ ଧରି ମୁକ୍ତକୁନ୍ତଳା ସୁନ୍ଦରୀ ମଲ୍ଲିକା, ସମ୍ମୁଖରେ ଶରତ-ପ୍ରଚୁର ନଦୀସ୍ରୋତକୁ ଅନାଉଥିବାର ଚମତ୍କାର ଦୁଶ୍ୟଟିର ପ୍ରଲୋଭନ ସେ ଏଡ଼ି ନ ପାରି ଭାବାବେଗରେ ଫଟୋ ନେଇ ସାରିଛି । ସେତେବେଳେ ଆଗପଛ ଭାବିବାର ବେଳ ତା’ର ନଥିଲା । କିନ୍ତୁ ଏ ଚିତ୍ର-କାର୍ଯ୍ୟଟା ଆରମ୍ଭ କଲାବେଳୁ ତା’ ମନରେ ଆଶଙ୍କା ପଶିଲାଣି । ସେ ବର୍ତ୍ତମାନ ଦୋଳାଚଳଚିତ୍ତ–ଆଗ ପ୍ରାକୃତିକ ପଶ୍ଚାଦ୍‍ଭୂମିଟିକୁ ଆଙ୍କିନେବ ନା ମୂର୍ତ୍ତିଟିକୁ । ଇଜେଲ୍ ଉପରେ କାର୍ଡ଼ବୋର୍ଡ଼ ଓ କାନଭାସ ଖଞ୍ଜି ସାରିଲାଣି । ପ୍ଲେଟରେ ବର୍ଣ୍ଣର ଯୋଗାଡ଼ ହୋଇ ସାରିଲଣି । ଥରେ ଚିତ୍ରର ବିଷୟଟିକୁ ଓ ଥରେ କାନଭାସ ଆଡ଼କୁ ଅନାଇ ଅନାଇ ଶ୍ରୀକଣ୍ଠ ‘ଯାହାହେଉ’ ଏୟା ଭାବି ଭାବି ତୂଳିରେ ଗାର ଟାଣିବା ଆରମ୍ଭ କରି ଦେଲାଣି ।

 

ହଠାତ୍ ଶବ୍ଦ ଶୁଣାଗଲା ‘ଶ୍ୟାମା’ ! ଏ ଯେ ବିଜୟର ଶବ୍ଦ । “କୁ’ଠି ଅଛ ତମେମାନେ, ମାଉସୀ ଡାକୁଛନ୍ତି ସେଣେ” ଶବ୍ଦ କ୍ରମେ ନିକଟତର ହେଲା ଓ ମୁକ୍ତ ଆକାଶ ତଳେ ଧ୍ୱନିତ ହେବାକୁ ଲାଗିଲା । ମଲ୍ଲିକା ଶ୍ୟାମାକୁ ସଙ୍କେତ ଦେଲା ଉତ୍ତର ଦେବାକୁ । ଶ୍ୟାମା ଉତ୍ତର ଦେଲା, “ଆମେ ଏଇଠି ! ନଈକୂଳେ ।’’ ଥରେ ଦୁଇଥର ଏଇପରି ଜବାବ ଦେଉ ଦେଉ ପଛରୁ ପତ୍ରର ଖସଖସ ସହିତ ବିଜୟପ୍ରସାଦ ଆସି ଉପସ୍ଥିତ ହେଲା । ବିଜୟ ହଠାତ୍ ଠିଆ ହୋଇପଡ଼ି ଥରେ ଶ୍ରୀକଣ୍ଠ ଓ ଥରେ ବାଳିକାମାନଙ୍କୁ ଚାହିଁ ନେଲା । ତା’ପରେ ବାଳିକା ଦୁହିଙ୍କୁ ଲକ୍ଷ୍ୟ କରି କହିଲା, “ତମେ ଏ ଜଙ୍ଗଲ ଭିତର ଦେଇ ଏକୁଟିଆ ଆସିଲ କେମିତି ? ଏ ଯେ ଅତି ଭୟଙ୍କର ଜାଗା । ମାଉସୀ ସେଣେ ବ୍ୟସ୍ତ ହେଉଛନ୍ତି । ଚାଲ ଚାଲ, ମୁଁ ନେଇଯିବି, ଚାଲ” ୟା କହି ବିଜୟପ୍ରସାଦ ଆଗେ ଆଗେ ଚାଲିଲା । ଶ୍ରୀକଣ୍ଠର ସେ ପରିଚିତ ହେଲେହେଁ କେହି କାହାକୁ କଥା କହିଲେ ନାହଁ । ଶ୍ରୀକଣ୍ଠ ତା’ର ଚିତ୍ର କରିବାରେ ଲାଗିଲା, ଯେପରିକି ବାଳିକାମାନଙ୍କ ସଙ୍ଗେ ଚିତ୍ରର କୌଣସି ସମ୍ପର୍କ ନାହଁ । ବିଜୟ କିନ୍ତୁ ଯିବା ପୂର୍ବରୁ ତା’ ଆଡ଼କୁ ଏକ ବିଦ୍ଵେଷର ବକ୍ରାକ୍ଷ ହାଣିଦେଇ ଯେ ନ ଗଲା ନୁହେଁ । ମଲ୍ଲିକା ଓ ଶ୍ୟାମା ଭଗ୍ନ-ସୁଖର ଦୀର୍ଘଶ୍ଵାସ ଛାଡ଼ି ବିଜୟର ପଛେ ପଛେ ଗଲେ ।

 

(୩)

 

ବିଜୟପ୍ରସାଦ କାନୁନଗୋର ପ୍ରପିତାମହ ଯେ ଦିନେ ନିଜ ଗାଁର ନିକଟବର୍ତ୍ତୀ ଏକ ବଡ଼ଚାଷୀର ସାମାନ୍ୟ ଗୁମାସ୍ତା ମାତ୍ର ଥିଲେ ତାହା ଅନ୍ୟମାନଙ୍କର ବିଶ୍ଵାସ କରିବା ଯେତିକି କଠିନ, ସେ ଇତିହାସକୁ ଲୁଚେଇବାପାଇଁ ତା’ର ପ୍ରାଣାନ୍ତ ପ୍ରଚେଷ୍ଟା ମଧ୍ୟ ସେଇପରି ଗଭୀର ଓ ନିରବଚ୍ଛିନ୍ନ । ମାତ୍ର ୫୦।୬୦ ବର୍ଷର ଇତିହାସ । କିନ୍ତୁ ଛୋଟ ଡିମିରିଫଳ ପ୍ରକାଣ୍ଡ ନାରୀକେଳରେ ପରିଣତ ହେଲେ ଯେପରି ବିସ୍ମୟପ୍ରଦ ହୋଇପାରନ୍ତା, ତା’ଠାରୁ ବିସ୍ମୟକର, କାନୁନଗୋ ପରିବାରର ଅଭ୍ୟୁଦୟ ଓ ପରିବର୍ତ୍ତନର ଇତିହାସ । ଆଜି ବିଜୟପ୍ରସାଦ ମୋଟର କାର୍‍ ବିନା ଘରୁ ବାହାରୁନି । ତେଣୁ ସେ କିପରି ବିଶ୍ୱାସ କରିବ ଯେ ଦିନେ ତା’ର ଗୋସେଇଁବାପର ବାପ ତା’ ଗାଁରୁ କଟକକୁ, ପ୍ରାୟ ୪୦ ମାଇଲ ବାଟ, ନିଜ ବୋଝ ନିଜେ ବୋହି ଚାଲି ଚାଲି ଆସୁଥିଲା, ତାହା ପୁଣି ପରର ଭୃତ୍ୟ ଭାବରେ । ବୁଢ଼ା କୃତ୍ତିବାସ ଯେନାର ମୁଣ୍ଡରେ ମଲା ପର୍ଯ୍ୟନ୍ତ ଚୁଟି ଥିଲା, ଚାଦରରୁ ସେ କୋଟ ବା କୁର୍ତ୍ତାକୁ ଉଠି ପାରି ନ ଥିଲେ, ପାଦ ଚଟି ପର୍ଯ୍ୟନ୍ତ ଦେଖି ନ ଥିଲା । ବିଦ୍ୟା କେବଳ ଚାଟଶାଳୀ ପାଠ । ସକାଳ ବେଳ ପହରକୁ ସମସ୍ତେ ଦେଖୁଥିଲେ ବୁଢ଼ା କୃତ୍ତିବାସ ସ୍ନାନପ୍ରକାର ବଢ଼େଇ, କପାଳ, ଦି’କାନ, ନାକ, ଛାତି ଓ ପିଠିର ଦି’ ପାଖରେ ନାମାବଳିର ଚିତା ଚଢ଼େଇ, ବାଡ଼ି ଖଣ୍ଡିଏ ଧରି, କାନ୍ଧରେ ଖଣ୍ଡିଏ କୋଚଟ ଓଦା ଗାମୁଛା ରଖି ନିଜ ଗାଁରୁ ବାହାରି ପଡ଼ନ୍ତି ଅନ୍ୟ ଗାଁର ଧନିଷ୍ଠ ଜମିଦାର ଚମ୍ପତିରାୟଙ୍କ ଘରକୁ । ପ୍ରଥମେ ସେ ସେଇ ଗାଁରେ ସେଇ ଚମ୍ପତିରାୟଙ୍କ ମେଲାରେ ତାଙ୍କ ପିଲାଙ୍କୁ ଓ ତା’ ସାଥିରେ ଗାଁର ଆଉ ଦି’ତିନିଟା ଛୁଆଙ୍କୁ ପାଠ ପଢ଼ାଉଥିଲେ । ତେଣୁ ଗାଁବାଲା ଡାକନ୍ତି ‘ଅବଧାନେ’ ‘ଅବଧାନେ’ । ପିଲେ ବଡ଼ ହୋଇଗଲେ, ଚମ୍ପତିରାୟଙ୍କର ବି କାଳ ହୋଇଗଲାଣି, ସାନ୍ତାଣୀଙ୍କ ଅନୁରୋଧରେ କୃତ୍ତିବାସ ଅବଧାନ, ସେଇଠି ସେଇ ପୁରୁଣା ଖାମିଦର ଗୁମାସ୍ତା ହୋଇ ଶେଷଜୀବନଟା କଟେଇ ଦେଲେ । ଚମ୍ପତିରାୟଙ୍କର ବିବାହ ନିମିତ୍ତ ହେଲେ ଅବଧାନେ ସଉଦା କରି ଆଣନ୍ତି । ସେତେବେଳକୁ ରେଳ ପଡ଼ି ନ ଥିଲା । ଅବଧାନେ କଟକ ଛଡ଼ା ଥରେ ଦି’ ଥର କେବଳ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ । ତାଙ୍କର ବାହାର ଜଗତର ଅଭିଜ୍ଞତା ସେତିକି ।

 

କୃତ୍ତିବାସଙ୍କ ପୁଅ ନେତ୍ରାନନ୍ଦ, ବ୍ରିଟିଶ ସରକାର ଏ ଦେଶରେ ଜମିଜମାର ପ୍ରଥମ ବନ୍ଦୋବସ୍ତ କଲାବେଳେ, ଗୋଟିଏ ଅମିନ ହୋଇ ଘର ଓ ପରିବାରର ମୁଖ ପରିବର୍ତ୍ତନ ସଙ୍ଗେ ସଙ୍ଗେ ନାମ ପରିବର୍ତ୍ତନ କଲେ । ଧନ ଓ ପ୍ରତିପତ୍ତିର ଆଗମ ସଙ୍ଗେ ଓ ଅମିନଗିରିରୁ ‘ଯେନା’ରୁ ‘କାନୁନଗୋ’କୁ ପରିବର୍ତ୍ତନ ଏତେ ସ୍ଵଭାବିକ ଯେ ସେ ସମ୍ପର୍କରେ କେହି କେବେ କୌଣସି ପ୍ରଶ୍ନଇ ଉଠେଇ ନ ଥିଲେ, ଏବେ ବି ଉଠାନ୍ତି ନାହିଁ । ବର୍ତ୍ତମାନ ସମସ୍ତେ ଜାଣନ୍ତି ଯେ ଏମାନେ କାନୁନଗୋ–ବୋଧହୁଏ ଚିରକାଳର ଅଭିଜାତ ଓ ଐତିହାସିକ । ପରର ଜମି ମାପୁମାପୁ ନିଜର ଜମି ଓ ଟଙ୍କା କିପରି ବଢ଼ି ଯାଇପାରେ, ସେ ତାତ୍ତ୍ୱିକ ପ୍ରଶ୍ନ ମଧ୍ୟ କେହି କେବେ କରି ନ ଥିଲେ । କଥାରେ ସେଇଥିପାଇଁ ଅଛି ‘ଟଙ୍କା, ମୁହଁ କରେ ବଙ୍କା’ । ଲୋକ ପାଖରେ ଧନ ଆସି ଜୁଟିଲେ ତା’ର ଇତିହାସ ଓ ଭୂଗୋଳକୁ ଆମେ ମାନିନେଉ ।

 

ନେତ୍ରାନନ୍ଦଙ୍କ ପୁଅ ଗୋପୀନାଥ ଇଂରେଜୀ ପଢ଼ିଲେ ଏବଂ ବ୍ରିଟିଶ ସରକାର ତଳେ ଏକ ନୌକରି କରି ସତ୍ୟରେ ବଂଶର ମୁଖ ଓ ଗନ୍ତାଘର ମଧ୍ୟ ଉଜ୍ଜ୍ୱଳ କରି ଦେଇଗଲେ । କାରଣ ବ୍ରିଟିଶ ତଳେ ‘ନୌକରି’ଟାକୁ ଯେତେବେଳେ ଦାସଭାବାପନ୍ନ ଇଣ୍ଡିଆନ୍‍ମାନେ “ହାକିମି” ବୋଲି ଭାବି କୃତକୃତ୍ୟ ହେଉଥିଲେ, ଯଦିଓ ବ୍ରିଟିଶ ଆଖିରେ ସେମାନେ ହେୟ ‘ନେଟିବ୍‍’ ଛଡ଼ା କିଛି ନ ଥିଲେ, ଗୋପୀନାଥଙ୍କର ସେ କାଳର ସମାଜିକ ପ୍ରତିପତ୍ତି ଆଜି ଲୋକେ କଳ୍ପନା କରି ପାରିବେ ନାହଁ । ନୌକରିର ଅଳ୍ପକାଳ ଭିତରେ ଗୋପୀନାଥ ଏଣେ କଟକରେ ପ୍ରକାଣ୍ଡ ବଗିଚାଘର କରିବା ସଙ୍ଗେ ସଙ୍ଗେ ବଂଶର ପୂର୍ବ ଖାମିଦ ଚମ୍ପତିରାୟଙ୍କ ଜମି ଓ ଜମିଦାରୀ ମଧ୍ୟ କିଣି ପକାଇଲେ । ଭାଇ ବୃନ୍ଦାବନକୁ କରାଇଦେଲେ ଏକ ଅବକାରୀ ଦାରୋଗା । ହାକିମିଆଣୀଙ୍କ ହାତରେ ଟଙ୍କା ମୁଠା ମୁଠା, ବେକରେ ଚାଖଣ୍ଡେ ଓସାରର ସୁନାର ହାର ଗୋଟାକପରେ ଗୋଟେ । ସେହି ହାକିମିଆଣୀଙ୍କ ନାମରେ ଚାଲିଲା ମଧ୍ୟ ମହାଜନୀ କାରବାର । କାନୁନଗୋ ପରିବାରର ସେତେବେଳେ ହୈହୈ କାଣ୍ଡ । ଗୋପୀବାବୁଙ୍କର ଦି’ଦି’ଟା କଚେରୀ । ଗୋଟେ ସରକାରୀ, ଆଉ ଗୋଟେ ଘରେ–ନିଜର । ଦୁଇ ପୁଅ ଓ ଦୁଇ ଝିଅ । ବିଧାତା ଧନ, ଜନ, ଗୋପଲକ୍ଷ୍ମୀ କାହଁରେ ତାଙ୍କୁ କୃପଣତା କରି ନ ଥିଲେ ।

 

ହାକିମ ଗୋପୀନାଥ ଗଲେଣି ଭାରି । ମଲାବେଳକୁ ଝିଅମାନେ ବାହା ହୋଇ ସାରିଥିଲେ । ଚାକିରିରୁ ଅବସର ନେଲା ପରେ ଗୋପୀନାଥ ଦୀର୍ଘକାଳ ବଞ୍ଚିଥିଲେ ଏବଂ ସେଇ ଅବକାଶରେ ବ୍ୟବସାୟରେ ମନ ବଳାଇ ପୁଅମାନଙ୍କ ପାଇଁ ଏତେ ସମ୍ପତି ଓ ଏପରି ଏକ ଧନ୍ଦା ଛାଡ଼ିଯାଇଥିଲେ ଯେପରି ସେମାନଙ୍କର ଜୀବନ ବିନାଶ୍ରମର ଏକ ରଙ୍ଗୀନ ରୂପକଥା ହୋଇ ପାରିବ-। ତେଣୁ ଦୁଇ ଭାଇ ବିଜୟପ୍ରସାଦ ଓ ଅଜୟପ୍ରସାଦଙ୍କର ସମାଧାନ ପାଇଁ ଜୀବନର କୌଣସି ସମସ୍ୟା ପ୍ରାୟ ନାହିଁ କହିଲେ ଚଳେ, କେବଳ ଅର୍ଜିତ ଓ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରିବା ଓ ଯେଉଁ ବିଳାସଭୋଜ୍ୟ ଦୈନନ୍ଦିନ ଖିଆଯାଏ ତାକୁ କିପରି ଜୀର୍ଣ୍ଣ କରିବା ଛଡ଼ା । ବଡ଼ ଭାଇ ଅଜୟପ୍ରସାଦର ବୟସ ହୋଇଗଲାଣି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଷୟୀ । ବାପା ମଲାବେଳକୁ ବିଜୟର ବୟସ ମୋଟେ ଥିଲା ପନ୍ଦର ବର୍ଷ । ବାପା ଅଜୟକୁ ମୃତ୍ୟୁଶଯ୍ୟାରେ କହି ଯାଇଥିଲେ ବିଜୟକୁ ସେ ଯେପରି ପୁଅ ପରି ଦେଖେ । ଅଜୟ ସେ କଥା ଭୁଲି ଯାଇନି । ସାନ ଭାଇର କୌଣସି ଇଚ୍ଛାକୁ ସେ ବାଧା ଦେଇନି । ବିଶେଷରେ ମା’ ତ ଅଛନ୍ତି, କୋଳପୋଛା ସନ୍ତାନପ୍ରତି ମା’ଙ୍କର ଅଧିକା ସ୍ନେହ ଥିବାର ଆଶା କରାଯାଏ । ବିଜୟ ତେଣୁ ଏକପ୍ରକାର ଦାୟିତ୍ଵହୀନ ରାଜପୁତ୍ର ପରି ଏପର୍ଯ୍ୟନ୍ତ ଦିନ କଟେଇ ଆସିଛି ।

 

କାନୁନଗୋମାନଙ୍କର ବ୍ୟବସାୟ ଓ ଅର୍ଜ୍ଜନ-ଜାଲର ବିସ୍ତାର ସାଧାରଣ ଲୋକପକ୍ଷରେ ଜାଣିବା ସହଜ ନୁହେଁ । ଜମିଦାରୀ ତ ଅଛି । ତା’ ଉପରେ ମହାଜନୀ କାରବାର । ଶେଷ ଜୀବନରେ ଗୋପୀବାବୁ ଉଦ୍‍ବୃତ୍ତ ଅର୍ଥ ନାନା ବ୍ୟବସାୟରେ ଇନଭେଷ୍ଟ କରି ଯାଇଛନ୍ତି ଯାହା ଚାରିଆଡ଼େ ଠିଆ ହୋଇଛି ନାନା ଛଦ୍ମ ନାମରେ । କଟକର ଗୋଟିଏ ପ୍ରସିଦ୍ଧ ପୁସ୍ତକଦୋକାନ ଓ ଜୋତା ଦୋକାନ ଏଇ କାନୁନଗୋମାନଙ୍କର, ଧାନମଣ୍ଡଳ ଷ୍ଟେସନର ଗୋଟାଏ ଚାଉଳକଳ ୟାଙ୍କରି, ତା’ଛଡ଼ା କଲିକତାରେ ଏକ ସିନେମା ୟାଙ୍କର ଚଳେ ବୋଲି ଲୋକେ କହନ୍ତି । ପ୍ରତ୍ୟେକଟି ବ୍ୟବସାୟ ଏପରି ମଜବୁତ୍ କରି ଗୋପୀବାବୁ ଗଢ଼ି ଯାଇଛନ୍ତି ଯେ ପୁଅମାନଙ୍କୁ ଆଙ୍ଗୁଠି ପର୍ଯ୍ୟନ୍ତ ଉଠାଇବାକୁ ପଡ଼ିବନି, କେବଳ ମାସକୁ ମାସ ଯେଉଁ ନିୟମିତ ଲଭ୍ୟାଂଶ ହାତକୁ ଆସିଯିବ ତା’ର ବିନିଯୋଗ କରିବା ଛଡ଼ା ।

 

ବିଜୟ ଉପରେ ଘର ଓ ବ୍ୟବସାୟର କେଉଁ ଦାୟିତ୍ଵ ଯେ ଅଛି ଜଣା ପଡ଼େନା । ତେବେ ଅନେକେ ଜାଣନ୍ତି ଯେ ସେ ପ୍ରାୟଇ କଲିକତା, ବମ୍ବେ ପ୍ରଭୃତି ବଡ଼ ବଡ଼ ସହରକୁ ଦଉଡ଼େ ଓ ସେ ଜାଗାମାନଙ୍କରେ ବହୁଦିନ କଟାଏ, ଘରକୁ ଫେରିବା ପାଇଁ ମା ଓ ଭାଇଠାରୁ ଟେଲିଗ୍ରାମ ନ ପାଇଲାଯାଏ । ସେ ମାଟ୍ରିକ ପାସ୍‍ କରି କଲେଜରେ ନାମ ଲେଖାଇଥିଲା, ଏଇ ସମୟରେ ବାପା ମରିଗଲେ । ଫେଲ ହେଲା, ଆଉ ପଢ଼ିଲା ନାହିଁ, ମନେ କଲା ପଢ଼ି ଲାଭ ବା କ’ଣ ? ସେ ଦେଖୁଛି ତ ତାଙ୍କ ସିରସ୍ତାରେ ବି.ଏ., ଏମ୍.ଏ. ନୌକରି ପାଇଁ ଗୋଡ଼ ଭାଙ୍ଗି ଆସି ଠିଆ ହେଉଛନ୍ତି । ଜ୍ଞାନ-ଆହରଣର-ପଣ୍ଡ-ଶ୍ରମ ତେଣୁ ସେ କରନ୍ତା ବା କାହିଁକି ?

 

ଯେତେବେଳେ ଯାହା ବାସନା ଓ ଯେତେବେଳେ ଯାହା ଦରକାର ତାହା ବରାବର ପାଇ ଆସିଥିବାରୁ ବିଜୟ ଜୀବନଟାକୁଇ ଭାବୁଥିଲା ଗୋଟାଏ ଭଣ୍ଡାରଘର ଯେଉଁଠୁଁ ସେ ହାତବଢ଼େଇ ଆଞ୍ଜୁଳା ଭର୍ତ୍ତିକରି କେବଳ ଘିନିଆଣିବ ଭୋଗ ଓ ସୁଖ । ତା’ର ସବୁ ପ୍ରବୃତ୍ତିମାନଙ୍କ ଭିତରେ ପ୍ରଧାନତମ ପ୍ରବୃତ୍ତି ହୋଇ ଉଠିଲା ସଂଗ୍ରହ ଓ ଅଧିକାର । ଘଡ଼ି, ମୋଟର, ପୋଷାକ, ଖାଦ୍ୟ, ନାରୀ, ଯେତେବେଳେ ଯାହା ଇଚ୍ଛା ହେଲା, ସେ ତାହା ଆଣିବଇ ଆଣିବ, ପାଇବଇ ପାଇବ । ମନ ଯାହା ଚାହୁଛି ତାହାର ଅୟୋଜନ ଓ ଅଧିକାର ଛଡ଼ା ଜୀବନରେ ଅନ୍ୟ କିଛି କର୍ତ୍ତବ୍ୟ ବା ସମସ୍ୟା ଯେ ଅଛି ତାହା ତାକୁ ଜଣା ନ ଥିଲା ବା ସେପ୍ରତି ସେ ଖାତିରଇ କରୁ ନ ଥିଲା । ତା’ ରୁମରେ ଆମେ ଦି’ଚାରିଟା ସୁନ୍ଦର ଉଚ୍ଚ ଦରର ଛବି ଦେଖିପାରିବା । ହୁଏତ ଆମେ ଭାବିବା ଯେ ବିଜୟର କଳାଜ୍ଞାନ ଅତି ଉଚ୍ଚ ଦରର, କିନ୍ତୁ ତାହା ଭ୍ରାନ୍ତ ଧାରଣା । ବି. ବର୍ମାଙ୍କର ଏକ ମୌଳିକ ଓ ପିକାସୋର ଏକ ପ୍ରିଣ୍ଟ୍‍ର ଉପରେ ଓ ତଳେ ସିନେମା ଷ୍ଟାର୍‍ମାନଙ୍କର ଅର୍ଦ୍ଧ-ନଗ୍ନ ଫଟୋ ଓ ଶସ୍ତା କାଲେଣ୍ଡରମାନଙ୍କର ଗାଢ଼ ରଙ୍ଗବୋଳା ଇତର ଛବି ଦେଖିଲେ, ଯେ କୌଣସି ସମଜଦାର କହିବ ଯେ ଲୋକଟାର ରୁଚି ବୋଲି କୌଣସି କଥାଇ ନାହିଁ । ଅସଲ କଥା ହେଉଛି ଏଇ ଯେ ପିକାସୋ କିଏ, ବିଜୟର ମଗଜକୁ ଛେଚିଲେ ମଧ୍ୟ ଜଣା ପଡ଼ିବ ନାହିଁ । କିନ୍ତୁ କଲିକତା ବା ବମ୍ବେ ବା କଟକରେ କୌଣସି ବନ୍ଧୁ ବା ଗଣ୍ୟମାନ୍ୟ ଭଦ୍ରଲୋକଙ୍କ ଘରେ ଏଇପରି ଛବି ଟଙ୍ଗା ହୋଇଥିବାର, ସେ ହୁଏତ ଦେଖିଛି । ତା’ର ଧାରଣା ହୋଇଯାଇଛି ଯେ ଏ’ଟା ବଡ଼ଲୋକିର ଗୋଟାଏ ଚିହ୍ନ । ତେବେ ତା’ର ମଧ୍ୟ ଏଇପରି ଗୋଟାଏ ଯୋଡ଼ାଏ ଥିବା ଦରକାର । ତା’ ରକ୍ତରେ ବହୁ ପୁରୁଷର ସେଇ ସଂଗ୍ରହ ଓ ଅଧିକାର କରିବାର ସହଜାତ ଦୁର୍ବାର ଲାଳସ । କାନୁନଗୋମାନେ କେଉଁ ପୁରୁଷରେ ହେଲେ କେବେ କାହାକୁ ହାତ ଖୋଲି, ମନ ଖୋଲି, ଜାଣିଲାଭଳି କିଛି ଦାନ କରିଥିବା ଜଣାଯାଇ ନାହିଁ । ପୁରୁଷ ପୁରୁଷ ଧରି କେବଳ ଚାଲି ଆସିଛି ସଞ୍ଚୟ । ସେଇ ମଉରୁସୀ ପ୍ରବୃତ୍ତି ଦେଇ ନିୟତି ଯେପରି ବ୍ୟୟର ଦ୍ୱାର ଖୋଲି ଦେଉଛି ବିଜୟପ୍ରସାଦର ଜୀବନରେ । କାରଣ ଏପରି କୌଣସି ଦିନ ବା ସପ୍ତାହ ଯାଏନା ଯେବେ ବିଜୟବାବୁ ଗୋଟାଏ ନା ଗୋଟାଏ କିଛି ନୂଆ ଦାମିକା ଜିନିଷ ନ କିଣନ୍ତି ବା ବମ୍ବେ, କଲିକତା ଅଭିଯାନ ଆରମ୍ଭ କରି ବ୍ୟୟର ଗୋଟାଏ ସିଧା ସୁବିଧା ବାଟ ଖୋଲି ନ ଦିଅନ୍ତି ।

 

ବିଜୟ ପିଲାଦିନେ ଦେଖିବାକୁ ବେଶ୍ ସୁନ୍ଦର ଥିଲା । କିନ୍ତୁ ଏଇ କେତେଟା ବର୍ଷରେ ତା’ର ଚେହେରାର ଢେର ପରିବର୍ତ୍ତନ ଘଟିଯାଇଛି । ଗାଲ ଫୁଲି ଯାଇଛି କ୍ରମେ, କିନ୍ତୁ ହୋଇ ଆସୁଛି ନିଷ୍ପ୍ରଭ । ମୁଣ୍ଡର ସାମ୍ନାରୁ ବାଳଗୁଡ଼ାକ ଆସ୍ତେ ଆସ୍ତେ ଉପରକୁ ଉଠି ଉଠି ଅକାଳ ଇନ୍ଦ୍ରଲୁପ୍ତର ଆୟୋଜନ କଲେଣି । ସେ ଅସମ୍ଭବ ରକମର ହୋଇ ଆସୁଛି ମୋଟା । ଆଖିରେ ଦେଲାଣି ଚଷମା । ମୁହଁରୁ ଦିନ ରାତି ସିଗାରେଟ ଧୂଆଁ ଛାଡ଼ ନାହିଁ, ଯଦିଓ ତାହା ଦାମିକା ସିଗାରେଟ ଥିବାରୁ ବିଜୟବାବୁଙ୍କ ବସିବା ଉଠିବା ସ୍ଥାନ ଏକ କଡ଼ା ସୁଗନ୍ଧିରେ ଭରି ଉଠେ । ତା’ଛଡ଼ା ତାଙ୍କ ପୋଷାକ ଓ ରୁମାଲରେ ଦାମିକା ସେଣ୍ଟର ବାସନା ତ ଥାଏ । ବିଜୟ ନିଜକୁ ସୁନ୍ଦର ବା ତା’ର ବିପରୀତ, ତା’ର ଆଲୋଚନା କରିବାର କୌଣସି ଆବଶ୍ୟକତା କେବେ ହେଲେ ଅନୁଭବ କରେ ନାହିଁ । କାରଣ ବମ୍ବେ ଓ କଲିକତାରେ ତାହାର ଯାହା ଅଭିଜ୍ଞତା, ସେ ବହୁ ଦିନୁ ଜାଣିରଖିଛି ଯେ ଗୋଟାଏ ସ୍ତ୍ରୀକି ପାଇବାଭଳି ସାମାନ୍ୟତମ ସମସ୍ୟା ଜୀବନରେ ଦ୍ଵିତୀୟ ନାହିଁ–ହାଟରେ ପଚା ଚିଙ୍ଗୁଡ଼ି ପାଇବାଠାରୁ ମଧ୍ୟ ସହଜତର । ସେଥିପାଇଁ ମଥା ଘୂରେଇବା କେବଳ ଓଲାମି, କେବଳ ମୂର୍ଖତା ।

 

ଏଇ ସ୍ଵୟଂ-ସମ୍ପୂର୍ଣ୍ଣ ଆରିଷ୍ଟୋକ୍ରାଟ୍‍ ସହିତ ନିମ୍ନମଧ୍ୟବିତ୍ତ ଉଦୟନ ପରିବାରର ପରିଚୟର କୌଣସି ସମ୍ଭାବନା ନ ଥିଲା, ଯଦି ଉଦୟନର ପିତା ଶିକ୍ଷକତା କରୁ ନ ଥାନ୍ତେ । ଉଦୟନର ପିତା ମଥୁରାମୋହନ କଟକର କୌଣସି ଏକ ହାଇସ୍କୁଲର ବହୁ ଦିନ ଧରି ସୁଦକ୍ଷ ହେଡ଼ମାଷ୍ଟର ଥିଲେ । ଚଗଲା ପିଲାଙ୍କୁ ବାଟକୁ ଅଣେଇବାରେ ତାଙ୍କର ଏକ ସୁନାମ ଥିଲା । ବିଜୟ ଯୋଗୁ ବହୁଶିକ୍ଷକଙ୍କୁ ଛାଡ଼ପତ୍ର ଦେବାର ତିକ୍ତ ଅଭିଜ୍ଞତା ପରେ ଗୋପୀବାବୁ ଶେଷରେ ସ୍ଥିର କଲେ ବିଜୟକୁ ମଥୁରମୋହନଙ୍କ ଜିମାରେ ଛାଡ଼ିବେ । ବିଜୟ ଓ ଉଦୟନ ପ୍ରାୟ ସମବୟସୀ । ଉଦୟନର ମା ଭାରି ସ୍ନେହମୟୀ । ତାଙ୍କର ଦୁଇଟି କନ୍ୟା ମଲ୍ଲିକା ଓ ଯୂଥିକା ଦୁଇଟି ସୁନ୍ଦର ଫୁଲ ପରି ଫୁଟି ଆସୁଥାନ୍ତି । ଏଇସବୁ ଆକର୍ଷଣ ଫଳରେ, ହୁଏତ, ବିଜୟର ଛାତ୍ରତ୍ଵର ନୌକା ଶେଷରେ ଏଇ ଘାଟରେ ବନ୍ଧା ହେଲା ଜ୍ଞାନର ଶେଷ ସଉଦା କରିବା ପାଇଁ । ମଥୁରାବାବୁଙ୍କୁ ଗୋପୀବାବୁ ପାରିଶ୍ରମିକ ଦିଗରୁ ମଧ୍ୟ ସନ୍ତୋଷ କରି ପାରିଥିଲେ । ଏଇପରି ଭାବରେ ଦୁଇ ପରିବାର ପରସ୍ପରକୁ ଜାଣିଲେ, ଏବଂ କ୍ରମେ ବିଜୟର ପାଠପଢ଼ାରେ ଚଳନୀୟ ଉନ୍ନତି ଦେଖି ବିଜୟର ଓ ଉଦୟନର ମା’ମାନଙ୍କ ଭିତରେ ଏକ ସମାଜିକ ସଖ୍ୟ ଗଢ଼ି ଉଠିଲା । ବିଜୟ ମଥୁରାବାବୁଙ୍କ ପରିବାରର ଜଣେ ହେଲା ପରି, ତେଣେ ଉଦୟନ, ମଲ୍ଲିକା ଓ ଯୂଥିକା ଗୋପୀବାବୁଙ୍କ ପରିବାରର ଲୋକ ହୋଇଉଠିଲେ । ଦି ମା’ଯାକ ପ୍ରଥମେ ସଙ୍ଗାତୁଣୀ ଏବଂ କ୍ରମେ ଥଟ୍ଟାରେ ଥଟ୍ଟାରେ ସମୁନ୍ଧୁଣୀ ବୋଲି ଡକାଡକି ହେଉ ହେଉ ଗୋପୀବାବୁଙ୍କ ମୃତ୍ୟୁ ପରଠାରୁ ବିଜୟ ଓ ମଲ୍ଲିକାର ବିବାହଟା ଯେପରି ବିଧିନର୍ଦ୍ଦିଷ୍ଟ ବୋଲି ଧରି ନିଆଗଲା ।

 

ମଲ୍ଲିକା ଏଣେ ବଢ଼ି ଉଠୁଥିଲା ଏକ କୁସୁମିତ ତାରୁଣ୍ୟ-ଲତା ପରି । ଭଲ ପଢ଼େ, ସୁନ୍ଦର ବୀଣାବାଦନ କରେ, ଅତ୍ୟନ୍ତ ସୁଶୀଳ, ଏଣେ ଦେଖିବାକୁ ସୁନ୍ଦର । ଘରେ ବାହାରେ ସ୍କୁଲରେ ମଲ୍ଲିକା ଯେଉଁଠିକି ଯାଏ, ଯେଉଁଠି ରହେ, ସେ ହୋଇଉଠେ ଦର୍ଶନ ଓ ଅକର୍ଷଣର କେନ୍ଦ୍ର । ବିଜୟପ୍ରସାଦର କୌଣସି ଆବଶ୍ୟକତା ନ ଥିଲା, ମଲ୍ଲିକାର ନାରୀତ୍ଵର ଏଇସବୁ ଲୋଭନୀୟ ଗୁଣାବଳି ପାଇଁ । ସେ କେବେ ଚିନ୍ତା ଦେଇ ନ ଥିଲା ହୁଏତ ମଲ୍ଲିକା ସଙ୍ଗୀତ ଜାଣେ କି ନା, ବା ଉତ୍ତମ ଭାବରେ ରାନ୍ଧି ଜାଣେ କି ନା । ବିବାହ ବିଷୟରେ ବି ସେ ଥିଲା ଏକ ପ୍ରକାର ନିସ୍ପୃହ । କାରଣ ସେ ଦିଗରେ କାମନା ଚିରତାର୍ଥ ପାଇଁ ଆର୍ଥିକ ପ୍ରାଚୁର୍ଯ୍ୟ ଫଳରେ ତା’ର କୌଣସି ଅସୁବିଧା କେବେ ହୋଇଛି ବା ହେବ ବୋଲି ସେ ମନେକରେ ନା; କିନ୍ତୁ ତଥାପି ସେ ଚାହେଁ ମଲ୍ଲିକାକୁ; କାରଣ ସେ ସୁନ୍ଦର, ସମସ୍ତଙ୍କର ଆଦର ଓ ଆକର୍ଷଣର କେନ୍ଦ୍ର । ଗୋଟିଏ ସୁନ୍ଦର ବସ୍ତୁର ପୂରା ମାଲିକ ହେବାର ଅହମିକା ହିଁ ସେ ଭୋଗ କରିବାକୁ ଚାହେଁ । ବହୁ ପୁରୁଷର ସେଇ ସହଜାତ ଅଧିକାର-ପ୍ରବୃତ୍ତି ।

 

ବହୁ ବର୍ଷ ଧରି ଦୈନନ୍ଦିନ ଘନିଷ୍ଠ ପରିଚୟ ଫଳରେ ମଲ୍ଲିକା ବିଜୟକୁ ବିଜୟବାବୁ କହିବା ପରିବର୍ତ୍ତରେ ବିଜୟ ଭାଇ କହିଆସିଛି । ବଡ଼ ଓ ସମବୟସୀମାନଙ୍କର ଦୀର୍ଘକାଳର ଥଟ୍ଟା ତାମସା ଫଳରେ ସେ ହୁଏତ ଧରିନେଲାଣି ଯେ ସେ ବିଜୟର ସ୍ତ୍ରୀ ହେବ ଦିନେ । ସେ ଏତେ ସୁଶୀଳ ଯେ ବାପା ବୋଉ ଯାହା ଠିକ୍‍ କରି ଦେଇଛନ୍ତି, ତାହାର ଅନ୍ୟଥା ଭାବିବାର ମାନସିକ ଅଭ୍ୟାସଇଁ ତା’ର ନ ଥିଲା । ସେ ଧରି ନେଇଥିଲା ଯେ ଏହାହିଁ ତା’ର ବିଧିନିର୍ଦ୍ଧିଷ୍ଟ ଜୀବନ । ସେ କୈଶୋର ପାରହେଲାଣି ବହୁଦିନୁ କିନ୍ତୁ ସମସ୍ତଙ୍କର ସ୍ନେହ ଓ ଶ୍ରଦ୍ଧା ତଳେ ବଢ଼ି ଆସିଥିବା ଫଳରେ ଯୌବନର ସମସ୍ୟାଗୁଡ଼ିକୁ ସେଇ କୈଶୋରର ଚଶମା ଦେଇ ଏପର୍ଯ୍ୟନ୍ତ ଦେଖୁଛି । ସେ କାବ୍ୟକବିତା ପଢ଼େ, ପଢ଼େ ଉପନ୍ୟାସ । ପୁସ୍ତକରେ ଲେଖାଥିବା ପ୍ରଣୟୀ, ପ୍ରଣୟିନୀଙ୍କ ବିରହ, ବିଚ୍ଛେଦ, ଦୁଃଖ ବା ମୃତ୍ୟୁରେ ସେ ନୀରବରେ ବହୁବାର ଅଶ୍ରୁ ତ୍ୟାଗ କଲାଣି । ସେ ନିଜ ଜୀବନରେ ସେଇ ଅଭିଜ୍ଞତାଗୁଡ଼ାକୁ ପୂରାଇବାକୁ ଚେଷ୍ଟାକରେ, ମନେକରେ ନିଜକୁ ଶକୁନ୍ତଳା ବା ଦମୟନ୍ତୀ; କିନ୍ତୁ ଥୋଡ଼ା ଦୂର କଳ୍ପନାରେ ଯାଉ ଯାଉ ହଠାତ୍ ବନ୍ଦ ହୋଇଯାଏ; କାରଣ ବଜୟକୁ ସେ ବେଶି ସମୟ ଧରି ସୁଭଗ, ସୁପୁରୁଷ, ପ୍ରେମବାନ ଦୁଷ୍ମନ୍ତ ବା ନଳରାଜା ବୋଲି ଧାରଣା କରିପାରେନା । ସେ ହଠାତ୍‍ ତା’ର ସ୍ଵର୍ଗରୁ ଖସିପଡ଼େ; କିନ୍ତୁ ପରମୁହୂର୍ତ୍ତରେ ଛିଣ୍ଡା ସୂତାକୁ ପୁଣି ଯୋଡ଼ିଆଣେ ମନେ ମନେ । କ୍ଷତିପୂରଣର ମଧୁର ଅହମିକା ଦେଇ ସେ ବିଧାତାକୁ, ମନେ ମନେ ପ୍ରଣାମ କରି କରି କହେ, “ହେ ଦିଅଁ, କୃପାକର । ବିଜୟ ଭାଇକି ମୁଁ ଯିମିତି ଗଢ଼ିପାରିବି ଦୁଷ୍ମନ୍ତ ବା ନଳ କରି । ସେଇ ହେବ ମୋର ଜନ୍ମ ହେବାର ସାର୍ଥକତା ।

 

ବିଜୟ ଜାଣିଲା ଯେ ମଲ୍ଲିକା ତା’ର ନିଜର ଜିନିଷ, ଏକାନ୍ତ ନିଜର; ଆଉ କା’ର ନୁହେଁ । ବିଜୟ ପରିବାରର ସାମ୍ପତ୍ତିକ ବିରାଟତା ଓ ପ୍ରାଚୁର୍ଯ୍ୟ ଆଗରେ ଉଦୟନ ପ୍ରଭୃତିଙ୍କର ଅଦ୍ୟଭକ୍ଷ୍ୟ ଜୀବନର ଏକ ଗଭୀର ନ୍ୟୁନାନୁଭୂତି ତା’ର ଏଇ ଅଧିକାର–ଅହମିକାକୁ ସାହାଯ୍ୟ କରୁଥିଲା । ବସ୍ତୁତଃ ମଲ୍ଲିକ ବର୍ତ୍ତମାନ ଯେଉଁସବୁ ସୁନ୍ଦର ସୁନ୍ଦର ଶାଢ଼ି ପିନ୍ଧେ ଓ ଗହଣା ନାଏ, ସେଥିରେ ଅଧିକାଂଶଇ ବିଜୟର ଉପହାର–ମୂଲ୍ୟ ବହୁତ ଓ ଡିଜାଇନ୍‍ ବୈଶିଷ୍ଟ୍ୟମୟ । ମଝିରେ ମଝିରେ ମଲ୍ଲିକାର ଜନ୍ମଦିନ, ଦଶହରା, କୁମାରପୂର୍ଣ୍ଣିମା ପ୍ରଭୃତି ନାନା ଉପଲକ୍ଷରେ ବିଜୟ ଆଣିଦିଏ ଉପହାର; ଉଦୟନ ପରିବାରରେ ତାକୁ ପ୍ରତ୍ୟାଖ୍ୟାନ କରିବାର ସାହସ ଅଣ୍ଟେନା; ରହିଯାଏ ବିଜୟ ନିମନ୍ତ୍ରିତ ହୋଇ ଦିନଯାକ ଭୋଜନ ବିଳାସରେ ଯୋଗଦେବା ପାଇଁ, ଉଦୟନ ପରିବାରର କ୍ଷୀଣ ପ୍ରତିଦାନ ସ୍ଵରୂପ । ଉଦୟନ କାମରେ ବାହାରକୁ ଚାଲିଯାଏ, ମା ଓ ଯୂଥିକା ରୋଷାଇଘରେ ବ୍ୟସ୍ତ ରହନ୍ତି । ତେଣୁ ଏଇସବୁ ଉତ୍ସବଦିନମାନଙ୍କରେ ବିଜୟ ମଲ୍ଲିକାକୁ ଏକା ପାଇବାର ଏକ ବିଶେଷ ସୁବିଧା ମଧ୍ୟ ପାଇଥାଏ । ବିଜୟ ତା’ର କାମନାର ଅଧିକାର ଦାବି ହୁଏତ କରେ । କାରଣ ମଲ୍ଲିକା ସଙ୍ଗେ ସଙ୍ଗୀତ, ସାହିତ୍ୟ, ଶିକ୍ଷା ନେଇ ଆଳାପ ସମ୍ଭାଷଣ କରିବାର ଅନ୍ୟ କୌଣସି ମିଳନସ୍ତର ବିଜୟର ମନୋଜଗତରେ ଅଦୌ ନ ଥିଲା । ସୁଶୀଳା ମଲ୍ଲିକାର ନିରୀହ ଅନୁଭବ ଏଇ ଥିଲା ଯେ, ତା’ର ଦେହଟା ବିଜୟ ଭାଇରଇ । କିନ୍ତୁ ସେଣେ ମା’ ଭାଇର ଉପସ୍ଥିତି ତାକୁ ନାରୀର ସହଜାତ ସକୋଚର ରକ୍ଷାକବଚ ଯୋଗାଇଦିଏ । ନିରୀହା ବାଳିକା ବିରାଟ ଦୈତ୍ୟ ବିଜୟର ବାହୁବନ୍ଧନକୁ “ବିଜୟ ଭାଇ, ଛିଛି, ମତେ ଛାଡ଼ିଦିଅ” କହି କହି ଠେଲି ବାହାରିଯାଏ । ବିଜୟର ପ୍ରାଥମିକ ସ୍ନେହାଦରକୁ ମାନିନେବା ଥିଲା ମଲ୍ଲିକାର ଅପରିଣତ ମନ ଉପରେ ସାମାଜିକ ସଂସ୍କାରର ଫଳ; କିନ୍ତୁ ତା’ର ପବିତ୍ର, ଅନାଘ୍ରାତ, ଅସ୍ପୃଷ୍ଟ ନାରୀତ୍ଵ-ପୁଷ୍ପକୁ ଏତେ ସହଜରେ ମୁହୂର୍ତ୍ତର ପଣ୍ୟ ନ କରି ଦେବାର ପ୍ରଚେଷ୍ଟା ଥିଲା ତା’ର ସହଜାତ ନାରୀ ପ୍ରବୃତ୍ତି ।

 

ପ୍ରାକ୍‍-ଯୌବନରେ ମଲ୍ଲିକା ନିଜ ଅଙ୍ଗପ୍ରତ୍ୟଙ୍ଗରେ ଯୌବନର ପରିବର୍ତ୍ତନସବୁ ଲକ୍ଷ୍ୟ କରି ପ୍ରଥମେ ଆତଙ୍କିତ ହୋଇ ଉଠିଥିଲା । କିନ୍ତୁ କ୍ରମେ ଯେତେବେଳେ ମୁଖ, ବକ୍ଷ, ବାହୁ ଓ ପାଦ ଅଦୃଶ୍ୟ ଶିଳ୍ପୀର ନିହଣ ଓ ତୂଳିକାରେ ନିପୁଣ, ନିଖୁଣ ସୌଷ୍ଠବରେ ଗଠିତ ଓ ଚିତ୍ରିତ ହୋଇଆସିଲା, ସେ ନିଜେ ସେଇ ଅଭୂତପୂର୍ବ ସୁଷମାରେ ମୁଗ୍ଧ ନ ହେଲା ବୋଲି କହିଲେ ସତ୍ୟର ଅପଳାପ ଓ ଅପମାନ ହେବ । ଅନ୍ୟମାନଙ୍କ ଅଗୋଚରରେ ସେ ବହୁ ମୁହୂର୍ତ୍ତ ଧରି ବଡ଼ ଅଇନାରେ ନିଜ ବଦନର ସଜଫୁଟା ଅନୁପମ ବର୍ଣ୍ଣ ଓ ଗଠନକୁ ଅନାଇ ରହୁଥିଲା, ହସୁଥିଲା ମୃଦୁ ମୃଦୁ, ଆଖିରେ କଜ୍ଜଳଗାର ଓ କପାଳରେ ସିନ୍ଦୂର ବିନ୍ଦୁ ଦେଇ ଦେଖୁଥିଲା ମୁଗ୍ଧ ହୋଇ ପ୍ରକୃତି ଉପରେ ମଧ୍ୟ ମନୁଷ୍ୟର କାରୁ କି ମାୟା ସୃଷ୍ଟି କରିପାରେ । ଦେଖି ନେଉଥିଲା କର୍ଣ୍ଣଯୁଗଳର ଦୋଳାୟମାନ ଅବତସ ପ୍ରତି ମୁହୂର୍ତ୍ତରେ କିପରି ତା’ର ସ୍ଵର୍ଣ୍ଣ-ଗୌର, ପିଚ୍ଛିଳ ଗଣ୍ଡ ଯୁଗଳର ସ୍ପର୍ଶ ପାଇଁ ଯେପରି ମୁହୁର୍ମୁହୁଃ ସ୍ପନ୍ଦିତ ହୋଇ ଉଠୁଛନ୍ତି, ଦେଖୁଥିଲା ସେ କର୍ଣ୍ଣଯୁଗଳର ଧାରେ ଧାରେ ତା’ର କୁଞ୍ଚିତ ଚୂର୍ଣ୍ଣ କୁନ୍ତଳର ଅଯତ୍ନ-ସୃଷ୍ଟ ଶୋଭା-ରଚନା । ସେ ନିଜର ନୂତନ ଲବ୍ଧ ସମ୍ପଦରେ ନିଜେଇ ମୁଗ୍ଧ ହେଉଥିଲା । ତାହାର ଉପଯୋଗ କ’ଣ, କିଏ ତାକୁ ଭୋଗ କରିବ, ଏସବୁ ପ୍ରଶ୍ନଇ ତା’ ମନରେ ଉଠୁ ନ ଥାଏ । ସେ ମଧ୍ୟ ଜାଣି ନ ଥିଲା କି ପ୍ରକାରେ ଏ ସବୁ କାହାର ଭୋଗ୍ୟ ହୋଇପାରେ । କ୍ରମେ ନିଜ ରୂପୋଦ୍ୟାନରେ ନିଜେ ମୁଗ୍ଧହୋଇ ବୁଲିବାର ପର୍ବ ମଧ୍ୟ ଶେଷ ହୋଇଆସିଲା ତା’ ଜୀବନରେ, ଯେତେବେଳେ ଅନ୍ୟ ସମସ୍ତଙ୍କ କଥା, ଚାହାଣୀ ଓ କାମରୁ ସେ ନିଶ୍ଚିତ ଜାଣିଲା ଯେ ସେ ସୁନ୍ଦରୀ । କ୍ରମେ ତା’ର ସୌନ୍ଦର୍ଯ୍ୟ ତା’ର ଦୈନନ୍ଦିନ ପୋଷାକ ଓ ଖାଦ୍ୟପେୟ ପରି ଏକ ଧରାବନ୍ଧାଗତ ହୋଇଉଠିଲାଣି ତା’ପ୍ରତି । ବର୍ତ୍ତମାନ ସେ ସେଇ ସ୍ତରରେ ଆସି ପହଞ୍ଚିଛି ହୁଏତ, ଯେତେବେଳେ ତରୁଣମନ ଭିତରେ ଆତ୍ମାର ଗଭୀର ସ୍ଵପ୍ନସବୁ ଗଜାହୋଇ ବାହାରେ ।

 

ମଲ୍ଲିକାର ପିତା ମଥୁରାମୋହନ ଏତେ ଶୀଘ୍ର ଚାଲିଯିବେ ବୋଲି ମଧ୍ୟ କେହି କଳ୍ପନା କରି ନ ଥିଲେ । ସେ ଜୀବନକୁ ଉତ୍ତମ ରୂପେ ବଞ୍ଚିବାରେ ବିଶ୍ଵାସ କରିଥିଲେ । ପ୍ରତିଦିନ ବ୍ୟାୟାମ କରୁଥିଲେ, ଭଲ ଖାଉଥିଲେ, ଭଲ ପିନ୍ଧୁଥିଲେ । ତାଙ୍କ ଜୀବନ ଥିଲା ଉତ୍ତମ ଅଭ୍ୟାସଗୁଡ଼ିକର ସମାହାର ଯେପରି । ବୟସ ତୁଳନାରେ ସେ ଦେଖାଯାଉଥିଲେ ବି ଅନେକ ତରୁଣ । ପିଲାମାନଙ୍କୁ ବଢ଼ାଇଥିଲେ ସମ୍ପୂର୍ଣ୍ଣ ଆଧୁନିକ ଧରଣରେ । ଝିଅମାନଙ୍କଠି ପର୍ଦ୍ଦାର ମାଧ୍ୟଯୁଗିତା ଆଦୌ ନ ଥିଲା, ଏପରି କି ତାଙ୍କ ସ୍ତ୍ରୀ ମାଳତୀଙ୍କଠି ମଧ୍ୟ । ସେ ମାଳତୀଙ୍କୁ ଦୂର ମଫସଲରୁ ଆଣି ଟାଉନ୍‍ର ଉପଯୋଗୀ କରି ଏକପ୍ରକାର ନିଜେ ଗଢ଼ିଥିଲେ । ପୁଅମାନଙ୍କପରି ଝିଅମାନେ ସବୁକଥା ପଢ଼ିବେ, ଶିଖିବେ, କରିବେ, ମଥୁରାବାବୁଙ୍କ ଏ କଳ୍ପନାରେ ମାଳତୀ ନିଜର ପ୍ରାକ୍‍ବିବାହ ଓ ବିବାହୋତ୍ତର ଜୀବନ ତୁଳନା କରି ପ୍ରତିବାଦ କରିବାକୁ ସାହସ କରୁ ନ ଥିଲେ ।

 

ବାହାରକୁ ଦେଖିଲାବେଳକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଥିଲେ ମଧ୍ୟ ମଥୁରାବାବୁ ହଠାତ୍‍ ହୃଦ୍‍ଯନ୍ତ୍ରଣା ବୋଧକରି ଛଅ ମାସ ଭିତରେ ଯେତେବେଳେ ଚାଲିଗଲେ, ମାଳତୀ ଦେବୀ କ’ଣ କରିବେ କିଛି ଭାବିପାରିଲେନି । ମାଷ୍ଟରୀ ଚାକିରିରେ ସଞ୍ଚୟ ବା କେତେ ? ମଥୁରାମୋହନ ଟଙ୍କାର ସଦ୍‍ବ୍ୟୟହିଁ ତା’ର ଏକମାତ୍ର ଉପଯୋଗିତା ମନେକରି ସବୁ ବ୍ୟୟ କରି ଦେଉଥିଲେ । ସେ ଭବିଷ୍ୟତଟାକୁ ଚାବି ପକାଇ ରଖି ଦେଇଥିଲେ ଅଦୃଷ୍ଟ ଓ ଭଗବାନଙ୍କ ଜଏଣ୍ଟ ସିଲ୍‍ଦିଆ ଏକ କାଳ୍ପନିକ ସିନ୍ଧୁକରେ, ଯାହାକୁ ସେ ଖୋଲିବାକୁ ଆଦୌ ଚାହୁଁ ନ ଥିଲେ । ସେ ଭାବୁଥିଲେ ବର୍ତ୍ତମାନଟା ହିଁ ପ୍ରକୃତ ଜୀବନ, ପ୍ରକୃତ ଚିନ୍ତାର ବିଷୟ । ମଲା ପରେ ସ୍କୁଲର ମ୍ୟାନେଜମେଣ୍ଟ ତାଙ୍କର ପ୍ରଭିଡେଣ୍ଟ ଫଣ୍ଡ ପାଞ୍ଚ ଛ’ ହଜାର ଟଙ୍କା ଦିନେ ଆଣି ମାଳତୀଙ୍କ ହାତରେ ଦେଇଗଲେ । ମାଳତୀ ତାକୁ ନୀରବ ନିଶ୍ଵାସରେ ଗ୍ରହଣ କଲେ । କିନ୍ତୁ ଯେଉଁଦିନ ମଥୁରାବାବୁଙ୍କ ବର୍ତ୍ତମାନ ଓ ପୂର୍ବତନ ଛାତ୍ରମାନେ ଚାନ୍ଦା କରି ହଜାରେ ଟଙ୍କାର ଏକ ଥଳୀ ମାଳତୀଙ୍କ ନିକଟରେ ଆଣି ଥୋଇଦେଲେ, ସେଦିନ ସେ ବୁକୁ ଫଟାଇ ନ କାନ୍ଦି ରହିପାରିଲେ ନାହିଁ । ପିଲାଙ୍କର ଯେଉଁ ପ୍ରତିନିଧିସବୁ ଆସିଥିଲେ, ସେମାନଙ୍କୁ ମାଳତୀ ଉତ୍ତମ କରି ନ ଖୁଆଇ ଛାଡ଼ି ନ ଥିଲେ ।

 

ଦୂର ବାଲେଶ୍ଵର ଜିଲ୍ଲାର କୌଣସି ମଫସଲ ଗ୍ରାମରେ ମଥୁରାବାବୁଙ୍କର ପୈତୃକ ଜମିଜମା ଓ ଘର ଥିଲା । ଜଣେ ସାନ ଭାଇ ତାକୁ ଦେଖାଦେଖି କରିଥାଏ । କିନ୍ତୁ ବରାବର ଯେ କ୍ଷେତରୁ କିଛି ହେଉନି, ସବୁବେଳେ ‘ଲସ୍‍’, ମଜୁରି ଦିନକୁ ଦିନ ବଢ଼ୁଛି, ଏ ବର୍ଷ ବଳଦ ମରିଗଲେ, ଆର ବର୍ଷ ହେଲା ମରୁଡ଼ି, ଏଇପରି ନାନା ଛଳନାରେ ସେ ମଥୁରାବାବୁଙ୍କଠୁ ଓ ନୂଆବୋଉଙ୍କଠୁ ଦୁହିଁନିଏ ପାଉଣା ଏବଂ ସୁବିଧାରେ କରିନେଇଛି ନିଜର ବନ୍ଦୋବସ୍ତ । ମଥୁରାବାବୁ ବଞ୍ଚିଥିଲାବେଳେ ସେ ଫି ମାସରେ ଘିଅ ଠେକିଟାଏ, ସେରେ ଦୁଇ ସେର ମାଛ ଶୁଖୁଆ ବା ଏଇପରି ସାମାନ୍ୟ କିଛି ଭେଟି ଘେନି ଆସି କଟକରେ ହାଜର ହୁଏ, ରହେ ସପ୍ତାହ ଖଣ୍ଡେ ଏବଂ ସାଥିରେ ନିଏ ସହରର ସଭ୍ୟତାର ଉପାଦନସବୁ–ଟର୍ଚ୍ଚ, ଘଣ୍ଟା, କୁର୍ତ୍ତା, କୋଟ୍‍, ଗରମ ମସଲା । ପଚାରିଲେ ସେ କୈଫିୟତ୍‍ ଦିଏ ‘ମୁଲିଆଙ୍କୁ ପାରି ହେଉନି ନୂଆବୋହୂ । ସକାଳୁ ଆସିବାକୁ କହିଯିବେ, ଆସିବେ ଦିନ ୯ଟାକୁ । କହିଲେ ଭୁରୁଡ଼ି ମାରିବେ, କହିବେ, ଏଇ ତ ସକାଳ ! କେତେବେଳ ଇମିତି ହେଇଗଲାଣି ।’ ଏଇ ଘଣ୍ଟାଟା ପାଖରେ ରହିଲେ ଏଥର ନୂଆବୋଉ, ଶ... ଜବତ ହେବେ । ଆଉ ଶୁଣିନା କି ନୂଆବୋଉ, ଆମ ଗାଁ ପଧାନ ବାରିରୁ ଗୋଟାଏ ହେଲେ ପିଜୁଳି କି ଆମ୍ବ ଏ ବର୍ଷ ବାଦରା ଖାଇଚି, କି ଚୋରି ହୋଇଛି ? ସେ ଏସାଲେ ଟଙ୍କା ପାଁଶ ପାଇ ନ ଥିବ ତା’ତୋଟାରୁ ? ଖାସ୍ ଗୋଟେ ଟରଚ ପାଖରେ ରଖିଥିବାରୁ । ଆମ ତୋଟାଟାରେ ନିଁଘା ଦେଇଛି ଏ ସନ । ଟରଚଟାଏ ନ ହେଲେ ସବୁ ଭଣ୍ଡୁର ହେଇଯିବ ।

 

କିନ୍ତୁ ମଥୁରାବାବୁ ଚାଲିଯିବାର ଦୁଇମାସ ପରଠୁ ସାନ ଭାଇଙ୍କର ଆଉ ଦେଖାନାହିଁ । ଚିଠି ଲେଖାଗଲା, କିଛି ଚାଉଳ ଯଦି ପଠେଇପାରିବେ । ବହୁଦିନ ପର୍ଯ୍ୟନ୍ତ ଉତ୍ତରଇ ନାହିଁ । ପୁଣି ଲେଖାଗଲା, ଉତ୍ତର ଆସିଲା ଯେ ତାଙ୍କର ତ ଏବର୍ଷ ଚାଉଳ ନ କିଣିଲେ ନ ଚଳେ, ସେ ଦେବେ କୁଆଡ଼ୁ ? ବରଂ କିଛି ଟଙ୍କା ପଠେଇଲେ ଖଜଣା ଦିଆଯିବ, ଦି ବର୍ଷର ବାକି ଗଡ଼ିଲାଣି, ନ ହେଲେ ଏବର୍ଷ ଯେ ଜମି ନିଲାମ ହୋଇଯିବ ।

 

ମାଳତୀ ବହୁକାଳ ଧରି କଟକରେ ରହି ଆସିଥିଲେ । ପିଲାମାନେ ସମସ୍ତେ କଟକରେ ଜନ୍ମ । ଯେଉଁ ଛୋଟ ଘରଟିରେ ରହନ୍ତି, ମଥୁରାବାବୁ ସେତକ କରିଯାଇଥିଲେ । ଫଳରେ ମାଳତୀ ଓ ପିଲେ ମଫସଲରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲେ । ମାନସିକ ଅଭ୍ୟାସସବୁ ଏପରି ହୋଇଯାଇଥିଲା ଯେ ସେମାନେ ସହର ଛାଡ଼ି ମଫସଲରେ ଚଳିବାର କଳ୍ପନା ମଧ୍ୟ କରୁ ନ ଥିଲେ-

 

ମାଳତୀ ବାଧ୍ୟ ହୋଇ ଟାଉନରେ ପଡ଼ିରହିଲେ । ନିଜର ଗହଣା ଗାଣ୍ଠି, ପିଲାଙ୍କଠୁ ଓ ସ୍କୁଲ ମ୍ୟାନଜମେଣ୍ଟଠାରୁ ପାଇଥିବା ଟଙ୍କା ତାଙ୍କୁ ହେମତ୍‍ ଆଣିଦେଲା । ଉଦୟନ ବି.ଏ. ପାସ୍‍ କରି ଏମ.ଏ. ପଢ଼ୁଛି । ଆଉ ଗୋଟାଏ ବର୍ଷ ମୁହଁମାଡ଼ି ପଡ଼ିରହିଲେ ପୁଅ, ଘରର ଭାର କାନ୍ଧକୁ ନେଇପାରିବ । ଏହିପରି ନିଃସହାୟ ଅସ୍ଵଚ୍ଛଳ ଅନିଶ୍ଚିତ ଅବସ୍ଥା ବେଳେ ବିଜୟର ଓ ତା’ ପରିବାରର ସାମୟିକ ମହାର୍ଘ ଉପହାର ଓ ଆର୍ଥିକ ସାହାଯ୍ୟ ଏବଂ ଝିଅର ନିଶ୍ଚିତ ଭବିଷ୍ୟତ ସେଇ ପରିବାର ଓ ମଲ୍ଲିକା ଉପରେ କି ଚାରିତ୍ରିକ ପ୍ରଭାବ ପକେଇପାରେ, ତାହା ସହଜରେ ଅନୁମେୟ । ସମଗ୍ର ପରିବାରର ନିଃସହାୟତା ହିଁ ଫୁଟିଉଠିଥିଲା ବିଜୟ, ଶ୍ୟାମା ଓ ମଲ୍ଲିକାକୁ ଶ୍ରୀକଣ୍ଠ ନିକଟରୁ ସେଦିନ ବଳେ ଓଟାରି ଆଣିବାରେ ।

 

(୪)

 

ଧବଳେଶ୍ଵର ପଠାଟି ଦୁଇ ଭାଗରେ ବିଭକ୍ତ । ଗୋଟିଏ ଅଂଶରେ ମନ୍ଦିର ଓ ତତ୍‍ସଲଗ୍ନ ଧର୍ମଶାଳା, ରୋଷାଇଶାଳା, ଭଣ୍ଡାର ଇତ୍ୟାଦି । ତା’ପରେ କିଛି ଦୂର ଖୋଲା ଜାଗା । ତା’ପରେ କେବଳ ଜଙ୍ଗଲ । ଏଇ ଜଙ୍ଗଲର ଏକ ଖୋଲା ସ୍ଥାନରେ ପିକ୍‍ନିକ୍‍ର ଆୟୋଜନ ହୋଇଛି । ମଲ୍ଲିକାର ମା ରନ୍ଧାବଢ଼ାର ତତ୍ତ୍ଵ ନେଉଛନ୍ତି, ମାତ୍ର ପ୍ରକୃତ ରନ୍ଧନରେ ସାଥିରେ ଆସିଥିବା ବ୍ରାହ୍ମଣ ପୂଜାରୀହିଁ ବ୍ୟସ୍ତ । ଦୁଇଜଣ ଭୃତ୍ୟ ମସଲାବଟା, ପରିବା କାଟିବା, ପାଣି ଆଣିବା, ପାନଭଙ୍ଗାରେ ବ୍ୟସ୍ତ । ମଲ୍ଲିକାର ମା ଅତିରକ୍ତ ପାନାସକ୍ତ । ତାମ୍ବୁଳ ଖଣ୍ଡିଏ କଳରେ ଥିଲେ ତାଙ୍କୁ ସବୁ କାମ ପାଇଁ ପ୍ରେରଣାର ଅଭାବ ନ ଥାଏ । ମଲ୍ଲିକା ଓ ଶ୍ୟାମା ଫେରିଆସିଲା ବେଳକୁ ସେ ଖଣ୍ଡିଏ ପାନ ପାଟିରେ ଭର୍ତ୍ତି କରି କରି ଚୁଲୀରେ ଚଢ଼ିଥିବା କୌଣସି ବ୍ୟଞ୍ଜନ ଦେଖିବାକୁ ଯାଉଥିଲେ । ଏଇ ସମୟରେ ମଲ୍ଲିକା ଆସି ପଚାରିଲା, “ମା’, ଡାକୁଥିଲ ଆମକୁ ? କ’ଣ ଦରକାର ?” ମା କହିଲେ “ନା ତ କିଛି ଦରକାର ନାହିଁ । ଖାଲି ପଚାରୁଥିଲି ତୁ କୁଆଡ଼େ ଗଲୁ ବୋଲି ।’’ ମଲ୍ଲିକା ପୁଣି ପଚାରିଲା, “ମା, ମୁଁ କିଛି କାମ କରିଦେବି ।’’ ମା ବ୍ୟଞ୍ଜନରେ ଚଟୁ ବୁଲାଇ ବୁଲାଇ କହିଲେ, “ନା, ତୋର କିଛି କରିବାର ଦରକାର ନାହିଁ । ଆମେ ସବୁ କରୁଛୁ । ତୁ ଯା ଶ୍ୟାମା ସାଥିରେ ବୁଲୁଥା । ତୋର ଆଜି ଛୁଟି ପରା । ତେବେ ଦେଖିଲୁ, ଭାଇର ଯଦି କିଛି ଦରକାର ଥିବ ।

 

ରୋଷେଇ ଖନ୍ଦାଠାରୁ କିଛି ଦୂରରେ କାର୍ପେଟ, ସତରଞ୍ଜପଟି ପକେଇ ଉଦୟନ ଓ ତା’ର ବନ୍ଧୁମାନେ ଆଡ୍‍ଡା କରିବାର ଦେଖାଯାଉଛି । କେତେକ ବ୍ରିଜ୍‍ ଖେଳୁଛନ୍ତି । କେତେକ ଗ୍ରାମଫୋନ ବଜାଇବାରେ ବ୍ୟସ୍ତ । ଦୁଇ ତିନି ଜଣ ଏଇ ମାତ୍ର ଚାଲିଗଲେ ନଈରେ ମାଛ ଧରିବାକୁ-। ମଲ୍ଲିକାର ସଙ୍କେତରେ ଶ୍ୟାମା ସେମାନଙ୍କ ନିକଟକୁ ଯାଇ ପଚାରିଆସିଲା, “ଉଦ ଭାଇ, କିଛି ଦରକାର ତମର ? ମାଉସୀ ପଚାରୁଛନ୍ତି ।’’ ବ୍ରିଜ୍‍ରୁ ମୁଣ୍ଡ ଟେକି ଉଦୟନ କହିଲା, “ହଁ, ଦରକାର ତୋର ସଙ୍ଗୀତ । ଆସ୍‍ ତ’ ଗା ଗୋଟେ ଗୀତ ।’’ ଶ୍ୟାମାର କଣ୍ଠ ଅତି ମଧୁର । ସେ ସଙ୍ଗୀତ ପାଇଁ ବିଖ୍ୟାତ ହୋଇଉଠିଲାଣି ଇତି ମଧ୍ୟରେ । ସେ କିନ୍ତୁ ବିଦ୍ରୂପରେ ‘ଓ, ଯୁ ଆଡ଼ିଏନ୍‍ସ ତ ! ମୁଁ ଯାଉଥିଲି ଏଇଠି ଗାଇବାକୁ’ କହି ହସି ହସି ପଳାଇଆସିଲା । ଉଦୟନ ପଛରୁ ଡାକଦେଲା, “ଶ୍ୟାମା, ତତେ ବରଣମାଳା ଦେବା ପାଇଁ ଢେର ଯୋଗ୍ୟ ସ୍ତାବକ ଏଠି ଅଛନ୍ତି । ତାଙ୍କୁ ଟିକିଏ କୃପା–କଟାକ୍ଷ ଦେଇଯା, ସୁନାଝିଅଟି ।’’

 

ଶ୍ୟାମା ଶୁଣି ନ ଶୁଣିଲାପରି ହୋଇ ଆସି ମଲ୍ଲିକାର ସାଥି ଧରିଲା । ମଲ୍ଲିକା ୟା ଭିତରେ ଖଣ୍ଡିଏ ମାଗାଜିନ୍‍ ସଗ୍ରହ କରିସାରିଥିଲା । ସେଇଖଣ୍ଡ ଦେଖାଇ ଶ୍ୟାମାକୁ କହିଲା,‘‘ଆ, ଗୋଟିଏ ନିକାଞ୍ଚନ ଜାଗାରେ ବସି ଏଇଟି ପଢ଼ିବା ।’’ ଦିହେଁ ଚାଲିଲେ । ଯାଉ ଯାଉ ଶ୍ୟାମା ପଚାରିଲା, “ମାଉସୀ ତ ଡକେଇ ନାହାନ୍ତି, ଏ ବିଜୟବାବୁ କାହିଁକି ଯାଇ ଆମକୁ ଅଡ଼େଇ ଆଣିଲେ ! ଆଚ୍ଛା ଲୋକ ତ ! କ’ଣ, ଜେଲସି ।’’

 

ମଲ୍ଲିକା ନୀରବ ରହିଲା ।

 

ସେମାନେ କିଛିଦୂର ଯାଇ ପହଞ୍ଚିଲେ ଏକ ଘାଟ ଉପରେ । ଏ ଘାଟଟା ନିକାଞ୍ଚନିଆ । ଦୁଇପାଖରେ ଜଙ୍ଗଲର ଛାଇରେ ଘାଟଟି ସର୍ବଦା ଶୀତଳ । ପଥରର ଶିଉଳି–କୃଷ୍ଣ ପାହାଚଶ୍ରେଣୀ ଚାଲିଯାଇଛି ନଈପାଣି ପର୍ଯ୍ୟନ୍ତ । ଘାଟ ଉପରେ ଚଟାଣର ଦୁଇ ପଟେ ବସିବା ପାଇଁ ଦୁଇଟି ପଥରବେଞ୍ଚ ପଡ଼ିଛି । ଶ୍ୟମା ଓ ମଲ୍ଲିକା ବାଁ ପାଖରେ ବେଞ୍ଚ ଉପରଟି ଝାଡ଼ିଝୁଡ଼ି ସେଇଠି ବସିଲେ । ମୁଣ୍ଡ ଉପରେ ଏକ ବିରାଟ ଅଚିହ୍ନା ଗଛ । ସାତଭାୟା ପକ୍ଷୀଙ୍କର ଡାକହାକ ଓ କ୍ରୀଡ଼ାରେ ବୃକ୍ଷର ପ୍ରତି ଡାଳ ଜୀବନ୍ତ ଓ କମ୍ପିତ ହୋଇଉଠୁଛି । ଉଚ୍ଚ ଆକାଶର ନୀଳିମା କାଟି କାଟି ଭାସିଯାଉଛି ଏକ ସୁଶ୍ରୀ ଶଙ୍ଖଚିଲ, ଶ୍ଵେତ ଓ ପାଟଳ ବର୍ଣ୍ଣରେ ଚିତ୍ରିତ ଠିକ୍‍ ଗୋଟିଏ ଛୋଟ ନୌକା ପରି । ଅଦୂରର କୌଣସି ଘନ ପତ୍ରଗହଳରୁ ଭାସିଆସୁଛି କପୋତ ଓ କପୋତୀର କରୁଣ–ମଧୁର ଉତ୍ତର ପ୍ରତ୍ୟୁତ୍ତର ।

 

କିଛି ସମୟ ଦୁଇ ସଖୀ ବସିରହିବା ପରେ ମଲ୍ଲିକା କହିଲା, “କି ସୁନ୍ଦର ସ୍ଥାନଟି ହେଇଛି ଶ୍ୟାମା ! ଛାଡ଼ିଯିବାକୁ ଇଚ୍ଛା ହେଉନି ।’’ ଶ୍ୟାମା ଉତ୍ତର ଦେଲା, “ବାସ୍ତବିକ ।’’ ମଲ୍ଲିକା କହିଲା, “ଦେଖ, ଦେଖ, ଗୋଟିଏ ଛୋଟ ନାଆ ଭାସିଯାଉଛି । ମୋର ଇଚ୍ଛା ହେଉଛି ସେଇ ନୌକାଟିରେ ବସି କେବଳ ଭାସି ଭାସି ଯାଉଥାନ୍ତି, ଯେତେଦୂର ସେ ମତେ ନେଇଯାନ୍ତା, ପୃଥିବୀର ଶେଷଯାଏ-।’’ ଶ୍ୟାମା ଉତ୍ତର କଲା, “ପୃଥିବୀର ବେଶିଦୂର ଯିବାକୁ ହେବ ନାହିଁ । କୋଶେ ଦି’କୋଶ ଭିତରେ ବରୁଣ ନଗରୀକୁ ଚାଲିଯିବାର ସମ୍ଭାବନାଟାହିଁ ବଡ଼ ବେଶି । ତା’ଛଡ଼ା ସେଇ କଳ୍ପିତ ନୌ-ବିହାରରେ କେହି ସାଥୀ ନାବିକ ଥିବେ ନା ତୁ କେବଳ ଏକାକୀ ?” ମଲ୍ଲିକା ହସି ଉତ୍ତର ଦେଲା, “ଆଚ୍ଛା କଥାସବୁ ଉଠଉଛୁ । ଚାଲ୍‍, ତୁ ମୁଁ ଗୋଟିଏ ନାଆ ନେଇ ବାହାରିପଡ଼ିବା ।’’ ଶ୍ୟାମା କହିଲା, ‘‘ଯିବା, ତେବେ ମା’ଙ୍କ ନିକଟରେ ଲିଭ୍‍ ଆପ୍ଲିକେସନଟା ଦେଇଆସେ ଯାଇ ।’’

 

ଦୁହେଁ କିଛିକ୍ଷଣ ହସିଲେ । ତା’ପରେ ମଲ୍ଲିକା କହିଲା, ଯା’ତ ଯୂଥିକାକୁ ଡାକିଆଣିବୁ । ସେ ଭାବୁଥିବ ଆମେ ମଉଜରେ ବୁଲୁଛେ । ଆଉ ସେ ପିଲାଲୋକ ବୋଲି ତାକୁ ଖଟଉଛୁ ।’’ ଯୂଥିକା ମଲ୍ଲିକାର ସାନ ଭଉଣୀ । ଅପାର ଜନ୍ମଦିନରେ ସେ ନିଜେ କିଛିନା କିଛି କରି ଅପାକୁ ଓ ମାକୁ ଖୁସି କରିବ ବୋଲି ପ୍ରଥମେ ଡାଲାଏ ଖଣ୍ଡେ ପାନ ଭାଙ୍ଗିଲା । ତା’ପରେ କିଛିକାଳ ଜଳଖିଆ କରିବାରେ ମାଙ୍କୁ ସାହାଯ୍ୟ କରି ଏବେ କେଉଁଠି ବସି ଅପା ପାଇଁ ଖଣ୍ଡେ ରୁମାଲ ବୁଣୁଛି ନା କ’ଣ ! ଶ୍ୟାମା କହିଲା, “ମୁଁ ତାକୁ ଡାକୁଥିଲି ଯାଇ । ସେ ନାହିଁକଲା ପରା ! କହିଲା, ମୁଁ ଏଟା ନ ସାରିଲେ କୁଆଡ଼େ ଯିବିନି ।’’ ମଲ୍ଲିକା କହିଲା, “ସେ ଥିଲେ କିନ୍ତୁ ମୁଁ କହିବାମାତ୍ରେ ଡଙ୍ଗାରେ ଯାଇ ବସିଥାନ୍ତା-। କେତେ ଯେ କାମ କରିପାରେ । ମା କହେ, ‘ଏଇଟା ମୋର ପୁଅ ଯା’ ନ ହେଲା ।’ ହଉ ତା’ହେଲେ ଏ ମାଗାଜିନ୍‍ଟା ପଢ଼ ତ । ତାକୁଇ ପଢ଼ି ପଢ଼ି ଏଇଠି ଖତମ୍‍ କରିବା; ସଙ୍ଗେ ସଙ୍ଗେ ସମୟଟା ବି କଟେଇନେବା ।’’

 

ଶ୍ୟାମା ମଲ୍ଲିକାଠୁଁ ମାଗାଜିନ୍‍ଟି ଆଣି ପତ୍ର ଓଲଟେଇବାକୁ ଲାଗିଲା । ଓଲଟୋଉ ଓଲଟୋଉ ପଚାରିଲା, “କ’ଣ ତୋର ଶୁଣିବାକୁ ଇଚ୍ଛା ? ପ୍ରବନ୍ଧ, କବିତା ନା ଗଳ୍ପ ନା ସମ୍ପାଦକୀୟ-?” ମଲ୍ଲିକା କହିଲା, ‘‘ତୋର ଯାହା ଇଚ୍ଛା ହେଉଛି, ସେଇୟା ପଢ଼ । ସବୁଟା ତ ଶେଷ କରିବା ? ଯେଉଁଠୁ ଆରମ୍ଭ ହେଉ କ୍ଷତି କ’ଣ ?” ଶ୍ୟାମା କହିଲା, “ନା, ସବୁ କ’ଣ ପଢ଼ିବା ସମ୍ଭବ-? ଏଇ ଦେଖ୍ ଏକ ପ୍ରବନ୍ଧ ।’’ ‘ରଣଭୀତ କେଶରୀଙ୍କ ମୃତ୍ୟୁ ବତ୍ସର ।’ କେବଳ ଅବୋଧ୍ୟ ଅଙ୍କ ଗଣନା ଓ ଅନୁଶାସନର ଧସ୍ତାଧସ୍ତି । ୟାକୁ ପଢ଼ିବୁ ? ପୁଣି ଏଇ ‘ସାହିତ୍ୟରେ ଜଳାତଙ୍କବାଦ’ ପଢ଼ିବୁ ? ପୁଣି ଆହୁରି ଏକ ପ୍ରବନ୍ଧ ‘ଉଡ୍ରୋ ଉଇଲ୍‍ସନ୍‍ ଓଡ଼ିଆ କି ନୁହେଁ ?’ ମଲ୍ଲିକାର ହଠାତ୍ ଆଗ୍ରହ ଉଦବେଳିତ ହୋଇ ଉଠିଲା, “ଦେଖି, ଦେଖି, ସେଇଟା ପଢ଼ନା ଦେଖି । ଉଡ୍ରୋ ଉଇଲ୍‍ସନ୍‍ ଓଡ଼ିଆ, ଆମେରିକାର ପ୍ରେସିଡେଣ୍ଟ ! ସେଇଥିପାଇଁ ବୋଧନୁଏ ନାଁରେ ଉଡ୍ରୋ ଅଛି–କିଏ ଲେଖିଛି ଦେଖ ତ ।’’ ଶ୍ୟାମା ସୂଚୀପତ୍ର ଖୋଜି କହିଲା, “ଲେଖକ ପଣ୍ଡିତ ରାମାନୁଜତୀର୍ଥ ଶର୍ମା, କାବ୍ୟବ୍ୟାକରଣ ସାଂଖ୍ୟତୀର୍ଥ । ପଢ଼ିବା ତା’ହେଲେ ଏଇଟା ଆଗକରି ? କିନ୍ତୁ ଏ ୪।୫ ପୃଷ୍ଠା । ଆଗ ଛୋଟ କିଛି ଆରମ୍ଭ କରାଯାଉ । କବିତାଗୁଡ଼ାକ ଦେଖିନେବା କି ?” ମଲ୍ଲିକା ଉତ୍ତର ଦେଲା, “ହଉ, ହଉ, ତା’ହେଲେ ଆଗ କବିତଟାଏ ଆରମ୍ଭକର ।’’

 

ଶ୍ୟାମା ସୂଚୀପତ୍ର ଉପରେ ଆଙ୍ଗୁଳି ବୁଲାଇ କହିଉଠିଲା, “ଆଗ ଏଇ କବିତାଟି ପଢ଼େଁ । ଲେଖକ ମୋ ଭାଇର ଶିକ୍ଷକ, କଲେଜର ଅଧ୍ୟାପକ କାଙ୍ଗାଳୀଚରଣ । କବିତାଟିର ନାମ ‘ମର୍ମବାଣୀ’ । ପଢେଁ, ତୁ ଶୁଣ୍‍ ମନଦେଇ–ନ ହେଲେ ଆ ଦି’ ଜଣଯାକ ପଢ଼ିବା ।’’ ମଲ୍ଲିକା କହିଲା, “ନା ତୁ ପାଟିକରି ପଢ଼୍‍ କି ମୁଁ କେବଳ ମନେ ମନେ ପଢ଼ିବି । ତୁ କବିତା ଭଲ ପଢ଼ିପାରୁ ।’’ ଶ୍ୟାମା ତା’ପରେ ‘ହଉ’ କହି ପଢ଼ିବା ଆରମ୍ଭ କଲା–

 

‘‘କମଳ ଆନନର କରୁଣ ମଧୁଗୀତି

ମରମ ଭେଦି ପଶେ ପଶେ ରେ

ଭାଦର ନୀଳାକାଶ ସାଦର ଆହ୍ଵାନ

ଜୋଛନାଧାରା ଖସେ ଖସେ ରେ ।

ଘାସ କୁସୁମେ ଭରା ମୁକ୍ତ ପ୍ରାନ୍ତର

କରବୀ ସୁରଭିରେ ମୁଗ୍ଧ ଅନ୍ତର

ନବୀନ ଆଲୋକର ନୂତନ ଛନ୍ଦିତେ

ତରୁଣ ମନ ଉଲ୍ଲସେ ରେ

କୋମଳ ଅଧରର, ମାଦକ ପିଆଲାର

ନବ ବୟସ ମଧୁ ରସେ ରେ ।’’

 

ପଦକ ପଢ଼ିସାରିବା ପରେ ଶ୍ୟାମା ମୁହଁ ଟେକି ମଲ୍ଲିକା ଆଡ଼କୁ ଅନାଇ କହିଲା, ଚମତ୍କାର ହୋଇଛି, ନାରେ ? ମଲ୍ଲିକା କହିଲା, “ଆଉ ଥରେ ପଢ଼ ତ ।’’ ଶ୍ୟାମା ଆଉ ଥରେ ପଢ଼ିଲା । ମଲ୍ଲିକା କହିଲା, “ହଁ, ଭାରି ମିଠା ତ ଶୁଣାଯାଉଛି । କିନ୍ତୁ ଭାବଟା ତ କିଛି ମୋଟାମୋଟି ଧରି ହେଉନି । ‘କମଳ ଆନନର କରୁଣ ମଧୁଗୀତ’ ? କ’ଣ ତୁ ବୁଝିଲୁ, ମତେ କହିଲୁ ? ‘‘ନବୀନ ଆଲୋକର ନୂତନ ଛନ୍ଦିତେ’ର ମାନେ ବା କ’ଣ କହିଲୁ ?”

 

ଶ୍ୟାମା ମ୍ୟାଗାଜିନ୍‍ଟାକୁ ଥୋଇଦେଇ ଟିକିଏ ଜାଣିଲାବାଲାପରି କହିଲା, “ତୁ ତା’ହେଲେ କିଛି ଜାଣିନୁ । ମତେ ଭାଇ ବୁଝେଇ ଦେଇଛନ୍ତି । ଭାଇ ଏସବୁ କବିତା ପଢ଼ିବାକୁ ଭାରି ଭଲ ପା’ନ୍ତି । ବିଶେଷତଃ ତାଙ୍କ ‘ସାର୍‍’ଙ୍କର ଲେଖାନା । ପ୍ରଫେସର ମିଶ୍ର କୁଆଡ଼େ କହନ୍ତି ଯେ, କବିତା ଡିକ୍‍ସିନାରୀ ନୁହେଁ ଯେ, ସେଥିରୁ ‘ମାନେ’ ବାହାରିବ । କବିତା ହେଲା ରହସ୍ୟମୟୀ ସରସ୍ଵତୀ । ସେ ଯେତିକି ରହିବେ ରହସ୍ୟାବୃତା, ଯେତିକି ଅସ୍ପଷ୍ଟ, ଯେତିକି ଅବୋଧ୍ୟ, ଅଗମ୍ୟ, ଅଜ୍ଞେୟ, ସେତିକି ତାଙ୍କର ମାଧୁର୍ଯ୍ୟ ବୃଦ୍ଧି ପାଇବାର ଆଶା । କେବଳ ଇତରସାଧାରଣ ହିଁ ଖୋଜନ୍ତି ମାନେ, ଯାହା ହେବ ସ୍ପଷ୍ଟ, ସୀମାବଦ୍ଧ, ନିର୍ଦ୍ଦିଷ୍ଟ । ପ୍ରକୃତ ସମଜଦାର ପାଠକ ନିକଟରେ କିନ୍ତୁ ପ୍ରକୃତ କବିତା ସେହି, ଯାହା ସବୁ କଥା ପ୍ରକାଶ କରିଦେବାକୁ କୁଣ୍ଠିତ, ଅନ୍ୟ କଥାରେ ଯାହା ଅବୋଧ, ଦୁର୍ବୋଧ, ଅସ୍ପଷ୍ଟ । ଜଗତରେ ସର୍ବତ୍ର ପ୍ରକୃତ ସମଜଦାର ପାଠକର ସଂଖ୍ୟା ମୁଷ୍ଟିମେୟ । ମୋର ଦୁର୍ଭାଗ୍ୟ ଏଇ ଯେ, ଏ ଦେଶରେ ମୁଇଁ କେବଳ ଏଇ ମୁଷ୍ଟିମେୟ ପାଠକମାନଙ୍କ ପାଇଁ ଲେଖେ । ଏୟା ପ୍ରଫେସର ମିଶ୍ର କହନ୍ତି ବୋଲି ଭାଇ କହନ୍ତି । ଭାଇ ଏସବୁ କବିତାର ଆଦର କରନ୍ତି ବୋଲି ପ୍ରଫେସର ମିଶ୍ର ତାଙ୍କୁ ଭାରି ଭଲ ପାନ୍ତି ।’’

 

ମଲ୍ଲିକା କୌଣସି ଜିଜ୍ଞାସା କରିବା ବା ଉତ୍ତର ଦେବାର କିନ୍ତୁ ଅବକାଶ ରହିଲା ନାହଁ । ଶ୍ୟାମାର ଶେଷ ବାକ୍ୟ ଉଚ୍ଚାରିତ ହେବା ବେଳକୁ ଦେଖାଗଲା ଯେ ଜଣେ ଯୁବକ ହାତରେ କ’ଣ ଗୋଟାଏ ଓହଳାଇ ଘାଟର ପାହାଚ ଚଢ଼ି ଉପରକୁ ଆସୁଛନ୍ତି । ଶ୍ୟାମା ଓ ମଲ୍ଲିକା ଚୁପହୋଇ ରହିଗଲେ । ଯୁବକ ଏମାନଙ୍କୁ ଦେଖିସାରିଲେଣି; କିନ୍ତୁ ଦେଖି ଲାଜରେ ବେଳେ ବେଳେ ଏଣେ ତେଣେ ବା ତଳକୁ ମୁହଁ ପୋତି ଆସୁଛନ୍ତି । କ୍ରମେ ସେ ନିକଟତର ହେଲେ । ସେ ଆମର ପ୍ରଭୁପାଦ । ହାତରେ ମିଠାଇର ଏକ ଛୋଟ ଭାର, ପାଦରେ ଚପଲ, ପରିଧେୟ ତୁହିନଶୁଭ୍ର ଖଦଡ଼ ଧୋତି ଓ ପଞ୍ଜାବି । ସେ ବାଳିକାମାନଙ୍କ ନିକଟରେ ଟିକିଏ ରହିଯାଇ ଖାଲି ପଚାରିଲେ, “ଉଦୟନହେରିକା କେଉଁଆଡ଼େ ଅଛନ୍ତି ?”

 

ଶ୍ୟାମ ଓ ମଲ୍ଲିକା ଏ ଯୁବକକୁ ଥରେ ଦି’ଥର ଦେଖିଛନ୍ତି । ମୁହଁ ଅତ୍ୟନ୍ତ ପରିଚିତ । ଉଦୟନ ଘରକୁ ଥରେ ଦି’ଥର ସେ ଯାଇଛନ୍ତି । କିନ୍ତୁ ତାଙ୍କର ନାମ ଓ କୁଳଶୀଳ ସମ୍ବନ୍ଧରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞାତ । ଦୁହେଁ କିନ୍ତୁ ଅତିଥି ପ୍ରତି ସଂଭ୍ରମ ଦେଖାଇ ଠିଆ ହୋଇପଡ଼ିଲେ । ଶ୍ୟାମା କହିଲା, “ଆସନ୍ତୁ, ଆମେ ନେଇଯିବୁ ସେଠିକି ।’’ ପ୍ରଭୁପାଦ ତାଙ୍କ ପଛେ ପଛେ ଚାଲିଲା । ମନେ ମନେ ଭାବିଲା, “ଯାତ୍ରାଟା ଶୁଭକ୍ଷଣରେ ନିଶ୍ଚୟ ହୋଇଥିଲା । ଯାହାକୁ ଦେଖିବାପାଇଁ ଧାଇଁଥିଲି, ତାକୁଇ ପ୍ରଥମେ ଦେଖିଲି । ମୋର ସମସ୍ତ କ୍ଳେଶ ସାର୍ଥକ ହେଲା ଜାଣ ।’’

 

ପିକ୍‍ନିକ୍‍ର ସ୍ଥାନ ନିକଟ ହେବାରୁ ଶ୍ୟାମା ଓ ମଲ୍ଲିକା ଖନ୍ଦା ଆଡ଼କୁ ଚାଲିଗଲେ । ପ୍ରଭୁପାଦ, ସମ୍ମୁଖରେ ତା’ର ସାଙ୍ଗମାନଙ୍କର ଆଡ୍‍ଡା ସ୍ଥାନଟି ଦେଖିପାରୁଛି ଓ ସେଇ ଆଡ଼କୁ ହସି ହସି ଯାଉଛି, ଯେପରି କି ଉଦୟନ ପ୍ରଭୃତିଙ୍କ ପ୍ରତି ତା’ର ଆଗମନଟା ହେବ ଏକ ଚମକପ୍ରଦ ଘଟଣା । ହଠାତ୍ ଉଦୟନ ତାକୁ ଦେଖି ଚିତ୍କାର କରିଉଠିଲା, “କିରେ ପ୍ରଭୁ ! ସତରେ ତୁ ଆଇଲୁ ! ଡେରି ଏତେ ହେଲା କିଆଁ ?” ପ୍ରଭୁପାଦ ଉତ୍ତର ଦେବାର ଅବକାଶ ନ ପାଉଣୁ ବିଜୟପ୍ରସାଦ ଠିଆ ହୋଇପଡ଼ି ଓ ନିଜର ବିଳାସବ୍ୟଞ୍ଜକ ପରିଧେୟରୁ ବାଲି ଝାଡ଼ି ଝାଡ଼ି କହିଲା, “ଲୋକେ ପିକ୍‍ନିକ୍‍ ବୋଇଲେ ଭାବନ୍ତି ବୋଧହୁଏ କେବଳ ଖାଇବା । ଠିକ୍‍ ପତ୍ର ପଢ଼ିଲାବେଳକୁ ଦେଖାପଡ଼ନ୍ତି ।’’

 

ଏ କଥାରେ ପ୍ରଭୁର ମୁହଁରୁ ହସ ଲୁଚିଗଲା । ଅଦୂରରେ ମଲ୍ଲିକାର କାନକୁ ମଧ୍ୟ ଏଇ ଅଭଦ୍ର ଓ କ୍ରୂର ପଦାବଳି ଅତ୍ୟନ୍ତ ରୂଢ଼ ପ୍ରତୀୟମାନ ହେଲା । ସେ ଥରେ ମାତ୍ର ପ୍ରଭୁପାଦ ଆଡ଼କୁ ଅନାଇ ଦେଲା କରୁଣ ଅନୁକମ୍ପାରେ ।

 

ଉଦୟନ କଥାଟାକୁ ବାଆଁରେଇ ଦେଇ ସାଙ୍ଗେ ସାଙ୍ଗେ ପଚାରିଲା, “କି ରେ ହାତରେ ସିଏ କ’ଣ ? ମିଠେଇ ? ଓଃ, ଏଇଥିପାଇଁ ଡେରିକଲୁ ବୋଧହୁଏ । ନ ଆଣିଥିଲେ ଭାସିଯାଇଥାଆନ୍ତା କ’ଣ ? ଏ, ପୂଜାରୀ, ନେଇଯାଅ ତ ଏ ମିଠାଇଭାରଟି ।’’

 

ଉଦୟନ ନିକଟକୁ ଯାଉ ଯାଉ ପ୍ରଭୁପାଦ କ୍ଷମାବ୍ୟଞ୍ଜକ ବାଣୀରେ କହିବାକୁ ଯେପରି ବାଧ୍ୟ ହେଲା, “ଆଜି ପରା ଗୋଟିଏ ମଧୁର ଦିବସ ! ମିଷ୍ଟାନ୍ନ ହିଁ ଉପଯୁକ୍ତ ଉପହାର, କିଛି ଧରିଆଣିଲି । ତା’ଛଡ଼ା ପ୍ରକୃତ ଡେରି ହେଲା ନାଆ ଯୋଗୁ ।”

 

କହୁ କହୁ ପ୍ରଭୁପାଦକୁ ଉଦୟନ ନିଜ ନିକଟରେ ବସାଇ ଅନ୍ୟ ପ୍ରସଙ୍ଗ ପକାଇନେଲା ।

 

(୫)

 

ଶ୍ୟାମା ଓ ମଲ୍ଲିକାଙ୍କୁ ବିଜୟପ୍ରସାଦ ଏକପ୍ରକାର ଅଡ଼େଇ ନେଇଗଲା–ପରେ ଆର୍ଟିଷ୍ଟ୍‍ ଶ୍ରୀକଣ୍ଠ ପ୍ରଥମେ ଅବସନ୍ନତା ଓ ଅପମାନରେ ତୂଳି ଛାଡ଼ିଦେଇ ବାଲିରେ ବସିପଡ଼ିଲା । ସେ ବିଜୟକୁ ଜାଣେ, ବିଜୟ ମଧ୍ୟ ଜାଣେ ତାକୁ । କିନ୍ତୁ ପାରମ୍ପରିକ ଏକ ବିଦ୍ଵେଷର ପାଚେରୀ ତାଙ୍କ ଭିତରେ ଏପର୍ଯ୍ୟନ୍ତ ରହିଯାଇଥିଲା ଏବଂ ସେଇ ପାଚେରୀ ଉପରେ ମାଡ଼ି ରହିଥିଲା ପରସ୍ପର ପ୍ରତି ଅସଦ୍‍ଭାବର ବହୁ ଅନାବନା ଗୁଳ୍ମ ଓ ଶିଉଳି । ଶ୍ରୀକଣ୍ଠକୁ ହୁଏତ ବିଜୟ ଭାବୁଥାଏ ଏକ ଭାଗାବଣ୍ଡ ଏବଂ ଶ୍ରୀକଣ୍ଠ ବିଜୟକୁ ଭାବେ ସମାଜର ଏକ ବିଷାକ୍ତ ପାରାସାଇଟ୍‍–ପରାଙ୍ଗପୁଷ୍ଟ ଉଦ୍ଭିଦ ।

 

ଗୋଟିଏ ଛୋଟ ନୌକା ସମ୍ମୁଖର ନଦୀଧାରରେ ଭାସିଗଲା । ଶ୍ରୀକଣ୍ଠ ଦେଖୁଥାଏ । ଚାହିଁଲା ସେ ଦୂର ଦିଗ୍‍ବଳୟର ନୀଳପାହାଡ଼ମାଳାକୁ । ଚାହିଁଲା ଅକାଶକୁ, ଶରତର ନିର୍ମଳ, ନିର୍ମେଘ ଆକାଶ । ନଈ ସେଧାରର ସଡ଼କରେ ହେଇ ସେଇ ଦୂରରେ, ଗୋଟିଏ ମୋଟା କାର୍ ଯାଉଥିବାର ଦେଖିଲା–କେଡ଼େ ମନ୍ଥର, ସତେ ଯେପରି ମନୁଷ୍ୟର ଗତି; କିନ୍ତୁ ନିକଟରେ କି କ୍ଷିପ୍ରତା-! ଏଇ ତ ଜୀବନର ଆପେକ୍ଷିକତା । କୌଣସି ବସ୍ତୁ, ପ୍ରାଣୀ ବା ଘଟଣାର ନିଜସ୍ଵ ମୂଲ୍ୟ କିଛି ନାହିଁ । ସବୁ କେବଳ ଦୃଷ୍ଟିକୋଣର ତଫାତ୍ ମାତ୍ର । ସେ ବାଲିରେ ସେଇ ଗଛତଳର ଛାଇରେ ଚିତି ହୋଇ ମୁଣ୍ଡତଳେ ହାତ ରଖି ଢଳିପଡ଼ିଲା ଟିକିଏ, ହଠାତ୍ ଗୋଳମାଳିଆ ହୋଇଯାଇଥିବା ଭାବନାଗୁଡ଼ାକୁ ସମ୍ଭାଳିନେବା ପାଇଁ । ଆଖି ବୁଜୁ ବୁଜୁ ଶ୍ୟାମା ଓ ମଲ୍ଲିକାର ମୁଖଛବି ମନୋନେତ୍ରରେ ଭାସିଉଠିଲା-। ଶ୍ୟାମାର ହୁଏତ ମାତ୍ର ମୁଖଛବି, କିନ୍ତୁ ମଲ୍ଲିକାର ସମଗ୍ର ଶରୀରର ପ୍ରତ୍ୟେକ ଦେଖାଯାଉଥିବା ଅଂଶ ତା’ର ମାନସିକ ଚିତ୍ରପଟରେ ଅତି ସ୍ପଷ୍ଟ, ଅତି ପ୍ରତ୍ୟକ୍ଷ ହୋଇ ଭାସିଉଠିଲା । ତା’ର କେଶଜାକ କି ଘନ, କୁଞ୍ଚିତ ଓ କୃଷ୍ଣ ! ଲମ୍ବିପଡ଼ିଛି ଜାନୁପର୍ଯ୍ୟନ୍ତ ଚାରିଆଡ଼େ ଗୋଟିଏ ମଧୁର କମନୀୟତାକୁ ଅଯାଚିତ ଭାବରେ ବୁଣି ବୁଣି । ତା’ର ନାସିକାଟି କି ସୌଷ୍ଠବମୟ, ନିଖୁଣ ! ଫେରିଗଲବେଳେ ସେ ଦେଖିବାକୁ ଭୁଲିନି ତା’ର ଅଲକ୍ତ-ରଞ୍ଜିତ ଛୋଟ ପାଦ-ପଲ୍ଲବ ଦୁଇଟି । ବାସ୍ତବିକ ସୁନ୍ଦରୀ ପିଲାଟି । ଆର୍ଟିଷ୍ଟ୍‍ ଶ୍ରୀକଣ୍ଠ କେବଳ ରୂପର ପୂଜାରୀ ଭାବରେ ମଲ୍ଲିକାର ଅବୟବଗୁଡ଼ିକୁ ଭାବି ନେଉଥିଲା । ନାହିଁ ଥିଲା ସେଥିରେ ବାସନାର ମଳିନତା । ତା’ର ଅର୍ଥ ନୁହେଁ ଯେ ସେ ଅତୀନ୍ଦ୍ରିୟ ବା ଯତୀନ୍ଦ୍ରିୟ । ହୁଏତ ଶ୍ରୀକଣ୍ଠ ଏପରି ଏକ ବୟସ ବା ଅନୁଭୂତି ସ୍ତରକୁ ଆସିଯାଇଛି, ଯେଉଁଠି ବାସନାର ଉଗ୍ରତା ଆପେ ଆପେ ମରି ଯାଇଛି ବା ମଲ୍ଲିକାର ଶରୀରଶ୍ରୀ ସେହି ନିପାତନ ରୂପ, ଯାହା ଆଗରେ ଠିଆହେଲେ ବାସନା ମୁଣ୍ଡ ଟେକିପାରେନା । ଶ୍ରୀକଣ୍ଠ ଏ ସବୁର ତାତ୍ତ୍ଵିକ ଆଲୋଚନା ଅବଶ୍ୟ କରୁ ନ ଥିଲା । ସେ କିଛିକ୍ଷଣ ଶୋଇରହିଲା ପରେ ହଠାତ୍ ବସିପଡ଼ିଲା ଏବଂ ମନେ ମନେ କହିଲା, ‘‘ନା, ଏତିକିବେଳେ ୟାକୁ ଧରିରଖେ ।’’ ୟା କହି ସେ ଠିଆହୋଇ ପୁଣି ତୂଳି ଧରି ଆଙ୍କିବାରେ ଲାଗିଲା ।

 

ମଲ୍ଲିକାର ମାନସିକ ପ୍ରତିଛବିଟି ମିଳେଇଯିବା ଆଗରୁ ଯେତେ ଶୀଘ୍ର ସେ ରଙ୍ଗରେ ତାକୁ ଜୀଆଇଁ ଦେଇପାରେ, ତା’ର ସେ ଚେଷ୍ଟା କଲା । ଆଗରୁ ଯେଉଁ କେତୋଟି ରେଖା ଆଙ୍କିଥିଲା, ତାହା ଅନେକ ଦୂର ତା’ ଚେଷ୍ଟାକୁ ଆଗେଇ ନେଇଥିଲା । ବର୍ତ୍ତମାନ ସେ ଶୀଘ୍ର ଶୀଘ୍ର ପ୍ରଥମେ ବଦନମଣ୍ଡଳକୁ କେବଳ ସ୍ପଷ୍ଟ କରିବାରେ ଲାଗିଗଲା ।

 

ମାତ୍ର କେତେକ ମୁହୂର୍ତ୍ତରେ ମଲ୍ଲିକାର ମୁଖର ସାଦୃଶ୍ୟଟି ପ୍ରକୃତରେ ଯେତେବେଳେ ଫୁଟି ବାହାରିଲା, ଶ୍ରୀକଣ୍ଠ ଇଜେଲ ଛାଡ଼ିଦେଇ ଚାଲିଗଲା ଟିକିଏ ଦୂରକୁ, ନିରୀକ୍ଷଣ କଲା ସେଇ ନୟନାଭିରାମ ବସ୍ତୁଟିକି ବହୁ ସମୟ, ଫେରେ ପାଖକୁ ଆସିଲା ଏବଂ ଖୁବ ସୂକ୍ଷ୍ମ ଭାବରେ, ଧୀରେ, ଯେପରି ଭକ୍ତ ତା’ର ଇଷ୍ଟଦେବର ପ୍ରତିମାକୁ ସନ୍ତର୍ପଣରେ ଛୁଏଁ, ସେ ସେଇ ଅଙ୍କିତ ପ୍ରତିମାର ଏଠି ଟିକିଏ, ସେଠି ଟିକିଏ ତୂଳିର ଅଗ୍ରଭାଗରେ ଛୁଇଁ ଛୁଇଁ ତା’ର ସୁଷମାକୁ ଯେତେଟା ସ୍ଵାଭାବିକତା, ଯେତେଟା ସ୍ପଷ୍ଟଭାବ ଦିଆଯାଇପାରେ, ତା’ର ଚେଷ୍ଟା କଲା । ଯେତେବେଳେ ସେ ମନେକଲା ଯେ, ସେ ଏକ ପ୍ରକାର କୃତକାର୍ଯ୍ୟ ହୋଇଛି–ଅବଶ୍ୟ କୌଣସି ପ୍ରକୃତ ଶିଳ୍ପୀ ବା କବି ନିଜ କୃତକାର୍ଯ୍ୟତାରେ ସନ୍ତୁଷ୍ଟ ପ୍ରାୟ ହୋଇ ନ ଥାନ୍ତି–ଶ୍ରୀକଣ୍ଠ ସେଇ ଜନହୀନ ବାଲୁକା ଉପରେ କିଛି ସମୟ ହାତ ଗୋଡ଼ ଛିଞ୍ଚାଡ଼ି “ମାଷ୍ଟରପିସ୍” “ମାଷ୍ଟରପିସ୍” କହି ନାଚିବାକୁ ଲାଗିଲା । ତା’ପରେ ସିଦ୍ଧିର ଅସମ୍ଭାବିତ୍ଵର ଉନ୍ମତ୍ତତା କ୍ରମେ ଯେତେବେଳେ କମିଆସିଲା, ସେ ଲାଗିଗଲା ମଲ୍ଲିକାର ଅଙ୍ଗଲତାର ଅନ୍ୟ ଅଂଶ ଓ ବ୍ୟାକ୍‍ଗ୍ରାଉଣ୍ଡ ଆଙ୍କିବାରେ ।

 

ମଝିରେ ଶ୍ରୀକଣ୍ଠ ମନରେ ପୁଣି ଦ୍ଵନ୍ଦ୍ୱ ମଧ୍ୟ ଉଠିଲା । ସେ ନିଜକୁ ପଚାରିଲା ଯେ ଏଇ ଉପାଦାନକୁ ନେଇ ଗୋଟିଏ ମୌଳିକ ଚିତ୍ର ଯଦି କରାଯାନ୍ତା । ନା, ସେ ୟାକୁ କେବଳ ଚାକ୍ଷୁଷ ଚିତ୍ର ହିଁ ରଖିବ । ତା’ର ଭାରି ଇଚ୍ଛା ହେଲା ଏଇ ପ୍ରତିମାର ଅଦୂରରେ ଲତାଗୁଳ୍ମର ଅନ୍ତରାଳରେ ହାତରୁ–ଖସି ପଡ଼ିଥିବା–ପୁଷ୍ପଧନୁ ଦେଖାଇ ବିସ୍ଫାରିତନେତ୍ର କନ୍ଦର୍ପକୁ ଆଙ୍କି ରୂପର ବିଜୟ ଘୋଷଣା କରିବ, ଗ୍ରୀକ୍ ଗଳ୍ପ ସାଇକି ବା ରବିନ୍ଦ୍ରନାଥଙ୍କ ପ୍ରସିଦ୍ଧ କବିତା ବିଜୟିନୀକୁ ରୂପ ଦେଇ । ପରେ ଠିକ୍‍ କଲା, “ନା, ସେ ଯେ ମୋର ପରମ କଲ୍ୟାଣୀୟା । ତାକୁ କି ସର୍ବନେତ୍ରର ପଣ୍ୟ କରିବି, ପୁଣି ତା’ର ଅଜ୍ଞାତରେ ।’’ ଭାବି ଭାବି ଶ୍ରୀକଣ୍ଠ ଛବିଟି ଅଙ୍କିଲା, ଫଟୋର ସତ୍ୟବାଦିତା ଦେଇ, ଛବିଟି ଦେଖିଲେ ମଲ୍ଲିକା ଯେପରି ତା’ର ନିଜର ସତ୍ୟବାଦିତାକୁ ପସନ୍ଦ କରିବାରେ କୁଣ୍ଠିତା ହେବ ନାହିଁ । ଫଳରେ ସେ ଶେଷରେ ବାଧ୍ୟ ହୋଇ ପଶ୍ଚାତ୍‍ ପଟରେ ଶ୍ୟାମାର ଅସ୍ପଷ୍ଟ ଛବିଟି ମଧ୍ୟ ଆଙ୍କି ବସିଲା ।

 

ଛବିଟି ପୂରା ଶେଷ ହେଲାବେଳକୁ ବେଳ ଗଡ଼ି ଆସିଲାଣି । ଶ୍ରୀକଣ୍ଠ ବର୍ତ୍ତମାନ କ୍ଷୁଧା ବୋଧକଲା । ଇଜେଲରୁ ଛବି ଉଠାଇ ଆଣିଲା, ଯତ୍ନରେ ରଖିଲା ତଳେ ରଙ୍ଗ କ୍ରମେ ଶୁଖିବା ପାଇଁ-। ଜିନିଷପତ୍ର ଗୋଟାଗୋଟି କରି ରଖିଲା ବ୍ୟାଗରେ । ତା’ପରେ ଥର୍ମୋଫ୍ଲାସ୍କ କାଢ଼ି ତା’ର ପ୍ରିୟ ପାନୀୟ ଉଷ୍ମ ଓଭାଲଟିନ୍ କିଛି ଧୀରେ ଧୀରେ ବସି ପାନ କରିବା ଆରମ୍ଭ କଲା । ତା’ର ପାନକ୍ରିୟା ସରିବାକୁ ଯାଉଛି, ହଠାତ୍ ତା’ ଆଖିକି କିଏ ବୁଜି ଧରିଲା । ଶ୍ରୀକଣ୍ଠ ପାନପାତ୍ରଟି ଗୋଟେ ହାତରେ ଧରି ଅନ୍ୟ ହାତରେ ଆଗନ୍ତୁକର ହାତ ଓ ଶରୀରକୁ ଅଣ୍ଡାଳିବାକୁ ଲାଗିଲା । ଆଗନ୍ତୁକ ଏଇ ସମୟରେ ଖେଁ ଖେଁ କରି ହସି ଉଠିବାରୁ ଶ୍ରୀକଣ୍ଠକୁ ଚିହ୍ନିବାର ସୁବିଧା ହେଲା । ସେ କହିଉଠିଲା “କିରେ ଉଦୟନ ନା ।’’

 

ଉଦୟନ ଶ୍ରୀକଣ୍ଠ ଆଖି ଛାଡ଼ି ବର୍ତ୍ତମାନ ଆଗକୁ ଆସିଲା ଏବଂ ଆଦେଶ ଦେଲା “ଉଠ୍‍, ଉଠ୍‍ ।’’

 

ଶ୍ରୀକଣ୍ଠ ଉତ୍ତର ଦେଲା, “କାଇଁକି ? କୁଆଡ଼େ ମତେ ଡାକୁଛ ଆଗ ଶୁଣେ ।’’ ଉଦୟନ ଜୋର ଦେଇ କହିଲା, “ସେସବୁ କହିବାର କିଛି ଆବଶ୍ୟକତା ନାହିଁ । ଉଠ୍‍ ତ ତୁ, ମୋ ପଛେ ପଛେ ଆ ।” ଶ୍ରୀକଣ୍ଠ ଦୁଇ ହାତକୁ କପାଳରେ ଲଗାଇ କହିଲା, “ମତେ କ୍ଷମା କର ଭାଇ ! ମୁଁ ତୋ ସାଥିରେ ଯାଇପାରିବି ନାହିଁ । ମୁଁ ବର୍ତ୍ତମାନ ଯିବାକୁ ବାହାରିଲିଣି ।’’ ଉଦୟନ କହିଲା, “ନା ନା, ସେ ହେବନି । ମୁଁ ସେସବୁ କିଛି ଶୁଣିବିନି । ତୁ ଆମ ସାଥିରେ ଯିବୁ । ପିକ୍‍ନିକରେ ଯୋଗ ନ ଦେଇ ତୁ କୌଣସିମତେ ଯାଇ ନ ପାରୁ । ଜାଣିନୁ ତୁ ଆଜି ମଲ୍ଲିକାର ଜନ୍ମଦିନ ? ତୁ ଏଇଠୁ ନ ଖାଇ ଫେରି ଯିବୁ, ମା’ କ’ଣ କହିବେ, କହିଲୁ ! ମୋ ମନରେ କଷ୍ଟ ଦେବା କଥା ତୁ ଖାତିର ବା ନ କରିପାରୁ । କ’ଣ ଅଭିମାନ କରିଛୁ ? ସତରେ ଶ୍ରୀକଣ୍ଠ, ମୁଁ, ତୁ ଏଠାରେ ଥିବା କଥା ଆଦୌ ଜାଣି ନ ଥିଲି । ତୁ କଟକରେ ଅଛୁ କି ନାହିଁ ମଧ୍ୟ ଜାଣି ନ ଥିଲି । ଜାଣିଥିଲେ ତତେ ନିଶ୍ଚେ ଧରି ଆଣିଥାନ୍ତି । ଆମର ପତ୍ର ପଡ଼ିଲା ବେଳକୁ ଶ୍ୟାମା ମତେ କହିଲା, ‘ଉଦଭାଇ, ଶ୍ରୀକଣ୍ଠବାବୁ ଆସିଛନ୍ତି, ଚିତ୍ର ଆଙ୍କୁଛନ୍ତି ସେଣେ, ତାଙ୍କୁ ଡାକିବନି ?’ ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ପତ୍ରସବୁ ବଢ଼ାହୋଇଛି । ସମସ୍ତେ ତତେ ଅପେକ୍ଷା କରିଛନ୍ତି । ଆ ଭାଇ । ଆଉ ଏଣୁ ତେଣୁ କହନା ମତେ ।’’

 

ଶ୍ରୀକଣ୍ଠ କ୍ଷଣକାଳ ଭାବିଲା । ତା’ପରେ ସଦ୍ୟାଙ୍କିତ ଚିତ୍ରଟିକି ଉଠାଇ ଆଣି ଉଦୟନ ହାତକୁ ବଢ଼ାଇଦେଲା । ଉଦୟନ ଚିତ୍ରଟି ଦେଖି ମୁଗ୍ଧ ନେତ୍ରରେ ନିରୀକ୍ଷଣ କରିବାକୁ ଲାଗିଲା । ଇତ୍ୟବସରରେ ଶ୍ରୀକଣ୍ଠ ନିଜକୁ ମୁକ୍ତ ଭାବି, ଯିବାର ଉଦ୍ୟମ ସ୍ଵରୂପ ବ୍ୟାଗକୁ କାନ୍ଧରେ ପକାଇ ପକାଇ କହିଲା “ଦେଖ୍ ଭାଇ, ମଲ୍ଲିର ଜନ୍ମ ଦିନରେ ଏଇଟି ମୋର ଉପହାର ଓ ପ୍ରତିନିଧି । ଦି’ଟା ଭାତ ଖାଇବା ଅପେକ୍ଷା ଏଇ କ’ଣ ମଲ୍ଲିକା ପ୍ରତି ମୋର ଉତ୍କୃଷ୍ଟତର ଆଶୀର୍ବାଦ ନୁହେଁ ? ମାଉସୀଙ୍କୁ ସେୟା କହିଦେବୁ । ମୁଁ ଯାଇଥାନ୍ତି ଭାଇ ! କିନ୍ତୁ ପୁଞ୍ଜି-ଉଦ୍ଧତ ବଜୟପ୍ରସାଦ କାନୁନଗୋ ଆଉ ଦରିଦ୍ର ଆର୍ଟିଷ୍ଟ୍‍ ଶ୍ରୀକଣ୍ଠର ଆସନ ଏକତ୍ର ହୋଇ ନ ପାରେ ଭାଇ !’’

 

ୟା କହୁ କହୁ, ଉଦୟନ ଏଇ ଅଭିମାନର କାରଣ ପଚାରିବାର ଅବସର ମଧ୍ୟ ନ ପାଉଣୁ, ଶ୍ରୀକଣ୍ଠ, ପାଖରେ ଥିବା ସାଇକେଲଟି ଉଠାଇ କ୍ଷିପ୍ରପଦରେ ଚାଲିବାକୁ ଆରମ୍ଭ କଲା । ଉଦୟନ ଦେଖିଲା, ବର୍ତ୍ତମାନ ଆଉ ଯୁକ୍ତିତର୍କ କରି କିଛି ଲାଭ ନାହିଁ । ଚିତ୍ରଟି ଧରି ସେ ପିକ୍‍ନିକ୍‍ ଆଡ଼କୁ ଫେରିଲା । କିନ୍ତୁ ଆସିବାବେଳର ମନର ଲଘୁତା ଆଉ ତା’ର ନ ଥିଲା । ତା’ର ମନ ବର୍ତ୍ତମାନ ଅତ୍ୟନ୍ତ ଭାରି । ପିକ୍‍ନିକ୍‍ ପାଇଁ ସମସ୍ତ ଉତ୍ସାହ ଯେପରି ସହସା ଉଭେଇଗଲା । ଅଧାବାଟରେ କିନ୍ତୁ ନିର୍ଜନ ସ୍ଥାନ ଦେଖି ଠିଆହୋଇ ଚିତ୍ରଟିକୁ ଆଉ ଥରେ ଭଲ କରି ଦେଖିନେବାର ଲୋଭ ସେ ସମ୍ଭାଳିପାରିଲା ନାହିଁ । ସେ ମନେକଲା, ସେ ଚିତ୍ରରେ ତା’ର ଭଉଣୀ ତ ନାହିଁ, ସେ ଚିତ୍ରକରର ତୂଳିକାରେ ରୂପାନ୍ତର ଓ ଜନ୍ମାନ୍ତର ପାଇ ହୋଇଛି ଏକ ସାର୍ବଜନୀନ, ନିଖିଳ-ଲୋକଲୋଚନର ଆନନ୍ଦଦାୟିନୀ କୌଣସି ଏକ ରୂପସୀ ନାରୀ । ପ୍ରକୃତିର କୋଳରେ ଆଶ୍ରୟ ନେଇଛି ଯେପରି ଏକ ସଦ୍ୟସ୍ଫୁଟ ଅନାଘ୍ରାତ ରୂପ-ପୁଷ୍ପ । ସେ ନାରୀ । ସେ ମୋହିନୀ ।

 

(୬)

 

ଉଦୟନ ଯେତେବେଳେ ଫେରିଲା, ସେତେବେଳକୁ ସମସ୍ତେ ଧାଡ଼ି ହୋଇ ଖାଇବା ପାଇଁ ବସି ସାରିଲେଣି । କେତୋଟି ବ୍ୟଞ୍ଜନ ଆଉରି ପରଷା ହେଇନି; କିନ୍ତୁ ବେଳ ଗଡ଼ିଗଲାଣି, ସମସ୍ତେ କ୍ଷୁଧାତୁର ହୋଇଉଠିଲେଣି । ଯାହା ମିଳିଗଲା, ତାକୁଇ ଶୀଘ୍ର ଶୀଘ୍ର ଉଦରସ୍ଥ କରିବାର ତୀବ୍ର ଇଚ୍ଛା ସମସ୍ତଙ୍କର । ସମସ୍ତେ ଅନେଇଛନ୍ତି ବିଜୟ ହାତକୁ । ସେ ଆରମ୍ଭ କଲେ, ଅନ୍ୟ ସମସ୍ତେ ଆରମ୍ଭ କରିବେ । ହୁଣ୍ଡା ବଳରାମ ସାହୁ ଦୁଇ ତିନି ଥର ଡାକି ବି ଦେଲାଣି–‘କିରେ ଆରମ୍ଭ କରୁନା କାହିଁକି ? ଉଦୟନ ଆସିଲେ ଖାଇବନି ? ତା’ ପାଇଁ କ’ଣ ରହୁନି କିଛି ?” କିନ୍ତୁ ଉଦୟନର ମା’ ପରଷିବାର ମଝିରେ ମଝିରେ ଉଦୟନର ପଥକୁ ଚାହୁଁଥିବାରୁ ସମସ୍ତଙ୍କର ଉତ୍ସାହର ସ୍ରୋତ ବାଧା ପାଇ କେବଳ ଉଛୁଳିଉଠୁଛି ।

 

ଉଦୟନ-ମା “ଖା, ଏଥର ଖା” ବୋଲି କହୁଛନ୍ତି, ଏଇ ସମୟରେ ଉଦୟନ ଜଙ୍ଗଲ ଭିତରୁ ବାହାରିଲା । ଧରିଛି ସେ ଶ୍ରୀକଣ୍ଠର ଅଙ୍କା ଚିତ୍ରଟି । ଶ୍ରୀକଣ୍ଠକୁ ସାଥିରେ ନ ଆଣି ଏକା ଫେରିଥିବାରୁ ଅକୃତକାର୍ଯ୍ୟତାର ମଳିନ ଛାୟା ତା’ ମୁହଁରେ ପଡ଼ିଥିଲା । ତା’ର ଚାଲିରେ ବେଗ ନାହିଁ ।

 

ମା’ଙ୍କ ଆଦେଶରେ ବିଜୟ ସହିତ ଅଧେ ଅତିଥି ଖାଇବା ଆରମ୍ଭ କରିସାରିଲେଣି, ଯଦିଓ ସେମାନେ ଦେଖୁଥିଲେ ଅଦୂରରେ ଉଦୟନ ଆସୁଥିବାର । କେବଳ ପ୍ରଭୁପାଦ ସୋତ୍‍କଣ୍ଠ ଦୃଷ୍ଟିରେ ଅନାଇ ରହିଥାଏ । ଅନାଇ ମଧ୍ୟ ରହିଥାନ୍ତି ଅଦୂରରେ ଶ୍ୟାମା, ମଲ୍ଲିକା ଓ ଯୂଥିକା ।

 

ଉଦୟନ ନିକଟକୁ ଆସିଲା । ଆସୁ ଆସୁ ଅନାକାଂକ୍ଷିତ ପ୍ରଶ୍ନୋତ୍ତରକୁ ଆଗରୁ ଆଡ଼େଇରଖିବା ପାଇଁ କହିପକାଇଲା, “ମା’ ! ସେ ଚାଲିଗଲା । କହିଲା, ତା’ର କଟକରେ କାମ ଅଛି, ସେ ରହିପାରିବନି ।’’ ବଳରାମ ସାହୁ ଚର୍ବିତ ଖାଦ୍ୟ ଭିତରେ ଅଟ୍ଟହାସ କରି ଡାକ ଛାଡ଼ିଲା, “ହାତରେ ସେଇଟା କ’ଣ ? ନ ଆସିବାର ଜୋରିମାନା ଆଦାୟ କରି ଆଣିଛୁ ?” ‘ସେଇଟା କ’ଣ’, ‘ସେଇଟା କ’ଣ’ ବୋଲି ସମସ୍ତଙ୍କ ଭିତରେ ଟିକିଏ ଚାଞ୍ଚଲ୍ୟ ପଡ଼ିଗଲା । ଉଦୟନ ଏତେବେଳକୁ ଟିକିଏ ଲଣ୍ଡଭଣ୍ଡ ହୋଇସାରିଲାଣି । ସେ ଚିତ୍ରଟିକି ମା’ଙ୍କ ହାତକୁ ବଢ଼ାଇଦେଇ ଗୋଟିଏ ଖାଲି ପତ୍ର ଥିଲା ପ୍ରଭୁପାଦ ପାଖରେ, ସେଇଠି ବସିପଡ଼ିଲା କହି କହି ଯେ ‘ମୋ ପେଟ କାମୁଡ଼ିଲାଣି, ମତେ ଆଉ ଏଇକ୍ଷଣି କିଛି ପଚାରନା’ ।

ମା’ ଛବିଟି ଦେଖିଲେ । କିଛି କହିଲେ ନାହିଁ । ବଢ଼ାଇଦେଲେ ଶ୍ୟାମା ହାତକୁ । ଶ୍ୟାମା ମୃଦୁ ମୃଦୁ ହସରେ ତା’ର ବଦନମଣ୍ଡଳକୁ ଉଚ୍ଛ୍ଵସିତ କରି ଛବିଟିକି ଦେଖି ଦେଖି ମଲ୍ଲିକାକୁ ଦେଖାଇଲା । ମଲ୍ଲିକା ଦେଖି ନ ଦେଖିଲା ପରି ଯୂଥିକାକୁ ବଢ଼ାଇଦେଲା । ଯୂଥିକା ଛବିଟି ଯେମିତି ପାଇଛି, ଶିଶୁହରିଣୀପରି ‘ଅପାର କିମିତି ବଢ଼ିଆ ଛବି, ଅପାର କିମିତି ବଢ଼ିଆ ଛବି’ କହି ଲମ୍ଫ ଦେଇ ଚାରିଆଡ଼େ ଡେଇଁବାକୁ ଲାଗିଲା । ତା’ର ଚିତ୍କାର ଓ ଡିଆଁଡେଇଁରେ ଖାଇବା ଛାଡ଼ି ସମସ୍ତେ ତା’ରି ଆଡ଼କୁ ଅନାଇ ରହିଲେ । ବଳରାମ ଆଉ ଧୈର୍ଯ୍ୟ ଧରିପାରିଲାନି । ସେ ଖାଇବା ଛାଡ଼ି ହିଁ ଧାଇଁ ଯାଇ ଯୂଥିକାଠୁ ଛବିଟି ଛଡ଼ାଇ ଆଣିଲା ‘ଆମେ ଟିକିଏ ଦେଖୁନା’ କହି କହି ।

ଛବିଟି ବର୍ତ୍ତମାନ ଭୋଜନରତ ବନ୍ଧୁମାନଙ୍କ ଭିତରେ ହାତକୁ ହାତ ବଦଳ ହୋଇ ଗତି କରିବାକୁ ଲାଗିଲା । ପ୍ରତ୍ୟେକ ଚାହୁଁଥିଲେ ଛବିଟିକୁ ଆଉରି. ଆଉରି ଦେଖିବାକୁ; କିନ୍ତୁ ଗୋଟିଏ ଅବିବାହିତା ବାଳିକାର ଛବି ପ୍ରତି ଦୁର୍ବଳତା ଦେଖାଇବାର ଲଜ୍ଜା କେହି ଚାହୁଁ ନ ଥିଲେ, ସମସ୍ତେ ଦେଖାଇହେବାକୁ ଚାହାନ୍ତି ନିଜର ସଂଯମ, ନିଜର ନିର୍ବିକାରତା ପୁଣି ଏତେ ଲୋକଙ୍କର ଆଗ୍ରହିତ ଚକ୍ଷୁର ଭାରା ମଧ୍ୟ ସାମାନ୍ୟ କେତୋଟି ମୁହୂର୍ତ୍ତରେ ଅସହ୍ୟ ବୋଧ ହେଉଥିଲା । ଏଇ କ୍ରମେ ପ୍ରତ୍ୟେକର ଅକାଂକ୍ଷାକୁ ଅର୍ଦ୍ଧପୋଷିତ ତୀବ୍ରତାରେ ଛାଡ଼ି ଦେଇ ଛବିଟି ପହଞ୍ଚିଲା ବିଜୟ ପାଖରେ । ସମସ୍ତେ ହସିଲେ । ଦୁଇପାଖର ବନ୍ଧୁମାନେ ତା’ ଦିହରେ ଅଲକ୍ଷରେ ଟିପ ମାରିଲେ । ବିଜୟ କିନ୍ତୁ ଛବିଟିରେ ସାମାନ୍ୟ ଦୃଷ୍ଟି ଦେଇ “କଣ’ ଗୋଟାଏ ଆଙ୍କିଛି, ସେ’ଟା ଜାଣେ କ’ଣ” କହି ଛବିଟିକୁ ଅନ୍ୟ ହାତକୁ ଫେରାଇଦେଲା । ଅନ୍ୟମାନେ ଚୁପ୍ ରହିଲେ । ଜଣେ ଚାଟୁକାର କହିଲେ “ତା ନୁହେଁ ଆଉ କ’ଣ ? କଲିକତାର ଜଣାଶୁଣା ଆର୍ଟିଷ୍ଟ୍‍ଙ୍କ ସଙ୍ଗେ ୟାର କ’ଣ ତୁଳନା ହୋଇପାରେ !”

ସମର୍ଥନଲାଭରେ ଉତ୍ସାହିତ ହୋଇ ବିଜୟ ଚିତ୍କାର କରିଉଠିଲା, “ତାପରେ, ପରମିସନ ନ ନେଇ ଜଣେ ଅନମାରିଡ଼୍‍ ଗାର୍ଲର ଛବି ଆଙ୍କିବାର ଅଧିକାର ତାକୁ ଦେଲା କିଏ ? ବଜାରୀ, ଭାଗାବଣ୍ଡ୍‍ । ସେ ଛବି ବା ତମେ ଆଣିଲ କିପରି ?” ଶେଷୋକ୍ତ ବାକ୍ୟଟି ସେ ଉଦୟନ ଆଡ଼କୁ ଲକ୍ଷ୍ୟ କରି କହି ଏକ ଗ୍ରାସ ଖାଦ୍ୟ ପାଟିରେ ଭର୍ତ୍ତି କରିନେଲା, ଯେପରି କି ସେ ତା’ର ଶେଷ ସିଦ୍ଧାନ୍ତ ଦେଇସାରିଛି ।

ଉଦୟନ ଖାଦ୍ୟ ଛାଡ଼ି ଉତ୍ତର ଦେଲା, “ଶ୍ରୀକଣ୍ଠ ଆମର ବହୁ ଦିନରୁ ଜଣାଶୁଣା । ମଲ୍ଲି ଓ ଯୂଥିକୁ ସେ ବହୁଦିନୁ ଛୋଟ ଭଉଣୀ ଭଳି ଦେଖିଆସୁଛି । ତାକୁ ମୁଁ ଭଲ କରି ଜାଣେ । ତାକୁ ଭାଗାବଣ୍ଡ, ବଜାରୀ କହିବାର କୌଣସି କାରଣ ମୁଁ ଦେଖି ପାରୁନି ।”

ବିଜୟ କେବଳ ଗୋଟିଏ ବାକ୍ୟ କହିଲା, ‘‘ସେ ଯାହା ହେଉ ଅକୁହା ଅବୋଲା ଜଣେ ବାହାର ଲୋକ ଆସି ଘରଝିଅର ଛବି ଉଠେଇବ, ଏ’ଟା ଆମଘରେ ଅନ୍ତତଃ କେହି ସହି ପାରନ୍ତେ ନି ।’’

ବଂଶ ପ୍ରତି ଏଇ ଉତପ୍ରେକ୍ଷାରେ ଉଦୟନର ମୁଖ କ୍ରୋଧ, ବିରକ୍ତି ଓ ଲଜ୍ଜାରେ ଲାଲ ହୋଇଉଠିଲା । କିନ୍ତୁ ମଲ୍ଲିକାର ଜନ୍ମଦିନରେ, ଏଇ ଉତ୍ସବମେଳାରେ ଗୋଟାଏ କାଣ୍ଡ ଘଟାଇବା ଅକ୍ଷମଣୀୟ ଓ ଅସ୍ପୃହ୍ୟ ଜାଣି ସେ ନିଜକୁ ସଂଯତ କରିନେଲା । ମନେ ମନେ ହୁଏତ ଥରେ ଏକ କ୍ଷୀଣ ଭାବନା ଉଠିଥିଲା, “ଏ ବିଭାଘରର କଳ୍ପନା ନ ଥାନ୍ତା କି !”

 

ଏଇ ବାକ୍‍ବିତଣ୍ଡା ଭିତରେ ପ୍ରଭୁପାଦ କିନ୍ତୁ ଅତ୍ୟନ୍ତ ନିରୁଦ୍‍ବିଗ୍ନ ହୋଇ ମଲ୍ଲିକାର ଛବିଟିକୁ ଦେଖିବାରେ ଲାଗିଛି । ସେ ଖାଇବା ଛାଡ଼ିଦେଇଛି । ସେ ଭୁଲିଯାଇଛି ତା’ର ପରିବେଶକୁ, ତା’ର ବାହାର ଜଗତକୁ । କ’ଣ ଘଟିଯାଉଛି, କି କଥାବାର୍ତ୍ତା, ବଚସା ଚାଲିଛି, ତାହା ସେ ଜାଣିପାରୁନି । ସେ ପତା ନ ପକାଇ ଦୁଇଟିଯାକ ଆଖିରେ ଚାହିଁରହିଛି ସେଇ ସୁନ୍ଦର ପ୍ରତିମାଟିକୁ । ସେ ବୁଝେନା ଆର୍ଟ, ବୁଝେନା ସାମାଜିକ ଆଦବକାଇଦା । ସେ କେବଳ ସମ୍ମୁଖରେ ଦେଖୁଛି; ରୂପର ସମସ୍ତ ସ୍ଵପ୍ନ ଯେପରି ଠୁଳୀଭୂତ ହୋଇ ତା’ ସମ୍ମୁଖରେ ଥୁଆ ହୋଇଛି । ମଲ୍ଲିକାର ପ୍ରତ୍ୟେକଟି ଅଙ୍ଗ ଅଲଗାରେ ଓ ଯୁକ୍ତରେ ତାକୁ ମୁଗ୍ଧ କରୁଛି । ସେ କେଶ, ସେ ଆଖି, ସେ ଗଣ୍ଡ, ସେ ଓଷ୍ଠ, ସେ ଭ୍ରୂଲତା–କାହାକୁ ସେ ସୁନ୍ଦର କହିବ, କାହାକୁ ବା କହିବନି ? ମନୁଷ୍ୟ ରୂପ କି ଏଡ଼େ ସୁନ୍ଦର, ଏଡ଼େ କମନୀୟ ହୋଇପାରେ ? ତା’ର ଦେଖାରେ ସମାଲୋଚନାର କଳ୍ପନାହିଁ ନାହିଁ, ତା’ର ସମଗ୍ର ଦୃଷ୍ଟି ହିଁ ଏକ ନିବିଡ଼ ଉପାସନା ।

 

ପାଖରେ ବସିଥିବା ଅତିଥି ଛବି ଛଡ଼ାଇ ନେଇଗଲେ । କହିଲେ, “କିଓ ପଛେ ଦେଖିଲେ ହେବନି, ଆଗ ଖାଇନିଅ ।” ପ୍ରଭୁପାଦର ନିଦ୍ରାଭଙ୍ଗ ହେଲା । ଠିକ୍ ଏଇ ସମୟରେ ଉଦୟନର ମା’ ପାୟସ ହସ୍ତରେ ଉପସ୍ଥିତ ହୋଇ ‘ବାପା କିଛି ଖାଉନା ଯେ, ଏଇ ପାୟସ ଟିକିଏ ଚାଖିଲ, ଆଉ ଦିଏ, ଆଉ ଟିକିଏ ନିଅ’ କହି କହି ପ୍ରଭୁପାଦକୁ ଏକ ସଙ୍କଟମୟ ମାନସିକ ଗଣ୍ଡଗୋଳରୁ ରକ୍ଷା କରିନେଲେ ।

 

ଖିଆପିଆ ସରିଗଲା । ସମସ୍ତେ ଚାଲିଲେ ନଈରେ ହାତ ଧୋଇବାକୁ ! ବାଟରେ ବଳରାମ ପାଟିକରି କହୁଥାଏ, “ଛୋଟମାଛର ଖଟାଟାହିଁ ସବୁଠୁ ବଢ଼ିଆ ହୋଇଥିଲା । ଆମେ ଧରିଲୁ ବୋଲି ସିନା ସେତକ !”

 

ଉଦୟନ ମିଶେଇ ନେଲା, “ପ୍ରଭୁର ମିଠା ବି ବଢ଼ିଆ ହୋଇଥିଲା ଯେ ! ସେତକ ନ ଆସିଥିଲେ ଭୋଜିଟା ପୂର୍ଣ୍ଣ ହୋଇ ନ ଥାନ୍ତା । ଜୟୁ ପ୍ରଭୁପାଦକୀ ଜୟ ।’’ ସମସ୍ତେ ପ୍ରଭୁପାଦର ଜୟ ଘୋଷଣା କଲେ ଉତ୍ସାହରେ ।

 

ବିଜୟପ୍ରସାଦ କିନ୍ତୁ ସମସ୍ତଙ୍କ ପଛରେ ଗମ୍ଭୀର ହୋଇ ଠିଆରହିଲା କେତେ କ୍ଷଣ । ତା’ପରେ ହଠାତ୍ ଚାକରକୁ ଡାକି କହିଲା, “ପାଣି ଲୋଟାଏ ଆଣି ଦେ’ ତ । ମୋର ଏ ପଲଙ୍କ ସାଥିରେ କିଏ ଆଉ ଯାଉଛି ।’’ ସେ ସେଇଠାରେ ମୁହଁ ଧୋଇନେଲା ତା’ର ବଂଶ ଓ ବ୍ୟାଙ୍କ-ବକୟାର ମାନ-ପତାକାକୁ ଉଡ୍‍ଡୀୟମାନ ରଖି ।

 

ନଈରୁ ଫେରି କେତେକ ପୁଣି ଅଦୂରରେ ବିଛା ହୋଇଥିବା କାର୍ପେଟ ବା ସତରଞ୍ଜି ଉପରେ ଅଳସରେ ଗଡ଼ିଗଲେ, କେତେକ ପାନ ମସଲା ଖାଇ ଏଣେ ତେଣେ ଟହଲ ମାରିଲେ, କେତେକ ବଣ ଭିତରକୁ ଗଲେ କୌଣସି ସନ୍ତୋଷଦାୟୀ ଆକସ୍ମିକର ଅଶାରେ, କେତେକ ମନ୍ଦିରର ଖୋଲା ମଣ୍ଡପ ଉପରେ ଯାଇ ବସିଲେ । ଉଦୟନ ଓ ପ୍ରଭୁପାଦ ସେଇ ମଣ୍ଡପୀ ଦଳ ଭିତରେ ଥିଲେ । କିଛି ସମୟ ବସିବା ପରେ ଉଦୟନ ପ୍ରସ୍ତାବ କଲା, ଯିବା ପୂର୍ବରୁ କିଛି ସଙ୍ଗୀତ ହେଉ । ବଳରାମ ନେଇଆସିଲା ଯାଇ ହାରମୋନିୟମ, ଉଦୟନ ଆଗରେ ଥୋଇଦେଲା ବଜେଇବାର ଇଙ୍ଗିତ ଦେଇ, ନିଜେ ଧରିଲା ବଂଶୀ । ଧୀରେ ଧୀରେ ଗୋଟିଏ ଯୋଡ଼ିଏ ପରିଚିତ ସୀନେମା ଗୀତର ଗତଗୁଡ଼ିକ ହିଁ ଦୁହିଁଙ୍କ ଯନ୍ତ୍ରରେ ବାଜି ଉଠି ମଧୁର ଧ୍ଵନିର ଲହରୀମାଳାରେ ନିର୍ଜନ ଦ୍ଵୀପର ଶାନ୍ତ ବନସ୍ଥଳୀକୁ କମ୍ପିତ କରିବାକୁ ଲାଗିଲା । କ୍ରମେ ସତରଞ୍ଜି କାର୍ପେଟ୍‍ ଛାଡ଼ି ଆଉ କେତେକ ଅତିଥିବି ଆସି ଜୁଟିଲେ । ତେଣେ ଉଦୟନ ଜନନୀ ଝିଅ ଓ ଅବଶିଷ୍ଟ ଅତିଥିମାନଙ୍କୁ ଖୁଆଇ ନେବାରେ ବ୍ୟସ୍ତ । ଭୃତ୍ୟ ଅଇଁଠାପତ୍ର ଗୋଟାଇବାରେ ଓ ଦୁଇ ତିନି ନବାଗତ କୁକୁରକୁ ଘଉଡ଼େଇବାରେ ବ୍ୟସ୍ତ, ପୂଜାରୀ ଓ ଚାକରମାନଙ୍କର ଅକାରଣ କୁହାଟରେ ସେ ଅଞ୍ଚଳଟି ଅଳ୍ପ ମୁଖ ସତ୍ତ୍ୱେ ବହୁ ମୁଖର ।

 

ହଠାତ୍‍ ଉଦୟନ ଧରିବସିଲା, “ପ୍ରଭୁ, ଗୀତଟିଏ ଗାଅନା ।” ପ୍ରଭୁପାଦ ସେଇ ମଣ୍ଡପ ଉପରେ ନୀରବରେ ଚିତି ହୋଇ ଶୋଇଥାଏ, ବାହାରକୁ ବନ୍ଧୁମାନଙ୍କର କଥୋପକଥନ ବା ସଙ୍ଗୀତ ଶୁଣୁଥିଲା ପରି । କିନ୍ତୁ ସେତେବେଳେ ତା’ର ଯେଉଁ ଶାନ୍ତ ଅଳସଭଙ୍ଗୀ, ତା’ ସଙ୍ଗେ ତା’ର ମନର କୌଣସି ସମ୍ପର୍କଇ ନ ଥିଲା । ତା’ର ଧ୍ୟାନ ସେପର୍ଯ୍ୟନ୍ତ ମଲ୍ଲିକାର ଛବିକୁ ଛାଡ଼ି ଆସି ପାରି ନ ଥିଲା-। ଜୀବନ୍ତ ମଲ୍ଲିକା ଅଦୂରରେ ଖାଉଚି, ବସୁଛି, ଯିବା ଆସିବା କରୁଛି । ପ୍ରଭୁପାଦ ସେ ସମାଜିକ ଜୀବକୁ ଲାଜରେ ଚାହିଁବି ଚାହିଁପାରୁନି । ତା’ପରେ ସେ ଜାଣେ ଯେ ତାହା ପରଦ୍ରବ୍ୟ । ବିଜୟପ୍ରସାଦର ଅଧିକାର ବିଷୟରେ ସେ ସଚେତନ । କିନ୍ତୁ ତରୁଣ ନାରୀ-ସୌନ୍ଦର୍ଯ୍ୟ ତରୁଣ ପୁରୁଷ ଚିତ୍ତରେ ସାମାଜିକତା, ନୈତିକତା, ଦେଶ-କାଳ-ପାତ୍ରର ବାଧା ଓ ବଧିନିଷେଧକୁ ଡେଇଁ ଯେଉଁ ଉତ୍‍ପ୍ଳାବନ ସୃଷ୍ଟିକରେ, ସେଇ ବନ୍ୟାରେ ବର୍ତ୍ତମାନ ପ୍ରଭୁପାଦର ସମଗ୍ର ଚିତ୍ତ ସମୁଦ୍ରାୟିତ । ତା’ର ଚିତ୍ତର ଦୁଷ୍ଟି ଯେତେ ଆଡ଼େ ଯେଉଁ ଦିଗକୁ ଯାଉଛି, ସେ ଦେଖୁଛି ସର୍ବତ୍ର କେବଳ ସେଇ ରୂପର ସଂପ୍ରସାରିତ ନାରୀନର୍ତ୍ତନ । ବିଚାରା ପ୍ରଭୁପାଦ ପ୍ରାଣାନ୍ତ ଚେଷ୍ଟା କରି ମଧ୍ୟ ତା’ର ଚେତନାକୁ ସେଇ ଓତଃପ୍ରୋତ ରୂପାଭିନୟରୁ ଛଡ଼ାଇ ଆଣିପାରୁନି । ସେ ଅଳସଭଙ୍ଗିରେ ଶୋଇଛି, କିନ୍ତୁ ତା’ର ଅନ୍ତରରେ ଚାଲିଛି ତାଣ୍ଡବମୟ ବିପ୍ଳବ ।

 

ଉଦୟନର ଅନୁରୋଧରେ ହଠାତ୍ ପ୍ରଭୁପାଦ ବାହାର ଜଗତକୁ ଫେରିଆସିଲ ଯେପରି-। ସେ ବିସ୍ମିତ ହୋଇ କହିଲା, “ମତେ କହୁଛୁ ଗାଇବା ପାଇଁ ! ପାଗଳ ନାଁ କ’ଣ, ମୁଁ କି ଗୀତ ବୋଲି ଜାଣେ ? ଶ୍ୟାମା ହେରିକା ଖାଇସାରନ୍ତୁ, ତାଙ୍କରିଠାରୁ ଗୀତ ଶୁଣିଲେ ସାର୍ଥକତା ଅଛି-।’’ ଉଦୟନ କିନ୍ତୁ ତା’ର ଅନୁରୋଧ ବ୍ୟର୍ଥଯିବାର ପରାଜୟ ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହେଁ । ସେ ବର୍ତ୍ତମାନ ପ୍ରଭୁପାଦ କିପରି ଗୀତ ଗାଇଜାଣେ, କି ସୁନ୍ଦର ପୁରୁଷୋଚିତ କଣ୍ଠ ତା’ର, ତା’ର ଗୀତଗୁଡ଼ିକ କିପରି ଦେଶାତ୍ମକ ଗଭୀରଭାବମୂଳକ, ଏସବୁ ବିଷୟ ନେଇ ଏକ କ୍ଷୁଦ୍ର ବକ୍ତୃତା ଆରମ୍ଭ କରଦେଲା ବନ୍ଧୁମାନଙ୍କ ଆଗରେ । ଆଉ କି ଛାଡ଼ନ୍ତି ସେମାନେ ? ପ୍ରଭୁପାଦର ତପୋଭଙ୍ଗ ହେବାକୁ ବେଶି ସମୟ ଲାଗିଲା ନାହିଁ । ବଳରାମ ଦ୍ରୁତ ନିଜ ସ୍ଥାନକୁ ଉଠି ପ୍ରଭୁକୁ ଶୋଇବାରୁ ଉଠାଇ ସିଧା ବସାଇଦେଲା । ସମସ୍ତେ ଧରିବସିଲେ ଗାଇବାକୁ ହେବ ।

 

ପ୍ରଭୁ ଗାଇବାର କ୍ଵଚିତ୍‍ ଲୋକ ଜାଣନ୍ତି । ସେ ଆଦୌ ସାଙ୍ଗିତିକ ନୁହେଁ । ସଙ୍ଗୀତର କୌଣସି ଚର୍ଚ୍ଚା ହିଁ ତା’ର ନାହିଁ । ତା’ର ଶିକ୍ଷକ-ପିତା ତାକୁ ଉପାସନାର ଗାନ ବୋଲେଇବାରେ ତା’ର କଣ୍ଠର କମନୀୟତା ଧରାପଡ଼େ । ତା’ର ଗାନର ପ୍ରେରଣା ଭାରତୀୟ ସଙ୍ଗୀତ ବିଜ୍ଞାନର ଅବୋଧ୍ୟ, ଦୁର୍ବୋଧ୍ୟ ଓ ଅନାବଶ୍ୟକ ଚଷୁକୁଟାରୁ ଆସେନା, ତାହା ଆସେ ଅନ୍ତରର ପ୍ରେରଣାରୁ । ଜନତାର ବାହାବା ପାଇଁ ସେ କେବେ ଚେଷ୍ଟା କରିନି, ସେ ଗାଏ ଆପଣା ଆତ୍ମିକ ପ୍ରୟୋଜନରୁ । ତେଣୁ ସେ ନିଜେ ନିଜେ ଗାଏ ଅଧିକା°ଶ ବେଳେ, ଖୁବ୍ କ୍ଵଚିତ୍‍ ଗାଏ କେବେ କେବେ ନିକଟ ବନ୍ଧୁମହଲରେ । ଉଦୟନ ଏଇ କେତୋଟି ଭାଗ୍ୟବାନଙ୍କ ଭିତରୁ ଜଣେ ଥିବାରୁ ସେଇ କେବଳ ଜାଣିଥିଲା ଯେ ପ୍ରଭୁ ସୁନ୍ଦର ଗୀତ ଗାଏ । ପ୍ରଭୁ ପ୍ରକୃତରେ ଗାଏ, ଗାଏ ଯେପରି ପୁରୁଷ ପକ୍ଷୀ କେବଳ ତା’ର ପ୍ରିୟ ପକ୍ଷିଣୀକି ଡାକିବାର ଆନନ୍ଦରେ । ତା’ର ଗାନର ପ୍ରକାଶ, ତାଳ ଲୟର ଅନୁଶାସନ ମାନି ତା’ର ସହଜ, ଲୀଳାୟିତ, ସ୍ଵାଭାବିକ ମାଧୁର୍ଯ୍ୟ ହରାଇ ନ ଥାଏ, ତେଣୁ ହିଁ ତାହା ସ୍ପର୍ଶ କରେ ପ୍ରାଣ, ଯଦିଓ କୌଣସି କସ୍‍ରତ୍‍ବାଲା ଓସ୍ତାଦ୍ ଆଖିରେ ତା’ର ଗାନର ସ୍ଵାଭାବିକ କୋମଳ ଲାବଣ୍ୟର କୌଣସି ମୂଲ୍ୟ ନ ଥିଲା, ଯେହେତୁ ସେଥିରେ ନ ଥାଏ ଜିମ୍ନାଷ୍ଟିକ୍‍ର ଚମତ୍କାରିତା ଓ ମାଂସପେଶୀର ପ୍ରଦର୍ଶନୀ ।

 

ପ୍ରଭୁ ଶେଷରେ ମୌନ ହୋଇ ବସିଲା, ଥରେ ଦୁଇଥର ଗଳା ବି ଖଁକାରିନେଲା । ସମସ୍ତେ ଅନେଇ ରହିଛନ୍ତି ତା’ ମୁହଁକୁ । ଏଇ ଗାନ ଆରମ୍ଭ ହେଲା ପରା ! କିନ୍ତୁ ତା’ ମନ ଭିତରେ ବର୍ତ୍ତମାନ ଦ୍ଵିତୀୟ ସାଇକ୍ଲୋନ ବୋହିଯାଉଛି । ମଲ୍ଲିକା ଯେ ଏଇ ଅଦୂରରେ । ସେ ଅନେକବାର ତାକୁ ଦୂରରୁ ଦେଖିଛି । ଆଜି ଏଇ ସ୍ଥାନରେ ତା’ର ସ୍ଵପ୍ନର ପ୍ରତିମା ଏଇ ପାଖରେ । ପରସ୍ପର ପରସ୍ପରର ପରିଚୟର ସୀମା ଭିତରକୁ ଆଜି ହିଁ ଅସିଛନ୍ତି । ସେ ଚାହେଁ ଏତିକିମାତ୍ର ଯେ ଯେଉଁ ପୂଜା ସେ ଦୂରରୁ ଅଜ୍ଞାତରେ ଦେଇଆସିଛି, ତାହା ବାହାରକୁ ଜଣାପଡ଼ି ପଛେ ପ୍ରସାଦ ନ ପାଉ, ବରଂ ଅବଜ୍ଞାତ ନ ହେଉ । ମଲ୍ଲିକାର କାଳ୍ପନିକ ପ୍ରତିମା ନିକଟରେ ପୂଜାରୀ ପ୍ରଭୁପାଦ ବରାବର ନିଜକୁ ଭାବିଥାଏ ଏକ ଅପଦାର୍ଥ, ରୂଢ଼, ଋକ୍ଷ ଟେକା ପଥର, ଯାହା ଉପରେ ପାଦ ଦେବାକୁ ମଧ୍ୟ ତା’ର ସେଇ ସ୍ଵପ୍ନପ୍ରତିମା ଇଚ୍ଛା କରିବ ନାହିଁ । କିଏ ଜାଣେ ଆଜିର ଏଇ ଗାନର ରୂଢ଼ ଅପାରଗତା ଭିତରେ ତା’ର ସେଇ ଆଶଙ୍କା ଏକାବେଳକେ ମୂର୍ତ୍ତି ଧାରଣ କରିବ । ତା’ର ଗାନର ଅକୃତକାର୍ଯ୍ୟତା ଭିତରେ ଯେଉଁ ଇତରତା ଓ ନଗଣ୍ୟତା ପ୍ରକାଶିତ ହେବାର ସେ ଆଶଙ୍କା କରୁଥିଲା, ତାହା ଯଦି ଚିରକାଳ ପାଇଁ ମଲ୍ଲିକାର ମାନସିକପୂଜାରୁ ତାକୁ ବଞ୍ଚିତ କରି ରଖେ ।

 

ଇ’ ଭିତରେ ଯେ ଗୁଡ଼ାଏ ସମୟ ବିତିଗଲାଣି, ପ୍ରଭୁର ଖିଆଲ ନାଇ । ହଠାତ୍ ବଳରାମ କହିଉଠିଲା, “ମଲା, କୁ ତାନସେନ୍‍ ଗାଇବେ ଯେ, ଆମେ ଅଧଘଣ୍ଟେ ହେଲା ଅପେକ୍ଷା କରି ବସିଛୁ-। କିଓ, ସମସ୍ତେ ଖାଇସାରି ଯିବାକୁ ବାହାରିଲେଣି ଯେ ।’’

 

ପ୍ରଭୁ ସଚେତନ ହୋଇଉଠିଲା ପୁଣି । ସଙ୍କଟ ବେଳେ ଦୁର୍ବଳ ଓ ଅପାରଗ ମଧ୍ୟ ଯେପରି ଅନନୁଭୂତ ଶକ୍ତି ବୋଧ କରେ ଓ ଦେଖାଏ, ପ୍ରଭୁ ସେଇ ଶକ୍ତି ବର୍ତ୍ତମାନ ଅନୁଭବ କଲା । ତା’ର ସମସ୍ତ ମାନସିକ ଦ୍ଵନ୍ଦ୍ୱକୁ ଏକ ଖେପାରେ ଡେଇଁ ପଡ଼ି ସେ ଆରମ୍ଭ କରିଦେଲା ତା’ର ଗାନ ଶାନ୍ତ, ଗମ୍ଭୀର, ଗଭୀର କଣ୍ଠରେ । ଉଦୟନ ମଧ୍ୟ ହାରମୋନିୟମ ଧରିଲା ପ୍ରଭୁକଣ୍ଠକୁ ପରିପୂରଣ ଯୋଗାଇବା ପାଇଁ ।

 

ଗୀତଟି ସହଜ, ଶାନ୍ତ, ନିରାଡ଼ମ୍ବର । ଓଡ଼ିଆରେ ଗୀତ କହିଲେ ଭାଷାକୁ ଯେମିତି ମୋଡ଼ି ମାଡ଼ି ସାପ କେଁଚୁଆ ପରି ଲମ୍ବା ଓ ବକ୍ରଗତି କରି ଥୋଇବାକୁ ହୁଏ, ଏଥିରେ ତାହା ନ ଥିଲା-। ଏହାର ଭାଷା ଆମର ଦୈନନ୍ଦିନ ଜୀବନର ଭାଷା ଏବଂ ଭାବ ଆମର ସାଧାରଣ ଅନୁଭୂତି-। ଏଇ ସାଧାରଣକୁ ଅସାଧାରଣ କମନୀୟତା ଦେଇପାରିଥିଲା, କୌଣସି ସ୍ଵରବିଜ୍ଞାନର କସରତ୍ ନୁହେଁ, କେବଳ ପ୍ରଭୁର ଉଦାର କଣ୍ଠଧ୍ୱନି ଓ ମର୍ମର ଅନୁଭୂତି ।

 

ପ୍ରଭୁର ଗୀତଟି ସହଜ ଭାଷାରେ ଏହିପରି–

 

କୃଷକ ତରୁଣ ଯାଉଥିଲା ଆନମନେ

ଚାଳିଦେଲା ଆଖି ସାଧବର ଜଗତିରେ

କି ମୋହନ ରୂପ ଗଲା ଦେଖା ତା’ ନୟନେ

ନ ଚଳିଲା ପଦ, ଥମିଲା ଭାବନା ଶିରେ ।

ସାଧବଝିଅ ସେ ସ୍ନାନସାରି ଖୋଲି ବେଣୀ

ହସି ମନ୍ଦ ମନ୍ଦ ରୂପ-ମୋତି ବିଞ୍ଚି ବିଞ୍ଚି

ବାତାୟନ ଖୋଲି ଚାଲୁଥିଲା ନେତ୍ରବେନି;

କୃଷକ କିଶୋର ଦେଲା କି ସଙ୍କେତ କିଛି ?

ସେ ଟୋକା କୃଷକ ବୃଥାରେ ବାତୁଳ ପରା

ତା’ ପାଇଁ ତ ନୁହେଁ ସେ ଚାରୁ କୋମଳ କର,

କାହିଁକି ସେ ଅଣ-ଆୟତ୍ତେ ପଡ଼ିଲା ଧରା,

ଅଲଭ୍ୟ ଆଶାରେ ଚିତ୍ତ କଲା ଜର ଜର ।

ସେଇ ଟାଣେ ଯାକୁ ନାହିଁ ପାଇବାର ଆଶା

କିପାଇଁ କା ଭାଲେ ଥାଏ ଏଇ ଅପମାନ,

ହୃଦ ଯାଏ ଫାଟି, ନାହିଁ ତୁଟେ ପ୍ରାଣୁ ତୃଷା,

ମିଳିବାର ଯାରେ ଆଶା ନାହିଁ, ତାରେ ଧ୍ୟାନ ।

 

ଗାନ ସରିଲା । ପ୍ରଭୁ ମୃଦୁ ମୃଦୁ ହସି ‘ଆଉ ଭାଇ ମତେ ଲଜ୍ଜା ଦିଅନା କହି’ ସେଠୁ ଉଠି ଦେଉଳର ଗୋଟିଏ ଅଦୃଶ୍ୟ କୋଣକୁ ପଳାଇଗଲା । ଚାରିଆଡ଼େ ଏକ ନିସ୍ତବ୍ଧତାର ଭାବ । ଏକେ ପ୍ରଭୁର ଗମ୍ଭୀର, ଉଦାର, ପୁରୁଷୋଚିତ କଣ୍ଠର ମାଧୁର୍ଯ୍ୟ ଶ୍ରୋତାମାନେ ପୂର୍ବେ କେବେ ଶୁଣି ନ ଥିଲେ, ଦ୍ଵିତୀୟରେ, ତା’ର ଗାନର ମର୍ମସ୍ପର୍ଶୀ ନୂତନ ଭାବଟି ଯେପରି ସମସ୍ତଙ୍କୁ କିଛିନା କିଛି ଭାବରେ ଅଭିଭୂତ କରି ପକାଇଥିଲା । ସାଧାରଣତଃ ଓଡ଼ିଆ ଗୀତମାନଙ୍କରେ କେବଳ ଥାଏ ରବାଡ଼ମ୍ବର, କେବଳ ଝଙ୍କାର ଓ ଟଙ୍କାର, କେବଳ ଅନର୍ଥକ ଏଣୁ ତେଣୁ ଗୁଡ଼ାଏ ଶବ୍ଦ; ପ୍ରଭୃର ଗୀତଟିର ଆତ୍ମା ଓ ସର୍ବସ୍ଵ ଥିଲା କେବଳ ତା’ର ଭାବଟି । ସମଗ୍ର ଗୀତଟି ଗୋଟିଏ ଛୋଟ, କରୁଣ ଆଖ୍ୟାୟିକା, ଯାହା ଆମ୍ଭମାନଙ୍କର ସାଧାରଣ ଜୀବନରେ ବରାବର ଘଟିବାର ଜାଣୁଁ । ଏହି ନିରାଡ଼ମ୍ବର ନୂତନତ୍ଵ ହିଁ ସେମାନଙ୍କୁ ଅଭିଭୂତ କରିଥିଲା । କିଛିକ୍ଷଣ ପାଇଁ ଚାରିଆଡ଼ ନୀରବ ନିଶ୍ଚଳ-। ଖନ୍ଦାର ଚାକର ପୂଝାରୀ ଯେପରି ଗୀତଟି ଶୁଣୁଥିଲେ ଓ ମର୍ମ ବୁଝୁଥିଲେ, ଗୀତଟି ମର୍ମକୁ ଛୁଇଁ ଥିବାରୁ କେହି ଯେପରି ଇତର ଭାବରେ ପାଟିତୁଣ୍ଡ କରି ସେହି ଶାନ୍ତ, କରୁଣ, ମଧୁର ଭାବଟିକୁ ଭାଙ୍ଗି ଦେବାକୁ ଚାହୁଁ ନାହାନ୍ତି ।

 

ମଲ୍ଲିକା ଓ ଶ୍ୟାମା ଅଧାଖିଆ ହୋଇଥିଲେ । ପ୍ରଭୁ ଗାଇଲା ଭିତରେ ସେମାନଙ୍କର ଖିଆ ଯେ ଏକାବେଳକେ ବନ୍ଦ ହୋଇ ଯାଇଥିଲା ତାହା ନୁହେଁ, କିନ୍ତୁ ପ୍ରାୟ ମନ୍ଦୀଭୂତ ହୋଇ ଆସିଥିଲା ଆପେ । ଗୀତଟି ଶେଷ ହେଲା ବେଳକୁ ମଲ୍ଲିକାର ଅନ୍ତରର ଅନୁଭୂତି ଯେପରି ଅଥୟ ହୋଇଆସିଲା । ଛୋଟ ଗାଡ଼ିଆରେ ପିଲେ ଟେକା ପକାଇ ତା’ର ପାଣିକୁ ଯେପରି ଅସ୍ଥିର କରି ଶତ ଶତ ଲହରୀ ସୃଷ୍ଟି କରନ୍ତି, ଯାହା ସର୍ବ କୂଳରେ ଯାଇ ବାରମ୍ବାର ଉପୁଚେଇ ହୋଇପଡ଼େ, ମଲ୍ଲିକା ମନେକଲା ପ୍ରଭୁର ଗୀତ ତା’ର ହୃଦୟଭିତରେ ଠିକ୍ ଯେପରି ସେଇପରି କାମ କରୁଛି ସେ ମନେକଲା ତା’ର ଅନ୍ତର ସଙ୍ଗେ ଏଇ ଗାନର ଯେପରି ଏକ ଗୂଢ଼, ନିବିଡ଼ ରହସ୍ୟମୟ ସମ୍ପର୍କ ଅଛି, ଯେଉଁ ସମ୍ପର୍କ ଥାଏ ଚନ୍ଦ୍ରକିରଣ ସଙ୍ଗେ ସମୁଦ୍ରପାଣିର । ଏପ୍ରକାର ଉଦବେଳନ ସେ ଯେପରି ଆଗରୁ କେବେ ଅନୁଭବ କରି ନ ଥିଲା । ମା ଯେତେବେଳେ ଦ୍ୱିତୀୟ ଥର ପାୟସ ବା ବ୍ୟଞ୍ଜନ ଆଣି ଯାଚିଲେ, ମଲ୍ଲି ବାରମ୍ବାର ନାହିଁ କରିଦେଲା, “ନାଇଁ ମା, ମୁଁ ଆଉ ଖାଇପାରିବିନି ।” ମା ବିସ୍ମିତ ହେଲେ, କହିଲେ, “କଅଣ ତୁ ଖାଇଲୁ ବା ! ତୋ’ରି ପାଇଁ ଏତେ କରିଥିଲି !” ଶ୍ୟାମା କିନ୍ତୁ ଉଠି ଯାଉଥିବା ସାଙ୍ଗକୁ ଭିଡ଼ି ଧରି ପୁଣି ବସେଇ ଆଉରି କିଛି ଖୁଆଇନେଲା । ମଲ୍ଲିକାର କ୍ଷୁଦ୍ର ତରୁଣ ହୃଦୟର ଆକସ୍ମିକ ବିପ୍ଳବ ସେଠି କାହାରି ପକ୍ଷରେ ବୁଝିବା ଅସମ୍ଭବ ଥିଲା; କାରଣ ତାହା ତା’ ନିଜ ପକ୍ଷରେ ମଧ୍ୟ ଥିଲା ଏପରି ଆକସ୍ମିକ ଓ ଅନନୁଭୂତ ।

 

ସମସ୍ତେ ଏଥର ଯିବାକୁ ଯୋଗାଡ଼ ହେଲେ । ଅତିଥିମାନେ ଯୋଡ଼ି ଯୋଡ଼ି ହୋଇ ବା ଏକା ଏକା ବୋଟ୍‍ ଉପରେ ଯାଇଁ ଉଠିଲେଣି । ଚାକର ପୂଜାରୀ ଜିନିଷପତ୍ର ଥୋଇବା ଆରମ୍ଭ କରିଦେଲେଣି । ଉଦୟନର ମା ତଦାରଖ କରୁଛନ୍ତି । କେଉଁ ଜିନିଷ ଗଲା, ନ ଗଲା, କିଏ ଆଉ ନ ଖାଇ ରହିଗଲାକି, ତରକାରୀପତ୍ର କ’ଣ ଘରକୁ ଫେରେଇ ନିଆଯାଇପାରିବ ଇତ୍ୟାଦି । ସେ କୌଣସି ଜିନିଷ ନଷ୍ଟ କରିବାକୁ ଦିଅନ୍ତି ନାହିଁ ।

 

ଇତ୍ୟବସରରେ ଶ୍ୟାମା, ମଲ୍ଲିକା ଓ ଯୂଥିକା ଶେଷଥର ପାଇଁ ଦେଉଳ ଚାରିପଟେ ବୁଲିଆସିବାକୁ ବାହାରି ଗଲେ । ବୁଲି ଦେଖୁଥାନ୍ତି ଦେଉଳର ଭଣ୍ଡାର ଚାରିପାଖର ମୂର୍ତ୍ତି, ରୋଷେଇଶାଳା ସମ୍ମୁଖର ଖୋଲା ମଣ୍ଡପ । ମଣ୍ଡପଟି ଉପରେ ଅନିର୍ଦ୍ଧିଷ୍ଟ ଭାବରେ ପାଦଚାରଣ କରି ତା’ରି ତଳୁ ଜଙ୍ଗଲ କିପରି ଢାଲୁ ହୋଇ ହୋଇ ଯାଇ ନଦୀଜଳରେ ମିଶିଛି ଏବଂ ନିମ୍ନର ନାନା ଗୁଳ୍ମ, ବନସ୍ପତିରେ କେତେ କିପରି ନାନା ବର୍ଣ୍ଣର ଅଜ୍ଞାତ ଫୁଲ ଓ ଲଟା, କେତେ ଅଜ୍ଞାତ ପକ୍ଷୀ, ବର୍ଣ୍ଣ, ଗନ୍ଧ, ଶବ୍ଦର ହାଟ ବସେଇଛନ୍ତି, ତାହା ସେମାନେ ଦେଖୁଥିଲେ । ଅର୍ଥୈକଦୃଷ୍ଟି ପଣ୍ଡା ଏଇ ସମୟରେ ଚିତ୍କାର କଲା, “ମାଆମାନେ, ଗଲାବେଳକୁ ମହାପ୍ରଭୁଙ୍କୁ ଶେଷ ଦର୍ଶନ କରି ଯାଅ । ସାଥିରେ ନେଇଯାଅ ପ୍ରସାଦୀ ଧଣ୍ଡା; ଘରେ ରଖିଥିବ, ରୋଗ ବିରାଗ, ବିପଦ ଆପଦକୁ କାମ ଦେବ । ଖାଇଯା ଆଉ ଥରେ ଟିକେ ଟିକେ ପାଦୁକ ।’’ ମଲ୍ଲି ପ୍ରଭୃତି କେବଳ ପଣ୍ଡାର ଅଧିକ ଚିତ୍କାରରୁ ରକ୍ଷା ପାଇବା ପାଇଁ ଅଧିକ ଅନିଚ୍ଛା ଥିଲେ ମଧ୍ୟ ଦେଉଳ ଭିତରେ ପୁଣି ପଶିଲେ । ପଣ୍ଡା ନେଇଗଲା ତାଙ୍କୁ ସିଧା ଗମ୍ଭୀରାକୁ । ଘୋର ଅନ୍ଧକାର ସ୍ଥାନ । ପୋଲାଙ୍ଗତେଲ ଦ୍ୱୀପର କ୍ଷୀଣ ଆଲୋକରେ ଅନ୍ଧକାର ଟିକିଏ ପାତଳା ହୋଇଯାଇଛି ମାତ୍ର । ଚଟାଣ ବର୍ଷାଦିନର ରାସ୍ତା ପରି କାଦୁଅ ପାଣିରେ ସପର ସପର । ହିନ୍ଦୁର ଦେବତା ସେଇ ପଥରଗଢ଼ା ମୈଥୁନ-ରତ ଯୋନି-ପ୍ରତୀକ ଉପରେ ବହୁ ଦିନର ପତ୍ର ଫୁଲର ପଚନଶୀଳ ସମାହାର । କିନ୍ତୁ ସଂସ୍କାର ଓ ବାଲ୍ୟ ବୟସର ଶିକ୍ଷା ମନୁଷ୍ୟର ମନକୁ ଏପରି ଗଢ଼ିଦିଏ ଯେ, ଯେଉଁମାନେ ଠିକ୍ ସେଇ କାଦୁଅ, ସେଇ ପଚା ଫୁଲପତ୍ର ଏବଂ ସେଇ ଅଭଦ୍ର ପ୍ରତୀକକୁ ବାହାରେ ଯେଉଁଠି ଦେଖିଲେ ହେଲେ ଘୃଣାରେ ପରିତ୍ୟାଗ କରନ୍ତେ, ସେଇମାନେ ଦେବତା ଓ ଧର୍ମ ନାମରେ ସେ ସମସ୍ତଙ୍କୁ ସାଗ୍ରହରେ ଗ୍ରହଣ କରି ନେଲେ, ନମସ୍କାର କଲେ ଓ ମନର ନିଗୂଢ଼ତମ କାମନାରାଜିର ସଫଳତା ପାଇଁ ହୁଏତ ଦରଖାସ୍ତ ପେଶ କରି ଆସିଲେ ଏବଂ ଦେବତା ଓ ମନୁଷ୍ୟ ଭିତରେ ଥିବା ଅସଭ୍ୟ, ଅଶିକ୍ଷିତ, ଅନାବଶ୍ୟକ, ସ୍ଵାର୍ଥସର୍ବସ୍ଵ ମଧ୍ୟସ୍ଥ ସେହି ପଣ୍ଡାକୁ କେତୋଟି ମାତ୍ର ତାମ୍ର ମୁଦ୍ରା ଦେଇ ତାଙ୍କର କୃତଜ୍ଞତା ପ୍ରକାଶ କରିପାରିଲେ ।

 

ଏଇ ଛୋଟ ଦଳଟି ଗମ୍ଭୀରା ଭିତରୁ ବାହାରିପଡ଼ି ଦେଖନ୍ତି ତ ଜଗମୋହନର ଏକ ଅନ୍ଧାରୁଆ କୋଣରେ ପ୍ରଭୁପାଦ ଚକାପକେଇ ନୀରବ ହୋଇ ବସିଛି । ଯୂଥିକା ତା’ଉପରେ ଏକ ପ୍ରକାର ହାବୁଡ଼ିପଡ଼ିଲା । ଅନ୍ୟ ଦୁଇଜଣ ଜାଗ୍ରତ ହୋଇ ପଛକୁ ଟିକିଏ ହଟିଗଲେ ଓ ଅନ୍ୟ ଦ୍ୱାର ବାଟେ ସସଂକୋଚରେ ବାହାରକୁ ଚାଲିଗଲେ । ପଛରେ ଆସୁଥିବା ପଣ୍ଡା ପାଟି କରି ଉଠିଲା, “କିଓ ବାବୁ, ଯିବନି କି ? ସମସ୍ତେ ପରା ନାଆରେ ଯାଇ ଉଠିଲେଣି ।’’

 

ପ୍ରଭୁପାଦ ଗୀତ ଗାଇବା ପରଠାରୁ ସେଇଠାରେ ଆସି ବସିଥିଲା । ଯେଉଁ ଦ୍ଵାର ଦେଇ ମଲ୍ଲିକା ପ୍ରଭୃତି ଗମ୍ଭୀରା ଭିତରକୁ ପଶିଲେ, ତା’ର ଠିକ୍ ବାଁ ଦିଗକୁ କାନ୍ଥର ଗୋଟିଏ କ’ଣ ଆଡ଼କୁ । ସେମାନେ ଚାଲିଗଲେ, ସେଆଡ଼କୁ ଅନେଇ ନାହାନ୍ତି । କିନ୍ତୁ ପ୍ରଭୁ ସେମାନଙ୍କୁ ଦେଖିଛି ଏବଂ ସେ ମଧ୍ୟ ଘୋର ମାନସିକ ଚାଞ୍ଚଲ୍ୟ ଭିତରେ ସେଇଠି ଆଉ କେତେ ଦଣ୍ଡ ବସିରହିବାକୁ ସ୍ଥିର କରିଥିଲା, ମଲ୍ଲିକାକୁ ଆଉରି ନିକଟରେ ଥରେ ଦେଖିନେବାର ପ୍ରଲୋଭନ ସମ୍ଭାଳି ନ ପାରି । ସେ ସେଠି ଦେଖିଲା ମଲ୍ଲିକାକୁ, ଯେପରି ପ୍ରଜାପତି ତା’ର ବହୁ ରତ୍ନୋଜ୍ଜ୍ୱଳ ଦୁଇ ସୁନ୍ଦର ପକ୍ଷକୁ ମେଲାଇ ଫୁଲଟିଏ ଉପରେ ବସେ ଏବଂ ପିଲାଟିଏ ତା’ ପାଖକୁ ଯାଉ ଯାଉ ସେ ଉଡ଼ିଯାଏ ଦୂରରୁ ଦୂରକୁ । ହୁଏତ ସେଇ ସାମାନ୍ୟ ମୁହୂର୍ତ୍ତରେ ମଲ୍ଲିକାର ଓ ତା’ର ଆଖିର ମିଳନ ହୋଇଯାଇଛି ଏବଂ ସେଇ ମିଳନର ଧକ୍‍କା ସେ ଏଇ ସମ୍ଭାଳିନେଉଛି, ଏଇ ସମୟରେ ପଣ୍ଡା ପାଟି କରି ଡାକଦେଲା । ପ୍ରଭୁପାଦ ଉଠିଲା ସେ ଡାକରେ ଏବଂ ଜଗମୋହନରୁ ବାହାରୁଛି, ଏଇ ସମୟରେ ଯୂଥିକାକୁ ପୁଣି ଭେଟିଲା । ପ୍ରଶ୍ନର ଅବସର ନ ଦେଇ ଯୂଥିକା କହି ପକାଇଲା ଏକାବେଳକେ, “ପ୍ରଭୁବାବୁ, ଅପା ଓ ଶ୍ୟାମା’ପା କହିଛନ୍ତି, ଆଜି ଯେଉଁ ଗୀତଟି ଗାଇଲନି, କେବେ ଆମ ଘରକୁ ଆସି ଶିଖେଇଦେବନି-?” ପ୍ରଭୁ ତାକୁ ଧରିବାକୁ ଯାଉଥିଲା, ଉତ୍ତର ଦେବାକୁ ଯାଉଥଲା; କିନ୍ତୁ ସେଇ ଚଞ୍ଚଳା ହରିଣୀ ଅପାର ସନ୍ଦେଶତକ ଦେଇ ଦେଇ ମାରିଲା ଡିଆଁ ଯେ ପ୍ରଭୁ କେବଳ ସ୍ତମ୍ଭୀଭୂତ ହୋଇ ତାକୁଇ ଅନାଇଁରହିଲା ।

 

ବୋଟରେ ବିଜୟ ଛାତ ଉପରେ ଚୌକି ପକେଇ ବସିଲା । ଆଉ ସମସ୍ତେ ଭିତରେ ବସିଲେ । ମଲ୍ଲିକାର ମା’ ଥଣ୍ଡା ଲାଗିବାର ଭୟ ଦେଖାଇ ଅନୁରୋଧ ମଧ୍ୟ କଲେ । ସେ ଶୁଣିଲାନି-। ବାଧ୍ୟ ହୋଇ ଉଦୟନ ଓ ଆଉ ଦି’ତିନି ଜଣ ତା’ ପାଖରେ ଆସି ଯୋଗଦେଲେ । ଯେତେ ହେଲେ ଏ ସମଗ୍ର ବୋଟ୍‍ଯାତ୍ରା ଓ ପିକ୍‍ନିକ୍‍ର ଯୋଗାଡ଼ ଯେ ସେଇ କରିଛି, ଏହା ତ ସହଜରେ ଭୁଲିବାର ନୁହେଁ ।

 

ନଈ ସେପାରିରେ ବଗି ଓ ମୋଟର ରଖା ହୋଇଥିଲା । ବୋଟ୍‍ରୁ ଓହ୍ଲେଇଲାବେଳକୁ ରାତି ୯ଟା ପ୍ରାୟ ହୋଇଯାଇଥିଲା । ଗୋଳମାଳ ଭିତରେ କୌଣସି ବଗିରେ ଉଠି ନ ପାରି ପ୍ରଭୁ ରହିଗଲା ସେଇ ଦଳରେ, ଯେଉଁମାନେ ବିଜୟର କାରରେ ଗଲେ । ବିଜୟ ଯେତେବେଳେ ପ୍ରଭୁର ମେସ୍ ସାମନାରେ ଗାଡ଼ି ରଖିଲା, ମୋଟର ଶବ୍ଦରେ ନଟିଆ କବାଟ ଖୋଲି ଗୋଟିଏ ଲଣ୍ଠନକୁ ଟେକି ଟେକି ଆସିବାର ଦେଖାଗଲା । ପ୍ରଭୁ ବାହାରି ଆସିଲା ମୋଟରରୁ । କିନ୍ତୁ ନଟିଆ ଘରେ ପଶିବା ପୂର୍ବରୁ ବିଜୟକୁ ସେଇ ଅଧା ଆଲୁଅରେ ମଧ୍ୟ ଚିହ୍ନିପାରି ଗୋଟିଏ ବହୁ-ନତ ନମସ୍କାରଟିଏ କରିବାର ଦେଖାଗଲା । ପ୍ରଭୁ ଆଶ୍ଚର୍ଯ୍ୟ ହେଲା ।

 

(୭)

 

ସେଦିନ ଧବଳେଶ୍ଵରରୁ ଫେରୁ ଫେରୁ ଶିଳ୍ପୀ ଶ୍ରୀକଣ୍ଠର ସନ୍ଧ୍ୟା ହୋଇଗଲା । ବାଟରେ ସାଇକେଲ ତା’ର ପଙ୍କ୍‍ଚର ହେଲା । ଥୋଡ଼ାଏ ବାଟ ଚାଲି ଚାଲି ଆସିବାକୁ ହେଲା । ସତୀଚଉରା ଶ୍ମଶାନରେ ସେ ଦେଖି ଆସିଲା ଚିତାଗ୍ନି ଜଳୁଛି । ଦୁଇ ଜଣ ଦୁଇଟି ଲମ୍ବା ବାଉଁଶ ନେଇ ଚିତାରେ ଖେଞ୍ଚି ଖେଞ୍ଚି ମୃତଜନର ମୃତ୍‍ପିଣ୍ଡଟିକୁ ଶୀଘ୍ର କିପରି ଭସ୍ମମାତ୍ରାବଶେଷ କରି ଛାଡ଼ିଯିବେ, ତାରି ଚେଷ୍ଟାରେ ଅଛନ୍ତି । ଆଉ ଚାରି ପାଞ୍ଚଟି ଲୋକ ଟିକିଏ ଦୂରରେ ମୁଣ୍ଡପୋତି ନୀରବରେ ଚିତା ଆଡ଼କୁ ଅନାଇ ବସିଛନ୍ତି । ଶ୍ରୀକଣ୍ଠ କେବଳ ଧୀରେ ଧୀରେ ସେଇ ବାଟେ ଚାଲିଗଲା । ଏ ଦୃଶ୍ୟରେ ତା’ର ଯାହା କିଛି ପୂର୍ବର ଭାବନା, ତାହା ନିଃଶେଷ ଭାବରେ ତା’ ମୁଣ୍ଡରୁ ଉଭେଇଗଲା ହଠାତ୍ । ମୃତ୍ୟୁ ହିଁ ଜୀବନର ସ୍ପଷ୍ଟତମ ପରିଚୟ ବୋଧହୁଏ । ସେଇ ପରିଚୟକୁ ଅପ୍ରତ୍ୟାଶିତ ଭାବରେ ସମ୍ମୁଖରେ ଦେଖି ଶ୍ରୀକଣ୍ଠ ଯେପରି ହଠାତ୍ ଶୂନ୍ୟଚିନ୍ତ ହୋଇପଡ଼ିଲା । ସେ କିଛି ଭାବିପାରୁନି, କିଛି ଚିନ୍ତା କରିପାରୁନି, କାହାକୁ କିଛି ପଚାରିବାର ସାହସ ସେ ଯୋଗାଡ଼ କରି ପାରିଲା ନାହିଁ । ବରଂ ଜୀବନର ଏଇ ସ୍ପଷ୍ଟତମ ସତ୍ୟଠାରୁ ସେ ପଳାଇବାକୁ ହିଁ ଚାହେଁ ଯେପରି । ସେ ବାସ୍ତବରେ ଧୀରେ ଧୀରେ ପଳାଇଗଲା ବୋଲି ହିଁ କହିବାକୁ ହେବ ।

 

କିନ୍ତୁ ସେ ଦୃଶ୍ୟ ପାର ନ ହେଉଣୁ ଶ୍ରୀକଣ୍ଠର ଭିନ୍ନ ଚେତନା ଫେରିଆସିଲା । ସେ ଉଠିଲା ଦାର୍ଶନିକ ହୋଇ; ଭାବିଲା, “ମୃତ୍ୟୁ । ସେ ଘୋର ମିଥ୍ୟା ! ଆତ୍ମାର ମରଣ ନାହିଁ, ମରେ କେବଳ ମାଟିର ପିଣ୍ଡଟା, ଯାହାକୁ ଅମେ ଶରୀର କହୁ । ଏତେ ପଢ଼ିଲି, ଏତେ ଦେଖିଲି, ଅଥଚ ଏଇ ଅବବୋଧଟା ଚେତନାରେ ପଶିପାରୁନି କାହିଁକି ? ନା, ଅନେକ ଦିନ ହେଲା ଚକ୍ର ବସାଯାଇନି, ଆଜିଇ ବସାଯାଉ ।’’

 

ଶ୍ରୀକଣ୍ଠର କୌତୂହଳର କୌଣସି ସୀମାରେଖା ନାହିଁ । ସେ ଆର୍ଟିଷ୍ଟ୍‍ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ତା’ର ନିକଟତମ ବନ୍ଧୁ-ଚକ୍ର ଜାଣନ୍ତି ଯେ, ତା’ର ଆଗ୍ରହ ସର୍ବବ୍ୟାପୀ ଓ ସାର୍ବଭୌମ । ଆର୍ଟର ମୂଲ୍ୟବାନ୍‍ ସଂଗ୍ରହ ଭିତରେ ଭିତରେ ବନ୍ଧୁମାନେ ହଠାତ୍ ତା’ ଘରେ ପାଆନ୍ତି ସାମୁଦ୍ରିକ ଓ ଜ୍ୟୋତିଷର ପୁସ୍ତକ, ଆଉ କିଛି ଘାଣ୍ଟିଲେ ମିଳିବ ‘ବିନାଶ୍ରୁରେ’ ଜର୍ମାନ୍ ବା ଷ୍ପାନିଶ୍‍ ଶିଖିବାର ଉପକ୍ରମଣିକା, ମିଳିପାରେ ‘ନୂତନ ବିବାହିତଙ୍କୁ ଉପଦେଶ’, ଯଦିଓ ସେ ବିବାହର ନାମ ମଧ୍ୟ ଧରେ ନା, ମିଳିବ ମଧ୍ୟ ବିଜ୍ଞାନ ଓ ଗଣିତଶାସ୍ତ୍ରର ଜନପ୍ରିୟ ସଂସ୍କରଣ, ମିଳିବ ପଲ୍ଲୀଗୀତ, ପ୍ରେତ-ତତ୍ତ୍ଵ, ରନ୍ଧନବିଦ୍ୟା–କାବ୍ୟକବିତାର କଥା ତ ଛାଡ଼ । ତା’ର ମନ ଓ ହସ୍ତ ଯେତେବେଳେ କଳାକ୍ଳାନ୍ତ ହୋଇଉଠେ, ସେମାନେ ଚାହାନ୍ତି ନାନାବିଧ ଅନ୍ୟ ବିନୋଦନ । ତା’ର ସଙ୍ଗହୀନ ଦୈନନ୍ଦିନ ମୁହୂର୍ତ୍ତଗୁଡ଼ିକୁ ସଖ୍ୟ ଓ ସୁଖ ଯୋଗାନ୍ତି ନାନାବିଧ ବିଚିତ୍ର ଜ୍ଞାନ । କେହି କେହି ସାଙ୍ଗ ଥଟ୍ଟାରେ କହିଲେଣି, “ଶ୍ରୀକଣ୍ଠ ଆଉ ବିଭା କରିବ କ’ଣ, ତା’ର ଦୁଇଟା ସ୍ତ୍ରୀ ଅଲରେଡ଼ି ହେଇଗଲେଣି–ଗୋଟିଏ ବର୍ଣ୍ଣ, ଆରଟି ବିଦ୍ୟା; ପୁଣି ତାଙ୍କ ଭିତରେ ସଉତୁଣୀ ଭାବ ନାହିଁ ।’’ ଶ୍ରୀକଣ୍ଠ ଶୁଣି ମୃଦୁ ମୃଦୁ ହସେ । ଏହା ଯେ ପରିହାସ ନୁହେଁ, ଏକ ଗୌରବାବହ ପ୍ରଶଂସା, ତାହା ଧରିନେବାର ବିନୟ ତା’ଠି ଯଥେଷ୍ଟ ଥିଲା ।

 

ଶ୍ରୀକଣ୍ଠ ଯାଉ ଯାଉ ଠିକ୍ କଲା, ‘ନା, ଆଜିଇ ପୁଣି ଚକ୍ର ବସେଇବା । ଅନେକ ଦିନ ହେଲା କରୁଣାସିନ୍ଧୁକୁ ଭେଟିନି । ଯାଏ ତାକୁ ଧରିନିଏ ।’ ଏହା ଭାବି ନଈକୂଳରୁ ବାଟ କାଟି ଗୋଟିଏ ଗଳି ଭିତରେ ପଶିଲା ।

 

କରୁଣାସିନ୍ଧୁ ଗୋଟିଏ ସ୍କୁଲରେ ମାଷ୍ଟର । ସେ ସେଇପରି ଗୋଟିଏ ଜୀବ, ଯାହାଙ୍କୁ ସାଂସାରିକ ଜଞ୍ଜାଳ ରୋମକ ଶିଳ୍ପୀର ପ୍ରସିଦ୍ଧ ମୂର୍ତ୍ତି ‘ଲାଓକୁନ୍’ରେ ବିରାଟ ସର୍ପ ଯେପରି ବାପ ଓ ପୁଅ ଉଭୟଙ୍କୁ ମୋଡ଼ିମାଡ଼ି ବିକଟାଳ ହାଁ କରିଛି ଗ୍ରାସ କରିବାକୁ ଅଥଚ ବାପ, ଶେଷମୁହୂର୍ତ୍ତ ସମାଗତ ଜାଣି ମଧ୍ୟ ତା’ର ସମଗ୍ର ଶରୀର ଓ ଆତ୍ମା ଦେଇ ଶେଷ ସଂଗ୍ରାମ କରୁଛି ସର୍ପର ବିଭୀଷିକାମୟ କୁଣ୍ଡଳୀରୁ ରକ୍ଷା ପାଇବାକୁ–ସାଂସାରିକ ଜଞ୍ଜାଳ ଏଇପରି ଭାବରେ କବଳିତ କରୁଥିବା ସହସ୍ର ସହସ୍ର କରୁଣାଭାଜନ ବୁଦ୍ଧିଜୀବୀଙ୍କ ଭିତରୁ ସ୍କୁଲମାଷ୍ଟର କରୁଣାସିନ୍ଧୁ ଜଣେ । ଆଜି କରୁଣାସିନ୍ଧୁକୁ ଦେଖିଲେ କିଏ କହିବ ଯେ ଦିନେ ସେ ଆଦର୍ଶବାଦରେ ଉଦ୍‍ବୁଦ୍ଧ ହୋଇ ପୃଥିବୀକୁ ରୂପାନ୍ତର ଦେବା ସ୍ୱପ୍ନ ଦେଖୁଥିଲା ? ରାମକୃଷ୍ଣ ବିବେକାନନ୍ଦଙ୍କ ଚରିତ ଓ ଚରିତ୍ର ଅଲୋଚନା କରି ସେ ଦିନେ ଭାବିଥିଲା ପରିବ୍ରାଜକ ହୋଇ ଦେଶରୁ ଦେଶାନ୍ତରକୁ ଯାଇ ଉଦ୍‍ଭ୍ରାନ୍ତ ମାନବକୁ ବାଟ ଦେଖାଇବ, ଲେନିନର କାହାଣୀ ପଢ଼ି ସେ ଦିନେ ସ୍ଵପ୍ନ ବଦଳେଇ ଭାବିଥିଲା ମଧ୍ୟ, “ନା, ପୁଞ୍ଜି–କାଞ୍ଚନର ସମସ୍ତ ଅତ୍ୟାଚାର ବିଲୋପ କରି ସେ ପୃଥିବୀରେ ସାଧାରଣ ମାନବ ପାଇଁ ସ୍ଵର୍ଗ ରଚନା କରିବ, ବେଳେ ବେଳେ ଭାବିଥିଲା ମଧ୍ୟ ହେବ, ବକ୍ତା, ଯୋଦ୍ଧା; ହେବ ମଧ୍ୟ ଦେଶପ୍ରସିଦ୍ଧ କବି । ଏସବୁ ଘଟିଥିଲା ଛାତ୍ର ଜୀବନର କେତୋଟି ସ୍ଵପ୍ନ-ପ୍ରଚୁର ପଳାୟମାନ ଦିନାବଳି ଭିତରେ । ତା’ପରେ କଲେଜର ଗେଟ୍‍ରୁ ବାହାରି ପଦାରେ ପାଦ ନ ଦେଉଣୁ ସ୍ଵପ୍ନ-ରଚିତ, ଅଭ୍ରକଶ ସେହି ଇଭଦନ୍ତ-ପ୍ରାସାଦଗୁଡ଼ିକ ସାମାନ୍ୟ ସାମାନ୍ୟ ଅଘାତରେ ଚୁରମାର ହୋଇପଡ଼ିଲା । କରୁଣାସିନ୍ଧୁ ବେକାର ହେଲା ବହୁଦିନ । ଯେଉଁ ଧନିକ ସାମନ୍ତମାନଙ୍କୁ ଦିନେ ସେ ନିପାତ କରିବ ବୋଲି ଯୋଜନା ତିଆରି କରୁଥିଲା, ତାଙ୍କରି ଦୁଆରକୁ ଧାଇଁବାକୁ ପଡ଼ିଲା ତାକୁ ଚାକିରି ବା ପ୍ରାଇଭେଟ ଟ୍ୟୁସନ ପାଇଁ । ତା’ପରେ ମଲେ ଜନନୀ, ମଲେ କକା, ଶୁଣିଲା ସେ ଘରେ ବାହାରେ ତା’ର ଅପଦାର୍ଥତ୍ଵସୂଚକ ନିନ୍ଦା-। ପିତାଙ୍କ ଇଚ୍ଛାନୁଯାୟୀ ପୁଣି ସେଇ କାଳରେ ବିବାହ ହୋଇପଡ଼ି ସେ ସେଇ ଶବ୍ଦର ଅଭିଧାନିକ ଅର୍ଥଟା ମର୍ମେ ମର୍ମ ଅନୁଭବ କଲା ।

 

ଏବେ କରୁଣାସିନ୍ଧୁ ତିନି ଚାରିଟିର ବାପା । ମୁଣ୍ଡର ବାଳ ଦୁଇ ପଟେ କାନ ପଛ ଆଡ଼େ ଧଳା ହେବା ଆରମ୍ଭ ହୋଇଆସିଲାଣି, ସାମାନ୍ୟ ଭାବରେ ତା’ର ଡେଙ୍ଗା ଦେହଟା ନଇଁବି ଆଇଲାଣି । ଦୈନନ୍ଦିନ, ମାସିକ ଓ ବାର୍ଷିକ ଜୀବନର କଡ଼ା ତାକିଦ ସମ୍ଭାଳିବା ପାଇଁ ସେ ନାନା ଧନ୍ଦାରେ ଏଇକ୍ଷଣି ଲାଗିଛି । କରେତ ମାଷ୍ଟରୀ, କରେ ବରାବର ଦି’ଚାରିଟା ପ୍ରାଇଭେଟ ଟ୍ୟୁସନ, ଲେଖେ ପିଲାଙ୍କ ବହି Easy success at Matriculation ଧରଣର । ବର୍ଷ ବର୍ଷ ଧରି ସେ ପିଲାଙ୍କୁ ଶିଖେଇଆସିଲା ବାକ୍ୟରେ ବ୍ଳାଙ୍କ୍‍ ପୂରଣ କରିବାର ଉପାୟ; କିନ୍ତୁ ତା’ ଜୀବନବାକ୍ୟର ବ୍ଳାଙ୍କ୍‍ଗୁଡ଼ାକ ବରାବରଇ ଫାଙ୍କା ରହିଗଲା ।

 

କରୁଣାସିନ୍ଧୁ ଓ ଶ୍ରୀକଣ୍ଠ ସହପାଠୀ ଥିଲେ । କିନ୍ତୁ ସେତେବେଳେ କେବଳ ଦେଖାଦେଖି, ମୁହଁର ପରିଚୟ । ସେତେବେଳେ ଶ୍ରୀକଣ୍ଠ ଜଣେ ସାମାନ୍ୟ ଛାତ୍ର । କରୁଣାସିନ୍ଧୁର ଦଳ ଅଲଗା, ଗଣ୍ୟମାନ୍ୟର ଦଳ । ସେ ଦଳରେ ଶ୍ରୀକଣ୍ଠ ପରି ଅନର୍ସହୀନ, ନିମ୍ନଡିଭିଜନର ଗୋଟାଏ ପିଲାର ପ୍ରବେଶ, କଳ୍ପନାରେ ନ ଥିଲା । ଏବେ ସେ ଦଳର ବନ୍ଧୁବର୍ଗ ଛିନ୍ନଛତ୍ର, କେହି କାହାକୁ ପଚାରିବାର ସମୟ ନାହିଁ । ସେଇ ଦଳର ତାତ୍କାଳିକ ଏକ ଇଣ୍ଟିମେଣ୍ଟ ଫ୍ରେଣ୍ଡ୍‍ ଶମ୍ଭୁନାଥ ରଥ ଏବେ ଉଚ୍ଚ ସରକାରୀ କର୍ମଚାରରୀ । ସେଇ କଟକରେ ଅବସ୍ଥାପିତ । ଦିନାକେତେ ତଳେ ତା’ର ପୁଅର ବ୍ରତ ନା କ’ଣ ଉତ୍ସବ ହେଲା । ରଥବାବୁ ମଟରରେ ଗଲାବେଳେ କରୁଣାସିନ୍ଧୁକୁ ସ୍କୁଲ ବାଟରେ ବରାବରଇ ଭେଟନ୍ତି । କରୁଣାସିନ୍ଧୁର ବସାଠାରୁ ତାଙ୍କ ଘର ବି ବେଶି ଦୂର ନୁହେଁ । କିନ୍ତୁ ଯେଉଁ ଉତ୍ସବକୁ କଟକ ସହରର ଅଧା ଭଦ୍ରଲୋକ ନିମନ୍ତ୍ରିତ ହୋଇ ଆସିଥିଲେ, ସେଠି କରୁଣାସିନ୍ଧୁ ପାଇଁ ଜାଗା ନ ଥିଲା । ଭାଗ୍ୟ ପରିବର୍ତ୍ତନ ସଙ୍ଗେ ଯେ ବନ୍ଧୁ ପରିବର୍ତ୍ତନ ହୁଅନ୍ତି, ଏହା କରୁଣାସିନ୍ଧୁର ଦୁଝିବାର ବାକି ଥିଲା ।

 

ଶ୍ରୀକଣ୍ଠ ସାଙ୍ଗେ କରୁଣାସିନ୍ଧୁର ପରିଚୟ ଏବେ ଏଇ ଚକ୍ରନେମିର ପରିବର୍ତ୍ତନ ପରେ । ଶ୍ରୀକଣ୍ଠ ବର୍ତ୍ତମାନ ଆର୍ଟିଷ୍ଟ୍‍ ଭାବରେ ଜଣାଶୁଣା । ସେ ସ୍ଵାଧୀନ, ସେ ବୁଦ୍ଧିଜୀବୀ । ତା’ ପାଖକୁ ନାନା ରୁଚିର ଲୋକ ଯା’ଆସ କରନ୍ତି ଏବେ । ବନ୍ଧୁ-ସତ୍କାରରେ ତା’ର ମୁକ୍ତହସ୍ତତା ମଧ୍ୟ ଜଣାଶୁଣା । ଥରେ କୌଣସି ଆର୍ଟ ଏକଜିବିସନରେ କରୁଣାସିନ୍ଧୁ ଶ୍ରୀକଣ୍ଠ ସାଥିରେ ପୂର୍ବ ପରିଚୟଟାକୁ ମାର୍ଜିତ କରାଇ ନେଇଥିଲା । କିନ୍ତୁ କ୍ରମେ ଜଣାପଡ଼ିଲା ଯେ ତାଙ୍କ ଭିତରେ ଏକ ସମସୂତ୍ର ଅଛି । ସେହି ସୂତ୍ରକୁ ଆଶ୍ରୟ କରି ତାଙ୍କ ଭିତରେ ପରିଚୟଟା କ୍ରମେ ଘନିଷ୍ଠ ହେବାକୁ ବସିଲା ।

 

ସେଇ ସୂତ୍ରଟି ହେଉଛି ଧର୍ମତତ୍ତ୍ଵ ଓ ପ୍ରେତତତ୍ତ୍ଵର ଆଲୋଚନା । କରୁଣାସିନ୍ଧୁର ସମସ୍ତ ତାରୁଣିକ ସ୍ଵପ୍ନ ଯେତେବେଳେ ଗୋଟାକ ପରେ ଗୋଟେ ଭାଙ୍ଗି ପଡ଼ିଲା, ସେ ବାସ୍ତବତା ସଙ୍ଗେ ନିଜକୁ ଯଥାସାଧ୍ୟ ମେଣ୍ଟ ଖୁଆଇ ଚଳିବାକୁ ଚେଷ୍ଟା କଲା ସତ୍ୟ; କିନ୍ତୁ ତା’ର ସ୍ଵପ୍ନାଭାସିତ ଚିତ୍ତ ଆଉ ଏକ ଦିଗରେ ଗତି କରିବାକୁ ଆରମ୍ଭ କଲା । ସେ ଚିତ୍ତ ହେବାକୁ ଚାହିଁଲା ରହସ୍ୟସନ୍ଧାନୀ । ନିଜ ଜୀବନର ବାହ୍ୟ ଭଗ୍ନାବଶେଷ ତଳେ ସେ ଗଢ଼ିବାକୁ ଚାହିଁଲା ଏକ ସାନ୍ତ୍ଵନାର ସମାଧାନର ଆଶ୍ରୟ-। ଅବସର ପାଇଲେ ତେଣୁ ପଢ଼ି ବସେ ସେ ଥିଓସଫିର ଗ୍ରନ୍ଥମାଳା, ବର୍ତ୍ତମାନ ଜନ୍ମର ଇତରତାକୁ ସେ ଭୁଲିଯାଏ ସହସ୍ର ଜନ୍ମର ବିଚିତ୍ର କଳ୍ପନାରେ । ଦୃଶ୍ୟ ଓ ଅଦୃଶ୍ୟର ବ୍ୟବଧାନ-ପ୍ରାଚୀର ଭାଙ୍ଗି ରହସ୍ୟର ପ୍ରତ୍ୟକ୍ଷ ଆସ୍ୱାଦ ପାଇବା ପାଇଁ ସେ ମଧ୍ୟ ବେଳେ ବେଳେ ଚର୍ଚ୍ଚା କରିବାକୁ ଆରମ୍ଭ କଲା ପ୍ରେତତତ୍ତ୍ଵ ଏବଂ ସେଇ ସୂତ୍ରରେ ହେଲା ତା’ର ଶ୍ରୀକଣ୍ଠ ସଙ୍ଗେ ବେଶି ପରିଚୟ । କାରଣ ଶ୍ରୀକଣ୍ଠର ବହୁ ହବି ଭିତରୁ ଏଇ ପ୍ରେତଚକ୍ର ଗୋଟିଏ ।

 

କରୁଣାସିନ୍ଧୁର ବସାରେ କିନ୍ତୁ ଶ୍ରୀକଣ୍ଠ ତାକୁ ପାଇଲାନି । ଘରଭିତରୁ ଖବର ମିଳିଲା ଯେ ସେ ଇସ୍କୁଲରୁ ଫେରି ନାହାନ୍ତି । ଆଶ୍ଚର୍ଯ୍ୟ କଥା ! ରାତି ସାତଟା ଉପରେ ହେଲାଣି, ଫେରି ନାହାନ୍ତି । ଶ୍ରୀକଣ୍ଠ ଅନ୍ୟମନା ହୋଇ ଧୀରେ ଧୀରେ ଗତି ଫେରାଇ ପୁଣି ନିଜ ବସା ଆଡ଼କୁ ଚାଲିଲା । କିନ୍ତୁ ଅଳ୍ପ ଦୂର ଯାଇଛି ବିପରୀତ ଆଡ଼ୁ କରୁଣାସିନ୍ଧୁ ଆସି ଆସି ହଠାତ୍ ଶ୍ରୀକଣ୍ଠକୁ ପଚାରିଲା ।

 

‘ଶ୍ରୀକଣ୍ଠବାବୁ, ମତେ ଖୋଜୁଥିଲ କି ? ମୁଁ ପରା ତମକୁ ସତୀଚଉରାଠି ଦେଖିଲି, ତମେ ଆସୁଥିଲ ।’

 

ଶ୍ରୀକଣ୍ଠ ଆଶ୍ଚର୍ଯ୍ୟ ହେଲା ।

 

“ତମେ ମତେ ଦେଖିଲ; ଆଉ କଥା କହିଲ ନାହିଁ । ସେଠି କ’ଣ କରୁଥିଲ ତମେ ?”

 

କରୁଣାସିନ୍ଧୁ ଶ୍ରୀକଣ୍ଠର ସାଇକେଲକୁ ଧରିପକାଇ ଆରମ୍ଭ କଲା–“ଭାଇ, ବଡ଼ କରୁଣ କାହାଣୀ । ଆମ ସ୍କୁଲରେ ନୂଆ ହୋଇ ଜଣେ ଟିଚର ବିବାହ କରିଥିଲେ, ସେ ହଠାତ୍ ସେରିବ୍ରାଲ ମେଲେରିଆରେ ଚାଲିଗଲେ । ତା’ର ତରୁଣୀ ସ୍ତ୍ରୀ ଅନ୍ତଃସତ୍ତ୍ଵା । ଶବସତ୍କାର କରିବାକୁ ଯାଇଥିଲୁଁ । ଆମେ ତିନି ଚାରି ଜଣ ଶିକ୍ଷକ ସେଠି ବସିଥିଲୁ । ସମସ୍ତଙ୍କ ମନ ବିଷଣ୍ଣ । ତମକୁ ଦେଖିଲୁ; କିନ୍ତୁ ଡାକି କଥା ହେବାକୁ ଇଚ୍ଛା ହେଲାନି ।’’

 

ଶ୍ରୀକଣ୍ଠ କଛି କାଳ କିଛି ହେଲେ କହିପାରିଲା ନାହିଁ ।

 

କରୁଣାସିନ୍ଧୁ ବାଧ୍ୟ ହୋଇ ଆରମ୍ଭ କଲା, “ମୁଁ ତେବେ ଯାଏଁ ଶ୍ରୀକଣ୍ଠବାବୁ । ଘରେ ଖବର ଦେଇନି । ତା’ଛଡ଼ା ମତେ ସେଠିକି ଯାଇ ସାନ୍ତ୍ଵନା ଦେବାକୁ ମଧ୍ୟ ହେବ । କାହିଁକି ମତେ ଖୋଜୁଥିଲ ?”

Unknown

 

ଶ୍ରୀକଣ୍ଠ କହିଲା, “ଆଉ କଥାବାର୍ତ୍ତାର ସମୟ ନାହିଁ । ତମ ସାଥିରେ ମୁଁ ମଧ୍ୟ ଯିବି ସେଇ ବନ୍ଧୁପତ୍ନୀ ପାଖକୁ । ତାଙ୍କର ଯାହା ସାହାଯ୍ୟ ଦରକାର, ମୁଁ ଦେବି । ଚାଲ ।”

 

ଦୁହେଁ ଆଉ କିଛି କଥା ନ କହି ସେଇ ଅନ୍ଧକାରରେ ସେହି ଏକ କରୁଣ ବିଷୟ ଭାବି ଭାବି ଚାଲିବାକୁ ଲାଗିଲେ ।

 

ଶ୍ରୀକଣ୍ଠର ଚିନ୍ତା ଭିତରେ ହଠାତ୍ ଏକ ଅସ୍ପୃହଣୀୟ ତୁଳନା ଭାସିଉଠିଲା, “ଆରେ, ଏକା ଦିନର ସକାଳେ ଠାଏ ଦେଖିଆସିଲି ଜନ୍ମୋତ୍ସବ, ଅନ୍ୟଠି ସେହି ସନ୍ଧ୍ୟାରେ ମୃତ୍ୟୁର ହାହାକାର । ସକାଳେ ସୃଷ୍ଟି କରି ଆସିଲି ଚିରନ୍ତନ ସୌନ୍ଦର୍ଯ୍ୟ, ସନ୍ଧ୍ୟାରେ ପୋଛିବାକୁ ଯାଉଛି ସୃଷ୍ଟିର ବିକଟ ବୀଭତ୍ସତା । କି ଜୀବନ, କି ନିୟମ ! କାହିଁ ସତ୍ୟ, କାହିଁ ତଥ୍ୟ !” ଭାବି ଭାବି ହିଁ ଶ୍ରୀକଣ୍ଠ ଚାଲିଥାଏ-

 

(୮)

 

ଆର୍ଟିଷ୍ଟ୍‍ ଶ୍ରୀକଣ୍ଠ ଯେଉଁଠି ଓ ଯେଉଁ ଘରେ ରହେ, ସେଠି କିନ୍ତୁ ଆର୍ଟ ବା ସୌନ୍ଦର୍ଯ୍ୟ, ଦୃଷ୍ଟିର ଦୁର୍ଲ୍ଲଭ । ଗୋଟିଏ ଛୋଟ ଦୋତାଲାଘର, ଏକ ପାଖେ ଆଉ ଗୋଟିଏ ଏକତାଲା ଭଡ଼ାଘର, ଅରପାଖେ ଧାଡ଼ିଏ ବହୁ ଛୋଟ ଭଡ଼ାଟିଆଙ୍କ ଆସ୍ଥାନ । ସମସ୍ତଙ୍କ ଦୁଆର ସାମନାରେ ବହିଚାଲିଛି, ମ୍ୟୁନିସିପାଲିଟିର ମେଲା ଡ୍ରେନ–କୁତ୍ସିତ, କୃଷ୍ଣ, ନାଳୁଆ, ପୋକ ଓ ପୂତିମୟ ପଦାର୍ଥର ବୀଭତ୍ସ ବେଣୀ । ନଗର ସଭ୍ୟତାର ପ୍ରତୀକ, ଭାରତୀୟମାନଙ୍କର କୁତ୍ସିତ ଦୈନନ୍ଦିନ ଜୀବନର ପତାକା । ଆଗପଟେ ଡ୍ରେନ୍‍ର ବିଭୀଷିକାକୁ ପରାଭୂତ କରି ପଛରେ ସଗର୍ବରେ ଦଣ୍ଡାୟମାନ ପାଇଖାନାର ନାରକୀୟ ବୀଭତ୍ସତା । ଚାରିଆଡ଼େ ମାଛି, ଚାରିଆଡ଼େ ଅସନା, ଚାରିଆଡ଼େ ସୁନ୍ଦରତାକୁ ଜାଣି ଜାଣି ତାଡ଼ନା କରି କୁତ୍ସିତତାର ଯେପରି ସଦମ୍ଭ ସାମ୍ରାଜ୍ୟ ବିସ୍ତାର । ଏ ଅଞ୍ଚଳଟା ଅବଶ୍ୟ ଦରିଦ୍ରବସତି । ଶ୍ରୀକଣ୍ଠ ଶସ୍ତା ଜୀବନଯାପନ ପାଇଁ ବାଧ୍ୟ ହୋଇ ଏ ଅଞ୍ଚଳରେ ଆଶ୍ରୟ ନେଇଛି । କିନ୍ତୁ ସୁଷମାର ଆରାଧନା କଅଣ କେବଳ ଧନରେ ହୁଏ ? ଶ୍ରୀକଣ୍ଠ ଅନେକ ସମୟରେ ତା’ର ନିଜର ଛୋଟ ଗାଁଟିକୁ ମନେପକାଇ ଦୀର୍ଘନିଶ୍ୱାସ ଛାଡ଼େ । ଦି’ଧାଡ଼ି ଚାଳଘର, ପାଖକେ ଭାଗବତଘର, ପାଖକେ ଗ୍ରାମର ଦେଉଳ; ପ୍ରତି ଗୃହସ୍ଥର ଘର ଆଗରେ ଓ ପଛରେ ଛୋଟ ବଡ଼ ବଗିଚା । ବର୍ଷାଦନେ ଚାଳ ଉପରେ ଲାଉ, କଖାରୁର ବହୁପ୍ରସାରୀ ନଟା ଦେଇ ସବୁଜ-ଲକ୍ଷ୍ମୀର ମନୋହର ବିସ୍ତାର; ଖରାଦିନେ ମଲ୍ଲି, ଶୀତଦିନେ ଗେଣ୍ଡୁ ,ବସନ୍ତରେ ଚମ୍ପା ଓ ବଉଳ ପ୍ରଭୃତି ନାନା ଋତୁରେ ନାନା କୁସୁମ-ସୁନ୍ଦରୀଙ୍କର ଆଗମନ । ଗାଁ ପଛଆଡ଼େ ତରଳ ନୀଳ କାଚର ଆଧାର ପରି ଛୋଟ ସେଇ କେନାଲ୍‍ଟି, ସକାଳେ ଓ ସଞ୍ଜରେ ଯା’ର ଦୁଇଟି ଘାଟରେ ଗାଁର ଝିଅବୋହୂଙ୍କର ସମାଗମ ହୁଏ । ନଗରର ରୁକ୍ଷ, ନିଷ୍ଠୁର, କୁତ୍ସିତ, ବୀଭତ୍ସ ବାତାବରଣ ଭିତରେ ରୁଦ୍ଧଶ୍ଵାସ ହୋଇ ଶ୍ରୀକଣ୍ଠର ଚିତ୍ତ ତା’ର ଛୋଟ ଦରିଦ୍ର ପଲ୍ଲୀର ଏଇ ମଧୁରସ୍ମୃତିରେ ଆପେ ଆପେ ଭରିଉଠେ । ସେଇ ତ ତା’ର ଦରିଦ୍ର ପଲ୍ଲୀ ! କି ସୁନ୍ଦର ତା’ର ପରିବେଶ ! ସେ ଭାବେ, ହୁଏତ ରୂପର ଚର୍ଚ୍ଚା ଓ ବିକାଶ, ପରିବେଶ ଉପରେହିଁ ନିର୍ଭର କରେ । ସହରର ଏଇ ରୁକ୍ଷ ପ୍ରକୃତିବିଚ୍ଛିନ୍ନ ପରିବେଶ ବୋଧହୁଏ ମନୁଷ୍ୟକୁ ବାଧ୍ୟ କରୁଛି ବୀଭତ୍ସ ଓ କୁତ୍ସିତ ରହିବାକୁ ।

 

ଚାରିଆଡ଼ର ଏଇ ଚକ୍ଷୁଶୂଳ ସ୍ଥାନ, ଜନ ଓ ଘଟଣାକୁ ଅତିକ୍ରମ କରିଗଲେ ଶ୍ରୀକଣ୍ଠର ଘର ଭିତରେ, କିନ୍ତୁ ଅତିଥି, ସୌନ୍ଦର୍ଯ୍ୟର ଏକ ଓଏସିସ୍‍କୁ ଆସେ । ତଳେ ତିନୋଟି ରୁମ୍, ଉପରେ ଦୁଇଟି, ପାଚେରୀଘେରା ଛୋଟ ଅଗଣାଟିଏ, ତଳେ ଓ ଉପରେ ଭିତର ପଟେ ପ୍ରଶସ୍ତ ବାରଣ୍ଡା । ଶ୍ରୀକଣ୍ଠ ତା’ର ଏଇ ଛୋଟ ସଂସାରଟିକୁ ଯେତେଦୂର ସମ୍ଭବ ନିଜ ଚେଷ୍ଟାରେ ରୂପବନ୍ତ କରିବାକୁ ଚେଷ୍ଟା କରିଛି । ସାମନାର ଦୁଆର ଖୋଲିଲେ ଅଣଓସାରିଆ ବାଟଘର ଓ ସମ୍ମୁଖରେ ଉପରମହଲାକୁ ସିଡ଼ି । ଶ୍ରୀକଣ୍ଠ ଉପର ମହଲାରେ ହିଁ ରହେ । ତଳେ ତା’ର ଘର ବୁଝିବାକୁ ଥାଏ ଏକ ବର୍ଷୀୟସୀ ବିଧବା ପିଉସୀ । ଗୋଟିଏ ଘର ଖାଲି ପଡ଼ିଥାଏ ବରାବର, ଗାଁର ଲୋକବାକ ଆସିଲେ ରହନ୍ତି । ସାମନାର ଦୁଆର ଖୋଲିଲେଇ ଦୁଇ କାନ୍ଥ ଓ ସିଡ଼ିର ନିମ୍ନାଂଶରେ ଓଡ଼ିଆ ପାଇକ, ଆସୀରିଆନ୍ ସିପାହୀ, ମିଶରୀୟ ସ୍ପିଙ୍କ୍‍ସ, କୋଣାର୍କର ଅଶ୍ଵ ପ୍ରଭୃତିର ପ୍ରାୟ-ଜୀବନାକୃତି ଛବି ମରା ହୋଇଥିବାର ଦେଖାଯାଏ, ଯେପରି କି ଏଇମାନେ ଆଗନ୍ତୁକକୁ ନିମନ୍ତ୍ରଣ କରି ଉପରର କଳାମନ୍ଦିରକୁ ଡାକିନେବା ପାଇଁ ସେଇଠି ଅପେକ୍ଷା କରି ରହିଛନ୍ତି । ଆଗନ୍ତୁକ ସିଡ଼ି ଦେଇ ଯେତିକି ଉପରକୁ ଉପରକୁ ଉଠିବେ, ସେ ଅସ୍ତେ ଅସ୍ତେ ସେତିକି ନୂତନ ନୂତନ କଳାସୃଷ୍ଟିର ସମ୍ମୁଖୀନ ହେବେ । ତଳେ ଯାହା କଳାଜଗତର ବିରାଟ, ବିପୁଳ, ଦୃଢ଼, ତାହା ରହିଯିବ, ଉପରକୁ ଅସ୍ତେ ଆସ୍ତେ ଦେଖାଯିବ, ଯାହା ସୂକ୍ଷ୍ମ, କୋମଳ, କେବଳ ଭାବମୟ, କେବଳ ପ୍ରତୀକ । କୋଣାର୍କ, ଅଜନ୍ତାର ଚିରନ୍ତନୀମାନଙ୍କ ପାଖେ ପାଖେ, ପାରି, ବର୍ଲିନ୍ କୋବେନହେଗେନ୍ ପ୍ରଭୃତିର ବିଶ୍ୱବିଖ୍ୟାତ କଳାଶାଳାମାନଙ୍କର ସୁପରିଚିତ ଓ ସୁପ୍ରସିଦ୍ଧ ଛବିଗୁଡ଼ିକର ପ୍ରତିଲିପି ଝୁଲୁଥିବାର ଆମେ ଦେଖିବା । ସେଇ ବିଶ୍ଵସୁନ୍ଦରୀମାନଙ୍କ ପାଖେ ପାଖେ ଛୋଟ ଫାଙ୍କ ଜାଗାକୁ ଘୋଡ଼େଇବା ଉଦ୍ଦେଶ୍ୟରେ ହୁଏତ, ଶ୍ରୀକଣ୍ଠ ତା’ର ନିଜର ୩।୪ଟି ଛବି ଟଙ୍ଗେଇ ଦେଇଛି । ବିଶ୍ୱମାନବର ଏଇ ମଧୁର ଓ ମହୀୟାନ୍ କଳ୍ପଲୋକ ଭିତରେ ରହି ଶ୍ରୀକଣ୍ଠର ନିଜର କଳାସୃଷ୍ଟି ସମ୍ବନ୍ଧରେ କୌଣସି ଅହମିକା ହିଁ ନ ଥିଲା । ସେ କେବଳ ଚାହୁଁଥିଲା ଏପରି ଏକ କୌଣସି କଳାବସ୍ତୁ ସୃଷ୍ଟି କରିଯିବ, ଯାହା ଏଇ ଶାଶ୍ଵତିକମାନଙ୍କ ସବା ପଛରେ ହେଲେ ଠିଆ ହେବା ପାଇଁ ସ୍ଥାନ ପାଇପାରେ । ତା’ର ଆଉ ଏକ ସାଧନା ଥିଲା ଜୀବନର । ତାହା ହେଉଛି ରୁକ୍ଷ, କୁତ୍ସିତ ଜଗତ ଓ ସମାଜରେ ରୂପର ବାଣୀ ଓ ମହିମା ପ୍ରଚାର; କୁତ୍ସିତ, ବିକଳ ଦୈନନ୍ଦିନ ଜୀବନରେ ସୌନ୍ଦର୍ଯ୍ୟର ବିଜୟ ଘୋଷଣା । ତା’ର ଦୃଢ଼ ଧାରଣା ଯେ ମାନବିକ ବିବର୍ତ୍ତନର ଶ୍ରେଷ୍ଠ ନିକଷ ହେଉଛି ରୂପର ଆଦର, ନୁହେଁ ରାଜନୀତି ନୁହେଁ ବିଜ୍ଞାନ, ନୁହେଁ ଯୋଗାଭ୍ୟାସ । ସେ ଜଟାଭାର, ପାଉଁଶ-ଧୂସର ହିନ୍ଦୁସନ୍ନ୍ୟାସୀଙ୍କି ଆଡ଼ଆଖିରେ ଚାହିଁପାରେନା, ସେ ସେମାନଙ୍କୁ ମନେ କରେ ମାନବିକ ଘୁଷୁରୀ । ସୁନ୍ଦର ଭଗବାନଙ୍କୁ ଯିଏ ଆରାଧନା କରିବାରେ ନିଯୁକ୍ତ, ସେ ନିଜକୁ ଏପରି କୁତ୍ସିତ କିପରି କରିପାରେ, ସେ କଳ୍ପନା କରିପାରେନା । ଠିକ୍ ଏଇ କାରଣରୁ ସେ ଅଧିକ ପସନ୍ଦ କରେ ରୋମାନ୍ କାଥଲିକ୍ ଚର୍ଚ୍ଚର ପରବେଶ, ସୁନ୍ଦରୀ ସୁହାସିନୀ, ସେବାମୟୀ ‘ଭଗିନୀ ଓ ପ୍ରଶାନ୍ତବନ୍ଦନ ସୁପରିହିତ ‘ପିତା’ର ଦଳଙ୍କୁ । ମଧୁର, ନିବିଡ଼ ସୌନ୍ଦର୍ଯ୍ୟ ଦେଇ ଆର୍ଟିଷ୍ଟ୍‍ର ତୂଳିର ମାଧ୍ୟମରେ ଭଗବାନଙ୍କୁ କିପରି ସହଜରେ ଅନୁଭବକୁ ଅଣାଯାଇପାରେ, ତାହା ଅଦୀକ୍ଷିତ ଅବୁଝାଙ୍କୁ ପ୍ରତ୍ୟକ୍ଷରେ ଦେଖେଇଦେବା ପାଇଁ ସେ ତା’ର ଶଯ୍ୟାର ଠିକ୍‍ ଉପରେକିନି ଟାଙ୍ଗି ଦେଇଥାଏ ଫରାସୀ ଶିଳ୍ପୀ ମିଲେର ପ୍ରସିଦ୍ଧ ଚିତ୍ର ‘ସାନ୍ଧ୍ୟ ପ୍ରାର୍ଥନା’ । ଶ୍ରୀକଣ୍ଠ ଏଇ ଚିତ୍ରଟିକି ଜଗତର ଶ୍ରେଷ୍ଠ ଚିତ୍ର ବୋଲି ମନେକରେ । ତା’ର ଦୃଷ୍ଟିରେ ଏଇ ଚିତ୍ରର କେତୋଟି ନିପୁଣ ରେଖା ଭିତରେ ଯେପରି ସମଗ୍ର ମାନବଜାତି ରୂପକ ହୋଇ ଦଣ୍ଡାୟମାନ । ଦରିଦ୍ର କୃଷିକାରୀ ସ୍ୱାମୀ ଓ ସ୍ତ୍ରୀ ନିଜ କିଆରୀରେ ପେଟର ଜଞ୍ଜାଳ ପାଇଁ କାମ କରୁଥିଲେ । ହଠାତ୍ ଦୂର ଚକ୍ରବାଳସ୍ଥ ଛୋଟ ଗ୍ରାମ୍ୟ ଗୀର୍ଜାରେ ସନ୍ଧ୍ୟାର୍ଚ୍ଚନାର ଘଣ୍ଟା ବାଜିଉଠିଛି । ସ୍ଵାମୀ ଓ ସ୍ତ୍ରୀ ହାତହତିଆର ଯେଉଁଠି ଥିଲା ସେଇଠି ପକେଇ ଦେଇ ଏକତ୍ର ମୁଣ୍ଡ ନୁଆଇଁ, ସେହି ରହସ୍ୟମୟ ଆହ୍ଵାନକୁ ମାନି, ଅଜ୍ଞେୟ, ଅଜ୍ଞାତ ବିଧାତାକୁ ପ୍ରାର୍ଥନା କରିବାକୁ ଯାଉଛନ୍ତି । ସମଗ୍ର ଚିତ୍ରଟିର ଛୋଟ ସୀମା ଭିତରେ ମନୁଷ୍ୟର ଇହ ଜୀବନର କଠୋର ସଂଗ୍ରାମ ଓ ଦୃଶ୍ୟମାନ ଜଗତରେ ଆଶ୍ରୟ ବା ଭରସାର କୌଣସି ଆଶା ନ ଦେଖି ମନୁଷ୍ୟର ଅଜ୍ଞାତ, ଅଜ୍ଞେୟ ଆଡ଼କୁ ବ୍ୟାକୁଳ ଭାବରେ ଅନେଇବା, ଏଇଯେ କରୁଣ ମଧୁର ଚିତ୍ର, ତାହା ଏପରି ସ୍ପଷ୍ଟ ହୋଇ ଫୁଟିଉଠିଛି, ଯାହା ଶ୍ରୀକଣ୍ଠ କାବ୍ୟ ନାଟକ, ସରମନ୍‍ ବା କୌଣସି ଯୋଗୀ ସନ୍ନ୍ୟାସୀର ଜୀବନ-କାହାଣୀରେ କାହିଁହେଲେ ପାଇନି । ବହୁ ପାପ, ବ୍ୟଭିଚାର, ରୋଗ ଓ ମୂର୍ଖତାର ପୀଠସ୍ଥଳ ହିନ୍ଦୁମନ୍ଦିର, ବହୁ ଅନ୍ଧ-ଅସହିଷ୍ଣୁତା ଓ ବର୍ବରତାର ଜନ୍ମସ୍ଥାନ ମସଲେମ୍ ମସ୍କ ଓ ବହୁ ଅନ୍ଧ-ଅହମିକା ଓ ଘୃଣାର କେନ୍ଦ୍ର ଖ୍ରୀଷ୍ଟାନ୍‍ ଚର୍ଚ୍ଚ ଅପେକ୍ଷା ଶ୍ରୀକଣ୍ଠ ଏହି ଚିତ୍ରଟିକୁ ମହତ୍ତର ଓ ପବିତ୍ରତର ମନେକରେ । ଗୀର୍ଜା, ମନ୍ଦିର ଓ ମସ୍କ ଠିଆ କରେଇ ଆସିଛନ୍ତି ରାଜା, ଜମିଦାର, ଧନୀ ଓ ବ୍ୟବସାୟୀର ଦଳ, ଯେଉଁମାନଙ୍କ ଦୁଇ ହାତ, କହୁଣୀ ପର୍ଯ୍ୟନ୍ତ ନରଲୁହରେ ଆର୍ଦ୍ର । ସେଠିକି ଭଗବାନ ଅସିବେ କିପରି ଓ କାହଁକି ? ଭଗବାନ କ’ଣ ଏଡ଼େ ଓଲୁ ହୋଇପାରନ୍ତି ? ଅଥଚ ମିଲେର ଏଇ ଚିତ୍ର ତା’ର ଦାରିଦ୍ର୍ୟନିପୀଡ଼ିତ ଜୀବନର ହୃଦୟରକ୍ତ ଦେଇ ଲେଖା । ଯେଉଁ ଆର୍ଟିଷ୍ଟ୍‍ ତା’ର ପିଲାକୁ ବଞ୍ଚାଇବା ପାଇଁ ତା’ର ଶେଷ ଯୋତା ହଳକ ବିକିବାକୁ ବାଧ୍ୟ ହୋଇଥିଲା, ଯେ ଧନୀକ ପୁଞ୍ଜିପତିଙ୍କୁ ଉପେକ୍ଷା କରି ଦରିଦ୍ର ଚାଷୀ ମଜଦୂରଙ୍କ ଛବି ଅଙ୍କିବା ପାଇଁ ଦିନ ଦିନ ଧରି ଉପାସରେ ରହିଛି, ଯେ ଦାରିଦ୍ର୍ୟ ଯୋଗୁଁ ତା’ର ମୁମୂର୍ଷୁ ମା ପାଖକୁ ଯାଇପାରିନି, ତା’ର ହୃଦୟ ସମୁଦ୍ରର ମନ୍ଥନରୁ ଉଦ୍ଭବ ହେଇଛି ଏଇ ‘ସାନ୍ଧ୍ୟ ପ୍ରାର୍ଥନା’ର ବେଦ । ଇଶ୍ଵରର ଉପଲବ୍‍ଧି ଏଠି ସହଜଲଭ୍ୟ ନ ହୋଇ ହେବକି ସେଇଠି, ଯେଉଁଠି ବ୍ୟଭିଚାରୀ ରାଜା ଗଢ଼ିଛି ଦେଉଳ ବା ମସ୍‍ଜିଦ୍ ଓ ଛାଡ଼ିଯାଇଛି ତା’ର ତତ୍ତ୍ୱାବଧାନ ସ୍ଵାର୍ଥସର୍ବସ୍ଵ, ପାଷଣ୍ଡ ପୁରୋହିତ ଦଳ ହାତରେ ? କଳା; ତେଣୁ ଶ୍ରୀକଣ୍ଠ ନିକଟରେ କେବଳ ହବି, କେବଳ ଅବସରବିନୋଦନ ନୁହେଁ, ତାହା ତା’ର ଧର୍ମ, ତା’ର ମିଶନ୍ ।

 

ସହରର ଏକ ଅପରିଷ୍କୃତ, ଦରିଦ୍ର ଅଞ୍ଚଳରେ ଅବସ୍ଥିତ ହେଲେ କ’ଣ ହେଲା, ଶ୍ରୀକଣ୍ଠର ଏଇ ଘରଟି କିନ୍ତୁ ସହରର ଏକପ୍ରକାର ସଂସ୍କୃତି-କେନ୍ଦ୍ର । ସହରରେ ଅଛନ୍ତି ଅବଶ୍ୟ ପ୍ରାଦେଶିକ ଗଭର୍ଣ୍ଣର, ଅଛନ୍ତି ପ୍ରଧାନ ମନ୍ତ୍ରୀ, ଉପମନ୍ତ୍ରୀର ଦଳ, ଅଛନ୍ତି ମଧ୍ୟ ସେକ୍ରେଟାରୀ, ଅଣ୍ଡର ସେକ୍ରେଟାରୀ, ଡିରେକ୍‍ଟର ପ୍ରଭୃତି ବ୍ୟୁରୋକ୍ରାଟ ଦଳ, ଯେଉଁମାନଙ୍କ ସଂସାର ଖାନାପିନା, ପାର୍ଟିଫିଷ୍ଟ୍‍, ପରବାନା–ଫର୍ମାନ୍, ଡ୍ରଇଂ ରୁମ୍‍, ଡାଇନି ରୁମ୍ ଓ ଚୁଗୁଲି ଚାଗଲ ଫୁସ୍‍ଫାସ୍‍ର ସଂସାର । ସେ ସଂସାରରେ ପ୍ରତି ମୁହୂର୍ତ୍ତରେ ପଦ ପଦକ କଥାରେ, କଲମର ଗାରେ ଗାରେ ସହସ୍ର ସହସ୍ର ଲୋକର ଭାଗ୍ୟର ଉତ୍‍ଥାନପତନ ହେଉଛି; କିନ୍ତୁ ଯେଉଁମାନେ ଗାର ମାରୁଛନ୍ତି, ସେମାନେ ତାହା କରୁଛନ୍ତି ଯେପରି ସିଗାରେଟ୍‍ଟା ଫୁଙ୍କି ଫୋପଡ଼ି ଦେଲା ପରି । ମାନବିକ ସଭ୍ୟତାର ପାଞ୍ଚହଜାର ବର୍ଷର ଇତିହାସ ଏମାନଙ୍କ ଆଗରେ ଥୁଆ ହୋଇଥିଲେ ମଧ୍ୟ ଶାସନ ଓ ସିଂହାସନର ଉତ୍‍ଥାନ ପଛପଟେ ପତନ, ଦିନ ପରେ ରାତ୍ରି ପରି ପ୍ରାକୃତିକ ନିୟମରେ ଲାଗି ରହିଥିଲେ ମଧ୍ୟ ଆଜି ଯେଉଁ ବ୍ୟୁରୋକ୍ରାଟ ଦଳକ ଆସନରେ ବସିଛନ୍ତି ସେମାନେ ମନେ କରନ୍ତି, ଯେପରି ସେମାନେ ଶାଶ୍ଵତ, ଶାସନ କରିବା ପାଇଁ ସେମାନଙ୍କର ଯେପରି ଜନ୍ମାନ୍ତରର ଦାବି ଅଛି । ଦେଶର ବାହ୍ୟନେତ୍ର ଏଇ ଦଳ ଆଡ଼କୁ ବାଧ୍ୟରେ ଟେକି ହୋଇ ରହିଥଲେହେଁ ଯୁଗେ ଯୁଗେ ଜାତିର ଅନ୍ତର୍ଦୃଷ୍ଟି ଚାହିଁ ରହିଥାଏ ଦେଶର କେଉଁ ଅଜ୍ଞାତ ଅପାକ୍ତେୟ କୋଣରେ କେଉଁ କବି, ଶିଳ୍ପୀ ବା କେଉଁ ଜ୍ଞାନତପସ୍ଵୀ ନିଜର ଜୀବନ-ସାଧନା ଭିତରେ ଜାତିର ମର୍ମବାଣୀ ପ୍ରକାଶ କରୁଛି । ଏଇ ଚିରନ୍ତନ ସାଂସ୍କୃତିକ ନିୟମରେ ଶ୍ରୀକଣ୍ଠର ଏଇ ଛୋଟ ବସାଟି ସହରର ଏକ ଅବଜ୍ଞାତ ଗଳିରେ ଅବସ୍ଥିତ ହେଲେହେଁ ଏଇ ଛୋଟ ଘରଟି ପ୍ରକୃତରେ ଜାତିର ବା ଅନ୍ତତଃ ସହରର ସଂସ୍କୃତି-କେନ୍ଦ୍ର । ଶ୍ରୀକଣ୍ଠ ସ୍ଵାଧୀନ, ଅବିବାହିତ । ତା’ର ଘରର ଦ୍ୱାର ତେଣୁ ଅବାରିତ । ଆସନ୍ତି ସେଠିକି ଅଧ୍ୟାପକ, କବି, ଛାତ୍ର, ଇଞ୍ଜିନିୟର ଓ ଶିଳ୍ପୀ; ଆସନ୍ତି ବେଳେ ବେଳେ ପ୍ରେସ ଓ ସମ୍ପାଦକଙ୍କ ପ୍ରତିନିଧି । ପ୍ରାୟଇ ସନ୍ଧ୍ୟାବେଳେ ଛାତ ଉପରେ ଗୋଟାଏ ମଜଲିସ ବସେ । ସାଙ୍ଗ ଛାଡ଼ି ନଥାନ୍ତି କେତେବେଳେ । ତେବେ ସମାଜର ଅଭ୍ୟାସଗତ ବହୁ ସଜ୍ଜନ ଦୁର୍ଜନଙ୍କ ଭିତରୁ ଶ୍ରୀକଣ୍ଠର ନିଜର ଗୋଟିଏ ଛୋଟ ଅନ୍ତରଙ୍ଗ ଦଳ ଥାଏ । ସେଇ ଭିତରେ ଗଣା ହୁଅନ୍ତି ଆମର ପ୍ରଭୁପାଦ, ଉଦୟନ, କରୁଣାସିନ୍ଧୁ ପ୍ରଭୃତି ।

 

ସ୍କୁଲମାଷ୍ଟର କରୁଣାସିନ୍ଧୁ ସାଙ୍ଗେ ଶ୍ରୀକଣ୍ଠ ସେଦିନ ସନ୍ଧ୍ୟାରେ ସଦ୍ୟମୃତ ଶିକ୍ଷକର ବସାକୁ ଯାଇଥିଲା ସ୍ୱେଚ୍ଛାସେବକର ଉତ୍ସାହ ଧରି ନବବୈଧବ୍ୟଭୂତା ଅସହାୟା ତରୁଣୀଟିକୁ ସାହାଯ୍ୟ କରିବାପାଇଁ । ସେଇଠି ପହଞ୍ଚି ଦେଖନ୍ତି ସବୁ ଶୁନ୍‍ଶାନ୍, ଭିତରୁ କବାଟ ଦିଆହୋଇଛି । ସମସ୍ତେ ବୋଧହୁଏ ଶୋଇପଡ଼ିଲେଣି । ଆଉ ଡକାହକା କରେଇବା ଉଚିତ ମନେକଲେନି । ଠିକ୍ କଲେ, କାଲି ସକାଳେ ଆସିବେ । ଫେରି ଆସିଲେ । ବାଟରେ କିନ୍ତୁ ସ୍ଥିର ହେଲା ଯେ ଆଗାମୀ ସନ୍ଧ୍ୟାରେ ଶ୍ରୀକଣ୍ଠର ଘରେ ପ୍ରେତଚକ୍ର ବସିବ । ସଦ୍ୟମୃତ ଶିକ୍ଷକ ବନ୍ଧୁଙ୍କଠାରୁ ଯଦି କିଛି ‘ମେସେଜ୍’ ମିଳେ ।

 

ତହିଁ ଆରଦିନ ସକାଳେ ଶ୍ରୀକଣ୍ଠ କିନ୍ତୁ କଥା ରଖିପାରିଲାନି । ଗୋଟାକ ପରେ ଗୋଟେ ଲୋକ ଆସି ଜୁଟିଲେ । ଡେରି ହୋଇଗଲା । ଭାବିଲା ସଂଧ୍ୟାରେ ତ କରୁଣାସିନ୍ଧୁ ନିଶ୍ଚୟ ଆସିବ । ଟଙ୍କାପଇସା ଦରକାର ଥିଲେ ବଳେ କହିବ ଆସି । ଆଉ ଅଧିକ ସାହାଯ୍ୟ ବା ସେ କ’ଣ ଦେଇପାରେ ? ସେ ଯେ ସେ ପରିବାର ନିକଟରେ ଏକାନ୍ତ ଅପରିଚିତ ।

 

କରୁଣାସିନ୍ଧୁ ସନ୍ଧ୍ୟାରେ ଆସିଲା । ଶ୍ରୀକଣ୍ଠକୁ ସାମାନ୍ୟ ଗାଳିଦେଲା ସେ କାହିଁକି ନ ଗଲା ବୋଲି । ଶ୍ରୀକଣ୍ଠ ଅତ୍ୟନ୍ତ ଦୁଃଖପ୍ରକାଶ କରି, କ୍ଷମା ମାଗି ନବବିଧବାର ଅବସ୍ଥା ବିଷୟ ପଚାରିଲା । କରୁଣାସିନ୍ଧୁ କହିଲା ଯେ ସେମାନେ ଆପାତତଃ କଟକରେ ରହୁଛନ୍ତି । ଗାଁକୁ ଖବର ପଠାହୋଇଛି । ଏଇକ୍ଷଣି ଟଙ୍କାପଇସାର ବିଶେଷ ଦରକାର ନାହିଁ ।

 

ଏସବୁ ଶୁଣି ଶ୍ରୀକଣ୍ଠ ବେଶ୍ ଟିକଏ ଅନପେକ୍ଷାର ଭାବ ଦେଖାଇ କହିଲା–ତେବେ ମୋର ଯିବାଟା ସେତେ କି ଦରକାର ଥିଲା ? ନ ଯାଇ କ୍ଷତି ତ କିଛି ହେଇନି ?

 

କରୁଣାସିନ୍ଧୁ ସାମାନ୍ୟ ମୃଦୁ ହସି ଉତ୍ତରଦେଲା, “ତମେ ଆର୍ଟିଷ୍ଟ୍‍ । ନାନା ପ୍ରକାର ଲେକଙ୍କୁ ନାନା ଅବସ୍ଥାରେ ତମର ଦେଖିବାର କଥା । ସଦ୍ୟ ବୈଧବ୍ୟ କିପର ଦିଶେ, କେବେ ଦେଖିଛ ?”

 

“ମୁଁ ମୋର ତୂଳିକୁ ମନୁଷ୍ୟର ଦୁଃଖଠାରୁ ବଡ଼ ମନେ କରେନା । ଆର୍ଟିଷ୍ଟ୍‍ର ତୂଳି ନିଷ୍ପ୍ରାଣ କାମରା ନୁହେଁ । ସେ ଜୀବନ୍ତ । ତା’ର ଅନୁଭବ ଅଛି । କେବଳ ଛବି ଉଠେଇବା ପାଇଁ ମୁଁ ଜଣେ ସଦ୍ୟବିଧବାକୁ ଦେଖିବାକୁ ଯିବି, ଏହା ହେଇପାରେନା ।” ଏହା କହି ଶ୍ରୀକଣ୍ଠ କଥାକୁ ଲେଉଟେଇ ଦେଲା । କହିଲା, ‘ହଉ ଭାଇ, ଦରକାର ପଡ଼ିଲେ ମୋତେ ଖବର ଦେବୁ ପୁଣି । ଏବେ ଚକ୍ରର ଅୟୋଜନ କର ତ ।’

 

ଧିରେ ଆଉ ଜଣେ ଦୁଇ ଜଣ, ଯାହାଙ୍କୁ ଶ୍ରୀକଣ୍ଠ ଖବର ଦେଇଥିଲା, ସେମାନେ ଆସି ପହଞ୍ଚିଗଲେ । ଉପର ବାରଣ୍ଡାର ଗୋଟେ କଣରେ ଅନ୍ଧକାରରେ ଗୋଟିଏ ଛୋଟ ଗୋଲଟେବୁଲ ଚାରିପଟେ ସେମାନେ ବସିଲେ । ସମସ୍ତେ ନୀରବ, ଗମ୍ଭୀର । ନବାଗତମାନଙ୍କ ମଧ୍ୟରୁ ଜଣକ ପାଇଁ ଏ ଅଭିଜ୍ଞତା ଏକାବେଳକେ ନୂତନ । ସେ କ’ଣ ଘଟିବ ବୋଲି ଭିତରେ ଭିତରେ ଥରିବାକୁ ଆରମ୍ଭ କଲାଣି । ପ୍ରେତାତ୍ମା ଆସି କଥା କହିବ ! ଯେଉଁ ପ୍ରେତାତ୍ମାକୁ ସିଏ ପଲାଦିନରୁ ଡରି ଡରି ଆସିଛି, ଯାହା ଭୟରେ ସେ ରାତିରେ ଘରୁ ବାରଣ୍ଡାକୁ ବାହାରେନା ଜଣକ ସାଥି ନ ନେଲେ ।

 

କରୁଣାସିନ୍ଧୁ ଓ ଶ୍ରୀକଣ୍ଠ ବରାବର ଦୁଇଜଣଯାକ ଜାଣିଥିବା ଜଣେ ଲୋକର ଆତ୍ମାକୁ ଭାବିଥାନ୍ତି ପ୍ରଥମେ । ବହୁଦିନ ଧରି ସେଇ ତାଙ୍କର ପ୍ରେତଜଗତର ‘ଗାଇଡ୍‍’ ହୋଇଆସିଛି । ସେ ଜଣେ ସାଧାସିଧା ସଂସ୍କୃତ ପଣ୍ଡିତ । ଆଜି ମଧ୍ୟ ସେମାନେ ତାକୁଇ ଧ୍ୟାନ କଲେ । କିଛି ସମୟ ଧ୍ୟାନ କଲା ପରେ ଛୋଟ ଟେବୁଲ ସାମାନ୍ୟ ସାମାନ୍ୟ କମ୍ପିତ ହେବାକୁ ଲାଗିଲା । ଶ୍ରୀକଣ୍ଠ ଗମ୍ଭୀର ସ୍ଵରରେ ଗାୟତ୍ରୀ ମନ୍ତ୍ର ଓ ଛୋଟ ଛୋଟ ସଂସ୍କୃତ ସ୍ତୋତ୍ର ବୋଲିବାକୁ ଆରମ୍ଭ କଲା । ସ୍ତୋତ୍ରାବୃତ୍ତିର ପ୍ରସାର ସଙ୍ଗେ ସଙ୍ଗେ ଟେବୁଲ ଘନ ଘନ କମ୍ପିତ ହୋଇ ଶେଷକୁ ଦୋଳାୟମାନ ହେବାକୁ ଆରମ୍ଭ କଲା । ଶ୍ରୀକଣ୍ଠ ହାତରେ କାଗଜ ପେନ୍‍ସିଲ । ବର୍ତ୍ତମାନ ପ୍ରଶ୍ନୋତ୍ତରର ସୁବିଧା ପାଇଁ ଆଲୁଅ ଜାଳି ଦେଇ ସେମାନେ ପ୍ରଶ୍ନ ଆରମ୍ଭ କରିଦେଲେ । କରୁଣାସିନ୍ଧୁ ହିଁ ପୁରୋଧା ।

 

“କିଏ, ପଣ୍ଡିତେ ନା ?”

 

ଟେବୁଲ ଠକ୍ ଠକ୍ ।

 

“ଆପଣ ଭଲ ଅଛନ୍ତି ?”

 

ଟେବୁଲ ଠକ୍ ଠକ୍ ।

 

“ଆଜି ଆପଣଙ୍କୁ ଡାକିବାର ଉଦ୍ଦେଶ୍ୟ ଜାଣିଛନ୍ତି ?”

 

ଟେବୁଲ ନୀରବ ।

 

“କାଲି ଆମ ସ୍କୁଲର ଯେଉଁ ଶିକ୍ଷକ ଚାଲିଗଲେ, ତାଙ୍କୁ ଡାକିପାରିବେ ?”

 

ଟେବୁଲ ନୀରବ ।

 

ବାରମ୍ବାର ପ୍ରଶ୍ନ କରାଗଲା । ଟେବୁଲ କେବଳ ଦୋଳାୟମାନ ହେଉଥାଏ, କୌଣସି ଉତ୍ତର ନାହିଁ ।

 

ଠିକ୍ ଏଇ ସମୟରେ ତଳୁ ଜଣଙ୍କର ଶବ୍ଦ ଶୁଣାଗଲା–ଶ୍ରୀକଣ୍ଠ ଅଛି କି ?

 

ଶ୍ରୀକଣ୍ଠ ଓ କରୁଣାସିନ୍ଧୁ ଉଭୟେ ଧଡ଼ପଡ଼ ହୋଇ ଉଠିପଡ଼ିଲେ–“ଆରେ, ଆମ ଗୁରୁଦେବ ।” ଅଭ୍ୟାଗତ ବନ୍ଧୁ ଦୁଇ ତିନି ଜଣଙ୍କୁ କହିଲେ, ‘‘ଆପଣମାନେ ଆଜି ଯାଆନ୍ତୁ । ଆଉ ଦିନେ ଆସିବେ । ଯିଏ ଆସିଲେଣି, ସିଏ ୟାକୁ ଦେଖିଲେ ଚିଡ଼ନ୍ତି ଭାରି ।’’

 

କିନ୍ତୁ କେହି ସ୍ଥାନ ନ ଛାଡ଼ୁଣୁ ତଥାକଥିତ ଗୁରୁଦେବ ଉପର ବାରଣ୍ଡାରେ ଆସି ହାଜର ହୋଇଗଲେ । ତାଙ୍କର ବୟସ ୩୫।୪୦ ଭିତରେ ହେବ । ମୁଖମଣ୍ଡଳ ସୁକର୍ତ୍ତିତ କୃଷ୍ଣଶ୍ମଶ୍ରୁରେ ଆବୃତ । ଉଜ୍ଜ୍ୱଳ ଗୌରବର୍ଣ୍ଣ ମୁଖଶ୍ରୀ । ନାକରେ ସୁନା ଫ୍ରେମର ଚଷମା, ସମଗ୍ର ମୁଖକୁ ଏକ ଅସାଧାରଣ ବୁଦ୍ଧିଜୀବୀର ମହିମାରେ ମଣ୍ଡିତ କରିଛି । ପରିଧାନ କେବଳ ଶୁଭ୍ର ଖଦଡ଼ର ଧୋତି ଓ ପଞ୍ଜାବୀ ।

 

ଗୁରୁଦେବ ନୀରବରେ ଠିଆ ହୋଇ ସମସ୍ତଙ୍କ ମୁହଁକୁ ମୃଦୁ ମୃଦୁ ହସି ଟିକିଏ ଚାହିଁଲେ । ନବାଗତମାନେ ବିନା ଭାଷଣରେ ଧୀରେ ଧୀରେ ତଳକୁ ଖସିଗଲେ । ଅବସର ବୁଝି ଗୁରୁଦେବ ବର୍ତ୍ତମାନ କହିଲେ, “ଶ୍ରୀକଣ୍ଠ, କେତେ କହିଲି, ଏ ପାଗଳାମି ଛାଡ଼ୁନା କାହିଁକି ? କରୁଣାସିନ୍ଧୁ । ତମେ ବି ଫେର ମାତିଲଣି ଦେଖୁଛି ।”

 

ଦୁହେଁ ନୀରବ; ଯେପରି ଏକ ଅପରାଧ କରିଛନ୍ତି । କରୁଣାସିନ୍ଧୁ ପାଟି ଫିଟାଇ କହିଲେ, “ସାର୍‍, ମଝିରେ ମଝିରେ କଲେ କ୍ଷତି କ’ଣ ? ଆଜିର ଚକ୍ରର ଉଦ୍ଦେଶ୍ୟ ଆପଣ ଜାଣନ୍ତିନି । ମୋର ଜଣେ ଶିକ୍ଷକବନ୍ଧୁ ହଠାତ୍ ଚାଲିଗଲେ । କାଳେ ତାଙ୍କର ବିଧବା ଓ ପରିବାର ପାଇଁ ଯଦି କିଛି ମେସେଜ୍ ପାଇପାରୁଁ, ଏଇ ଚେଷ୍ଟା କରୁଥିଲୁ ।”

 

ଗୁରୁଦେବ ବର୍ତ୍ତମାନ ପ୍ରେତଚକ୍ରର କଥା ଭୁଲି ମୃତ ଶିକ୍ଷକର ବୃତ୍ତାନ୍ତ ଶୁଣିବାକୁ ଲାଗିଲେ । ଶୁଣି ବଡ଼ ବ୍ୟସ୍ତବ୍ୟଥିତ ହେଲାପରି ଜଣା ପଡ଼ିଲେ ।

 

ସମସ୍ତେ ଛିଡ଼ା ହୋଇଥିଲେ । ବର୍ତ୍ତମାନ ଗୋଟିଏ ଗୋଟିଏ ଚୌକିରେ ସମସ୍ତେ ବସିଲେ । ଏଇ ଦୁଃଖର ପରଦା ଯୋଗୁ କେହି ଯେପରି ଅନ୍ୟ କାହାକୁ ଦେଖିପାରୁ ନାହାନ୍ତି, ସମସ୍ତେ ନୀରବ । ବହୁ କ୍ଷଣର ନୀରବତା ପରେ ଗୁରୁଦେବ କଥା କହିଲେ, “କିଛି ମେସେଜ୍ ପାଇଲ, କରୁଣା ?”

 

“ନା ।’’

 

“ଆଚ୍ଛା, ପୁଣି ଚେଷ୍ଟା କର ତ । ଉଦ୍ଦେଶ୍ୟ ତମର ଭଲ । ଆଜିର ଚକ୍ରପାଇଁ ମୁଁ ତମକୁ ନିନ୍ଦା କରୁନାହିଁ । ମୁଁ କେବଳ ମନାକରେ ଏଇ ଯୋଗୁଁ ଯେ ଯିଏ ଜୀବନ୍ତ, ସିଏ ସବୁବେଳେ ମୃତକୁ ନେଇ ଖେଳା କରିବ କାହିଁକି ? ଜୀବନର ସମସ୍ୟାର ସମାଧାନ କର, ମୃତ ତା’ର ମୃତ୍ୟୁଜଗତର ସମସ୍ୟା ସେଇଠି ସମାଧାନ କରୁ ବା କରୁଥିବ । ଆତ୍ମବିଶ୍ଵାସକୁ ଜାଗ୍ରତ କର ଓ ବଢ଼ାଅ । ବାହାରୁ କୌଣସି ଦେବତା ବା ପ୍ରେତାତ୍ମାର ନିର୍ଦ୍ଦେଶରେ ଜୀବନର ଅଗ୍ରଗତି ସମ୍ଭବ କି ? କୌଣସି ଜାତି ବା ବ୍ୟକ୍ତିର ଚାରିତ୍ରିକ ବା ଆଧ୍ୟାତ୍ମିକ ଉନ୍ନୟନ ଏ ମାର୍ଗରେ ହେବାର ଉଦାହରଣ କାହିଁ ପାଇଲଣି ? ସେ ଉନ୍ନୟନ କେବଳ ଆସିବ ବୁଦ୍ଧିର ପ୍ରୟୋଗ, ସତ୍ୟର ଅନୁସନ୍ଧାନ, ଆଉ ସନ୍ମାର୍ଗରେ କର୍ମର ଅଭ୍ୟାସରୁ । ଆମେଇ ଆମର ଶ୍ରେଷ୍ଠ କର୍ଣ୍ଣଧାର ଶ୍ରୀକଣ୍ଠ ! ପ୍ରେତାତ୍ମାମାନେ ଯଦି ଆମର ବନ୍ଧୁ ଓ ନିୟାମକ ହେବାର କଥା, ତେବେ ଆମ ଦେଶର ଗୁଣିଆମାନେ ଏତେ ହୀନ ଅବସ୍ଥାରେ ଥାଆନ୍ତି କାହିଁକି ? ସମାଜ ମଧ୍ୟ ଗୁଣିଗାରଡ଼ିରେଇ ତ ଚଳୁଥାନ୍ତା । ଥାଉ ସେ କଥା । ପ୍ରଭୁପାଦ ନାହିଁକି ? ତା’ର ବସାଠି ତାକୁ ପାଇଲିନି । ସେ କଅଣ କଟକରେ ନାଇଁ ?

 

ଶ୍ରୀକଣ୍ଠ କହିଲା, “ସେ ଆଜି ସକାଳେ ତା’ ଗାଁକୁ ଚାଲିଗଲା । ମତେ ଦେଖାକରି ଯାଇଛି-।”

 

ଗୁରୁଦେବ କେବଳ କହିଲେ, ‘ଓ’ ! କରୁଣାସିନ୍ଧୁ ବର୍ତ୍ତମାନ ଯିବାକୁ ବାହାରିଲେ । ଗୁରୁଦେବ କହିଲେ, “ତମେ ଯିବ ? ଅଚ୍ଛା ଯାଅ । ଭଲ ତ ସବୁ ତୁମର ?”

 

କରୁଣାସିନ୍ଧୁ “ହଁ । ପରେ ଦେଖାକରିବି” କହି ତରତରରେ ତଳକୁ ଓହ୍ଲାଇଗଲେ ।

 

ବାରଣ୍ଡା ବର୍ତ୍ତମାନ ଶୁନ୍‍ଶାନ୍ । କେବଳ ଗୁରୁଦେବ ଓ ଶ୍ରୀକଣ୍ଠ । ଦୁଇଜଣ କିଛିକ୍ଷଣ ନୀରବ ରହିଲେ । ତା’ପରେ ଗୁରୁଦେବ କହିଲେ, “ଶୁଣିଲଣି, ଲେଟେଷ୍ଟ୍‍ ପଲଟିକ୍‍ସ ? ଏ ମନ୍ତ୍ରିମଣ୍ଡଳ ଭାଙ୍ଗିବା ଉପରେ । ଅପୋଜିସନ୍ ତ ସେଇପରି । ବାଛିବ କାହାକୁ ? ଏ ଦେଶର ଭବିଷ୍ୟତ୍‍ କଅଣ ? ଗଣତନ୍ତ୍ର ଏ ମାଟିରେ ଦେଖୁ ଦେଖୁ ପଣତନ୍ତ୍ରରେ ପରିଣତ ହେଲା । କୁରୁପାଣ୍ଡବଙ୍କ ପଣରେ ସମଗ୍ର ଆର୍ଯ୍ୟାବର୍ତ୍ତ ଧ୍ଵଂସ ହେଲା ପରି, ପାର୍ଟି ପାର୍ଟିର ଦଳାଦଳିରେ ଦେଶର ଘରେ ଘରେ ହୁଏତ ତାଟି ପଡ଼ିଯିବ, ପାଟି ବନ୍ଦ ହବ ।’’

 

ଶ୍ରୀକଣ୍ଠ ରାଜନୀତିର ଘାଣ୍ଟଚକଟରେ ନ ଥାଏ । ବସ୍ତୁତଃ ସେ ହୁଏତ କହିପାରିବନି ଏ ପ୍ରଦେଶରେ ବର୍ତ୍ତମାନ ଘରୋଇମନ୍ତ୍ରୀ କିଏ ? ଇ ଭିତରେ ଏତେ ମନ୍ତ୍ରୀ ଗଲେଣି ଆଇଲେଣି ଯେ ସେମାନଙ୍କର ନାମ ମଧ୍ୟ ଆୟତ୍ତ କରିବା କେବଳ ପ୍ରାଇମେରୀ ସେକେଣ୍ଡାରୀ ଛାତ୍ରଙ୍କ ପକ୍ଷରେ ହିଁ ସମ୍ଭବ । ହୁଏତ ଇନିସ୍ପେକ୍ଟରଙ୍କ ପରାବାନା ମାନି ଅନ୍ୟ ପାଠ ଛାଡ଼ି ସେମାନେ ବର୍ତ୍ତମାନ ଘନ ଘନ ପରିବର୍ତ୍ତିତ ଏଇ ମନ୍ତ୍ରୀନାମାବଳୀ ମୁଖସ୍ଥ କରିବାରେହିଁ ବ୍ୟସ୍ତ । ଶ୍ରୀକଣ୍ଠ କଥାଟା ଲେଉଟାଇବାକୁ ଚେଷ୍ଟା କରି ହଠାତ୍ ପଚାରିଲା, “ସାର୍, ଚା’ଫା ଆଣିବିନା ?”

 

ଗୁରୁଦେବ ହଠାତ୍ ଉଠିପଡ଼ିଲେ । କହିଲେ, “ନା ଶ୍ରୀକଣ୍ଠ ! ମୋର କାମ ଅଛି । ମୁଁ ଯାଏ । ମୁଁ କେବଳ ପ୍ରଭୁପାଦର ଖବର ନେବାକୁ ଆସିଥିଲି । କେବେ ଆସିବ କହିଯାଇନି, ନା ? ମୁଁ ଯାଏ ତା’ହେଲେ” କହି କହି ତଳକୁ ଓହ୍ଲାଇବାକୁ ଲାଗିଲେ । ବାଟରେ ଶ୍ରୀକଣ୍ଠ ଆଡ଼କୁ ଓଲଟି ପୁଣି କହିଲେ “ସେ ମୃତ ଶିକ୍ଷକଙ୍କ ପରିବାରର ଖବର ନେଇ ମତେ ଜଣେଇବ ଯଥା ଶୀଘ୍ର । ମନେରହିଲା ?” ‘‘ଶ୍ରୀକଣ୍ଠ ହଁ’, ହଁ” କହି ଗୁରୁଦେବଙ୍କୁ ବିଦାୟ ଦେଇ କବାଟ ପକାଇ ଉପରକୁ ଉଠିଲା । କିଛିକ୍ଷଣ ସେ ବାରଣ୍ଡା ଓ ନିଜ ଶୟନକକ୍ଷଭିତରେ ଟିକିଏ ଏପଟ ସେପଟ ହେଲା, ଘଣ୍ଟାକୁ ଅନାଇଲା ଏବଂ ଡାକଦେଲା, “ପିଇସୀ, ଖାଇବାକୁ ହେଲାଣି ଯଦି, ଆଣ” ଏବଂ ଉତ୍ତରକୁ ଅପେକ୍ଷା ନ କରି ଟେବୁଲ ପାଖରେ ଏକ ଚୌକିରେ ବସି ପଡ଼ି କେତକ ମାଗାଜିନ ଓ ଦୈନିକ କାଗଜ ଘାଣ୍ଟିବାକୁ ଲାଗିଲା । ଆଶ୍ଚର୍ଯ୍ୟ ହେଲା, ହଠାତ୍ ଦେଖି ଯେ ଗୋଟାଏ ଛୋଟ ନୋଟ୍‍ ଖାତା କିଏ ଛାଡ଼ି ଯାଇଛି । ଆଲୁଅରେ ପତ୍ରସବୁ ଓଲଟେଇଲା । “ଏ ଯେ ଗୁରୁଦେବଙ୍କ ଲେଖା ! ତା’ହେଲେ ନିଃସଂକୋଚରେ ପଢ଼ାଯାଇପାରେ । କାରଣ ତା’ ଜାଣିବା ଭିତରେ ସେ ହେଉଛନ୍ତି ଜଣେ ଲୋକ ଯା’ର ନୁଚେଇବାର କିଛି ନ ଥିଲା । ସେହି ଯୋଗୁ ତ ସେ ତା’ର ‘ଗୁରୁଦେବ’ ଓ ଅନ୍ୟମାନଙ୍କର ମଧ୍ୟ ।’’ ନୋଟ ବୁକ୍‍ର ଗୋଟାଏ ପୃଷ୍ଠାରେ ଏଇପରି ଲେଖାଥିଲା–

 

“ସୌରମଣ୍ଡଳର କେନ୍ଦ୍ର ସୂର୍ଯ୍ୟ । ଶିରୀରର କେନ୍ଦ୍ର ହୃଦ୍‍ଯନ୍ତ୍ର । ଏ ସୃଷ୍ଟିର ପ୍ରତ୍ୟେକ ଘଟଣା ବା ବସ୍ତୁ ବସ୍ତୁତଃ ଗୋଟିଏ ଗୋଟିଏ ବୃତ୍ତ । ପ୍ରତ୍ୟେକେ ଗୋଟିଏ କେନ୍ଦ୍ରର ଚାରିପଟେ ଘୂରୁଛନ୍ତି–ଜ୍ଞାତସାରେ ବା ଅଜ୍ଞାତସାରେ ।’’

 

ମନୁଷ୍ୟ ଜୀବନର କେନ୍ଦ୍ର କ’ଣ ? ପ୍ରେମ, ଈଶ୍ଵର, ଜ୍ଞାନ, ନା ସୁଖ, ନା ରାଜନୀତି ?

 

ୟୁରୋପୀୟ ସଭ୍ୟତାର ଅବରୋହଣର ଅନେକ ଲକ୍ଷଣ ଦେଖା ଗଲାଣି । ଯଦି ଉତ୍‍ଥାନ-ପତନ ଦେଇ ପ୍ରତ୍ୟେକ ଜାତିର ଭାଗ୍ୟ ସାଇକ୍ଲିକ୍‍ ନିୟମରେ ଘୂରୁଛି, ଆମର କୌଣସି ହେଲେ ଚେଷ୍ଟା କରିବାର ପ୍ରୟୋଜନ କ’ଣ ? ଯାହା ହେବାର କଥା ତାହାହିଁ ଘଟିବ ନିଶ୍ଚୟ । ଭାରତର ଅଧୀନତା ଓ ସ୍ଵାଧୀନତା କ’ଣ ସେଇ ନିୟମରେ ଘଟିବ ?”

 

(୯)

 

ନନ୍ଦିଗାଁ ଗାଁଟି, ଯାହା ପ୍ରଭୁପାଦର ଜନ୍ମମାଟି, ମୋଟେ ତିରିଶି ଘର ବସ୍ତି । ସମସ୍ତେ ପ୍ରାୟ ଚାଷୀ, ଘରେ ଦୁଇଘର ବାଉରି ଜାତିର ଲୋକ ଅଛନ୍ତି, ସେମାନେ ବାଉରି କାମ କରି ଓ ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ପାଲ୍‍କୀ–ସବାରୀ କାଁଧେଇ ବଞ୍ଚନ୍ତି, ମଜୁରି ଖଟନ୍ତି ମଧ୍ୟ । ଗୋଟିଏ ହାଡ଼ି ପରିବାର ବି ଅଛି, ଗାଁରୁ କିଛି ଦୂର ଛଡ଼ାରେ ଅନାବାଦୀ ଜମିର ଏକ କୋଣରେ ଛୋଟ କୁଡ଼ିଆ କରି । ଗାଁର ଏକ ପାଖରେ ଦେଉଳଟିଏ, ଗୋପୀନାଥ ଜୀଉଙ୍କ ଆସ୍ଥାନ । ଅନ୍ୟ ପଟେ ଭାଗବତଘର । ଗାଁରୁ ଅଧ ମାଇଲିଏ ଦୂରରେ ପଦ୍ମ-ପୋଖରୀ କୂଳରେ ଗୋଟିଏ ଝଙ୍କା–ଓହଳା ବରଗଛ ତଳେ ବରୁଣେଇ ଠାକୁରାଣୀ ବିଜେ କରିଛନ୍ତି । ଏକ ପରିବାର ଭଣ୍ଡାରି ଗୋପୀନାଥ ଜିଉ ମନ୍ଦିର ବେଢ଼ା ଲାଗି ଘର କରିଛନ୍ତି । ଚିଲିକା ହ୍ରଦ ଗାଁର ପିଣ୍ଡାମାନଙ୍କରୁ ଦିଶେ କହିଲେ ଚଳେ । ସମୁଦ୍ର ମଧ୍ୟ ଗାଁରୁ ବେଶିଦୂର ନୁହେଁ । ସ୍ଵର୍ଣ୍ଣ ବର୍ଣ୍ଣ ଉଦାର ପ୍ରସାରି ବାଲିବନ୍ତ ଉପରେ ଆମ୍ବ, ଲଙ୍କାଆମ୍ବ, ପୋଲାଙ୍ଗ, କୟାଁ, ପଣସ, ନଡ଼ିଆ ପ୍ରଭୃତି ନାନା ଫଳ ଓ ଛାୟାପ୍ରଦ ବୃକ୍ଷର ବୃତ୍ତ ଭିତରେ ଗାଁଟି ଏପରି ଆବୃତ ରହଛି ଯେ ଅଧ ମାଇଲିଏ ଦୂରରୁ ଲୋକବସତି ବାରି ହୁଏ ନାହିଁ । ଗାଁରୁ ରେଳଷ୍ଟେସନ ପ୍ରାୟ ତିନି କୋଶ ହେବ । ଗୋଟିଏ ଦଣ୍ଡା, ଯାହାକି ବର୍ଷାଦିନେ ପଙ୍କ ଓ ଖରାଦିନେ ଧୂଳିର ଜନ୍ମସ୍ଥାନ ବୋଲି ମନେହୁଏ; ଏ ଗାଁକୁ ମାଡ୍ରାସ ଟ୍ରଙ୍କରୋଡ଼ ସଙ୍ଗେ ସଂଯୁକ୍ତ କରିଛି । ରୋଟ୍‍ (ରୋଡ଼୍‍) ଉପରକୁ ଉଠିଲେ, ନନ୍ଦିଗାଁର ଲୋକେ ସହର ବା ସଭ୍ୟ ଜଗତକୁ ଆସିଲେ ବୋଲି ମନେ କରନ୍ତି ।

 

ପ୍ରଭୁପାଦ ଏହି ଛୋଟ ଗାଁଟିରେ ଏକମାତ୍ର ଭରସା କହିଲେ ଚଳେ । ତା’ର ବାପା ଜଣେ ଟ୍ରେଣ୍ଡ୍‍ ପଣ୍ଡିତ । କୌଣସି ଦୂର ସହରରେ କାମ କରି କିଛି ଜମିବାଡ଼ି କରିଛନ୍ତ ଗାଁରେ, ପୈତୃକ ଘରଟିକି ଏବେ ସଂସ୍କାର ଓ ସଂଯୋଗ ଫଳରେ ଭଦ୍ର-ବାସରେ ସେ ପରିଣତ କରିଛନ୍ତି । ସେ ଯେତେବେଳେ ପ୍ରଥମେ ଘରେ ଝରକା ଲଗାଇଲେ ଗାଁର ବୟୋଜ୍ୟେଷ୍ଠ ଓ ବୟୋକନିଷ୍ଠ ନୀତିବାଦୀ ଐତିହ୍ୟ-ଉପାସକଗଣ ନା-ପସନ୍ଦର ଗୁଞ୍ଜରଣ ଉଠାଇଥିଲେ । ସେମାନଙ୍କର ଆପତ୍ତି ଥିଲା ଅତ୍ୟନ୍ତ ମାନବିକ । ପ୍ରଭୁପାଦର ବାପା ଶିକ୍ଷିତ ହେଲେ ମଧ୍ୟ ସେ ନିଜର ସ୍ତ୍ରୀର ଇଜ୍ଜତ ପ୍ରତି ସେତେ ଜାଗ୍ରତ ନ ଥିଲେ ଯେତେଥିଲେ ଅଶିକ୍ଷିତ ଗ୍ରାମବାସୀ । ସେମାନେ ଫୁସ୍‍ଫାସ୍ ହେବାକୁ ଲାଗିଲେ, “ଝରକା ଖୋଲିବା, ଆଉ ସ୍ତ୍ରୀ ଲୋକମାନଙ୍କୁ ଏ ଦାଣ୍ଡରେ ଠିଆ କରାଇବା ଏକା କଥା ନୁହେତ ଆଉ କ’ଣ ? ଏ ଗାଁରେ ଆଉ ଇଜ୍ଜତ ମହତ ବୋଲି କଥା ରହିବ ନାହିଁ ।’’ କିନ୍ତୁ ପ୍ରଭୁପାଦ ପିତା ଜଗନମୋହନ, ସେ ଫୁସ୍‍ଫାସ୍ ଓ କାହା କାହାଠାରୁ କ୍ଷୀଣ ପ୍ରତିବାଦ ଶୁଣି ମଧ୍ୟ ଶୁଣି ନ ଥିଲେ, ବା ଲୋକଙ୍କୁ ସ୍ୱାସ୍ଥ୍ୟରକ୍ଷାର ନିୟମର ଦ୍ୱାହି ଦେଇ ସେ ଲୋକମତକୁ ନିଜ ପଟକୁ ଆଣିବାର ବୃଥା ଚେଷ୍ଟା କରି ନ ଥିଲେ । ପ୍ରବୀଣ ଶିକ୍ଷକ ଜଗନମୋହନ କିନ୍ତୁ ଯେତେବେଳେ ଘରରେ ଝରକା ଦେବାଟାକୁ ଶରୀରତତ୍ତ୍ଵ ଦେଇ ବୁଝେଇବାକୁ ବସିଲେ ସେତେବେଳେ ସେ ଦେଖିଲେ ଯେ ଅନେକ ମୁଣ୍ଡ ତଳ-ଉପର ହେଉଛି ଏକ ସହାନୁଭୂତିସୂଚକ ସମ୍ମତିରେ । ସେ ବୁଝାଇଥିଲେ ‘ଦେଖ ଭାଇମାନେ, ଏଇ ଯେ ଆମର ଶରୀର, ଯାହାକୁ ଶାସ୍ତ୍ରରେ ପିଣ୍ଡ-ବ୍ରହ୍ମାଣ୍ଡ କୁହାଯାଇଛି, ଏହାର ଭିତରେ ଅଛି କାଳିନ୍ଦି ହ୍ରଦ, ସେ କାଳିନ୍ଦି ଜଳରେ ହଂସ ଖେଳୁଛି, ପଦ୍ମ ଫୁଟି ରହଛି, ଜୀବମତ୍ସ୍ୟ ସେଠି ପହଁରୁଛି ଖୁସିରେ । ସେହି କାଳିନ୍ଦି ହ୍ରଦରେ ପଦ୍ମ ଫୁଟିବା ପାଇଁ, ମତ୍ସ୍ୟ ଖେଳିବା ପାଇଁ, ହଂସ ପହଁରିବା ପାଇଁ, ବିଧାତା ଏ ଶରୀରରେ ନାସା, କର୍ଣ୍ଣ, ମୁଖ ପ୍ରଭୃତି ଦୁଆର, ଝରକା ଖୋଲିଛି ନା ନାହିଁ ? ଆମ ଘରଟିମାନ ହେଲା ଆମର ପିଣ୍ଡ । ସେଥିରେ ଦୁଆର ରଖିଛେ । ଆଉ ଗୋଟେ ଗୋଟେ ଝରକା ଖୋଲି ଦେଲେ କ୍ଷତି କ’ଣ ?” ପୁରାଣ-ଭାଗବତର ସଂସ୍କୃତିରେ, ବଢ଼ି ଆସିଥିବା ଗ୍ରାମବାସୀ ଏଥର ବୁଝିଗଲେ । କେହି ଆଉ ପ୍ରତିବାଦ କଲେ ନାହିଁ । ଏବେ ନନ୍ଦିଗ୍ରାମରେ ସମସ୍ତଙ୍କ ଘରେ ଝରକା ।

 

ପ୍ରଭୁପାଦ ଗାଁକୁ ଆସିଲେ ଗାଁର ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଥରେ ବୁଲିଯାଏ । ମାନ୍ୟ ଲୋକମାନଙ୍କୁ ନମସ୍କାର କରିଯାଏ । ବୁଢ଼ା ବୁଢ଼ାମାନେ ଦାଣ୍ଡ ପିଣ୍ଡାରେ ବସିଥାନ୍ତି । ତାକୁ ଦେଖିଲାକ୍ଷଣି ପଚାରନ୍ତି “ବାପା, କେବେ ଆସିଲ ? ଛୁଟି କେତେ ଦିନ ? ଆଉ ଚାକିରିବାକିରି ?” ପ୍ରଭୁପାଦ ଶେଷ ପ୍ରଶ୍ନରେ ବଡ଼ ସଂକୁଚିତ ବୋଧ କରେ । ଗୋଳିଆ ମିଶା କରି ଉତ୍ତର ଦିଏ । କିନ୍ତୁ ଅନେକ ଗ୍ରାମବାସୀ ଆଶା କରି ରହିଥାନ୍ତି ଯେ ପ୍ରଭୁପାଦ ହାକିମ ହେଲେ, ରୋଜଗାର କଲେ, ସେମାନଙ୍କର କ୍ଷୁଦ୍ର ଦରିଦ୍ର ସଂସାରରେ ଆକସ୍ମିକ ସୌଭାଗ୍ୟର ପଦପାତ କେବେ ବା ଦେଖା ଦେଇପାରେ । ପ୍ରଭୁପାଦ ନିଜର ଭବିଷ୍ୟତ ଉନ୍ନତି ବିଷୟରେ ଯେତେ ନୁହେଁ, ବିଶେଷ କରି କେତୋଟି ଦରିଦ୍ର ଜୀବନର କେତେକ ଅସ୍ଫୁଟ ନିଗୂଢ଼ ଆକାଂକ୍ଷା ତାକୁ ଯେ କେନ୍ଦ୍ର କରି ଗଢ଼ି ଉଠୁଛି, ସେଇ ନେଇ ସେ ନିଜକୁ ଅତ୍ୟନ୍ତ ଭାରକ୍ରାନ୍ତ ମନେ କରେ ।

 

କିନ୍ତୁ ନନ୍ଦିଗ୍ରାମର କ୍ଷୁଦ୍ର ରଙ୍ଗମଞ୍ଚରେ ଯେଉଁ କେତୋଟି ପ୍ରଧାନ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି, ଅଶା-ଆକାଂକ୍ଷା ନିର୍ବିଶେଷରେ ପ୍ରଭୁପାଦ ସେମାନଙ୍କ ସଙ୍ଗେ ଘନିଷ୍ଟ ଭାବରେ ପ୍ରତି ଛୁଟିରେ ମିଶେ । ତା’ର ବୋଧହୁଏ ଯେପରି ଗାଁଟିର ଆତ୍ମା ସେଇ କେତୋଟି ବ୍ୟକ୍ତିତ୍ଵ ଭିତରେ ପରିସ୍ଫୁଟ ପ୍ରକାଶ ଲାଭ କରିଛି । ଗ୍ରାମ୍ୟର ଐତିହ୍ୟ, ଧର୍ମ, କୁସଂସ୍କାର, ବ୍ୟଭିଚାର, ନ୍ୟାୟ, ଅନ୍ୟାୟ, ହାସ୍ୟ, କ୍ରନ୍ଦନ–ସମସ୍ତର ଠୁଳୀଭୂତ ଓ ସୂକ୍ଷ୍ମୀକୃତ ଇତିହାସ ଯେପରି ଏଇ କେତୋଟିର ଅଙ୍ଗେ ଅଙ୍ଗେ ଅଶୋକ–ଅନୁଶାସନ ପରି ଚିରଦିନ ଲାଗି ଖୋଦିତ । ଗାଁଟି ପାଞ୍ଚଶ ପ୍ରାଣୀର ଘର ସତ । କିନ୍ତୁ ଏଇ କେତୋଟିକି ଛାଡ଼ିଦେଲେ ଗାଁ, ଗାଁ ନୁହେଁ ତାହା କେବଳ ଗୋଟାଏ ବସ୍ତି ।

 

ନନ୍ଦିଗାଁର ରଙ୍ଗମଞ୍ଚର କେନ୍ଦ୍ର ଅଭିନେତା ହେଉଛନ୍ତି କଳ୍ପତରୁ ସ୍ଵାଇଁ–ଗାଁର ମହାଜନ । ଗାଁର ଦୋକାନଟି ସ୍ଵାଇଁଙ୍କର । ସ୍ଵାଇଁଙ୍କର ଜମିଜମାବି ଅଛି । ଦିନଯାକ ଜମି ବାଡ଼ି ଦେଖାଦେଖି କରନ୍ତି । ଆଉ ସଞ୍ଜକୁ ହାର୍କିନିଟି ଜାଳି ଦେଇ, ତିନୋଟି ଘୃତାକ୍ତ ସଳିତାରେ ସଞ୍ଜବତୀ ଦେଇ ଓ ଇଷ୍ଟଦେବଙ୍କୁ କ୍ଷଣକାଳ ମୁଣ୍ଡ ନୁଆଁଇ ନମସ୍କାର କରି ଛାତି ଓ ପିଠିକୁ କୋଚଟ ଗାମୁଛାରେ ଝାଡ଼ି ଝାଡ଼ି, ପୋଛି ପୋଛି, ଦୋକାନ ମଝିରେ ଥିବା କାଠ ଚୌକିଟି ଉପରେ ସ୍ଵାଇଁଏ ଯେତେବେଳେ ବସିଯାନ୍ତି, ସେତେବେଳେ ସାରା ଗାଁଟି ତାଙ୍କ ପାଖକୁ ଚାଲିଆସେ । ଲୁଣ, ଡିବିରିତେଲ, ଗୁଡ଼, ଚିନି, ବିଡ଼ି, ଚା, ଲଙ୍କା, ହଳଦି ଇତ୍ୟାଦି ଗାଁର ସାଧାରଣ ଗୃହସ୍ଥର ସମସ୍ତ ସରଳ ଚାହିଦା ସ୍ଵାଇଁଙ୍କ ଛୋଟ ଦୋକାନ ଯୋଗାଇ ଦିଏ । ସନିଆ ରାଉତର ଝିଅ ଅଣ୍ଟିରେ କିଛି ଧାନ ଆଣି ସ୍ଵାଇଁଙ୍କ ଆଗରେ ଅଜାଡ଼ି ଦେଇ ଯେତେବେଳେ କହେ, “ସାହୁକାରେ, ମାପିନିଅକି, ମତେ ଲୁଣ ପାହୁଲାକର, ଲଙ୍କାମରିଚ ବୋଡ଼ିକର, ବୋଡ଼ିକର ହଳଦି, ଆଉ ବା’ ପାଇଁ ତିନିଖଣ୍ଡ ବିଡ଼ି ଦିଅ”–ଅନ୍ୟ ଗରାଖମାନେ ଥଟ୍ଟା କରି ହସନ୍ତି, କିନ୍ତୁ ସ୍ୱାଇଁଏ ‘ହଉ’ ‘ହଉ’ କହି ଏଥିରୁ ଟିକିଏ ସେଥିରୁ ଟିକିଏ ଝିଅଟିର ପ୍ରସାରିତ ଅଣ୍ଟିକି ଫୋପାଡ଼ି ଦେଇ ଦୋକାନିଗିରିର ଯେଉଁ ଦକ୍ଷତା ଦେଖାନ୍ତି, ସେଥିରେ ଦେଖଣାହାରିମାନଙ୍କର ହସ ଭିନ୍ନ ଆକାର ଧାରଣ କରେ । ସନିଆଝିଅ “ଏ କ’ଣ, ଇମିତି ଦେଲ ମା । ଏ କୁ’ଠିକି ପାଇବ ମା” କହି କହି ପ୍ରତିବାଦ କରେ । କଳ୍ପତରୁ ସ୍ଵାଇଁ ସେଥିକି କର୍ଣ୍ଣପାତ ନ କରି ଅନ୍ୟ ଗରାଖର ତଦ୍‍ବିର କରନ୍ତି ।

 

ହିସାବକିତାପ କରିବାରେ କଳ୍ପତରୁ ସ୍ଵାଇଁର ସମକକ୍ଷ କେହି ନାହିଁ ଗାଁରେ । ସେହି ଦକ୍ଷତା ସୂତ୍ରରେ ଟଙ୍କା ଯେ ସେ, ସେହି ଗାଁରେ କରଜ ଦିଅନ୍ତି, ସାରା ଗାଁ କେହି ତା’ର ହିସାବର ଅନ୍ତ ପାନ୍ତି ନାହିଁ । ତା’ର ଚିତ୍ରଗୁପ୍ତ ପାଞ୍ଜି ସେ ବର୍ଷରେ ଦୁଇଥର ବାହାରକୁ କାଢ଼ନ୍ତି । ଥରେ ବାହାରେ ଜ୍ୟେଷ୍ଠ-ଅଷାଢ଼ ବେଳକୁ, ଯେତେବେଳେ ଧାନ ଚାଷର ଆରମ୍ଭ; ଚାଷୀ ନିକଟରେ ଖାଇବାର ଧାନ ସରି ଆସିଥାଏ, କେତେକ ବିହନ ବି ଖାଇଯାଇଥାନ୍ତି, ସରକାରର ଖଜଣା, ସେଇ ମହାଜନର ପାଉଣା, ଆଉ ଲୁଗାପଟା ଏବଂ ପୁନିଅପର୍ବ ସୂତ୍ରରେ ଘରକୁ ଧାନ ଆସୁ ଆସୁ ତ ଶେଷ ହୋଇଯାଏ, ରହିବାର ଅବକାଶ କାହିଁ ? ଜ୍ୟେଷ୍ଠ-ଆଷାଢ଼ ବେଳକୁ ଚାଷୀର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ସଙ୍କଟମୟ । ଗାଁକୁ ଶରଣପଞ୍ଜର କଳ୍ପତରୁ ସ୍ୱାଇଁ । ଜମିବାଡ଼ିରୁ ତାଙ୍କର ଧାନ ଆସେ, ଦୋକାନରୁ ଯେ ଲାଭ ହୁଏ, ସେଥିରେ ବାହାରର ଧନ୍ଦାଗୁଡ଼ାକ ମେଣ୍ଟିଯାଏ, ଘରେ ଖାଇବାର ଲୋକ କମ୍, ସେ, ସ୍ତ୍ରୀ ଆଉ ଦୁଇପୁଅ ଓ ଦୁଇଝିଅ ମାତ୍ର । ତେଣୁ ସ୍ଵାଇଁଙ୍କର ଧାନ ବରାବର ବର୍ଷକୁ ବର୍ଷ ବଳି ରହେ । ବାହାରେ ଖଣି ପକାଇ ଓ ଭିତରେ ଧାନଘରେ ଓ ପ୍ରାୟ ପଚାଶ ଷାଠିଏ ପୁଡ଼ୁଗରେ ସ୍ଵାଇଁଏ ପ୍ରତିବର୍ଷ ଧାନ ମଜୁଦ୍‍ ରଖନ୍ତି । ଗାଁର ଦରିଦ୍ରକୁଳ ଚାଷ ଆରମ୍ଭରେ ଯେତେବେଳେ ସ୍ଵାଇଁଙ୍କ ଦୁଆରେ ଟୋକେଇ, କୁଣ୍ଢେଇ, ବସ୍ତା ଧରି ପହଞ୍ଚନ୍ତି, ସ୍ଵାଇଁଏ ସେମାନଙ୍କୁ ସ୍ଵାଗତ କରିବାର ଦେଖାଯାଏ ନାହିଁ, ଯଦିଓ ସ୍ଵାଇଁଏ ବର୍ଷସାରା, ଏଇ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି । ସେ ବରାବର କହନ୍ତି “ଆରେ, ମୋର ଆଉ ଏବର୍ଷ ଧାନ କାଇଁବା ? ଏଇତ ଯାହା ଦେଖୁଛ ! ସେତ ମୋ ଖର୍ଚ୍ଚକୁ ନିଅଣ୍ଟ ! ତମେତ ସବୁ ମୋ ଖର୍ଚ୍ଚ ଜାଣ ! ସେତ ଆଉ ତମଘର ପରି ନୁହେଁ ! ସେତ ନଈବଢ଼ି ସୁଅ ! ମୁଁ ଆଉ ଦେବି କେମିତି ?” ଦରିଦ୍ର ଜନତା ଭିତରୁ ବହୁ ମୁଖରୁ ପ୍ରାର୍ଥନା ଉଠେ “ନାଇଁ ସାଉକାରେ, ତମେ ନ ଦେଲେ ଚଳବୁ କେମିତି କହ ? ଉଚ୍ଛନ୍ନ ହୋଇଯିବୁ । ମରିଯିବୁ । ତମେଇତ ଆମକୁ ବଞ୍ଚେଇଚ ଏ ଗାଁରେ । ଦିଅ । ଅମେ କ’ଣ ଆଉ ଧାର୍ତ୍ତା ହୋଇ ରହିବୁ କି ? କୁ ବାଟରେ ହେଲେ ଶୁଝି ଦେବୁନିକି ? କିଛି ନ ହେଲେ, ବାପ-ଅଜା ଜମି ମାଣେ ଖଣ୍ଡେ ଛାଡ଼ି ଯାଇଛନ୍ତିତ ! ଅବିଶ୍ଵାସ କାହିଁକି କରୁଛ ?” ଇତ୍ୟାଦି ଇତ୍ୟାଦି ଦୀର୍ଘ କଥୋପକଥନ ପରେ ସ୍ୱାଇଁଏ ଧାନଘର ଖୋଲନ୍ତି ବା ଖଣି ମେଲା ହେବାର ଆଦେଶ ଦେଇଥାନ୍ତି-। ଗ୍ରହୀତାମାନଙ୍କର ନାମ, ଇତ୍ୟାଦି ତାଙ୍କ ଚିତ୍ରଗୁପ୍ତ ପାଞ୍ଜିରେ ଲେଖାରହେ । ସେ କ’ଣ ଲେଖିଲେ, କେହି ଜାଣନ୍ତି ନାହିଁ । ଫେର୍ ଖାତା ବାହାରେ ଯାଇ ଧାନର ଅମଳ ବେଳେ । ଏଥର ସ୍ଵାଇଁଏ ଏକା ଏକା ଚାଷୀମାନଙ୍କ ଘରକୁ ଚାଲିଯାନ୍ତି । ଏଇ ଅସୁଲ ସମୟଟାରେ ସେ ଚାଷୀମାନଙ୍କୁ ଏକାଠି ହେବାକୁ ଅଦୌ ଦିଅନ୍ତି ନାହିଁ । ବେଳ ଉଣ୍ଡି ଚାଲିଯାନ୍ତି ଜଣ ଜଣକ ଘରକୁ, କାଢ଼ନ୍ତି ତା’ ଆଗରେ ଖାତା, କହନ୍ତି “ଆରେ ଭଗି, ବା ଆରେ ଯଦୁ, ବା ଆରେ ବଇରି, ତୋ ଉପରେ ଦିବରଷ ହେଲା ଏତେ ଭରଣ, ଏତେ ଗୌଣି ଗଡ଼ି ଆସୁଛି, ଦେବୁନିକିରେ ? ଆର ବର୍ଷ ତ ଦେଲୁନି, ପୁଅ ବିଭାକଲୁ, ଛାଡ଼ିଦେଲି । ଏବର୍ଷ ବି ଦେବୁନି ? ମୁଁ କ’ଣ ଉଚ୍ଛନ୍ନ ଯିବି ତମ ପାଇଁ ? ଏଥର ଯେକୌଣସିମତେ ମୋ ଧାନ ମତେ ଶୁଝି ଦେ’ରେ ।’’

 

ଚାଷୀ ଶୁଣେ ସ୍ଵାଇଁଙ୍କ ପାଉଣାର ପରିମାଣ ! ସ୍ତବ୍ଧ ହୁଏ ! ଏଁ ! ଏତେ କିମିତି ହେଲା ! ମୁଁ ତ ଏତିକି ଆଣିଥିଲି, ଦି’ ବର୍ଷରେ ଏତେ ସୁଧ ହୋଇଗଲା ?

 

“ଆରେ ତମ ଗରଜ ବେଳେ ଦେଲି ବୋଲି ମୋର ପାପ ହେଲା ? ଖାତାରେ ଲେଖା ହେଇଛି–ଏଇ ଦେଖ୍‍,–ଏତେ ! –ଆଉ, ତୁ’ କହୁଛୁ ଏତେ ! –ମୁଁ କ’ଣ ମିଛ କହୁଛି ? ଖାତାରେ ଲେଖା ହୋଇଛି ପରା, ମୁଁ କ’ଣ ମୁଣ୍ଡରୁ କହୁଛି ?”

 

ଯଦୁ ସ୍ଵାଇଁ ବା ଭଗବାନ ରାଉତ, ସମ୍ପୂର୍ଣ୍ଣ ନିରକ୍ଷର । ସେମାନେ ନିଜେବି ଲେଖି ରଖି ନାହାନ୍ତି କେତେ ଆଣିଥାନ୍ତି ବା ସ୍ଵାଇଁଠୁ ରସିଦ ପାଇ ନାହାନ୍ତି । ଏ ହିସାବର ଅନ୍ତ ଭେଦ ହେବ କିପରି ? ମହାଜନଟା ଆସି ଘରେ ଏକା ବସି ରହିଲାଣି । କାହାକୁ ଆଖିଠାରିଲେ ସାହାଯ୍ୟ ମିଳିବ, ତା’ର ଆଶା ନାହିଁ । ସ୍ଵାଇଁଏ ଚାଷୀର ଏପରି ନିଃସହାୟ ଅବସ୍ଥାରେ ଯାହା ଦାବି କରନ୍ତି ତାହାହିଁ ତେଣୁ ପ୍ରାୟ ପାଇଥାନ୍ତି ।

 

ସ୍ଵାଇଁ ଦକ୍ଷ, ସ୍ଵାଇଁ ନିର୍ମମ । ସ୍ଵାଇଁର ମାୟାମମତା ବୋଲି କୌଣସି ଜିନିଷ ନାହିଁ । ସ୍ଵାଇଁର ଜୀବନରେ ଦୁଇଟି ଲକ୍ଷ୍ୟ । ଧନ ଓ ପ୍ରତିପତ୍ତି । ସ୍ଵାଇଁ ଏ ଛୋଟ ଗାଁରେ ତାହା ପାଇଛନ୍ତି । ଏ ଗାଁରେ ସେ ଏକ ସିଦ୍ଧକାମ ବ୍ୟକ୍ତି ।

 

କଳ୍ପତରୁ ସ୍ଵାଇଁର ଠିକ୍‍ ବିପରୀତ ବ୍ୟକ୍ତି ହେଉଛି ଗାଁର ମାଲ ଭାଗବତ ନାୟକ । ଲେକେ ଡାକନ୍ତି ଭଗତ, ବା ଭଗତିଆ । ପଚାଶ ବର୍ଷ ଆଗେ, ପ୍ରାୟ ତିନିପୁରୁଷ ତଳେ ତା’ର ଏ ଗାଁରେ ଜନ୍ମ । ବାପମାର ଥିଲା ଗୋଟିଏ ପୁଅ । ତିନି ଭଉଣୀ । ଘରେ ଦୁହାଁଳିଆ ଗାଈ ଥିଲେ, ମଇଁଷି ଥିଲେ । ବଂଶର ଏକମାତ୍ର ପୁତ୍ର ଭଗତ ପିଲାଦିନେ ଖାଲି ସର ଦହି ଖାଇ ବଢ଼ିଛି ବୋଲି ସେ ବେଳେ ବେଳେ କହେ, ଲୋକେ ବି ତାହା ମାନନ୍ତି । ବେଶ୍‍ ହୃଷ୍ଟପୁଷ୍ଟ ଲମ୍ବା ଚଉଡ଼ା ହୋଇ ବଢ଼ି ଆସିଲା ସେ । ଗାଁରେ ସେତେବେଳେ ଇସ୍କୁଲ୍ ନ ଥିଲା । କିନ୍ତୁ ଥିଲା ଆଖଡ଼ା, ଥିଲା କୀର୍ତ୍ତନଦଳ । ତରୁଣ ଭଗତ ସକାଳେ ଆଖଡ଼ାରେ ଓ ସଞ୍ଜବେଳେ କୀର୍ତ୍ତନରେ ମାତିଗଲା । ଆଖଡ଼ାରେ ଦଣ୍ଡ କସରତ ଅଭ୍ୟାସ କରି ସେ ଯେତିକି ଦେଖେ ତା’ର ଶରୀର ସୁପୁଷ୍ଟ, ସୁଗଠିତ ହୋଇ ଆସୁଛି, ଶିରାରେ ଶିରାରେ ଖେଳିଉଠୁଛି ସ୍ଫୁର୍ତ୍ତି, ତା’ର କଠିନୀଭୂତ ମାଂସ ପେଶୀର ଆଘାତ ଗାଁର ସମସାମୟିକ ଟୋକାମାନେ ବା ବୟସ୍କମାନେ ଆଉ ସମ୍ଭାଳି ପାରୁନାହାନ୍ତି, ଭଗତ ପାଇକ ବିଦ୍ୟା ପ୍ରତି ସେତିକି ଟାଣି ହୋଇଗଲା, ଯେପରି ତାହା ଏକ ନିଶା । କ୍ରମେ ଭଗତଇ ହେଲା ନନ୍ଦିଗାଁ ଆଖଡ଼ାର ସର୍ବଶ୍ରେଷ୍ଠ ପ୍ରଦର୍ଶନୀ । ପଞ୍ଚ ଦୋଳ ମେଳଣରେ ନିକଟବର୍ତ୍ତୀ ୫୦।୬୦ ଖଣ୍ଡ ଗାଁର ଲୋକେ, ନୃତ୍ୟ, ଗୀତ, ଯାତ୍ରା ଓ ପାଇକବିଦ୍ୟାରେ ପ୍ରତିବର୍ଷ ଯେଉଁ ପ୍ରତିଯୋଗିତା କରଥାନ୍ତି, ନନ୍ଦିଗାଁରେ ଲୋକେ ଭଗତକୁ ଆଗରେ ରଖି ଆଶା ଓ ନିର୍ଭୀକତାର ସହିତ ସେଥିରେ ଯୋଗ ଦେଇଥାନ୍ତି । ଦୈହିକ ବଳର ମହିମାରେ ଭଗତ ନାୟକ ଯୋଗୁଁ ନନ୍ଦଗାଁର ଆଖଡ଼ା ବା ନନ୍ଦିଗାଁ ପ୍ରତିବର୍ଷହିଁ ଜୟଟୀକା ପାଇ ଫେରେ । ମାଲଖମ୍ବ ଉପରେ ଠିଆ ହୋଇ ଛ’ହାତିଆ ଭଗତ, ପାଞ୍ଚହାତିଆ କାର୍ତ୍ତିକ ପଲେଇକୁ ଯେତେବେଳେ ଊର୍ଦ୍ଧ୍ଵ-ବାହୁ ହୋଇ ଡାହାଣ ହାତର ପାପୁଲିରେ ଶୁଆଇ ଟେକି ଧରେ ଆଉ କାର୍ତ୍ତିକ ପଲେଇ କାଛାପିନ୍ଧା ଧୂଳି-ଧୂସର ପାଇକ ବେଶରେ ସେଇ ଉତ୍ତାନ ଅବସ୍ଥାରେ ଯେତେବେଳେ କମ୍ପିତ କଣ୍ଠରେ ଗାଇ ଉଠେ–

 

ଦୂତୀ କରଧରି ହରି କହନ୍ତି କିଶୋରୀ

ମିତ୍ର ପୂଜି ଯାଇଥିଲା ଗଲାକି ପାଶୋରି

ସଖିରେ, କିହିବୁ ବନ୍ଧୁକୁ

କି ଦୋଷରେ ଫିଙ୍ଗିଦେଲା ମଦନ-ସିନ୍ଧୁକୁ ।

 

ଉପସ୍ଥିତ ବିରାଟ ଜନତାର ସହସ୍ର ବକ୍ଷ ଏକ ନଗୂଢ଼ ବେଦନାରେ ଥରି ଉଠେ । ଏଇ ବଳିଷ୍ଠ ପୁରୁଷମାନଙ୍କର କଣ୍ଠରୁ, ସେମାନଙ୍କର ପୌରୁଷର ଶ୍ରେଷ୍ଠ ପ୍ରକାଶ ମୁହୂର୍ତ୍ତରେ, ଅଦୃଶ୍ୟ, ଅନୁପସ୍ଥିତ, ଅବହେଳିତ ନାରୀ ପ୍ରତି ଏଇ ଗଭୀର ଆତ୍ମ-ନିବେଦନର ଅର୍ଥ କ’ଣ ? ଏ’ତ କାର୍ତ୍ତିକ ପଲେଇର, ତା’ର ନିଜର ପତ୍ନୀ ବା ପ୍ରିୟାପ୍ରତି ନିବେଦନ ନୁହେଁ, ଏ ଯେ ପ୍ରତି ପୁରୁଷର ପ୍ରତି ନାରୀ ପ୍ରତି ପରମ ସମର୍ପଣ ! ଏବଂ ଓଡ଼ିଶାର ଏଇ ଛୋଟ ଗାଁଟିରେ ନିରକ୍ଷର ଚାଷୀମାନଙ୍କ ଭିତରେ କି ସୁନ୍ଦର, କି ରୋମାଣ୍ଟିକ୍, କି ବଳିଷ୍ଠ ଥିଲା ଏଇ ଶାଶ୍ଵତ ସମ୍ବନ୍ଧର ପ୍ରକାଶ । ପ୍ରଭୁପାଦ, ଭଗତ ନାୟକର ସେହି ବ୍ୟୋମକେଶ ମୂର୍ତ୍ତି ଓ କାର୍ତ୍ତିକ ପଲେଇର, ଭଗତର ଉତ୍‍ଥିତ ଦକ୍ଷ ହସ୍ତର ପାପୁଲି ଉପରେ ଉତ୍ତାନ ଶୟାନ ଅବସ୍ଥାରେ ସେହି ଅନ୍ତରସ୍ପର୍ଶୀ ନାରୀ ପ୍ରତି ପ୍ରେମୋନୁବେଦନ ଶୁଣି ଅଭିଭୂତ ହୋଇଯାଏ । ବୟସ୍କମାନଙ୍କୁ ଲୁଚାଇ ସେ ତା’ର ଦୁଇଟି ଛଳ ଛଳ ଆଖି ପୋଛି ଦିଏ ।

 

ଭଗତ ଏବେ ଗାଁ ଆଖଡ଼ାର ଗୁରୁ । ବୟସ ତା’ର ଗଡ଼ି ଆସିଲାଣି । ଭଉଣୀମାନଙ୍କୁ ବିଭା ଦେଇ ତା’ର ପୈତୃକ ସମ୍ପତ୍ତିର ଆଉ ସାମାନ୍ୟମାତ୍ର ଅବଶେଷ ଅଛି । ଦହିଦୁଧ କଥା ଛାଡ଼ି ଦିଅ, ସାଧାରଣ ଖାଦ୍ୟ ବି ଏବେ ବେଳେ ବେଳେ ତାକୁ ମିଳେନା । ପୁଣି ଲୋକଟା କାଉଁରିଆ ଡାଙ୍ଗ, ଭାଙ୍ଗିବ ପଛେ ନଇଁବ ନାହିଁ । ତା’ର ରୋକଠୋକ୍ କଥା, ଠିକ୍ ଆଖଡ଼ାରେ ଲାଠି ଖେଳର ମାଡ଼ ପରି ଦେହକୁ ବାଜେ । ତେଣୁ କେହି ତାକୁ ସୁଖ ପାନ୍ତି ନାହିଁ । ବିଶେଷ କରି ଗାଁ ସାହୁକାର କଳ୍ପତରୁ ସ୍ୱାଇଁ । କଳ୍ପତରୁ ଗାଁରେ ମନେ ମନେ ଯଦି କା’କୁ ଡରେ, ସେ ହେଉଛି ଭଗତ ନାୟକ ଓ ତା’ର ବଡ଼ପାଟି । ଭଗତ ଅନ୍ୟାୟର, ଶୋଷଣର ବିରୋଧୀ । କିନ୍ତୁ ସେ ମୂର୍ଖ, ନିରକ୍ଷର, ଅଚତୁର, ଦରିଦ୍ର । କଳ୍ପତରୁ ଧନୀ, ଚତୁର, ସାକ୍ଷର, କପଟୀ, ଧୂର୍ତ୍ତ । କଳ୍ପତରୁ ତେଣୁ ଜୀବନରେ ଜୟୀ, ଭଗତ ନାୟକ ସାଧୁ ହୋଇ ମଧ୍ୟ ସବୁବେଳେ ନିମ୍ନରେ, ସବୁବେଳେ ଭଗ୍ନାଶ, ସବୁବେଳେ ଅସନ୍ତୁଷ୍ଟ-। ଏବେ କିଛି କାଳ ହେଲା ପେଟରେ ଶୂଳରୋଗ ଦେଖା ଦେଇ ଭଗତର ସେହ ଆସୁରିକ ଅପଘନଟା ଉପରେ ମଧ୍ୟ ତା’ର ମନ୍ଦଭାଗ୍ୟ ବାଦ ସାଧିବାରେ ଲାଗିଛି । କିନ୍ତୁ ଛୁଟିଦିନମାନଙ୍କରେ ବା ସଞ୍ଜବେଳେ ଯେତେବେଳେ ଗାଁର ଟୋକା, ବୁଢ଼ା ଭାଗବତ ଘରେ ଏକାଠି ହୁଅନ୍ତି ଓ ବାଦ୍ୟଚର୍ଚ୍ଚା ଓ ବିଦ୍ୟାଚର୍ଚ୍ଚାର ଅରମ୍ଭ ହୋଇଯାଏ, ଭଗତ ନାୟକ ତା’ର ସମସ୍ତ ଦୁଃଖ, ଅବସାଦ ଭୁଲିଯାଏ । ସେ ପୁଣି ଟୋକା ହୋଇଯାଏ । ଚକା ପକାଇ ସେ ଉଚ୍ଚକଣ୍ଠରେ ଛାଡ଼ିଦିଏ–

 

ଖେଳା ଲୋଳା-ଖଞ୍ଜନାକ୍ଷି କି ସାହସ କଲୁ ରେ

ଖରାପ ତୁ ହେଲୁ ରେ

 

ଏବଂ ଦି ହାତକୁ ମେଲାକରି, ଆଙ୍ଗୁଠିରେ ଫୁଟିକି ମାରି, ହାତର ପାପୁଲି ଦୁଇକୁ ଆକୁଞ୍ଚିତ ଓ ପ୍ରସାରିତ କରି ସଠିକ ତାଳ ରଖିବାକୁ ଚେଷ୍ଟାକରେ ଏବଂ ଗାଁର ଯେଉଁ ଟୋକା ମୃଦଙ୍ଗ ବା ଗିନିରେ ତାଳ ଧରୁଥାଏ, ତା’ର ଭୁଲ୍ ହେଲାତ ଭଗତ ‘ଶ.....’ କହି ତା’ ପିଠିରେ ଏକ ବଜ୍ର ମୁଷ୍ଟି ନ ଲଦିଲା ଯାଏଁ ଆସନରେ ରହି ପାରେ ନା । ଗାଁର ଟୋକାଏ ଭଗତ ନାୟକର ଏ ଅତ୍ୟାଚାର ସବୁକୁ ଖୁସୀରେ ସହିଯାନ୍ତି ।

 

ଯୋଗୀ ତରାଇକି ଗାଁର ଲୋକେ ଓ ଆଖ ପାଖର ପଚାଶ ଖଣ୍ଡ ଗାଁ କେବଳ ଜାଣନ୍ତି ଯୋଗୀ ଗାହାକ ବୋଲି । ସେ ଗାଁ ଯାତ୍ରାର ଗାୟକ । ଲମ୍ବା ଚଉଡ଼ା ମନିଷ । ମୁଣ୍ଡରେ ପେଣ୍ଡାବାଳ-। ଦାନ୍ତଗୁଡ଼ିକ ପାନକଷରେ କୃଷ୍ଣୀଭୂତ । କାନରେ ଦୁଇଟି ସୁନାର ନୋଳି । ସବୁବେଳେ ହାତରେ ବା କାଖରେ ବଟୁଆଟି । ଯେଉଁଠି ବସିଯିବେ, ଆରମ୍ଭ ହୋଇଯିବ ସେଠି ପାନଭଙ୍ଗା । ଲୋକଟା ବଡ଼ ସାଧାସିଧା । ବଡ଼ ହସୁକୁରା । ରସିକତା ଆରମ୍ଭ ହେଲେଇ ପ୍ରାଣଖୋଲି ହସିବାରେ ଲାଗିବ, ହସି ହସି ଗଡ଼ି ଯାଉଥିବ । ଟିକିଏ ଚୁଗୁଲିଖୋର ଅବଶ୍ୟ । ତେବେ ତାହା ଅନଷ୍ଟାଶଙ୍କ ନୁହେଁ । କେବଳ ଖୁସୀ ପାଇଁ ସେ ୟାର ତା’ର ଭାବଭଙ୍ଗି, ଘରକଥା, ଦୁଆରକଥା ଆଲୋଚନା କରେ । ଲୋକଟି ଅକପଟ ଓ ନ୍ୟାୟନିଷ୍ଠ ଜାଣି ଲୋକେ ଯୋଗୀ ଗାହାକକୁ ବରାବର ନିଶାପକୁ ଡାକିଥାନ୍ତି-। ଶୁଣାଶୁଣି, ଗାହାକେ ଏଇଥିରୁ ଦି’ପଇସା କରିଥାନ୍ତି । କେବେ ସେ କେଉଁ ଗୁରୁଠାରୁ ଗାନ-ବିଦ୍ୟା ଶିଖିଥଲେ ଜଣା ନାହିଁ । କିନ୍ତୁ ଅନ୍ତତଃ ଗତ ଦୁଇ ପୁରୁଷ ହେଲା ସେ ଗାଁର ‘ଗାହକ’ । ଏବେ ଆଖିକି ଚାଳିଶା ଧରିଲାଣି । ତଥାପି ଟିଣ–ଫ୍ରେମ୍‍ର ଛଅଣିଆ ‘ପ୍ରତୀଚକ୍ଷୁ’ଟି ନାକ ଅଗରେ ଥୋଇ ଗାହାକେ ହାତରେ ଖେଦାଟିଏ ଧରି ଠିଆ ହୋଇଗଲେ, ସାରା ରାତି ପାହିଯିବ, କିନ୍ତୁ ତାଙ୍କ କଣ୍ଠସ୍ଵରରେ କୌଣସି ଦୁର୍ବଳତା କେହି ଧରି ପାରିବେ ନାହିଁ । କୃଷ୍ଣଲୀଳା, ରାମଲୀଳା ପ୍ରଭୃତି ଯାତ୍ରା ଗାଁରେ ହେଲାବେଳେ ଗାହାକେ ପ୍ରକୃତରେ ଏକାଦିକ୍ରମେ ବହୁରାତି ଏକ ସ୍ଥାନରେ ଠିଆହୋଇ ସାରାରାତି ଗୀତ ଗାଇ ଯାଉଥିବାର ଦେଖାଅଛି । ଗାହାକେ ଅଧ୍ୟାୟ ପରେ ଅଧ୍ୟାୟ ଗାଇ ଚାଲିଥିବେ, ଏଣେ ଅଭିନେତାର ଦଳ ଜଣ ଜଣ ବା ଦଳ ଦଳ ହୋଇ ରଙ୍ଗସ୍ଥଳିକୁ ନାଚି ନାଚି ଆସି ନିଜର ବକ୍ତବ୍ୟ ବା ଅଭିନୟ ସାରି ଅପସାରିତ ହୋଇ ଯାଉଥିବେ । ଏଇକ୍ରମେ ଚାଲିଥିବ, ପୁରାଣଟି, ବା ଗଳ୍ପଟି ସାରିଲା ଯାଏଁ । ନନ୍ଦିଗାଁର ଦାଣ୍ଡରେ ଲୋକ ଚୁଣ୍ଟି ହୋଇଯାନ୍ତି, ଆଖପାଖ ଘରମାନଙ୍କରେ ଗାଁର ସ୍ତ୍ରୀଲୋକମାନେ ରୁଣ୍ଡ ହୋଇଥାନ୍ତି ଏବଂ ବିମୁଗ୍ଧ ଏଇ ଜନ-ସମୁଦ୍ର ଭିତରେ ଯୋଗୀ ଗାହାକେ ଦ୍ଵୀପସ୍ତମ୍ଭ ପରି ସାରାରାତି ଦଣ୍ଡାୟମାନ ରହି ପ୍ରହରକୁ ପ୍ରହର କେଶବ ରାମାୟଣ, ବା କୃଷ୍ଣଲୀଳାର ପଦାବଳି ସୁକଣ୍ଠ ସ୍ଵରରେ ଗାଇ ଗାଇ ଚାଲିଥାନ୍ତି ଓ ଜନତାକୁ ମୁଗ୍ଧ କରି ରଖିଥାନ୍ତି ।

 

ଯଦୁ ସାହୁର ବୟସ ପ୍ରକୃତରେ କେତେ ହେବ ଗାଁରେ କେହି କହି ପାରିବେ ନି । ସେ ନିଜେ ସେ ବିଷୟରେ ଅନିର୍ଦ୍ଦିଷ୍ଟ । ତେବେ ସେ ଭାବି ଭାବି କହିଥାଏ, “ମତେ ଚାରିକୋଡ଼ିରୁ ବେଶି ହେଲାଣି ।’’ ଏଇ ଉତ୍ତର ସେ ଗତ ଦଶବର୍ଷ ହେଲା ଦେଇ ଆସୁଥିବାର ଜଣାଯାଏ । ଠୁରା ମନିଷଟି । ମୁଣ୍ଡଟି ପ୍ରାୟଇ ବାବାଜିମାନଙ୍କ ପରି ଚଞ୍ଛା ଥାଏ । ମୁହଁରେ ଶ୍ୱେତ-କୃଷ୍ଣ ରୁଢ଼ର ଘନ ଆସ୍ତରଣ । ପାନ ବୋଳରେ ଦାନ୍ତ କଷା । ଧୋତିଟି ଆଣ୍ଠୁତଳକୁ ଯାଏ ନାହିଁ ଏବଂ କାନ୍ଧରେ ସବୁବେଳେ ପାଚିଲା ଗାମୁଛାଟିଏ । ଯଦୁ ସାହୁ ସାରା ଗାଁର ଅଜା–ବୁଢ଼ା, ପିଲା ସମସ୍ତଙ୍କର । ସେ ସମସ୍ତଙ୍କ ସାଥିରେ ନବଜ କରେ । ସେ ପୁତ୍ରକନ୍ୟା ହୀନ । ସେଥିପାଇଁ ତା’ର ତ ଶୋଚନା ଥିବାର କେହି କେବେ ଜାଣି ନାହିଁ, ବରଂ ସେଇ ଦୁର୍ବହ ଭାରାରୁ ଅବ୍ୟାହତି ପାଇଥିବାରୁ ହିଁ ବୋଧହୁଏ ଯଦୁ-ଅଜାକୁ ବାର୍ଦ୍ଧକ୍ୟ ସତ୍ତ୍ୱେ ଜରା ସ୍ପର୍ଶ କରିପାରି ନାହିଁ । ଗାଁର ପ୍ରତି ସମ୍ମିଳିତ କର୍ମରେ, ପୁଣି ପ୍ରତି ପରିବାରର ପୁନିଅ ପର୍ବରେ ଯଦୁ ସାହୁର ଉତ୍ସାହ, ଉଦ୍ଦୀପନା, ନବଜ, ରହସ୍ୟ, ଅପରିହାର୍ଯ୍ୟ ।

 

ଯଦୁ ସାହୁ ଗାଁର ଜୀବନ୍ତ ଇତିହାସ । ସେ ସାତପୁରୁଷର କଥା କହେ । ଏବଂ ସେ ନିରକ୍ଷର ଥିଲେ ମଧ୍ୟ ଏପରି ସୁନ୍ଦର ତା’ର କଥକତା ଯେ, ଅର୍ଦ୍ଧଶତାବ୍ଦୀ ତଳର ପାସୋରା ଘଟଣା ସବୁ ତା’ବଚନ-ବିନ୍ୟାସରେ ଜୀବନ୍ତ ହୋଇ ଉଠନ୍ତି । ପ୍ରଭୁପାଦକୁ ପାଖରେ ବସାଇ ସେ ବେଳେ ବେଳେ ଆରମ୍ଭ କରିଦଏ “କମ୍ବୁଆକୁ ଦେଖୁଛନା ମୁକ୍ତିୟାରେ (ସେ ପ୍ରଭୁପାଦକୁ ‘ମୁକ୍ତିୟାରେ’ ବୋଲିଇ ଡାକିଥାଏ । ତା’ର ଧାରଣା ‘ମୁକ୍ତିୟାର’ ଗୋଟାଏ ବଡ଼ ଧରଣର ଜୀବ) ତା’ର ଗୋସେଇଁ ବାପ ଯେତେବେଳେ ଗଜା ଟୋକା ସେତେବେଳେ ଆରସାହିରେ କୁଞ୍ଜ ନାହାକ ବୁଢ଼ାର ପିଇସୀକୁ ଷୋଳବର୍ଷ !” …….ଚାଲିଲା ତା’ପରେ ଗ୍ରାମ୍ୟରୋମାନ୍ସ ! କଥକ ଯଦୁସାହୁ ଥରେ ଏପରି ଏକ ଗ୍ରାମ୍ୟ କାବ୍ୟ ଆରମ୍ଭ କରି ବସିଲେ, ତା’ର ଶେଷ ପୂର୍ବରୁ କେହି ଉଠି ଆସିବା ଦେଖାଯାଏ ନାହିଁ ।

 

ପ୍ରଭୁପାଦ ହଠାତ୍‍ କଟକରୁ ଚାଲି ଆସିଛି ଗାଆଁକୁ । ପୂଜାଛୁଟିର ବାକି ଅଂଶଟା କଟାଇ ନେବ ବାପାବୋଉଙ୍କ ସାଥିରେ । ସେ ସକାଳୁ ଗାଁ ବୁଲି ବାହାରିଛି । ପୂର୍ବବର୍ଣ୍ଣିତ ଗ୍ରାମ୍ୟ-ଚରିତ୍ରମାନଙ୍କୁ ସେ ଭେଟିନି ଏଯାଏ । ହୁଏତ ରାତିରୁ ଉଠି କିଏ କୁଆଡ଼େ ବିଲକୁ ଚାଲିଗଲେଣି । ଅଧା ଦାଣ୍ଡରେ କିନ୍ତୁ ଭେଟ ହେଲା ଶ୍ରୀପତି ସାହୁ ସାଥିରେ । ଶ୍ରୀପତିର କାନ୍ଧରେ ଲଙ୍ଗଳ, ହାତରେ ପାଞ୍ଚଣ, ଆଗରେ ଆଗରେ ହାଡ଼ ବାହାରି ପଡ଼ିଥିବା ଦୁଇଟା ଧେଡ଼ରା ବଳଦ–ତାଙ୍କୁ ଯୋଡ଼ି ରଖିଛି ଗୋଟିଏ ଜୁଆଳି । ଶ୍ରୀପତି ପ୍ରଭୁପାଦକୁ ଦେଖିପାରି ବଳଦ ଦୁଇଟିକୁ ‘ହ’ ‘ହ’ କରି ଗତି-ବନ୍ଦର ଆଦେଶ ଦେଲା । ଟିକିଏ ଦୂରରେ ସେଇ ଦୁର୍ବଳ ଦୁଇଟି ପ୍ରାଣୀ ଠିଆ ହୋଇଗଲେ–ଖୁବ୍ ସମ୍ଭବତଃ ପ୍ରଭୁର ପାଞ୍ଚଣ-ପ୍ରହାରର ଭୟରେ । ଶ୍ରୀପତି ଏଇ ଅବସରରେ ପାଞ୍ଚଣଟା ବାଁ କାଖରେ ଯାକିଦେଇ, ବାଁ ହାତର ପାପୁଲିରେ ଟିକିଏ ଚୂନ ଆଉ ତମାଖୁଚୂର୍ଣ୍ଣ ଚକଟି ଚକଟି ଆଁ କରି ପାଟିରେ ପକେଇ ଦେଲା ଓ ପାପୁଲିଟାକୁ ଝାଡ଼ି ଝାଡ଼ି ତା’ର ଗୁଣ୍ଡି-ପାନ-କଷା ଅପରିଚ୍ଛନ୍ନ ଦନ୍ତପନ୍ତିକୁ ଏକ ସନ୍ତୁଷ୍ଟ ହସରେ ବିସ୍ଫାରିତ କରି ପ୍ରଶ୍ନ କଲା–

 

‘ପୁଅ, କେବେ ଅଇଲ କି ?’

 

ପ୍ରଭୁପାଦ ନମସ୍କାର କଲା ଏବଂ କହିଲା ଯେ ଗତ ସନ୍ଧ୍ୟାରେ ସେ ଆସି ପହଞ୍ଚିଛି । ତା’ ପରେ ଶ୍ରୀପତି “ସବୁ ଭଲ ତ” “ଦେହପା ଭଲ ତ” ? ‘କାହିଁକି ଟିକିଏ କାହିଲା ଦିଶୁଛ ଏପାଳି, ପୁଅ, ପୁଣି ଦାଢ଼ିଗୁରା ବଢ଼େଇଲଣି କାହିଁକି ? କ’ଣ ବାବାଜି ହୋଇ ଯିବ କି ?’ ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ସବୁ ପଚାରି ଲାଗିଲା । କିନ୍ତୁ ପ୍ରଭୁପାଦର ଉତ୍ତରକୁ ଅପେକ୍ଷା ନ କରି ସେ ପୁଣି ଆରମ୍ଭ କଲା, “ଆଉ, ଗାଁ କଥା ସବୁ ଜାଣିଥିବ ତ ପୁଅ । ତମକୁ ଅଜଣା କୁ-କଥା । ଆମେ ସିନା ଗାଈ ଚରଉଛୁ, ତମେ ତ ମନିଷ ଚରଉଛ । ଗାଁ ଆଉ ରହିବନି ବାପା !; ଗାଁ ଏଥର ଭାଙ୍ଗିଯିବ ।’’

 

ପ୍ରଭୁପାଦର ମୁହଁରୁ ପ୍ରାଥମିକ ସମ୍ଭାଷଣର ହସ ଏପର୍ଯ୍ୟନ୍ତ ଲିଭି ନ ଥିଲା । ଶ୍ରୀପତିର ଏଇ ବିରାଟ ଖେଦୋକ୍ତି ପାଇଁ ସେ ପ୍ରସ୍ତୁତ ନ ଥିଲା । ସେ ବିସ୍ମିତ ହେଲେ ମଧ୍ୟ ସେହି ସ୍ମିତ ଭିତରେ ହିଁ ଉତ୍ତର ଦେଲା “କ’ଣ କ’ଣ ଦଦା, ମୁଁ ତ କିଛି ଜାଣି ନାହିଁ, କାଲି ରାତିରେ ଆଇଲି । ତମ ସାଙ୍ଗରେ ଏଇ ପ୍ରଥମେ ଦେଖା ହେଉଛି । କଥା କ’ଣ ? କାଇଁକି ଗାଆଁ ଭାଙ୍ଗିଯିବ ?”

 

ଶ୍ରୀପତି ଥୁ ଥୁ କରି ପାଟିର ଛେପ ଓ ନାଳ ଗୁଡ଼ାଏ ତଳେ ପକାଇଲା । ଏପଟ ସେପଟ ଚାହିଁ ଦେଖିଲା କିଏ ନିକଟରେ ଅଛି କି ନାହିଁ । ତା’ପରେ ଟିକିଏ ହସି, ପୁଣି ଟିକିଏ ଗମ୍ଭୀର ହୋଇ, ପୁଣି ଟିକିଏ ହସି ଆରମ୍ଭ କଲା ତା’ର ରିପୋଟ୍‍ ।

 

‘‘ଦେଖ ବାପା, ଏ ନରିସାହୁଟା, ଆମକୁ ସବୁ ପଚରା ନାଇଁ ଉଚୁରା ନାଇଁ ତା’ ଝିଅଟାକୁ ଦେଖ ଗୋଟେ ପାନରାକୁ ଦେଇ ଦେଲା । ରମ୍ଭା ପାଖ ସାବେରୀ ଗାଁର ସେ, ପାଇକ ଚଷା ବୋଲି କହୁଛି, କିନ୍ତୁ ପାନ ବ୍ୟବସାୟ କରେ । ଆମ କୁଳରେ ପାନ କିଏ ବିକେ ? ତା’ହେଲେ ଆମେ, ଆଉ ପାନରା କ’ଣ ସମାନ ହେଇଯିବା ? ପାନ ବ୍ୟବସାୟ କରି ସାବେରୀ ଗାଁର ମୁକୁନ୍ଦ ପଲେଇ ବେଶ୍ ବିଷୟବନ୍ତ ଏଇକ୍ଷଣି । ନରିଆ ତାଠୁ ଟଙ୍କାଟୋକର ଖାଇଛି । ତା’ର ବହୁଦିନରୁ ଇଚ୍ଛା ଯେ ଆମ ଗାଁରେ କିମିତି ବନ୍ଧୁ ବାନ୍ଧିବ । ବହୁତ ଥର ସୁରାଖ ନେଇଥିଲା । କେହି କାନ ଦେଉ ନ ଥିଲେ, ଏଇ ନରିଆଟା ପାଲରେ ପଡ଼ିଗଲା । ଝିଅଟାକୁ ଅକୁଳରେ ଦେଇଦେଲା । ତାକୁ ଗାଁ ବାସନ୍ଦ ହେଇଛି । ହେଲେ କ’ଣ ହେବ, ଗାଁର ଅଧେ, ସେଇ କଳ୍ପିଆ (କଳ୍ପତରୁ ସ୍ଵାଇଁ) ଦେଖାଦେଖି, ତା’ ପଟେ ହେଇଗଲେଣି । ତା’ ଘରକୁ ଯିବା ଆସିବା କଲେଣି, ନୁଚେଇ ଚୋରେଇ ଖିଆପିଆ ମଧ୍ୟ କଲେଣି । ଗାଁ ଦି ଭାଗ ହେଇଗଲାଣି, ବାପା । ଆମର ଚତୁର୍ଥ ଅବସ୍ଥା ଆସି ହେଲା; ଅମେ ସବୁ ଦେଖି ଦେଖି ଅନୁଭବ କରି ଆସିଲୁ, ହେଲେ ଏଣିକ ଏଣିକ ବହୁତ ଅନ୍ୟାୟ ହେଲା ପୃଥିବୀ, କଳିଯୁଗ ଘୋର ମାଡ଼ି ଆସିଲା, କେହି କାହା କଥା ମାନିବାକୁ ନାହିଁ, ବଡ଼ ସାନ ରହିଲେନି, ମାନ୍ୟଧର୍ମ ନାହଁ; ବାପା ତମୁକୁ ଏଥର ଏ ଗାଁ ଲାଗିଲା....ହଉ ପରେ କଥା ହେବା, ସବୁ ଜାଣିବ ଯେ….ତମ ସାଙ୍ଗରେ ବସି କେତେବେଳେ ଟିକିଏ ପାଠଶାଆସ୍ତ୍ର ଆଲୋଚନା ହୁଅନ୍ତା–ବେଳ କାହିଁ-? ଲଙ୍ଗଳକଣ୍ଟି ତ ଆମ ପାଠ….ହଉ ବାପା, ରହିବତ କେତେ ଦିନ ? ଆଚ୍ଛା, କଥା ହେବା ଫେର-?”

 

‘ହ’ ‘ହ’ କହି ଶ୍ରୀପତି ଧାଇଁବାକୁ ଲାଗିଲା । ତା’ର ବଳଦ ଦି’ଟା ଇ ଭିତରେ ଗାଆଁ ଦାଣ୍ଡରେ ପ୍ରାତଃକାଳୀନ ମୂତ୍ର-ପୁରୀଷ-ନିଷ୍କାସନ ଶେଷ କରି ଇତସ୍ତତଃ ବିକ୍ଷିପ୍ତ ନଡ଼ା କୁଟା କେତୋଟି ସାଉଁଟି ଖାଇବା ପାଇଁ ଟିକିଏ ଦୂରକୁ ଚାଲି ଯାଇଥିଲେ । ଶ୍ରୀପତି ବାଡ଼େଇ ବାଡ଼େଇ ସେ ନିରୀହ ଜୀବ ଦୁଇଟିକି ବାଟକୁ ଆଣିଲା ଓ ସେ ଦୁଇଟିକୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ଦେଇ ଏକମୁହାଁ ହୋଇ ବିଲଆଡ଼େ ଶୀଘ୍ର ଶୀଘ୍ର ଯିବାକୁ ଲାଗିଲା ।

 

ଶ୍ରୀପତି ସାହୁ ନନ୍ଦିଗାଁର ଦାର୍ଶନିକ କହିଲେ ଚଳେ । ନୁହେଁ ଗେଡ଼ା, ନୁହେଁ ଡେଙ୍ଗା, ଶ୍ରୀପତିର ବେକରେ ତିନିସୋରି ତୁଳସୀ ମାଳା ଓ ନାକରେ ବୈଷ୍ଣବ ଚିତା ସର୍ବ ସମୟରେ ଦେଖିବାକୁ ମିଳେ । ଗାଁ ବାହାରକୁ କେବେ କୁଆଡ଼େ ଗଲେ ଶ୍ରୀପତି, ମୁଣ୍ଡରେ ଗୋଟିଏ ଠେକା ଭିଡ଼େ ଓ ଗୋଟିଏ ମଇଳା, ଛୋଟ, ମୋଟା ଫତେଇ ପିନ୍ଧେ । ନଚେତ୍ ତା’ର ସାଧାରଣ ପରିଧାନ ଖଣ୍ଡେ ଆଣ୍ଠୁ-ନ-ଲୁଚା ଖଦୀ ଓ କାନ୍ଧରେ ଖଣ୍ଡେ ତେଲକୋଚଟ ଗାମୁଛା । ଶ୍ରୀପତି ସବୁବେଳେ ନିଜ କାମରେ ଲାଗିଥାଏ, ପର ଚୁଗୁଲି, ଜୁଆଚୋରିରେ ନ ଥାଏ । ନିତ୍ୟ ଭାଗବତ ପାରାୟଣ କରେ । ପୁଣି ଛାପା ପୁସ୍ତକରେ ଭକ୍ତି ନ ଥିବାରୁ, ଗତ ବହୁବର୍ଷ ଧରି ନିଜେ ଲେଖନ ଧରି ତାଳପତ୍ରରେ ଜଗନ୍ନାଥ ଦାଶଙ୍କ ସମ୍ପୂର୍ଣ୍ଣ ବାରଖଣ୍ଡ ଭାଗବତକୁ ଉତାରିବାରେ ଲାଗିଛି । ଖରାବେଳେ ଯେତେବେଳେ ସମଗ୍ର ଗ୍ରାମ ନିଦ୍ରାମଗ୍ନ, ସେତେବେଳେ ଶ୍ରୀପତି, ତା’ର ବାଟ ଘରର ଗୋଟିଏ କୋଣରେ ବସି ଟିଣ ଚଷମାଟି ନାକ ଅଗରେ ଦେଇ, ବାଁ ଆଣ୍ଠୁ ଉପରେ ତାଳପତ୍ର ଖେଦାଟିଏ ରଖି ନିଶ୍ଚିନ୍ତ ମନରେ ଭାଗବତ ଉତାରୁ ଥିବାର ବରାବର ଦେଖା ଯାଇଥାଏ । ଭଗବତ ସାଙ୍ଗକୁ ବାର୍ଷିକ ପଞ୍ଚଦୋଳ ମେଳଣରୁ କେତେ ବର୍ଷ ତଳେ କିଣି ଆଣିଥିବା ଖଣ୍ଡିଏ ପ୍ରେମ-ସୁଧାନିଧି, ଖଣ୍ଡିଏ ପ୍ରସ୍ତାବସିନ୍ଧୁ ଆଉ ଖଣ୍ଡିଏ ବିଶି ରାମାୟଣ ତା’ର ଚିର ସହଚର । ବୋଧ୍ୟ ଅପେକ୍ଷା ଅବୋଧ୍ୟ ହିଁ ରହେ ବେଶି । ତେବେ ପଢ଼ିବାହିଁ ତା’ର ଆନନ୍ଦ ଓ ଗୌରବ । ସେ ଯେ ଉପେନ୍ଦ୍ରଭଞ୍ଜଙ୍କ ପ୍ରେମ-ସୁଧାନିଧି ପଢ଼ୁଛି ଏଇ ତା’ର ପରମ ସନ୍ତୋଷ । ତା’ର ପ୍ରକୃତ ସମସ୍ୟା ଶବ୍ଦାର୍ଥରେ ନ ଥାଏ, ଥାଏ ଭାବାର୍ଥରେ । ବେଳେ ବେଳେ ବିମୂଢ଼ ପ୍ରଭୁପାଦକୁ ଶ୍ରୀପତି ପଚାରେ ‘ବାପା’

 

ଯା ନାମ ମୁକତି ପସରା

ସେ କିପାଁ କଲେ ପରଦାରା ?

 

ୟାର ଅର୍ଥ କ’ଣ ?

 

ବା

 

ଗୋପୀଭାଷାରେ ଅଛି–

 

ପିଢ଼ା ଉପରେ ପିଢ଼ାମାନ ଥୋଇ,

ତଥି ଉପରେ ଉଠିଲେ ମାଧୋଇ ।

ଯଷ୍ଟି ଘେନି ଫୋଡ଼ିଲେ ଦଧି ଭାଣ୍ଡ,

ଜଳା ସଳଖେ ପୋତିଅଛି ତୁଣ୍ଡ ।

ମୁଁ ଗୋ ଏମନ୍ତ ସମୟେ ଅଇଲି,

ନୀରଭାଣ୍ଡ ତଳେ ଥୋଇ ଚାହିଁଲି ।

ଦୁଧ ପିଉଛି ହାଣ୍ଡି କଣା କରି,

ମୁଁ ଗୋ ବସିଲି ଦୁଆର ଅବୋରି ।

ବାପା, ଶ୍ରୀକୃଷ୍ଣ ତ ଦଧିଭାଣ୍ଡ କଣା କଲେ,

ଦୁଧ ଆସିଲା କୁଆଡ଼ୁ ?

 

ପ୍ରଭୁପାଦ ଏ ପରୀକ୍ଷାରେ ସ୍ତମ୍ଭୀତ ହୋଇଯାଏ । ୟାର କ’ଣ ଉତ୍ତର ଦେବ ସେ ? ପୋଥିରେ ଭୁଲ୍ ଅର୍ଥ ବା ଭ୍ରାନ୍ତ ମତ ଥିବାର କି ଶ୍ରୀପତି ବିଶ୍ୱାସ କରିବ ? ତା’ କି ସମ୍ଭବ ହୋଇପାରେ ? କୌଣସି ଉତ୍ତର ନ ପାଇ ଶ୍ରୀପତି ଆଲୋଚନା ସାଙ୍ଗକରି କହେ “ଏସବୁ ତମର ପଢ଼ା ହୁଏନି, ବାପା, ନା ? ଏ ଗହନ ପାଠ । ଅବଗାହୀ ନ ହେଲେ ଏସବୁ କ’ଣ ସହଜରେ କେହି ବୁଝେଇ ପାରିବ ?”

 

ଏଇ ଯେ ଶ୍ରୀପତି ସାହୁ, ବୈଷ୍ଣବ, ସାଧୁ, ନିର୍ଦ୍ଦୋଷ, ଯା’ ମୁହଁରେ ‘ସକଳ ଦେହେ ନାରାୟଣ, ବସନ୍ତି ଅନାଦି କାରଣ’ ସବୁବେଳେ ପ୍ରାୟ ଶୁଣାଯାଏ, ସେ ନରିଆ ସାହୁର ଝିଅ, ସାବେରୀ ଗାଁ ମୁକୁନ୍ଦ ପଲାଇର ପୁଅକୁ ବିଭା ହୋଇଗଲା ବୋଲି ଏତେ ବିବ୍ରତ କାହିଁକି ? ଭାଗବତର ସେଇ ଉଦାର ନୀତି ଗାଁ ବା ସମାଜର ଦୈନନ୍ଦିନ ଜୀବନରେ ଆରୋପିତ ହେଲାବେଳକୁ ଉଭେଇ ଯାଉଛି କାହିଁକି ? ଏଇ ପ୍ରଶ୍ନ ନିଜକୁ ପଚାରି ପଚାରି ପ୍ରଭୁପାଦ ଗାଆଁର ପୋଖରୀ ଆଡ଼କୁ ଧୀରେ ଧୀରେ ଚାଲିଲା ଏବଂ ମନେ ମନେ ଭାବିବାକୁ ଲାଗିଲା ତା’ର ଉତ୍ତର ।

 

(୧୦)

 

ସହରର ଇତିହାସ ଅଛି–ପ୍ରାୟ ପ୍ରତ୍ୟେକ ସହରର । ପରାକ୍ରମଶାଳୀ ରାଜା ଓ ସମ୍ରାଟମାନେ ନିଜର ନାମକୁ ଅମରତ୍ଵ ଦେବାର ତୀବ୍ର ପିପାସାରେ ଗଢ଼ି ଯାଇଛନ୍ତି ନଗରସମୂହ । ରାଜା, ରାଜ୍ୟ, ଧନପତିମାନଙ୍କୁ ଆଶ୍ରୟ କରି ଗଢ଼ି ଉଠିଥାଏ ନଗର । ମନୁଷ୍ୟର କେବଳ ଯାହା ଭୋଗ କରିବାର କଥା ନୁହେଁ, ଯାହା ଦେଖେଇ ହୋଇ ମଧ୍ୟ ସେ ତୃପ୍ତିଲାଭ କରେ, ସେ ସବୁର ଠୁଳୀଭୂତ ସ୍ତୂପ ହେଉଛି ନଗର । ନିଜର ଐଶ୍ୱର୍ଯ୍ୟକୁ ଦେଖିବା, ଦେଖେଇବା ଓ ଭୋଗ କରିବା ପାଇଁ ମନୁଷ୍ୟ ସୃଷ୍ଟି କରେ ନଗର ।

 

କିନ୍ତୁ ନିରୀହ, ନୀରବ, କ୍ଷୁଦ୍ର, ଦୀନ ଗ୍ରାମ ? ନା ଅଛି ତା’ର ଇତିହାସ, ନା ସେ ବିଷୟରେ ସେ ଅନୁସନ୍ଧିତ୍ସୁ ? ତା’ର ଆରମ୍ଭ କେଉଁଠୁ କିଏ କହିବ ? ସେ ଦରିଦ୍ର ଜ୍ଞାତି, ଯାହାକୁ କି କୁଳର ସାଂପ୍ରତିକ ଭାଗ୍ୟଧରମାନେ ନିଜର ରକ୍ତ ବୋଲି ପରିଚୟ ଦେବାକୁ କୁଣ୍ଠିତ । ପଲ୍ଲୀ ନିଜେ ମଧ୍ୟ ସେ କିପରି ହେଲା ନିଜେ ଜାଣେନା । ବର୍ଷାଜଳ ସହସ୍ର ଖାଲରେ ଜମାହୋଇ ସହସ୍ର ପଲ୍ଵଳ ସୃଷ୍ଟିକଲା ପରି ମନୁଷ୍ୟ-ବିନ୍ଦୁ ଅନୁକୂଳ ମାଟିରେ ଆପେ ଆପେ ପୁଞ୍ଜୀଭୂତ ହୋଇ ଧରଣୀର ଉଦାର ପୃଷ୍ଠରେ କୋଟି କୋଟି ଗ୍ରାମ ସୃଷ୍ଟି କରେ । ସ୍ଵୟଂସମ୍ଭବ ପଲ୍ଲୀ–ସେଇହିଁ ତା’ର ଇତିହାସ ।

 

କିନ୍ତୁ ଭାରତର ନିରକ୍ଷର ଅଜ୍ଞ ପଲ୍ଲୀତ ଜାଣେନା ତା’ର ଏଇ ଇତିହାସ; ଏ ଦେଶର ଅଧିକା°ଶ ଶିକ୍ଷିତ ଲୋକ ମଧ୍ୟ ବିଶ୍ୱାସ କରି ପାରିବେ ନାହଁ ଯେ ଯଦି ଏ ଦେଶର ଦୀର୍ଘ ପାଞ୍ଚହଜାର ବର୍ଷର ସଭ୍ୟତାର ଅଲିଭା ଛାପ କେଉଁଠି ଥାଏ ତାହା କେବଳ, ସେଇ ଅବହେଳିତ ପଲ୍ଲୀରେହିଁ ଏବେବି ଦେଖିବାକୁ ମିଳେ–ନଗରରେ ନୁହେଁ । କଲିକତା, ବମ୍ବେ, ମାଡ୍ରାସ୍, ଦିଲ୍ଲୀ–ଏସବୁ ଏଇ ଅଢ଼େଇ ଦିନର କଥା । ଦୁଇଶଠୁ ସାତଶ ଆଠଶ ବର୍ଷ ପୂର୍ବେ ଏମାନଙ୍କର ନାମ ଧାମହିଁ ଶୁଣା ନ ଥିଲା । କିନ୍ତୁ ଋଗବେଦର ସସ୍କୃତି କେବଳ ପଞ୍ଜାବର ପଲ୍ଲୀରେ ନୁହେଁ ଓଡ଼ିଶାର ପଲ୍ଲୀରେ ମଧ୍ୟ ଏବଯାଏଁ ବଞ୍ଚି ରହିଛି । ‘ଗ୍ରାମ’, ‘ଗୋତ୍ର’, ‘ଗୋଷ୍ଠ’, ‘ଗୋଷ୍ଠୀ’, ‘କୁଳ’, ‘କ୍ଷେତ୍ର’, ‘ବିଶ’ ପ୍ରଭୃତି ପଲ୍ଲୀ-ଜୀବନର ଘନିଷ୍ଠ-ପରିଚିତ ଶବ୍ଦଗୁଡ଼ିକର ଆରମ୍ଭ ସେଇ ଋଗବେଦରେ । ଋଗବେଦ ପରି ଏବେ ବି ପଲ୍ଲୀ-ବାସୀର ଜୀବନ-ନାଟକର କେନ୍ଦ୍ର ହେଉଛି ଗାଈ ଓ ପଟ୍ଟଭୂମି ହେଉଛି ଶସ୍ୟକ୍ଷେତ୍ର । ବର୍ଣ୍ଣାହମିକ କେଉଁ ବ୍ରାହ୍ମଣ ‘ଗୋତ୍ର’ର ଗର୍ବ କରେ ନା ? କିନ୍ତୁ ବିନା ‘ଗୋ’ରେ ‘ଗୋତ୍ର’ର ଗର୍ବ କେବଳ ଇତିହାସର ଅପମାନ ସିନା ! ‘ଗୋ’ରୁ ସେଦିନ ଆସିଥିଲା ‘ଗୋଷ୍ଠ’ ଓ ‘ଗୋତ୍ର’, କେତେକ ଗୋତ୍ରର ସମଷ୍ଟି ଥିଲା ‘କୁଳ’ ଏବଂ କେତେକ କୁଳର ସମୂହର ନାମ ଥିଲା ‘ଗ୍ରାମ’, ଯାର ଆଭିଧାନିକ ଅର୍ଥ ଏବେ ବି ସେଇ ‘ସମୂହ’ କିନ୍ତୁ ଲୌକିକ ଅର୍ଥରେ ବୁଝାଏ ପଲ୍ଲୀ ବା ଗାଁ । ଶବ୍ଦଟି ପାଞ୍ଚହଜାର ବର୍ଷ ଧରି ଚାଲି ଆସିଛି, କିନ୍ତୁ କେଉଁ ‘ଗ୍ରାମ’ବାସୀ ତା’ର ଏଇ ଗୌରବମୟ ଇତିହାସ ଖୋଜିଯାଏ ? କେତେକ ଗ୍ରାମର ଏକକକୁ ଋଗବେଦରେ ମଧ୍ୟ କୁହାଯାଉଥିଲା ‘ବିଶ୍‍’ । ଆମର ଏଇ ନନ୍ଦିଗାଁର ପ୍ରଧାନ କୁଳର ସମ୍ମାନିତ ସଜ୍ଞା ଏବେ ବି ‘ବଶୋଇ’ ବା ବିଶ୍‍-ପତି । ଏଇ କେତୋଟି ରକ୍ତମାଂସହୀନ ପଦଟିମାନଙ୍କରେ ପାଞ୍ଚ–ସାତ ହଜାର ବର୍ଷର ସଭ୍ୟତାର ଜୀବନ୍ତ ଇତିହାସ କି ଅଜ୍ଞାତ ମାଧୁର୍ଯ୍ୟରେ ଲଜ୍ଜାଶୀଳ ବଧୂ ପରି ଲୁକ୍‍କାୟିତ ରହିଛି !

 

ଋଗବେଦର ଆର୍ଯ୍ୟ ପରି ଏବେ ବି ପଲ୍ଲୀର କୃଷକ କ୍ଷେତରେ ଖଟେ, ବଣ ବୁଦାରେ ଶୀକାର କରେ, ଗୀତ ଗାଏ, ଭୋଜି ଖାଏ, ନାଚେ ଏବଂ ନିଜ ଛଡ଼ା ଜଗତର ଅନ୍ୟ ସମସ୍ତଙ୍କୁ ଅବଜ୍ଞା ଚକ୍ଷୁରେ ଦେଖେ । ଘରେ ଦିନକର ଖାଦ୍ୟ ଥିଲେ, ସେ ଅନ୍ୟ କାହାକୁ ଖାତିର କରେନା ବା ଅନ୍ୟ କିଛି ଚିନ୍ତା କରିବାର ଦରକାର ମନେ କରେନା । ପଲ୍ଲୀର ସେହି ଅଗଣିତ ଜନତା ଏକ ବ୍ୟାପକ ଶିଶୁ-ଗୋଷ୍ଠୀ କହିଲେ ଚଳେ । ଶିଶୁପରି ସେ କାର୍ଯ୍ୟବ୍ୟସ୍ତ, କିନ୍ତୁ କର୍ମର ‘କ’ଣ’ ଓ ‘କାହିଁକି’ ପଚାରିବା ପାଇଁ ତା’ର ମସ୍ତିଷ୍କ ନାହିଁ । ଶିଶୁପରି ସେ ଖିଆଲୀ, ଶିଶୁପରି ଅଳ୍ପତୁଷ୍ଟ, ଶିଶୁପରି ଅବୁଝ ମଧ୍ୟ । ଶୈଶବର ନାନା ଅରିଷ୍ଟ ପରି, ପଲ୍ଲୀର ଏଇ ଶିଶୁ-ଜନତା ଉପରେ ଅକରୁଣ ପ୍ରକୃତିର ନାନା ଅତ୍ୟାଚାର । ପଲ୍ଲୀବାସୀ ସେ ସବୁ ପିଠି ପତେଇ ଭୋଗକରେ, ବିପର୍ଯ୍ୟୟରେ ବିଳାପ କରେ, କିନ୍ତୁ ଅଳ୍ପ ସମୟ ପରେ ଅସରନ୍ତି ଜୀବନୀ-ଶକ୍ତିର ପରିଚୟ ଦେଇ ଶିଶୁ ଯେପରି ଆଖିର ଲୁହ ନ ଶୁଖୁଣୁ ନର୍ମଳ ହାସ୍ୟର ତରଙ୍ଗ ଚାରିଆଡ଼େ ବିଛୁରିତ କରି ଚାରିଆଡ଼େ ଡେଇଁ କୁଦି ବୁଲେ, ପଲ୍ଲୀବାସୀ ସେହିପରି କିଛି ନ ଘଟିଥିଲା ପରି ପୁଣି ସିଧାହୋଇ ଠିଆ ହୋଇ ଜୀବନ ପଥର ଦୀର୍ଘ କଠୋର ଯାତ୍ରା ପୁଣି ନିର୍ବିକାର ଚିତ୍ତରେ ଆରମ୍ଭ କରେ ।

 

ଏଇପରି ଏକ ପଲ୍ଲୀ–ନଗଣ୍ୟ, ଛୋଟ, କିନ୍ତୁ ପଲ୍ଲୀର ସମସ୍ତ ଐତିହ୍ୟ, ଇତିହାସ ଓ ଦୋଷ ଗୁଣରେ ପରିପୁର୍ଣ୍ଣ–ଏଇ ନନ୍ଦିଗାଁ; ପ୍ରଭୁପାଦର ଜନ୍ମଭୂମି । ଏକ ଉଚ୍ଚ ବାଲିବନ୍ତ ଉପରେ ଠିଆହେଲେ ପାଖକେ ଦେଖାପଡ଼େ ଦିଗନ୍ତ ବିସ୍ତୃତ ନୀଳ ସିନ୍ଧୁ ଓ ଅନ୍ୟ ପାଖରେ ସେହି ସିନ୍ଧୁର କନ୍ୟା ଏବଂ ତାରିପରି ଦିଗନ୍ତ ବିସ୍ତୃତ, ନୀଳ ଚିଲିକାର କମନୀୟ ପ୍ରସାର । ଚାରିଆଡ଼େ ଦେଖାଯାଏ କୃଷିକ୍ଷେତ୍ରର ସତରଞ୍ଜ ପାଲି, ମଝିରେ ମଝିରେ ତୋଟା ଓ ଗୋରଡ଼ାମାନଙ୍କର ପୁଞ୍ଜୀଭୂତ ବନସ୍ପତିର ଶ୍ୟାମଳ ରେଖା ଓ ବିନ୍ଦୁରାଜି, ପୁଣି ସେ ସବୁର କେନ୍ଦ୍ରରେ ଅର୍ଦ୍ଧଲୁକ୍‍କାୟିତ ଅର୍ଦ୍ଧ-ପ୍ରକାଶିତ ଭାବରେ ଠିଆ ରହିଥିବାର ଦେଖାଯାଏ ତା’ର ଗ୍ରାମ ନନ୍ଦିଗାଁ । ଛୋଟ ସେ ଗାଁ, ଦରିଦ୍ର କୁଟୀରମାଳାର ସମାବେଶ, ଚାରିଆଡ଼େ ଦାରିଦ୍ର୍ୟର ଚିହ୍ନ, ଚାରିଆଡ଼େ ହୀନତା, ଦିନତା, ଅସଭ୍ୟତାରେ ଜର୍ଜର । ତଥାପି ବହୁକାଳ ପରେ ଗାଁକୁ ଫେରିଲାବେଳେ ଦୂରରୁ ଏଇ ଗାଁର ଦଳେଇ ଘରର ତାଳଗଛଟା ଆଖିରେ ପଡ଼ିଲାକ୍ଷଣି ପ୍ରଭୁପାଦର ମନ ରୋମାଞ୍ଚିତ ହୋଇ ଉଠେ । ଜନନୀ ଓ ଜନ୍ମମାଟିର ମାୟା ସମାନ ନିଶ୍ଚୟ ।

 

ପ୍ରଭୁପାଦ ଗ୍ରାମର ଏକମାତ୍ର ଶିକ୍ଷିତ ଲୋକ । ସେ ଛୁଟିରେ ବରାବର ଗାଁକୁ ଆସେ, ଗାଆଁର କୁଟୁମ୍ବୀ ଜ୍ଞାତି ବନ୍ଧୁମାନଙ୍କ ସଙ୍ଗେ ବସେ ଉଠେ, ଗାଁର ନ୍ୟାୟ, ନିଶାପ, କ୍ଷୁଦ୍ରତା ଓ ମୂର୍ଖତା, ଇତିହାସ, ଭୂଗୋଳ, ସବୁ ଶୁଣେ । ସମସ୍ତଙ୍କ ସାଥିରେ ସବୁ ହୋଇ ମିଶିପାରେ ବୋଲି ଗାଁଟିଯାକରେ ସେ ଜନପ୍ରିୟ ।

 

ପ୍ରଭୁପାଦ ଧୀରେ ଧୀରେ ଗାଁର ପୋଖରୀ ଆଡ଼କୁ ଚାଲିଛି, ଆଉ ଗାଁର କେତେକ ସମସ୍ୟା ମୁଣ୍ଡରେ ଓଲଟପାଲଟ କରୁଛି । ଛୋଟ ଏଇ ନନ୍ଦିଗାଁ–୩୦।୪୦ ଘର ବସ୍ତି । କିନ୍ତୁ ଏଠି ଯେ କେତୋଟି ନାୟକ, ସାହୁ, ସ୍ୱାଇଁ, ପଧାନ ଅଛନ୍ତି, ତାଙ୍କରି ଭିତରେ ଏକ ଅନ୍ୟଠାରୁ ଉଚ୍ଚ ବୋଲେଇବା ପାଇଁ ପ୍ରଚ୍ଛନ୍ନ ଓ ପ୍ରକାଶ୍ୟ ସଂଘର୍ଷ । ଅଥଚ ସମସ୍ତ ଦୀନ, ଅଜ୍ଞ, ମୂର୍ଖ, ଅସଭ୍ୟ । ସମୂହ ଭାବରେ ସମଗ୍ର ଗାଁ, ପାଶ୍ଚାତ୍ୟ ସଭ୍ୟତାର ଦୂରବୀକ୍ଷଣରେ ଏକାନ୍ତ ହେୟ ଓ ନଗଣ୍ୟ । କିନ୍ତୁ ମନୁଷ୍ୟର ବ୍ୟକ୍ତିଗତ ଅହମିକା ହିଁ ଗୋଷ୍ଠୀଗତ, ଗ୍ରାମଗତ ଓ ଶେଷରେ ଦେଶଗତ ହୋଇ ନାନା ନାମରେ ପ୍ରକାଶ ପାଏ । ଅହମିକା ପୋଷଣ ଓ ତୋଷଣ ହିଁ ମନୁଷ୍ୟର ସର୍ବପ୍ରଥମ ଓ ସର୍ବ ପ୍ରଧାନ ମାନସିକ ସୁଖ । ଯେତେ ହୀନ ଅବସ୍ଥାରେ ଥିଲେ ମଧ୍ୟ ମନୁଷ୍ୟ ଏଇ ଦୁର୍ବଳତାର ଶରଣ ପଶେ–ଆତ୍ମ-ସନ୍ତୋଷ, ଆତ୍ମ-ବିସ୍ମରଣ ପାଇଁ । ଏଇ ନନ୍ଦିଗାଁର ସାହୁ ଘରିଆ କହିବାର ସେ ଶୁଣେ “ଏଇ ଯେ ତମର ନାୟକ ଘରିଆ, ଏବେ ପାଁସେଣିଆ ଘର କରି ମୁଣ୍ଡ ଟିକିଏ ଟେକିଛନ୍ତି, କାଲିତ ଆମରି ଘରେ ସେମାନେ ମୂଲଲାଗି ମାଣ୍ଡିଆ ଯାଉ ଖାଉଥିଲେ ।” ନାୟକଘରିଆଙ୍କ ମାମ୍‍ଲତକାର ଚୁପି ଚୁପି କହିବାର ସେ ଶୁଣେ “ଏଇ ସାହୁଘରିଆ, ସ୍ଵାଇଁ ଘରିଆ ଗୁଡ଼ାକୁ ଆମେ ଆଣି ବସେଇଛୁନା ଏ ଗାଁରେ, ଆମର କାମକରେଇବା ପାଇଁ ।” ଚିରନ୍ତନ ଏ ପଲ୍ଲୀ, ପ୍ରଭୁପାଦ ଏ କୌଳିକ ବିବାଦର ଗୁହ୍ୟ ଇତିହାସ ପାଇବ କେଉଁଠି ? ସେ କେବଳ ମନେ ମନେ ହସେ ।

 

ତଥାପି ସମସ୍ତ ଗୋଷ୍ଠୀଗତ ଅହମିକା ସତ୍ତ୍ୱେ, ସମସ୍ତ ବ୍ୟକ୍ତିଗତ କଳହ ସତ୍ତ୍ୱେ ନନ୍ଦିଗାଁ ଗୋଟିଏ ସଂହତିବନ୍ତ ମଧୁର ଏକକ । ପ୍ରତ୍ୟେକ ସାହୁ ବା ନାୟକର ନିଜ ଗୋଷ୍ଠୀକି ନେଇ ଅହମିକା ସାଥିରେ, ସେ ପ୍ରତ୍ୟେକର ନିଗୂଢ଼ ମନରେ ନିଜଗାଁ ନନ୍ଦିଗାଁକୁ ନେଇ ଆଉ ଏକ ବଳିଷ୍ଠ ଅହମିକା ବିରାଜିତ । ଏଇ ଅହମିକାହିଁ ପଲ୍ଲୀକୁ ବଞ୍ଚାଇ ରଖେ । ଏଇ ଅହମିକାହିଁ ପ୍ରତିପଲ୍ଲୀକୁ ପ୍ରତିବେଶୀ ପଲ୍ଲୀର ଆଖିରେ ଈର୍ଷା ଜାତ କରେଇବା ପାଇଁ ଯାତ୍ରା, ଉତ୍ସବ, ଦେବାଳୟର ଘନଘଟାରେ ଉନ୍ମତ୍ତ କରାଏ । ଏହାହିଁ ନନ୍ଦିଗାଁର ପିଲାଟିକୁ ମଧ୍ୟ କ୍ଷମଣୀୟ ତାଛଲ୍ୟରେ କୁହାଏ “ଏଇ ଗୋପୀନାଥପୁରୀଆଗୁଡ଼ାକ ! ଏଇ ରାମଗଡ଼ିଆଗୁଡ଼ାକ ! ଆମେ ଠେଙ୍ଗା ଧରିଲେ ସିଏ ଘରୁ ବାହାରିବେନା ?” ସେହି ତାଚ୍ଛଲ୍ୟ, ସେହି ଅହମିକାହିଁ ନନ୍ଦିଗାଁର ଐକ୍ୟ । ପରିବାର ପରିବାର ଭିତରେ ଜମିବାଡ଼ି ନେଇ ବିବାଦ, ଏ ସାହି ସେ ସାହିର ବିବାଦ, ଦୋଳପୂର୍ଣ୍ଣିମା ବେଳକୁ ଠାକୁରଙ୍କ ପ୍ରସାଦ ନେଇ, ପ୍ରତି ପରିବାର ଭିତରେ ପୁଣି ନାରୀ ନାରୀ, ପୁରୁଷ ପୁରୁଷ, ପୁରୁଷ-ନାରୀ ଭିତରେ ଦୈନନ୍ଦିନ କଳି । କିନ୍ତୁ ସବୁ ଫାଟ ସତ୍ତ୍ୱେ ନନ୍ଦିଗାଁର ଯେ ଗୋଟିଏ ଅଖଣ୍ଡ ଅବିଭାଜ୍ୟ ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ସଂହତି ଅଛି, ତାହା ଅନ୍ତତଃ ନନ୍ଦିଗାଁର ପ୍ରତ୍ୟେକ ଦରିଦ୍ର, ମୂର୍ଖ ଅଧିବାସୀ, ପ୍ରକାଶ କରି ନ ପାରିଲେହେଁ, ମନେ ମନେ ବୋଧକରି ଥାଏ । ଗାଁର ପଞ୍ଚୁ ପରମେଶ୍ୱର ବସି ନିଶାପ କରୁଥିଲା ବେଳେ ମୁନିବ ବିରୁଦ୍ଧରେ ହଳିଆ ମତ ଦିଏ ଓ ପ୍ରତିବାଦ କରେ । ଗ୍ରାମ, ମୋଟରେ ଦରିଦ୍ର, ମୂର୍ଖ, ଅପରିଚ୍ଛନ୍ନ, ଆଦିମ ସତ୍ୟ, କିନ୍ତୁ ତା’ର ଐତିହ୍ୟ ଭିତରେ ରହି ଯାଇଛି ସେହି ଋଗବେଦର କୃଷକ-ସଂସ୍କୃତିର ଡିମୋକ୍ରାଶୀ (ଗଣତାନ୍ତ୍ରିକଭାବ) ଓ ଐକ୍ୟବୋଧ ।

 

ପ୍ରଭୁପାଦ ଗାଁର ଅନେକ କିଛି କଥା, ଯାହା ପିଲା ଦନେ ତା’ର ଦେହ-ଘଷିଆ ହୋଇ ଜଣାପଡ଼ୁ ନ ଥିଲା, ତାହା ସେ ଆଜି ଘୃଣା କରେ, କିନ୍ତୁ ସେ ସମୂହ ଭାବରେ ସେ ଗ୍ରାମଟିକୁ ନମସ୍କାର କରେ ଗ୍ରାମର ଐକ୍ୟବୋଧ ପାଇଁ, ସଂହତି ପାଇଁ, ଜୀବନୀଶକ୍ତି ପାଇଁ, ଗ୍ରାମର ଗଣତାନ୍ତ୍ରିକ ରୀତି ପାଇଁ ।

 

ପ୍ରଭୁପାଦ ସେଇ ଶ୍ରୀପତି ସାହୁର କଥା ପୁଣି ମନକୁ ଆଣିଲା । ଶ୍ରୀପତି କାହିଁକି ନରୀ ସାହୁର ଝିଅ ବିଭାଘର ନେଇ ଏତେ ବିଚଳିତ; ତା’ର ଏକ ଯୁକ୍ତିଯୁକ୍ତ ଉତ୍ତର ଓ ସମାଧାନ ବର୍ତ୍ତମାନ ତା’ ମନରେ ଆସ୍ତେ ଆସ୍ତେ ଦେଖା ଦେଲା । ଶ୍ରୀପତିର ନରୀସାହୁ ସଙ୍ଗେ ବ୍ୟକ୍ତିଗତ ତିକ୍ତତା ଆଦୌ ନ ଥିଲା ବା ବର୍ତ୍ତମାନ ମଧ୍ୟ ନାହିଁ । ଦୁଇଙ୍କ ଘର ଗାଁର ଦୁଇ ଦିଗରେ, ଜମିବାଡ଼ି ମଧ୍ୟ ଛଡ଼ା ଛଡ଼ା । ବିବାଦ ହେବାର କୌଣସି କାରଣ ନାହିଁ । କିନ୍ତୁ ବିଜ୍ଞ, ବୟସ୍କ, ମାତବର ଶ୍ରୀପତି ତା’ର ଜନ୍ମଭୂମି ଏଇ ନନ୍ଦିଗାଁର ମାନ ମହତ୍ତ୍ଵ ପ୍ରତି ଜାଗ୍ରତ ରହିବ, ନା ନାହିଁ ? ସେ ବଞ୍ଚି ଥାଉ ଥାଉ କ’ଣ ସେ ନିଶ୍ଚିନ୍ତରେ ଦେଖିବ ନନ୍ଦିଗାଁର ମୌଳିକ ଆଭିଜାତ୍ୟର ମର୍ଯ୍ୟାଦା ତଳକୁ ଖସିଲା ବା ଗାଁର ଐକ୍ୟରେ ଫାଟ ଦେଖାଗଲା ? ଯଦି ଗାଁର ପ୍ରତି ପରିବାର ବା ପ୍ରତି ବ୍ୟକ୍ତିକୁ ସ୍ଵୈରାଚାରୀ ହେବାକୁ ଛାଡ଼ି ଦିଆଯାଇଥାନ୍ତା ତେବେ ଏ ଗାଁ କି ବଞ୍ଚି ରହିଥାନ୍ତା ଏଯାଏ ? ନରୀ ସାହୁ କ’ଣ ତା’ର ଝିଅକୁ ସାବେରୀ ଗାଁର ମୁକୁନ୍ଦ ପଲାଇ ଘରେ ଦେଇ ଦେଇଛି ଉଚ୍ଚ ସମାଜ-ସଂସ୍କାରକର ଆଦର୍ଶ ନେଇ ? ସେ ଦେଇଛି ଅର୍ଥ ଲାଳସାରେ । ନିଜର ସୁଖ-ସୁବିଧା, ଅର୍ଥ-ଲାଭ କ’ଣ ଗାଁର ଐକ୍ୟ ଓ ମୌଳିକ ମର୍ଯ୍ୟାଦା ଅପେକ୍ଷା ବଡ଼ ହେଇଗଲା ?

 

ପ୍ରଭୁପାଦ ଭାବିଲା, ବୋଧହୁଏ ଅଜ୍ଞ ଅବୁଝ ପଲ୍ଲୀବାସୀର ଅନ୍ତର୍ଦୃଷ୍ଟି ଠିକ୍ ରାସ୍ତା ଧରିଛି-। ସେ ଭାବିଲା ନରୀ ସାହୁ ପ୍ରକୃତରେ ଗ୍ରାମ-ଦ୍ରୋହୀ, ମାଟିଦ୍ରୋହୀ, ଇତିହାସ-ଦ୍ରୋହୀ । ଧାର୍ମିକ, ଦାର୍ଶନିକ ଶ୍ରୀପତିର ବଚଳିତ ହେବାର ଯଥେଷ୍ଟ କାରଣ ଅଛି । ଗ୍ରାମ ପ୍ରାଚୀନ ଓ ଅଖଣ୍ଡ । ପ୍ରତ୍ୟେକ ପରିବାର ଓ ବ୍ୟକ୍ତି ସେହି ଅଖଣ୍ଡତାକୁ ମାନିବା ଉଚିତ ।

 

(୧୧)

 

ପ୍ରଭୁପାଦ ଧୀରେ ଧୀରେ ଗାଁର ପୋଖରୀ ଆଡ଼କୁ ଚାଲିଥାଏ । ଏ ତ ଗାଁ । ସହରର ଆବର୍ଜନାକୁ ଲୁଚେଇ ଘୋଡ଼େଇ ସହ୍ୟ କରେଇ ନେବାର ଯେଉଁ ଚିରାଚରିତ ବ୍ୟବସ୍ଥା ଏଠି ତ ତା’ ନାହଁ । ଏଠି ଶୌଚାଦି କର୍ମ, ଗାଁର ଅନ୍ୟ ସମସ୍ତଙ୍କ ପରି, ସେ ମଧ୍ୟ ଗାଁର ଖୋଲା ପରିବେଶ ଭିତରେ କରିଥାଏ । ସେ ବୁଝୁଛି ଏହା ଅସ୍ୱାସ୍ଥ୍ୟକର, କିନ୍ତୁ ଗୋଟାଏ ସମଗ୍ର ମନୁଷ୍ୟ-ଗୋଷ୍ଠୀକୁ ମନୁଷ୍ୟ-ମଇଳା ପୋଛି ଓ ବୋହି ଜୀବିକାର୍ଜନ କରେଇବାର ନାଗରୀୟ ଜଘନ୍ୟ ଅମାନୁଷିକତା ଅପେକ୍ଷା, ପଲ୍ଲୀରେ ମେଲାରେ ମଳତ୍ୟାଗ କଅଣ ଗୋଟାଏ ଅତିବଡ଼ ସାମାଜିକ ବା ମାନବିକ ଅପରାଧ ? ପଲ୍ଲୀରେ ମଧ୍ୟ ମେହେନ୍ତର ଅଛନ୍ତି କିନ୍ତୁ ସେମାନଙ୍କର କାମ ‘ମନୁଷ୍ୟ’ର ମଇଳା ସଫା କରିବା ନୁହେଁ, ‘ଗାଁ’ର ମଇଳା ସଫା କରିବା । ଗାଁର ଗୋରୁଟାଏ ମଇଁଷିଟାଏ ମରିଗଲେ, ହାଡ଼ି ଆସି ନେଇଯାଏ, ସେଇଥିରୁ ସେ ପାଏ ଖାଦ୍ୟ ଓ ଅର୍ଥ । ଚମଡ଼ା ବିକେ ସେ, ବା ଚମଡ଼ାରେ ବାଦ୍ୟ ତିଆରି କରି ପୁଣି ଗାଆଁର ବିବାହ ନିମିତ୍ତରେ ସାଆନ୍ତମାନଙ୍କୁ ଆପ୍ୟାୟିତ କରେ । ଗାଁର ହାଡ଼ି, ସାମାଜିକ ଜୀବନରେ ଅପାକ୍ତେୟ ସତ୍ୟ କିନ୍ତୁ ତୁଚ୍ଛ ନୁହେଁ, ନଗଣ୍ୟ ନୁହେଁ । ନିମ୍ନସ୍ଥ ହେଲେହେଁ ତା’ର ଜୀବନରେ ସ୍ଵାସ୍ଥ୍ୟ ଅଛି, ଗାଁର ସାମାଜିକ ଜୀବନକୁ ପରିପୁଷ୍ଟ, ପ୍ରମୋଦିତ କରିବାରେ ଭାଗ ଓ ଅଧିକାର ତା’ର ଅଛି । ସହରରେ ତ ହାଡ଼ିର ଏ ଭାଗ୍ୟ ନାହିଁ ।

 

ପ୍ରଭୁପାଦ ପୋଖରୀ ହିଡ଼େ ହିଡ଼େ ଯାଉଛି । ହଠାତ୍ ତା’ ଦୁଇ କାନକୁ ଘନ ଘନ ପ୍ରହାର କରି ଗୋଟିଏ ଉଚ୍ଚ କର୍କଶ ନାରୀକଣ୍ଠର ଅଜସ୍ର ବାଣୀ-ନିର୍ଘୋଷ ଶୁଣାଗଲା । ‘ହା’ଲୋ ରାଣ୍ଡର ପିଲେ, ହା’ଲୋ ହେଡ଼ାଖାଇର ପିଲେ, ହା’ଲୋ ନିର୍ବିଶିଆର ପିଲେ, ତମୁକୁ ବାଡ଼ିଖାଉ, ତମୁକୁ ଅଚିହ୍ନା ରୋଗ ହେଉ, ତମୁକୁ ବଡ଼ରୋଗ ହେଉ । ଏ ରହିଜଳାଙ୍କର ଖାଲି ମୋଅରି ବିଲବାରି ଉପରେ ଆଖି, ଖାଲି ଶାଗ କିଆରିକି ଅହନ୍ତା, ରହିଜଳେ, ଭେଦ୍‍ଶୁଏ, ତମ ଘରେ ଛେଳି ଡେଉଁ । ଥରେ ନୁହେଁ, ଦିଥର ନୁହେଁ, ତିନି ତିନି ଥର ମୋ ବାରିରେ ଗାଈମଇଁଷି ପୂରେଇ ଦେଲେ, କଖାରୁ କଷିଟିଏ ବି ଚାଳରେ ରଖି ଦେଲେନି, କି ଶାଗ କେରେ ରଖେଇ ଦେଲେନି । ହେ ବଡ଼ ଠାକୁରେ, ହେ ମା ବରୁଣେଇ ବୁଢ଼ୀମା, ହେ ମା ବୁରୁନ୍ଦାବତୀ, ସତେ ଯେମିତି ତମେ ଏ ସଂସାର ଚଳଉଥିବ, ହେ ଠାକୁର ଠାକୁରାଣୀମାନେ ମୋ ବାରି ଯେ ଖୁଆଇଲେ, ତାଙ୍କ ଠିଆ ଖେତମାନଙ୍କୁ ଯିମିତି ପୋକ ଖାଇଯାନ୍ତି, ତାଙ୍କ ଢିଅମାନଙ୍କରେ ଯେମିତି ଦୁଦୁରା ଉଠିବ ।’’

 

ପ୍ରଭୁପାଦ ଚାରିଆଡ଼କୁ ଅନାଇ ଦେଖିଲା ସେ ଏହି ଅସହ୍ୟ ଉଷ୍ମ ଗାଳି-ମାଳିକା ପୋଖରୀର ଗୋଟିଏ ତୋଠରୁ ଆସୁଛି–ଯେଉଁ ପଟଟା ସ୍ତ୍ରୀମାନେହିଁ ସାଧାରଣତଃ ବ୍ୟବହାର କରିଥାନ୍ତି । ସ୍ତ୍ରୀଲୋକଟି ଗାଁର ଛୋଟୀ ବୁଢ଼ୀ । ଗାଁର ଚୌକିଦାର ବା ଛାଟିଆର ପ୍ରଥମ ସ୍ତ୍ରୀ, କିନ୍ତୁ ବହୁକାଳରୁ ଛାଡ଼ପତ୍ରପ୍ରାପ୍ତା । ବ୍ରଜ ଛାଟିଆ ଏ ସ୍ତ୍ରୀକୁ ବିଭାହେଲା ବେଳକୁ ତା’ର ଗୋଟାଏ ଗୋଡ଼ ଆଗରୁ କେମ୍ପା ଥିଲା କି ପରେ ତା’ର ଲାଠିମାଡ଼ରେ ଏପରି ହେଲା, ଏ ପ୍ରଶ୍ନର ଠିକ୍ ଉତ୍ତର ଗାଁରେ କେହି କହି ପାରନ୍ତି ନାହଁ । କିନ୍ତୁ ସମସ୍ତେ ଜାଣନ୍ତି ଯେ ବ୍ରଜ ଛାଟିଆ ତା’ର ଏଇ ମୁଖରା ସ୍ତ୍ରୀ ଉପରେହିଁ ତା’ର ଛାଟିଆ–ଲାଠିକୁ ଯଥେଷ୍ଟ କାମ ଦେଇଥାଏ ଏବଂ ଏଇ ପିଠି ଓ ଏଇ ଲାଠିର ଯୋଗାଯୋଗ ଏପରି ନିର୍ଦ୍ଦିଷ୍ଟ ରୀତିରେ ଘଟୁଥିଲା ଯେ ସେ ସମୟରେ ଗାଁର ଟୋକାଏ ଠିକ୍ ବେଳରେ ଫୁସ୍‍ର ଫାସ୍‍ର ହେବାର ଶୁଣାଯାଉଥିଲା “ଛାଟିଆ କ’ଣ ଭୁଲି ଗଲା କି ଏ ମାସରେ । ଏତେବେଳକୁ ତ ପାହାର ପଡ଼ି ସାରନ୍ତାଣି !” ଛାଟିଆର ଘର ଭିତରେ ଦୁଇ ତିନୋଟି ସାକୁଚ ଲାଞ୍ଜ ଝୁଲୁଥିବାର ଦେଖାଯାଏ । ଶୁଣାଯାଏ, ସେ ଯେତେବେଳେ ଦେଖିଲା ଯେ ତା’ର ଅର୍ଦ୍ଧାଙ୍ଗିନୀର ରସନାର ତୀବ୍ରତାକୁ ତା’ର ଲାଠି ମଧ୍ୟ ଭାଙ୍ଗି ପାରୁନି, ସେ ସଂଗ୍ରହ କରି ଆଣିଥିଲା ଏଇ ସାକୁଚ-ଲାଞ୍ଜ–ଅବ୍ୟର୍ଥ ମହୌଷଧ ରୂପେ । କିନ୍ତୁ ସେ ଯେତେବେଳେ ଦେଖିଲା ଯେ ନାରୀର ରାସନୀ ରୋଗର ଔଷଧ ଏ ଜଗତରେ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନି, ସେ ପ୍ରଥମାଟିକୁ ଘରୁ ବାହାର କରି ଦେଇ, ଏକ ଦ୍ଵିତୀୟା ଘରେ ଆଣିଲା । ଶୁଣାଯାଏ ଛୋଟୀର ରସନା ଏବେ ଯେ କିଞ୍ଚିତ ସହ୍ୟ ହେଲାଭଳି ହୋଇ ଆସିଛି, ସେହି ଉତ୍ତମ ଲକ୍ଷଣ ଦେଖାଗଲା ଏଇ ଛାଡ଼ପତ୍ର ପରେ । ଏବେ ଛୋଟୀ ତା’ର ଝିଅ ପାଟକୁ ନେଇ ସେଇ ସ୍ୱାମୀର ଗୁହାଳ ପଛପଟେ ଗୋଟିଏ ଛୋଟ ଏକଚାଳିଆ ପଲାରେ ରହେ, ଆଉ ଗାଁର ମହାଜନ ସେଇ କଳ୍ପତରୁ ସ୍ଵାଇଁର ଘରେ ମଜାମଜି, ଓଳାଓଳି କରି ଦି ମୁଠା ଖାଏ-। ଝିଅ ପାଟ, ପ୍ରଭୁପାଦ ଘରେ କାମଦାମ କରେ । ଦିହେଁ ମିଶି ସେଇ ପଲା ଆଗକୁ କେତେ ହାତ ଜାଗା ବେଢ଼େଇ ଦେଇ ବେଳେ ବେଳେ ଶାଗଟାଏ, ଭେଣ୍ଡିଟାଏ, ଲାଉ, କଖାରୁଟାଏ ଲଗାଇ ଥାନ୍ତି । ନିଜେ ଖାନ୍ତି, ବେଳେ ବେଳେ ୟାଘରେ ତା’ଘରେ ଦେଇ, ଗଣ୍ଡାଏ ଧାନ କି ପଇସେ ଦି’ପଇସା ପାଇଥାନ୍ତି ହାତଖର୍ଚ୍ଚ ପାଇଁ । କିନ୍ତୁ ମା’ଝିଅ ଉଭୟେ ଅଧିକାଂଶ ସମୟରେ ଅନୁପସ୍ଥିତ । ତାଙ୍କ ନିଜର ଓ ପ୍ରତିବେଶୀମାନଙ୍କର ଗାଈ ଗୋରୁଙ୍କଠାରୁ ଖାଦ୍ୟ ପଦାର୍ଥ ପ୍ରତି ନିର୍ବିକାର ରହିବାର, ବା ପରଦ୍ରବ୍ୟ ପ୍ରତି ଆଖି ନ ଦେବାର ଯୋଗାଭ୍ୟାସ ତ ଆଶା କରାଯାଏ ନାହିଁ । ତେଣୁ ବେଳେ ବେଳେ ଛୋଟୀ ଓ ତା’ ଝିଅର ଛୋଟ ବଗିଚାଟି ତାଙ୍କ ଅନୁପସ୍ଥିତିରେ ଉଜାଡ଼ ହୋଇଯାଏ । ସେ ହେବାର ଦିନେ ଦୁଇଦିନ ଧରି ସମଗ୍ର ନନ୍ଦିଗାଁ ଏଇପରି ବାକ୍ୟବାଣରେ ଜର୍ଜରିତ ହୋଇଥାଏ ।

 

ଏ’ତ ପରିଚିତ ଘଟଣା । ପ୍ରଭୁପାଦ କିଛି ନ ବିଚାରି ଆଗେଇ ଚାଲିଲା । କିନ୍ତୁ ଇ’ ଭିତରେ ଛୋଟୀ ତା’ର ମାଜୁଥିବା ବାସନରୁ ମୁଣ୍ଡଟେକି ତା’ର ବାକ୍ୟ-ବର୍ଷଣ ଭିତରେହିଁ ପ୍ରଭୁପାଦକୁ ଦେଖି ସାରିଲାଣି । ସେ ହଠାତ୍ ରୂପପରିବର୍ତ୍ତନ କରିନେଲା । ଦୁର୍ମୁଖୀ ନାରୀ ହେଲା ଇଷଦ୍ଧାସ୍ୟମୟୀ, ଆଗ୍ରହିଣୀ, ମମତାମୟୀ । ସେ ଡାକ ଦେଲା ‘‘ଏ ନାତି, ଏ ବାପା ପରଭୁ, କେବେ ଆଇଚୁରେ ବାପା । କ’ଣ ଦବାକୁ ପଡ଼ିବ ବୋଲି ନୁଚି ନୁଚି ଚାଲି ଯାଉଛୁକିଆ !” ପ୍ରଭୁପାଦ ଲେଉଟି ଚାହିଁଲା । କହିଲା “ଛୋଟୀଆଈ, କାଲି ଆସିଛି । ବୁଢ଼ୀ ହେଲ, କିନ୍ତୁ ତମ ଗାଳିତ ଛାଡ଼ିଲନି ଦେଖୁଛି । ମଲାବେଳେ ଯମୁକୁ ଏମିତି ଗାଳି ଦେବ ଦେଖୁଛି” କହି, ପ୍ରଭୁ ଆଗେଇ ଚାଲିଲା, କାରଣ ସେ ଦଣ୍ଡେ ଠିଆ ହେଲେଇ, ନୂତନ ଶ୍ରୋତା ପାଇ ଛୋଟୀର ବିଷଅଭିଶାପ-ଜର୍ଜର ବାଗ୍ମୀତା ପୁଣି ନିଃସ୍ୟନ୍ଦିତ ହୋଇ ଉଠିବ । ସେ ଛୋଟୀକୁ କୈଫିୟତ ଦେବାର କୌଣସି ସୁଯୋଗ ନ ଦେଇହିଁ ସ୍ଥାନ ତ୍ୟାଗ କଲା ।

 

ପୋଖରୀ ହୁଡ଼ାରୁ ଖସି ଯେଉଁ ବାଟଟା ବିଲ ଓ ତୋଟାମାଳ ଆଡ଼କୁ ଚାଲି ଯାଇଛି, ପ୍ରଭୁପାଦ ସେଇ ବାଟ ଧରି ପୋଖରୀ ହୁଡ଼ା ତଳକୁ ଖସି କିଛି ଦୂର ଯାଇଛି; ତେଣୁ ଅସିବାର ଦେଖିଲା ଦଣ୍ଡାସୀ–ମା । କାଖରେ ତା’ର ଟୋକେଇଟିଏ, ମୁଣ୍ଡରେ ମାଠିଏ ପାଣି । ଟୋକେଇଟିରେ ଏଣୁତେଣୁ ସାଉଁଟା ଦିମୁଠା ଅନାବନା ଶାଗ, କିଛି ଜାଳେଣି ଡାଙ୍ଗ ଓ ପତ୍ର ଆଉ ମାଠିଆରେ ପିଇବା ପାଣି, କୂଅରୁ ଧରି ଆସୁଛି । ସବୁ ଥିଲା ସବୁଦିନ ପରି । ସେ ସେଇମିତ ଚାଲି ଯାଇଥାନ୍ତି ସିଧା ସିଧା ଘରକୁ । କିନ୍ତୁ ଯେମିତି ଦେଖି ଦେଇଛି ନୂଆ ଲୋକ ପ୍ରଭୁପାଦକୁ, ବାଟର କିଆବାଡ଼ ଆଡ଼କୁ ଟିକିଏ ଘୁଞ୍ଚିଯାଇ, ଓଢ଼ଣାରେ ମୁହଁଟିକୁ ଅର୍ଦ୍ଧାବୃତ କରି ଦେଇ, ଛାଡ଼ିଦେଲା ତା’ର ମର୍ମ-ବିଦାରୀ କରୁଣ ବିଳାପ ତା’ର ସ୍ଵର୍ଗତ ଏକମାତ୍ର ସନ୍ତାନ ଦଣ୍ଡାସିଆର ସ୍ମୃତିକୁ ଲକ୍ଷ୍ୟ କରି ।

 

ଛୋଟ ନନ୍ଦିଗାଁର ଛୋଟ ଛୋଟ ଚିରାଚରିତ ଦୁଃଖ-ବଚ୍ଛେଦର ଚଳନ୍ତି ପ୍ରତୀକ ହେଉଛି ଏଇ ଦଣ୍ଡାସି-ମା । ସେ ବିଧବା । ତା’ର ଏକମାତ୍ର ପୁଅ ଦଣ୍ଡାସିଆ ସେଇ ପ୍ରଭୁପାଦର ଘରେଇ ଛୋଟ ଚାକର ହୋଇ ପେଟ ପୋଷୁଥିଲା । ହଠାତ୍ ମାତ୍ର ତିନି ଚାରି ଦିନର ଜରରେ ଦଣ୍ଡାସୀଆ ମାଅକୁ ପାଗଳିନୀ କରି ଛାଡ଼ିଗଲା । ସେ ପ୍ରାୟ ପାଞ୍ଚ ଛଅବର୍ଷ ତଳର ଘଟଣା । ପ୍ରଭୁପାଦ ଓ ଦଣ୍ଡାସୀଆ ପ୍ରାୟ ସମବୟସି ଥିଲେ । ଛୁଟିରେ ଗାଁକୁ ଆସିଲେ ପ୍ରଭୁପାଦ ଦଣ୍ଡାସୀଆ ସାଥିରେ ଗୋରୁପଲର ପଛ ଧରି ଚାଲି ଯାଉଥିଲା ଗାଁର ତୋଟାମାଳ, ନଟା ବଣକୁ । ଏକାଠି ଖେଳୁଥିଲେ, ଖାଉଥିଲେ, ଶୋଉଥିଲେ । ଉଭୟର ଖାଦ୍ୟରେ କୌଣସି ହେଲେ ପ୍ରଭେଦ ନ ଥିଲା, ଥିଲା କେବଳ ବେଶ-ବସନରେ । ପ୍ରଭୁପାଦ ଓ ତା’ର ପିତା ଅନୁପସ୍ଥିତ ଥିବା ସମୟରେ ଏଇ ମର୍ମାନ୍ତିକ କରୁଣ ଘଟଣା ଘଟି ଯାଇଥଲା । ସେମାନେ ସେଥର ଖ୍ରୀସମାଶ ଛୁଟିରେ ଗାଁକୁ ଫେରି ଦେଖନ୍ତି ସମଗ୍ର ଗ୍ରାମ ଏଇ ପୁତ୍ରହୀନା ସ୍ୱାମୀହୀନା ଦୁଃଖିନୀ ନାରୀର କାରୁଣ୍ୟମୟ ବିଳାପରେ ଅହରହ ମୁଖରିତ । ଗାଆଁର କେଉଁଠି ବା ଦଣ୍ଡାସୀଆର ପଦଚିହ୍ନ ବା ସ୍ମୃତିଚିହ୍ନ ନାହିଁ !! ଗାଆଁର ପ୍ରତ୍ୟେକ ଗଛ, ପ୍ରତ୍ୟେକ ମୁଠା ବାଲି ସଙ୍ଗେ ଦଣ୍ଡାସୀଆର ସ୍ମୃତି ଯେପର ବିଜଡ଼ିତ । ଦଣ୍ଡାସୀ ମା ଯେଉଁଆଡ଼େ ଯାଏ, ଯେଉଁଆଡ଼େ ଚାହେଁ, ସେ ତା’ର ମାତୃତ୍ତ୍ଵର ସକରୁଣ, ସ୍ନେହବ୍ୟାକୁଳ ତୃତୀୟ ନେତ୍ରରେ ସ୍ପଷ୍ଟ ଦେଖେ ତା’ର ଦଣ୍ଡାସୀଆକୁ । ତେଣୁ ପ୍ରାୟ ତିନିବର୍ଷ ଧରି ଗାଆଁର ଏପରି କୌଣସି ସ୍ଥାନ ନ ଥିଲା, ଯେଉଁଠି ଅହୋରାତ୍ରରେ କୌଣସି ନା କୌଣସି ସମୟରେ ଦଣ୍ଡାସୀମାକୁ ମର୍ମଭେଦୀ, ଶୋକଲିପ୍ତ, ଅଶ୍ରୁଜର୍ଜର, ବିଚ୍ଛେଦବିଧୁର ବିଳାପରେ ଲୋଟି ପଡ଼ୁଥିବାର, ଝରି ପଡ଼ୁଥିବାର ଲୋକେ ଦେଖି ନାହାନ୍ତି । ଗ୍ରାମର ବୋହୂଝିଏ ସାଶ୍ରୁ ନେତ୍ରରେ ବେଳେ ବେଳେ ବୁଝେଇ ସୁଝେଇ ତାକୁ କାନ୍ଦିବାରୁ ନିବୃତ୍ତ କରାନ୍ତି, କିନ୍ତୁ ଦୂର ତୋଟାମାଳରେ ଶାଗପତ୍ର ଗୋଟାଉ ଗୋଟାଉ ହଠାତ୍ ଯେତେବେଳେ ଦଣ୍ଡାସୀଆ ମନେ ପଡ଼ିଯାଏ, ଦଣ୍ଡାସୀ ମା ଶୋକରେ ମୃହ୍ୟମାନ ହୋଇ କାନ୍ଦି କାନ୍ଦି ସେଇଠି ବସିଯାଏ ବା ଗଡ଼ିପଡ଼େ । ଗାଁ ଲୋକେ ଦୂରରୁ ଶୁଣନ୍ତି । କିଛିକ୍ଷଣ ସମବେଦନାରେ ମୂକ ମୂଢ଼ ହୋଇ ଉଠନ୍ତି । ତା’ ପରେ ନିଜ ନିଜ କାମରେ ଯାଅନ୍ତି ।

 

ଏହି ଚଳନ୍ତି କାରୁଣ୍ୟକୁ ଭେଟିଲେ ବା ତା’ର ବିଳାପ ଶୁଣିଲେଇ ପ୍ରଭୁପାଦ ଅଶ୍ରୁ ସମ୍ବରଣ କରି ପାରେନା । ଦଣ୍ଡାସୀଆର ସ୍ମୃତି ତା’ର ଚିତ୍ତକୁ କମ୍‍ କ୍ଷୁବ୍ଧ କରେ ନା । ସେ ଏବେ ବଡ଼ ହେଲାଣି । ସାହିତ୍ୟଦର୍ଶନ ପଢ଼ିଲାଣି । ଈଶ୍ଵରଙ୍କ କରୁଣାମୟ ସର୍ଜନା ନେଇ ଅନେକ ବକ୍ତୃତା ଶୁଣିଲାଣି । କିନ୍ତୁ ବିଧବା ଜନନୀର ଏକମାତ୍ର ଆଶ୍ରୟ, ନିର୍ଦ୍ଦୋଷ, ନିଷ୍ପାପ ଛୋଟ ଦଣ୍ଡାସୀଆଟିକୁ ଅଚିକିତ୍ସାରେ ମାଆ କୋଳରୁ ଛଡ଼ାଇ ନେଇ ଏଇ ଦୀନା, ଦରିଦ୍ରା ଗ୍ରାମ୍ୟା ସ୍ତ୍ରୀଟିର ଜୀବନକୁ ଏପରି ବିକଳ, କରୁଣ, ଖଣ୍ଡ ବିଖଣ୍ଡ କରିବାରେ ବିଧାତାର ଯେ କି କରୁଣା, କି ସାର୍ଥକତା ପ୍ରକାଶ ପାଉଛି, ସେ ତା’ର ଉତ୍ତର କୌଣସିଠାରୁ ପାଇ ପାରେ ନାହିଁ ।

 

ପ୍ରଭୁପାଦ ସ୍ତମ୍ଭିତ ହୋଇ ଯେଉଁଠି ଥିଲା ସେଇଠି ଠିଆ ରହିଲା । ତା’ ଆଖିରୁ ବି ଦୁଇଧାର ଲୁହ ବୋହି ଆସିଲା । କେତେ ସମୟ ଏଇପରି କାଟିଥାନ୍ତା ଜଣାନାହିଁ । କିନ୍ତୁ ପଛପଟୁ ଆଉ ଜଣେ ବୃଦ୍ଧା ଡାକଦେଲା ‘‘ଏ ଦଣ୍ଡାସୀମା, କାନ୍ଦନା ଲୋ, କାନ୍ଦନା ଲୋ, ପିଲାଟାକୁ କନ୍ଦାନା ଲୋ, ତା’ ଆଖିରେ ପରା ଲୁହ ରହୁନି । ଏତେ ଦିନକେ ପିଲାଟା ଗାଁକୁ ଆସିଛି, ତାକୁ କନ୍ଦେଇବୁକିଆ ?” ସାନ୍ତ୍ଵନାଦାତ୍ରୀର ଆଖିବି ଅଶ୍ରୁସିକ୍ତ ହୋଇ ଆସିଥିଲା । ଦଣ୍ଡାସୀମା ଧୀରେ ଧୀରେ କାନ୍ଦ ବନ୍ଦକଲା । ପ୍ରଭୁପାଦ ଏଥର ଆଗେଇ ଚାଲିଲା । ପଛରୁ ଆସିଥିବା ବୁଢ଼ୀଟି ଅନ୍ୟ ବାଟରେ ଅନ୍ୟଆଡ଼େ ଗଲା, କାଖରେ ତା’ର ଟୋକେଇଟିଏ; ବୋଧହୁଏ ତା’ର ନିଜର ତୋଟା ଆଡ଼କୁ ଯାଉଛି । ଯାଉ ଯାଉ ସେ ପ୍ରଭୁପାଦଙ୍କୁ ଶୁଣେଇ ଶୁଣେଇ କହିଲା “ଏ ନାତି, କେବେ ଆଉ ବିଭାହବୁବା ? ନିଶଦାଢ଼ି ରଖିଲୁଣି, କ’ଣ ବାବାଜି ହୋଇ ଯିବୁ କି ? ତତେ ପରା ସେ ସାବି ଅନେଇ ରହିଛି ?”

 

‘ମୁଁ ବିଭା ହେବିନି ସାନମା !’ ପ୍ରଭୁପାଦ ଉତ୍ତର ଦେଲା ହସି ହସି !

 

ସାନମା ଯାଉ ଯାଉ କହିବାର ଶୁଣାଗଲା “ହଉ, ହଉ, କେତେ ‘ନାହିଁ’ ମୁଁ ଦେଖିଛି ଜୀବନରେ !” କହି କହି ପୁଣି ସେ ଚାଲିଗଲା “ଏ ନାତି, ସାବି ପରା ଅନେଇ ରହିଛି ତମକୁ ।”

 

ସାନମା ! ଯଦୁ ସାହୁ ଯେପରି ଗାଁ ଯାକର ଅଜା, ନାରୀ ମହଲରେ ସାନମା ସେଇପରି ସମଗ୍ର ଗାଁର ଗୋସେଇଁମା । ତା’ର ବୟସ କେତେ କେହି ଜାଣନ୍ତି ନାହିଁ । ସେ ନିଜେଇ ଜାଣେନା । କିନ୍ତୁ ଅନ୍ତତଃ ସାତୋଟି ପୁରୁଷର ଜନ୍ମ ମରଣର ଲୀଳା ସେ ନିଜ ଆଖିରେ ଦେଖି ଆସିଛି ଏବଂ ନିଜ ଅଙ୍ଗରେ ନିଭେଇ ଅସିଛି । କେଉଁ ନାତିର ସେ କେବେ ଥିଲା ସାନମା, କେହି ଜାଣନ୍ତି ନାହିଁ, କିନ୍ତୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ହେବ ସମଗ୍ର ଗାଁ ତାକୁ ଡାକନ୍ତି ସାନମା । ପଧାନଘର ବୋହୂ ହୋଇ ସେ ଆସିଥିଲା ତେରବର୍ଷ ବୟସରେ, ସେହି ଅସ୍ପଷ୍ଟ ଅତୀତରେ । ସ୍ୱାମୀ ନରୋତ୍ତମ ପଧାନ କିଛି ରୋଗା-ଭୋଗା ଲୋକ ନ ଥିଲା । କିନ୍ତୁ ବିଧିର ଖିଆଲତ । ତିନି ଚାରିଦିନ ଜରରେ ଭେଣ୍ଡା ବଳୁଆ ନରୋତ୍ତମଟା ଟଳି ପଡ଼ିଲା । ସାନମା ତା’ର ସେଇ ପ୍ରଥମ ବୟସରେ ବାପଘର ଓ ଶାଶୁଘର ହେବା ଭିତରେ ସ୍ଵାମୀ ନରୋତ୍ତମକୁ କେବଳ ଜାଣିଥିଲା ଗଭୀର ନିଶୀଥରେ ଏକ ଅନ୍ଧକାରମୟ କକ୍ଷରେ । ସେଇତ ଥିଲା ସେ କାଳର କୌଳିକ କାଇଦା । ଏକାନ୍ନବର୍ତ୍ତୀ ପରିବାରରେ ବଡ଼ ଛୋଟ ସମସ୍ତେ ଦମ୍ପତି ଓ ସମ୍ପତ୍ତିଟାକୁ ବ୍ୟକ୍ତିଗତ ଦାବି ଭିତରେ ଗଣୁ ନ ଥିଲେ । ଯୌନ-ସୁଖର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ତାହା ଏପରି କିଛି ମହତ୍ ପଦାର୍ଥ ନୁହେଁ ଯାହାର ପ୍ରାପ୍ତି ଓ ଭୋଗ ପାଇଁ ସମଗ୍ର ପରିବାରର, ବଡ଼ମାନଙ୍କର ମନରେ ବିକ୍ରିୟା ବା ବିରକ୍ତି ଜାତ କରାଯାଇ ପାରେ । ପରିବାରର ଐକ୍ୟପାଇଁ, ଜ୍ୟେଷ୍ଠମାନଙ୍କର ସମ୍ମାନପାଇଁ, ଯୌନ ସମ୍ପର୍କ ପରି ସାଧାରଣୀ କ୍ଷୁଧାଟାକୁ ସଂଯତ, ସମାହିତ, ଗୋପନ ଭାବରେ ନିବୃତ୍ତ କରେଇବାରେ କ୍ଷତି କ’ଣ ? ପରିବାରର ସମୂହ ଜୀବନର ସୁଖଶାନ୍ତିଠାରୁ ତାହା କ’ଣ ବଡ଼ ?

 

ସେହି ନିଶୀଥ ରାତ୍ରିର ନିସ୍ତବ୍ଧ ନୀରବତାରେ, ବାତାୟନହୀନ ଅନ୍ଧକାରମୟ କକ୍ଷର ମାଟି ଚଟାଣରେ ଷୋଡ଼ଶୀ ସାନମା, ସେହି ପୁରୁଷ, ଯାର ନା ସେ ଧରେନା, ତା’ ସାଥିରେ ମୋଟରେ ହୁଏତ କେତେ ମାସ ମାତ୍ର ଭେଟିଥିବ । ସେ ଲୋକଟିର ଚେହେରା ତା’ର ସ୍ପଷ୍ଟ ମନେ ନାହିଁ । ସେ କାଳରେ ତା’ର ଅନ୍ତରରେ କି ସ୍ଵପ୍ନ ସବୁ ଥିଲା ଭବିଷ୍ୟତ ପାଇଁ, ତାହା ମଧ୍ୟ ତା’ର ମନେ ନାହିଁ । କୌଣସି ହେଲେ ସ୍ଵପ୍ନ ସ୍ପଷ୍ଟହେବା ପୁର୍ବରୁ ସେ ସମସ୍ତର କେନ୍ଦ୍ରଟି ଉଭେଇଗଲା । ନରୋତ୍ତମ ରଖି ଯାଇଥିଲା ଇତି ମଧ୍ୟରେ ତା’ର ସ୍ଵତ୍ଵ । ସେ ମରିବାର ଦୁଇମାସ ପରେ ପିଲାଟି ଜନ୍ମ ହେଲା । କିନ୍ତୁ ଅଭାଗିନୀର କପାଳକୁ ସେ ବି ରହିବାକୁ ନାରାଜ ହେଲା ।

 

ସେ’ ତ ପଚାଶ-ଷାଠିଏ ବର୍ଷ ତଳର କଥା । ଏଇ ସମୟ ଭିତରେ ବହୁ ସାମ୍ରାଜ୍ୟର ଉତ୍ଥାନ ପତନ ହୋଇ ଯାଇଛି, ସମଗ୍ର ପୃଥିବୀର ଇତିହାସ ରୂପାନ୍ତର ଗ୍ରହଣ କରିଛି, କିନ୍ତୁ ସାନମାର ଜୀବନରେ ସେ ସବୁର ରେଖାପାତ ମଧ୍ୟ ହୋଇ ନାହିଁ । ସାନମା କେବଳ ସାନମା । ତା’ର ଇତିହାସ-ଭୂଗୋଳ ସହିତ ସମ୍ପର୍କ ନାହିଁ । ଜ୍ଞାନ, ଶାସ୍ତ୍ର, ପାଣ୍ଡିତ୍ୟ, ଧର୍ମ, ଦର୍ଶନ ସହିତ ସମ୍ବନ୍ଧ ନାହିଁ । ସେ ଏ ସମସ୍ତଠାରୁ ବଡ଼ । କାରଣ ସେ ଖାଣ୍ଟି ଜୀବନର ପ୍ରତୀକ । ତା’ର ସେଇ ନିରକ୍ଷର, ନିରାଡ଼ମ୍ବର, ଅଶ୍ରୁଜର୍ଜର, କରୁଣ ଜୀବନରେ ସେ କି ବଞ୍ଚିବା ନ ବଞ୍ଚିଛି ! ଉପରକୁ ତିନି ପୁରୁଷ ଆଉ ତଳକୁ ତିନି ପୁରୁଷ ଧରି କେବଳ ଛୋଟ ନନ୍ଦିଗାଁ ନୁହେଁ, ଆଖପାଖ ଅନେକ ଗାଁର ପ୍ରାୟ ସବୁ ପରିବାରର ମୋଟାମୋଟି ଇତିହାସ, ସବୁ ପ୍ରଧାନ ନାରୀ ଓ ପୁରୁଷର ଚରିତ ଓ ଚରିତ୍ର ସାନମାକୁ ଜଣା । ପୁରୁଷ ପୁରୁଷ ଧରି, ବର୍ଷ ପରେ ବର୍ଷ, କେତେ ଲୋକଙ୍କର ମୃତ୍ୟୁରେ ସେ ଯେ ଅଶ୍ରୁ ବର୍ଷଣ କରିଛି ତା’ର ହିସାବ କି ସେ ନିଜେ ହେଲେ ଦେଇ ପାରିବ ? ପୁରୁଷ ପୁରୁଷ ଧରି ଶାଶୁ, ଶଶୁର, ଭାଇ, ମଉସା, ପୁତୁରା, ଭଣଜା, ନାତି, ନାତୁଣୀ, କାଳରେ ଓ ଅକାଳରେ ସାନମାକୁ ଛାଡ଼ି ଚାଲି ଯାଇଛନ୍ତି । ସେମାନଙ୍କୁ ଗାଁ ଭୁଲିଯାଇଛି । ହୁଏତ ସେମାନେ କେଉଁ ଲୋକରେ ରହି ଏ ଛୋଟ ନନ୍ଦିଗାଁକୁ ଭୁଲିଯିବେଣି । କିନ୍ତୁ ଏଇ ଦୁଃଖିନୀ ବୃଦ୍ଧା ନାରୀ ସାନମାର କୋମଲ ମର୍ମରେ ସେ ସମସ୍ତଙ୍କର ଛାପ ଆଜି ବି ଦେଖିବାକୁ ମିଳିବ । ପଚାଶ ବର୍ଷ ତଳର ଖୁଡ଼ୁତାଶୁର, କି ଖୁଡ଼ୀଶାଶୁ କି ପୁତୁରା, କି ଭଣଜାର ମୃତ୍ୟୁର କଥା ଆଜି ତା’ ଆଗରେ ପ୍ରସଙ୍ଗ କ୍ରମେ ପଡ଼ିଯାଉ, ଦେଖିବ କଥା ନ ସରୁଣୁ ସାନମା ତା’ ପଣତ କାନିରେ ଆଖି ପୋଛୁ ପୋଛୁ କହୁଥିବ “ଏତେ ଏତେ ଲୋକଙ୍କ ମରଣ ମୁଁ ଦେଖିଲି, ମୁଁ ଡଙ୍କୁଣୀ ଯାହା ବଞ୍ଚି ରହିଛ, ବିଧାତା ମୋତେ ନଉନି ।”

 

ସାନମାର କେହି ନାହିଁ ନିଜର । ବାପଘରେ ବାପା ମା ଅନେକ ଦିନୁ ଚାଲିଯାଇଛନ୍ତି । ନିକଟରେ ଭାଇ ଦିଟା ବି ଗୋଟାକ ପରେ ଗୋଟାଏ ଜରରେ ଚାଲିଗଲେ । ସେମାନଙ୍କ ପୁଅମାନେ ଏବେ ବି ପିଇସୀକୁ ମଝିରେ ମଝିରେ ଦେଖିବାକୁ ଆସନ୍ତି । ବଡ଼ ଅଭାବଗ୍ରସ୍ତ ସେମାନେ ଏବେ । ବୁଢ଼ୀ ତା’ ପାଖରେ ଯାହା ଦି’ପଇସା ଥାଏ, ଏଇମାନଙ୍କ ପାଇଁ ସଞ୍ଚି ରଖିଥାଏ ଗୋଟାଏ କନାରେ ଗୁଡ଼େଇ । କେତେ ବା ପଇସା ? କିନ୍ତୁ ଭାଇର ପିଲେ ମଝିରେ ମଝିରେ ଦଉଡ଼ି ଆସନ୍ତି ପଇସା ପାଇଁ ନୁହେଁ, ସ୍ନେହଜର୍ଜରା ପିଇସୀର ମାତୃ-ମର୍ମର ଜାହ୍ନବୀ-ପ୍ରବାହରେ ନିଜର ଆତ୍ମାକୁ ଥରେ ଅବଗାହିତ କରି ନେବାପାଇଁ । ସାନମା ସେମାନଙ୍କୁ ଜନ୍ମ ଗାଁର ଛୋଟ ଛୋଟ କଥା ପଚାରେ । ସେ ଗାଁର ପ୍ରତ୍ୟେକ ଗଛ ତା’ର ପରିଚିତ । ଭାଇମାନେ ମରିଗଲେଣି । ପୁତୁରାମାନେ ଗରିବ ହୋଇଗଲେଣି । ଜନ୍ମମାଟିକୁ ଯିବାର ଆଉ ଅଶା ନାହିଁ । ଅନେକ ବର୍ଷ ଧରି ସେ ତା’ ଗାଁ ଆଉ ଦେଖିନି । ତଥାପି ସେ ଗାଁ ଭୁଲି ପାରୁନି । ସାନମାର ଭବିଷ୍ୟତ ତ କିଛି ନାହିଁ । ତେଣୁ ସେ ଅତୀତକୁ ଧରି ରହିଛି । ସେ ଏକ ମୂର୍ତ୍ତିମନ୍ତ ଅତୀତ ମାତ୍ର |

 

ବଚ୍ଛ ପଧାନ ସାନମାର ସ୍ଵାମୀର ସାନଭାଇର ପୁଅ । ଦୁଇ ବାପର ପୁଅ ହୋଇ ବଛ ନିଜ ପିତା ରଘୁନାଥ ଓ ବଡ଼ବାପ ନରୋତ୍ତମର ଜମି ଭୋଗକରେ ଓ ବୁଢ଼ୀକି ଦି ମୁଠା ଭାତ ଦିଏ । ସାନମାଁ କିନ୍ତୁ ଘରେ ଯାହା କାମ କରେ ସେହି କାମ ପାଇଁ ବଛ ପଧାନକୁ ଦୁଇଟା ଲୋକ ରଖିବାକୁ ପଡ଼ୁଥାନ୍ତା । ସାନମାଁକୁ ବସି ରହିବାର କେହି କେବେ ଦେଖିନି । ପ୍ରିୟଜନର ମୃତ୍ୟୁରେ ଛାତି ଫାଟି ଆଖି ଦେଇ ବୁକୁର ରକ୍ତ ବୋହି ଯାଉଥିବ ପଛେ, ସାନମାଁ ଘର କାମରେ ଲାଗିଥିବ । ଗୁହାଳ ପୋଛୁ ପୋଛୁ, କି ଜାଳ ଗୋଟାଉ ଗୋଟାଉ ଶୋକାବେଗ ଅସହ୍ୟ ହେଲେ ସେ ବସି ପଡ଼ି କଛି ସମୟ ଉଚ୍ଚ ସ୍ୱରରେ ବିଳାପ କରି ପକାଏ ଏବଂ ତା’ପରେ ଶୋକର ବନ୍ୟାଜଳ କମି ଆସିଲେ ପୁଣି ଉଠି କାମରେ ଲାଗିପଡ଼େ ।

 

ସାନମାଁର ପୁତୁରା ବଚ୍ଛ ପଧାନ ବଡ଼ ହିଂସୁକୁଟିଆ ଲୋକ । ତା’ର ସ୍ତ୍ରୀଟାବି ବଡ଼ କଟୁଭାଷିଣୀ । ସାନମାଁର ସବୁ ତ୍ୟାଗ, ସବୁ ଦୁଃଖ ସବୁ ଶ୍ରମ ସତ୍ତ୍ୱେ ସେମାନେ ଭାବନ୍ତି ଯେପରି ବୁଢ଼ୀଟା ତାଙ୍କ ଉପରେ ଭାରା ହେଇଛି । ବେଳେ ବେଳେ ବୋହୂ ଏପରି କଟୁଭାଷା ପ୍ରୟୋଗ କରେ ଯେ ସାନମାଁର ଛାତି କରତି ହୋଇଯାଏ । କିନ୍ତୁ ସେ କୌଣସି କଥାର ଜବାବ ଦିଏନା । ଏଘରୁ ଚାଲିଗଲେ ତା’ର ଅନ୍ୟ ଆଶ୍ରାବି କାହିଁ ? ପୁଣି ତା’ର ସମସ୍ତ ମାତୃସ୍ନେହ ସେ ନିଗାଡ଼ି ଅଜାଡ଼ି ନେଇଛି ପୁତୁରାର ପୁଅ-ଝିଅ ତା’ର ନାତି-ନାତୁଣୀମାନଙ୍କ ପାଇଁ । ସେଗୁଡ଼ିକ ନିଜର ମା ଅପେକ୍ଷା ଗୋସେଇଁମା ପ୍ରତି ଅଧିକ ଆକୃଷ୍ଟ । ବାପମାର ରୂଢ଼ ବ୍ୟବହାରରେ ସେମାନେ ଗୋସେଇଁମାର ପଣତରେ ମୁହଁ ଗୁଞ୍ଜନ୍ତି । ଗୋସେଇଁମା ବି ପିଲାଟି ଦିନୁ ସେ ପ୍ରତ୍ୟେକଙ୍କୁ ତେଲ ହଲଦି ଲଗେଇ ବଡ଼ କରି ଆଣିଛି । ସାନମାଁର ଛ-ସାତ ପୁରୁଷ ଇତିହାସରେ ତା’ର ପ୍ରକୃତ ମାୟାର ଚେର ଏଇ ନାତି ନାତୁଣୀମାନଙ୍କ ପାଖରେ । ଯାହାକୁ ବିଧାତା ବାରମ୍ବାର ନିଃସଙ୍ଗ, ନିରାବଲମ୍ବ କରି ଦେଇଛି, ସେ ଦରାଣ୍ଡି ହେଇଛି ମମତାର ବନ୍ଧନ ପାଇଁ । ତା’ର ମାତୃ ହୃଦୟର ଆଦରର ଝରଣା ଆପେ ଆପେ ଝରି ପଡ଼ିଛି କାହାର–ନା–କାହାର ଆତ୍ମାକୁ ଅଭିଷିକ୍ତ କରି ଶାନ୍ତି ଲାଭ କରିବା ପାଇଁ । ସେହି ଆତ୍ମ-ସନ୍ତୋଷର ଖୋଳପା ଭିତରେ ଆପଣାକୁ ଘୋଡ଼େଇ ଦେଇ, ସାନମା, ପୁତୁରା ଓ ପୁତୁରାବୋହୂର ଦୁର୍ବ୍ୟବହାର, ଦୀର୍ଘଜୀବନର କରୁଣ, ମର୍ମନ୍ତୁଦ ଘଟଣାବଳି, ସବୁ କିଛି ଭୁଲିଯାଏ । ଛୋଟ ଦୁଇ ତିନିଟି ନାତି ନାତୁଣୀର ଜୀବନ-ବିନ୍ଦୁ ଏଇ ନାରୀର ଜୀବନର ସକଳ ମୃତ୍ୟୁ, ସକଳ ବିପର୍ଯ୍ୟୟକୁ ପରାଜୟ କରି ଦେଇଛି । ସେଇଯୋଗୁ ତ ସାନମା ହସେ, ଖାଏ, ଆଉ ଦଶଜଣ ପରି ଗାଁର ଗପ କରେ, ବଞ୍ଚେ । ନ ହେଲେ ସାନମାଁର, ଆଉ ବଞ୍ଚିବାର କୌଣସି ସାର୍ଥକତା ନ ଥିଲା ।

 

ନନ୍ଦିଗାଁର ସମଗ୍ର ନାରୀ ମଣ୍ଡଳରେ, ପ୍ରଭୁପାଦ ଏଇ ଦଣ୍ଡାସୀମା ଓ ସାନମା–ଏଇ ଦୁଃଖଜୀର୍ଣ୍ଣା ଦୁଇଟି ବୃଦ୍ଧାଙ୍କୁହିଁ ସବୁଠାରୁ ବେଶି ସମ୍ମାନ କରେ, ତା’ର ନିଜ ଜନନୀ ପରେ । ଦଣ୍ଡାସୀମା ନନ୍ଦିଗାଁରେ ମାତୃତ୍ଵର କରୁଣ ପ୍ରତୀକ, ଆଉ ସାନମା ସମଗ୍ର ଗାଁର ଦୁଃଖସୁଖମୟ ଜୀବନ୍ତ ଇତିହାସ ।

 

(୧୨)

 

ସାନମା ଚାଲିଗଲା । କିନ୍ତୁ ତା’ର ବିଭାଘର ସଂପର୍କିତ ପ୍ରଶ୍ନ ପ୍ରଭୁପାଦର ମନରେ ହଠାତ୍ ଏକ ବିପ୍ଳବ ସୃଷ୍ଟି କରିଦେଇ ଗଲା । ଏପର୍ଯ୍ୟନ୍ତ ଚିତ୍ତ ତା’ର ଥିଲା ଗ୍ରାମକୁ ଆଶ୍ରୟ କରି । ବର୍ତ୍ତମାନ ତାହା ହଠାତ୍‍ ହୋଇଗଲା ଆତ୍ମକେନ୍ଦ୍ରିକ !

 

ଗ୍ରାମ୍ୟ ମହାଜନ କଳ୍ପତରୁ ସ୍ଵାଇଁର ଏକମାତ୍ର କନ୍ୟା ସାବିତ୍ରୀ । ସୁପୁଷ୍ଟାବୟବା, ଗୌରୀ ସାବିତ୍ରୀ, ପାଠଫାଠ ବେଶି ପଢ଼ିନି ସତ, କିନ୍ତୁ ପ୍ରକୃତରେ ସୁନ୍ଦରୀ । ସାମାନ୍ୟ କ’ଣ ଗାଁ ପ୍ରାଇମେରୀରେ ଶିକ୍ଷା । ଏବେ ରାମାୟଣ, ମହାଭାରତ ଘରେ ଘରେ ପଢ଼ି ବାପାକୁ ସଞ୍ଜବେଳେ ଶୁଣାଏ । ବାପା, ବୋଉ ବହୁତ ଭାବି ଭାବି ପ୍ରଭୁପାଦକୁ ହିଁ ସାବିତ୍ରୀର ଉପଯୁକ୍ତ ବର ହେବ ଠିକ୍ କରି, ପ୍ରଭୁପାଦର ମା ବାପଙ୍କ ସାଥିରେ ଅନେକ ଦିନୁ କଥା କରି ସାରିଛନ୍ତି । ନିର୍ବନ୍ଧ ଅବଶ୍ୟ ହୋଇ ନାହିଁ ! କିନ୍ତୁ ଲୋକମୁଖରେ ସମସ୍ତେ ଜାଣନ୍ତି ଯେ ପ୍ରଭୁପାଦର ଭବିଷ୍ୟତ ସ୍ତ୍ରୀ ହେବ କଳ୍ପତରୁ ସ୍ଵାଇଁର କନ୍ୟା ସାବିତ୍ରୀ । ଲେକେ ଶୁଧ-ଖୋର ସ୍ଵାଇଁଙ୍କ ଭାଗ୍ୟକୁ ହିଂସା କରୁଛନ୍ତି । ସାବିର ସାଙ୍ଗମାନେ ଓ ଆଈ ଶ୍ରେଣୀର ସ୍ତ୍ରୀମାନେ ତାକୁ ପ୍ରଭୁକୁ ନେଇ ବେଳ ଅବେଳରେ ଥଟା କରିବାକୁ ଛାଡ଼ନ୍ତି ନାହିଁ ।

 

ପ୍ରଭୁପାଦ, ପ୍ରାୟଇ ବିଦେଶରେ କଟେଇ ଥିବାରୁ ଗାଁର ତା’ର ସମବୟସୀ ଟୋକା ଟୋକୀଙ୍କ ସାଙ୍ଗେ ବେଶି ମିଶି ପାରିନାହିଁ । ଟୋକାମାନେ ଅବଶ୍ୟ ଏବକୁ ଭେଣ୍ଡା ହୋଇ ପ୍ରତ୍ୟେକେ ନିଜ ନିଜ ଘରର କାମଦାମ କରୁଛନ୍ତି । ସେ ସମସ୍ତଙ୍କୁ ଜାଣେ । ଦାଣ୍ଡରେ, ବିଲମାଳେ, ତୋଟାମାଳେ ଦେଖା ହେଲେ ସୁଖ ଦୁଃଖ ହୁଏ ସେମାନଙ୍କ ସଙ୍ଗେ । କିନ୍ତୁ ଝିଅମାନେ ଏକ ସ୍ଵପ୍ନ-ଜଗତର ଜୀବ । ସେମାନେ କେବେ ଯେ ଦାଣ୍ଡର ଧୂଳି ଛାଡ଼ି, ଅଗଣାକୁ ଯାନ୍ତ ପୁଣି ଅଗଣାରୁ ଯାଇ ଘରର ଗୋପନୀୟତାରେ ଆପଣାକୁ ଲୁଚାଇବାକୁ ବସନ୍ତି, ତା’ର ଚଳଚ୍ଚିତ୍ର ପୁରୁଷ ଜଗତରେ ପ୍ରାୟଇ ଅସ୍ପଷ୍ଟ ଓ ରହସ୍ୟମୟ ରହିଯାଏ । ପ୍ରଭୁପାଦର ସମବୟସର ଗାଁର ଅଧିକାଶ ଝିଅ, ଇ ଭିତରେ ନାରୀ ହୋଇ ନିକଟ ଓ ଦୂରରେ ନାନା ପରିବାରରେ ମା ଓ ଗୃହିଣୀର ସଂସାର ପାତି ସାରିଲେଣି । ତାଙ୍କ ତଳକୁ ଯେଉଁମାନଙ୍କର ଗାଁ ଛାଡ଼ିବା ପାଳି ସେଇ ଦଳରେ ସ୍ଵାଇଁ ଘରର ଝିଅ ସାବିତ୍ରୀ । ପ୍ରଭୁପାଦ ସବିତ୍ରୀକି ପିଲାଦିନେ ଭଲକରି ଦେଖିଛି । ଏବେ ସେ ଦେଖେ ଦୂରରୁ, କୂଅରୁ ପାଣି ନେଲାବେଳେ କେବେ କେବେ, ଅସ୍ପଷ୍ଟତା ଭିତରେ ସ୍ପଷ୍ଟ, ପ୍ରତ୍ୟକ୍ଷ ହୋଇ ମଧ୍ୟ ରହସ୍ୟମୟ । କାରଣ ଏ ତ ସେ ସାବି ନୁହେଁ ! ଏ ଯେ ଅନ୍ୟ ଏକ ସୁନ୍ଦର ପ୍ରାଣୀ ! ବାଁ ହାତଟି ତା’ର ମୁଣ୍ଡ ଉପର ପାଣି-ପାତ୍ରରେ ଦେଇ ସେ ଯାଏ । କି ଡଉଲ ସେ ହାତଟି ! ବିଦ୍ୟୁତର ଗୋଟିଏ ଯେପରି ସ୍ଥିର ଓ ସ୍ଥୂଳ ରଜ୍ଜୁ ! କି ମସୃଣ, କି ଲୀଳାୟିତ ! ପ୍ରଭୁପାଦ ଥରେ ମାତ୍ର ଚାହିଁ, ଆଖି ଫେରାଇ ନିଏ । କାଳେ କିଏ ଦେଖୁଥିବ ପରା ।

 

ପ୍ରଭୁପାଦ ବିବାହ କରିବାର କୌଣସି ସିଦ୍ଧାନ୍ତକୁ ଏପର୍ଯ୍ୟନ୍ତ ଆସିନାହିଁ । ସେ କେବଳ ଯେ ପଲ୍ଲୀବାଳିକା ସାବିତ୍ରୀର ନବୋଦ୍ଭିନ୍ନ ଯୌବନର ରହସ୍ୟମୟ ସୁଷମାରେ ମୁଗ୍ଧ ହୁଏ ବା ସେହି ମୁଗ୍ଧତାରେ ତା’ର ସାବିତ୍ରୀକୁ ଜୀବନସଙ୍ଗିନୀ କରି ନେବାର ସିଦ୍ଧାନ୍ତ ଲୁକ୍‍କାୟିତ, ତାହା ଭାବିବା ଏକାନ୍ତ ପ୍ରମାଦ ହେବ । ସେ ସୌନ୍ଦର୍ଯ୍ୟର ଅହେତୁକ ଉପାସକ । ପ୍ରକୃତିରେ, ନରନାରୀ, ଶିଶୁ, ବାଳକ, ବାଳିକା, ଯୁବକ, ଯୁବତୀ, ଶିଳ୍ପ, ଭାସ୍କର୍ଯ୍ୟ, ଯେଉଁଠି ସୌନ୍ଦର୍ଯ୍ୟର ଅଭିବ୍ୟକ୍ତ ଘଟିଥିବାର ସେ ଅନୁଭବ କରେ, ସେ ସେଇଠି ମୁଗ୍ଧ ହୋଇ କ୍ଷଣେ ଅନେଇ ରହେ । ଥରେ କଟକର କୌଣସି ଏକ ଗଳିରେ ସେ ଯାଉଥଲା । ଗୋଟିଏ ଘରର ବାରଣ୍ଡାରେ ଗୋଟିଏ ତପ୍ତକାଞ୍ଚନବର୍ଣ୍ଣା, ଅଥଚ ଶୁକ୍ଳ-କେଶା ବିଧବା ଗୋସେଇଁ ମା ଘର ଛାଡ଼ି ଯାଉଥିବା ତରୁଣ ନାତିକୁ ବିଦାୟକାଳୀନ ଆଶୀର୍ବାଦ କରୁଥିବାର ସେ ଦେଖିଥିଲା । ସେ ଦୃଶ୍ୟ ସେ ବାରମ୍ବାର ଅନାଇ ଦେଖିଥିଲା । କି ମନୋହର, ସୁଷମାମୟ ବାର୍ଦ୍ଧକ୍ୟ ! ଶୁକ୍ଳକେଶ ଓ ଶ୍ଳଥଚର୍ମର ମଧ୍ୟ କି ମାଧୁର୍ଯ୍ୟମଣ୍ଡିତ ଐଶ୍ଵର୍ଯ୍ୟ । ସେ ଦୃଶ୍ୟ ସେ ଭୁଲି ପାରିନି । ସେଇ ଦିନଠାରୁ ସେ ସୌନ୍ଦର୍ଯ୍ୟକୁ ଯୌବନ ଓ ଯୌନବିକାଶଠାରୁ ଭିନ୍ନ କରି ଦେଖିବାକୁ ଶିଖିଛି । ରୂପ ସଙ୍ଗେ ଯୌବନ ଓ ଯୌନବାସନାର ଅଙ୍ଗାଙ୍ଗୀ ସମ୍ପର୍କ ଯେ ନାହିଁ, ତାହା ସେ ମନେ ମନେ ଭାବିଛି ଅନେକ ଥର, ଯଦିଓ କାର୍ଯ୍ୟତଃ ତା’ର ଚିତ୍ତଦେଶରେ ରୂପର ଅନାସକ୍ତ ଉପାସନା ଏପର୍ଯ୍ୟନ୍ତ ଧୂମହୀନ ବହ୍ନିଶିଖା ପରି ଏକାନ୍ତ ବିଶୁଦ୍ଧ ହୋଇ ପାରିନି ।

 

ବିଜୟକୁମାରର ବାଗ୍‍ଦତ୍ତା, ସାଥୀ ଉଦୟନର ଭଗିନୀ ମଲ୍ଲିକାର ସୂକ୍ଷ୍ମ ପ୍ରତ୍ୟକ୍ଷତାରେ ଆସି ଇ ଭିତରେ ଏଇ ରୂପର ଆରାଧନା ଯେଉଁ ବିପ୍ଳବ ତା’ର ମର୍ମଦେଶରେ ଆରମ୍ଭ କରି ଦେଇଛି, ସେ ସମସ୍ତ ବର୍ତ୍ତମାନ ପ୍ରଭୁପାଦର ଅନ୍ତରରେ ଉଦବେଳିତ ହେବାକୁ ଲାଗିଲା । ଏପର୍ଯ୍ୟନ୍ତ ସାବିତ୍ରୀ କହ, ବା ଅନ୍ୟ ଯେ କେଉଁ ପରିଚିତ, ଅପରିଚିତ, ରୂପସୀ କହ, ଯେଉଁମାନେ ତା’ ଅନ୍ତରରେ ଯାହା କିଛି ଗଣ୍ଡଗୋଳ ସୃଷ୍ଟି କରିଥିଲେ, ସେ ଭାବୁଥିଲା, ତା’ର ସଂଯମର ଦୁଇ ବନ୍ଧ ସେ ସବୁକୁ ନିୟନ୍ତ୍ରିତ କରିବା ପାଇଁ ଯେପରି ଖୁବ୍ ଯଥେଷ୍ଟ ଥିଲା । ସେ ସେସବୁ ରୂପକୁ ପସନ୍ଦ ଭିତରକୁ ଆଣିଲେ ମଧ୍ୟ, ସେ ସବୁର ଚମତ୍କାରିତା ସ୍ୱୀକାର କଲେ ମଧ୍ୟ, ସେମାନଙ୍କ ଲାଗି ଅକାଶରେ ଉତ୍‍କ୍ଷିପ୍ତ ହୋଇ ଉଡ଼ିଯିବାର ସେ କୌଣସି କାରଣ ଦେଖୁ ନ ଥିଲା । ତା’ର ଆରାଧନା ଥିଲା ବେଶ୍ ଆତ୍ମସ୍ଥ । ଉପଭୋଗ ଥିଲା ସଂହତ । ଆନନ୍ଦ ଥିଲା ସମାହିତ ।

 

କିନ୍ତୁ ଏଇ ସାଙ୍ଗର ଭଉଣୀଟି ଯେଉଁ ବିପ୍ଳବ ତା’ ଆତ୍ମାରେ ନକଟରେ ଆଣି ଦେଇଛି, ଅପାତତଃ ବାହାରକୁ ପ୍ରଭୁପାଦର କିଛି ଘଟି ନ ଥିଲାପରି ଜଣାଗଲେ ମଧ୍ୟ, ସେ ନିଜେ ଜାଣେ କି ସଙ୍କଟରେ ସେ ଆସି ପହଞ୍ଚିଛି । ଏଇ କେତୋଟି ଦିନ ଭିତରେ ତା’ର ସମସ୍ତ ଚିନ୍ତା ଓ ଯୋଜନା ସବୁ ଯେପରି ଓଲଟପାଲଟ ହୋଇ ଯାଇଛି । ସେ, ସେ ପ୍ରକାର ବିପ୍ଳବକୁ ହୃଦୟରେ ଧରି ସାବିତ୍ରୀକୁ ବିବାହ କରିବାକୁ ଭାବିବା ଘୋର ପ୍ରତାରଣା ହେବ ନାହିଁ କି ? ଏଣେ କିନ୍ତୁ ବାପା ବୋଉ ଏ ସମ୍ବନ୍ଧ ଏକପ୍ରକାର ଠିକ୍ କରି ସାରିଛନ୍ତ । ଏ ସମ୍ପର୍କ ଭାଙ୍ଗିଯିବା ଅର୍ଥ, ସାବିତ୍ରୀର ନିର୍ମଳ ଜୀବନରେ ଏକ ଅଯଥାର୍ଥ ଦାଗ । ଲେକେ କହିବେ, ସେ ଝିଅର କ’ଣ ଦୁର୍ଗୁଣ ଦେଖି ବିଭା ହେଲାନି ନା ! ନ ହେଲେ ମୂଳରୁ ନାହିଁ କରୁ ନ ଥିଲା କାହିଁକି ?”

 

ପୁଣି ବିବାହ । ଦାମ୍ପତ୍ୟ ଜୀବନ ! ସତେ କ’ଣ ମନୁଷ୍ୟକୁ ଦିଏ ତାହା ସୁଖ ଓ ସ୍ୱାଚ୍ଛନ୍ଦ୍ୟ-? ତା’ର ଛୋଟ ଜୀବନରେ ସେ ଇତିମଧ୍ୟରେ ଅନେକ ବିବାହିତଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ଜାଣିବାକୁ ପାଇଛି । ନବ-ବଧୂର ଚାଲିବା ବାଟରେ ପଦ୍ମଫୁଲ ସତେ ଫୁଟେନା–ଯେପରି କବିମାନେ ବର୍ଣ୍ଣନା କରିଥାନ୍ତି ଏବଂ ଯାହାକୁ ପଢ଼ି କୋଟି କୋଟି ତରୁଣ ପୁରୁଷ ପୁରୁଷ ଧରି ଏଇ ମଧୁର ଭ୍ରାନ୍ତି ପୋଷଣ କରି ଅଜ୍ଞାତ-ଅଭ୍ୟନ୍ତର ଜୀବନ-ଗୃହର ଦ୍ୱାର ଖୋଲନ୍ତି । କାବ୍ୟର ଅଭିଜ୍ଞତା ଓ ଜୀବନର ଅଭିଜ୍ଞତା ଭିତରେ ଏତେ ଫରକ, ଏତେ ତୁରନ୍ତ ଓ ଏତେ ବେଶି ଭାବରେ ଆଖିରେ ପଡ଼େ ଯେ, ବିଚାରା ସ୍ଵପ୍ନବିଳାସୀ ତରୁଣ ହତାଶ, ଭଗ୍ନ-ସ୍ୱପ୍ନ, ନିସ୍ତେଜ, ବିକୃତ-ଚିତ୍ତ ହେବାକୁ ବେଶିକାଳ ଲାଗେନା । ସୌନ୍ଦର୍ଯ୍ୟ ଓ ଯୌବନ ଯଦି ଇହଜୀବନର ସୁଖର ଉତ୍ସ ଥାନ୍ତା, ତେବେ ବିଶ୍ୱ-ପ୍ରସିଦ୍ଧ ଚିତ୍ର ତାରକାମାନଙ୍କର ଛ ଛମାସରେ ବିବାହ-ବିଚ୍ଛେଦ ଘଟୁ ନ ଥାନ୍ତା । ବିବାହିତ ବନ୍ଧୁମାନଙ୍କର ଅଭିଜ୍ଞତା ପ୍ରଭୁପାଦ ଶୁଣେ, ଚିତ୍ର ତାରକାମାନଙ୍କର ଅସ୍ଥିର ଜୀବନର ଘଟଣା ସବୁ କାଗଜରେ ପଢ଼େ । ସେ କିଛି ସ୍ଥିର କରି ପାରେନା ବିବାହର ବାସ୍ତବ ରୂପ କ’ଣ ବା ଦାମ୍ପତ୍ୟର ବାସ୍ତବ ପ୍ରକୃତି କ’ଣ ! ତା’ ପାଇଁ ବିବାହ କି ସମ୍ଭାବନା ରଖିଥାଇପାରେ ?

 

ମନେ ପଡ଼ିଲା ମଧ୍ୟ ତାର, କରୁଣାସିନ୍ଧୁର କରୁଣ ଗାର୍ହସ୍ଥ୍ୟ ! କଟୁଭାଷିଣୀ ସ୍ତ୍ରୀ, ରୋଗା ରୋଗା ଗୁଡ଼ିଏ ପିଲା, ଆର୍ଥିକ ଅନଟନ–ସବୁ ମିଶି ସେଦିନର ବୁଦ୍ଧିଜୀବୀ କରୁଣାସିନ୍ଧୁକୁ ଆଜି କରି ପକାଇଛନ୍ତି ଏକ ଶୁଖିଲା ଗଛ ଯାହା ଠିଆ ରହିଛି କେବଳ ମୃତ୍ୟୁର କୁଠାରାଘାତକୁ ଅପେକ୍ଷା କରି-! କିଏ କହିବ ତା’ର ଅବସ୍ଥା ମଧ୍ୟ ସେଇପରି ନ ହେବ ? କି ଲାଭର ଆଶାରେ ସେ ଏ ଜଞ୍ଜାଳ କରିନେବ ?

 

(୧୩)

 

ପୂର୍ବର ଅୟୋଜନ ମତେ ଆଟିଷ୍ଟ୍‍ ଶ୍ରୀକଣ୍ଠ ପ୍ରଭୁପାଦର ଗାଁରେ ପୂଜାଛୁଟୀର କିଛିଦିନ କଟେଇବା ପାଇଁ ଆସି ଯାଇଛି । ପ୍ରଭୁପାଦର ଘରେ ଦଶହରାର ଉତ୍ସାହ ସାଥିରେ ସହରାଗତ ନୂତନ ଅତିଥିଙ୍କର ଚର୍ଚ୍ଚା ଲାଗି ଉତ୍ସାହ ମିଶି, ଏକ ଅଭୂତପୂର୍ବ ଉତ୍ତେଜନା ସୃଷ୍ଟି କରିଛି । ପ୍ରଭୁପାଦର ମା, କାଳେ ନିଜ ରନ୍ଧା ପୁଅର ସହରୀ ସାଙ୍ଗକୁ ରୁଚିବ ନାହିଁ ବୋଲି ନିକଟ ଗ୍ରାମର ଏକ ବ୍ରାହ୍ମଣ, ଯେ କି କଲିକତାରେ କୌଣସି ଏକ ବଙ୍ଗାଳି ଓକିଲ ଘରେ କିଛିକାଳ ରୋଷେୟା କାମ କରିଥିଲା ତା’କୁ ଡକାଇ ପଠାଇଛନ୍ତି । ଦୁଇଟି କେଉଟ-ଗାଁକୁ ଦୁଇଟି ଲୋକ ପଠା ହୋଇଛନ୍ତି ମାଛ ଆଣିବାକୁ-। ଚାଉଳ ବତୁରା ହୋଇଗଲାଣି, ପିଠାର ଅୟୋଜନରେ । ପ୍ରଭୁପାଦ ଏସବୁ ଦେଖି ମାଁଙ୍କୁ କହିଲା “ମା, ଏମିତି କାହିଁକି ବ୍ୟସ୍ତ ହେଉଛ ? ମୋର ସାଙ୍ଗ, ତମରି ହାତର ରନ୍ଧା ଖାଇବାକୁ କଟକ ଛାଡ଼ି ଗାଁକୁ ଆସିଛି । ତା’ର ବାପ ମା କେହି ନାହାନ୍ତି । ବିଚାରା ଭଲ କରି ଖାଇବାକୁ ପାଏନା । ସେଇଥି ପାଇଁ ମୁଁ ତାକୁ ଡାକି ଅଣିଛି ।” ଶ୍ରୀକଣ୍ଠ ଘର ଭିତରେ ଥିଲା । ବାରଣ୍ଡାକୁ ବାହାରି ଆସି ପ୍ରଭୁପାଦର ମାଙ୍କୁ ଲକ୍ଷ୍ୟ କରି କହିଲା “ମାଉସୀ, ମୋ ପାଇଁ କିଛି ଭାବନା କରିବେ ନାହିଁ । ମୁଁ ପରା ଏଠିକି ପ୍ରଭୁ ସାଥିରେ ପଖାଳଭାତ ଖାଇବାକୁ ଆସିଛି ! କଟକରେ ପଖାଳଭାତ ଆମକୁ କିଏ ଦେବ ?”

 

କଟକର ଚିରାଭ୍ୟସ୍ତ ସେଇ ପୁରୀ, ତରକାରୀ ପରିବର୍ତ୍ତରେ, ଚୁଡ଼ାଭଜା, କନ୍ଦ, ଘିଅ, ନଡ଼ିଆ, ପାଚିଲା କଦଳୀର ‘ଚକଟା’, ପରମ ପରିତୋଷରେ ଖାଇ, ପ୍ରଭୁପାଦ ଓ ଶ୍ରୀକଣ୍ଠ ଯେତେବେଳେ ଗାଁର ତୋଟାମାଳ ଓ ସମୁଦ୍ର କୂଳଆଡ଼େ ବୁଲି ବାହାରିଲେ, ଦାଣ୍ଡ ଦୁଆର ଡେଇଁଛନ୍ତି କି ନାହିଁ, ଭେଟିଲେ ବୁଢ଼ା ହୃଷୀ ପାନରାକୁ । ବୁଢ଼ା ପ୍ରଭୁପାଦକୁ ଦେଖି ମୁଣ୍ଡରୁ ପାନ ବୋଝଟା ଉଠାଇଆଣି ତାଙ୍କରି ବାରଣ୍ଡାରେ ଥୋଇଦେଇ ମୁଣ୍ଡରୁ ପଗଡ଼ିଟା କାଢ଼ିଆଣି ସେଇଥିରେ ଝାଳ ପୋଛି ପୋଛି ମୃଦୁ ହାସ୍ୟରେ ପଚାରିଲା “ବାପା, କେବେ ଆସିଛ ? କେତେଦିନ ରହିବ ଗାଁରେ ? ବହୁତଦିନ ହେଲା ତମୁକୁ ଦେଖି ନ ଥିଲି ବାପା । ମୋ ଦୁଃଖତ ଶୁଣିଥିବ !”

 

ହୃଷୀ ପାନରା ମନେ କରେ ଯେ ତା’ର ଦୁଃଖ ନ ଜାଣିଥିବ ବିଶ୍ଵରେ ଲୋକ ନାହିଁ । ଏତେ ବଡ଼ ଦୁଃଖ କି ଆଜ୍ଞାତ ଥାଇ ପାରେ କାହାକୁ ? ତା’ ଅନ୍ତରର ଦହନ ଏତେ ତୀବ୍ର, ଏତେ ଜ୍ୱଳନ୍ତ ଯେ, ତାହା କି କାହାକୁ ଅଦୃଶ୍ୟ ରହିପାରେ ?

 

କିନ୍ତୁ ପ୍ରଭୁପାଦ ଆଶ୍ଚର୍ଯ୍ୟ ହୋଇ ପଚାରିଲା “କି ଦୁଃଖ ? କ’ଣ ଘଟିଛି କି ? ମୁଁ ସତରେ କିଛି ଜାଣିନି ତ !”

 

ଅଭିମାନରେ ପାନରାର ମୁହଁ ମଳିନ ହୋଇ ଆସିଲା । ଉପେକ୍ଷାର ଅପମାନରେ ତା’ର ଶୋକର ସ୍ରୋତ ମଧ୍ୟ ସହସ୍ରତମଥର ପାଇଁ ନିଃସ୍ୟନ୍ଦିତ ହୋଇ ଆସିଲା । ସେ ତା’ ବାଡ଼ିଟି ଉପରେ ଦୁଇ ହାତ ରଖି ଧୀରେ ଧୀରେ କହିବାକୁ ଲାଗିଲା “ବାବୁ, ରାଜା ରାଜ୍ୟ ହରେଇଲେ ସେ କଷ୍ଟ ଭୁଲିଯିବ, ଧନିଷ୍ଠ ଲୋକ ଧନ ହରେଇଲେ ବି ସେ କଷ୍ଟ ପାଶୋର ଯିବ ଦିନେ, କିନ୍ତୁ ଆଖିଥିବା ଲୋକର ଆଖି ଦି’ଟାକୁ କାଢ଼ି ନେଇ ତାକୁ ଠିଆ ଠିଆ ଅନ୍ଧ କରିଦେଲେ, ସେ କି ତାହା ଭୁଲି ପାରିବ ? ସେତ ଚାଲି ଯାଇନି, ମୋର ଡାହାଣ ହାତ କଟିଯାଇଛି ଜାଣ ?” ତଳକୁ ଅନାଇ ବୁଢ଼ା ହୃଷୀ ପାନରା ଟିକିଏ ଦମ୍ଭ ମାରିଲା–ହୁଏତ ଭାବୁଛି ଆଉ ସେ କ’ଣ କହିପାରେ ଏଇ ପ୍ରାୟ–ଅପରିଚିତ ଦୁଇଟି ତରୁଣଙ୍କ ଆଗରେ ।

 

ପ୍ରଭୁପାଦ ଓ ଶ୍ରୀକଣ୍ଠ ବର୍ତ୍ତମାନ ବୁଝିଲେଣି ଯେ ବୁଢ଼ା ଇତିମଧ୍ୟରେ ବୁଢ଼ୀକି ହରେଇଛି । ସେମାନେ ବୁଢ଼ାର ଗଭୀର ଦୁଃଖକୁ ସମ୍ମାନ କରି ନୀରବରେ ଅପେକ୍ଷା କରି ଠିଆ ରହିଲେ ।

 

ପାନରା ପୁଣି ଆରମ୍ଭ କଲା–

 

“ପୁଅଝିଅଙ୍କୁ ବିଭା କରେଇ ଦେଲା । ନାତି ନାତୁଣୀ ଦେଖିଲା । ବିଭା ହେଲା ଦିନଠୁ ଦିନେ ହେଲେ ମତେ ଛାଡ଼ି କାହିଁ ଯାଇ ନ ଥିଲା,–ଏ ବୟସରେ ଛାଡ଼ି ଚାଲିଗଲା । ଥରେ ଧରାକୋଟ ରଜା ଘରକୁ ଭେଟି ନେଇ ଯାଇଥିଲି । ତାକୁ ବାହାରେ ବସେଇ ଦେଇ ମୁଁ ଭିତର ଅଗଣାକୁ ଗଲି । ରଜା ବିଜେ କଲେ । ମୁଣ୍ଡିଆ ମାରି ଭେଟି ଦେଇ ପଛକୁ ଅନାଏ ତ ସେ ମୋ ପଛରେ ଠିଆ ହେଇଛି । ରଜା, ମନ୍ତ୍ରୀ ଦେଖି ହସିଲେ । ତାକୁ ପଚାରିଲେ “କିଲୋ ତୁ କାହିଁକି ଚାଲି ଗଲୁ ?” ସେ କହିଲା “ରଜାଘର କଥା । କାଳେ କ’ଣ ହେବ । ମନଟା ମାନିଲାନି । ମନେ ମନେ ଭାବିଲି ଯାଏଁ ପଛରେ ଠିଆ ହୋଇଥେ ।”

 

“ଗଡ଼ଯାକ ଲୋକ କହିଲେ ଏମିତି ସ୍ୱାମୀ-ସ୍ତ୍ରୀ ଆଉ ଦେଖା ନାହିଁ । ଖାଲି ପେଟ ଚାଖଣ୍ଡକ ପାଇଁ ପସରା ମୁଣ୍ଡେଇ ବୁଲୁଛି ସିନା ବାପା, ଆଉ କୌଣସି କାମ ପାଇଁ ଆତ୍ମା ଡାକୁନି । ଯାଅ, ଯାଅ ବାବୁ–ବୁଲି ବାହାରିଛ, ନା ? ଏ ବାବୁ କିଏ ?”

 

ଶ୍ରୀକଣ୍ଠ ସେତେବେଳକୁ ତା’ର କାମେରା ଉଠାଇ ପାନରାର ଏକ ଫଟୋ ଉଠେଇ ସାରିଲାଣି । ପାନରା ବିସ୍ମିତ ହୋଇ ପଚାରିଲା “ବାବୁ, ମୋର ଫୋଟ ନେଇ କ’ଣ କରିବ ?”

 

ଶ୍ରୀକଣ୍ଠ କହିଲା, “ଆମେ ରଖିବୁ । ତମକୁ ଦେଖେଇବୁ ଯେ ।’’

 

ପ୍ରଭୁପାଦ ଓ ଶ୍ରୀକଣ୍ଠ ଆଗକୁ ଚାଲିଲେ । ପାନରା ତା’ର ପାନର ବୋଝ ପୁଣି ମୁଣ୍ଡେଇ ବାଡ଼ି ଧରି ଚାଲିଲା । ଅଶାନ୍ଵିତ ତରୁଣ, ଆଉ ନିଃଶେଷିତାଶ ବୃଦ୍ଧ ଉଭୟେ ଦୁଇ ବିପରୀତ ଦିଗରେ ଚାଲିଲେ ।

 

ହୃଷୀ ପାନରା ଗତ କୋଡ଼ିଏ ବର୍ଷ ଧରି ଏଇ ଗ୍ରାମମାନଙ୍କରେ ପାନ ବିକେ । ସେ ଅସେ, ସାଥିରେ ତା’ର ଆସେ ବୁଢ଼ୀ । ବେଳେ ବେଳେ ପୁଅ, ଝିଅ, ବୋହୂ ବି ଆସନ୍ତି । ପ୍ରାୟ କୋଡ଼ିଏ ମାଇଲ ଦୂରର ଗଞ୍ଜାମର କୌଣସି ଅଜ୍ଞାତ ଗ୍ରାମରୁ ସେମାନେ ଆସନ୍ତି । ଏହି ଅଞ୍ଚଳର ଗ୍ରାମବାସୀମାନେ ହୃଷୀ ପାନରାର ପରିବାରକୁ ଗତ କୋଡ଼ିଏ ବର୍ଷ ହେଲା ସେହପରି ଦେଖି ଆସୁଛନ୍ତି । ବଡ଼ ଖାଣ୍ଟିଲୋକ ପାନରା । ତା’ର ପଇସା କେହି କେବେ ଠକି ନାହିଁ ଏ ଅଞ୍ଚଳଯାକରେ-। ସେ ମଧ୍ୟ କାହାକୁ ଠକିବାକୁ ଚେଷ୍ଟା କରିନି ଜୀବନରେ । ସେ ଧନୀ ହେବାକୁ କେବେ ଭାବି ନ ଥିଲା । କିନ୍ତୁ ଏଇ ମୁଣ୍ଡ ବୋଝର ବ୍ୟବସାରେ ପାନରା ବେଶ ଦୁଇଓଳି ଦି’ମୁଠା, ଭାତ ଖାଇ ନିଶ୍ଚିନ୍ତରେ ରହି ଆସିଛି, ପୁଅ ବୋହୂଙ୍କୁ ମଧ୍ୟ ଭଲରେ ରଖିଛି ।

 

ଏବେ ଗତ ଦୁଇବର୍ଷ ହେବ, ପାନରାଣୀ ମରିଯାଇଛି । ପ୍ରଥମେ ଛମାସ ଯାଏ ପାନରାକୁ ଲୋକେ ଦେଖିଲେ ନାହିଁ । କିନ୍ତୁ ଲୋକମୁଖରୁ ଘଟଣା ଶୁଣିବାକୁ ପାଇଲେ । ପାନରା ଲୋକଙ୍କ ଅସୁବିଧା ବୁଝିପାରି ଗୋଟିଏ ସାଙ୍ଗ ବେପାରୀକି ପଠାଇଲା ବଦଳିରେ । ନିଜ ଗାଁରେ କିନ୍ତୁ ପାନରା କେବଳ ଯାଇ ଗାଁ ଦେଉଳର ମଣ୍ଡପରେ ବସେ ଦି’ଓଳି । କେହି ନ ଥିଲାବେଳେ ପ୍ରାଣଫଟେଇ ସ୍ତ୍ରୀକି ମନେପକାଇ କାନ୍ଦେ । ଦେବତାକୁ ଅନାଇ ପ୍ରାର୍ଥନା କରେ । ମୂର୍ଖ ସେ । କି ଭାଷାରେ ସେ ତା’ର ଶୋକ ପ୍ରକାଶ କରେ, ତା’ର ପ୍ରାର୍ଥନା ତା’ର ଦେବତାକୁ ଜଣାଏ, ସେଇହି ଜାଣେ । କିନ୍ତୁ ଦେବତା ବୁଝିବା ପାଇଁ ଅଶ୍ରୁଠାରୁ ସହଜତର ଭାଷା ଆଉ କ’ଣ ଥାଇପାରେ ?

 

ଶେଷରେ ପ୍ରଭୁପାଦର ବାପା ଲୋକ ପଠାଇ ପାନରାକୁ ପୁଣି ନନ୍ଦିଗାଁକୁ ଡକାଇ ଆଣିଲେ । ପତ୍ନୀ-ବିରହିତ, ବୃଦ୍ଧ ହୃଷୀ ପାନରା, ସମଗ୍ର ଗ୍ରାମର ଅତିଥି ହୋଇ ରହିଲା ଏକ ମାସ-। ପ୍ରଭୁପାଦର ପିତା ଗାଁ ମନ୍ଦିରରେ ତା’ପାଇଁ ରାମାୟଣ–ପାରାୟଣର ବ୍ୟବସ୍ଥା କରିଦେଲେ । ଗାଁର ବୁଢ଼ାବୁଢ଼ୀଏ ପାନରାକୁ ମଝିରେ ମଝିରେ ଡାକି ସମବେଦନାର ଅଶ୍ରୁଢାଳି ସାନ୍ତ୍ଵନା ଦେବାକୁ ଲାଗିଲେ ।

 

ପ୍ରାୟ ବର୍ଷକ ସମୟରେ ପାନରାର ମନ କ୍ରମେ ସାଂସାରିକ କାମ ଆଡ଼ିକି ଟିକିଏ ଆଗ୍ରହିତ ହେଲା । ଦିନେ ନନ୍ଦଗାଁରୁ ସେ ସମସ୍ତଙ୍କଠାରୁ ବିଦାୟ ନେଇ ଗଲା । ପୁଣି ତା’ର ପାଳି ଅନୁସାରେ ପାନରା ମୁଣ୍ଡରେ ପାନବୋଝ ଧରି ଦେଖାଦେଲା । ତେବେ, ଏବେ ମଧ୍ୟ ଯେ ତା’ ଗାଁଠୁ ଏ ଅଞ୍ଚଳ ଯାଏ ପଥର କେତେକ ସ୍ମୃତିବିଜଡ଼ିତ ସ୍ଥାନ ପାନରାର ବିରହ-ଦୁଃଖାଶ୍ରୁରେ ସିକ୍ତ ନ ହୁଏ, ତାହା ନୁହେଁ ! ସ୍ଵପ୍ନେ ଜାଗରଣେ ବୁଢ଼ା ହୃଷୀ ପାନରାର ମର୍ମସ୍ଥଳରେ ରହିଛି କେବଳ ଦୁଇଟି କଳ୍ପନା, ଗୋଟିଏ ତା’ର ପତିବ୍ରତା ପତ୍ନୀ, ଆଉ ସେହି ସୂତ୍ରରେ ଗ୍ରଥିତ, ରସମୟ ଭଗବାନ ।

 

କିଛି ଦୂର ଯାଇ ଶ୍ରୀକଣ୍ଠ କହିଲା “ପ୍ରଭୁ, ଏତ ଅଭୁତ ବ୍ୟାପାର ରେ ! ଏଇ ଅଶିକ୍ଷିତ ମଜଦୁର ପାନରାର ପ୍ରାଣରେ ଏକ ବିରାଟ ଗଭୀର ପ୍ରେମାଭିନୟ ! ଶିକ୍ଷିତ କରୁଣାସିନ୍ଧୁ ଓ ତା’ର ଶିକ୍ଷିତା ସ୍ତ୍ରୀ ଓ ଏଇ ନିରକ୍ଷର-ନରକ୍ଷରା ପାନରା-ପାନରାଣୀ ଭିତରେ କି ପ୍ରଭେଦ ! ପ୍ରଭୁ, ତମର ଏ ସ୍ଥାନ ଦେଖୁଛି ଚାରିଆଡ଼େ କବିତ୍ଵମୟ ।’’

Unknown

 

ପ୍ରଭୁପାଦ ଖାଲି ହସିଲା । ବିବାହର ପ୍ରସଙ୍ଗରୁ ସେ କରୁଣାସିନ୍ଧୁର ଜୀବନକୁ ମନେ ପକେଇଥିଲା । କିନ୍ତୁ ପାନରାର ଅମଳ ଗଭୀର ପ୍ରେମସ୍ରୋତର ତଟଦେଶରେ ଠିଆ ହୋଇ ସେ ମନେ କଲା, ଏ ଅନୁଭୂତିକି ତା’ ଜୀବନରେ ସମ୍ଭବ ହୋଇ ପାରେ ? କିଏ ତା’ର ପାନରାଣୀ ? ସାବି ? ନା ଆଉ କିଏ ?

 

(୧୪)

 

ନନ୍ଦିଗାଁର ସମୁଦ୍ରବନ୍ତବିସ୍ତୃତ, ମୃକ୍ତ, ଉଦାର ସୁଷମା ଶିଳ୍ପୀ ଶ୍ରୀକଣ୍ଠ ଚିତ୍ତରେ ଏକ ନୂତନ ଉନ୍ମାଦନା ଆଣିଦେଲା । ଗାଁର ଚାରିପାଖେ ଝାଉଁ ତୋଟାର ପରିଧି,–ଅହରହ ଅୟୁତ କ୍ଷୀଣକଣ୍ଠର ‘ଶି’ ‘ଶି’ ଧ୍ୱନିରେ ମୁଖରିତ । ତା’ପରେ ଆମ୍ବ, ଲଙ୍କାଆମ୍ବ, ପୋଲାଙ୍ଗ, ଜାମୁକୋଳି ପ୍ରଭୁତି ଅନ୍ୟାନ୍ୟ ବନସ୍ପତିମାନଙ୍କର ବିସ୍ତାର । ତା’ପରେ ଧାନ୍ୟ ଓ ଅନ୍ୟାନ୍ୟ ଶସ୍ୟର କେଦାରମାଳା, କୋଶ କୋଶ ଧରି କିଆ ବାଡ଼ ଦେଇ ଘେରା । ଶସ୍ୟକ୍ଷେତ୍ର ସବୁ ପାରି ହୋଇଗଲେ କ୍ରମେ ବାଲିବନ୍ତର ପ୍ରସାର ଆରମ୍ଭ ହୁଏ । ତା’ର ଶେଷରେ ସମୁଦ୍ରବେଳା । ବର୍ଷାକାଳରେ ବାଲିବନ୍ତମାନଙ୍କର ତଳେ ଯେତେ ସବୁ ନିମ୍ନଭୂମି ଓ ଶସ୍ୟକ୍ଷେତ୍ର ସବୁ, ବର୍ଷାପାଣିରେ ବୁଡ଼ି ରହେ ପ୍ରାୟ ମାଘ-ଫାଲ୍‍ଗୁନ ମାସ ଯାଏ । ପ୍ରଚୁର ଛୋଟ ମାଛ ହୁଅନ୍ତି ସେ ନୂଆପାଣିରେ ବର୍ଷକୁ ବର୍ଷ । ଗାଁର ଗାଈଆଳ ଟୋକାଏ ମାଛଧରି ସେଇ ବାଲିରେ ବଣଭୋଜି କରନ୍ତି । ବର୍ଷର ଛମାସ କିନ୍ତୁ ସବୁ ପୁଣି ଶୁଖି ପଡ଼େ । ବଣ୍ୟ ବାଲି ହରିଣ ଓ ଗ୍ରାମ୍ୟ ଗାଈଗୋରୁଙ୍କର ଚରାଭୂମି ହୁଏ ସେ ସବୁ । ପିଲାଏ ଗୁଡ଼କଙ୍କ ଲଟାର କଣ୍ଟକିତ ଫୁଲକୁ ପବନରେ ଉଡ଼ାଇ ଉଡ଼ାଇ ବାଲିବନ୍ତ ଡେଇଁ ଡେଇଁ ଦଉଡ଼ନ୍ତି । ବାଲିବନ୍ତମାନଙ୍କରେ ବଣ୍ୟ ହରିଣମାନଙ୍କର ସହସ୍ର କ୍ଷୁରଚିହ୍ନ ସେମାନଙ୍କର ଗତ ଦିନ ବା ରାତ୍ରିର ଚଳାଚଳ ଚିହ୍ନାଇ ଦିଏ । ବେଳେ ବେଳେ ସେମାନଙ୍କର ପିଲ ଦିନରେ ମଧ୍ୟ ବେଳାଭୁମିରେ ଚରିବାର ଦେଖାଯାନ୍ତି । ମନୁଷ୍ୟର ବିଷାକ୍ତ ଗନ୍ଧ ପାଇଲାମାତ୍ରେ ସେମାନେ ପ୍ରାଣଭୟରେ ପଳାଇ ପଳାଇ ମିଶିଯାନ୍ତି ସେହି ବାଲିବନ୍ତର ଦୂରପ୍ରସାରୀ ଚକ୍ରବାଳ ଭିତରେ ।

 

ଶିଳ୍ପୀ ଶ୍ରୀକଣ୍ଠ ଏ ଅଞ୍ଚଳର ଏଇ ଅପରିଚିତା ପ୍ରକୃତିର ଶ୍ୟାମଳ-ଗୌର ସୁଷମା ଓ ତା’ର ମୁକ୍ତ-ଉଦାର ପ୍ରକାଶ ଦେଖି ବିଶେଷ ମୁଗ୍ଧ ହେବାକୁ ଲାଗିଲା । ଗୋଟିଏ ଉଚ୍ଚ ବନ୍ତ ଉପରେ ଠିଆ ହେଲେ, ଏକ ପାଖେ ସ୍ଵର୍ଣ୍ଣବର୍ଣ୍ଣ ବେଳାର ଏକ ପଟେ ଗାଢ଼ନୀଳ ଅନନ୍ତ ସମୁଦ୍ର ଉଜ୍ଜ୍ୱଳ ରବିକର ତଳେ ଦୋଳା ଖେଳୁଥିବାର ଓ ଅନ୍ୟ ପାଖେ ସହସ୍ର ଦ୍ଵୀପଖଚିତ ଲଘୁ ନୀଳଶାଟୀପରିହିତା ଚିଲିକା ମନ୍ଦ ସୈନ୍ଧବ ସମୀରଣ ତଳେ ତନ୍ଦ୍ରାନ୍ଵିତା ଥିବାର, ଏବଂ ଏଇ ଦୁଇ ଜଳ-ସୁନ୍ଦରୀର ବିସ୍ତୃତ ବେଶ-କକ୍ଷର ମଝିରେ, ବନସ୍ପତିଶ୍ୟାମ ସେହି ସ୍ଵର୍ଣ୍ଣାଭ-ବାଲିବନ୍ତ-ଶାୟିତ ଶାନ୍ତ, ସ୍ଥିର ଗ୍ରାମଗୁଡ଼ିକର ଶୋଭାରେ ଶ୍ରୀକଣ୍ଠ ଉତ୍ସାହିତ ହୋଇ ଉଠିଲା । ସେ ସ୍ଥିର କଲା ବେଳ ଗଡ଼ି ଆସିଲେ, ତା’ର ଚିଜେଲ୍ ଇତ୍ୟାଦି ଏଇଠିକି ବୋହି ଆଣିବ ଓ ଏଇ ମନୋହର ପ୍ରକୃତିକୁ ଏକ ଯୋଗ୍ୟ ଲ୍ୟାଣ୍ଡସ୍କେପ୍‍ ଚିତ୍ରରେ ସାଇତି ରଖିବାକୁ ଚେଷ୍ଟା କରିବ ।

 

ବାଲିବନ୍ତରୁ ଓହ୍ଲେଇ ସେମାନେ ଗାଁର ତୋଟାମାଳରେ ପଶିଲେ । ସେଇ ପକ୍ତିରେ ଗାଁର ଉତ୍ତମ ମଧ୍ୟମ ଅନେକ ଲୋକଙ୍କର ତୋଟା ପରସ୍ପରକୁ ଲାଗି ଲାଗି ଲମ୍ବି ରହିଛି । ପ୍ରତ୍ୟେକ ଘରର ତୋଟାର କିଛି ନା କିଛି ବିଶେଷତ୍ଵ ଅଛି । ପଧାନ ଘର ତୋଟରେ କୋଳିଗଛ, ସ୍ୱାଇଁଙ୍କର ଆମ୍ବ, ନାଏକ ଘରର ତୋଟାରେ ପଣସ, ସାହୁ ଘର ତୋଟାରେ ଲଙ୍କାଆମ୍ବ ପ୍ରସିଦ୍ଧ । ଶ୍ରୀକଣ୍ଠ ଓ ପ୍ରଭୁ ଗୋଟାକ ପରେ ଗୋଟେ ତୋଟା ଦେଖି ଦେଖି ଯାଉଥାନ୍ତି । ସହରର ଷ୍ଟ୍ରୀଟମାନଙ୍କର ସିଧା, ନିରସ, ରୁକ୍ଷ ପରିବେଶ ପରିବର୍ତ୍ତରେ ଏଇ ପଥହୀନ, କଣ୍ଟକମୟ ତୋଟାମାଳର ସ୍ନିଗ୍‍ଧଚ୍ଛାୟ ବକ୍ଷରେ ଶ୍ରୀକଣ୍ଠ ଏକ ଅପୂର୍ବ ମାଦକତା ଅନୁଭବ କରୁଥାଏ । ଚାଲିବାରେ ତା’ର କ୍ଳାନ୍ତି ନାହିଁ, ଦେଖିବାର ନାହିଁ ଶ୍ରାନ୍ତି । ପ୍ରତ୍ୟେକ ତୋଟାର ପ୍ରତ୍ୟେକ କୁଞ୍ଜ, ପ୍ରତ୍ୟେକ ଗଛର ପ୍ରଶାନ୍ତ ତଳ, ପ୍ରତ୍ୟେକ ଝିଙ୍କାରୀ-ମୁଖର ନିର୍ଜ୍ଜନ କୋଣ ସେ ଦେଖିବାକୁ ଲାଗିଲା । ତୋଳୁଥାଏ ବନ୍ୟପୁଷ୍ପ । ଖାଉଥାଏ ପିଜୁଳ ଓ ଜାମୁ । କେଉଁ କେଉଁ ତୋଟାରେ ସ୍ତ୍ରୀ ବା ପୁରୁଷ ବା ଉଭୟ କେହି କେହି ଥାନ୍ତି । ସେମାନେ ସବୁ ଜାଳ, ବା ଫଳମୂଳ ଗୋଟେଇ ନେବା ପାଇଁ ପ୍ରତ୍ୟେକ ଘରୁ ଆସିଥାନ୍ତି । ସ୍ତ୍ରୀଲୋକ ଥିଲେ, ନୂତନ ଅପରିଚିତ ଲୋକର ଆବିର୍ଭାବରେ, ବୁଢ଼ୀ ହେଲେ ମଧ୍ୟ, ଅଞ୍ଚଳରେ ମୁଖ ଆବୃତ କରି ନିକଟସ୍ଥ ଗଛମୂଳେ ଯାଇ ଆଉଜି ଯାନ୍ତି । ଶ୍ରୀକଣ୍ଠ ଓ ପ୍ରଭୁ ଅପସାରିତ ହୋଇଗଲା ପରେ ଫେର ହସି ହସି ଆସନ୍ତି ଓ ଆରମ୍ଭ କରନ୍ତି ଆଗନ୍ତୁକମାନଙ୍କ ଉପରେ ଆଲୋଚନା ।

 

ସ୍ୱାଇଁ ଘର ତୋଟାରେ ପଶି ସେମାନେ ଏଣେ ତେଣେ ବୁଲୁଛନ୍ତି, ହଠାତ୍ ଦେଖିଲେ ଗୋଟିଏ ଜାଗାରେ ଛୋଟ ଟୋକେଇରେ କିଛି ପିଜୁଳି, କିଛି ଶାଗ, କିଛି ଲଙ୍କାମରିଚ ରଖା ହୋଇଛି, ଯେପରିକି ଏସବୁ ଘରକୁ ନେବା ପାଇଁ କୌଣସି ଲୋକ ସଂଗ୍ରହ କରି ରଖି ଯାଇଛି । ଅଥଚ ଲୋକଟି କାହିଁ ? ସେମାନେ ଏଣେତେଣେ ଚାହିଁଲେ । ତୋଟାର କୌଣସି କୋଣରେ କୌଣସି ଲୋକ ଗଛ ଭାଙ୍ଗିବାର ଏକ କ୍ଷୀଣ ଶବ୍ଦ ଯେପରି ଶୁଣି ପାରିଲେ । ସେମାନେ ସେଇ ଆଡ଼କୁ ଗଲେ ।

 

ସାମନାରେ ଚାରିପଞ୍ଚାଟା ଆମ୍ବଗଛ । କିନ୍ତୁ ସେମାନଙ୍କ ମଝିରେ ଶାହାଡ଼ାଗଛ, ରଙ୍ଗିଣୀ ଫୁଲ ଗଛ, ପିତାକୋରୁଆଁ ଗଛ, ଦାସକେରେଣ୍ଟା ଗଛ ସବୁ ବୁଦା ହୋଇ ବଢ଼ିଛନ୍ତି । ମଝିରେ ଛୋଟ କ୍ଷୀଣ ପଥ, ଡାଳ ଆଡ଼େଇ ଆଡ଼େଇ ଯିବାକୁ ହେବ ଆରପଟକୁ । ମୋଟରେ ସେଗୁଡ଼ିକ ସବୁ ମିଶି ଗୋଟିଏ ପ୍ରାକୃତିକ ପାଚେରୀର କାମ କରୁଛନ୍ତି । ସେଇ ଗୁଳ୍ମ ପାଚେରୀର ଆରପଟେ ଗୋଟିଏ ଲୋକ ବିନା ସଙ୍କୋଚରେ ଅଦୃଶ୍ୟ ରହି ଯେ କୌଣସି କାମ କରିପାରେ ।

 

ପ୍ରଭୁପାଦ ଏସବୁ ତୋଟା ବହୁବାର ଘୂରିଛି । ପ୍ରତ୍ୟେକଟିର ଅନ୍ଧିସନ୍ଧି ତାକୁ ଜଣା । ପ୍ରତି ତୋଟାର ପ୍ରତି ଗଛର ଗୁଣ ଓ ବ୍ୟକ୍ତିତ୍ଵ ସହିତ ସେ ପରିଚିତ । ସ୍ଵାଇଁଘର ତୋଟା’ର ଏଇ ରହସ୍ୟମୟ କଣଟି ସହିତ, ଅନ୍ୟ ପ୍ରତ୍ୟେକ ଗ୍ରାମବାସୀ ପରି, ସେ ମଧ୍ୟ ପରିଚିତ । ଗାଁରେ ଅନେକ ସମୟରେ ସ୍ଵାଇଁ ଘର ତୋଟାର ଏଇ ଜାଗାଟିକି ଲକ୍ଷ୍ୟ କରି ଅନେକ ଥଟା ହୁଏ । କେତେକ କହନ୍ତି ସ୍ୱାଇଁ ସେଇଠୁ ପୋତାମାଲ ପାଇଛି । କେହି କାହା ଉପରେ ରାଗିଲେ ଅପର ପକ୍ଷକୁ ଲକ୍ଷ୍ୟ କରି କହିବାର ଶୁଣାଯାଏ “ରହ ରହ, ସ୍ୱାଇଁ ଘର ତୋଟା ଅନ୍ଧାରିଆ କଣରେ ତତେ ଦିନେ ଦେଖି ଦେବି । ଦେଖିବି ସେତେବେଳେ କୁ ଦିଅଁ କି ବାପ ତତେ ରକ୍ଷା କରିବ ।’’

 

ଗୋଟିଏ ଅଣଓସାରିଆ ବାଟରେ ପଶି ପ୍ରଭୁପାଦ ଆଗେ ଆଗେ ଯାଇ ଶ୍ରୀକଣ୍ଠକୁ ପଛରୁ ଡାକି କହିଲା “ଏଇ ବାଟେ, ଏଇ ଗଛ ସନ୍ଧିରେ ପଶିଆସ । ବୋଧହୁଏ ସ୍ଵାଇଁ ଘର ହଳିଆ ବନା ଆସିଥିବ, ଜାଳଫାଳ ନେବାକୁ ।”

 

କିନ୍ତୁ ଉଭୟ ଯେତେବେଳେ ସେହି ଗଛ ବାଡ଼ର ଆରପଟକୁ ବାହାରି ପଡ଼ିଲେ, କିଆଧାଡ଼ି ଘେରା ସେହି ନିର୍ଜନ ବିରଳ, ଶାନ୍ତ, ସୂଚ୍ଛାୟ ଉଦ୍ୟାନକୋଣରେ ସେମାନେ କାହାକୁ ଭେଟିଲେ ?

 

ପଲ୍ଲୀର ପ୍ରସ୍ଫୁଟିତ ପୁଷ୍ପ ସାବିତ୍ରୀ !

 

ହେଳାୟିତ ତା’ର ବାସ । ସେହି ବସ୍ତ୍ରର ଆବରଣକୁ ହେଳାରେ ଠେଲି ଦେଇ ତା’ର ଭରା ଯୌବନ ସହସ୍ର ବିନ୍ଦୁରେ ନିଃସ୍ୟନ୍ଦିତ ହୋଇ ପଡ଼ୁଛି । ଅଯତ୍ନ-ଶିଥିଳ ତା’ର ପ୍ରଚୁର କେଶଗୁଚ୍ଛ-। ମୁଖରେ ଘର୍ମ-ମୋତିର ସୁନ୍ଦର ଆସ୍ତରଣ । ହାତରେ ତା’ର ଗୋଟିଏ ସଦ୍ୟ-ଛିନ୍ନ ପ୍ରସ୍ଫୁଟିତ କିଆ ଫୁଲ ।

 

ସାବୀ ଓ ଦୁଇଟି ତରୁଣ ବର୍ତ୍ତମାନ ଏତେ ପାଖରେ ପରସ୍ପରର ମୁଖାମୁଖୀ ଯେ ସାବୀର ପଳାଇବାର ବା ଦୁଇ ଯୁବକର ପଛକୁ ଘୁଞ୍ଚି ଯିବାର ପ୍ରଶ୍ନଇ ଉଠିଲା ନାହଁ । ଏ ଘଟଣା ଏପରି ଆକସ୍ମିକ ଓ ଅନାକାଙ୍କ୍ଷିତ ଯେ ଉଭୟ ପକ୍ଷ ହଠାତ୍ କ’ଣ କରିବେ କିଛି ଠିକ୍ କରି ପାରୁ ନାହାନ୍ତି । ଉଭୟ ପକ୍ଷର ଅନ୍ତରରେ ଏଇ ନିର୍ଜନ ଗୋପନ ସାକ୍ଷାତ ଏକ ପରମ କାମ୍ୟ ଘଟଣା । ଅନ୍ତରର ଅବଚେତନ ସ୍ତରରେ ପ୍ରତ୍ୟେକେ ଅନ୍ୟର ଏହି ନୈକଟ୍ୟ, ସୂକ୍ଷ୍ମ ଭାବରେ ଉପଭୋଗ କରୁଥିଲେ ମଧ୍ୟ, ସାମାଜିକ ନୀତି-ନିଷେଧର ଆକୁଶ ସ୍ଥୂଳଭାବରେ ତାଙ୍କର ଜାଗ୍ରତ ଚେତନାକୁ ଆଘାତ କରିବାକୁ ଲାଗିଲା ।

 

କିନ୍ତୁ ଏ ସଙ୍କଟରୁ ଭଦ୍ରୋଚିତ ଉଦ୍ଧାରର ପନ୍ଥା କ’ଣ ? ଶିଳ୍ପୀ ଶ୍ରୀକଣ୍ଠର ଆଖି ସମ୍ମୁଖସ୍ଥ ସୁନାର ପ୍ରତିମାରୁ ଅନ୍ୟତ୍ର ଯାଇ ପାରୁନି । ସାବିତ୍ରୀର ଆଖି, ବେଳେ ତଳେ, ବେଳେ ଅନ୍ୟ ଆଡ଼େ–ଅସ୍ଥିର, ପୁଣି ସଙ୍କୁଚିତ ଓ ସଲଜ୍ଜ । କେବଳ ପ୍ରଭୁପାଦ ଧୀର, ଶାନ୍ତ, ଅନୁଦ୍‍ବିଗ୍ନ ରହିଛି । ସେ ମନେ କରୁନାହିଁ ଯେ ସେ କିଛି ଅପରାଧ କରିଛି । ସାବୀ ତ ତା’ର ପିଲାଦିନର କ୍ରିଡ଼ାସଙ୍ଗିନୀ । କେତେ ହସ ଖେଳ ତା’ ସାଥିରେ ହେଇ ଯାଇଛି । ଅବଶ୍ୟ ସେ ସାବୀ ଏ ନୁହେଁ । ଏ ସମ୍ପୂର୍ଣ୍ଣ ନୂତନ ଜୀବ । ସେଇ ନବ ଜନ୍ମାନ୍ତର ହେତୁ ସିନା ତା’ର ତା’ ସାଥିରେ ଯୁକ୍ତ ହେବାର ପ୍ରଶ୍ନ ଉଠୁଛି । ସେ ପ୍ରଶ୍ନ ତା’ ପ୍ରାଣରେ କିନ୍ତୁ ଏପର୍ଯ୍ୟନ୍ତ ଗଭୀର କ୍ରିୟା ଆରମ୍ଭ କରି ନାହିଁ । କାରଣ ସାବୀର ଯେତେ ପରବର୍ତ୍ତନ ହେଲେହେଁ, ସେତ ଏଇ ଅଛି, ଏଇ ହାତ ପାଖର ସୁଲଭ ଖେଳନା । ତେଣୁ ତାକୁ ନେଇ ବିନିଦ୍ର ଯାମିନୀ ବା ଅସ୍ଥିର ଦିବସ କଟାଇବାର ମାନସିକ ଦ୍ଵନ୍ଦ୍ୱ ଏପର୍ଯ୍ୟନ୍ତ ଘଟିନି । ହେଲେ ଭଲ,–ନ ହେଲେ କ୍ଷତି ନାହିଁ–ଏଇପରି ଭାବ ।

 

ଯେପରି ନିରୁଦବେଗ, ନିରପରାଧ ଭାବରେ ସେମାନେ ଏ ଭିତରକୁ ପଶି ଯାଇଥିଲେ, ସେମାନେ ସେହିପରି ସ୍ଵାଭାବିକ ଭାବରେ ଫେରିଯିବେ ଯେପରି, ପ୍ରଭୁପାଦ କିଛି ଘଟି ନ ଥିବାର ଭାବ ଦେଖାଇ ସାହସର ସହିତ ସାବୀକି ପ୍ରଶ୍ନ କଲା–“ଏଆଡ଼େ ଆଉ ବାଟ ଅଛି ନା ସାବୀ ?”

 

ସାବୀ ନିରୁତ୍ତର ।

 

ପ୍ରଭୁପାଦ ସେହି ଅସହ୍ୟ ନୀରବତାକୁ ଭଙ୍ଗ କରି ପୁଣି କହିଲା “ସେଇ ସିଙ୍ଗିଘର ତୋଟାକୁ ଏଇଆଡ଼େ ବାଟ ଥିବ ବୋଲି ଚାଲି ଆସିଲୁ । କିଛି ଭାବିବୁନି । ଏ ଫୁଲ କ’ଣ କରିବୁ ?’’

 

ସାବୀ ନିରୁତ୍ତର ।

 

ପ୍ରଭୁପାଦ ତେଣୁ କହିଲା–“ହଉ, ଯା, ଟୋକେଇରୁ ପିଜୁଳ ନେଇଯିବ କିଏ, ଶୀଘ୍ର ଯା । ଆଉ କିଆଫୁଲ ତୋଳିଲେ ଏଇ କଟକରୁ ବିଦେଶୀ ବାବୁ ଆସିଛନ୍ତି, ୟାଙ୍କ ପାଇଁ ଗୋଟିଏ ପଠେଇ ଦେବ । ତାଙ୍କ ଆଡ଼େ କିଆଫୁଲ ନାହିଁ ।”

 

ୟା କହି ପ୍ରଭୁପାଦ ଶ୍ରୀକଣ୍ଠକୁ ଧରି ସାବୀକୁ ଗୋଟିଏ ପାଖରେ ରଖି, ଆଗକୁ ଚାଲିଗଲା । ସାବୀ ଏଇ ଅବସରରେ ଗଛବାଡ଼ର ସେହି ସନ୍ଧିବାଟ ଦେଇ ହରିଣୀ ପରି ପଳାୟନ କରି ତତ୍‍କ୍ଷଣାତ୍ ଅଦୃଶ୍ୟ ହୋଇଗଲା ।

 

ସେ ଯିବା ପରେ ପରେ ଶ୍ରୀକଣ୍ଠ ପ୍ରଭୁପାଦକୁ ପଚାରିଲା, “ଏ କିଏ ସେ ?” “କାହାର ଝିଅ ?”

 

ପ୍ରଭୁପାଦ ବର୍ଣ୍ଣନ ଦେଲା ସଂକ୍ଷେପରେ । ଶ୍ରୀକଣ୍ଠ ସମସ୍ତ ଶୁଣିଲା । କିନ୍ତୁ କୌଣସି କଥା କହିଲା ନାହିଁ ।

 

ସେମାନେ ସେହି ନିର୍ଜନ ଉଦ୍ୟାନ କଣରେ କିଛି କାଳ ତଉଲିଆ ବିଛାଇ ଗଛର ଛାଇରେ ଶୋଇ ଶୋଇ ବିଶ୍ରାମ କଲେ ।

 

ଘରକୁ ଫେରି ସେମାନେ ମଧ୍ୟାହ୍ନ ଭୋଜନ କଲାବେଳେ ପ୍ରଭୁପାଦର ମା ଖବର ଦେଲେ ଯେ କାଲିକି ସ୍ୱାଇଁ ଘର ସେ ଦିହିଁକି ଖାଇବାକୁ ଡାକିଛନ୍ତି ।

 

(୧୫)

 

ଶ୍ରୀକଣ୍ଠ ଓ ପ୍ରଭୁପାଦ ତହିଁ ଆରଦିନ ସ୍ଵାଇଁଙ୍କ ଘରେ ଖାଇ ଆସିଲା ପରେ ଗାଁରେ ଅନେକ ଫୁସୁର୍‍ ଫାସର୍‍ ଆରମ୍ଭ ହୋଇଗଲା ।

 

ସେଦନ ରାତ୍ରିରେ ଖାଇ ବସିଲା ବେଳେ ପ୍ରଭୁପାଦ ତା’ର ମାଙ୍କୁ ହସି ହସି କହିଲା, “ମା, ମୁଁ ତ ଏଇନେ ବିଭା ହେଉନି । ବିଭା ହେବି କି ନାହିଁ ସନ୍ଦେହ । ସାବୀ କ’ଣ ମୋ ପାଇଁ ଅବିଭା ରହିବ ? ଏଇ ଶ୍ରୀକଣ୍ଠକୁ ସେ କିନ୍ତୁ ପ୍ରକୃତରେ ମାନନ୍ତା । ସେ ସୁନ୍ଦର, ଏ ବି ସୁନ୍ଦର । ପ୍ରକୃତରେ ମୁଁ ଭାବୁଛି ଦିହେଁ ସୁଖରେ ରହନ୍ତେ ।”

 

ଶ୍ରୀକଣ୍ଠ କହିଲା, “ତମେ ଇ ଭିତରେ ଅନ୍ୟମାନଙ୍କର ଭାଗ୍ୟ ନିୟନ୍ତ୍ରଣର ଭାର ନେଲଣି ବୋଲି ମତେ ଜଣା ନ ଥିଲା । ବିବାହରେ ସ୍ତ୍ରୀ କ’ଣ କେବଳ ଗୋଟିଏ ଦେୟ ପଦାର୍ଥ ନା କ’ଣ ? ୟାକୁ ଦେବ, ନ ହେଲା ତ ତାକୁ ଆଉ କା’କୁ ଦିଅ । ସେ ପଦାର୍ଥର ମନ ବା ଇଚ୍ଛା-ଅନିଚ୍ଛା ବୋଲି କିଛି ନାହଁ ବୋଧହୁଏ ।’’

 

ମା କହିଲେ, “ହଁ ପୁଅ, ସ୍ତିରୀ ଲୋକଙ୍କର ଆଉ ଇଚ୍ଛା ଅନିଚ୍ଛା କ’ଣ ? ଯୁଠିକି ଗଲେ ତ ଖଟି ଖାଇବେ । ବାପା ମା ଯୁଠି ସୁବିଧା ହେବ, ଦେଖିକି ଦେବେ । ମାଇକିନା ପିଲାର ଆଉ କ’ଣ କହିବାର ଅଛି ସେଥିରେ ? ହଁ ସାବୀ ଏ ପୁଅକୁ ମାନନ୍ତା ସତ । ହେଲେ ତୁ ବିଭା ହେବୁନୁ କିଆଁ ? ବୋହୂ ଘରକୁ ଆସିବ, ଭାତ ପରଷିବ, ନାତି ନାତୁଣୀ ଅଗଣାରେ ଖେଳିବେ ବୋଲି ବାପା ଅନେଇ ରହିଛନ୍ତି । ତୁ କ’ଣ ଶେଷରେ ବାପାଙ୍କୁ ହତାଶ କରିବୁ ? ମୁଁ ବି ତ ଆଉ ଘରକାମ କରି ପାରୁନି, ଏଇ ଶୁଆସ ରୋଗୁଟା ବାହାରିଲା ଦିନୁ । ଅଫିମ ଖାଲି ତାକୁ ଚାପି ରଖିଛି ନା, ସେ କ’ଣ ଆଉ ଭଲ ହେବା ରୋଗ କି ? ବୋହୂଟି ଆସିଲେ, ଘରର ଅଳି-ଆର୍ଦୋଳି ମୋଠୁ ନିଅନ୍ତା କି ? ସମୁଁଧିଆଣୀ ତ ନିଇତି ମତେ ପଚାରୁଛି । ଏତେ ଦିନ ଅନେଇ ରହିଲେ, ଏବେ କି-ମୁହଁରେ କଥା ଭାଙ୍ଗିବାକୁ ଯିବା ?”

 

ଶ୍ରୀକଣ୍ଠ କହିଲା, “ନିଶ୍ଚୟ ନୁହେଁ । ଭାଙ୍ଗିବ କାହିଁକି ? ପ୍ରଭୁ ସେଇଠି ବିଭା ହେବ ମାଉସୀ । ସେ ସିମିତି ମିଛରେ କହୁଛି ।’’

 

ପ୍ରଭୁପାଦ ଏଥର ଜୋର ଦେଇ କହିଲା “ନାଇଁ ମା, ସେ ଜାଣିନି । ମୁଁ ପ୍ରକୃତରେ ଏଇନେ ବିଭା ହେବିନି । ସ୍ୱାଇଁ ଘରକୁ କହ ସେମାନେ ମୋ ଲାଗି ଅପେକ୍ଷା କରିବେ ନାହିଁ ।”

 

ମା ଖାଲି କହିଲେ “ଧେତ୍ ପାଗ୍‍ଲା । ଏମିତି କଥା କହନ୍ତି ନା ?”

 

ତା’ପରେ ଆଉ ସେ ପ୍ରସଙ୍ଗକୁ ବଢ଼େଇବା ପାଇଁ କେହି ଆଗ୍ରହ ପ୍ରକାଶ କଲେ ନାହିଁ । ପ୍ରଭୁର ମା ଚାଲିଗଲେ ଦ୍ୱିତୀୟ ଥର ପରିବେଷଣ ପାଇଁ ଅନ୍ନବ୍ୟଞ୍ଜନାଦି ଆଣିବାକୁ । ଦୁଇ ବନ୍ଧୁ ନୀରବରେ କିଛିକ୍ଷଣ ଖାଇ ଲାଗିଲେ । ତା’ପରେ ଶ୍ରୀକଣ୍ଠ କହିଲା “କିରେ, ହଠାତ୍ ତୋର ଏ ପଟ ପରିବର୍ତ୍ତନ କାହିଁକି ? ବାପା ମାଙ୍କ ମନରେ କଷ୍ଟ ହେବ ନାହିଁ ?”

 

ପ୍ରଭୁ କହିଲା, “ମୋର ଏ ସିଦ୍ଧାନ୍ତ ‘ହଠାତ୍’ ନୁହେଁ ନିଶ୍ଚୟ । ମୁଁ ବହୁଦିନ ଧରି ଏହା ଭାବି ଆସୁଛି । ସାବୀ କିପରି ସୁଖରେ ରହିବ ତାହାହିଁ ମୋର ପ୍ରଧାନ ଚିନ୍ତା । ମୁଁ ମନେ କରୁନି ଯେ ମୁଁ ବିବାହର ଦାୟିତ୍ଵ ପାଇଁ ସମର୍ଥ ହେଲିଣି । ଆଉ ମୋ ଲାଗି କେହି ଅପେକ୍ଷା କରି ରହିବା ମୁଁ ଚାହେଁନା । ତା’ପରେ, ମୁଁ ତ ସାବୀ ସଙ୍ଗେ କୌଣସି ଦିନ ଏ ବିଷୟରେ କଥା ହେବାର ସୁଯୋଗ ପାଇନି । ହୁଏତ ସେ ଏ ପ୍ରସଙ୍ଗ ଚାହୁଁ ନ ଥାଇପାରେ ଅନ୍ତରରେ । କିଏ ଜାଣେ ? ତାଙ୍କର ମନର କଥା ଖୋଲି କହିବାର ସୁଯୋଗ ସମାଜ ଦେଉନାହିଁ ବୋଲି କ’ଣ ଆମେ ଧରିନେବା ଯେ ଆମେ ଯାହା କରୁଛୁ ତାଙ୍କ ପାଇଁ, ସେମାନେ ସେ ସବୁକୁ ଅନ୍ତରରେ ମାନି ନେଉଛନ୍ତି ? ତା’ର ମନର କଥା କିଛି ନ ଜାଣି ମୁଁ ସାବୀର ନିଶ୍ଚିତ ଭାଗ୍ୟକୁ ମୋର ଅନିଶ୍ଚିତ ଭବିଷ୍ୟତ୍‍ ସାଥିରେ ଜବରଦସ୍ତ ଗଣ୍ଠେଇବାକୁ ଚାହୁଁନି । ତମର କଥା କିନ୍ତୁ ଅଲଗା.....

 

“ଅଲଗା ! ମାନେ ? ମୋ କ୍ଷେତ୍ରରେ ମନର ସମ୍ମତି ଦରକାର ନାହିଁ ? ଅର୍ଥାତ୍ ତମେ ଦାର୍ଶନିକ ଆଉ ଆମେ କେବଳ ବନ୍ୟପଶୁ ମାତ୍ର !”

 

“ନା, ନା, ତାହା ନୁହେଁ ଭାଇ, ଭୁଲ୍‍ ବୁଝନା ମତେ । ମୁଁ ଗୋଟାଏ ଦିଗରୁ କେବଳ କହୁଛି । ସେଇ ଦୃଷ୍ଟିକୋଣରୁ ତମେ ଶିଳ୍ପୀ, ରୂପର ଉପାସକ । ସାବିତ୍ରୀ ରୂପର ପ୍ରତିମା । ରୂପ ଓ ରୂପର ପୂଜାରୀ ପରସ୍ପର ପ୍ରତି ଆକର୍ଷିତ ହେବା ନିତାନ୍ତ ସ୍ଵାଭାବିକ ନୁହେଁ କି ? ସେଠି ଆଉ ବାଧ୍ୟତାର ପ୍ରଶ୍ନ ଉଠିବ କି ? ଆମ କଥା କିନ୍ତୁ ସ୍ୱତନ୍ତ୍ର–ସାଧାରଣ, ସାମାଜିକ ସମସ୍ୟା ।’’

 

ପ୍ରଭୁର ମା ଇ ଭିତରେ ଚାଲି ଆସିଲେ । ଯୁକ୍ତିତର୍କ ବନ୍ଦ ହେଲା । ବାରମ୍ବାର ନିଷେଧ ସତ୍ତ୍ୱେ ପ୍ରଭୁର ମା ଆଉ ଟିକେ ଦିଏ, ଆଉ ଟିକିଏ ନେ କହି ନାନାବିଧ ଭଜା ଓ ତରକାରି ଅଜାଡ଼ି ଦେଇଗଲେ । ଦଉ ଦଉ କହୁଥାନ୍ତି “ପିଲା ଲୋକ ସବୁ ଖାଇବନି ତ, ଖାଇବ କିଏ ?”

 

ଶ୍ରୀକଣ୍ଠ କହିଲା ହସି ହସି “ମାଉସୀ, ତୁମେ ଚାଲ କଟକ । ଗୋଟେ ହୋଟେଲ ଖୋଲିବା । ସାରା କଟକ ସହରରେ ଏପରି ତରକାରି ରାନ୍ଧିବାର ଲୋକ ନାହିଁ । “

 

ପ୍ରଭୁର ମା କହିଲେ, “ଆହା, ଆମେ ମଫସଲି ଲୋକ, ଆମେ କି ରନ୍ଧା ଜାଣୁ ? ଆମର ଏଠି ତମର ସେ ସହରର ମସଲା ବା କାହୁଁ ମିଳିବ ?”

 

ଶ୍ରୀକଣ୍ଠ କହିଲା, “ଆହା, ସେଇତ ମାଉସୀ ତମର କଦର । ବିନା ଗରମ ମସଲା, ବିନା ତେଲରେ ଖାଲି ବେଶର ମରିଚ ଦେଇ ଏତେ ସୁନ୍ଦର ତରକାରି ଏତେ ପ୍ରକାର ରାନ୍ଧି ପାରୁଛ, ୟାତ ତାଜ୍ଜିବ ବ୍ୟାପାର । କଟକରେ ସେଇ ତେଲିଆ ମସଲିଆ ବଙ୍ଗାଳିଆ ଭଜା ତରକାରି ସବୁ ଖାଇ ଖାଇ ଆମର ପେଟ, ଆଉ ରୁଚି ଉଭୟ ଖରାପ ହୋଇଗଲାଣି । ଏବେ ଭୋଜିଟାଏ ହେଲେ କଟକୀ ବାବୁମାନଙ୍କର ମହଣେ ଖଣ୍ଡେ ମସଲା ଆଗ ଦରକାର । ଅଥଚ ସେଇ ବାବୁଙ୍କ ଗୋସେଇଁ ବାପେ ଖାଲି ପଖାଳ ଭାତ ଆଉ ଶାଗ ଭଜା ଖାଇ ମନିଷ ହୋଇଥିଲେ ।’’

 

“ହଉ, ହଉ ଗପ କର ନା, ଖାଅ ମୁଁ ଫେର୍‍ ଆଣୁଛି” କହି ପ୍ରଭୁର ମା ଫେର୍‍ ଭିତରକୁ ଚାଲିଗଲେ ।

 

ପ୍ରଭୃର ବାପା ଘରେ ନ ଥିଲେ । ଶ୍ରୀପତି ସାହୁ ଠାରୁ ଗାଁର ରାଜନୀତି ଶୁଣିଲା ଦିନ ପ୍ରଭୁପାଦ ତା’ ବାପାଙ୍କୁ କହିଥିଲା, “ବାପା, ଏ ନିଶାପଟା ତୁଟାଇ ଦେଇନା କାହିଁକି ଆଜିପର୍ଯ୍ୟନ୍ତ ? ଏଇ ସାମାନ୍ୟ କଥା ନେଇ କ’ଣ ଗାଁ ଭାଙ୍ଗିବ ?” ପ୍ରଭୁର ବାପା ଯେ ଆଗରୁ ଚେଷ୍ଟା ନ କରିଥଲେ ନୁହେଁ । ତେବେ ଘଟଣାଟା ଘଟିଗଲା ପଛେ ପଛେ ସମଗ୍ର ଗାଁ ସରଗରମ ଯେତେବେଳେ, କିଏ ତାଙ୍କର ଯୁକ୍ତି ଶୁଣୁଛି ? ଏବେ କିନ୍ତୁ ପରିବେଶ ଟିକିଏ ଶୀତଳ ହୋଇ ଆସିଲାଣି । ବର୍ତ୍ତମାନ ପ୍ରଭୁପାଦ ଗାଁରେ । ଲୋକେ ତା’ କଥା ରଖନ୍ତି । ପ୍ରଭୁର ବାପା ତେଣୁ ପୁଣି ନବ ପ୍ରଯତ୍ନରେ ଲାଗିଛନ୍ତି ।

 

ବନ୍ଧୁଦ୍ୱୟ ଖାଇ ଉଠିଲା ବେଳକୁ ପ୍ରଭୁର ବାପା ଘରେ ପଶିଲେ ଓ ଆପେ ଆପେ କହିଲେ “ଆରେ, ଗାଁଲୋକେ ମଙ୍ଗିଲେରେ ଯାହା ହେଉ, ବହୁତ ଟଣା ଓଟରା ପରେ । ମୁଁ ତମୁକୁ ଡାକି ନେଇଥାନ୍ତି ଗାଁର ମଜଲିଶ୍‍ ଦେଖିବା ପାଇଁ । ତେବେ ସେ ପାର୍ଲିଆମେଣ୍ଟର ତ ସଭାପତି ନ ଥାଏ, ସମୟ ନିର୍ଦ୍ଦେଶ ନ ଥାଏ । ତେଣୁ ତମର ଖାଇବାବେଳ ହୋଇଯାଇ ଥିଲା । ସଭା ଯେ କେତେବେଳଯାଏ ଗଡ଼ିଥାନ୍ତା କିଏ କହିଥାନ୍ତା ? ଭାଗ୍ୟକୁ ଭଗତିଆ ଆଜି ନାହିଁ, ଯାଇଛି ତା’ ଭଉଣୀ ଘରକୁ । ନ ହେଲେ ବ୍ୟାପାର ଏତେ ସହଜ ହୋଇ ନ ଥାନ୍ତା । ପଅରିଦିନ ଦଶହରା । ନରୀ ସାହୁ ଗାଁ ମହାଜନଙ୍କୁ ଦୋଷକ୍ଷମା ମାଗିଲା, ଆଉ ଦଶରାବାସି ଦିନ ଗାଁ ଲୋକଙ୍କୁ ଗୋଟେ ଭୋଜି ଆଉ ଭାଗବତ ଘର ପାଣ୍ଠିକୁ କୋଡ଼ିଏ ଟଙ୍କା ଦେବ ବୋଲି ରାଜି ହେଲା । ଏଇଥିରେ ସମସ୍ତେ ମଙ୍ଗିଗଲେ । ଆଚ୍ଛା ତମେ ଦିହେଁ ଏଇ ଗାଁ ଭୋଜି ଖାଇ ସାରିଲେ ଯାଇ ଗାଁ ଛାଡ଼ିବ । ମୁଁ ଯାଏ.... ।’’

 

ପ୍ରଭୁ ଉଠି ପଡ଼ିଲା । “ବାପା ତମେ ବସ, ମୁଁ ତମ ତେଲ ଓ ଗାମୁଛା ନେଇ ଆସୁଛି, ଆଉ କୁସୁନିଆକୁ ଡାକି ଦେଉଛି ଗରାଘେନି କୂଅକୁ ଯିବ ପାଣି ଦେବାକୁ । ବହୁତ ଡେରି ହେଇଗଲା ଆଜି ତମର ଖାଇବା” ଏହା କହି କହି ସେ ଘରର ଭିତର ମହଲା ଆଡ଼କୁ ପଶିଗଲା ।

 

(୧୬)

 

ଶ୍ରୀକଣ୍ଠ ଓ ପ୍ରଭୁପାଦ କଳ୍ପତରୁ ସ୍ୱାଇଁ ଘରକୁ ଯେଉଁଦିନ ଖାଇବାକୁ ଗଲେ, ସେଦିନ ନିରୀହା, ନିରପରାଧା, ଅପାପବିଦ୍ଧା, ସରଳା ଷୋଡ଼ଶୀ ସାବିତ୍ରୀର ଚିତ୍ତରେ, ସମସ୍ତଙ୍କ ଅଜ୍ଞାତରେ ଏକ ଝଡ଼ ସୃଷ୍ଟି ହୋଇଗଲା । ଘରେ ବା ବାହାରେ କେହି ସେ ବିପ୍ଳବର ସମ୍ବାଦ ପାଇଲେ ନାହିଁ । ଜାଣିଲେ ମଧ୍ୟ ହୁଏତ କେହି ବିଶ୍ୱାସ କରି ପାରନ୍ତେ ନାହିଁ । କିନ୍ତୁ ତାହା ଯେ ଘଟିଲା, ସେଥିରେ ସନ୍ଦେହ ନାହିଁ ।

 

ଶ୍ରୀକଣ୍ଠର ଦୁଇଟି ମୁଗ୍ଧ ଚକ୍ଷୁ ଆଉ ଥରେ ସେହି ସୁନ୍ଦର ପ୍ରତିମାଟିକୁ ଭେଟିବାର ସୌଭାଗ୍ୟ ଯେ ଖୋଜି ବୁଲୁଥିଲା ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେ ସେ ସେ ସୌଭାଗ୍ୟରୁ ବଞ୍ଚିତ ହେଲା । ସେ ସୁନାର ପ୍ରତିମା ଅନ୍ଦର ମହଲାର ଅଜ୍ଞାତତା ଭିତରେ କାହିଁ ଲୁଚି ରହିଗଲା । ଶ୍ରୀକଣ୍ଠ ସାଥିରେ ପ୍ରଭୁପାଦ ଓ ତା’ର ବାପାବି ନିମନ୍ତ୍ରିତ ହୋଇଥିଲେ । କଳ୍ପତରୁ ସ୍ୱାଇଁ ବି ସାଙ୍ଗରେ ବସିଲେ-। ପରିବେଷଣ କଲେ ସାବୀର ଛୋଟ ଭଉଣୀଟିଏ, ଆଉ ଚାକର ବନା–ନିକଟ ବାରଣ୍ଡାରୁ ବଢ଼ାଇ ଦେଉଥିଲେ ସ୍ଵାଇଁଙ୍କ ଗୃହିଣୀ ।

 

କଥାଭାଷା ହେଲା; କିନ୍ତୁ ମାମୁଲି ଧରଣର । କଟକ ସହରର କଥା, ନାମଜାଦା ଓକିଲ ଓ ହାକିମଙ୍କ କଥା, କିଏ କେତେ ଦରମା ପାଏ, କାହାର କୋଠା କେତେ ବଡ଼, କାହାର କେତେଟା ଘୋଡ଼ାଗାଡ଼ି ବା ମଟର ବା ଅନ୍ୟ ସମ୍ପତ୍ତି–ଯେଉଁ ସବୁ ପ୍ରସଙ୍ଗରେ ପ୍ରଭୁପାଦ ବା ଶ୍ରୀକଣ୍ଠ କାହାରି ହେଲେ ଆଗ୍ରହ ନ ଥାଏ । କିନ୍ତୁ କଳ୍ପତରୁ ସ୍ଵାଇଁର କଳ୍ପନାକୁ ତ ଏହା ଅସିବ ନାହିଁ ଯେ ଏ ସବୁ ଛଡ଼ା ଜୀବନରେ ଗୌରବାବହ ଆଉ କ’ଣ ଥାଇ ପାରେ ।

 

ସ୍ଵାଇଁ ପରିବାରରେ ଏକମାତ୍ର ଅପ୍ରିୟ ବସ୍ତୁ ହେଉଛି ସ୍ଵାଇଁ ନିଜେ । ସେ ଯେ ନିତାନ୍ତ ମନ୍ଦ ଲୋକ ବା ଦୁଶ୍ଚରିତ୍ର ସେପରି କିଛି ନୁହେଁ । କିନ୍ତୁ ତା’ର ଚନ୍ଦାମୁଣ୍ଡରେ ମାନବିକତା ବା ଦୟା ଧର୍ମ ପାଇଁ କୌଣସି ସ୍ଥାନ ନ ଥିଲା । ଲୋକଟା ଜୀବନରେ କେବେ କାନ୍ଦିବାର ଶୁଣାଯାଇ ନାହଁ । ତା’ର ଧାନ-ଅମାର ଆଉ ଟଙ୍କା-ସୁନା କିପରି ଅଧିକରୁ ଅଧିକ ହେବ ଏଇ ହୋଇ ଆସିଛ କେବଳ ପରମଚିନ୍ତା ତା’ ଜୀବନର, ଗତ ତିରିଶ ବର୍ଷ ଧରି । ତା’ର ସ୍ତ୍ରୀଟି ଏତେ ଭଲଲୋକ ଯେ କେବଳ ତା’ ଘରର ନୁହେଁ ସମଗ୍ର ଗାଁର ଲକ୍ଷ୍ମୀ ବୋଲି କୁହାଯାଏ । ଏପରି ସ୍ତ୍ରୀ କି ସ୍ଵାଇଁର ଅସମ୍ମାନ କରିବାର ସାହସ ହୋଇନି କେବେ । ଯୌବନରେ ସ୍ଵାଇଁଆଣୀ ସୁନ୍ଦରୀ ଥିଲେ । ସେଇ ସୁନ୍ଦରୀ ମଆର ଊତ୍ତରାଧିକାର ଯୋଗୁହିଁ ଆଜି କନ୍ୟା ସାବିତ୍ରୀ ସାରା ଗାଁର ସର୍ବୋତ୍ତମ ପୁଷ୍ପ ହୋଇ ଉଠିଛି-। ସ୍ୱାଇଁଏ ଏସବୁ ପ୍ରତି ସମ୍ପୂର୍ଣ୍ଣ ନିରପେକ୍ଷ । ଦେଲା ନାରୀ, ହେଲା ପାରି, ତାଙ୍କର ଭାବ । ଯେତେ କମ୍ ଖର୍ଚ୍ଚରେ ଏ ସବୁ ଜଞ୍ଜାଳ ଯାଏ, ଓ ପରେ ବି ନିଶ୍ଚିନ୍ତରେ ମନିଷ ରହେ, ସ୍ଵାଇଁଏ ତାହାହିଁ ଅପେକ୍ଷା କରି ରହିଛନ୍ତି । ସେଇଥି ପାଇଁ ସେ ସାବିତ୍ରୀକୁ ପ୍ରଭୁପାଦ ସଙ୍ଗେ ଯୋଡ଼ି ଦେବାକୁ ବହୁ ଦିନରୁ ରାଜି ହୋଇ ବସିଛନ୍ତି ।

 

ସ୍ଵାଇଁଙ୍କର ଦୁଇ ପୁଅ, ଦୁଇ ଝିଅ । ବଡ଼ ପୁଅ ଏଇ ଗାଁ ସ୍କୁଲରେ ପଢ଼ି ନିଜେ ନିଜେ ଯାହା ଛାନ୍ଦ-ପୁରାଣ ଚର୍ଚ୍ଚାକରେ ଆଉ ଖବର କାଗଜ ପଢ଼େ । ସେ ଏବେ ଜମିବାଡ଼ି ଦେଖିଲାଣି । ସାନଟା ଜିଦ୍‍ ଧରିବାରୁ କୌଣସି ଏକ ଦୂର ହାଇସ୍କୁଲରେ ପଢ଼ିବା ପାଇଁ ପଠାହୋଇଛି । ସ୍ଵାଇଁଏ ବେଳେ ବେଳେ ଗାଁବାଲାଙ୍କୁ ଅପେକ୍ଷା କରି କହନ୍ତି, “ମୋର ଯାହା ଟଙ୍କା ପଇସା ଏଇ ଶ୍ୟାମସୁନ୍ଦରକୁ ପଢ଼େଇବାରେ ଉଡ଼ି ଯିବାକୁ ବସିଲାଣି ।’’ ପିଲାଟା ପ୍ରକୃତରେ ସାହା ଖର୍ଚ୍ଚୀ । ଭଲ ପଢ଼େନା । ସାଙ୍ଗମାନଙ୍କୁ ଧରି ମଉଜ କରେ । ସେ ଜାଣେ ବାପା ଲୁଚେଇ ବହୁତ ଟଙ୍କା ରଖିଛନ୍ତି । ଏବଂ ଜାଣି ଜାଣି ନାନା ଫନ୍ଦିରେ ଟଙ୍କା ନିଏ ବାପାଠୁ, ପୁଣି ନୁଚେଇ କରି ମାଅଠୁ । ସେ ବି ଘରକୁ ଆସିଛି ପୂଜା ଛୁଟିରେ । ପିଲାଟି କିନ୍ତୁ ଦେଖିବାକୁ ଡଉଲ–ସେଇ ମାଆର ଆଶୀର୍ବାଦରୁ । ଶ୍ରୀକଣ୍ଠ ଓ ପ୍ରଭୁପାଦ ତାକୁ ପାଖକୁ ଡାକି ବସାନ୍ତି । ପାଠ ଛଡ଼ା ସେ ଆଉ ସବୁ କାମରେ ତତ୍ପର ଥିବାର ଦେଖି, ଶ୍ରୀକଣ୍ଠ ତାକୁ ଏକ ପ୍ରକାର ଭଲଇ ପାଇ ବସିଲା ।

 

ସାବିତ୍ରୀ ଅନ୍ଦର ମହଲରେ ଲୁଚି ରହିଥିବାର ଧରାଗଲେ ମଧ୍ୟ ତା’ର ଚିତ୍ତ ଓ ଚକ୍ଷୁ ଯେ ଅତି ଜାଗ୍ରତ ଥିଲା, ତାହା ଯେ କୌଣସି ସମବେଦନଶୀଳ ଲୋକ ବୁଝି ପାରିବେ । ନିମନ୍ତ୍ରଣରେ ଆସିଥିବା ଶ୍ରୀକଣ୍ଠ ଓ ପ୍ରଭୁପାଦକୁ ସେ ସେ ସେଦିନ ଉତ୍ତମରୂପେ କୌଣସି ଫାଙ୍କରୁ ଦେଖି ନେଇଥିଲା । ପ୍ରଭୁପାଦ ତ ଅତି ପରିଚିତ, ପିଲାଦିନରୁ ଦେଖାଶୁଣା । ତାକୁ ଭଲ କରି ଦେଖିବାର ସାବିତ୍ରୀର ସହସ୍ର କାରଣ ଅବଶ୍ୟ ଅଛି । ବିବାହର ପ୍ରସ୍ତାବ ତା’ର ଅଜ୍ଞାତ ନୁହେଁ । କିନ୍ତୁ ଏଇ ଯେ ସୁନ୍ଦର ନବାଗତ ତରୁଣଟି, ପ୍ରଭୁପାଦ ତୁଳନାରେ ତା’ର ମୁଖରେ, ଚାଲିଚଳଣରେ, ବେଶଭୂଷାରେ କି ଏକ ଅଦୃଷ୍ଟପୂର୍ବ କମନୀୟତା, ସୌଖୀନତା ଓ ଭଦ୍ରତା । ଏହି ନୂତନ ଅତିଥି ଆସିଲା ଯାଏ ପ୍ରଭୁପାଦ ହିଁ ଏ ଗ୍ରାମରେ ଥିଲା ସଭ୍ୟ-ଶିକ୍ଷିତ ଲୋକର ପ୍ରତିନିଧି । ଶ୍ରୀକଣ୍ଠର କଳାମୟ ବ୍ୟକ୍ତିତ୍ୱ ନିକଟରେ ପ୍ରଭୁପାଦ ଆଜି ହୋଇ ଉଠୁଛି ସ୍ଥୂଳ, ରୁକ୍ଷ, ଅନାଗ୍ରହ । ସାବିତ୍ରୀ ତେଣୁ ସେହି ସୁନ୍ଦର ଯୁବକଟିକୁ ଲୁକ୍‍କାୟିତ ସ୍ଥାନରୁ ଭଲ କରି ଦେଖି ନେଉଥିଲା ଏବଂ ଯେତିକି ଦେଖୁଥିଲା, ତା’ ମନରେ ସେତିକି ସେତିକି କି ଏକ ଅନନୁଭୂତ ବିକାର ଘଟୁଥିବାର ସେ ଅନୁଭବ କରୁଥିଲା । ଅବଶ୍ୟ ସେ ମାନସିକ କ୍ରିୟା କ’ଣ ତାହା ଠିକ୍ କରି ବର୍ଣ୍ଣନା କରିବାର ଶିକ୍ଷା ବା ଅଭିଜ୍ଞତା ତା’ର ନ ଥିଲା । ସେ ଥିଲା ଏକାନ୍ତ ଅଜ୍ଞ ଓ ନିରୀହା ।

 

ତହିଁ ଆରଦିନ ସକାଳେ ପ୍ରଭୁପାଦ ବାପାଙ୍କ ନର୍ଦ୍ଦେଶରେ କୌଣସି ଏକ ପାଖ ଗାଁକୁ ଚାଲିଗଲା, କୌଣସି ଏକ ଖାତକଠାରୁ ଧାନ ଆଦାୟ କରିବା ଲାଗି । ଶ୍ରୀକଣ୍ଠ ଡକେଇଲା ସାବିତ୍ରୀର ସୁନ୍ଦର ଭାଇ ଶ୍ୟାମସୁନ୍ଦରକୁ । ଦିହେଁ ଗଲେ ପୁଣି ସେଦିନ ପରି ତୋଟାମାଳରେ ବୁଲିବା ପାଇଁ । ଶ୍ରୀକଣ୍ଠ ବାହାନା କରି ଚିତ୍ର ଆଙ୍କିବାର କିଛି ସରଞ୍ଜାମ ସାଥିରେ ଧରିଲା, ନେଲା ମଧ୍ୟ ତା’ର କାମେରା । କିନ୍ତୁ ତା’ର ଅନ୍ତରତମ ଆଗ୍ରହ ଥିଲା, ସେହି ତୋଟାର ସେହି ଅଜ୍ଞାତ କେଣରେ ସେହି ସୁନାର ପ୍ରତିମାକୁ ଆଉ ଥରେ ଭେଟନ୍ତା କି !

 

ଶ୍ରୀକଣ୍ଠ ପୁଣି ଗଲା ସେହି ଉଚ୍ଚ ବାଲିବନ୍ତ ଉପରକୁ ଯେଉଁଠି ପାଖକେ ମହୋଦଧି ଓ ପାଖକେ ଚିଲିକା ଦେଖାଯାଏ । ଚାରିଆଡ଼କୁ ଅନାଇ ଅନାଇ କାମେରାରେ କେତୋଟି ସ୍ନାପ୍‍ ନେଲା ପୁଣି ଗୋଟିଏ ପେନସିଲ୍ ସ୍କେଚ୍‍ ବି ଆରମ୍ଭ କରିଦେଲା । ପରେ ଏଇ ସ୍କେଚ୍‍କୁ ନିର୍ଭର କରି ସେ ଗୋଟିଏ ଲାଣ୍ଡ-ସ୍କେପ୍‍ ଚିତ୍ର ଆଙ୍କିବାର ବାସନା ରଖିଲା । କିନ୍ତୁ କେବଳ ପ୍ରକୃତି ନେଇ ସେ କେବେ ସନ୍ତୁଷ୍ଟ ରହେନା । ପାଶ୍ଚାତ୍ୟ କଳା ଓ ସାହିତ୍ୟରେ ମନୁଷ୍ୟ ଓ ପ୍ରକୃତିକୁ ଦୁଇଟି ପରସ୍ପର-ବିରୋଧାତ୍ମକ ବ୍ୟକ୍ତିତ୍ଵ ବୋଲି ଯାହା ଧରି ନିଆଯାଏ, ଶ୍ରୀକଣ୍ଠର ଭାରତୀୟ ଚିତ୍ତ ତାହା ଗ୍ରହଣ କରି ନାହିଁ । ସେ ବୁଝେ ଯେ ପ୍ରକୃତି ଓ ମୁନୁଷ୍ୟ ପରସ୍ପରର ପରିପୂରକ । ମନୁଷ୍ୟ, ବିଶେଷତଃ ମନୁଷ୍ୟା ବା ନାରୀ ତା’ କଳ୍ପନାରେ ପ୍ରକୃତିର ଶ୍ରେଷ୍ଠତମ ବିକାଶ । ଫୁଲର କୋମଳତା ଓ ସୌରଭଠାରୁ ଝଡ଼ ଓ ଭୂମିକମ୍ପର ଅକରୁଣ ରୁଦ୍ରତା ପର୍ଯ୍ୟନ୍ତ ପ୍ରକୃତିର ସକଳ ବିଭାବ ସେ ନାରୀଠାରେ ସୂକ୍ଷ୍ମ ଆକାରରେ ପୁଞ୍ଜୀଭୂତ ଥିବାର ମନେ କରେ । ସେଇଥି ପାଇଁ ହିଁ, ସେ ଭାବେ ନାରୀ ଏପରି ଲୀଳାମୟୀ । ନାରୀ ସୁନ୍ଦରୀ ହୁଏ ସୃଜନ ପାଇଁ, ପୁଣି ଝଡ଼ ତୋଫାନ ହୁଏ ତା’ର ନିଜ ସୃଷ୍ଟ ସଂସାରକୁ ନିୟନ୍ତ୍ରିତ କରି ରଖିବା ପାଇଁ । ଶ୍ରୀକଣ୍ଠ ମନେ କରେ ଏଇ ଯେ ନାରୀ ଓ ତା’ର ଅନୁଚର ଓ ସାଥୀ, ପୁରୁଷ, ଏମାନଙ୍କର ଅନୁପସ୍ଥିତିରେ କୌଣସି ଚିତ୍ର ବା କଳା ସମ୍ପୂର୍ଣ୍ଣ ହୋଇ ନ ପାରେ । ସେଥିପାଇଁ ସେ ମୁସଲମାନୀ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପ୍ରତି ବିଗତସ୍ପୃହ । କଳା କେବଳ ଜ୍ୟାମିତି ଶାସ୍ତ୍ର ଉପରେ ପ୍ରତିଷ୍ଠିତ ଓ ମହମାନ୍ୱିତ ହୋଇ ନ ପାରେ । କେବଳ ରେଖା, ତ୍ରିକୋଣ, ଚତୁଷ୍କୋଣ, ବୃତ୍ତ, ଅର୍ଦ୍ଧବୃତ୍ତ ଦେଇ ଶିଳ୍ପ କିପରି ପ୍ରାଣବନ୍ତ ଓ ଗୌରବାନ୍ଵିତ ହୋଇପାରେ ସେ କଳ୍ପନା କରି ପାରେନା-। ଯଦି ଏ ଜଗତରେ ବିଧାତାର ପ୍ରକୃଷ୍ଟ ପ୍ରତୀକ କିଛି ଥାଏ ତେବେ ସେ ମନୁଷ୍ୟ ଓ ତା’ର ଲୀଳାମୟୀ ସଙ୍ଗିନୀ ନାରୀ ଏବଂ ଏ ଦୁହିଁଙ୍କର ପରସ୍ପର ପ୍ରତି ଓ ପରସ୍ପର ଭିତରେ ଯେଉଁ ମାନସିକ ଆକର୍ଷଣ ଓ ଦ୍ଵନ୍ଦ୍ୱ, ତାହାହିଁ । ଅଥଚ ମୁସଲମାନୀ କଳାରେ ମନୁଷ୍ୟ-ସଂସ୍କୃତିର ଏଇ ଚରମୋତ୍କୃଷ୍ଟ ବକାଶ ଓ ପ୍ରକାଶ ନିଷିଦ୍ଧ । କୌଣସି ଦ୍ରବ୍ୟ ବା ବ୍ୟକ୍ତି ମନୋରମ ହୋଇପାରେ, ଯେପରି ମୁସଲମାନୀ ସ୍ଥାପତ୍ୟର ଅନେକ କିଛି; କିନ୍ତୁ ତାହା ବୋଲି ତାହାକୁ ବରେଣ୍ୟ ବୋଲି ଗ୍ରହଣ କରାଯାଇ ନ ପାରେ । ଯାହା ମନୋରମ ତାହା ପରମ ନୁହେଁ । ପରମ ସେହି ଯାହା ମନୁଷ୍ୟର ଚରମତମ ସ୍ଵପ୍ନ ସବୁକୁ ଜୀବନ୍ତ ଓ ସୁନ୍ଦର କରି ପ୍ରକାଶ କରେ ସେହି ନର ଓ ନାରୀର ମାଧ୍ୟମରେ । ସେଇଥି ପାଇଁ ତ ରାମାୟଣ ଓ ମହାଭାରତ, ଉପନିଷଦଠାରୁ ମହତ୍ତର, କାରଣ ସେହି ବରେଣ୍ୟ ମହାକାବ୍ୟମାନଙ୍କରେ ଈଶ୍ୱର ଓ ଈଶ୍ୱରର ବାଣୀ ମନୁଷ୍ୟ ଓ ମନୁଷ୍ୟର ରକ୍ତ ମାଂସ ଦେଇ ପ୍ରକାଶ ଲାଭ କରିଛନ୍ତି ।

 

ତେଣୁ ଶ୍ରୀକଣ୍ଠ ସ୍କେଚ୍‍ଟି କରି ସାରି ମର୍ମେ ମର୍ମେ ଅତ୍ୟନ୍ତ ଅପୂର୍ଣ୍ଣତା ବୋଧ କରୁଥାଏ । ସେ ମର୍ମେ ମର୍ମେ ଖୋଜୁଥାଏ ସେହି ସୁନାର ପ୍ରତିମାଟି, ଏ ଚିତ୍ର ଯାହାର ଉପଯୁକ୍ତ ପୃଷ୍ଠଭୂମି ମାତ୍ର ହୋଇ ରହନ୍ତା । କିନ୍ତୁ ସେ ଯେ ଅଲଭ୍ୟ । ସେ ଯେ ଅନ୍ୟର । ସେ ପବିତ୍ର, ସରଳ, ଅବାସନାବିଦ୍ଧ, ଦୁର୍ଲଭ, ପରମ ବଷ୍ଣ । ଶ୍ରୀକଣ୍ଠ କେବଳ ଦୀର୍ଘ ନିଃଶ୍ଵାସ ଛାଡ଼ିବାକୁ ଲାଗିଲା । ଚିତ୍ରର ଉପାଦାନଗୁଡ଼ିକ ଧୀରେ ଧୀରେ ପୁଣି ସେ ସଜାଡ଼ି ରଖିଲା । ମନେକଲା ସେ ଦିନର ଧବଳେଶ୍ଵର ପଠାରେ ନଈ ଧାରରେ ଆଙ୍କିଥିବା ମଲ୍ଲିକାର ଛବି । ମନେ ମନେ ଆଶଙ୍କା ବି କଲା, ନ ଜାଣେ ସେହିଦିନ ପରି ଏଠି ଏ ଗାଁରେ ବା କିଛି ଅପ୍ରୀତିକର ଘଟିପାରେ । ବେଳ ହେଇ ଆସିଲାଣି । ବୋଲି ତାତି ଆସିଲାଣି । ସେ ଶ୍ୟାମସୁନ୍ଦରକୁ ତା’ର ଚିତ୍ରର ପୁଟୁଳାଟି ଦେଇ କହିଲା “ଚାଲ ତୋଟା ତୋଟାରେ ବୁଲି ଗାଁକୁ ଫେରିଯିବା ।”

 

ଶ୍ୟାମ ବାଟ କଢ଼େଇଲା । ଶ୍ରୀକଣ୍ଠ ପଛେ ପଛେ ଚାଲିଲା । ଭିନ୍ନ ଭିନ୍ନ ତୋଟାରୁ ଭିନ୍ନ ଭିନ୍ନ କୋଳି ଓ ଫଳ ସଂଗ୍ରହ ଓ ଭକ୍ଷଣ ବି ଚାଲିଲା, ପୂର୍ବଦିନ ପରି । ଶେଷରେ ସେମାନେ ପୁଣି ସେଦିନ ପରି ସ୍ୱାଇଁ ଘର ତୋଟାରେ ଆସି ପହଞ୍ଚିଲେ ।

 

ତୋଟାର ଏକ ଛୋଟ ଗାଡ଼ିଆ ପାଖରେ ଶ୍ୟାମସୁନ୍ଦର ତା’ର ଛୋଟ ବୋଝଟି ତଳେ ଥୋଇ ଦେଇ କହିଲା “ଶ୍ରୀକଣ୍ଠବାବୁ, ଆପଣ ଏଣେ ତେଣେ ବୁଲି ଦେଖନ୍ତୁ । ମୁଁ ଏଇ ସେଇଠୁ ଅସୁଛି ।” ଏହା କହି ଶ୍ରୀକଣ୍ଠର ଉତ୍ତରକୁ ଅପେକ୍ଷା ନ କରି ଦଉଡ଼ି ପଳାଇଗଲା ।

 

ଶ୍ରୀକଣ୍ଠ କିଛି ସମୟ ସେଇଠି ଠିଆ ହୋଇ ଏଣେ ତେଣେ ଅନାଇଲା । ଦେଖିଲା ଅଦୂରରେ ରଙ୍ଗଣୀ ଫୁଲର ଏକ ବୁଦା । ଅତି ସୁନ୍ଦର ରଙ୍ଗଣୀ ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟିଛି । ସେଠାକୁ ଗଲା । ଗୋଟିଏ ପେନ୍ଥା ଛିଣ୍ଡାଇ ଆଣି ବୁଲାଇ ବୁଲାଇ ଦେଖିଲା । ପୁଣି ଏଣେ ତେଣେ ଚାହିଁଲା । ତା’ପରେ ତା’ର ହଠାତ୍ ଏକ କୌତୂହଳ ଜାତ ହେଲା । ସେ ହଠାତ୍ ଚାଲିଲା ତୋଟାର ସେହି ରହସ୍ୟମୟ କୋଣ ଆଡ଼କୁ ।

 

ତାର ଚିତ୍ତ ସହସା ଉଦବେଗମୟ, ବିକ୍ଷୋଭିତ ହୋଇ ଉଠିଲା । ପଦ ଦ୍ଵୟ ବେଳେ ବେଳେ ମନ୍ଦୀଭୂତ, ବେଳେ ବେଳେ କ୍ଷିପ୍ର ହୋଇ ଉଠିଲା । ଅଜଣା ଆଶଙ୍କା ଓ ଆନନ୍ଦରେ ତା’ର ଚିତ୍ତ ଉର୍ମିଳ ହୋଇ ଉଠିଲା ଓ ପଡ଼ିଲା ।

 

ସେହି ବନସ୍ପତିର ତିରସ୍କରିଣୀ । ସେହି ଛୋଟ ଗଳି ବାଟ । ଚାରିଆଡ଼ ଶୂନ୍‍ଶାନ୍ । ସେହି ବାଟ ମୂଳେ ସେ ଠିଆ ରହିଲା । ଭୟ ହେଉଥାଏ ଆରପଟକୁ ପଶିଯିବାକୁ । ଜଗତର ସକଳ ରାଜା, ମହାରାଜା, ଡିକ୍ଟେଟରକୁ ଯେ ଆଙ୍ଗୁଠି ଦେଖେଇ ପାରନ୍ତା, ସେ ଭୟ କରେ କାହାକୁ ନା, ନନ୍ଦିଗାଁର ମୂର୍ଖ କଳ୍ପତରୁ ସ୍ଵାଇଁର ଗ୍ରାମ୍ୟକନ୍ୟା ସାବୀକୁ । ଅବଳାର କି ବିରାଟ ଜୟ ସତେ ! ଦୁର୍ଦ୍ଦାନ୍ତତମ ଯୋଦ୍ଧା ମଧ୍ୟ ଥରେ କେବଳ ତାରି ଆଗରେ ! ଫୁଲର ପାଖୁଡ଼ାଟିର ରକ୍ଷା ପାଇଁ ପ୍ରକୃତି କି ମଜାରେ ଓତପ୍ରୋତ ଭାବରେ ତାରି ଭିତରେ ଖଞ୍ଜି ଦେଇଛି ବଜ୍ରର ରୂଢ଼ତା ।

 

କିନ୍ତୁ ଶେଷରେ ଶ୍ରୀକଣ୍ଠ, ମନର ଆବେଗମୟ କୌତୂହଳକୁ ଆଉ ଦବାଇ ରଖି ପାରିଲା ନାହିଁ । ସେ ସାହସ କରି ଗଳି ବାଟରେ ପଶି ଗୁଳ୍ମର ପାଚେରି ଡେଇଁ ଆରପଟର ବିବିକ୍ତ ସ୍ଥଳରେ ଠିଆ ହୋଇଗଲା ।

 

ସେହି ଜାଗାର ଗୋଟିଏ ନିରୋଳା କୋଣରେ କିଆବୁଦାର ସ୍ନିଗ୍ଧ ଶୀତଳ ଛୟାରେ ଗୋଟିଏ କିଆଘୋଡ଼ି ଉପରେ ବସିଥିଲା ସାବିତ୍ରୀ । ସେ ହଠାତ୍ ଶ୍ରୀକଣ୍ଠକୁ ସେଠାରେ ଦେଖି ଠିଆ ହୋଇ ପଡ଼ିଲା, ଶଶବ୍ୟସ୍ତ ହୋଇ । ହାତରେ ତା’ର ଗୋଟିଏ ସଦ୍ୟ ତୋଳା କିଆଫୁଲ । ସେ ମୁହଁ ତଳକୁ କରି ଠିଆ ଇ ରହିଲା ।

 

ଶ୍ରୀକଣ୍ଠ ବାଟ ପାଖରୁ ଦୂରକୁ ଦୂରକୁ ଧୀରେ ଧୀରେ ଚାଲିଲା, ଯେପରି କି ସାବିତ୍ରୀ, ଯଦି ଇଚ୍ଛାକରେ, ତେବେ ସେ ସେଇ ବାଟ ଦେଇ କାଲିପରି ପଳେଇ ଯାଇପାରେ ।

 

ସାବିତ୍ରୀର ନାରୀଚିତ୍ତ ସହସା ଧରିନେଲା ଯେ ତା’ର ସେଦିନ ତୋଟାକୁ ଆସିବା ଓ ଫୁଲ ତୋଳି ଅପେକ୍ଷା କରିବା ସାର୍ଥକ ହୋଇଛି । ଶ୍ୟାମ ଓ ଶ୍ରୀକଣ୍ଠ ତୋଟାକୁ ଆସିବେ, ସେ ଅନୁମାନ କରି ନେଇଥିଲା । ଶ୍ରୀକଣ୍ଠ ସେଇ ବିବିକ୍ତ ସ୍ଥଳକୁ ଆସିବା ଯେ କେବଳ ତାରି ଆକର୍ଷଣରେ, ତା’ର ଆଉ ସନ୍ଦେହ ରହିଲା ନାହିଁ ଏବଂ ସେହି ନିଶ୍ଚିତତାରେ ସେ ଏକ ଗଭୀର ତୃପ୍ତି ଅନୁଭବ କଲା । କିନ୍ତୁ ଶ୍ୟାମ କାହିଁ ? ସେ ଯଦି ଦେଖେ ଏ ଦୁହିଁକୁ ଏପରି ଅବସ୍ଥାରେ ନ ଜାଣେ କି କାଣ୍ଡ ଘଟିବ । ଶୀଘ୍ର ପଳାୟନହିଁ ପ୍ରକୃଷ୍ଟ ପନ୍ଥା ।

 

ଶ୍ରୀକଣ୍ଠ ବାଟ ମୁହଁରୁ କିଛି ପାହୁଣ୍ଡ ଯାଇ ପୁଣି ପଛକୁ ଫେରି ଠିଆ ହେଲା । ଭାର ମନ ମଧ୍ୟ ଆଶଙ୍କାରେ ପୂର୍ଣ୍ଣ । ସେ ମଧ୍ୟ ଚାହିଁଲା ଯେ ସେ ବା ସାବିତ୍ରୀ କେହି ହେଲେ ସେଠାରୁ ପଳାଇଯାଉ । କିନ୍ତୁ ସେ ଯିବାପୂର୍ବରୁ ସେ ଦେଖିଲା ସାବିତ୍ରୀ ସେହି କିଆ ବାଡ଼ ଭିତରେ ଗୋଟିଏ ଗୁପ୍ତ ପଥ ଦେଇ ପଳାଇବାକୁ ବସିଲାଣି । କନ୍ତୁ ସେ ବାଟରେ କଣ୍ଟା । ସାବିତ୍ରୀ ପାଦେ ଦି’ପାଦ ପକାଇ କଣ୍ଟାର ଆଘାତରେ ଟଳମଳ ହେବାର ଦେଖି ଶ୍ରୀକଣ୍ଠ ତ୍ଵରିତ ଗତିରେ ତା’ ନିକଟକୁ ଧାଇଁଗଲା ଏବଂ ସାବିତ୍ରୀର ଡାହାଣ ହାତ ଧରି ପକାଇ “ମୋର ଜୋତା ଅଛି, ମତେ କଣ୍ଟା କାଟିବନି, ମୁଁ ପାର କରେଇ ଦଉଛି” କହି, ତାଠାରୁ କୌଣସି ଉତ୍ତର ପାଇବା ପୂର୍ବରୁ ତାକୁ ଟେକି ନେଇ ଆରପଟେ ଏକ ଧାନ ବିଲରେ ଛିଡ଼ା କରାଇଦେଲା ।

 

ପରସ୍ପରର ତରୁଣ ଦେହର ସ୍ପର୍ଶ ଲାଭ କରି ଉଭୟର ଦେହ ଓ ମନ ସେତେବେଳେ ବିମୂଢ଼ ଓ ବିମୁଗ୍ଧ । ସାବିତ୍ରୀର ମୁହଁ ଲଜ୍ଜାରେ ଲାଲ ହୋଇ ପଡ଼ିଛି । କେତୋଟି କ୍ଷଣ ଭିତରେ କ’ଣ ଯେ ଘଟିଗଲା, ସେ ଧାରଣା କରି ପାରୁନି । ଶ୍ରୀକଣ୍ଠ ମଧ୍ୟ ସେହି କିଆବାଡ଼ର କଣ୍ଟା ଭିତରେ ଠିଆ ରହିଛି । ସାବିତ୍ରୀ ବାଣବିନ୍ଧା ହରିଣୀ ପରି ହଠାତ୍ ଲେଉଟି ପଡ଼ିଲା । ବାଁହାତରେ ଧରିଥିବା କିଆଫୁଲଟିକି ଶ୍ରୀକଣ୍ଠ ଉପରକୁ ଫିଙ୍ଗି ଦେଲା ଏବଂ “ତମରି ପାଇଁ ତୋଳା” କହି ସେ ତ୍ଵରିତ ଗତିରେ କିଆବାଡ଼ ଉହାଡ଼ରେ ଉଭେଇଗଲା ।

 

ଶ୍ରୀକଣ୍ଠ ଫେରିଲା ବିମୂଢ଼ ବିକାରଗ୍ରସ୍ତ ପରି । କିଆଫୁଲର ପ୍ରତ୍ୟେକ ବିନ୍ଦୁକୁ ସେ ଆଘ୍ରାଣ ଓ ଚୁମ୍ବନ ଦେବାକୁ ଲାଗିଲା । ତା’ର ମସ୍ତିଷ୍କ ସେତେବେଳେ କୌଣସି କଥା ଚିନ୍ତା କରି ପାରୁ ନ ଥିଲା । ତା’ର ସମସ୍ତ ଚିନ୍ତା, ଶିକ୍ତ ସହସା ଯେପରି ଉଭେଇ ଯାଇଥିଲା । ସେ ବର୍ତ୍ତମାନ କେବଳ ଏକ ଅନୁଭବମୟ ଜୀବ । ତା’ର ଶରୀର ଓ ମନର ପ୍ରତ୍ୟେକ ବିନ୍ଦୁ ବର୍ତ୍ତମାନ ଏକ ଅନନୁଭୂତ ଆନନ୍ଦ ଅନୁଭବ କରିବାରେ ବ୍ୟସ୍ତ ।

 

ଗାଡ଼ିଆ ପାଖକୁ ଆସିବାରୁ ଶ୍ୟାମସୁନ୍ଦର କହି ଉଠିଲା “କୁଆଡ଼େ ଯାଇଥିଲେ ? ମୁଁ କେତେବେଳୁ ଆସି ଠିଆ ହେଇଛି । ଓଃ, ଫୁଲ ତୋଳୁ ଥିଲେ ? ଆପଣ କାହିଁକି କଣ୍ଟାବଣରେ ପଶିଲେ ? କେତେ ଫୁଲ ନେବେ, ମତେ କହନ୍ତୁ, ମୁଁ ତୋଳି ଦେବି ।”

 

ଶ୍ରୀକଣ୍ଠ କହିଲା “ନା, ନା, ମୋର ଆଉ ଫୁଲ ଦରକାର ନାହିଁ । ମୁଁ ଏଇ କିଆଫୁଲଟି ରଖୁଛି । ଏଇ ରଙ୍ଗିଣୀ ଫୁଲ ପେନ୍ଥାଟି ତମେ ନିଅ, ତମ ଅପାକୁ ଦେବ ।’’

 

(୧୭)

 

ନନ୍ଦିଗାଁର ପଞ୍ଚାୟତ ସଭା ବସିଛି । ପଞ୍ଚାୟତ କହିଲେ ପାଞ୍ଚ ଜଣ ବୁଝାଏ । କିନ୍ତୁ ଗାଁରେ, ସମଗ୍ର ଗାଁକୁ ଛାଡ଼ି କୌଣସି ଭିନ୍ନ କ୍ଷୁଦ୍ର ଗୋଷ୍ଠୀ କେବେ ନ ଥାଏ । ଯାହା କରାହେବ, ସମଗ୍ର ଗାଁ ଏକାଠି ବସି କରିବେ । ନାମ କିନ୍ତୁ ସେଇ ପଞ୍ଚାୟତ । ବୈଠକିର ସ୍ଥାନ ଭାଗବତ ଘର, ନ ହେଲେ ଗାଁ ଦେଉଳର ମଣ୍ଡପ, ନଚେତ୍‍ ଗାଁ ଠାକୁରାଣୀ ବରୁଣେଇଙ୍କ ଉପରେ ଥିବା ଝଙ୍କା ବର-ଅଶ୍ଵତ୍ଥ ଗଛର ଛାଇ । ଆଜିର ଅଧିବେଶନଟି ଶେଷୋକ୍ତ ସ୍ଥାନରେ ବସିଛି । ଜାଗାଟି ବରାବର ସଫା-ସୁତୁରା ଥାଏ । ଭକ୍ତ ଓ ଭକ୍ତାମାନେ ଠାକୁରାଣୀଙ୍କ ଆସ୍ଥାନଟିକୁ ସପ୍ତାହର କୌଣସି କୌଣସି ବାରରେ ଆସି ସଫା କରି ନିପାପୋଛା କରିଦେବା ନିଜ ନିଜ ମାନସିକର ଏକ ଅଂଶ ବୋଲି ଧରି ନେଇଥାନ୍ତି । ସେଇଥିରେ ଜାଗାଟି ସବୁବେଳେ ପରିଷ୍କାର ରହେ । ଠାକୁରାଣୀ ପ୍ରକୃତରେ କିଏ କେହି ଜାଣନ୍ତି ନାହିଁ । ମାଟିର ଓଟ, ଘୋଡ଼ା, ହାଣ୍ଡି, କୁଣ୍ଢେଇ ବିଶୃଙ୍ଖଳ ଭାବରେ ଜମା ହୋଇଛି । ସମସ୍ତଙ୍କ ମୁଣ୍ଡରେ ତେଲ, ହଳଦୀ, ସିନ୍ଦୂର । ସରଳ ଗ୍ରାମବାସୀ ଓ ଗ୍ରାମବାସିନୀ ସେହି ସମଗ୍ର ପୌତ୍ତଳିକ ସମାହାରକୁ “ମା ବରୁଣେଇ” କହି ସାଷ୍ଟାଙ୍ଗ ପ୍ରଣିପାତ କରିଥାଏ । କି ମୂର୍ଖତା, ଅଥଚ କି ଗଭୀର ଅଜିଜ୍ଞାସ୍ୟ ବିଶ୍ୱାସ । ଛୋଟ, ବଡ଼, ନାରୀ-ପୁରୁଷ, ଗ୍ରାମର ପ୍ରତ୍ୟେକଙ୍କର ଧାରଣା ଯେ ରାତି ହେଲେ, ଠାକୁରାଣୀଙ୍କ ହାତୀ, ଘୋଡ଼ା, ଓଟଗୁଡ଼ିକ ପୋଖରୀରେ ଯାଇ ପାଣି ପିଅନ୍ତି ଓ ଠାକୁରାଣୀ ଏଇମାନଙ୍କ ଉପରେ ବସି ରାତିଯାକ ଗାଁ ବୁଲି ବୁଲି ଲୋକଙ୍କ ଦୁଃଖସୁଖ ବୁଝନ୍ତି ।

ବରଗଛ ଓ ତା’ ତଳେ ଠାକୁରାଣୀଙ୍କ ଆସ୍ଥାନ, ପୋଖରୀର ପୂର୍ବପଟ ପ୍ରଶସ୍ତ ହୁଡ଼ା ଉପରେ । ପଶ୍ଚିମ ପଟେ ଗାଧୁଆ ତୁଠ, ଆଉ ଦି ପାଖେ ତୋଟା ଓ ଧାନ ବିଲ । ପୋଖରୀଟି ପଦ୍ମର ବଣ । ଭୋଜି ପାଇଁ ପଦ୍ମପତ୍ର ଅତି ପ୍ରଶସ୍ତ । ପ୍ରତିବର୍ଷ ଖରାଦିନେ ଯେଉଁ ବାର୍ଷିକ ଜଳାନ୍ତି ହୁଏ, ସେଥିପାଇଁ ପୋଖରୀର ମାଛ ବି କାମରେ ଆସେ । ତେଣୁ ଏଇ ପୋଖରୀ କୂଳରେ ଗାଁର ଭୋଜି ଭାତ କରିବାକୁ ଅଧିକା°ଶହିଁ ପସନ୍ଦ କରନ୍ତି ।

ବରଗଛଠାରୁ ଟିକିଏ ଦୂରରେ ଲମ୍ବା ଖନ୍ଦା ଖୋଳା ହୋଇ, ଭାତ, ଡାଲି, ଆମ୍ବିଳ, ମହୁର ବସିଯାଇଛି । ସବୁଦ୍ରବ୍ୟ ଠିକଣା ହୋଇଯିବା ଉପରେ । ଗାଁର ଲୋକେ ଜଣ ଜଣ ହୋଇ ପ୍ରାୟ ସମସ୍ତେ ଆସିଗଲେଣି । ପ୍ରଭୁପାଦ, ତା’ର ବାପା ଓ ଶ୍ରୀକଣ୍ଠ ମଧ୍ୟ ଉପସ୍ଥିତ । ଶ୍ରୀକଣ୍ଠ ଇତିମଧ୍ୟରେ ଦୁଇ ତିନୋଟି ‘ସ୍ନାପ୍‍’ ନେଇ ସାରିଲାଣି । ବଡ଼ ସାନ ସମସ୍ତଙ୍କର ଉଦବେଗ ଓ ଆଶା ନିଜର ‘ଫୋଟ୍‍’ କିପରି ଉଠିବ । ଶ୍ରୀକଣ୍ଠ ସମସ୍ତଙ୍କୁ ସାନ୍ତ୍ଵନା ଓ ଆଶ୍ଵାସନା ଦେବାରେ କୁଣ୍ଠାବୋଧ କରୁ ନାହିଁ ।

ସମସ୍ତେ ଯେତେବେଳେ ବସିଗଲେ ଆମର ସେହି ପୂର୍ବ ପରିଚିତ ପାନରା ଆରମ୍ଭ କଲା–“ହଜୁରମାନେ, ପଞ୍ଚୁ ପରମେଶ୍ଵରଙ୍କୁ ଗୁହାରି କରି ଜଣାଉଛି, ନରୀ ସାହୁକୁ କୁଳରେ ମିଶାଯାଉ । ନରୀ ସାହୁର ଦୋଷ ନାହିଁ । ମୁଁ ସେ ସମ୍ବନ୍ଧ କରେଇଛି । ଯାହା ଦୋଷ ମୋର । ମତେ ଯାହା ଦଣ୍ଡ ହେବାର ହେଉ । ନରୀ ସାହୁ ଅକୁଳରେ ଭାସୁଛି । ତାକୁ କୁଳ ଦିଅନ୍ତୁ ।’’ ଏହା କହି ପାନରା ଯୋଡ଼ ହସ୍ତରେ ଠିଆ ରହିଲା ।

ସବୁ କଥା ଜଣାଥିଲେ ମଧ୍ୟ ପଞ୍ଚାୟତରେ ନିଶାପ ହେଲାବେଳେ ପଞ୍ଚୁ ପରମେଶ୍ୱର କିଛି ନ ଜାଣିଲା ପରି ବ୍ୟବହାର କରିଥାନ୍ତି । ଦୋଷୀଙ୍କଠାରୁ ପ୍ରଶ୍ନୋତ୍ତର ଛଳରେ ସମସ୍ତଙ୍କ ଆଗରେ କଥାଟା ପୂର୍ବାପର ଅନୁକ୍ରମରେ ବାହାର କରିବାକୁ ହୁଏ । ସମସ୍ତେ ପାନରାର କଥା ଶୁଣିଲେ । ଅନେକ ବେଳଯାଏଁ ସଭା ନିସ୍ତବ୍ଧ ରହିଲା । ତା’ପରେ ଗୋଟିଏ ଦୁଇଟି ଗଳାଖଙ୍କାର ଶୁଣାଗଲା । ତା’ପରେ କେହି ଜଣେ କହିବାର ଶୁଣାଗଲା “କ’ଣ ଦଳେଇ, ଯାହା ପଚାରିବାର ପଚାରୁନା କାହିଁକି ? ଡେରି ହୋଇ ଯାଉଛି ପରା ।’’ ଦଳେଇ କହିଲେ ‘‘ତମେ ପଚାରୁନା କାହିଁକି ! ନ ହେଲେ ବିଶୋଇ ପଚାରନ୍ତୁ ।’’

ଏଇପରି କିଛି ସମୟ ଖେଞ୍ଚାଖେଞ୍ଚିରେ କଟିଗଲା ପରେ, ଗଙ୍ଗା ଦଳେଇ ସାହସ କରି ପଚାରିଲା–“ଆଚ୍ଛା, ନରୀ ସାହୁଙ୍କ କଥା ନରୀ ସାହୁ କହନ୍ତୁ । ସେତ ଏଠି ଉପସ୍ଥିତ ଅଛନ୍ତି । ନ ଥାନ୍ତେ କି, ତାହେଲେ ସିନା….”

ପାନରା ସେଇମିତି ଠିଆ ହୋଇ ଉତ୍ତର ଦେଲା “ଆଜ୍ଞା, ଆପଣମାନେ ତ ଜାଣନ୍ତି ନରୀ ସାହୁ ନନ୍ଦର-ଛନ୍ଦର କରିବା ଲୋକ ନୁହନ୍ତି । ଓଲାଆସିଆ ଲୋକ । ଏ ସଭାରେ ପଞ୍ଚ ମହାଜନ ଆଗରେ କଥା ହେବାକୁ ତାଙ୍କ ପାଟିରେ ଖନି ବାଜିବ । ମତେ ତେଣୁ ତାଙ୍କ ପାଇଁ ଜବାବ ଦେବାକୁ ହେବ । ମୁଁ ତ ଆଗରୁ କହିଛି, ମୁଁ ଇ ପ୍ରକୃତରେ ଦୋଷୀ । ନରୀ ସାହୁଙ୍କର ଦୋଷ, ଏଥିରେ କିଛି ହେଲେ ନାହିଁ ।”

ସଭାର ପଛ ଧାଡ଼ିରେ କାହିଁ ଲୁଚି ବସିଥିଲା କମ୍ଭୁ ସ୍ୱାଇଁ । ଗାଁର ପ୍ରକୃତ ଓଲୁ ଓ ଜଡ଼ା ସେହି । କେତେବେଳେ, କାହାକୁ, କ’ଣ ସେ କହେ ତା’ର ଠିକଣା ନ ଥାଏ । ଲୋକେ ମଜା ପାଇବା ପାଇଁ ବେଳେ ବେଳେ ତାକୁ ମିଛରେ ରଗାଇ ଦିଅନ୍ତି । କିନ୍ତୁ ସ୍ଵାଇଁ ଖାଲି, ୟାକୁ, ତାକୁ, ଓ ସମଗ୍ର ଗାଁକୁ ଶ୍ଳୀଳ, ଅଶ୍ଳୀଳ ସର୍ବଭାଷାରେ ଅର୍ଥହୀନ, ସଙ୍ଗତିହୀନ ଶବ୍ଦାବଳି ଭିତର ଦେଇ ବକିବାକୁ ଆରମ୍ଭ କରେ । ଏଇ କମ୍ଭୁ ସ୍ଵାଇଁକୁ କିନ୍ତୁ ଥରେ ଗ୍ରାମବାସୀ ମାତ୍ର ଆଠଅଣା ଜୋରିମାନା କରିଥିଲେ, ଦେଉଳ ପୋଖରୀରୁ ମାଛ ଧରୁଥିବା ଅପରାଧରେ । ଅନେକ ଦିନ ଯାଏଁ ଜୋରିମାନା ଦେଲାନି । ଗାଁର ଟୋକାଏ ଓ ବେଳେ ବେଳେ ବୁଢ଼ାଏ ମଧ୍ୟ ତାକୁ ରଗେଇ ରଗେଇ ଜୋରିମାନା ମାଗି ବସିଲେ କମ୍ଭୁ ସ୍ଵାଇଁ ପିଣ୍ଡା ଉପରୁ ଦାଣ୍ଡ ମଝିକି ଡେଇଁ ପଡ଼ି ହାତ ଗୋଡ଼ ଛିଞ୍ଚାଡ଼ି, ପାଟିକରି ସମଗ୍ର ଗାଁକୁ ବୀଭତ୍ସ ଅଶ୍ଳୀଳ ଭାଷାରେ ଗାଳି ଦେଇ ପ୍ରତ୍ୟାଖ୍ୟାନ କରେ । “ଦେଖାଯାଉ କେଉଁ ଶ–ମୋଠୁ ଜରିମାନା ନେବ”–ଏହ କଥାତକ ବାରମ୍ବାର ତା’ ପାଟିରୁ ଶୁଣା ଯାଉଥାଏ, ପଛର ଚୁଟି ଝୁଲି ପଡ଼େ, ମୁଖ-ମଣ୍ଡଳର ମାସେ-ପନ୍ଦର ଦିନର ଅଖିଅର ଦାଢ଼ି ନିଶ ଟାଙ୍କୁରି ହେଲା ପରି ଜଣାପଡ଼େ, ପାଟିର ଧାର ଦେଇ ଚୂନପତ୍ରର ଲାଳ ବୋହି ପଡ଼ୁଥାଏ, କମ୍ଭୁ ସ୍ଵାଇଁ ସେଇ ଲାଳ ଓ ଆଖିର ଲେଞ୍ଜରା ପୋଛି ଲାଗିଥିବ, ସେଣେ ବକି ଲାଗିଥିବ, ପିଣ୍ଡାରେ ପିଣ୍ଡାରେ ଗ୍ରାମବାସୀ ବସି ଦେଖି ଦେଖି ହସୁଥାନ୍ତି ।

ସେଇ କମ୍ଭୁ ସ୍ଵାଇଁ ବର୍ତ୍ତମାନ ଠିଆ ହୋଇପଡ଼ି କହିବାକୁ ଆରମ୍ଭ କଲା–

‘ଶ–ଆମେ ଦୋଷ କଲେ ମାଇପ ନାକରୁ ଗୁଣା ବିକିବାଯାଏଁ କଥା ଯାଉଚି । ଆଉ, ଆଉ କିଏ ଦୋଷ କଲେ, ତା’ ପାଇଁ ଆଉ ଜଣେ ଜବାବ ଦେବ । କଇଁଶି କାକୁଡ଼ି ମୁଣ୍ଡରେ ପିତା, ନାଁ, ଛ ବୋହୂଙ୍କର ଛଅ ଘଇତା । ଗାଈ ଗଲା ନାଳେ ନାଳେ, ନାଥିଆ ମାଆର ନାତି ବିଭା ହେବ, କଖାରୁ ଝୁଲୁଛି ଚାଳେ । ଧାନ ହେଲା ଟଙ୍କାକୁ ୪ ଗୌଣୀ, ସେଥିରୁ ଅଗାଡ଼ି କେତେ, ଗୋଡ଼ି କେତେ ଯିବ, ଆଉ ଚାଉଳ କେତେ ହେବ । ମଜୁରି ମିଳିବାକୁ ନାହିଁ, ଗାମୁଛା ଖଣ୍ଡକ ମୂଲ ହେଲା ବାରଣା । ଖାଇବ କେତେ ପିନ୍ଧବ କେତେ । ରାଇଜରେ କ’ଣ ଆଉ ଧର୍ମ ଅଛି ? ଶ–ବଉଳାଗାଁର ଶମ୍ଭୁଆ ପୁଣି ଗୋଟେ ପିଅନ ହେଇଛି ଯେ, କାଆଲି ଶ–ଭିକ ମାଗୁଥିଲା, ଆଜି ବେତ ଧରି ଆମପାଖକୁ ଖଞ୍ଜଣା ମାଗି ଆଉଛି । କାଳ ସତେ କ’ଣ ହେଲା । ପଞ୍ଚୁ ପରମେଶ୍ୱର ବସିଛନ୍ତି, ତା’ର ବିଚାର ହେଉ–ସବୁ କଥା ପଡ଼ୁ । ଆଉ, ଜଣେ ଦୋଷ କରିବ, ଆଉ ଜଣେ ଦଣ୍ଡ ପାଇବ କିଆଁ ? ନହେଲେ ଏ ପୁଅ, ଆଉ ଗାଁବାଲାଙ୍କ କଥା ଶୁଣିବାକୁ ଯାଉଛି ।’’

ସଭାରେ ହାସ୍ୟରୋଳ ବହୁତ ବେଳୁ ଉଠିଲାଣି । କମ୍ଭୁ ସ୍ଵାଇଁ ବନ୍ଦ ହେବାରୁ ହାସ୍ୟରୋଳ କ୍ରମେ ମନ୍ଦୀଭୂତ ହେଲା, କିନ୍ତୁ ଚାଲିଲା କିଛିକ୍ଷଣ । ତା’ପରେ ଗଙ୍ଗା ଦଳାଇ ପାଟି କରି କହିଲା, “କ’ଣ କହୁଛ ତମେ କମ୍ଭୁ ସ୍ଵାଇଁ । କଥା କ’ଣ ପଡ଼ିଛି, ଅଉ ଗାଈ କ’ଣ ନାଳେ ନାଳେ ଗଲା, ଧାନ କ’ଣ ଟଙ୍କାରେ ଚାରିଗୌଣୀ ହେଲା, ତାକୁ ୟାକୁ ସମ୍ପର୍କ କ’ଣ; ବୁଢ଼ାଟିଏ ହେଲଣି, କ’ଣ ତମେ କହୁଛ କହିଲ ।”

କମ୍ଭୁ ସ୍ଵାଇଁ ତ ବସି ନ ଥିଲା । ସେଇମିତି ଠିଆ ହୋଇଥିଲା । ସେ ବର୍ତ୍ତମାନ ପୁନର୍ବାର ବକିବାକୁ ଆରମ୍ଭ କଲା–“ତୁ ଗଙ୍ଗା ଦଳେଇ, ତୁ ଏକା ଏ ଗାଁରେ କଥା କହି ଜାଣୁ; ଭାରି ଗୋଟେ ମାମଲତକାର ହେଇଛୁ ଏବେ । ଶିଳଶିଳୁପା ଗଗନେ ଉଡ଼ୁଛନ୍ତି ନା ଶିମୁଳି ତୁଳା କହୁଛି ମତେ ରଖ-। ନାହିଁ ମାମୁଁଠାରୁ କଣା ମାମୁଁ ଭଲ । କାଲିକା ଯୋଗୀ ମୁଣ୍ଡରେ ଜଟ । କଟକରୁ ବାବୁମାନେ ଆଇଛନ୍ତି । ଏ ଗୋଟିଏ କଥା କାଇଁକି, ଗାଁର ସବୁ ନିଶାପ ପଡ଼ୁ । ଘଇତା ନାଁ ଭଗିଆ, ନାଁ, ମାଈପ କହୁଥେ ନଗିଆ ନଗିଆ ।’’

ଶ୍ରୀପତି ସାହୁଙ୍କ ସ୍ଵର ଏବେ ଶୁଣାଗଲା । କମ୍ଭୁ ସ୍ଵାଇଁ ଗାଁରେ କାହାକୁ ଯଦି ମାନେ ତେବେ ସେ ହେଉଛି ଶ୍ରୀପତି ସାହୁ । ବେଳେ ବେଳେ ସେ ଶ୍ରୀପତିଘରକୁ ଯାଇ ପୁରାଣର ଗପ ବି ଶୁଣେ । ସେତେବେଳେ ତା’ର ଅବଚେତନ ମନରେ ଐହିକ ଓ ପାରତ୍ରିକ ଦାୟିତ୍ଵ ନେଇ ସଜ୍ଞତା ଜାଗିଉଠେ-। “ଶ୍ରୀପତି ଭାଇ, ବିଧାତା କର୍ମଦୋଷରୁ ମୁରୁଖ ପାଷଣ୍ଡ କରି ଜନ୍ମ ଦେଇଥିଲା । ଗାଈ ଘୁଷୁରି ଜୀବନ କଟେଇଲେ । ତୋରି ପାଖକୁ ଆସିଲେ ହେଲେ ଥରେ ଥରେ କାନରେ ହରିନାମ ବାଜି ଯିବ-।” କମ୍ଭୁ ଏହା ବାରମ୍ବାର କହେ ।

ଶ୍ରୀପତି କହିଲା–“ଦଳେଇଏ, କମ୍ଭୁ ସ୍ୱାଇଁ ଯାହା କହୁଛନ୍ତି, ହସି ଉଡ଼େଇ ଦିଅନା । ସ୍ଵାଇଁଏ, ତମେ ବସ । ଏ ପରା ପଞ୍ଚୁ ପରମେଶ୍ଵର ବିଜେ କରିଛନ୍ତି । ଏଠି ଆଉ ଅପଭାଷା କହିଲେ ହବ ନା ? ଆଉ, ନରୀ ସାହୁ, ତମପାଇଁ ପାନରା କହିବ, ଏଟା କ’ଣ ସୁନ୍ଦର ଦିଶୁଛି । ଯାହା ଦି ପଦ ତମର କହିବାର ଅଛି ଗ୍ରାମବାସୀଙ୍କ ଆଗରେ ଠିଆହୋଇ କହିଦିଅ । ଏକା ଥରକେ କଥା ଛିଣ୍ଡିଯାନ୍ତା ।’’

ବର୍ତ୍ତମାନ ଦାମ ନାଏକ, ମଧୁ ବିଶ୍ଵାଳ, ଅପର୍ତ୍ତି ବେହେରା, ସମସ୍ତେ କହି ଉଠିଲେ “ଠିକ୍ ଠିକ୍ କଥା । ସାହୁଏ, ଯାହା କହିବାର ଅଛି, କହି ଦିଅ ଦିପଦ । ରାତି ହେଇ ଯାଉଛି । ପିଲାଗୁଡ଼ାକ ଢୁଳେଇବାକୁ ବସିଲେଣି ।’’

ଅସଲ କଥା ହେଉଛି, ଆଜି ଯେ ପାନରା ନାରୀ ସାହୁର ଓକିଲ ହୋଇ ଠିଆ ହୋଇଛି, ତାହା ସମ୍ପୂର୍ଣ୍ଣତଃ ଗଙ୍ଗା ଦଳେଇର ସଲାର ଫଳ ମାତ୍ର । ନରୀ ସାହୁ ଗଙ୍ଗା ଦଳେଇକି ହାତକରି, କିଛି ହାତ-ସାଉଁଳା ଦେଇ, ଗାଁଲୋକଙ୍କ ଆଗରେ ଦୋଷ ମାଗିବାର ଅପମାନରୁ ରକ୍ଷା ପାଇବା ପାଇଁ ଏତକ ବ୍ୟବସ୍ଥା କରିଥିଲା । ବିଚାରା ପାନରା ସାଧାସିଧା ଲୋକ । ସେ ପ୍ରକୃତରେ ନରୀ ସାହୁକୁ ସାହାଯ୍ୟ କରିବା ପାଇଁ ଏ ପ୍ରସ୍ତାବରେ ସହଜରେ ମଙ୍ଗି ଯାଇଛି । କିନ୍ତୁ ବୋକା କମ୍ଭୁ ସ୍ଵାଇଁର ନିରୀହ ନିର୍ଦ୍ଦୋଷ ପ୍ରତିବାଦରେ ସମସ୍ତ ଚାତୁର୍ଯ୍ୟ ଫସର ଫାଟିଗଲା । ନରୀ ସାହୁ ନିତାନ୍ତ ଅନିଚ୍ଛାରେ ମୁଣ୍ଡକୁ ତଳକୁ ପୋତି ଠିଆ ହେଲା କରଯୋଡ଼ି ! ଧୀରେ ଧୀରେ ଭୂଇଁକି ଅନାଇ ସମସ୍ତଙ୍କୁ ଶୁଣାଇ ଶୁଣାଇ କହିଲା “ଗ୍ରାମବାସୀମାନେ ମତେ ଫେର୍ କୁଳରେ ମିଶାନ୍ତୁ । ଏକାଠି ବସି ମୋ ଭୋଜିଭାତ ଗ୍ରହଣ କରନ୍ତୁ । ମୋ ପିଲାକୁ ପଞ୍ଚୁ ପରମେଶ୍ୱର ଆର୍ଶୀବାଦ କରନ୍ତୁ । ଏଇ ମୋର ଜଣାଣ । ପାନରା ତ ଆମ ଗାଁ ମନିଷ । ସେଇ ସବୁ କରେଇଛନ୍ତି । ଆଉ ସବୁ କଥା ତାଙ୍କୁଇ ପଚାରିଲେ ସେ କହିବେ ।’’ ୟା ପରେ ନରୀ ସାହୁ ତୁନି ରହିଲା । ପାନରା ପୁଣି କହିଲା । ‘‘ହଜୁରମାନେ, ପରହିଂସିକାରେ ନରୀ ସାହୁ ଦଣ୍ଡ ପାଉଛି । ସାବେରୀ ଗାଁର ମୁକୁନ୍ଦ ପଲେଇ ଭଲ ଜାତି । ମୁଁ ଏତେବର୍ଷ ଅପଣମାନଙ୍କ ସେବାକଲି । ଶେଷରେ କ’ଣ ଜାଣି ଜାଣି ଆପଣମାନଙ୍କ କୁଳ ବୁଡ଼େଇଥାନ୍ତି ? ହଁ, ମୁକୁନ୍ଦ ପଲେଇ ପାନ ବ୍ୟବସାୟ କରେ ସତ । କିନ୍ତୁ ଆଜିକାଲିତ ବ୍ରାହ୍ମଣେ ଗୋରୁଚମ ବ୍ୟବସା କରୁଛନ୍ତି । ଜୋତା ତିଆର କରି ବିକୁଛନ୍ତି, ମାଛ ବିକୁଛନ୍ତି । ଆଉ ମୁକୁନ୍ଦ ପଲେଇ ଖଣ୍ଡେଇତ ହେଇ ପାନ ବ୍ୟବସାୟ କଲେ କି ପାପ ହେଇଗଲା, ବୋଲନ୍ତୁ । ସେ ପାନ କ’ଣ ମୁଣ୍ଡରେ ବୋହି ବିକେ, ନା ଦୋକାନରେ ବସି ବିକେ, ଅମରି ପରି ? ଅମେ ଜାତି ପାନରା, ଆମେ ତାହା କରୁ । କିନ୍ତୁ ମୁକୁନ୍ଦ ପଲେଇ ତ ତାହା କରେନା । ସେ ପାନର ବ୍ୟବସା କରେ । ଗାନ୍ଧି ମହାତ୍ମା ତ କହିଲେଣି ହାଡ଼ି-ବ୍ରାହ୍ମଣଙ୍କର ଭେଦ ଆଉ ରଇବ ନାହିଁ, ସମସ୍ତେ ନିଜ ନିଜ ଧୋବା ଓ ମେହେନ୍ତର ହେବେ । ଆଉ ଖଣ୍ଡେଇତ ପାନ ବ୍ୟବସା କଲା ବୋଲି ଧରିଲେ ଚଳିବ ନା ?”

ସଭାରେ ସମସ୍ତେ ପାନରାର ବକ୍ତୃତା ଶୁଣିଲେ । କିଛି ସମୟ ଚାରିଆଡ଼େ ନିସ୍ତବ୍ଧତା ଦେଖାଗଲା । ତା’ ପରେ ପାନରା ପୁଣି କହିଲା–“ଅପଣମାନେ ଜାଣନ୍ତି ତ ନରୀ ସାହୁ ମୋର ସଙ୍ଗାତ ବନ୍ଧୁ । ମୁକୁନ୍ଦ ପଲେଇ ବି ମୋର ବହୁ ଦିନରୁ ଜଣାଶୁଣା । ତାଙ୍କର ବଡ଼ ପୁଅଟି ପାଇଁ ଭଲ ଖଣ୍ଡାଏତ ଘରୁ ଗରିବ ହେଉ ପଛେ, ଡଉଲ ବୋହୂଟିଏ ପାଇଁ ସେ ମତେ ଅନେକ ଦିନରୁ କହିଥିଲେ । ଯେତେବେଳେ ଦେଖା ହେଲେ ପଲେଇଏ କହନ୍ତି “ପାନରେ, ଏତେ ଗାଁ ବୁଲୁଛ ଭଲ ଘରରୁ ଭଲ ବୋହୂଟିଏ ଆଣିଦିଅ ଆମକୁ ।’’ ସେଇ କଥା ମୋର ମନେ ଥିଲା । ନରୀ ସାହୁଙ୍କ ଝିଅ ତ ମୋ ଝିଅ ପରି । ସେ ସେଠି ଭଲରେ ରହିବ ବୋଲି ମୁଁ ଇ ଯୁଟେଇ ଦେଲି । ନରୀ ସାହୁର ଦୋଷ କିଛି ମାତ୍ର ନାହିଁ ।’’

“ହେଲେ ପାନରା”, ଅପର୍ତ୍ତି ନାଏକ କହିଲା (ଯିଏ ନିଜ ଝିଅ ପାଇଁ ଏ ସମ୍ବନ୍ଧ ହେଇଥିଲେ ମହାଖୁସି ହୋଇଥାନ୍ତା) “ହେଲେ ପାନରା, ଆମେ ଗଞ୍ଜାଠୁ ଗୁରୁବାଇ ଯାକେ ଏ ଭୂମଣ୍ଡଳରେ ସିନା ବନ୍ଧୁ ବାନ୍ଧବ କରୁ । ତେଣିକି କିଏ କି ଜାତି, ହାଡ଼ି କି ପାଣ, ଆମେ କିମିତି ଜାଣିବୁ ? ଆମର ତ ସେଣିକି ଚଳନ ନାହିଁ । ଏ ଅଚଳଣି କାମ ତମେ କରି ବସିଲ । ଏଟା କ’ଣ ଭଲ ହେଲା ?”

ପାନରା କହି ଉଠିଲା–“ଆହେ ନାଏକେ, ତମେ ତ ଏ ନନ୍ଦିଗାଁ କିଆଘୋରଡ଼ି ଆରପଟେ କ’ଣ ଅଛି ଜାଣିଲନି । ଏ ବାବୁମାନେ.....

ଅପର୍ତ୍ତି ଗର୍ଜି ଉଠିଲା–“ଗ୍ରାମବାସୀମାନେ ଶୁଣନ୍ତୁ । ଏ ପାନରା ହେଇ କରି ମତେ କିଆଘୋରଡ଼ି କଥା ପୁଣି ଉଘେଇବ ! କଥା ପଡ଼ିଛି କ’ଣ, କଥା କୁହା ହେଉଛି କ’ଣ । ନ ହେଲା ଆମେ ଭୋଜିଭାତ ନ ଖାଇଲୁ । କ’ଣ ଭାତ ଗଣ୍ଡେ ପାଇଁ ଜାତି ଯିବ ?”

ଅପର୍ତ୍ତି ବର୍ତ୍ତମାନ ଅଣ୍ଟାରେ ଗାମୁଛା ଗୁରେଇ, ଠେଙ୍ଗାଟାକୁ ଭୂଇଁରେ ବାରମ୍ବାର ବାଡ଼େଇ, ଅନିଚ୍ଛୁକ ପୁଅ କୁରୁପାଟାକୁ ଓଟାରି ଓଟାରି “ଆ ଆରେ ପୁଅ, ଏଠୁ ଚାଲିଯିବା’’ କହିବାରେ ଲାଗିଲା । ସଭାରେ ଭୀଷଣ ଗୁଞ୍ଜନ । ପାନରା ବସି ପଡ଼ିଲାଣି । ଅବସ୍ଥା ସଙ୍ଗୀନ । ଠିକ୍ ମୁହୂର୍ତ୍ତ ଦେଖି ପ୍ରଭୁପାଦର ବାପା ଠିଆ ହୋଇପଡ଼ି, ସମସ୍ତଙ୍କୁ ଚୁପ୍‍ ହେବାକୁ କହିଲେ ଓ ଅପର୍ତ୍ତିକୁ ବାରମ୍ବାର ଅନୁରୋଧ କଲେ ବସି ପଡ଼ିବାକୁ । ଅପର୍ତ୍ତି ବସିଲା, କିନ୍ତୁ ଗର୍ଜୁଥାଏ । ବାଡ଼ିଟାକୁ ଭୁଇଁରେ ବାରମ୍ବାର ପିଟୁଥାଏ ।

ପ୍ରଭୁପାଦର ବାପା କହିଲେ “ଶୁଣ ଭାଇମାନେ ପାନରା ଆମର ନିଜର ଲୋକ । ଜ୍ଞାନୀ ଲୋକ । ସାଧୁ ଲୋକ । ସେ ମଲା ମାଛିକି ମ କହିବା ଲୋକ ନୁହେଁ । ଅପର୍ତ୍ତି, ପାନରା ଆଦୌ ଖରାପ କଥା କହନି । ସେ କହୁଛି ଯେ ସେ ପାନ ବିକି ବିକି ବହୁତ ଗାଁ, ବହୁତ ଲୋକ ଦେଖିଛି, ଆଉ ଆମେ ଏଇ ନନ୍ଦିଗାଁରେ ପଡ଼ି ରହିଛେ । ଏଥିରେ ଖରାପ କ’ଣ କହିଲା ସେ ?’’

ସଭା ସ୍ତବ୍ଧ ହେଲା । ଅପର୍ତ୍ତି ଶାନ୍ତ । ‘‘ବର୍ତ୍ତମାନ ସବୁ କଥା ତ ଶୁଣିଲ । ରାତି ହେଇ ଯାଉଛି । ସେଦିନ ତ କଥା ଠିକ୍ ହୋଇଥଲା । ଆଜି ଫେର୍‍ ଖୋଳିତାଡ଼ି ସେଇ କଥା ପକେଇବା ଦରକାର ନାହିଁ । ନରୀ ସାହୁ ତ ଦୋଷ ମାଗି ନେଲେଣି । ପତ୍ର ସେଣେ ପଡ଼ିଲାଣି । ଭାଇମାନେ, ମୁଁ ଅନୁରୋଧ କରୁଛି, ଆପଣମାନେ ସମସ୍ତେ ହରିବୋଲ ଦେଇ ପତ୍ରରେ ବସି ଯାଆନ୍ତୁ । ଆଉ ବିଳମ୍ଭ କରନ୍ତୁ ନାହିଁ ।’’

ପତ୍ରର ପ୍ରଲୋଭନ ଅତ୍ୟନ୍ତ ତୀବ୍ର; ବିଶେଷତଃ ଚିରକ୍ଷୁଧାତୁର ଗ୍ରାମବାସୀ ପ୍ରତି । ଅନ୍ନ ବ୍ୟଞ୍ଜନର ସୌରଭ ବାୟୁମଣ୍ଡଳରେ ଘୂରି ବୁଲିଲାଣି । ପିଲାଗୁଡ଼ା ଢୁଳେଇଲେଣି । ସମସ୍ତେ ଏକ ବାକ୍ୟରେ ହରିବୋଲ ପକେଇ ଉଠି ପଡ଼ିଲେ ।

ସେହ ଗଣ୍ଡଗୋଳ ଭିତରେ ପାନରା ବଡ଼ ପାଟିରେ କହିବାର ଶୁଣାଗଲ “ଅବଧାନମାନେ ଶୁଣନ୍ତୁ, ମୁକୁନ୍ଦ ପଲେଇ ଗାଁରେ ଗୋଟିଏ ନୂଆ କୂଅ ପାଇଁ ମୋ ହାତରେ ଶହେ ଟଙ୍କା ପଠେଇଛନ୍ତି । ତାଙ୍କ ସମୁଦିଙ୍କ ବାସନ୍ଦ ଉଠେଇ ଦେଉଥିବାରୁ ଖୁସିରେ ସେ ପଠେଇଛନ୍ତି ।”

ଜନତା ପୁଣି ବାରମ୍ବାର ହରିବୋଲ ପକାଇବାକୁ ଲାଗିଲେ ।

 

(୧୮)

 

ନନ୍ଦିଗାଁରୁ ଫେରିବାର ଦିନେ ଦୁଇଦିନ ପରେ ଶ୍ରୀକଣ୍ଠର ବସା ଉପର ମହଲାରେ ପୁଣି ମଜଲିସ୍ ବସିଛି ।

 

ଗୁରୁଦେବ ନନ୍ଦିଗାଁରେ ଶ୍ରୀକଣ୍ଠ ନେଇଥିବା ସ୍ନାପ୍‍ସଟ୍‍ ସବୁ ଓ ଦୁଇ ତିନିଟି ଯାହା ସ୍କେଚ୍‍ କରିଥିଲା ତାକୁ ଦେଖି ସାରି କହିଲେ, “ସତେ ବଡ଼ ଚମତ୍କାର ଜାଗାତ ଦେଖୁଛି । ପ୍ରଭୁ, ତମେ ଆମକୁ ଡାକିଲନି କାହଁକି ?”

 

ପ୍ରଭୁ କହିଲା, “ଯାହା ଅଛି, ସବୁ ପ୍ରକୃତିର ଅଯାଚିତ ଦାନ । ମୁଁ ତ, ସାର୍‍, ସେଥିରେ କିଛି ମିଶେଇନି । ଦେଖେଇବି ଆଉ କ’ଣ ଆପଣଙ୍କୁ ଏତେ ବାଟ ନେଇ ? ଆପଣଙ୍କୁ ଦିନେ ନେବି, ଯଦି ସେଠି କିଛି ଦେଖେଇବାର କରିପାରେ । ଶ୍ରୀକଣ୍ଠ ଆର୍ଟିଷ୍ଟ୍‍, ସେ କେବଳ ପ୍ରକୃତିରେ ଇ ମୁଗ୍‍ଧ । ସହରରେ ରହି ରହି ତା’ର ତୂଳି ରସ ଅଭାବରୁ ଶୁଖି ଶୁଖି ଯାଉଥିଲା । ବିଚାରିଲି, ତାକୁ ନେଇଯିବା ଏକ ନୂତନ ଅପରିଚିତ ରାଜ୍ୟକୁ, ଯଦି ତା’ର କଳା ନୂତନ କଛି ପ୍ରେରଣା ପାଏ । ସେ ଜାଣେ କି ପ୍ରେରଣା ସେ ପାଇଲା । ସେ ତ କିଛି କହୁନି ମତେ । ମୋର ଆଶଙ୍କା ହେଉଛି, ଆମ ମଫସଲି ଘରେ ତା’ର ଖାଇବା ପିଇବାର ଭଲ ବ୍ୟବସ୍ଥା ହୋଇ ପାରିଲାନି, ସେ ହୁଏତ ମୋ ଉପରେ ମନେ ମନେ ବିରକ୍ତ ।”

 

ଶ୍ରୀକଣ୍ଠ ଏକ ବହିର ପୃଷ୍ଠାରୁ ମୁଖ ଉତ୍ତୋଳନ କରି ତୀବ୍ର ପ୍ରତିବାଦ ସ୍ଵରରେ କହିଲା–“ପ୍ରଭୁ, ଖାଇବା ପିଇବା ନେଇ ତୁ କିଛି ପାଟି ଫିଟେଇବୁନି ତ । ସେ ତ ତୋ ମାଁଙ୍କ ବିଭାଗ-। ତୋର ସେଥିରେ କହିବାର କ’ଣ ଅଛି । ଏଇ ଦେଖନ୍ତୁ ସାର୍‍, ମୁଁ ପ୍ରଭୁର ମାଙ୍କଠୁ ବାରଟି ନୂଆ ଖାଦ୍ୟର ରେସିପି (ପ୍ରସ୍ତୁତି-ପ୍ରଣାଳୀ) ଟିପି ଆଣିଛି । ଏଟା ତ ଆଜ୍ଞା ରୁକ୍ଷ କରୁଛି ନିଜକୁ, ସମସ୍ତ ଆନନ୍ଦ ଓ କଳାକୁ ତା’ ଅନ୍ତରରେ ତଣ୍ଟି ଚିପି ମାରି । ତା’ ମା କହନ୍ତି, ପ୍ରଭୁ ଲୁଣିଆ କି ଅଲଣା ବାରି ପାରେନା । ତାଙ୍କ ରାନ୍ଧୁଣୀ-ପଣିଆ ସିଏ ଆଉ କାହାକୁ ଦେଖେଇବେ ? ସତେ ସାର୍‍, ମତେ ଖୁଆଇଲେ ଖୁଆଇଲେ ଯେ ପ୍ରତି ଓଳି ନାନାରକମ କରି, ମୁଁ ଶେଷରେ ଦିନେ ଉପାସ ରହିଲି ।”

 

ଗୁରୁଦେବ ପ୍ରକୃତରେ ଗୋଟିଏ ଛୋଟ ଖାତାରେ ଦେଖିଲେ ଶ୍ରୀକଣ୍ଠ ଗୁଡ଼ିଏ ରେସିପି ଟିପିଛି । ବ୍ୟଞ୍ଜନାଦିର ନାମ–କଙ୍କଡ଼ାର ମହୁର, ଚାଉଳିଆ ପାତୁଆର ଖଟା, ମାଛ ମଞ୍ଜିର ବରା, ନଡ଼ିଆ ଖିରୀ, ପୁର କାକରା, ଛେନାପୁଳି ଇତ୍ୟାଦି । “ଏ’ତ” ଗୁରୁଦେବ କହିଲେ ‘‘ଏ’ତ ଖାଣ୍ଟି ଓଡ଼ିଆ ଖାଦ୍ୟ । ଯାହା ହେଉ ଗାଁମାନଙ୍କରେ ଏପର୍ଯ୍ୟନ୍ତ ସେ କଳା ବଞ୍ଚି ରହିଛି । ଶ୍ରୀକଣ୍ଠ, ତମେ ଏସବୁ ପ୍ରତି ନଜର ଦେଇ ପ୍ରକୃତରେ ଏକ ପ୍ରକାର ଜାତୀୟ କର୍ମ କରିଛ । କଲିକତି ଅନୁକରଣରେ ଦରିଦ୍ର ଓଡ଼ିଆ କ୍ରମେ ଦେହ ଓ ମନରେ ଧ୍ଵଂସ ହେବାକୁ ବସିଲାଣି । ମୁଁ ସେଦିନ ଏକ ଗାଁକୁ ଯାଇଥିଲି, ଯେଉଁଠି କି ଏପର୍ଯ୍ୟନ୍ତ ଗୋଟାଏ ମାଟ୍ରିକ୍ୟୁଲେଟ୍‍ ବି ବାହାରିନି । କିନ୍ତୁ ମତେ ଚାଇନା-କପରେ ଚା ଆଣିକି ଦେଲେ । ଶୁଣିଲି ଲୋକେ ପୂର୍ବର ଦୁଧ, ଦହି, ଚହ୍ଲା ଖିଆର ଅଭ୍ୟାସ ଛାଡ଼ି ଚା’ରେ ଏବେ ବୁଡ଼ି ରହିବାକୁ ଚାହୁଁଛନ୍ତି । ଚୁଡ଼ା, ଗୁଡ଼, ନଡ଼ିଆର ସେ ପୁଷ୍ଟିକର ନିର୍ଦ୍ଦୋଷ ଜଳଖିଆ କୁଆଡ଼େ ଗଲା, ବର୍ତ୍ତମାନ ଗାଏଁ ଗାଏଁ ମିଶା ତେଲ ବା ଦାଲ୍‍ଦାରେ ଭଜା ପୁରୀ, ତରକାରୀ, ପକୋଡ଼ିର ଦୋକାନ । ଦେଶଟାର ସ୍ୱାସ୍ଥ୍ୟ ସଙ୍ଗେ ସଙ୍ଗେ ରୁଚିର କି ବିକାରଗ୍ରସ୍ତ ଧ୍ୱଂସ ଦେଖ ତ ! ନନ୍ଦିଗାଁରେ ତମେ କେବଳ ପ୍ରଭୁର ଘରେ ସେହି ପ୍ରାଚୀନ ଓଡ଼ିଆ ରନ୍ଧା ଦେଖିଲ ନା, ଗାଁରେ ସାମୂହିକ ସଂସ୍କୃତିରେ ତାହା ବର୍ତ୍ତମାନ ଅଛି ?

 

ପ୍ରଭୁ କହିଲା “ଶ୍ରୀକଣ୍ଠକୁ ଆମ ଗାଁ ଦଳେଇ ଘର ବି ଦି ଥର ଖାଇବାକୁ ଡାକିଥିଲେ ଯେ-। ସେଠି ବି ଭାରି ଖୁସୀ । ସହରର ମୂଷା କିନା, ତାକୁ ତ ସେ ମଫସଲରେ ଯାହା ଦେଖିଲା ସ୍ଵର୍ଗ ବୋଧ ହେଲା ।’’

 

ଗୁରୁଦେବ ହସି ହସି କହି ପକାଇଲେ, ‘ତେବେ ଶ୍ରୀକଣ୍ଠ, ତମେ ସେହି ଗୋଟିଏ ପଲ୍ଲୀକୁମାରୀଇ ବିବାହ କର ଶୀଘ୍ର । ତମର କଳା ସେଇଠାରୁ ପ୍ରକୃଷ୍ଟ ପ୍ରେରଣା ପାଇବ ।’

 

ଶ୍ରୀକଣ୍ଠ ମୃଦୁ ହସିଲା କ୍ଷଣେ । ତା’ ପରେ ଗମ୍ଭୀର ହୋଇ ବହିରେ ମୁହଁ ଲୁଚେଇ ଦେଲା-। ନନ୍ଦିଗାଁରୁ ସେ ଯେ କି ବ୍ୟଥା ନେଇ ଫେରିଛି, ତା’ କିଏ ଜାଣେ ? ସେ ସମ୍ବନ୍ଧରେ ସେ କୌଣସି ବାକ୍ୟବ୍ୟୟ କରିବାକୁ ନାରାଜ । ସେ ସ୍ଥିର କରି ନେଇଛି ଯେ ତା’ର ସେଇ ଅଜ୍ଞାତ, ରହସ୍ୟମୟ, ମୁହୂର୍ତ୍ତସ୍ଥାୟୀ,ପରମ ରସାଳ ଅଭିଜ୍ଞତାରେ ନିର୍ବାକ୍‍ ହୋଇ ବୁଡ଼ି ରହିବ । ତାହା ଏତେ ମହାର୍ଘ ଏବଂ ଏତେ ସୂକ୍ଷ୍ମ ଅନୁଭବ ଯେ ରୂଢ଼ ହାସ ପରିହାସ କଣ୍ଟକିତ ଦଶ ଜଣର ଉଚ୍ଚ କଥୋପକଥନରେ ସେ ତାକୁ ଶସ୍ତା ଓ ବିକାରଗ୍ରସ୍ତ କରିବାକୁ ଚାହୁଁ ନ ଥିଲା ।

 

ଅନ୍ୟ ପ୍ରସଙ୍ଗ ପକେଇବା ପାଇଁ ଶ୍ରୀକଣ୍ଠହିଁ କଥା ପୁଣି ଆରମ୍ଭ କଲା । “କିନ୍ତୁ ଗୁରୁଦେବ, ପଲ୍ଲୀର ଅବସ୍ଥା ସଂକଟାପନ୍ନ । ପଲ୍ଲୀତ କେବଳ ଗୋଟିଏ ଲୋକବସତି ମାତ୍ର ନୁହେଁ, ଭାରତୀୟ ପଲ୍ଲୀର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ଵ ଥିଲା । ସେହି ବ୍ୟକ୍ତିତ୍ଵ ବର୍ତ୍ତମାନ ଧ୍ଵଂସ ହେବା ଉପରେ, ଯାହା ମୁଁ ଦେଖିଲି ।’’

 

କଅଣ ଦେଖିଲ, ତା’ହେଲେ ବୁଝାଇ କହ । ପ୍ରଭୁ ତ କେବେ ସେ ସମ୍ପର୍କରେ କିଛି କହିନି ।’’

 

ପ୍ରଭୁ ଅର୍ଥଶାସ୍ତ୍ରର ଓ ରାଜନୀତିର ଛାତ୍ର । ସେ ଭାବିପାରେ ଯେ ସ୍ଵାଧୀନତା ଓ ପଞ୍ଚବାର୍ଷିକ ଯୋଜନା, ଜମିଦାରୀ-ଉଚ୍ଛେଦ ପ୍ରଭୃତି ହୋଇଗଲେ, ପଲ୍ଲୀ ପାଇଁ ଭାବିବାର ଅଉ କଛି ନାହିଁ । ମୁଁ କିନ୍ତୁ ସାଂସ୍କୃତିକ ଦୃଷ୍ଟିରୁହିଁ ଦେଖୁଛି । ପଲ୍ଲୀବାସୀ କ’ଣ ସହରବାସୀର ମଫସଲି ଅନୁକରଣ ମାତ୍ର ହେବ ? ପଲ୍ଲୀ ସଙ୍ଗେ ସରଳ, ସହାନୁଭୂତିମୟ ଏକ ନିର୍ଦ୍ଦୋଷ ଜୀବନ ଧାରା ଓତପ୍ରୋତ ଭାବରେ ଜଡ଼ିତ ଥିଲା । ଯୁଗେ ଯୁଗେ କବି, ଦାର୍ଶନିକମାନେ ତାହାରହିଁ ସ୍ତୁତିଗାନ କରି ଆସିଛନ୍ତି ।”

 

ପ୍ରଭୁ ଜବାବ ଦେଲା–“ବାହାରିଲା କବି କଳ୍ପନା ! ତମେ କ’ଣ ଚାହଁ ପଲ୍ଲୀକୁ ବିଜୁଳି-ଶକ୍ତି ଯିବନି ? ପଲ୍ଲୀରେ କୋଠାଘର ହେବନି ? ସେଠି କେହି ଯୋତା, କୁର୍ତ୍ତା ପିନ୍ଧିବେନି ? ସେଇମିତି ହଲଦିଆ କସ୍ତା ପିନ୍ଧି ରହିଥିବେ ?’’

 

ଶ୍ରୀକଣ୍ଠ ଠିଆ ହୋଇ ପଡ଼ିଲା–“ନିଶ୍ଚୟ ମୁଁ ଚାହେଁନା, ପଲ୍ଲୀରେ ବିଦ୍ୟୁତ୍-ଶକ୍ତି । ପଲ୍ଲୀର ପରମତମ ଶକ୍ତି, ସୁନ୍ଦରତମ ଶକ୍ତି ହେଉଛି ସରଳ, ନିର୍ଦ୍ଦୋଷ, କର୍ମଠ, ସୁସ୍ଥ ମନୁଷ୍ୟ ଶକ୍ତି । ସେ ଶକ୍ତିକୁ ପଛକୁ ଫିଙ୍ଗି ଦେଇ ଅନ୍ୟ କୌଣସି ଶକ୍ତି ପଲ୍ଲୀରେ ପ୍ରାଧାନ୍ୟ କରିବାକୁ ଦେବାର ଅର୍ଥଇ ପଲ୍ଲୀକୁ ଧ୍ୱଂସ କରିବା । ମନେ ପକାନ୍ତୁ ଗୁରୁଦେବ, କାଳିଦାସଙ୍କ ନାଟକରେ ମହାରାଜା ଦୁଷ୍ମନ୍ତ କଣ୍ଵାଶ୍ରମରେ ପଶିଲାବେଳେ ତାଙ୍କୁ କିପରି ରାଜକୀୟ ପୋଷାକ ଆଶ୍ରମ ବାହାରେ ଛାଡ଼ିଯିବାକୁ ହୋଇଥିଲା । ପଲ୍ଲୀରେ ପଶିଲା ବେଳେ, ପଲ୍ଲୀକି ସହରର ଅଭିଜ୍ଞତା ନେଇ ସଂସ୍କାର କରିବାକୁ ଗଲାବେଳେ, ଆମକୁ ସେହି ଦୁଷ୍ମନ୍ତଙ୍କ ପରି ଅନେକ କିଛି ବାହାରେ ଛାଡ଼ିବାକୁ ହେବ । ପଲ୍ଲୀର ଉନ୍ନତି, ପଲ୍ଲୀ ସମସ୍ୟାର ସମାଧାନ ସେହି ପଲ୍ଲୀର ଉପାଦାନ, ପଲ୍ଲୀର ପରମ୍ପରା, ପଲ୍ଲୀର ସଂସ୍କୃତି ନେଇ ଆମକୁ କରିବାକୁ ହେବ । ନଚେତ୍ ଆମର ଗାଁସବୁ ନେଣ୍ଟି ସହର ହେଇପାରେ, କିନ୍ତୁ ପ୍ରେରଣାଦାୟିନୀ ପଲ୍ଲୀ ଆଉ ରହିବ ନାହିଁ ।’’

 

ପ୍ରଭୁ ମୁଗ୍ଧ ହୋଇ ଶୁଣୁଥିଲା । ସେ କହିଲା “ବାସ୍ତବିକ ଗୁରୁଦେବ, ଶ୍ରୀକଣ୍ଠର ଚିତ୍ତରେ ଏକ ସୁନ୍ଦର ପ୍ରତିକ୍ରିୟା ଆସିଛି ଦେଖୁଛି । ଏତେ ଦନେ ସହରରେ ରହି ରହି ବିକାରଗ୍ରସ୍ତ, ଜଟିଳ ହୋଇ ପଡ଼ିଥିବା ତା’ର ମର୍ମରେ ମୋ ଗାଁ ଯାହାହେଉ କିଛି ନୂତନ ଉତ୍ତେଜନା ଆଣି ଦେଇଛି । କିନ୍ତୁ ଉତ୍ତେଜନାତ ସ୍ଥାୟୀ ଦ୍ରବ୍ୟ ନୁହେଁ ।

 

ଶ୍ରୀକଣ୍ଠ ଦୃଢ଼ ସ୍ଵରରେ କହିଲା–“ନିଶ୍ଚୟ ସ୍ଥାୟୀ ! ମୁଁ ସ୍ଥିର କରିଛି ନିକଟରେ ମୋ ଗାଁକୁ ଫେରି ଯିବି । ଅବଶ୍ୟ ସହରକୁ ପୂରାପୂରି ଛାଡ଼ୁନି । ମୁଁ ଚାହେଁ ଶିଳ୍ପୀ ଓ କବି ଓ ବୁଦ୍ଧିଜୀବୀମାନେ ହେବେ ପଲ୍ଲୀ ଓ ନଗରର ଶ୍ରେଷ୍ଠ ଯୋଗସୂତ୍ର । ସରଳ ଜୀବନ ଓ ଉଚ୍ଚଚିନ୍ତାର ପ୍ରତୀକ ସେମାନେ । ତାହାହଁ ଭାରତବର୍ଷର ସନାତନ ଆଦର୍ଶ ।’’

 

ପ୍ରଭୁପାଦ ହସି ହସି କହିଲା, ‘‘କ’ଣ, ସରଳ ଜୀବନ ଓ ଉଚ୍ଚଚିନ୍ତାରେ ପଲ୍ଲୀର ସମସ୍ତ ସଙ୍କଟ ଉତ୍ତୀର୍ଣ୍ଣ ହୋଇଯିବ ? ସେଇ ତା’ର ସମସ୍ୟା ?”

 

ଶ୍ରୀକଣ୍ଠ ଉତ୍ତର ଦେଲା–“ନିଶ୍ଚୟ ନୁହେଁ । ପଲ୍ଲୀର ପ୍ରକୃତ ସମସ୍ୟା ବିଦ୍ୟୁତ୍‍ଶକ୍ତି ଯୋଗାଣ ନୁହେଁ । ଯେଉଁ ବିଦ୍ୟୁତ୍‍ଶକ୍ତି ହଜାରମାଇଲ ଦୂରରେ କେନ୍ଦ୍ରରୁ ବୋତାମ ଟିପିଲେ ପଲ୍ଲୀର କୁଟୀରକୁ ଯାଇ ଆଲୋକିତ କରିବ, ସେଥିରେ ହେବ ବିଜ୍ଞାନର ପ୍ରଚାର, କିନ୍ତୁ ପଲ୍ଲୀର ଛୋଟ ଶକ୍ତି ହେବା ଏକାନ୍ତ କ୍ଷୁଣ୍ଣ । ପଲ୍ଲୀର ଶ୍ରୀବୃଦ୍ଧି ପାଇଁ ପଲ୍ଲୀର ମାଟିରେ ପଲ୍ଲୀର ମନୁଷ୍ୟ ଶିକ୍ତିକୁ ନବଜୀବନର ଦାନ ହିଁ ଏକମାତ୍ର ସମାଧାନ । ପଲ୍ଲୀର ମନୁଷ୍ୟ-ଶକ୍ତି ଆଜି ତା’ର ପରମ୍ପରା ହରେଇଛି । ସେ ଚା, ବିଡ଼ି, ଅଫିମ, ଗଞ୍ଜଇ, ମଦ ଖାଇ ନଷ୍ଟ ହେବା ଉପରେ । ମାଲିମକଦ୍ଦମା, ବିବାହଶ୍ରାଦ୍ଧର ଅଡ଼ମ୍ବରରେ ସେ ସର୍ବସ୍ୱାନ୍ତ । ପଲ୍ଲୀରେ ବର୍ତ୍ତମାନ କୋଠାଘର ଓ ଓ ସୁନାର ଅଳଙ୍କାରର ପ୍ରତିଯୋଗିତା ଆସନ ମାଡ଼ିବସିଲାଣି । ଏଣେ ଧର୍ମ ଓ ପାରତ୍ରିକ ଜୀବନର ଭୟ ହଟି ଯିବାରୁ, ବିବାହିତ ଜୀବନର ଇତରତାରେ ଲୋକସଂଖ୍ୟା ବଢ଼ି ଚାଲିଛି । ମାଣକ ପୈତୃକ ଜମି ପାଞ୍ଚଖଣ୍ଡ ହେଉଛି, ପାଞ୍ଚ ହାତ ଘରଢିହ ଉପରେ ହାତେ ହାତେରେ କାନ୍ଥ ପଡ଼ୁଛି । ପଲ୍ଲୀର ମାଟିରୁ ଏହି ଅନାକାଂକ୍ଷିତ ପଙ୍ଗପାଳଙ୍କ ଅତ୍ୟାଚାରରୁ ରକ୍ଷା କରିବାକୁ ହେବ । ଉତ୍ତରାଧିକାରର ନିୟମ ବଦଳେଇବାକୁ ହେବ । ବିଲକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ତଳକୁ ଯିବାକୁ ଦିଆଯିବ ନାହିଁ, ପଲ୍ଲୀବାସୀକୁ ଦାମ୍ପତ୍ୟର, ନବଜାତ ଶିଶୁର କଠୋର ଦାୟିତ୍ୱ ସମ୍ବନ୍ଧରେ ଗଭୀର ଭାବରେ ସଜ୍ଞ ହେବାକୁ ହେବ । ଏ ଦେଶରେ ମନୁଷ୍ୟ ଜୀବନ ପୃଥିବୀରେ ସବୁଠାରୁ ଶସ୍ତା । ସେହି ଜୀବନ ପଲ୍ଲୀରେହିଁ ଯଥେଷ୍ଟରୁ ପ୍ରଚୁର ଏବଂ ସେହି ପରିମାଣରେ ଦୀନ ଓ ଦୁଃଖୀ । କିନ୍ତୁ ସେହି ଦୁଃଖର ନିରାକରଣ, ବାହାରୁ ବିଦ୍ୟୁତ୍ ଯୋଗେଇ କରାଯିବାରେ ପଲ୍ଲୀକୁ ଅନ୍ୟ ପ୍ରକାରେ ହତ୍ୟା କରାହେବ-।’’

 

“ମୁଁ ଏକମତ ଶ୍ରୀକଣ୍ଠ”–ଗୁରୁଦେବ ବର୍ତ୍ତମାନ କହିଲେ । “ପଲ୍ଲୀର ପ୍ରାଚୀନ ପରମ୍ପରା ଭିତରେହିଁ ପଲ୍ଲୀର ପୁନର୍ଜନ୍ମ ହେଲେ ତାହା ସ୍ଥାୟୀ ହେବାର ଆଶା । ପଲ୍ଲୀର କବି ନନ୍ଦକିଶୋର । କି ସୁନ୍ଦର ଲେଖା ତାଙ୍କର ପଲ୍ଲୀଚିତ୍ର । କିନ୍ତୁ ତାଙ୍କ ଗାଁକୁ ଗଲି, ତାଙ୍କର ଦ୍ୱିତଳ କୋଠାଘର ଦେଖିଲି-। ବଡ଼ ନିରାଶ ହେଲି । କୋଠା କରି କବି ସେହି ଗାଁର ସଂସ୍କୃତିହୀନ ଗାଞ୍ଜିଆ-ସର୍ବସ୍ଵ ମହାଜନମାନଙ୍କ ସଙ୍ଗେ ସମାନ ହେଲେ ସତ, କିନ୍ତୁ ପଲ୍ଲୀର ପ୍ରକୃତ ସନ୍ତାନ ଭାବରେ ସେ ତଳକୁ ଖସିଲେ ବୋଲି ମୋର ମନେ ହେଲା । ନୂତନ ରୀତିରେ ଗଠିତ ମାଟି-କୁଟୀରରେ ବାସ କରିଥିଲେ ପଲ୍ଲୀ-ମାଟିର କବି ନନ୍ଦକିଶୋର, ପଲ୍ଲୀର ପଶ୍ଚାତ୍‍ ପଟରେ ଆହୁରି ଅନେକ ବଡ଼ ହୋଇ ନ ଥାନ୍ତେ କି ?”

 

“ଅଚ୍ଛା ହେଉ ମୁଁ ଯାଉଛି ବର୍ତ୍ତମାନ । ତମେ ଦିହେଁ କାଲି ତା’ହେଲେ ନଟିଆକୁ ଧରି ବିଜୟପ୍ରସାଦ ଘରକୁ ଯିବ ? ମୁଁ ଜାଣେ ବିଜୟ ଘରେ ଅଛି ବର୍ତ୍ତମାନ ।’’

 

ଶ୍ରୀକଣ୍ଠ ଓ ପ୍ରଭୁ ଉଭୟେ ‘ହଁ’ ଭରିଲେ । ଗୁରୁଦେବ ଧୀରେ ଧୀରେ ତଳକୁ ଓହ୍ଲାଇଲେ, ସିଡ଼ିରେ । ଶ୍ରୀକଣ୍ଠ ଓ ପ୍ରଭୁ ବାଟେଇ ଗଲେ ।

 

(୧୯)

 

ବାହାରେ ଦେଖିବାକୁ ଶ୍ରୀକଣ୍ଠ ପୂର୍ବପରି ଥିଲେ ମଧ୍ୟ ଭିତରେ ଭିତରେ ତା’ର ଅନ୍ତର୍ଦ୍ଦେଶରେ ଏକ ବିପୁଳ ଭୂମିକମ୍ପ ଯେ ଏ ଭିତରେ ଘଟି ଯାଇଛି, ତା’ର କୌଣସି ସୂଚନା ସେ କାହାକୁଇ ଦେଇ ନ ଥିଲା । ସରଳା, ଅପାପବିଦ୍ଧ ନିରୀହା ପଲ୍ଲୀକୁମାରୀ ସାବିତ୍ରୀ ତା’ର କବି ଓ ଶିଳ୍ପୀର ଅନ୍ତରକୁ ଓଲଟ ପାଲଟ କରି ଦେଇଥିଲା ।

 

ପ୍ରଭୁପାଦର ଗାଁରୁ ଫେରିବା ପରେ ସେ କଟକରେ ଏଠିକି ସେଠିକି ହୋଇ ବନ୍ଧୁବାନ୍ଧବଙ୍କ ସଙ୍ଗେ ଦେଖା ସାକ୍ଷାତ ହୋଇ, ସ୍ଥିର ହୋଇ ବସି କିଛିକ୍ଷଣ ଆତ୍ମଚିନ୍ତା କରିବାର ଅବକାଶଇ ପାଇ ନ ଥିଲା । ବର୍ତ୍ତମାନ ବସାଟି ତା’ର ନୀରବ । ଶରତର ମୃଦୁ ଅପରାହ୍ନ । ତା’ର ଦୁଇଟି ପୋଷା ପାରା ରୋଷାଇ ଘରର ଚାଳ ଉପରେ ବସି ଥଣ୍ଟେ ଥଣ୍ଟେ ଚୁମ୍ବନ ବିନିମୟ କରୁଛନ୍ତି-। ପ୍ରଣୟର ଲୀଳା ଉପଭୋଗ ପାଇଁ ଛଡ଼ାଛଡ଼ି ହୋଇ ଦଣ୍ଡେ ଚାଲି ଯାଉଛନ୍ତି, ପୁଣି ଆସି ମିଳିତ ହୋଇ ଗ୍ରୀବା ଘଷାଘଷି ହେଉଛନ୍ତି, ଜଣକୁ କେନ୍ଦ୍ର କରି ଆରଟି ଗଭୀର ସୁଖରେ ଛାତି ଫୁଲାଇ ଫୁଲାଇ ମଧୁର, ଯତିବନ୍ତ କଳଧ୍ଵନି କରି କରି ଘୂରି ବୁଲୁଛି । ଫେର୍ ଅରଟି ତା’ର ପାଳି ଧରୁଛି, ଏଇଟି ବସିଗଲେ । ଏଇପରି ଚାଲିଛି । ଏକ ମଧୁର, ଶୀତଳ, ସ୍ଵର୍ଣ୍ଣାଭ ଅପରାହ୍ନ, ଆନନ୍ଦ ପାଇଁ, ବା ଗଭୀର ମନନ ପାଇଁ ପ୍ରକୃତିର ଉପଯୁକ୍ତ ପରିବେଶ ରଚନା ।

 

ଶ୍ରୀକଣ୍ଠ ତା’ର ଦ୍ଵିତଳ ବସା ଗୃହର ଭିତର ବାରଣ୍ଡାରେ ବସି ପାରାବତ-ଯୁଗ୍ମର ମଧୁର ପ୍ରଣୟ କ୍ରୀଡ଼ା ଦେଖୁଛି ଓ ନିଜ ଅନ୍ତରର ଆଲୋଡ଼ନ ନେଇ ଚିନ୍ତା କରୁଅଛି ।

 

କଅଣ ଏ ପ୍ରଣୟ ! କାହିଁକି ଏ ଆକର୍ଷଣ ! ସାବିତ୍ରୀ ! ସେତ ସାମାନ୍ୟ ଏକ ପଲ୍ଲୀଗାଁର ଅର୍ଦ୍ଧଶିକ୍ଷିତା ଝିଅଟିଏ ମାତ୍ର । ତା’ ପ୍ରତି ତା’ର ଏହି ଅଦମ୍ୟ ଆକର୍ଷଣ କାହିଁକି ? ଭାରତର ନାନା ସହର ସେ ଘୂରି ଆସିଛି । ବହୁ ସୁନ୍ଦରୀ କୁମାରୀ ଓ ବିବାହିତା ନାରୀ ତା’ର ନୟନ ଓ ମନକୁ ମଧୁର ଭୋଜ୍ୟ ଯୋଗାଇଛନ୍ତି । କିନ୍ତୁ ଏଇ ଅଜ୍ଞାତନାମା, ଅର୍ଦ୍ଧ ଶିକ୍ଷିତା, ଝିଅଟି ପାଇଁ ତା’ର ଅନ୍ତରରେ ଯେ ଆଲୋଡ଼ନ ତାହା ସେ ପୂର୍ବେ କୌଣସି କ୍ଷେତ୍ରରେ ଅନୁଭବ କରି ନ ଥଲା । ସେ ନିଜକୁ ନିଜେ ଏହାର ରହସ୍ୟ ବୁଝାଇ ପାରୁନି, କହିବ କାହାକୁ ? ବୁଝେଇବ କାହାକୁ ? ଲୋକେ ଶୁଣିଲେ ହସିବେନି ନା ?

 

ସେ ଆଜି ନିଜକୁ ଆତ୍ମ ପରୀକ୍ଷା କରି ଦେଖୁଛି ଯେ ଇତି ମଧ୍ୟରେ ସେ ନିଜର ଶରୀରକୁ କର୍ଦ୍ଦମାକ୍ତ କରି ସାରିଛି । ପ୍ରକୃତି-ଦତ୍ତ ମନୋହର ଅଜ୍ଞାତା ସେ ହରାଇଛି–ଅବଶ୍ୟ ସେଇ ପ୍ରକୃତିର ତାଡ଼ନାରେ । କୌଣସି ଏକ ଦୂର ସହରରେ କେତେକ ସାମୟିକ ସାଙ୍ଗମାନଙ୍କ ସାଥିରେ ପଡ଼ି ସେ ପ୍ରଥମେ ନାରୀ ଦେହ ସ୍ପର୍ଶ କରେ । ଛଅ ମାସ ଯାଏଁ ସେ ନିଜକୁ ଏକ ଅକ୍ଷମ୍ୟ ଅପରାଧୀ ବୋଲି ମନେ କରିଥିଲା । ସେ ଘଟଣାର ପରେ ପରେ ସେ ଗୋଟିଏ ଦିବସ ଖାଡ଼ା ଉପାସ ରହି ଗୀତା ପାଠ ଓ ଉପାସନାରେ କଟାଇଥିଲା । ତା’ର ମା’ଙ୍କ ଛବି ବାରମ୍ବାର ତା’ର ଚିତ୍ତରେ ପ୍ରତିଭାତ ହୋଇ ତାକୁ ଯେପରି ବାରମ୍ବାର ଭର୍ତ୍ସନା କରିଥିଲେ ।

 

କିନ୍ତୁ ଯୌନସୁଖର ଦୁରତିକ୍ରମ୍ୟ ଆକର୍ଷଣରେ ସେହି ଆତ୍ମଗ୍ଳାନି କ୍ରମେ ବିଲୀୟମାନ ହୋଇ ଉଠିଲା । ଅନ୍ୟ ଏକ ସ୍ଥାନରେ ଆଉ ଏକ ସୁଯୋଗ ଘଟିଲା । ନିଜ ସଙ୍ଗେ ସେ ସଂଗ୍ରାମ କଲା ଦୁଇ ଦିନ ଧରି । ଶେଷରେ ସେ ଯୌନସୁଖର ଆସ୍ଵାଦ ସଙ୍ଗେ ସଙ୍ଗେ ପୁଣି ଆଣିଲା ପରାଜୟର ଆତ୍ମ-ଭର୍ତ୍ସନା ।

 

କ୍ଷୁଧା ନିବାରଣ ପରି ଯୌନସମ୍ପର୍କ ଏକ ଶାରୀରିକ ସୁଖ । ପଶୁ-ପକ୍ଷୀ, ସରୀସୃପ, ନରନାରୀ ସମସ୍ତେ ସେହି ସୁଖ ପାଇଁ ଲାଳସୀ । ଏହା ପ୍ରକୃତିର ନିର୍ଦ୍ଦେଶ ଓ ତାଡ଼ନା’ । ଗାଈ, କୁକୁରମାନଙ୍କଠି, ସେ ଲକ୍ଷ୍ୟ କରିଛି, ବର୍ଷସାରା ଯୌନଲାଳସାର କୌଣସି ଚିହ୍ନ ସେମାନଙ୍କଠାରେ ଦେଖାଯାଏ ନାହିଁ । ହଠାତ୍‍ ଗୋଟିଏ ଋତୁରେ, ଗୋଟିଏ ସମୟରେ ପ୍ରକୃତିର ନିର୍ଦ୍ଦେଶ ଆସେ । ନିରୀହ ଜୀବ ଅସ୍ଥିର ହୋଇ ଉଠେ । ଗାଭୀ ଓ କୁକ୍‍କୁରୀ ଖୋଜି ଖୋଜି ପୁରୁଷଜୀବ ନିକଟରେ ଆତ୍ମ-ସମର୍ପଣ କରେ । ତା’ ପରେ ପରେ ପୁରୁଷ ଓ ସ୍ତ୍ରୀ ଜୀବର ସମ୍ପର୍କ ଏକାବେଳେକେ ଅଯୌନ, ପୁଣି ଆଉ କେବେ ପ୍ରକୃତିର ନିର୍ଦ୍ଦେଶ ଆସିଲା ଯାଏଁ ।

 

କିନ୍ତୁ ଶ୍ରୀକଣ୍ଠ ତା’ର ପ୍ରତିଟି ଯୌନଭୋଗ ପରେ ନିଜର ଆତ୍ମ-ଭର୍ତ୍ସନା ସଙ୍ଗେ କୁକ୍‍କୁରୀର ଯୌନଭୋଗୋତ୍ତର କରୁଣ ବିପର୍ଯ୍ୟୟ ଓ ବିଳାପ ; ଗାଭୀ, ଘୋଟକୀର ପ୍ରାକ୍‍-ଭୋଗୀୟ ଅନିଚ୍ଛା ପ୍ରକାଶ ଓ ଯୌନ ଭୋଗ ପରେ ମୌନ ଅନୁଚିନ୍ତାର ଦୃଶ୍ୟ ମିଶାଇ ଭାବେ, ଏଇ ଯୌନ ଭୋଗ ସଙ୍ଗେ ଦୁଃଖ, ଲଜ୍ଜା, ଜଞ୍ଜାଳ ଓତପ୍ରୋତ ଭାବରେ ଯେପରି ଲାଗି ରହିଛି । ପ୍ରକୃତି କି ଏହା ପ୍ରକୃତରେ ଚାହେଁନା ? ଚାହେଁ ତ, ଜୀବ ଜଗତରେ ଓ ମନୁଷ୍ୟ ସମାଜରେ ଏଇ ଘଟଣାର ପଛେ ପଛେ ଲଜ୍ଜା, ଆତ୍ମଗ୍ଳାନି, ଶାରୀରିକ ଓ ମାନସିକ ଅବସାଦ ଆସେ କାହଁକି ? ପୁଣି ଶିଶୁ-ଜନନର କ୍ଳେଶ, ଗର୍ଭଧାରଣର ସଙ୍କଟମୟ, କୁତ୍ସିତଦର୍ଶନ ଦୃଶ୍ୟ ଓ ଅଭିଜ୍ଞତା–ଏ ସବୁ ସେହି ରହସ୍ୟମୟ ଯୌନତୃଷ୍ଣାରୁ ପ୍ରସୂତ । ଜୀବନର ସକଳ ଦୁଃଖର ବୀଜ ଯେପରି ସେଇ ଯୌନତୃଷ୍ଣାରେ ପ୍ରଚ୍ଛନ୍ନ ଭାବରେ ଉପ୍ତ ହୋଇ ରହିଛି ।

 

କିନ୍ତୁ ସାବିତ୍ରୀ ! ତା’ର ତା’ ପ୍ରତି ଯେଉଁ ଆକର୍ଷଣ ତାକୁ ମଧ୍ୟ କ’ଣ ସେ ଏଇ ଜାନ୍ତବ ଅଭିଜ୍ଞତା ଓ ମାନଦଣ୍ଡରେ ମାପିବ ? ସତ୍ୟ ଯେ, ସେ ଯୌନତୃଷ୍ଣାର ତାଡ଼ନାରେ ନାରୀ ଦେହ ସଙ୍ଗେ ପରିଚିତ ହୋଇ ସାରିଛି । କିନ୍ତୁ ପ୍ରତ୍ୟେକ ଥର, ସେ ଅନୁଚିନ୍ତିତ ହୋଇଛି, ନିଜକୁ ଓ ନିଜର ଆତ୍ମିକ ଦୁର୍ବଳତାକୁ ଧିକ୍‍କାର କରିଛି । ସେ ଦୁର୍ବଳତାକୁ ହସର ପକ୍ଷରୁ ପାଣି ଝାଡ଼ିଲା ପରି, ନିଜର ଚେତନାରୁ ସେ ବାରମ୍ବାର ଝାଡ଼ି ଦେବାକୁ ଚେଷ୍ଟା କରିଛି । ସେ ଏପର୍ଯ୍ୟନ୍ତ ବୁଝି ପାରେନା ପ୍ରକୃତି ସେ ଯୌନତାଡ଼ନା ପୂରାଏ କାହିଁକି, ପୁଣି ତା’ ପରେ ଦିଏ କାହିଁକି ଦେହ ମନର ଦୁର୍ବଳତା ଓ ଆତ୍ମଗ୍ଳାନି । ଯଦିଚ ସେ ଜାଣୁଛି, କେବଳ ତା’ର ନିଜର ଜନ୍ମ ନୁହେଁ, ବୁଦ୍ଧ, ଗାନ୍ଧି, ବିବେକାନନ୍ଦଙ୍କ ଜନ୍ମ ସେମାନଙ୍କ ପିତାମାତାଙ୍କର ଏଇ ଦୁରତିକ୍ରମ୍ୟ ଆପାତସୁଖମୟ ଜଞ୍ଜାଳାକୀର୍ଣ୍ଣ ଅଭିଜ୍ଞତାରୁ ହିଁ ଘଟିଛି,, ତଥାପି ଜଗତର ସର୍ବଶ୍ରେଷ୍ଠ ନାରୀ ଓ ନର ସେ ଅଭିଜ୍ଞତାକୁ ବରାବର ଏଡ଼େଇବାକୁ ଯେପରି ଚେଷ୍ଟା କରିଛନ୍ତି ଓ ଉପଦେଶ ଦେଇ ଆସିଛନ୍ତି, ସେ ମଧ୍ୟ ତାହାହିଁ କରିବାକୁ ଚେଷ୍ଟା କରି ଆସିଛି । ସେଇଥି ପାଇଁ ସେ ଏଯାଏଁ ବିବାହ କରି ନାହିଁ । ଯେଉଁ କେତେ ଥର ତା’ର ନାରୀ ଦେହ ସଙ୍ଗେ ପରିଚୟ ଘଟିଛି, ସେ ସବୁର ସ୍ମୃତି ତା’ର ଚିତ୍ତ-ଦେହରେ ପୁରୁଣା ଘା ପରି ଆସ୍ତେ ଆସ୍ତେ ନିଶ୍ଚିହ୍ନ ହୋଇ ଆସୁଛନ୍ତି ।

 

ହଠାତ୍‍ ଏଇ ସମୟରେ ସାବିତ୍ରୀ ସଙ୍ଗେ ପଲ୍ଲୀର ଉଦାର କୋମଳ ବକ୍ଷରେ ତା’ର ଭେଟ-। ଏ ଅଭିଜ୍ଞତା କିନ୍ତୁ ସମ୍ପୂର୍ଣ୍ଣ ନୂତନ । ସେ ଦେଖୁଛି ଯେ ତା’ର ଗଭୀର ମନରେ ସାବିତ୍ରୀ ଆଉ ଅନ୍ୟ ନାରୀ ପରି କୋମଳ–ମାସଗଠିତା ଯୌନାକର୍ଷଣମୟୀ ବନ୍ଧୁରଗାତ୍ରୀ, ରକ୍ତ-ମାଂସର ସ୍ତ୍ରୀଜନ ହୋଇ ରହୁ ନାହିଁ, ସେ ତା’ର ରକ୍ତ, ମାଂସ ଓ ହାଡ଼ର ସ୍ଥୂଳତାକୁ ହରାଇ ଧୀରେ ଧୀରେ ହୋଇ ଯାଉଛି ଏକ ଆଲୋକମୟୀ ଛାୟା । ଅନ୍ତର୍ଦୃଷ୍ଟିରେ ତା’ ଆଡ଼କୁ ଚାହିଁଲେ ସେହି ଛାୟାମୟୀ କେବଳ ମୃଦୁ ମୃଦୁ ହସି ଜାନୁପାତ କରି ଅଳ୍ପ କମ୍ପିତ ଓଷ୍ଠରେ ଯେପରି ସଙ୍କେତ ଦେଉଛି “ମତେ ନିଅ, ମତେ ଗ୍ରହଣ କର, ମୁଁ ଏକାନ୍ତ ତମରି । ତମେ ଗ୍ରହଣ ନ କଲେହେଁ ମୁଁ ତମରି !’’

 

ଶ୍ରୀକଣ୍ଠ ତା’ର ଯୌନକ୍ଷୁଧାର ଅଭିଜ୍ଞତା ଓ ସରଳା ସାବିତ୍ରୀକୁ କୌଣସି ମତେ ଏକାଠି କରି ପାରୁନାହିଁ । ବରଂ ସାବିତ୍ରୀ ତା’ର ଚିତ୍ତ ମନ୍ଦିରରେ ଉଭା ହେଲେ, ସେ ମନେ କରୁଛି ଯେପରି ତା’ର ଚିତ୍ତର ସମସ୍ତ ଧୂଳି, ମଳି, ଅଳନ୍ଧୁ ଆପେ ଆପେ ସଫା ହୋଇ ଯାଉଛି । ଦେହ ଓ ଦେହର ମିଳନରେ ଯେପରି ଏକ ସୁଖ ଅଛି, ଯାହାର ପାଇଁକି ସମସ୍ତ ଜୀବ-ସଂସାର ପାଗଳ, ସେହିପରି ଆତ୍ମା ଆତ୍ମାର ଏକ ନିର୍ଦ୍ଦେହିକ ମିଳନ ଥାଇ ପାରେ କି ? ତାହାରି ନାମ କି ପ୍ରେମ ? ତାହାରି ତାଡ଼ନାରେ କ’ଣ ରାଜକନ୍ୟା ଗୌରୀ ଭିଖାରୀ ଶିବ ପାଇଁ ତପସ୍ୟା କରିଥିଲେ ? ସାମାନ୍ୟ ଶ୍ରୀକଣ୍ଠ କ’ଣ ସେହି ରୁଦ୍ଧିମନ୍ତ ଅନୁଭୂତି ଜୀବନରେ ପାଇ ପାରେ ? ଗୋଟିଏ ରୂପସୀ ନାରୀର ଆତ୍ମସମର୍ପଣ, ପ୍ରାଣପୂଜା, ଆରାଧନା, ସର୍ବତ୍ୟାଗ–ପାମର ଶ୍ରୀକଣ୍ଠ କି ତା’ର ଯୋଗ୍ୟ । କାହିଁ ସେ, କାହିଁ ସୁନ୍ଦରୀ ସାବିତ୍ରୀ ! ସେ ଅଲଭ୍ୟା, ସେ ଅଶରୀରୀ, ସେ ରହସ୍ୟମୟୀ ! ଶ୍ରୀକଣ୍ଠର ଭାଗ୍ୟରେ ସେ ମହାର୍ଘ ଅଶୀର୍ବାଦ ଅସମ୍ଭବ !

 

ବରାବର ପକେଟରେ ବୋହୁଥିବା ସାବିତ୍ରୀର ଉପହୃତ ସେଇ ଶୁଷ୍କ, କୃଷ୍ଣୀଭୂତ କିଆଫୁଲଟି ଶ୍ରୀକଣ୍ଠ ପକେଟରୁ ବାହାର କଲା । ଧୀରେ, ଅତି ଧୀରେ ତାକୁ ଅଙ୍ଗୁଳିଜାଳରେ ସ୍ପର୍ଶ କଲା, ସତେ ତାହା ଯେପର ସାବିତ୍ରୀ ସ୍ଵୟଂ । ତା’ପରେ ସେ ପରମ ମୂଲ୍ୟବାନ ଉପହାରକୁ ଅତି ସନ୍ତର୍ପଣରେ ଆଘ୍ରାଣ କରିବାକୁ ଲାଗିଲା ଏବଂ ଅନ୍ତର୍ଦ୍ଦେଶରୁ ଡାକିବାକୁ ଆରମ୍ଭ କଲା “ସାବିତ୍ରୀ ! ସାବିତ୍ରୀ ! ସତେ କ’ଣ ମୁଁ ତମକୁ ପାଇବି ! ହାୟ ହତଭାଗ୍ୟ !”

 

ଶ୍ରୀକଣ୍ଠର ଦୁଇ ଅଖିରୁ ଦୁଇ ଧାର ଅଶ୍ରୁ, ଗଡ଼ିଗଲା । ଅବଶ୍ୟ ସାବିତ୍ରୀ ବିରହରେ ଏ ଅଶ୍ରୁପାତ ପ୍ରଥମ ନୁହେଁ । ନନ୍ଦିଗାଁରୁ ଯେଉଁ ଦିନ ସେ ଫେରି ଆସିଲା, ସେ ସରାତି ସେ କେବଳ କାନ୍ଦି କାନ୍ଦି କଟେଇ ଦେଇଥଲା ।

 

ଅଶ୍ରୁତ୍ୟାଗ ଶେଷ ହୋଇ ଆସିଲା । ଚିତ୍ତର ବିକ୍ଷୋଭ କ୍ରମେ ଶାନ୍ତ ହୋଇ ଆସିଲା । ଶ୍ରୀକଣ୍ଠ ହୃଦୟର ଅବେଗରେ ଖଣ୍ଡିଏ କାଗଜ ଆଣି ଲେଖି ବସିଲା–

 

“ଆତ୍ମାଦ୍ଵାରା ଆତ୍ମାର ମନ୍ଥନହିଁ ପ୍ରେମ । ସମୁଦ୍ର-ମନ୍ଥନରୁ ସୁଧା ଓ ଶ୍ରୀର ଆବିର୍ଭାବ ପରି ଏହି ଆତ୍ମ-ମନ୍ଥନରୁ ଜାତ ହୁଏ ମାନବର ଶାନ୍ତି ଓ ସୁଖ ।

 

“ଅଶ୍ରୁ ପ୍ରେମର ପ୍ରତୀକ । ସୁଖ ପ୍ରେମର ଲକ୍ଷ୍ୟ ନୁହେଁ । ପ୍ରେମର ଲକ୍ଷ୍ୟ ପରିତୋଷ ଓ ପରିପୂର୍ଣ୍ଣତା । ଦୁଇଟି ଅଧା ଜୀବନ ମିଶି ପୂର୍ଣ୍ଣ ହୁଅନ୍ତି ଓ ସେହି ପୂର୍ଣ୍ଣତା ଆଣେ ପ୍ରାଣରେ ପ୍ରଥମ ପରିତୋଷ । ପ୍ରେମ ହିଁ ପ୍ରେମର ଏକମାତ୍ର ଓ ସଶ୍ରେଷ୍ଠ ପରିଣତି ଓ ଫଳ । ଜଣେ ନାରୀର ପରିପୂର୍ଣ୍ଣ ପ୍ରେମଠାରୁ ମାନବ ଜୀବନରେ ମହତ୍ତର ଭାଗ୍ୟ ନାହିଁ । ଏହା ନିକଟରେ ସାମ୍ରାଜ୍ୟ ହଁ ତୁଚ୍ଛ । ନାରୀ ହୃଦୟର ସିଂହାସନ ନିକଟରେ ମଣିମାଣିକ୍ୟର ସିଂହାସନ ପଙ୍କର ଶେଯ ପରି ।”

 

‘‘ପ୍ରେମର, ଦେହ ସଙ୍ଗେ ଅଙ୍ଗାଙ୍ଗି ସମ୍ପର୍କ ନାହିଁ । ସେଥିପାଇଁ ବୋଧହୁଏ ଭାରତୀୟ ପୁରାଣରେ ପ୍ରେମ-ଦେବତାର ନାମ ଅନଙ୍ଗ ।’’

 

“ମୋର ସେହି ହୃଦୟର ରାଣୀଙ୍କୁ ମୁଁ ନମସ୍କାର କରେ ।’’

 

“ମୁଁ ତାଙ୍କଠାରୁ କ’ଣ ଚାହେଁ ? କିଛି ଚାହେଁନା, କିଛି ଚାହେଁନା । ମୁଁ କେବଳ ଅନନ୍ତକାଳ ଯାଏଁ ତାଙ୍କର ପ୍ରଣୟଭରା ଦୁଇ ଅଖିକୁ ଚାହିଁ ରହିବାକୁ ଅଧିକାର ମାଗେ ।’’

 

“ମୁଁ ତାଙ୍କରି ମୁଖରୁ ଅନନ୍ତକାଳ ଯାଏଁ କେବଳ ଶୁଣିବାକୁ ଚାହେଁ” “ମୁଁ ତମର, ମୁଁ ତମର, ମୁଁ ତମର ।’’

 

ସେହି ସୁନ୍ଦରୀ କ’ଣ ଏହି କୁତ୍ସିତଦର୍ଶନ ହତଭାଗ୍ୟକୁ ତାଙ୍କର ବିମଳ ପ୍ରେମଧାରାରେ ଅଭିସିଞ୍ଚିତ କରି ଏହି ହେୟ ଜୀବନକୁ ସାର୍ଥକତା ଦାନ କରିବେ ?”

 

‘‘ପୁରୁଷର ସାର୍ଥକତା କ’ଣ ନାରୀ ହାତରେ ? ମୋ ଜୀବନର ସକଳ ସୁଖ କ’ଣ ସାବିତ୍ରୀ ହାତରେ !”

 

“ଓଃ ! ଓଃ ! ଓଃ !”

 

ଶ୍ରୀକଣ୍ଠ ସେହି କାଗଜରେ ମୁଣ୍ଡ ପୋତି ପୁଣି କାନ୍ଦିବାକୁ ଲାଗିଲା ।

 

(୨୦)

 

ପ୍ରଭୁପାଦର ମେସରେ ଥିବା ଚାକର ନଟିଆର ଇତିହାସ ଯେତେବେଳେ ଜଣା ପଡ଼ିଲା, ସେତେବେଳେ ସମସ୍ତେ ଅବାକ୍ ହେଲେ ।

 

ଜଣାଗଲା ଯେ ସେ ଗୋଟିଏ ପଳାତକ କ୍ରୀତଦାସ । ଅଦ୍ଭୁତ ଘଟଣା !

 

ପ୍ରଭୁପାଦ ପୂଜାଛୁଟି ପରେ ଗାଁରୁ ଯେବେ ଫେରି ଆସିଲା, ନଟିଆ ତା’ ଆଗରେ ଅଭିଯୋଗ କରି କହିଲା “ବାବୁ, ତମେ ହଠାତ୍ ଇମିତି ପଳେଇଗଲ ଗାଁକୁ । ମୁଁ ତମୁକୁ ଅନେଇ ରହିଛି । ମୋ ବିଷୟ ଟିକିଏ ବୁଝି ଦିଅନ୍ତନି ?”

 

ପ୍ରଭୁପାଦ ବିସ୍ମିତ ହୋଇ କହିଲା “ତୋର ବିଷୟ କ’ଣ ? ତୋର ଲୁଗାପଟା ଦରକାର-? ଆଉ ଦରମା ଚାହୁଁଛୁ ? ନା, ଗାଁକୁ ଯିବୁ ?

 

ନଟିଆ କହିଲା “ନାଇଁ ବାବୁ, ଅପଣମାନଙ୍କ ଦୟାରେ ମୁଁ ତ ଭଲରେ ଅଛି । ଗାଁକୁ ବା ଯାଇ କ’ଣ କରିବି । ଆପଣ ବିଜୟବାବୁଙ୍କୁ ଜାଣନ୍ତି–ସେଦିନ ଧବଳେଶ୍ୱରରୁ ସେ ତାଙ୍କ ମୋଟରରେ ଆଣି ଅପଣଙ୍କୁ ଛାଡ଼ି ଦେଇଗଲେ । ତାଙ୍କରିଠି ମୋର କାମ ।

 

ପ୍ରଭୁପାଦ ବିସ୍ମିତ ହୋଇ ପଚାରିଲା “ତୁ ବିଜୟବାବୁଙ୍କୁ ଜାଣୁ ? କି କାମ ତାଙ୍କଠି ?”

 

ନଟିଆ ଧୀରେ କହିଲା “ଆଜ୍ଞା ମୁଁ ତାଙ୍କ ଘରେ ଥିଲି । ପଳେଇ ଆସିଛି ।’’

 

ନାନା ପ୍ରଶ୍ନୋତ୍ତର ଫଳରେ ଯାହା କଥା ବାହାରିଲା ତାହା ଏହି ଯେ ନଟିଆର ଗାଁ ବିଜୟ କାନୁନଗୋର ଗାଁକୁ ଲଗାଲଗି । ନଟିଆର ବାପ ତା’ର ଝିଅ ବାହାଘର ପାଇଁ କିଛି ଜମି ବନ୍ଧା ଦେଇ କାନୁନଗୋଙ୍କ ଘରୁ ଥରେ ୫୦ ଟଙ୍କା କରଜ ନେଇଥିଲା ! ଜମି ଶୀଘ୍ର ଫେରି ପାଇବା ପାଇଁ ସେ ନଟିଆକୁ କାନୁନଗୋଙ୍କ କଟକ ବସାରେ ଚାକର କରି ରଖେଇ ଦେବାକୁ ବାଧ୍ୟ ହେଲା, ଯେପରିକି ତା’ର ଦରମାଆଡ଼ୁ କରଜ ଟଙ୍କାଟା ଆପେ ଆପେ ଶୁଝଟ ହୋଇଯିବ । ନଟିଆର ଦରମା ଛିଣ୍ଡିଲା ମାସକୁ ଦୁଇଟଙ୍କା । ସେତେବେଳକୁ ତାକୁ ସାତ ଆଠବର୍ଷ ବୟସ । ପ୍ରଥମେ ବୋଲହାକ କରୁଥିଲା, ପିଲା ଧରୁଥିଲା, ପରେ ପରେ କଟକ ସହର ସଙ୍ଗେ ପରିଚିତ ହୋଇ ଆସିବାରୁ ଆଉ ଦେହରେ ବଢ଼ିବାରୁ ତାକୁ ଆସ୍ତେ ଆସ୍ତେ ଘରର ଯାବତୀୟ ଭାରି କାମ କରିବାକୁ ପଡ଼ିଲା । ବଡ଼ ହେବାରୁ ନଟିଆ କ୍ରମେ ନିଜର ଅବସ୍ଥା ବୁଝି ପାରିଲା । ସେ ଜାଣିଲା ଯେ ସେ ଗୋଟିଏ କିଣା ଚାକର । ଏ ଘରେ ସେ କଂସା, ନୋଟା, ଥାଳି ପରି ବନ୍ଧା ପଡ଼ିଛି । ତା’ର ଏଠୁ ପଳାଇ ଯିବାର ଉପାୟ ନାହିଁ । ତେଣେ ଘରେ ବାପ ବୁଢ଼ା ହୋଇ ଯାଉଛି । ଘରର ଜମିବାଡ଼ି ବୁଝିବାକୁ ଆଉ ଦ୍ଵିତିୟ ଲୋକ ନାହିଁ । ନିଜ ଘରବାଡ଼ି ନିଜେ ବୁଝନ୍ତା–ପର ଘରେ କେତେ ଆଉ ପର ପାଇଁ ଖଟିବ ? ଭେଣ୍ଡା ନଟିଆର ଚିତ୍ତ କ୍ରମେ ଅସ୍ଥିର ହୋଇ ଉଠିଲା । କିନ୍ତୁ ଯାଉଛି କିପର ? ମୂଳକଳନ୍ତ୍ର ମିଶେଇ ଦେଣା ଯାହା ହେଉଛି ବର୍ଷକୁ ବର୍ଷ ଦରମା, ବାବତକୁ ସେ କଟି ପାରୁ ନାହିଁ । ଦରମା ବି ଏଣେ ବଢ଼ିବାକୁ ନାହିଁ । ନଟିଆର ବାପ ଆସି ଥରେ ଦିଥର ବାବୁମାନଙ୍କୁ ଦରମା ବଢ଼େଇବାକୁ କହିଲା; କିନ୍ତୁ ଜବାବ ମିଳିଲା ଯେ “ସେଟାତ ଦିନକୁ ଦୁଇସେର ଚାଉଳର ଭାତ ଖାଉଛି । ଖାଉଟିରେ ତ ତା’ପିଛା ଆମର ମାସରେ ପଚାଶ ଟଙ୍କା ଖର୍ଚ୍ଚ, ଆଉରି ପୁଣି ଦରମା ବଢ଼େଇବୁ ? କ’ଣ, ତମକୁ ତମ ବିପଦ ବେଳେ ସାହାଯ୍ୟ କଲୁ ବୋଲି, ପିଲାବେଳୁ ତାକୁ ଖୁଆଇ ପିନ୍ଧେଇ ଭେଣ୍ଡା କରି ଦେଲୁ ବୋଲି, ଫେର୍‍ ଦାବି ଉପରେ ଦାବି କରୁଛ, ନାହିଁ ? ହଉ ଟଙ୍କା ଶୁଝିଦିଅ, ତମ ପିଲାକୁ ତମେ ନେଇଯାଅ । ତମ ଉପରେ ଆଉରି ତିରିଶି ଟଙ୍କା ବାକି, ତା’ଉପରକୁ ପୁଣି ଏବର୍ଷର କଳନ୍ତର ।’’

 

ନଟିଆ ବାପାଟା ଟିକିଏ ମାନ୍ଦା, ନିର୍ବଳିଆ ଲୋକ । ଜୋର୍‍ କରି କାହାକୁ କିଛି କହି ପାରେନା । ତା’ ସ୍ତ୍ରୀଇ ତା’ ଘର ଚଳାଏ । ସେ ଭାବେ ‘‘ହଁ, ବାବୁ ଯାହା କହୁଛନ୍ତି, ସତ । ପ୍ରକୃତରେ ବିପଦ ବେଳେ ବାବୁଘର ଟଙ୍କା ସାହାଯ୍ୟ ଦେଇଛନ୍ତି, ମୋ ପିଲାକୁ ପିଲାଦିନୁ ବଢ଼େଇ ଆଣିଛନ୍ତି । କ’ଣ ଆଉ କରିବି ? ଭଗବାନ୍ ଯାହା କରିବେ ।’’ କାନମୁଣ୍ଡ ଆଉଁଶି ସେ ଘରକୁ ଫେରେ ।

 

ଘରେ ନଟିଆର ମା କିନ୍ତୁ ପାଟିକରେ “କ’ଣ ! ମୋ ପିଲାକୁ କ’ଣ ଦି ଓଳି ଦି ମୁଠା ଭାତ ମିଳି ନ ଥାନ୍ତା, ଯୁଠି ହେଲେ ଥିଲେ ? ମୋ ପିଲା କ’ଣ କାହା ଘରେ ବସି ଖାଉଛି ? କାମ କଲା, ଖାଇଲା, ଏଥିକି ଗୋଟେ ହିସାବ କ’ଣ ? ଏନାଗି କ’ଣ ମୋ ପିଲା ଜୀବନଯାକ ତାଙ୍କ ଘରେ ବନ୍ଧା ରହିବ ? ତା’ ସାଙ୍ଗପିଲେ କଟକ କଲିକତା ଯାଇ ମୁଠା ମୁଠା ଟଙ୍କା ଘରକୁ ପଠାଉଛନ୍ତି । ଆଉ ମୋ ପିଲା, ଦି’ଟା ଟଙ୍କାକୁ ସେଠି ମୁଣ୍ଡ ବନ୍ଧା ଦେଇ ପଡ଼ି ରହିବ ? କିମିତିକା ମିଣିପ ତମେ ସତେ ! କଥା ପଦେ କହିବାର ବଳ ନାହିଁ ! ଛି ଛି ! ଯାଅ, ଫେର୍‍ କଟକ ଯା’ । ପିଲାକୁ ମୋର କହ, ସେ ତାଙ୍କ ଘରୁ ପଳେଇ ଆସୁ । ଯାହାହେବ, ଦେଖିବା । ଟଙ୍କାତ ନେବେ ? ମୋ ପୁଅ ରୋଜଗାର କରି ଶୁଝିବ ! ମୁଁ ଦିପଟ ଗାଈ ବିକି ଦେବି ।’’

 

ନଟିଆ ବି ପଳେଇବାକୁ ଉଚ୍ଛନ୍ନ ହେଲାଣି । କିନ୍ତୁ କାନୁନଗୋମାନେ ନଟିଆର ହାବଭାବ ଓ ତା’ ବାପର ଘନ ଘନ ଯିବା ଆସିବାରୁ ତା’ର ପଳାୟନର ଆଶଙ୍କା କଲେ ! ସେ ପଳେଇ ଗଲେ ଏତେ ଶସ୍ତାରେ ଏପରି ଗୋଟିଏ ବିଶ୍ୱସ୍ତ ଭୃତ୍ୟ ଆଉ ମିଳବ କାହୁଁ ? ଗାଁ ପାଖର ଲୋକ । ପଳେଇଗଲେ ପୁଣି ସହଜରେ ଧରି ଆଣି ହେବ । ତା’ ଉପରେ ପୁଣି ଅକ୍ତିୟାର ଅଛି । ସ୍ଥିର ହେଲା ଯେ ଏଇ ଅକ୍ତିୟାରକୁ ଆଉରି ବଳବତ୍ତର କରାଯିବ । କାନୁନଗୋମାନଙ୍କ ବୃଦ୍ଧ ଗୁମାସ୍ତାକୁ ନିଯୁକ୍ତ କରାଗଲା ଏହି ଧୂର୍ତ୍ତ କର୍ମ ପାଇଁ । ନଟିଆର ବାପ ଥରେ କଟକ ଆସିଲା ଭିତରେ ଗୁମାସ୍ତା ତାକୁ ଧୀରେ କହିଲେ, ଦିନେ ପାଖରେ ବସେଇ “ଦେଖ୍‍, କୁରୁପା, ତୋ ଭଲ ପାଇଁ କହୁଛି । ପ୍ରକୃତରେ ତୋ ପୁଅ ଅନ୍ୟଠି ଭଲ ରୋଜଗାର କରନ୍ତା । ତୋର ବି ସାମାନ୍ୟ କିଛି ଚାଷ ଅଛି । ପୁଅ ଭେଣ୍ଡା ହେଲା, ତୋ ହାତରୁ କାମ ଛଡ଼େଇ ଶିଖିବା ବୟସ ତା’ର ହେଲାଣି । ହେଲେ, ତୁ ଯଦି ନିତାନ୍ତ ତୋ ପୁଅକୁ ଫେରେଇ ନେବାକୁ ଚାହୁଁ, ତେବେ ବାବୁଙ୍କ ପାଞ୍ଚବାଟିଆ ଜମିକି ଲାଗି ତୋର ଯେଉଁ ୩ ମାଣ ତଳି ଅଛି ତାକୁ ବନ୍ଧା ଦେଇ ଦେ, ପୁଅକୁ ମୁକୁଳେଇ ନେ । ବର୍ଷ ଦିଟାରେ ସବୁ ଶୁଝଟ ହୋଇଯିବ । ନ ହେଲେ ପୁଅର ବିଭାଘର କରିବୁ ବୋଲି ଶୁଣୁଛି । ସେଥିପାଇଁ ଆଉ ଟଙ୍କା କରଜ ଚାହୁଁ ତ ବାବୁଙ୍କୁ କହି ମୁଁ କରେଇ ଦେବି । ବେଶ୍‍ ଏକାବେଳେକେ ପୁଅ ମୁକୁଳିବ, ପୁଅର ବିଭାଘର ହେବ, ଘରୁକୁ ବୋହୂ ଆଣିବୁ, ବୟସ ହୋଇଗଲା, ଆରାମରେ ରହିବୁ ଏଥର ।’’

 

Unknown

କିନ୍ତୁ ନଟିଆ ସେଇ ରାତ୍ରରେ ତା’ ବାପାଠୁ ଯେତେବେଳେ ଏଇ ପ୍ରସ୍ତାବ ଶୁଣିଲା, ସେ ସେଇକ୍ଷଣିଇ ଠିକ୍ କଲା ଯେ କାନୁନଗୋଙ୍କ ଘର ଛାଡ଼ି ସେ ସେଇ ରାତ୍ରି ଚାଲିଯିବ । ତା’ର ବୋକା ବାପାକୁ ସେ ଗାଳି ଦେଲା । ସେ ତାକୁ ବୁଝେଇ ଦେଲା ଯେ ସାରା ଜୀବନ ତାକୁ ମୁଣ୍ଡ ବନ୍ଧା କରି ରଖିବା ପାଇଁ ଯୋଗାଡ଼ ହେଉଛି । ରାତି ନ ପାହୁଣୁ ବାପା ତା’ର ଗାଁକୁ ଓ ସେ କଟକରେ ଆଉ ଏକ ବସାକୁ ପଳାଇଯିବାର ସ୍ଥିର କଲା ।

 

ତାହାହିଁ ବାପ ପୁଅ କଲେ । ନଟିଆ କିଛିକାଳ ତା’ର ଚାକର ସାଙ୍ଗମାନଙ୍କ ପାଖରେ ଏଘରେ ସେଘରେ ରହି ଆତ୍ମଗୋପନ କଲା ପରେ, ଏଇ ମେସରେ ଏବେ ବର୍ଷେ କଟେଇ ସାରିଲାଣି । ମାସିକ ଦୁଇ ଟଙ୍କା ଯାହା ଦରମା ପାଉଥିଲା କାନୁନଗୋଙ୍କ ଘରେ, ଏଠି ବିନା ଚାହିଦାରେ ମାସିକ ଦଶ ଟଙ୍କା ଦରମା ପାଏ, ସେଇ ଟଙ୍କାଟା ସେ ପ୍ରତି ମାସରେ ବାପ ପାଖକୁ ପଠାଇ ଦିଏ । ବାବୁମାନେ ସମସ୍ତେ ତାକୁ ଭଲ ପାଆନ୍ତି । ତା’ର ନିପଟ କୃଷ୍ଣକାନ୍ତି ଓ ବକ-ଶୁକ୍ଳ ଦନ୍ତପନ୍ତି ଓ ଟାଆଁଶା ବାଳ ପାଇଁ ତାକୁ କୃଷ୍ଣମୁଖ ହନୁମାନ ସହିତ ତୁଳନା କରି ସବୁ ବାବୁ ଥଟ୍ଟା କରନ୍ତି । ସେ ଏଇ ଟୋକା ବାବୁମାନଙ୍କ ସାହଚର୍ଯ୍ୟରେ ବେଶ୍ ଭଲରେ ଥାଏ । ତା’ର ବାପା ବି ଏବେ ବରାବର ଆସି ମେସରେ ରହେ, ବାବୁମାନଙ୍କ ସହ ପରିଚିତ ହୁଏ, ବାବୁମାନଙ୍କ ହାତରେ ପୁଅକୁ ସମର୍ପି ଯାଏ ।

 

କିନ୍ତୁ ଇତି ମଧ୍ୟରେ କାନୁନଗୋ ପରିବାର ତା’ର ବାପ ନାଁରେ ଏକ ମକଦ୍ଦମା ଦାଏର୍‍ କରି ଦେଇଛନ୍ତି, ଏଇ ଅଭିଯୋଗ କରି ଯେ ଅଶୁଝା କରଜ ଯାହା ଥିଲା, ତା’ ସାଙ୍ଗକୁ, ଯେଉଁ ରାତ୍ରିରେ ବାପ ପୁଅ ପଳାଇଗଲେ ସେହିଦିନ କାନୁନଗୋଙ୍କ ଘରୁ ପ୍ରାୟ ୫୦୦ ଟଙ୍କା ଜିନିଷପତ୍ର ଚୋରି ହୋଇଥିବାର ଦେଖା ଯାଇଛି । ମକଦ୍ଦମା ଦାଏର୍‍ ହୋଇଗଲାଣି । ନଟିଆର ବାପ ଇ ଭିତରେ କଟକ ଦଉଡ଼ିଲାଣି ୩।୪ ଥର ଏ ସମ୍ପର୍କରେ । କନ୍ତୁ ନଟିଆ କି ତା’ ବାପ ମେସରେ କେବେ କାହାକୁ କାନୁନଗୋ ଘରୁ ପଳାଇ ଆସିବାର କଥା କହି ନାହାନ୍ତି, ପୁଣି ଏ ଚୋରି ମକଦ୍ଦମାର କଥା ସେମାନଙ୍କ ଆତ୍ମବିଶ୍ୱାସ ଓ ଆତ୍ମ-ସମ୍ମାନକୁ ଆହୁରି ସଙ୍କୁଚିତ କରି ସାରିଲାଣି । ମନ କଥା ମନରେ ମାରି, ଦିଅଁ ଦେବତାଙ୍କୁ ଡାକି ଡାକି ନଟିଆର ବାପ ଯାଉଛି, ଆସୁଛି । ନଟିଆର ଦରମା ଓ ଘରୁ ଜିନିଷପତ୍ର ବନ୍ଧାଛନ୍ଦା ଦେଇ ନଟିଆର ବାପ ଓକିଲ ଲଗେଇଲାଣି । ବେଳେ ବେଳେ ଏବେ ସ୍ତ୍ରୀକୁ ଓଲଟା ଗାଳି ଦିଏ, ନିଜର ଉତ୍କର୍ଷ ପୌରୁଷକୁ ସାବ୍ୟସ୍ତ କରିବା ପାଇଁ । “ତୁ ମରନ୍ତୁ କି ରାଣ୍ଡ, ମୋ ଜଞ୍ଜାଳ ଯାନ୍ତା । ମୋ ପିଲା ତ ଯାହା ହେଲେ ଖାଇ ପିଇ ନିଶ୍ଚିନ୍ତରେ ଥିଲା । ତୋ ବୁଦ୍ଧିରେ ପଡ଼ି ଏବେ ଆମେ ବାପ-ପୁଅ ଦିହେଁ ଜିହଲ ଯିବୁ ।” କୁରୁପାର ସ୍ତ୍ରୀ ବର୍ତ୍ତମାନ ଦୁଃଖରେ ମୁହ୍ୟମାନା । ସେ ନୁଚେଇ ନୁଚେଇ କେବଳ କାନ୍ଦେ, ସେ ଅଞ୍ଚଳରେ ଯେତେ ଗ୍ରାମ୍ୟ ଦେବ ଦେବତୀ, ସମସ୍ତକୁ ଭୋଗ ଯାଚେ ଓ ପ୍ରାର୍ଥନା କରେ “ହେ ଦିଅଁ, ମୋ ପିଲାକୁ ଉଦ୍ଧାର କର-। ହେ ବରୁଣେଇ ଠାକୁଣରାଣୀ, ମୋ ପିଲାକୁ ଘଣ୍ଟ ଘୋଡ଼େଇ ରଖ ମା, ମୁଁ ତୁମକୁ ରୂପାର ଘଣ୍ଟ ତିଆରି ଦେବି ।”

 

ପ୍ରଭୁପାଦ ଯେଉଁ ଦିନ ଧବଳେଶ୍ୱରରୁ ଫେରିଲା, ରାତିରେ ବିଜୟ କାନୁନଗୋର ମୋଟରରେ, ସେହି ଦିନ, ନଟିଆ, ପ୍ରଭୁକୁ ଲଣ୍ଠନ ଦେଖାଇ ଆଣିବାକୁ ଗଲାବେଳେ ବିଜୟ ଓ ମଲ୍ଲିକା ପ୍ରଭୃତି ସମସ୍ତକୁ ଦେଖିପାରି ଥିଲା । ବିଜୟ, ନଟିଆକୁ ଦେଖିପାରି ନ ଥିଲା । କାରଣ ପ୍ରଭୁପାଦ ଯେତେବେଳେ ଗାଡ଼ିରୁ ଓହ୍ଲାଇ ମେସ୍‍କୁ ଯାଉଥିଲା, ସେ ସେତେବେଳେ ବୀଭତ୍ସ ଘୃଣାରେ ମୋଟରର ଅନ୍ୟ ପଟକୁ ଅନେଇ ରହିଥିଲା । ଭାବଟା ଏଇପରି–‘ଜଞ୍ଜାଳ ଗଲା । ଏଇ ମେସରେ ଥିବା ବେଗାର୍‍ଗୁଡ଼ାଙ୍କୁ ଯାହା ମୋଟରରେ ଚଢ଼େଇ ଆଣିଲି, ଭଦ୍ରତା କରି ।’

 

ମୋଟର ଚାଲିଗଲା । ନଟିଆର କିନ୍ତୁ ପରିତ୍ରାଣର ଆଶା ଜାଗ୍ରତ ହେଲା । ପ୍ରଭୁବାବୁ ତା’ହେଲେ ବିଜୟବାବୁଙ୍କ ସାଙ୍ଗ ! ନ ହେଲେ ବିଜୟବାବୁଙ୍କ ଭାବୀ ଶଳା ଉଦୟବାବୁଙ୍କର ସାଙ୍ଗ ହୋଇଥିବେ ତ । ନ ହେଲେ ଏକାଠି ଭୋଜି ଖାଇବାକୁ ଯାଇଥାନ୍ତେ କାହିଁକି ? ଯାହାହେଉ କାହାରିଦ୍ଵାରା ହେଲେ କୁହାବୋଲା କରି ମକଦ୍ଦମାର ଗୋଟାଏ କ’ଣ ବ୍ୟବସ୍ଥା ଯଦି ହୋଇ ପାରନ୍ତା-! କିନ୍ତୁ ମନ୍ଦ ଭାଗ୍ୟକୁ ପ୍ରଭୁପାଦ ସେଇ ରାତ୍ରି ପାହୁଣୁ ଗାଁକୁ ଚାଲିଗଲା । ନଟିଆ ଆଉ ତା’ର ଏଇ ଦୀର୍ଘ ବପନ୍ନ କାହାଣୀ କହିବାର ସୁଯୋଗ ପାଇ ନ ଥିଲା । ତେଣୁ ପ୍ରଭୁ ଗାଁରୁ ଫେରିବା ପରେ ସେ ତାକୁ ଧରିଛି ।

 

ସେ କହିଲା, “ପୂଜାଛୁଟି ପରେ କୋଟ୍‍ କଚେରୀ ଫିଟିଲେ, ବିଚାର ଆରମ୍ଭ ହେବ । ମତେ ନ ହେଲେ ମୋ ବା’କୁ ଜିହଲ ହୋଇଯିବ ବାବୁ, ଆମର ଟଙ୍କା ବା କାଇଁ ମକଦ୍ଦମା ଲଢ଼ିବାକୁ-। ବା’ ବନ୍ଧାଛନ୍ଦା ପକେଇ ଓକିଲ ନଗେଇଛି ଖାଲି ଜାମିନିରେ ଖଲାସ ହୋଇ ଆସିବା ପାଇଁ । ବାବୁ, ତମେ ଯାଇ ଟିକିଏ କହ, ନ ହେଲେ ତମ ସାଙ୍ଗ ଉଦୟବାବୁ ଯା’ଙ୍କ ଭଉଣୀକି ସେ ବିଭା ହେବେ, ତାଙ୍କୁ ବି ନ ହେଲେ ଟିକିଏ କହ, ମୋ ପାଇଁ । ସେ ମତେ ଭଲ କରି ଜାଣନ୍ତି, ତାଙ୍କ ଭଉଣୀ, ତାଙ୍କ ମା-ସମସ୍ତେ ।’’

 

ପ୍ରଭୁପାଦର କଣ୍ଠରେ କ’ଣ କିଛି ମେଞ୍ଚାଏ ଜମା ହୋଇଗଲା ଯେପରି । ତା’ର ଛାତି ଧୀରେ ଧୀରେ କମ୍ପି ଉଠିଲା, ନିଶ୍ଵାସ ସାମାନ୍ୟ ପ୍ରଖର ହୋଇ ଉଠିଲା । ସେ ଥଙ୍ଗଇ ଥଙ୍ଗେଇ ପଚାରିଲା “ତୁ ସେମାନଙ୍କୁ ଜାଣୁ ?”

 

ନଟିଆ କହିଲା ‘‘ବଜୟବାବୁଙ୍କ ବୋଲ ମାନି ତାଙ୍କର ଚିଠି, ପତ୍ର, ଜିନିଷ ଇତ୍ୟାଦି ନେଇ ମୁଁ ବରାବର ତାଙ୍କ ଘରକୁ ଯାଏ । ମଲ୍ଲି ଦେଇ ମତେ ଭାରି ଆଦର କରନ୍ତି । ମୁଁ ତ ନୁଚି କରି ରହିଛି ଆଜ୍ଞା, କାଳେ ସେମାନେ ଜାଣିବେ ବୋଲି ଆଉ କୁଆଡ଼େ ଯାଉନି ।’’

 

ମେସ୍ ଚାକର ନଟିଆକୁ ପ୍ରଭୁପାଦର ସବୁ ସାଙ୍ଗ ଉତ୍ତମରୁପେ ଜାଣିଥିଲେ । ଗୁରୁଦେବ ସମେତ ସମସ୍ତେ ଯେତେବେଳେ ନଟିଆର କରୁଣ ଇତିହାସ ଜାଣିଲେ, ସେମାନେ ନିଶ୍ଚିତ କଲେ ଯେ, ବିଜୟକୁ ଦେଖାକରି ଏହି ଅନ୍ୟାୟର ଏକ ଆପୋଷ ନିଷ୍ପତ୍ତିର ଚେଷ୍ଟା କରିବାକୁ ହେବ । ନ ହେଲେ ନଟିଆର ପକ୍ଷ ହୋଇ ଓକିଲ ଲଗେଇ ମକଦ୍ଦମା ଲଢ଼ିବାକୁ ହେବ ।

 

କିଏ ଯିବ ? ଶ୍ରୀକଣ୍ଠ କିନ୍ତୁ ସାଙ୍ଗେ ସାଙ୍ଗେ ମନାକଲା । ସେ କହିଲା ସେ ସେହି ଅସଂସ୍କୃତ ବର୍ବର ବିଜୟ କାନୁନଗୋ ପାଖକୁ ଭିକ୍ଷା କରି ଯିବ ନାହିଁ । “ସେ ଜାଣେ ତା’ର ମୋର ଅହି-ନକୁଳ ସମ୍ପର୍କ । ତା’ର ଗୋସେଇଁ ବାପ ମୋ ଗୋସେଇଁ ବାପର ପିଣ୍ଡାରେ ବସି ଆମର ହିସାବ ରଖୁଥିଲା । ମୋ ଗୋସେଇଁ ବାପ ଇଂରେଜୀ ଭାଷାକୁ ଘୃଣା କରି ପୁଅକୁ ପାଠ ପଢ଼େଇଲେନି; ଚାକିରିଜୀବୀ କାନୁନଗୋ ଇଂରେଜୀ ପଢ଼ି ବିଦେଶୀ ଶାସକର ଖୋସାମଦ କରି ଭଲ ଚାକିରି ତ ପାଇଲା, ପୁଣି ସେଇ ସୂତ୍ରରେ ପୂର୍ବ ମୁନିବର ସମସ୍ତ ସମ୍ପତ୍ତି କଳେ ବଳେ କୌଶଳେ ଗ୍ରାସକରି ଆଜି ବଡ଼ଲୋକ ବୋଲାଉଛି ସେ ଅଞ୍ଚଳରେ । ଅଉ ବୁନିୟାଦୀ ବଂଶର ପିଲା ମୁଁ, ମୁଁ ଗ୍ରାମଛଡ଼ା ହୋଇ ଏଇ ବୁଲୁଛି ଦେଖୁଛ ! ମୋର ପ୍ରତି ରକ୍ତବିନ୍ଦୁ ଚାହେଁ କାନୁନଗୋ ପରିବାରର ଧ୍ୱଂସ ! ମୁଁ ଯିବି ତା’ ଘରକୁ କୃପାଭିକ୍ଷା କରିବାକୁ ?”

 

ଶେଷରେ ଠିକ୍ ହେଲା, ପ୍ରଭୁ ଓ ଗୁରୁଦେବ, ନଟିଆକୁ ଧରି ବିଜୟ ନିକଟକୁ ଯିବେ ।

 

କଥା ଅନୁସାରେ ତହିଁ ଆର ଦିନ ସକାଳେ ପ୍ରାୟ ଦିନ ୯ ଟାକୁ ବିଜୟର ଘରେ ସେମାନେ ପହଞ୍ଚିଲେ ।

 

ବିଜୟ କାନୁନଗୋ ବୈଠକଖାନାରେ ବସି ପାରିବାରିକ ବ୍ୟବସାୟର କିଛି କାଗଜ ପତ୍ର ଦେଖୁଥିଲା । ଘରଟି ନୂତନ କାଇଦାରେ ସଜା । ପୂର୍ବର ପଟି, ତକିଆ, ପିଢ଼ି ଉଠିଯାଇଛି ବହୁଦିନୁ । ସେକ୍ରେଟେରିୟାଟ୍‍ ଟେବୁଲ୍‍ ପଡ଼ିଛି । ପଛପଟେ ଲୁହବାକ୍ସ କାନ୍ଥଖୋଳି ବସା ହୋଇଛି । ବାଁ ପଟେ ଫୋନ୍ । କିରାଣୀ, ଗୁମାସ୍ତା ସବୁ ଫାଇଲ୍‍ ଧରି ଠିଆ ହୋଇଛନ୍ତି । ସମ୍ମୁଖରେ ୪।୫ ଟି ଚୌକି ପଡ଼ିଛି, ଭଦ୍ରଲେକମାନଙ୍କ ବସିବା ପାଇଁ ।

 

ଏମାନେ ଭିତରକୁ ଗଲେ । ବିଜୟ କେବଳ ସଙ୍କେତରେ ବସିବାକୁ କହିଲା ଏବଂ ନିଜର କାମରେ ଲାଗିଲା ।

 

“ଯୋତା ବିଭାଘର ଟଙ୍କା ଚାଉଳକଳ ପାଇଁ କାହିଁକି ବ୍ୟୟ କରାହେଲା ? କାହା ଅନୁମତିରେ କଲ ? ବଡ଼ଭାଇ ଯଦି କହିଛନ୍ତି, ତେବେ କାଗଜପତ୍ର ତାଙ୍କ ପାଖକୁ ନିଅ–ମୋ ପାଖକୁ ଅଣୁଛ କାହିଁକି ?

 

ଆଉ ଜଣକୁ ଲକ୍ଷ୍ୟକରି–‘‘ଆଉ ୩ୟ ନମ୍ବର ଓ ୫ମ ନମ୍ବର ମକଦ୍ଦମା ପାଇଁ କାହାକୁ ଓକିଲ ନିଯୁକ୍ତ କଲ ? ନା, ନା, କାଶୀବାବୁଙ୍କୁ ପୁରାଅ ନାହିଁ, ଦିଅ ଆମର ବୀରବାବୁଙ୍କୁ । ଆଉ ୬ ନମ୍ବର ମକଦ୍ଦମା ପାଇଁ ହରିବାବୁଙ୍କ ପାଉଣାଟା, ଯାଅ, ତୁଟେଇ ଆସ ।’’

 

“ଆଉ ତମର ଏ ଯେ କୋଡ଼ିଏ ହଜାର ନୂତନ ଲୋନ୍‍ ଦେବାକୁ ଗତ ବର୍ଷର ୧୦ ହଜାର ପ୍ରଜାମାନଙ୍କଠାରେ ବାକି ଯେ ପଡ଼ି ରହିଛି, ୟାର କି ବ୍ୟବସ୍ଥା କରୁଛ ? ବାରମ୍ବାର ତାଗିଦ୍ ସତ୍ତ୍ୱେ, ଟଙ୍କା ଏତେ ଏତେ ବାକି ପଡ଼ୁଛି କିଆଁ ? କିପରି ଅସୁଲ ହେବ ? ତମର ଡିପାଜିଟ୍‍ ବାଜ୍ୟାପ୍ତ ହେବ ଦେଖୁଛି ।”

 

ସେ ଲୋକଟା ହଠାତ୍ ଆଣ୍ଠୁମାଡ଼ି ବସି ପଡ଼ି ଭୋ ଭୋ କାନ୍ଦିବାକୁ ଲାଗିଲା “ହଜୁର୍‍, ମା ବାପ । ମୋ ପିଲା କୁଟୁମ୍ବ ରାସ୍ତାରେ ଠିଆହେବେ । ଆଜିକାଲି ଲୋକଙ୍କ ଭାବ-ଗତି ଦେଖନ୍ତୁ । ଗାନ୍ଧି କଥାରେ ପଡ଼ି ଲୋକେ ଆଉ ଜେଲ୍‍କୁ ସୁଦ୍ଧା ଭୟ କରୁ ନାହାନ୍ତି । ଗାଁ ଗାଁକେ କଙ୍ଗ୍ରେସ-କର୍ମୀ-। ଲୋକଙ୍କୁ ଖଜଣା ନ ଦେବାକୁ, ଜମିଦାରକୁ ନ ମାନିବାକୁ ମତଉଛନ୍ତି । ଆମେ କି ଗାଈର ଗୋବର, ଆମ କଥା କିଏ ମାନବ କହନ୍ତୁ !”

 

“ଉଠ, ଉଠ । ମାଇକିନାଙ୍କ ପରି କାନ୍ଦୁଛ କ’ଣ ? କାନ୍ଦିଲେ କିଏ ଛାଡ଼ିଦେବ ? ତମେ କ’ଣ ଜାଣନି ଆମେ ବି କଙ୍ଗ୍ରେସ ଲୋକ ? ଲୋକଙ୍କୁ ଏଇତକ କଥା ବୁଝାଇବା ପାଇଁ ମୁଣ୍ଡରେ ମଗଜ ନାହଁ ?”

 

“ହଜୁର, ସେ କଥା ବି ଆମେ କହୁଛୁ । ତେବେ ଆଜ୍ଞା, ଭୋଳାନାଥ ସ୍ଵାଇଁ ପଟେ ଗୁଡ଼ାଏ କଙ୍ଗ୍ରେସ କର୍ମୀ ଆଉଜିଛନ୍ତି । ଆପଣ ଜାଣନ୍ତି ନି ! ଗୁପ୍ତରେ ଗୁପ୍ତରେ ସେମାନେ ଆପଣଙ୍କ ବିରୁଦ୍ଧରେ ପ୍ରଚାର କରୁଛନ୍ତି !”

 

“ହାଁ ? ସତେ ! ଏକଥା ଆଗରୁ କହି ନ ଥିଲ । ଆଛା ଶ–ଚଷାକୁ ଶିଖେଇ ଦେବା, କଙ୍ଗ୍ରେସ କାହାର ହେବ । ବ୍ରିଟୀଶ ଅମଳରେ ଆମେ ଯିମିତି ତମୁକୁ ଶାସନ କରୁଥିଲୁ, କଙ୍ଗ୍ରେସ ଆସିଲେ ବି ସେଇମିତି ଶାସନ କରିବୁ । ଦେଖାଯାଉ ! –ଅଚ୍ଛା ସବୁ ଯାଅ । ବାବୁମାନେ ଆସିଛନ୍ତି, ତାଙ୍କ କଥା ଟିକିଏ ବୁଝି ଦେବା ।”

 

ପ୍ରଭୁପାଦ ଓ ଗୁରୁଦେବ ନୀରବରେ ବସି ବଜୟପ୍ରସାଦ କାନୁନଗୋର ଏହି ଅକପଟ, ଅହଙ୍କାର-ସ୍ଫୁର୍ତ୍ତି ବର୍ବର ମହମା-ପ୍ରଦର୍ଶନ ଅଧଘଣ୍ଟାଏ ଧରି ଦେଖୁଥାନ୍ତି । ପବିତ୍ର କଙ୍ଗ୍ରେସ ଅନୁଷ୍ଠାନକୁ ଏପରି ଗୋଷ୍ଠୀଗତ ହତିଆର ରୂପେ ବ୍ୟବହାର କରାଯାଇ ପରିବାର କଳ୍ପନା ସେମାନେ ଏଇ ପ୍ରଥମ ଶୁଣି ପରସ୍ପରକୁ ବିସ୍ମିତ ଚକ୍ଷୁରେ ଅନାଇଲେ । ବିଜୟପ୍ରସାଦ ନଟିଆର ଉପସ୍ଥିତିକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିବା ତା’ର ଗର୍ବ-ସ୍ଫୀତ ଚରିତ୍ରର ଓ ଭବିଷ୍ୟତ ଅଶୁଭର ସୂଚନା ରୂପେ ସେମାନେ ଧରି ନେଲେଣି ।

 

ବର୍ତ୍ତମାନ ସମସ୍ତେ ଶାନ୍ତ । କ୍ଷଣେ କେହି କାହାକୁ କିଛି କହି ପାରିଲେନି । କେବଳ ପରସ୍ପରକୁ ଅନାଇ ରହିଲେ, ଯେପରି ଦୁଇଟି ବିରାଡ଼ି କାମୁଡ଼ା, କାମୁଡ଼ି ହେବା ଆଗରୁ ପରସ୍ପରକୁ ଛକାଛକି ରହି ଅନାଇ ରହିଥାନ୍ତି ।

 

ବିଜୟ ପ୍ରଥମେ ସେହି ଅସହ୍ୟ ନୀରବତାକୁ ଭଙ୍ଗ କଲା ।

 

କୁଆଡ଼େ ଆଇଲେ ଅପଣମାନେ ?”

 

ଗୁରୁଦେବ ଉତ୍ତର ଦେଲେ “ଆପଣଙ୍କ ଘରେ ଏଇ ଯେ ନଟିଆ ଚାକର ଥିଲା, ତା’ର ବିଷୟ ଆପଣଙ୍କୁ ଟିକିଏ କିହବାକୁ ଆସିଥିଲୁ । ବଡ଼ ଗରିବ ବି–’’

 

ବିଜୟ କାନୁନଗୋ ଗମ୍ଭୀର ହୋଇ ‘ହୁଁ’ ଉଚ୍ଚାରଣ କେବଳ କଲେ । ତା’ପରେ ଡାକ ଛାଡ଼ିଲେ–

 

“କିଏ ଅଛରେ !”

 

ଧାଇଁ ଆସିଲେ ଜଣେ ଚାକର ଓ ଜଣେ ଗୁମାସ୍ତା ।

 

ସେମାନଙ୍କୁ ଚାହିଁ ବିଜୟ କାନୁନଗୋ ଅର୍ଡ଼ର ଦେଲେ,

 

“ଏଇ ଚୋରକୁ ଆଗ ଧରି ଅଟକାଇ ରଖ । ତା’ପରେ ଯାହା କଥା” ।

 

ସଙ୍ଗେ ସଙ୍ଗେ ପ୍ରଭୁପାଦ ଚୌକି ଛାଡ଼ି ଧାଇଁଗଲା ନଟିଆ ପାଖକୁ ଏବଂ ଚିତ୍କାର କରି କହିଲା–

 

“ଦାଟ୍‍ କାନ୍‍ନଟ୍‍ ବି । ସେ ବର୍ତ୍ତମାନ ଆମର ଲୋକ । ସେ ଚୋର କି ସାଧୁ ତା’ର ବିଚାର କୋର୍ଟ କରିବ । ଆପଣଙ୍କ ଖିଆଲ୍‍ ଅନୁସାରେ ଲୋକ ଚୋର ବା ସାଧୁ ବୋଲି ପରିଚିତ ହେବେନି ।’’

 

ଗୁରୁଦେବ ବି ହଠାତ୍‍ ଠିଆ ହୋଇ ପଡ଼ିଲେ ଏବଂ ଭାବାବେଗରେ କହିଲେ,

 

“ତା ବାପ ବିରୁଦ୍ଧରେ ଯେଉଁ ମକଦ୍ଦମା ଋଜୁ କରିଛନ୍ତି ଆପଣ, ଆମେ ତାରି ଏକ ରଫା ମୀମାଂସା କରିବାକୁ ଆସିଥିଲୁ । ଆମ୍ଭେ ଜାଣୁଛୁ ସେ ମକଦ୍ଦମା ସମ୍ପୂର୍ଣ୍ଣ ମିଥ୍ୟା । ଆପଣ ଲୋକଟାକୁ ବିନା ପଇସାରେ କ୍ରୀତଦାସ କରି ରଖିବାକୁ–’’

 

ବିଜୟ ହୁଙ୍କାର କରି ଉଠିଲା

 

“ଶଟ୍‍ ଅପ୍ । ଏଇ ଭାଗାବଣ୍ଡ୍‍ଗୁଡ଼ାକଙ୍କର ବକ୍ତୃତା ଶୁଣିବାକୁ ମୋର ସମୟ ନାହିଁ । ୟୁ ଗେଟ୍‍ ଆଉଟ୍‍ ଅଫ୍ ମାଇ ହାଉସ୍ ।” ଆଉ ସେ ତା’ର ଭୃତ୍ୟମାନଙ୍କୁ ଅନାଇ କହିଲା,

 

“ବୋକାଗୁଡ଼ାକ ଅନେଇ ରହିଛି କ’ଣ ? ସେ ଚୋରକୁ ନେଇ ଯାଅ ଭିତରକୁ–ତା’ପରେ ଦେଖାଯିବ ।”

 

ବର୍ତ୍ତମାନ ଗୁରୁଦେବ ଓ ପ୍ରଭୁପାଦ ଦୁହେଁ ନଟିଆକୁ ଧରି ପକାଇଲେଣି । ଭୃତ୍ୟମାନେ ପ୍ରଭୁର ଆଦେଶ ପାଳନ କରିବାକୁ ଛଦ୍ମ ଆଗ୍ରହ ଦେଖାଇ ଦଉଡ଼ିଲେ ମଧ୍ୟ, ସେମାନଙ୍କ ଅନ୍ତରରେ ଯେଉଁ ଘୋର ଅନ୍ୟାୟ ସେଇ ପିଲାଟି ପ୍ରତି କରା ହୋଇଛି ଏବଂ ବର୍ତ୍ତମାନ ତା’ପ୍ରତି ଓ ଆଗନ୍ତୁକ ଦୁଇ ଶିକ୍ଷିତ ଭଦ୍ରଲୋକ ଦୁହିଁଙ୍କ ପ୍ରତି ଯେଉଁ ଅନ୍ୟାୟ କରା ହେବାକୁ ଯାଉଛି ତାହା ସେମାନେ ଯେ ଅନୁଭବ ନ କରିବେ ସେ ପ୍ରକାର ଅମନୁଷ୍ୟ ସେମାନେ ସେ ପର୍ଯ୍ୟନ୍ତ ହୋଇ ନ ଥିଲେ । ନଟିଆ ସେ ସମସ୍ତଙ୍କର କିଛି ନା କିଛି ସେବା କରିଛି ଏ ଘରେ ଥିଲାବେଳେ । ସେ ଓ ତା’ ବାପ ଚାଲିଗଲା ବେଳେ ଏ ଘରର ଏକ କପର୍ଦକ ସାଥିରେ ନେଇ ନାହାନ୍ତି । ତାଙ୍କ ବିରୁଦ୍ଧରେ ଚୋରି ମକଦ୍ଦମା, କାନୁନଗୋ ପରିବାରର ଅନ୍ୟାନ୍ୟ ଅନେକ ମକଦ୍ଦମା ପରି ସମ୍ପୂର୍ଣ୍ଣ ଯେ ମିଥ୍ୟା, ସେମାନେ ତାହା ଜାଣନ୍ତି । ସେମାନେ ଜାଣି ଜାଣି କ’ଣ ସେଇ ପାପରେ ଭାଗୀ ହେବେ ?

 

ପୁଣି ଅଟକାଇ ରଖିଲା ପରେ ? ହୁଏତ ଘରେ ବନ୍ଦକରି ବିଚାରା ଉପରେ ମାଡ଼ର ଅଦେଶ ଦିଆଯିବ ! କିଏ ତାହା କରିବ ? କିଏ ନିର୍ଦ୍ଦୋଷ ନଟିଆର କରୁଣ ଚିତ୍କାର ସହ୍ୟ କରି ରହିବ ? ସେହି ଦୁଇଟି ସହାନୁଭୂତିଶୀଳ ଭୃତ୍ୟ ଦୁଇଟିର ଅନ୍ତରରେ ଏଇ ଭାବନାମାନଙ୍କ ମଧ୍ୟରୁ ଏଇଟା ନହେଲେ ସେଇଟା ଯୁଗପତ୍‍ ଜାଗ୍ରତ ହୋଇ ଉଠିଲା । ମୁନିବର ଆଦେଶରେ ସେମାନେ ଗୁରୁଦେବ ଓ ପ୍ରଭୁପାଦର ହାତର ବାଡ଼ ଭିତରୁ ନଟିଆକୁ ଛଡ଼ାଇବାର ଛଳନା ମାତ୍ର କଲେ, ଯେପରକି ଚେଷ୍ଟା କରି ମଧ୍ୟ ଛଡ଼ାଇ ପାରୁ ନାହାନ୍ତି ।

 

ଏଇ ସାମାନ୍ୟ ମୁହୂର୍ତ୍ତବ୍ୟାପୀ ସଂଘର୍ଷ ଭିତରୁ ପ୍ରଭୁପାଦ ଚିତ୍କାର କରି ଉଠିଲା,

 

“ଦେଖ୍ ବିଜୟ କାନୁନଗୋ, ଆମେ ତମର ଶୁଭାକାଙ୍‍କ୍ଷୀ ରୂପେ ଏଠାକୁ ଆସିଥିଲୁ । ତମେ ଆମକୁ ଭିକ୍ଷୁକ ରୂପେ ଘରୁ ବାହାରକରି ଦେଉଛ । ଏ ପିଲାକୁ ତ ତମେ ଅଟକେଇ ପାରିବନି ଏଠି, ଆମ ଦୁହିଁଙ୍କ ଦେହରେ ପ୍ରାଣ ଥିଲାଯାଏଁ । କିନ୍ତୁ ତମେ ଦିନେ ଏହାର ପ୍ରତିଶୋଧ ମର୍ମେ ମର୍ମେ ଭୋଗ କରିବ ।”

 

ଏହା କହି କହି ଗୁରୁଦେବ ଓ ପ୍ରଭୁପାଦ କାନୁନଗୋ-କର୍ମଚାରିମାନଙ୍କ ଲଘୁ ପ୍ରତିରୋଧକୁ ଏଡ଼ାଇ ଏଡ଼ାଇ ନଟିଆକୁ ଭିଡ଼ି ଦୁଆର ସେପଟକୁ ନେଇ ଗଲେଣି । କିନ୍ତୁ ପ୍ରଭୁର ଅଭିଶାପିଳ ବକ୍ତୃତାରେ ବିଜୟ କାନୁନଗୋ ଉନ୍ମତ୍ତ ହୋଇ ଉଠିଲା । ଟେବୁଲରେ ଥୁଆ ହୋଇଥିବା ରୁଲରଟାକୁ ଧରି ‘ୟୁ ରାସ୍କାଲ୍’ କହି ଜୋରରେ ଛାଡ଼ିଦେଲା ପ୍ରଭୁକୁ ଲକ୍ଷ୍ୟ କରି ।

 

ରୁଲରଟା ଠିକ୍ ବାଜିଲା ଯାଇ ପ୍ରଭୁର ନାକ ଉପରେ । ସେ ହଠାତ୍ ତଳେ ପଡ଼ିଗଲା ।

 

“ମରୁ, ମରୁ ଶ–’’ କହି ବିଜୟପ୍ରସାଦ ଅନ୍ୟ ଦ୍ଵାର ଦେଇ ଘର ଭିତରକୁ ଚାଲିଗଲା । ସମସ୍ତେ ପ୍ରଭୁପାଦକୁ ଟେକି ଧରିଲେ । ଦେଖିଲେ ନାକରୁ ରକ୍ତସ୍ରାବ ହେଉଛି । ପ୍ରଭୁପାଦ କିନ୍ତୁ ‘କିଛି ହୋଇନି’ ‘କିଛି ହୋଇନି’ କହି ସେମାନଙ୍କୁ ପ୍ରବୋଧ ଦେବାକୁ ଲାଗିଲା । ଗୁରୁଦେବ କିନ୍ତୁ ନଟିଆକୁ କହିଲେ ଶୀଘ୍ର ଗାଡ଼ିଟାଏ ଡାକି ଆଣିବାକୁ । ନଟିଆ ଦଉଡ଼ି ବାହାରି ଗଲା । ଆଉ ଆଉ ଅନ୍ୟାନ୍ୟ ଚାକରବାକର ଓ ଗୁମାସ୍ତା ସେତେବେଳକୁ ଜମା ହୋଇ ଗଲେଣି । ବାହାରେ, ଦାଣ୍ଡରେ ବି ଲୋକ ଜମା ହେଲେଣି କେତେକ । ଜଣେ କେହି ଲୋଟାଏ ପାଣି ଆଣି ଦେଲା । ଗୁରୁଦେବ ସେହି ପାଣିରେ ପ୍ରଭୁର ମୁହଁଟା ଧୋଇ ନେଲେ । କିନ୍ତୁ ପୁଣି ରକ୍ତ ବୋହିବାକୁ ଆରମ୍ଭ କଲା । ସେ ତାକୁ ଚିତେଇ ଶୁଆଇ ପିଣ୍ଡା ଉପରେ ନିଜର ରୁମାଲରେ କ୍ଷତ ସ୍ଥାନକୁ ସାମାନ୍ୟ ଚିପି ଧରିଲେ । ଦେଖିଲେ ସେ ଜାଗାଟା ଆସ୍ତେ ଆସ୍ତେ ଫୁଲି ଗଲାଣି । ପ୍ରଥମର ଅସଜ୍ଞ ଭାବ କଟିଯାଇ ବର୍ତ୍ତମାନ ପ୍ରଭୁପାଦ ବେଦନା ଅନୁଭବ କରି, ଟିକିଏ ଛଟପଟ ହେଲାଣି ।

 

ଇତି ମଧ୍ୟରେ ଗାଡ଼ି ଆସି ପହଞ୍ଚିଗଲା । ପ୍ରଭୁପାଦକୁ ଟେକି ନେଇ ଗାଡ଼ିରେ ବସାଇ ଦିଆଗଲା । ଗୁରୁଦେବ ଓ ନଟିଆ ତାକୁ ନେଇ ହସପିଟାଲକୁ ଚାଲିଲେ ।

 

(୨୧)

 

ସେଦିନ ତା’ର ଜନ୍ମଦିନର ପିକ୍‍ନିକ୍‍ ସାରି ଧବଳେଶ୍ଵରରୁ ଫେରିଲା ପରେ ମଲ୍ଲିକା, ରାତ୍ରିରେ ଶେଯରେ ଶୋଇ ଶୋଇ ସେଦିନର ଘଟଣାଗୁଡ଼ିକୁ ମନେ ମନେ ପୁନରାବର୍ତ୍ତନ କରି ନେଲା । ତା’ର ପ୍ରାଣର ଗୂଢ଼ ଦେଶରେ ଗୋଟାଏ କିଛି ବେଦନା-ମଧୁର ମୃଦୁ ଅଘାତ ଯେ ସେଦିନ କେଉଁଠୁ ପାଇଛି, ତାହା ସେ ଭୁଲି ଯିବାକୁ ଚେଷ୍ଟା କଲେ ମଧ୍ୟ ପାରୁ ନ ଥିଲା ।

 

ବିଜୟ ଭାଇ ସାଙ୍ଗେ ତା’ର ବିବାହ ଆଉ ବେଶି ଦିନ ନୁହେଁ । ଏଇ ଆଗାମୀ ଶୀତ ଋତୁରେ ହେବାର ପ୍ରାୟ ସବୁ ଠିକ୍‍ଠାକ୍‍ । ତା’ର ସମଗ୍ର ପରିବାର କାନୁନଗୋ ପରିବାର ପ୍ରତି ବହୁଭାବରେ ଋଣୀ । ବିଜୟ ଭଲ ହେଉ ବା ମନ୍ଦ ହେଉ, ତା’ ନିକଟରେ ବିଜକୁ ସମର୍ପି ଦେବାରେ ପରିବାରର ଋଣ କିଞ୍ଚିତ୍‍ ପରିଶୋଧ ହେବାର ଆଶାରେ, ସେ ଆଉ ଏଇ ପ୍ରସଙ୍ଗ ନେଇ ମନରେ ଏପଟ ସେପଟ ଭାବିବାର କୌଣସି ଦରକାର ମନେ କରୁ ନ ଥିଲା । ତା’ର ହେତୁ ହେବା ବେଳୁ ସେ ଜାଣି ସାରିଛି ଯେ, ସେ ବିଜୟପ୍ରସାଦର ଭବିଷ୍ୟତ ପତ୍ନୀ ହେବାକୁ ଯାଉଛି । ଖାଇବା, ପିଇବା, ଲୁଗାପିନ୍ଧିବା ପରି ସେ ସେ ପ୍ରସଙ୍ଗଟାକୁ ଧରି ଇ ନେଇଥିଲା ଗୋଟାଏ ପ୍ରାକୃତିକ ଅପରିହାର୍ଯ୍ୟ ଘଟଣା ପରି ।

 

କିନ୍ତୁ ଏବେ କିଛି କାଳ ଧରି ତା’ର ଶାନ୍ତ ଚିତ୍ତ ସରୋବରରେ ମୃଦୁ ମୃଦୁ ବିକ୍ଷୋଭ ବେଳେ ବେଳେ ଦେଖା ଦେଇ ଆସିଛି । ଆସ୍ତେ ଆସ୍ତେ ବିଜୟପ୍ରସାଦ ଓ ତା’ ପରିବାରର ନାନା ଅପ୍ରୀତିକର ବ୍ୟାପାର ତା’ କାନରେ ଅଳ୍ପ ଅଳ୍ପ ପଶିବାକୁ ଆରମ୍ଭ କରିଛି । କାନୁନଗୋମାନଙ୍କର ସମ୍ପତ୍ତି ଅଛି, ହାକିମି ଅଛି, ପ୍ରତିପତ୍ତି ଅଛି–ସେଇ ପରିବାରର ବଧୂହୋଇ ସେ ଏସବୁରେ ଅଂଶୀଦାର ହେବ । ତା’ ନିଜ ପରିବାରରେ ଅଭାବର, ଦାରିଦ୍ର୍ୟର ଯେଉଁ ଲଜ୍ଜାଦାୟକ, ସଙ୍କୋଚକ ବନ୍ଧନୀ, ସେ ସେଥିରୁ ମୁକ୍ତ ହେବ ଏବଂ ହୁଏତ ସେଇ ମୁକ୍ତିର କିଛି ଅଂଶ ତା’ର ନିଜ ପରିବାରବି ପାଇ ପାରେ । ଭଲ କଥା । କିନ୍ତୁ କାନୁନଗୋମାନଙ୍କର ସମ୍ପତ୍ତି ତଳେ ଅମାନବିକତାର ବୀଭତ୍ସତା, ଚରିତ୍ରହୀନତାର ପୂତି ଗନ୍ଧ, ଜନସାଧାରଣରେ ଅପ୍ରିୟତାର କଦର୍ଯ୍ୟ ପରିବେଶ, ଏସବୁ କ୍ରମେ ତା’ କାନକୁ ଆସି ତା’ର ଶାନ୍ତ, ସରଳ, ପବିତ୍ର ହୃତ୍‍-ସ୍ତରରେ ଆସ୍ତେ ଆସ୍ତେ ବିକ୍ଷୋଭ ଜାତ କରୁଛି । ସେ ସମ୍ପତ୍ତି ଓ ପ୍ରତିପତ୍ତିର ଅଧିକାରିଣୀ ହେବ ସତ, କିନ୍ତୁ ତା’ ସାଥେ ସାଥେ ଓତପ୍ରୋତ ଜଡ଼ିତ ଅନ୍ୟାନ୍ୟ ଅପକୀର୍ତ୍ତିମାନଙ୍କର ଭାଗ ମଧ୍ୟ ସେ ପାଇବ । ସେ ବିଜୟକୁ ଦେଖେ ଯେ ତା’ର ମୁଖମଣ୍ଡଳରେ ସଂଯତ ଜୀବନର ସୌକୁମାର୍ଯ୍ୟ ଆଦୌ ନାହିଁ । ତା’ର ପବିତ୍ର କୌମାର୍ଯ୍ୟ ଅନ୍ତରେ ଅନ୍ତରେ ସେଇପରି ସଙ୍ଗୀ ଖୋଜେ ଯିଏ ତାରି ପରି ଥିବ ପବିତ୍ର ଓ ଅବିକୃତ । କିନ୍ତୁ ଏ କ’ଣ ? ବିଜୟ ଭାଇର ଏ କି ଚେହେରା ! ଛାଡ଼ ! ସେ ସବୁ କିଛି ଭାବିବା ଦରକାର ନାହିଁ । ସେ ଯେ ପ୍ରଦତ୍ତା । ଦେଖିବା ଯଦି ବିବାହ ପରେ ପରିବର୍ତ୍ତନ ଅଣାଯାଇପାରେ, ତେବେ ସେଇ ହେବ ତା’ର ଜୀବନର ପରମତମ ସାର୍ଥକତା !

 

ଏଇପରି ନାନା କଥା ଭାବି କୁମାରୀ ମଲ୍ଲିକା ଯେତେବେଳେ ତା’ର ଚିତ୍ତକୁ ଶାନ୍ତ, ସୁପ୍ରତିଷ୍ଠ କରାଇ ଆଣିଥିଲା, ସେଇ ସମୟରେ ପ୍ରଭୁପାଦ ସଙ୍ଗେ ଭେଟ, ତା’ର ଉଦାତ୍ତକଣ୍ଠର ଗାନ ଓ ତା’ର ଧୀର, ଗମ୍ଭୀର, ତରୁଣ ଅଥଚ ସଂଯତ ବ୍ୟକ୍ତିତ୍ଵର ପରିଚୟ ପାଇ ତା’ର ମନଟା କେଜାଣି କିପରି ପୁଣି ବିକ୍ଷୁବ୍ଧ ହେବାକୁ ଲାଗିଲା । ବୁଦ୍ଧିମାନ, ସୁସ୍ଥ, ସଂଯତ ପ୍ରଭୁପାଦ ! ତରୁଣମୁଖ ତା’ର ସାମାନ୍ୟ-ଧୂସର ଶ୍ମଶ୍ରୁଲେପରେ ଆଚ୍ଛାଦିତ ହୋଇ ଆସୁଥିଲେହେଁ, ତା’ର କପାଳ ଓ ଚକ୍ଷୁରେ ସଂଯମର, ପବିତ୍ର ଜୀବନର ମୁଦ୍ରା ସୁସ୍ପଷ୍ଟ ଅଙ୍କିତ । ତା’ର ସମଗ୍ର ବ୍ୟକ୍ତିତ୍ଵରେ ଏକ ଉଚ୍ଚତର ଜୀବନ ଲାଗି ତୀବ୍ର ଆଗ୍ରହ ପରିସ୍ଫୁଟ ଯେପରି । ସାମାନ୍ୟ ସାମାନ୍ୟ ବିଚ୍ୟୁତି ବା ପତନ ହୋଇଥାଇ ପାରେ । କିନ୍ତୁ ତା’ର ଅନ୍ତରବ୍ୟାପୀ ଉନ୍ନତତର, ଶୁଦ୍ଧତର, ମହତ୍ତର ଏକ ଜୀବନ ପାଇଁ ଯେ ଅହରହ ପ୍ରଚେଷ୍ଠା ଚାଲିଛି, ତାହା, ତା’ର କଥା, ଭାବ, ଗାନ ଇତ୍ୟାଦିରୁ ବାରି ହୋଇ ପଡ଼ୁଛି ।

 

ମଲ୍ଲିକାର ସୂକ୍ଷ୍ମ, କୋମଳ, ନିଷ୍ପାପ, ବିଶୁଦ୍ଧ ଅନ୍ତସ୍ତଳରେ ଏଇ ଆପାତ-ରୁକ୍ଷ, କିନ୍ତୁ ବୁଦ୍ଧିଦୀପ୍ତ, ସଂଯତ ତରୁଣର ବ୍ୟକ୍ତିତ୍ୱ ପ୍ରକୃତରେ ଆନ୍ଦୋଳନ ଆରମ୍ଭ କରାଇ ଦେଲା । ସେ ଥରେ ଅନ୍ତତଃ ଭାବିନେଲା ଏପ୍ରକାର ବିଶୁଦ୍ଧ, ଉର୍ଦ୍ଧ୍ୱଗାମୀ, ବୁଦ୍ଧିମାନ, ସୁସ୍ଥ ବ୍ୟକ୍ତିତ୍ଵ ନିକଟରେ ଧନ-ସମ୍ପତ୍ତି କି ତୁଚ୍ଛ ! ପୁଣି ଯେଉଁ ସମ୍ପତ୍ତି ତଳେ ନିଯାତିତ ମନୁଷ୍ୟର ବିକଳ, କରୁଣ ଚିତ୍କାର–ଯେଉଁ ଚିତ୍କାରକୁ ସେଇ ସମ୍ପତ୍ତି, ସେଇ ହାକିମି ନାନା କୂଟ-କୌଶଳରେ ଚପାଇ ରଖିଛି ।

 

ମଲ୍ଲିକା ଏସବୁ ଭବିଲା କିନ୍ତୁ ତା’ର ଚିତ୍ତକୁ ପୁଣି ଫେରାଇ ଆଣିଲା । ନାଃ, ସେ ସବୁ ଭାବି ଆଉ କି ଲାଭ । ଓସ୍ତ ପତରକୁ ବର ପତର, ବିଧାତା କରିଛି ଘଟ-ସୂତର–ଯାହା ତାଙ୍କର ପାଇଟାଣି ମଲ୍ଲିକା-ବିଜୟର ମିଳନକୁ ଲକ୍ଷ୍ୟକରି ଖୁସିରେ ବେଳେବେଳେ ଗାଏ । ଯାହା ଭାଗ୍ୟରେ ଅଛି, ତାହା ହିଁ ହେବ, ମନୁଷ୍ୟ ହାତରେ କ’ଣ ଅଛି !

 

ଦୁଇଦିନ ପରେ ଦଶହରା । ଘରେ ପିଠା ପଣା ଚାଲିଛି । ବିଜୟ ତା’ର ପ୍ରକାଣ୍ଡ କାର୍‍ ନେଇ ଆସିଲା, ସମସ୍ତଙ୍କୁ ବୁଲେଇ ନେବ, ଦେବୀ ଦେଖେଇବ । ଅସଲ ଲକ୍ଷ୍ୟ ହେଉଛି ମଲ୍ଲିକା ସଙ୍ଗେ କିଛି କୌତୁକ ଆଶା !

 

ପ୍ରାୟ ଅପରାହ୍ନ । ଉଦୟନ ଯାଇ ପାଛୋଟି ଆଣିଲା ବିଜୟକୁ । ଆଣି ନିଜ ରୁମରେ ବସେଇଲା । ଏଣୁ, ତେଣୁ ସାମାନ୍ୟ କଥା ହେଲା ପରେ ବିଜୟ ଦେଖିଲା ଉଦୟନର ରୁମ୍‍ର କାନ୍ଥରେ ଶ୍ରୀକଣ୍ଠ ଆଙ୍କିଥିବା ମଲ୍ଲିକାର ସେଇ ଛବିଟି ।

 

ବୀଜୟ ଛବିଟିକି ଦେଖୁଛି । ହୁଏତ ବର୍ତ୍ତମାନ ଭିନ୍ନ ଅବସ୍ଥାରେ ବିଜୟ ସେଇ ସୁନ୍ଦର ଛବିଟିକୁ ପ୍ରକୃତରେ ସୁନ୍ଦର ବୋଲି ଭାବୁଛି–ଉଦୟନ ଏୟା ମନେ କରୁଛି ଏବଂ ସେଇ ଧାରଣାରେ ସେ ଉତ୍ସୁକ ହୋଇ ଉଠି କହିଚାଲିଲା “ଶ୍ରୀକଣ୍ଠ ସେଦିନ ସେଠି ମଲ୍ଲିର ଏକ ଫଟୋବି ଉଠେଇଛି । ଛବିଠୁ ସ୍ନାପ୍‍ଟି ଆଉରି ସୁନ୍ଦର ହୋଇଛି ।’’ ଏହା କହି ସେ ତା’ର ଟେବୁଲର ଡ୍ର ଭିତରୁ ସେହି ସ୍ନାପଶଟ୍‍ଟି ଗୋଟିଏ ସଯତ୍ନରକ୍ଷିତ ଲଫାପା ଭିତରୁ ବାହାର କରି ବିଜୟ ଆଗରେ ଧରି ରଖିଲା ।

 

ବିଜୟ ଛବିରୁ ଆଖି ଆଣି, ସ୍ନାପ୍‍ଟିକୁ ଦେଖିଲା । ସ୍ନାପ୍‍ଟିକୁ ହାତକୁ ନେଲା । କ୍ଷଣମୂହୁର୍ତ୍ତ ନିରୀକ୍ଷଣ କରି ଦେଖିଲା । ତା’ପରେ ହଠାତ୍ ସମସ୍ତ ସ୍ନାପ୍‍ଟିକୁ ଟିକ ଟିକ କରି ଛିଣ୍ଡାଇ ତଳେ ପକାଇ ଦେଲା ।

 

ଉଦୟନ ସ୍ତମ୍ଭୀଭୂତ !

 

ବିଜୟ ହୁଙ୍କାର କରି ଉଠିଲା–“ଶେଷରେ ସେହି ଭାଗାବଣ୍ଡ୍‍କୁ ପୁଣି ଭଉଣୀକି ଦେଖେଇଲ ଓ ତା’ଦ୍ଵାରା ଫଟୋ ନିଆଇଲ ! ଏଟା ଭଦ୍ରଲୋକଙ୍କ ଘର ନା ବେଶ୍ୟାଳୟ ମୁଁ କିଛି ବୁଝି ପାରୁନାହିଁ ।”

 

ଉଦୟନ ବର୍ତ୍ତମାନ ଉତ୍‍କ୍ଷିପ୍ତ ପ୍ରାୟ । ସେବି ପାଟି କରି ଉଠିଲା–‘‘ସଂଯତ କରି କଥାକୁହ । ଆମେ ଦରିଦ୍ର ହେଲେହେଁ ଆମର ଇଜ୍ଜତ ତମ ଅପେକ୍ଷା କମ୍‍ ନୁହେଁ । ମୋ ଭଉଣୀକି ଅପମାନ କରି ଆଉ ପଦେ କହିଛତ ଏ ଘରୁ ତଣ୍ଟିଆ ଦେଇ ବାହାର କରିଦେବି ।’’

 

ବିଜୟ ପାଖରେ ଥିବା ଗୋଟିଏ ଚୌକିକୁ ଜୋରରେ କଚାଡ଼ି ଝଡ଼ପରି ବାହାରକୁ ବାହାରି ଆସୁଛି କ’ଣ ଗୁଡ଼ାଏ ଜୋରରେ ବକି, ଏଇ ସମୟରେ ମଲ୍ଲିକା ପାଖଘରୁ ବାହାରି ଆସି ଦୁଆର ଆଗରେ ଠିଆ ହୋଇଗଲା । ତା’ର ମା ଓ ଯୂଥିକା ଭିତରେ ପିଠାପଣା ନେଇ ବ୍ୟସ୍ତ ।

 

ମଲ୍ଲିକାକୁ ଦେଖି ବିଜୟ ଠିଆ ରହି ଗଲା । ଉଦୟନ ବି ବାରଣ୍ଡାକୁ ବାହାରି ଆସିଲା । କ୍ଷଣେ ସମସ୍ତ ନୀରବ । ଘଟଣା କ’ଣ ଘଟିଗଲା ମୁହୂର୍ତ୍ତକ ଭିତରେ ମଲ୍ଲିକା କିଛିହିଁ ଜାଣିନି । ସେ ସ୍ତବ୍ଧ ନୀରବତାରେ ଅପେକ୍ଷା କରିଛି, ବିବାଦ ମେଣ୍ଟାଇ ଦେବା ପାଇଁ । କେହି କାହାକୁ କିଛି କହିବାକୁ ନାହିଁ । ସେ ବି ଲଜ୍ଜାରେ ପଚାରିପାରୁନି କିଛି ।

 

ଶେଷରେ ବିଜୟ କହିଲା “ମଲ୍ଲି, ଦେବୀ ଦେଖାଇବା ପାଇଁ ତମୁକୁ ଓ ମାଙ୍କ ପାଇଁ ମଟର ଧରି ଆସିଥିଲି । ଆସି ସଙ୍ଗେ ସଙ୍ଗେ ମୁଁ ଏଠି ଅପମାନିତ ହେଉଛି । ମୋ ସାଥିରେ ଯିବତ ମାଁକୁ ଧରି ଆସ ।’’

 

ମଲ୍ଲିକା ଧୀର ମଧୁର, କାକୁତି ମିଶ୍ରିତ କଣ୍ଠରେ କହିଲା “ଅନୁରୋଧ କରୁଛି, ବସ । ଯାଆନି । ମା’ ତମ ପାଇଁ ସକାଳୁ ବସି ପିଠା କରୁଛି । ଖାଇକରି ଯାଅ ।”

 

‘‘ମୁଁ ଏ ଘରେ ଜଳ ଗ୍ରହଣ କରିବିନି । ପିଠା ତ ଦୂରର କଥା ।’’

 

“କାହିଁକି, କ’ଣ ହେଲା ଭାଇ କ’ଣ ହେଲା କହ ।’’

 

ଉଦୟନ ଉତ୍ତର ନ ଦେଉଣୁ ସେଇ ବିଜୟ ଚିତ୍କାର କରି କହିଲା “ସେଦିନ ଧବଳେଶ୍ଵରରେ ସେ ଭାଗାବଣ୍ଡ୍‍ ଶ୍ରୀକଣ୍ଠ ତମର ଫଟୋ କାହିଁକି ନେଲା ?”

 

ଏପରି ଅଭିଯୋଗ ଶୁଣି ମଲ୍ଲିକାର କୋମଳ ବ୍ୟକ୍ତିତ୍ଵ ଛୋଟ ଲତା କଟୁରୀରେ ପ୍ରଥମ ଚୋଟ ପାଇଲା ପରି ବୋଧ କଲା । ସେ କ’ଣ ଉତ୍ତର ଦେବ, କିପରି ବା ଦେବ ପ୍ରଥମେ ଭାବି ପରିଲା ନାହିଁ । କିନ୍ତୁ ଯାହା ଘଟିଥିଲା ତାହାହିଁ ସେ ଶେଷରେ କହିଲା । “ଶ୍ୟାମା ଓ ମୁଁ ବୁଲୁ ବୁଲୁ ତାଙ୍କୁ ଆମେ ନଈକୂଳେ ଭେଟିଲୁ । ସେ ତ ଭାଇଙ୍କ ସାଙ୍ଗ । ଆମର ବହୁଦିନରୁ ପରିଚିତ । ମୋର କେତେ ଫଟୋ କେତେ ଲୋକ ଉଠେଇଛନ୍ତି, ସେ ଚିତ୍ରକର, ଆଗ୍ରହରେ ଉଠେଇଲେ । କ୍ଷତି କ’ଣ-? ତାଙ୍କୁ ଭାଗାବଣ୍ଡ୍‍ କାହିଁକି କହୁଛ । ସେ ବଡ଼ ଘରର ପିଲା, ପ୍ରତିଭାବାନ୍ ଲୋକ । ଏପରି କହିବା କ’ଣ ସୁନ୍ଦର ହେଉଛି ?”

 

ଉଦୟନ କହିଲା ଏଥର “କେବଳ ସେତିକି ନୁହେଁ, ସେ ନେଇଥିବା ସ୍ନାପଶଟ୍‍ଟିକି ଇଏ ଟିକି ଟିକି ଚିରି ପକେଇ ଦେଇଛନ୍ତି–ଏଇ ଘରଯାକ ପଡ଼ିଛି ।”

 

ବିଜୟ ପୁଣି ପାଟି କରି କହିଲା–“ଶ୍ରୀକଣ୍ଠ ହେଲା ଭଦ୍ରଲୋକ, ଆଉ ମୁଁ ହେଲି ଖରାପ-? ସମସ୍ତେ ଯାର ଫଟୋ ନିଅନ୍ତି, ସେ ଗଣିକା ନା ଭଦ୍ରଲୋକ ଘରର ଝିଅ ? ମୁଁ ଯାଉଛି ଏଘରୁ । ଏଠି ମୋର ସ୍ଥାନ ନାହିଁ ।’’

 

ମଲ୍ଲିକା ‘କ’ଣ କହୁଛ’ କହି ମୁହଁରେ ଲୁଗା ଦେଇ ହଠାତ୍ କାନ୍ଦି ପକାଇଲା । ବିଜୟ ତା’ ଦେଖି ମଧ୍ୟ ଫେରିଲା ନାହିଁ । ମା ରୋଷେଇ ଘର ଆଡ଼ୁ, ଶବ୍ଦ ଶୁଣି ଏପଟକୁ ଆସିଲା ବେଳକୁ ଉଦୟନ ଶୁଖିଲା ଗଛ ପରି ସେଇମିତି ଠିଆ ରହିଛି, ଆଉ ତା’ ପାଖରେ ମଲ୍ଲିକା ବର୍ଷାର୍ଦ୍ରଲତା ପରି ନଇଁ ନଇଁ କଇଁ କଇଁ ହୋଇ ଅଶ୍ରୁବର୍ଷଣ କରୁଛି । ବାହାରେ ବିଜୟ ମୋଟର ହର୍ଣ୍ଣ ବଜାଇ ବଜାଇ ଚାଲିଗଲା ।

 

ଏଇ ଘଟଣାର ୪,୫ ଦିନ ପରେ ବିଜୟପ୍ରସାଦ କାନୁନଗୋ ପ୍ରଭୁପାଦକୁ ରୁଲରରେ ଆଘାତ ଓ ବିକ୍ଷତ କରିବା ଓ ତା’ର ହସ୍ପିଟାଲକୁ ଯିବାର ଖବର ଉଦୟନର ଘରେ ପହଞ୍ଚିଲା । ଉଦୟନ ଦୌଡ଼ିଲା ପ୍ରଭୁପାଦକୁ ଭେଟିବାକୁ ।

 

ମଲ୍ଲିକା ନିଜ ଘରେ ନିଜକୁ କିଛି ସମୟ ବନ୍ଦ କରି ଦେଲା । ଡ୍ରେସିଂ ଟେବୁଲ ଆଗରେ ବସି ମୁହଁ ମାଡ଼ି ଅନେକ ବେଳଯାଏଁ କାନ୍ଦିଲା । ତା’ପରେ ଉଠି ତା’ର ଟ୍ରଙ୍କ ବାକ୍ସ ଆଦି ଫିଟାଇ ବିଜୟ ନିକଟରୁ ପାଇଥିବା ଯେତେ ଯେତେ ଉପହାର ସବୁ କାଢ଼ି ଏକାଠି କଲା ଓ ଯତ୍ନରେ ବନ୍ଧାବନ୍ଧି କରି ନେଲା । ପିନ୍ଧିଥିବା କାନର ଦୁଇଟି ହୀରାବସା ଫୁଲ ବି ଫିଟାଇ ନେଲା ।

 

କବାଟ ଫିଟାଇ ଯେତେବେଳେ ଘରୁ ବାହାରିଲା ସେତେବେଳକୁ ପ୍ରାୟ ଅପରାହ୍ନ । ଉଦୟନ ପ୍ରଭୁପାଦ ନିକଟରୁ ଫେରିଆସି ଖବର ଦେଲା ଯେ, ପ୍ରଭୁପାଦର ସଙ୍ଗେ ସଙ୍ଗେ ଚିକିତ୍ସା ହେବା ଫଳରେ ସେ ଭଲ ଅଛି । ହସ୍ପିଟାଲରେ ରଖିବାର ଦରକାର ପଡ଼ିଲାନି । ତେବେ ବାଣ୍ଡେଜ୍‍ ଫିଟିବାକୁ ଲାଗିଯିବ ସାତଦିନ ଖଣ୍ଡେ ।

 

ମଲ୍ଲିକା ଶୁଣିଲା । ତା’ପରେ ଭାଇ ଆଗରେ ପୁଟୁଳିଟିଏ ଥୋଇ ଦେଇ ବିନମ୍ର ସ୍ଵରରେ କହିଲା–“ଭାଇ, ଏସବୁ ବିଜୟବାବୁଙ୍କ ଘରକୁ ଫେରାଇଦିଅ । ମୋର ବର୍ତ୍ତମାନ ବିବାହ କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ପଢ଼ିବି ।’’

 

ଉଦୟନ ମଲ୍ଲିକାର ଦୁଇଟି ହାତକୁ ଧରି ପକାଇ ଆନନ୍ଦରେ ଅଭିଭୂତ ପ୍ରାୟ କହି ଉଠିଲା “ମୁଁ ଖୁବ୍ ସୁଖୀ ହେଲି ଶୁଣି, ମଲ୍ଲି । ମୁଁ ତୋ ଲାଗି ଭାରି ଚିନ୍ତିତ ଥିଲି । ତୁଇ ତୋର ଭାରା ମୋ କାନ୍ଧରୁ କାଢ଼ି ନେଲୁ । ଆମେ ଭୁଲ୍ ବାଟରେ ଯାଉଥିଲେ ।”

 

(୨୨)

 

ମଲ୍ଲିକାର ମା, ସେ ରୋଷେଇଘରେ ରହି ଭବିଷ୍ୟତ ଜାମାତା ପାଇଁ ସମସ୍ତ ଉତ୍ସାହରେ ଖିରୀପିଠାର ଯୋଗାଡ଼ କରୁଥିଲାବେଳେ, ଖାସ୍ ବିଜୟା ଦଶମୀରେ ଏପରି ଆକସ୍ମିକ ଦୁର୍ଘଟଣା ଯେ ସାମାନ୍ୟ କେତୋଟି ମୁହୂର୍ତ୍ତରେ ଘଟିଗଲା, ତାହା ଶୁଣି ପ୍ରଥମେ ସ୍ତମ୍ଭୀଭୂତ ହୋଇଗଲେ । ବୁଢ଼ୀଲୋକ, ସେ କ’ଣ ବୁଝନ୍ତି ଏଇ ଏବକାଳର ଟୋକା ଟୋକୀଙ୍କ ଯୁକ୍ତିତର୍କ, କଥୋପ-କଥନ, ମାନ-ସମ୍ମାନ । ସେ କେବଳ ମଲ୍ଲିକାକୁ ନେଇ ଏକ ସ୍ଵପ୍ନର ସଂସାର ଗଢ଼ିଯାଇଥିଲେ । ସେଇ ସସାରରେ ତାଙ୍କର ସୁକୁମାରୀ, ସୁଶ୍ରୀ, ଲକ୍ଷଣବତୀ କନ୍ୟାଟି ଏଇ ପାଦ ଦେବାକୁ ଯାଉଥିଲା, ଯେଉଁଠି ସେ ଅଧୀଶ୍ଵରୀ ହୋଇ ମହାସୁଖରେ କାଳ କାଟିଥାନ୍ତା, ତା’ ହାତକୁ ସହସ୍ର ଲୋକେ ଅନେଇଥାନ୍ତେ, ତା’ ପାଦ ଆଉ ଭୂଇଁରେ ଲାଗି ନ ଥାନ୍ତା । ହାୟ କପାଳ ! ସବୁ ସ୍ଵପ୍ନ ଚୂରମାର ହୋଇଗଲା । ଭବିଷ୍ୟତ କ’ଣ ହେବ ସେତ ଭାବିଇ ପାରୁ ନ ଥିଲା । ଜୀବନ ଯାକ ସେ ଅଭାବ ସଙ୍ଗେ ଲଢ଼ି ଲଢ଼ି ଆସିଥିଲେ । ସେ ଭାବିଥଲେ ଅନ୍ତତଃ ପୁଅଝିଅଙ୍କ ଜୀବନରେ ତାହା ଯେପରି ନ ଘଟେ । ମଲ୍ଲିକାର ଏଇ ଯେ ସମ୍ବନ୍ଧ ଘଟିଆସୁଥିଲା, ତାହା ହୁଏତ ସେଇ କଳ୍ପନା ସତ୍ୟରେ ପର୍ଯ୍ୟବସିତ ହେବାର ଆରମ୍ଭ ହୋଇଥାନ୍ତା । ସେ ସବୁ ତ ଗଲା, ଏବେ ପୁଣି ଆରମ୍ଭ ହେଲା ସେଇ କଷାକଷି, ନିରାଶ୍ରିତ, ଅଭାବ-ଅନଟନର ସଂସାର । ପୁଣି ଏଇ ଫଟ ଉଠେଇବାରୁ ତାଙ୍କ ପ୍ରାଣର କନ୍ୟାଟି ନାଁରେ କେତେ ଯେ କଥା ନ ଉଠିବ, ତାହା କିଏ କହିବ ? ନିର୍ଦ୍ଦୋଷ କନ୍ୟା ବୃଥା ଅପବାଦର ଅଦୃଷ୍ଟକାଳିମା ମୁହଁରେ ମାରି ଏଥର ବାଟ ଚାଲିବ । ଅଭାବ ସାଙ୍ଗକୁ ପୁଣି ଏଇ ଅପବାଦ ।

 

କେତେ ବର୍ଷ ଧରି ଅଗଣିତ ଥର ସେ ଭବିଷ୍ୟତ ଜ୍ଵାଇଁ ବୋଲି ନୁହେଁ, ପରିବାରର ଏକ ଘନିଷ୍ଠ ପରିଚିତ, ଏକ ଆପଣାର ଲୋକ ବୋଲି ମଧ୍ୟ, ସେ ବିଜୟକୁ ସ୍ନେହରେ ନାନା ଲୋଭନୀୟ ଖାଦ୍ୟ ତାକୁ ଖୁଆଇଛନ୍ତି । ବିଜୟ ଖୁବ୍ ଖାଇପାରେ । ଉଦୟନ ଓ ମଲ୍ଲିକା ପ୍ରଭୃତି ଘରର ପିଲାଗୁଡ଼ାକର ଖାଇବାରେ ସେତେ ନିଘା ନ ଥାଏ । ମା ବରାବର ବିରକ୍ତ ସେଥିପାଇଁ । ଘରେ ପିଠାପଣା କଲେ ବିଜୟ କେବଳ ଯେ ସୁପ୍ରସନ୍ନ ହୋଇ ସେସବୁର ସଦ୍‍ବ୍ୟବହାର କରେ, ଉଦୟନର ମା ସେଥିପାଇଁ ଭାରି ଖୁସୀ ତା’ ଉପରେ । ସେଥିପାଇଁ ସେ ମଲ୍ଲିକୁ ଇ ଭିତରେ ଜବରଦସ୍ତି ଉତ୍ତମ ରନ୍ଧନରେ ତାଲିମ କରେଇ ନେଇଛନ୍ତି । ବିଜୟ ଏଇ କେତେଦିନ ହେଲା ପ୍ରାୟ ମଲ୍ଲିକାର ରନ୍ଧାହିଁ ଖାଇବା ପାଇଁ ନିମନ୍ତ୍ରିତ ହୋଇ ଆସୁଥିଲା । ସବୁଥର ସେ ଖୁସିବାସିରେ ଫେରିଥିଲା, ଖିଆପିଆ ଶେଷରେ ସେ ପିଲାଙ୍କୁ ଧରି ଥିଏଟର ସିନେମାକୁ ନେଇଯାଏ, ବୁଢ଼ୀ ବେଳେ ବେଳେ ଯାନ୍ତି । ନ ହେଲେ ଅଧିକାଂଶ ଦିନ ନିଜ ଇଚ୍ଛାରେ ଘର ଜଗିବାକୁ ରହିଯାନ୍ତି ।

 

ଏଇ ପ୍ରଥମ ଥର, ତା’ ପୁଣି ବିଜୟା ଦଶମୀ ଦିନ, ପୁଣି ଶୁଭକାର୍ଯ୍ୟ ହେବାକୁ ଆଉ ଦୁଇତିନିମାସ ମାତ୍ର ସମୟ ଅଛି, ଏତେ ବର୍ଷର ଘନିଷ୍ଠ ପରିଚିତ, ପୁତ୍ରସମାନ ବିଜୟ ଆମନ୍ତ୍ରିତ ହୋଇ ଘରକୁ ଆସି, ଏଇ ଘରୁ ନ ଖାଇ ଫେରିଗଲା ।

 

ବୁଢ଼ୀର ମନ କୌଣସି ମତେ ମାନିଲା ନାହିଁ । ସେ ସବୁ ପିଠାପଣା ଗୋଟିଏ ଟିଫିନ କାରିଅରରେ ଭର୍ତ୍ତିକରି ବିଜୟକୁ ତା’ ନିଜଘରେ ବସେଇ ବୁଝେଇ ଖୁଆଇ ଆସିବ ବୋଲି ସ୍ଥିର କରି ବାହାରିଲା । ଉଦୟନ ଓ ମଲ୍ଲିକା ଦେଖିଲେ ଏ ଏକ ଆଉ ସଙ୍କଟ । ପୁଅଝିଅମାନେ ମା’ର ମନରେ କଷ୍ଟ ଯେପରି ନ ହେବ, ତା’ର ଯଥାସାଧ୍ୟ ଚେଷ୍ଟାରେ ଥାଆନ୍ତି–ବିଶେଷତଃ ବାପାଙ୍କ ତିରୋଧାନ ପରଠାରୁ । ମା ଯେତେବେଳେ ଖାଦ୍ୟବସ୍ତୁ ନେଇ ଜଣକୁ ଖୁଆଇବାକୁ ଯାଉଛନ୍ତି, ଏଇ ଛୋଟ ଅଥଚ ଗଭୀର ଭାବପୂର୍ଣ୍ଣ ମାତୃତ୍ଵର ପ୍ରସାରଣକୁ ସେମାନେ ବାଧା ଦେବାକୁ ଉଚିତ ମନେ କଲେ ନାହିଁ ।

 

ବୁଢ଼ୀ ବିଜୟର ଘରକୁ ଗଲେ । ସମଧିଆଣୀକି ଧରି କାନ୍ଦିଲେ । ଦି ବୁଢ଼ୀ ବିଜୟକୁ ବୁଝାଇ ସୁଝାଇ ଖୁଆଇଲେ ଯାହାହେଉ ସେଦିନ !

 

କିନ୍ତୁ ତା’ର ତିନିଚାରି ଦିନ ପରେ ବିଜୟର ଅଫିସ–ରୁମରେ ଯେଉଁ ବର୍ବର କାଣ୍ଡ ଘଟିଗଲା, ତାହା ମଲ୍ଲି-ମାତାଙ୍କର ସମସ୍ତ ସନ୍ଦେହ-ସମାଧାନକୁ ଓଲଟାଇଦେଲା । ସେହିଦିନ ବିଜୟ ଖବର ଦେଇଥିଲା ଯେ ସେ ଉଦୟନ ଓ ମଲ୍ଲିକା ପ୍ରଭୃତିଙ୍କୁ ନେଇ ଗୋଟିଏ ନୂଆ ଫିଲ୍‍ମ ଦେଖିବାକୁ ଯିବ । ସମସ୍ତେ ଭାବିଥିଲେ ଯେ ଯାହାହେଉ ଉଭୟ ପଟର ମନର ଉଷ୍ମା ଉଭେଇ ଯାଇଛି । ବର୍ତ୍ତମାନ ଭଙ୍ଗା କାଠ ଯୋଡ଼ି ହୋଇଗଲା । କିନ୍ତୁ ସେଇଦିନଇ ପ୍ରଭୁପାଦ ଓ ଗୁରୁଦେବ ନଟିଆକୁ ନେଇ ପହଁଚିଲେ ଓ ପ୍ରଭୁପାଦ ହସ୍ପିଟାଲକୁ ଗଲା । ବିଜୟପ୍ରସାଦ କାନୁନଗୋର ଔଦ୍ଧତ୍ୟର ଏଇ ଯେ ବର୍ବର ପ୍ରକାଶ, ଏଥର ତାହା ଏକାନ୍ତରେ ବୀଭତ୍ସ ପ୍ରତିକ୍ରିୟା ସୃଷ୍ଟିକଲା ମଲ୍ଲିକାର ଚିତ୍ତରେ । ସେଇ ସୁକୁମାରୀ, କୋମଳା ବାଳିକା ସେହିଦିନଇ ତା’ର ଜୀବନର ନୂତନ ପଥ ତିଆରି କରିବାକୁ ମନସ୍ଥ କଲା । ଯେଉଁ ମାନସିକ ଦୃଢ଼ତା ପ୍ରକୃତି ନାରୀର ସୁଷମା ଓ କୋମଳତା ଭିତରେ ଓତପ୍ରୋତ ଭାବରେ ଯୋଗାଡ଼ି ରଖିଥାଏ, ତା’ର ଆତ୍ମ-ସମ୍ମାନ, ତା’ର ଚାରିତ୍ରିକ ଗୌରବ, ନିର୍ମଳ ମାତୃତ୍ଵ ଓ ନାରୀତ୍ଵର ମହିମାର ସଂରକ୍ଷଣ ପାଇଁ କୋମଳ, କାନ୍ତିମୟୀ, ମଲ୍ଲିକାର ମନସ୍ତରରେ, ଏଇ ସଙ୍କଟବେଳେ, ତାହା ହଠାତ୍ ଉପଜାତ ହୋଇ ଉଠିଲା । ସେ ମୁଖ ଫେରାଇଲା । ଏପର୍ଯ୍ୟନ୍ତ ସେ କେବଳ ପାରିବାରିକ ଓ ସମାଜିକ ଚାହିଦାର ସ୍ରୋତରେ ନିଜକୁ ଭସାଇ ଦେଇ ଆସୁଥିଲା । ସେ ମନେ କରୁଥିଲା ତାହାହିଁ ଜୀବନର ସାର୍ଥକତା, ପ୍ରକୃତ ବଞ୍ଚିବା । ବର୍ତ୍ତମାନ ସେ ନିଜର ସ୍ଵାତନ୍ତ୍ର୍ୟର, ନିଜ ବ୍ୟକ୍ତିତ୍ୱର ଆହ୍ଵାନ ଶୁଣି ପାରିଲା । ସମସ୍ତଙ୍କ କଥାରେ, ସମାଜ ଓ ପରିବାରର ସମସ୍ତ ଇଚ୍ଛାକୁ ସସ୍ମିତ ସ୍ୱୀକୃତି ଦେବା ତା’ର ଶାରୀରିକ ଓ ମାନସିକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ତା’ର ବିଜୟକୁ ଭଲ ପାଇବା ସେଇ ଅଭ୍ୟାସ ଛଡ଼ା ହୁଏତ ଆଉ କିଛି ନ ଥିଲା–ଯେପରି ଅଧିକାଂଶ ବିବାହରେ ହୋଇଥାଏ । ମଲ୍ଲିକାର ନବ ଜାଗ୍ରତ ଆତ୍ମଚେତନା ହଠାତ୍‍ ‘ନା’ କହିବାକୁ ସାହସ କଲା–ଯେଉଁ ‘ନା’ ସମସ୍ତ ଚାରିତ୍ରିକ ଓ ଆଧ୍ୟାତ୍ମିକ ମହତ୍ତ୍ଵର ମୂଳରେ ।

 

ମଲ୍ଲିକା ହଠାତ୍ ସ୍ଥିର କଲା, ସେ ବିଜୟକୁ ବିବାହ କରିବ ନାହିଁ–ହୁଏତ ଆଦୌ ବିବାହ କରିବ ନାହିଁ । ସେତ ପରର କଥା । ବର୍ତ୍ତମାନର ସମସ୍ୟା ବର୍ତ୍ତମାନଇ ସମାହିତ ହେଉ । ସେ ତା’ର ଓ ତା’ର ପରିବାରର ଗତ କେତେ ବର୍ଷର ଜୀବନଯାପନକୁ ଭାବି ବସିଲା । ସେ ଦେଖିଲା ଯେ କାନୁନଗୋ ପରିବାର ଓ ତା’ ପରିବାରର ଏଇ ଯେ ଘନିଷ୍ଠତା, ଏହାର କେନ୍ଦ୍ର-କାରଣ ହେଉଛି ସେ ନିଜେ । ଅନ୍ୟ କଥାରେ, ତା’ର ରୂପ ଓ ଯୌବନ । ବିଜୟର ସକଳ ଉପହାର, ଦୁଇ ପରିବାରର ଦେଣା-ନେଣା, ସମସ୍ତଇ ତା’ର ରୂପ ଓ ଯୌବନକୁ କେନ୍ଦ୍ରକରି । ଏଥିରେ ଆତ୍ମିକ ମିଳନର ପ୍ରଶ୍ନହିଁ ନାହିଁ ! ତା’ ପରିବାର ଓ ବିଜୟ ପରିବାରର ସାଂସ୍କୃତିକ ସ୍ତର ଭିତରେ ଅକାଶ-ପାତାଳ ପ୍ରଭେଦ । ବିଜୟ ବା ତା’ର ଭାଇମାନେ କେବେ ଖଣ୍ଡିଏ ବହି ପଢ଼ିବାର ଦେଖାଯାଏ ନାହିଁ । ସେମାନେ ଭାବନ୍ତି ଏହା ଅକାମୀ ଲୋକଙ୍କର କାମ । ସେମାନେ କବଳ ଖଣ୍ଡିଏ ଦୁଇଖଣ୍ଡ ମାଗାଜିନ୍ କିଣନ୍ତି, ସେଥିରେ ବାହାରିଥିବା ପ୍ରବନ୍ଧ ସବୁ ପାଇଁ ନୁହେଁ, ମାତ୍ର ଅର୍ଦ୍ଧନଗ୍ନ ଛବିପାଇଁ ଆଉ କ୍ରସ୍-ଓ୍ୟାର୍ଡ଼ ପଜଲ ପାଇଁ । ଏଥିରେ ବୁଦ୍ଧିଜୀବୀ ମଲ୍ଲିକା ଓ ଉଦୟନ ସଂଗେ କେବଳ ସମ୍ପତ୍ତି-ସଜ୍ଞ ଓ ଅର୍ଥ-ସର୍ବସ୍ଵ ବିଜୟ ପ୍ରଭୃତିଙ୍କ ସଙ୍ଗେ ମନର ମିଳନ ସମ୍ଭବ ହେବ କିପରି ? ମଲ୍ଲିକା ଦେଖିଲା ଯେ, ଏ ସମସ୍ତ ବ୍ୟାପାର ତଳେଇ ଦେଖିଲେ ଏହା କେବଳ ଏକ ରୂପର ବ୍ୟବସାୟ ଛଡ଼ା ଆଉ କିଛି ବୋଲି ବୋଧ ହେବ ନାହିଁ ଏବଂ ବ୍ୟବସାୟୀ ସେ ନିଜେ–ଅବଶ୍ୟ ଅଜ୍ଞାତସାରରେ । ସେ ଦୃଢ଼ଭାବରେ ବର୍ତ୍ତମାନ ସ୍ଥିରକଲା, ଏ ହେବ ନାହିଁ । ସେ ସ୍ଥିର କଲା, ଏ ବିବାହ ବନ୍ଦ ହେଉ । ଦେଶରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଓ ବାଣୀ ଚାରିଆଡ଼େ ବିଚ୍ଛୁରିତ ହୋଇ ସରିଲାଣି । ସେହି ଅର୍ଦ୍ଧନଗ୍ନ ସନ୍ୟାସୀର ବାଣୀ କେବଳ ଯେ ପୃଥିବୀର ବୃହତ୍ତମ ସାମ୍ରାଜ୍ୟକୁ ଥରାଉଥିଲା ତା’ ନୁହେଁ, ତାହା ପୃଥିବୀର ସର୍ବ ପ୍ରାନ୍ତରେ କୋଟି କୋଟି ବ୍ୟକ୍ତି-ଜୀବନକୁ ମଧ୍ୟ ପ୍ରଭାବିତ କରୁଥିଲା । ବୁଦ୍ଧିମତୀ ମଲ୍ଲିକା ମନେ ମନେ ଗାନ୍ଧିଜୀଙ୍କୁ ପୂଜା କଲେହେଁ ସେ ଏପରି ଏକ ପରିସ୍ଥିତିରେ ପଡ଼ିଯାଇଥିଲା, ଯେଉଁଠି ସେ ମୁକ୍ତକଣ୍ଠରେ ଗାନ୍ଧିଙ୍କ ଅନୁଚାରିଣୀ ବୋଲି ନିଜକୁ ପରିଚିତ କରେଇବା ତ ଦୂରର କଥା, ତାଙ୍କ ବିଷୟ ଓ ନିଜ ଦେଶର ସ୍ୱାଧୀନତା–ସଂଗ୍ରାମର ଆଲୋଚନା ମଧ୍ୟ ପ୍ରକାଶ୍ୟଭାବରେ କରିପାରୁ ନ ଥଲା । ସେ ସେହି ସଂଗ୍ରାମରେ ଯୋଗ ଦାନ କରି ନ ପାରି ବରାବର ଛଟପଟ ହେଉଥିଲା । ବର୍ତ୍ତମାନ ସେ ଯେଉଁ ସିଦ୍ଧାନ୍ତରେ ପହଞ୍ଚିଲା, ତାହା ତା’ର ସେହି ବହୁକାଳ ସ୍ଥାୟୀ ଅନ୍ତର୍ବିରୋଧଦ୍ଵାରା କମ୍‍ ପ୍ରଭାବିତ ହୋଇ ନଥିଲା । ସେ ନିଜକୁ ପ୍ରଶ୍ନକଲା–ସୁଖ ସ୍ଵାଚ୍ଛନ୍ଦ୍ୟ ? ପ୍ରତିପତ୍ତି ? ଏ ସବୁ କ’ଣ ବଡ଼ କଥା, ଯେତେବେଳେ ଜଗତର ଶ୍ରେଷ୍ଠ ମାନବ କେବଳ ଛେଳି ଦୁଧ ଖାଇ ବଞ୍ଚିଛନ୍ତି ଓ ଯାହାଙ୍କ ପ୍ରେରଣାରେ ଦେଶର ସହସ୍ର ସହସ୍ର ବିଳାସୀ ଧନିକ ଜେଲ୍‍ ବରଣ କରିଛନ୍ତି ! କେଉଁ ଲାଭରେ ସେ ରୂପର ବ୍ୟବସାୟ କରିବ ? ରୂପକୁ ସମ୍ବଳ କରି, କି ପ୍ରକାର ଜୀବନ ବଞ୍ଚିବ ସେ ? ରୂପ କେତେକାଳ ରହିବ ବା ? ଦେଶର କୋଟି ସାଧାରଣ ପରି ସେ କାହିଁକି ଜଣେ ନ ହେବ ?

ଏଇ ପ୍ରଶ୍ନାବଳିର ଶେଷରେ ସେ ନିଜ ଦେହରୁ ଗହଣା କାଢ଼ିବାକୁ ଆରମ୍ଭ କଲା ।

ମଲ୍ଲିକାର ଏଇ ଆଚରଣରେ ମା ଆଉ ସମାଧାନ କରିବାର ଚେଷ୍ଟା କଲେ ନାହିଁ । ସେ ବର୍ତ୍ତମାନ ଭାଗ୍ୟକୁ ଆଦରି ନୀରବ ରହିଲେ ।

ଉପହାର ଫେରାଇ ଦେବାର ତହିଁ ଆରଦିନ କିନ୍ତୁ ତାଙ୍କ ଘର ଆଗରେ ବିଜୟର ମଟର ହର୍ଣ୍ଣ ବାଜି ଉଠିଲା ।

ବିଜୟପ୍ରସାଦ ଭାବି ନ ଥିଲା ଯେ ଏଇ ଦରିଦ୍ର ପରିବାରର ଛୋଟ ବିନୀତା ବାଳିକାଟି, ଏତେ ମୂଲ୍ୟବାନ ଉପହାର ସବୁ ଦେଇ, ଯାହାର ରୂପ ଓ ଯୌବନକୁ ସେ ପ୍ରାୟ କିଣିନେଇଥିଲା, ସେ ଏପରି ସାହସ କରିବ । ସେ, ସେ ପରିବାରକୁ ଚାହେଁନା । ସେ ସେହି ଶିକ୍ଷିତା ରୂପସୀ ଯୁବତୀଟିକୁ ଚାହେଁ !

ସମସ୍ତ ଉପହାର ଧରି ମାକୁ ସାଥିରେ ଧରି ବିଜୟ ତେଣୁ କ୍ଷମା ମାଗି ସମାଧାନ ପାଇଁ ତହିଁ ଆରଦିନ ସକାଳେ ପହଞ୍ଚିଲା ।

ମା ଓ ପୁଅ ଘରେ ପଶିଲେ । ମା ଗଲେ ଭିତର ଆଡ଼କୁ ସମଧିଆଣୀ ସାଥିରେ କଥା ହେବାକୁ । ବିଜୟ, ଉଦୟନର ଘରକୁ ଯାଇ ଦେଖିଲା, ସେ ନାହିଁ ! ସେଠୁ ମଲ୍ଲିକାର ଘର ଆଗକୁ ଯାଇ ଦେଖେତ ଭିତରୁ ଦୁଆର ଦିଆ ହୋଇଛି । କବାଟରେ ଧୀରେ ଆଘାତ କଲା । ଡାକିଲା ମଧ୍ୟ “ମଲ୍ଲି, କବାଟ ଫିଟାଅ । ଟିକିଏ କଥା ଅଛି ତମ ସାଥିରେ ।’’

କୌଣସି ଉତ୍ତର ନାହିଁ ।

ବିଜୟ ଫେରି ଉଦୟନ ଘରେ ଯାଇ ବସିଲା । କିଛି ସମୟ ପରେ ମା-ପୁଅ ବିଷଣ୍ଣମନରେ ନିଜ ଘରକୁ ଫେରିଗଲେ । ବିଜୟ କାନୁନଗୋର ଚିତ୍ତରେ ପ୍ରତିହିସାର ଅଗ୍ନି ଦକ୍ ଦକ୍ ଜଳୁଥାଏ ।

ସେହିଦିନ ଗୁମାସ୍ତା ଖବର ଦେଲା ଯେ ପ୍ରଭୁପାଦ, ତା’ ଉପରେ ହୋଇଥିବା ମାଡ଼ପାଇଁ ଓ ନଟିଆର ବାପ ପକ୍ଷରୁ ଦୁଇଟି ମକଦ୍ଦମା ବିଜୟ ନାଁରେ ରୁଜୁ କରିଛି ।

 

(୨୩)

 

ଶ୍ରୀକଣ୍ଠ ନନ୍ଦିଗାଁରୁ ଫେରିବାର ଦିନେ ଦି ଦିନ ପରେ ନିଜ ଗାଁ ରସିକହାଟକୁ ଚାଲି ଯାଇଥିଲା । ସେ ଅନେକ ବର୍ଷଧରି କେବଳ ନିଜ ଗାଁ ନୁହେଁ, ସହର ଛାଡ଼ି କୌଣସି ହେଲେ ଗାଁ ସଙ୍ଗେ ପ୍ରତ୍ୟକ୍ଷ ସମ୍ପର୍କ ରଖି ନ ଥିଲା । ବେଳେ ବେଳେ ପ୍ରାକୃତିକ ଚିତ୍ର ପାଇଁ ସେ ଯାହା କଟକ ସହର ଛାଡ଼ି ମହାନଦୀ, କାଠଯୋଡ଼ୀ, ବିରୂପାର କୂଳଦେଶରେ ତୋଟା, ଦ୍ୱୀପ, ଛୋଟ ପାହାଡ଼, ଗାଁ ଦେଇ ଯାହା ଥରେ ଥରେ ବୁଲି ଆସେ, ସେଇ ଥିଲା ତା’ର ପ୍ରାଣର ପ୍ରକୃତି ସଙ୍ଗେ ସାମୟିକ ପ୍ରାଣ-ଦାୟି ସ୍ପର୍ଶ । ବନ୍ଧୁ ପ୍ରଭୁର ନିମନ୍ତ୍ରଣ ପାଇ ସେ ଯେ ଏ ବର୍ଷ ନନ୍ଦିଗାଁରେ ସମସ୍ତ ଦଶହରାଟା କଟେଇ ଆସିଲା, ଚିଲିକା ଓ ମହୋଦଧିର ମଝିରେ ଉଦାର ପ୍ରଶାନ୍ତ ପ୍ରକୃତିର ଯେଉଁ ପ୍ରଥମ ପରିଚୟ ସେ ଲାଭ କଲା, ପୁଣି ସେହି ପ୍ରକୃତିର ବିମଳ, ବିକଚ, ଅନାଘ୍ରାତ ପୁଷ୍ପ ସାବିତ୍ରୀକି ଦେଖି ତା’ର ଚିତ୍ତରେ ଯେଉଁ ଅନନୁଭୂତପୂର୍ବ ଭାବିକ ପ୍ରତିକ୍ରିୟା ହେଲା, ସେଥିରେ ତା’ର ଗାଁପ୍ରତି ଦୃଷ୍ଟିକୋଣହିଁ ଏକାବେଳେ ବଦଳି ଗଲା ।

 

ସେ ଯେ ତା’ର ଗାଁ, ଘର ଦୀର୍ଘକାଳ ଧରି ଛାଡ଼ି ଆସିଥିଲା; ତାହାର ଅବଶ୍ୟ କେତେକ କାରଣ ଥିଲା । ପ୍ରଥମ କାରଣ ହେଉଛି, ସେ ଧରି ନେଇଥିଲା ଯେ କଳା କେବଳ ନଗରରେ ହିଁ ବଞ୍ଚିପାରେ । ପଲ୍ଲୀରେ ତା’ର ଚିତ୍ର, କିଣିବାର କଥା ଦୂରେ ଥାଉ, କିଏ ବା ବୁଝିବ ? କଳାର ସମଜଦାର ହେବା ପାଇଁ ଦରକାର ଉଚ୍ଚ ଶିକ୍ଷା । ସେ ଶିକ୍ଷିତ ସବୁ ପଲ୍ଲୀରେ କାହାନ୍ତି ? କଳାର ପୃଷ୍ଠପୋଷକ ହେବେ କେବଳ ଧନୀମାନେ । ସେ ଧନବନ୍ତ ଲୋକେ ପଲ୍ଲୀରେ ଆସିବେ କାହୁଁ ? ତା’ର ଚିତ୍ର ପାଇଁ ଉପାଦାନ ସମସ୍ତ ପଲ୍ଲୀରେ ମିଳିବ କାହୁଁ ? ଦ୍ୱିତୀୟ କାରଣ ହେଉଛି, ସେଇ ବିଜୟକାନୁନଗୋ ପ୍ରଭୃତିଙ୍କର ପଲ୍ଲୀ ଜୀବନକୁ କଳୁଷୀକରଣ । ସେ ବୀଭତ୍ସ କ୍ରିୟା ଏତେ ଦୂରକୁ ଯାଇଛି ଯେ ପଲ୍ଲୀରେ ଆଉ ଏକ ସାଧୁ ଲୋକ ବର୍ତ୍ତମାନ ପାଇବା ବିରଳ । ବର୍ତ୍ତମାନ ସେଠି କୋର୍ଟକୁ ଯିବା ଛଡ଼ା କୌଣସି ବିବାଦର ନିଷ୍ପତ୍ତିର ଅନ୍ୟ ସମ୍ଭାବନା ନାହିଁ । ପଞ୍ଚାୟତର ସମାଧି ଉପରେ ଟାଉଟରମାନେ ତାଣ୍ଡବ ନୃତ୍ୟ କରୁଛନ୍ତି–ଯେଉଁ ଟାଉଟରମାନଙ୍କୁ ବିଜୟକାନୁନଗୋର ପରିବାର ହିଁ ସୃଷ୍ଟି କରିଛି ।

 

ଶ୍ରୀକଣ୍ଠ ନିଜର ଆତ୍ମ-କାହାଣୀ ବା ବଂଶ ପରିଚୟ କାହାକୁ ବିଶେଷ କହେନା । କିନ୍ତୁ ଯେଉଁ ଚମ୍ପତିରାୟ ପରିବାରର ପିଣ୍ଡାରେ ବସି ବିଜୟକାନୁନଗୋର ପ୍ରପିତାମହ ଅବଧାନି ଓ ଗୁମାସ୍ତଗିରି କରି ଦୁଇ ମୁଠା ଭାତର ଅୟୋଜନ କରିଥିଲେ ଓ ଯେଉଁଠୁ ତାଙ୍କର ଅଭ୍ୟୁଦୟର ଆରମ୍ଭ, ଶ୍ରୀକଣ୍ଠ ସେହି ବୁନିୟାଦୀ ପ୍ରାଚୀନ ବଂଶର ଶେଷ ଦରିଦ୍ର, କିନ୍ତୁ ଉଜ୍ଜ୍ୱଳ ଦୀପଶିଖା । ଶ୍ରୀକଣ୍ଠ ବିବାହ ନ କରି ମଲେ ସେହି ପ୍ରାଚୀନ ବଂଶ ଭୂପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ ।

 

କିନ୍ତୁ ଚମ୍ପତିରାୟ ପରିବାରର ପତନ ଓ କାନୁନଗୋ ପରିବାରର ଉତ୍ଥାନର ଇତିହାସ ଏକ ଅସଂଲଗ୍ନ, ଏକୁଟିଆ ଘଟଣା ନୁହେଁ । ଓଡ଼ିଶା ବା ଭାରତର ସାମାଜିକ ଜୀବନର ଏହା ଏକ ପରିଚିତ, ବାରମ୍ବାରଘଟିତ ଚିତ୍ର । ଏଇ ଚିତ୍ରରେ ସାମାଜିକ ଜୀବନର ଶୋଷକ-ଶୋଷିତ ତତ୍ତ୍ଵ ଓ ଉତ୍ଥାନ ପତନର ଲୀଳା ସ୍ପଷ୍ଟ ପ୍ରତିବିମ୍ବିତ ।

 

ଏଇ ପୃଥିବୀ ନାମକ ଗ୍ରହରେ ଆଜି ଏଇ ଯେ ବିରାଟ, ଅଦ୍ଭୁତ ମାନବିକ ସଭ୍ୟତା ବିସ୍ମୟ ସଞ୍ଚାର କରି ଦୃଢ଼ ଭାବରେ ପ୍ରତିଷ୍ଠିତ, ଏହାର ଆଦି ପୁରୁଷ କିଏ ? ଏଇ ସଭ୍ୟତାର କୋଟି ସୂତ୍ରର ଆରମ୍ଭ କେଉଁଠି ? ଏଇ ଅଗଣିତ ବିଚିତ୍ର ଉର୍ଣ୍ଣା କେଉଁ ନାଭିରୁ ଉଦ୍‍ଗତ ? ସେ ହେଉଛି ସର୍ବହେଳିତ କୃଷକ ।

 

କୃଷକ ହେବା ପୂର୍ବରୁ ମନୁଷ୍ୟ ଥିଲା ଜଙ୍ଗଲର ଏକ ଜୀବ ମାତ୍ର । ବାଘ, ସିଂହ ଗଧିଆ ପରି ସେ ତା’ର ଗୁହାରୁ ବାହାରି ପ୍ରତ୍ୟହ ଯାଉଥିଲା ଶିକାର କରି । ଶିକାର ପାଇଲେ ବଞ୍ଚୁଥିଲା, ନହେଲେ ମରୁଥିଲା । ଅନେକ ସମୟରେ ସେ ଜଙ୍ଗଲର ଅନ୍ୟ ହିଂସ୍ର ଜୀବର ଲୋଭନୀୟ ଖାଦ୍ୟ ମଧ୍ୟ ହେଉଥିଲା । ସେତେବେଳେ ମନୁଷ୍ୟ ଥିଲା, ହିଂସ୍ର, ଭୀରୁ, ଜୀବନସର୍ବସ୍ଵ ଜଙ୍ଗଲର ପ୍ରାଣୀ ।

 

କୃଷିହିଁ ତା’ର ଭ୍ରାମ୍ୟମାଣ, ଲକ୍ଷ୍ୟହୀନ ଜୀବନକୁ ସ୍ଥିର, ପ୍ରତିଷ୍ଠିତ କଲା । ମନୁଷ୍ୟର ଶ୍ରମରେ ଖୁସୀ ହୋଇ ମା ବସୁଧା ସୁନାର ଫସଲ ଅଜାଡ଼ି ଦେଲା ନରନାରୀର ଅଞ୍ଚଳରେ । ନିଶ୍ଚିନ୍ତ ମାନବର ମନରେ ସ୍ଫୁର୍ତ୍ତିର ସଞ୍ଚାର ହେଲା । ଉଦ୍‍ଗତ ହେଲା ତା’ ପ୍ରାଣରୁ ସଙ୍ଗୀତ ଓ ସାହିତ୍ୟ, ତା’ର ଚାତୁର୍ଯ୍ୟ ସେ ବିନିଯୋଗ କଲା ଜୀବନକୁ ଅଧିକରୁ ଅଧିକତର ସୁଖକର ଓ ସୁନ୍ଦର କରିବାରେ । ଏଇ ଭାବରେ ଜନ୍ମନେଲା ମନୁଷ୍ୟ ଜୀବନର ସ୍ୱାଛନ୍ଦ୍ୟଦାୟୀ ସହସ୍ର ଶିଳ୍ପ । ଏଇ ସମସ୍ତର ପ୍ରଥମ ଉଦ୍ଭବ କୃଷିକାରୀର ଦରିଦ୍ର କୁଟୀରରେ । କେବଳ କଳା ଓ ଶିଳ୍ପ ନୁହେଁ, ସମାଜର ପ୍ରକୃତ ସମ୍ପତ୍ତି କହିଲେ ଯାହା ବୁଝାଏ, ସେ ସମସ୍ତର ସ୍ରଷ୍ଟା ହିଁ ସେହି କୃଷିକାରୀ ।

 

ପରେ ସେହି କୃଷିକାରୀହିଁ ହୋଇଛି ସମାଜରେ ସତ୍ୟ ଓ ଜ୍ଞାନକୁ ବଞ୍ଚେଇ ରଖିବା ପାଇଁ, ବ୍ରାହ୍ମଣ, ସେହି ହୋଇଛି ନିଜର କ୍ଷେତ୍ରଟିକୁ ରକ୍ଷା କରିବା ପାଇଁ, କ୍ଷତ୍ରିୟ ଏବଂ ଉତ୍ପନ୍ନ ଦ୍ରବ୍ୟର ବିନିମୟ ବ୍ୟପଦେଶରେ ସେହି ହୋଇଛି ପୁଣି ବୈଶ୍ୟ । ସମଗ୍ର ସମାଜ ସେବାକାରୀ ଭାବରେ ସେହି ନିଜକୁ ଭାବେ ଶୂଦ୍ର । ଦିନେ ସେ ଏକାଧାରରେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ଥିଲା । କିନ୍ତୁ ଯେଉଁମାନେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ହୋଇଗଲେ, ତା’ର ସେହି ପୂର୍ବ କୁଟୁମ୍ବୀମାନଙ୍କର ବହୁ ଯୁଗ–ସଞ୍ଚିତ ଘୃଣାରେ ସେ ଏବେ କେବଳ ‘ଶୂଦ୍ର’ ରୂପେ ଆତ୍ମ-ସଙ୍କୁଚିତ ।

 

କିନ୍ତୁ ଅନ୍ତତଃ ଓଡ଼ିଶାରେ ଏଇ କୃଷକ ସଭ୍ୟତା ଏଇ ସେଦିନ ପର୍ଯ୍ୟନ୍ତ ସଗୌରବରେ ବଞ୍ଚି ରହିଥିଲା । ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ବିଶ, ପ୍ରତ୍ୟେକ ଖଣ୍ଡ, ପ୍ରତ୍ୟେକ ଦଣ୍ଡପାଟ ଏକ ଏକ ମୁଖ୍ୟ-କୃଷକଦ୍ଵାରା ପରିଚାଳିତ ହେଉଥିଲା । ଏଇ ଛୋଟବଡ଼ ଶାସକଗୋଷ୍ଠୀ ଓଡ଼ିଆ ସମାଜ, ସଭ୍ୟତା ଓ ସଂସ୍କୃତିର ଭଣ୍ଡାର ଓ ପ୍ରତୀକ ସ୍ୱରୂପ ଥିଲେ । ଏଇମାନେ ଥିଲେ ଦେଶରେ ପ୍ରକୃତ ବିତ୍ତଶାଳୀ ସାହିତ୍ୟ, ସଙ୍ଗୀତ ଓ କଳାକୁ ଏଇମାନେ ବଞ୍ଚାଇ ଥିଲେ । ଦେଶକୁ ଏଇମାନେଇ ଗଢ଼ିଥିଲେ, ଏଇମାନେଇ ମୁଣ୍ଡଦେଇ ଶତ୍ରୁ ହସ୍ତରୁ ଦେଶକୁ ରକ୍ଷା କରିଥିଲେ । ଯୁଦ୍ଧର ବିଜ୍ଞାନ ଓ ଶାନ୍ତିର କଳା ଏଇମାନଙ୍କ ଜୀବନବ୍ୟାପୀ ଚର୍ଚ୍ଚାରେ ବଞ୍ଚି ରହିଥିଲା । ରାଜାମାନେ ପୁରୋହିତଙ୍କ ପ୍ରରୋଚନାରେ କାଳ୍ପନିକ ଦେବତାମାନଙ୍କର କାଳ୍ପନିକ ପ୍ରସାଦ ଓ ପୁଣ୍ୟ ଲାଭ ଆଶାରେ ଅବଶ୍ୟ ବ୍ରାହ୍ମଣ ଗାଁ ସବୁ ବସାଉଥିଲେ । କିନ୍ତୁ ମନୁଷ୍ୟ ଘୃଣ-ପ୍ରତିଷ୍ଠିତ ସେଇ ଗ୍ରାମମାନଙ୍କରେ କେବଳ ସଂସ୍କୃତହିଁ ଚର୍ଚ୍ଚା ହେଉଥିଲା, ଯେଉଁ ‘ଦେବଭାଷା’, ‘ଗଣ-ଦେବତା’କୁ ଚିର ଅଜ୍ଞତାରେ ବୁଡ଼େଇ ରଖିବାର ପ୍ରକୃଷ୍ଟ ଓ ଈଶ୍ୱର-ଦତ୍ତ ଉପାୟ ବୋଲି ଧରି ନିଆ ଯାଇଥିଲା । ସେ ଗ୍ରାମମାନଙ୍କରେ ଜନତାର, କୃଷିକାରୀର, ଶୂଦ୍ରର ଭାଷାର ପ୍ରବେଶାଧିକାରହିଁ ନ ଥିଲା । କିନ୍ତୁ ଅବସର ମିଳିଲେଇ କଠୋର ଶ୍ରମନିଯୁକ୍ତ କୃଷିକାରୀ–ଗ୍ରାମମାନଙ୍କରେ ଲାଗି ଯାଉଥିଲା, ଜନତାର ଭାଷାରେ ପୁରାଣ, କାବ୍ୟ, ସଙ୍ଗୀତର ଚର୍ଚ୍ଚା, ଗାଁ ଦାଣ୍ଡରେ ଯାତ୍ରା ଓ ପାଲା, ନାରୀମହଲରେ ଛାନ୍ଦ, କାନ୍ଥ-ଚିତ୍ରର ପ୍ରତିଯୋଗିତା, ପୁଣି ବ୍ରତ-ଓଷାର ମଧୁର ଗାନ ଓ ମିଳନ ।

 

ହଠାତ୍ ଆସି ପହଞ୍ଚିଲେ ବ୍ରିଟୀଶ୍‍ । ତାଙ୍କର ସାହାଯ୍ୟକାରୀ ଭାବରେ ବାହାରୁ ଆସିଲେ ବଙ୍ଗାଳୀ, ଦେଶରୁ ବାହାରିଲେ କୃଷକ–ଶାସକମାନଙ୍କର ପିଣ୍ଡାରେ ବସି ଯେଉଁମାନେ ଜମାଖର୍ଚ୍ଚର ପାଞ୍ଜି ଲେଖୁଥିଲେ ତାଳପତ୍ର ଓ କାଗଜରେ । ନୂତନ ରାଜାର ପ୍ରତିନିଧି ଭାବରେ ଏଇମାନଙ୍କ ଅତ୍ୟାଚାର ଓ ଅନାଚାର ଫଳରେ ଜଳି ଉଠିଥିଲା ପାଇକ ବିଦ୍ରୋହ । କନ୍ତୁ ସେଇ ବିଦ୍ରୋହର ନିଆଁ ଓଡ଼ିଶାର ସଭ୍ୟତା, ଇତିହାସ ଓ ସଂସ୍କୃତିର, ରକ୍ଷକ ଓ ବାହକ ସେଇ କୃଷକ-କ୍ଷତ୍ରିୟ ଗୋଷ୍ଠୀକୁହିଁ ପାଉଁଶ କରିଦେଇ ଚାଲିଗଲା । ଯେଉଁ ଆର୍ଥିକ ଅତ୍ୟାଚାର ପାଇକମାନଙ୍କୁ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା, ପାଇକମାନଙ୍କର କରୁଣ ପରାଜୟ ପରେ, ସେହି ଅତ୍ୟାଚାର ବହୁଗୁଣିତ ହୋଇ, ନିରଙ୍କୁଶ ଭାବରେ ଚାଲିଗଲା । କୃଷକ-ଶାସକମାନଙ୍କର ଭୂମି ଓ ବିତ୍ତ କ୍ରମେ କ୍ରମେ ନୂଆ ରାଜାର ନୂତନ କର୍ମଚାରୀ-ଶ୍ରେଣୀ, ସେହି ବଙ୍ଗଦେଶୀ ଓ ଏ ଦେଶର ପାଞ୍ଜିଆମାନଙ୍କ ହାତକୁ ଚାଲିଗଲା । ଓଡ଼ିଶାର ଅର୍ଥ ସୁଅପରି ବୋହିବାକୁ ଲାଗିଲା କଲିକତା ଆଡ଼କୁ । ଓଡ଼ିଶାର ଯେଉଁ ପାଞ୍ଜିଆମାନେ ବଙ୍ଗାଳୀଙ୍କ ସାଥିରେ ରାଜାନୁଗୃହୀତ ହେଲେ, ସେମାନେ ଖାଇବା, ପିନ୍ଧିବା, ଶୋଇବାରେ ସମ-ଶ୍ରେଣୀସ୍ଥ ବଙ୍ଗାଳୀଙ୍କି ହିଁ, ଅନୁକରଣ କଲେ ଏବଂ ମନେ କଲେ ଯେ ସେହି ସୂତ୍ରରେ ସେମାନେ ଓଡ଼ିଆ ସମାଜର ଅଗ୍ରଣୀ ନେତା । ଏଇ କ୍ରମେ, ବହୁ ସହସ୍ର ବର୍ଷର ଉତ୍କଳୀୟ କୃଷକ-ସଂସ୍କୃତି ଲୁପ୍ତ ବା ବିକୃତ ହୋଇ ପଡ଼ିଲା । ଦେଶର ମେରୁଦଣ୍ଡ ଯେଉଁ କୃଷକ, ସେ ହେଲା ଅପାଂକ୍ତେୟ ଓ ଘୃଣିତ-। ସମଗ୍ର ଦେଶ ହେଲା ଦରିଦ୍ର ।

 

ଏଇପରି ଭାବରେ ଦରିଦ୍ରୀଭୂତ ଶ୍ରୀକଣ୍ଠ ଓ ତା’ର ପରିବାର । ବିଜୟକାନୁନଗୋର ପ୍ରପିତାମହ କୃତ୍ତିବାସ ଯେନା ଶ୍ରୀକଣ୍ଠର ପ୍ରପିତାମହଙ୍କ ଚଉପାଢ଼ି ଓ ପିଣ୍ଡାରେ ବେତ ଧରି ପିଲା ଚରାଉଥିଲେ । ବ୍ରିଟୀଶ ଶାସନର ପ୍ରଥମ ବନ୍ଦୋବସ୍ତ ବେଳେ କୃତ୍ତିବାସଙ୍କ ପୁଅ ନେତ୍ରାନନ୍ଦ ଅମିନ ହୋଇ ଘରର ଆର୍ଥିକ ଅବସ୍ଥାର ପରିବର୍ତ୍ତନ ସଙ୍ଗେ ନାମ ବି ପରବର୍ତ୍ତନ କଲେ । ତାଙ୍କ ପୁଅ ହେଲେ ଦିପୋଟି–ସରକାରୀ ଓ ବେସରକାରୀ ଦୁଇପଟରୁ ଅର୍ଥ ସଂଗ୍ରହ କରି ଦିପୋଟୀ ଗୋପୀନାଥ, ସାର୍ଥକପଦବୀ ହୋଇ ପାରିଥିଲେ । ଏଇ ଦୁଇ ପୁରୁଷ ଭିତରେ ଚମ୍ପତିରାୟଙ୍କ ପ୍ରାୟ ସମସ୍ତ ସମ୍ପତ୍ତି ହାତ ପରିବର୍ତ୍ତନ କରି କାନୁନଗୋ ପରିବାରକୁ ଚାଲି ଆସିଛି ।

 

ଚମ୍ପତିରାୟମାନେ ଏକପ୍ରକାର ଛୋଟ ରାଜା ପରି ଚଳୁଥିଲେ । ଖଞ୍ଜାକୁ ଖଞ୍ଜା ଇଟା ଓ ଆଟୁର ପାଶେଣିଆ ଘର । ଘରେ ଦୈନିକ ଅଧମହଣେ ଚାଉଳ ଫୁଟୁଥିଲା । ପାଞ୍ଚକୋଶର ଭୋଖୀ ଭିଖାରୀ ଆଶା କରି ଏଠିକି ଆସି କେହି କେବେ ଖାଲିପେଟ ବା ଖାଲି ହାତରେ ଫେରିଯିବାର ଶୁଣା ନ ଥିଲା । ଚାକର ଚାକରାଣୀ, ପୁଅ ବୋହୂରେ ଘର ପୂରି ଉଠୁଥିଲା । ବ୍ରାହ୍ମଣ, ପାଞ୍ଜିଆ, ଭଣ୍ଡାରୀ, ଧୋବା, କୁମ୍ଭାର, କମାର–ସମସ୍ତ ଜମି ଖାଇ ସେବା କରୁଥିଲେ । କେଉଟ ମାଛ ଦେଇ ଯାଉଥିଲା । ମାଳି ଦେଇ ଯାଉଥିଲା ପ୍ରତିଦିନ ଫୁଲମାଳ, ସାଆନ୍ତ ସାଆନ୍ତାଣୀମାନଙ୍କର ଭୂଷଣ ପାଇଁ । ଚମ୍ପତିରାୟଙ୍କର ନିଜର ଦିଅଁ-ଦେଉଳ ମଧ୍ୟ ଥିଲେ । ବୁଢ଼ାବୁଢ଼ୀମାନେ ସେଇ ଦେଉଳର ପ୍ରସାଦ ହିଁ ଭୋଗ କରୁଥିଲେ ଓ ବାରମାସରେ ତେରପର୍ବର ବାହାନାରେ ପଣ୍ଡା ବ୍ରାହ୍ମଣ, ସେ ଘରୁ ଲୁଗା, ଘିଅ, ଗୁଡ଼, ସରୁ ଅରୁଆ ଚାଉଳ ଓ ମୁଗ ଡାଲି ମନ ଇଚ୍ଛା ବୋହି ନେଉଥିଲେ ।

 

କିନ୍ତୁ ନୂତନ ଶାସକର ନୂତନ ବନ୍ଦୋବସ୍ତରେ ବିପର୍ଯ୍ୟୟ ଘଟିଲା । କାନୁନଗୋଇମାନଙ୍କ ପ୍ରବର୍ତ୍ତନାରେ ଚମ୍ପତିରାୟଙ୍କ ଅନେକ ସେବାକାରୀ ପୁରୁଷାନୁକ୍ରମେ ଭୋଗ କରୁଥିବା ଜମି ଖଣ୍ଡମାନଙ୍କୁ ନିଜର କରି ନେଲେ । ଚମ୍ପତିରାୟ ପରିବାରରେ ହଠାତ୍ ଆର୍ଥିକ ସଙ୍କଟ ଦେଖା ଦେଲା-। ଆରମ୍ଭ ହେଲା କରଜ । ଅୟ କମିଲା, କିନ୍ତୁ ଆଡ଼ମ୍ବର ରହିଲା ପୂର୍ବପରି । ଏଣେ ଚମ୍ପତିରାୟମାନେ ଇଂରେଜୀ ପଢ଼ି ଚାକିରି କରିବାକୁ ଘୃଣା କଲେ । ଖଜଣା ଓ କରଜ ପାଇଁ ବର୍ଷକୁ ବର୍ଷ ଖଣ୍ଡ ଖଣ୍ଡ କରି ମୂଲ୍ୟବାନ୍‍ ଭୂସମ୍ପତି ହାତରୁ ଖସିବାକୁ ଲାଗିଲା । ଏଇ ଅଧୋଗତି ଆସି ଆସି ଶ୍ରୀକଣ୍ଠର ବାପାଙ୍କ ସମୟରେ ଶେଷ ବିନ୍ଦୁରେ ପହଞ୍ଚିଲା ।

 

ଶ୍ରୀକଣ୍ଠର ପିତା ମଲାବେଳକୁ ସେ ଦେଖ ଯେ ସେ ବି ଟଙ୍କା ୨୦।୩୦ ହଜାର କରଜ ରଖି ଯାଇଛନ୍ତି । ଶ୍ରୀକଣ୍ଠର ସେତେବେଳକୁ ବୟସ ହୋଇ ଆସିଲାଣି । ସେ ପାଖର ଏକ ହାଇସ୍କୁଲରେ ପଢ଼ି ମାଟ୍ରିକ୍‍ ପାଶ କରି ଘରେ ବସିଥାଏ, କଲେଜ ଯିବ ବୋଲି ଭାବୁଥାଏ, ଏଇ ସମୟରେ ବାପା ମରିଗଲେ ଏବଂ ସେ ଦେଖିଲା ଯେ ବାପା ସମ୍ପତ୍ତି ଅପେକ୍ଷା ବିପତ୍ତି ଛାଡ଼ି ଯାଇଛନ୍ତି ବେଶି । ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ନ ସରୁଣୁଁ ଦେଣାଦାର ସବୁ ଆସି ପହଞ୍ଚିଲେ । ଶ୍ରୀକଣ୍ଠ ବାକି ଯାହା କିଛି ଜମି ଜମା ବା ଗହଣାଗାଣ୍ଠି ଘରେ ଥିଲା, ସମସ୍ତ ବିକି, ଅକୁଣ୍ଠିତ ଚିତ୍ତରେ ସେ ସମସ୍ତ ଶୁଝି ଦେଲା ଏବଂ ସ୍ଥିରକଲା ଯେ ସେ ଏ ସ୍ଥାନ ଛାଡ଼ି ତୁରନ୍ତ ଅନ୍ୟ କେଉଁଠିକି ଚାଲିଯିବ । କାରଣ, ପୂର୍ବ ପୁରୁଷର ସେଇ ପୀଠରେ ରହିବାର ଦାୟିତ୍ଵ ହେଉଛି ପୂର୍ବ ପୁରୁଷର ଗୌରବ ଓ ଆଡ଼ମ୍ବରକୁ ବଞ୍ଚେଇ ରଖିବା । ସେ ସମ୍ବଳ ତା’ର ନାହିଁ, ତେଣୁ ସେ ସ୍ଥାନ ତା’ ପାଇଁ ନୁହେଁ । ସେ ବର୍ତ୍ତମାନ ସାଧାରଣ ମନିଷ । ନିଜ ଶ୍ରମରେ ବଞ୍ଚିବ, ସେ ବିବାହ ଇତ୍ୟାଦି ଇହଜୀବନର ଆଙ୍ଗିକ ଅଭିଜ୍ଞତା ଇତ୍ୟାଦି ମଧ୍ୟ ସେ ଆଉ ଚିନ୍ତା କରି ପାରିବ ନାହିଁ ।

 

ତାର ପରିବାରରେ ଏକ ବିଶ୍ୱସ୍ତ ହଳିଆ ଥିଲା । ତିନପୁରୁଷ ଧରି ସେମାନେ ଚମ୍ପତିରାୟଙ୍କ ହଳିଆ ଥିଲେ । ପିଲାଟି ଦିନରୁ ଚମ୍ପତିରାୟଙ୍କ ପରିବାରରେ ଆସି ବଢ଼ନ୍ତି, ବଡ଼ହେଲେ ହଳ କରନ୍ତି ତାଙ୍କର, ଅନ୍ୟାନ୍ୟ ପାଇଟି ମଧ୍ୟ କରନ୍ତି । ଚମ୍ପତିରାୟଙ୍କ ଆଶ୍ରୟରେ ରହି ସେ ପରିବାର ବର୍ତ୍ତମାନ ସ୍ଵଚ୍ଛଳ । ସାନ୍ତାଣୀମାନଙ୍କଠୁ ଟଙ୍କାଫଙ୍କା ନେଇ ପାଞ୍ଚ ଦଶ ଏକର ଜମି ମଧ୍ୟ ନିଜର କରି ନେଇଛନ୍ତି । ଧର୍ମଭୀରୁ ଲୋକ । ଏଇ ବଂଶର ଲୁଣ ଖାଇଛନ୍ତି ବୋଲି କାନୁନଗୋମାନଙ୍କ ଶତ ପ୍ରବର୍ତ୍ତନା ସତ୍ତ୍ୱେ ସେମାନେ କ୍ରମ-ଦରିଦ୍ରୀଭୂତ ଚମ୍ପତିରାୟମାନଙ୍କୁ ପରିତ୍ୟାଗ କରି ନାହାନ୍ତି ।

 

ବର୍ତ୍ତମାନର ହଳିଆ ଦୀନା ଅର୍ଥାତ୍ ଦୀନବନ୍ଧୁ ତରାଇ ଶ୍ରୀକଣ୍ଠର ସମବୟସୀ କହିଲେ ଚଳେ–ପିଲାଦିନେ ଏକାଠି ବାଟି ଖେଳୁଥିଲେ ଦାଣ୍ଡରେ, ମରାମରି ବି ହେଉଥିଲେ । ଦୀନାର ମାଡ଼ରେ ଶ୍ରୀକଣ୍ଠ ଭୋ ଭୋ ରଡ଼ି ଘରକୁ ଦଉଡ଼ିଲେ, ଦୀନାର ବାପ ମଦନା ତରାଇ କାହୁଁ ଆସି ନିର୍ଦ୍ଦୋଷ, ନିରୀହ ଦୀନାକୁ ପିଟି ପକାଏ ଓ କହେ “ଶ–, ତୁ ସାନ ସାଆନ୍ତଙ୍କ ଶ୍ରୀଅଙ୍ଗରେ ହାତ ଦଉଛୁ ! ଶ–କି ମୂର୍ଖ, ପାଷାଣ୍ଡ ତୁ ଜନ୍ମ ହେଲୁରେ !” ସେଣୁ କିନ୍ତୁ ସାଆନ୍ତାଣୀ ଦଉଡ଼ି ଆସି ପାଟି କରନ୍ତି “ଥାଉ, ଥାଉ ତରେଇ ପୁଅ, ପିଲାରେ ପିଲାରେ ଖେଳିବେ, ମାଡ଼ଗୋଳ ହେବେ, ସେଥିପେଇଁ ମାରୁଚ କାହିଁକି ପିଲାଟାକୁ ?”

 

ଦୀନାର ସେ ସବୁ ମନେ ଅଛି । ସେ ଦେଖୁଛି ସାଆନ୍ତଙ୍କର ସବୁ ଗଲାଣି, କିନ୍ତୁ ସେ ତ ସେଇ ସାଆନ୍ତ ! ତାଙ୍କର ଅନ୍ନ ଜଳ ଖାଇ ସେ ମନିଷ ହେଇଛି । ତା’ର ବିଷୟ ସମ୍ପତ୍ତି ୟାଙ୍କରି ଆଶ୍ରାରେ ବଢ଼ିଛି ।

 

ଶ୍ରୀକଣ୍ଠ ଯେବେ ପୈତୃକ ସ୍ଥାନ ଓ ଗ୍ରାମ ଛାଡ଼ିଯିବାର ଇଚ୍ଛା ପ୍ରକାଶ କଲା, ଦୀନା ଓ ତା’ର ସ୍ତ୍ରୀ ଆସି ତା’ର ବୈଠକଖାନାରେ ନୀରବରେ ବସି ରହିଲେ । ସେମାନେ କ’ଣ କହିବେ, କିପରି କଥା ଆରମ୍ଭ କରିବେ ଜାଣି ପାରୁ ନାହାନ୍ତି । ଶେଷରେ ଶ୍ରୀକଣ୍ଠ ପଚାରିଲା ‘‘କ’ଣ ଦୀନା, କୁଆଡ଼େ ଆଇଲୁ ? କ’ଣ ମାଗୁଛୁ ?”

 

ଦୀନା ଭୋ ଭୋ କାନ୍ଦି ପକାଇଲା । ଶ୍ରୀକଣ୍ଠ ତାକୁ ପ୍ରବୋଧ ଦେବ କ’ଣ, ସେ ବି ଭାବାବେଗରେ କାନ୍ଦିବାକୁ ଲାଗିଲା । ଦୀନାର ସ୍ତ୍ରୀ ଓଢ଼ଣା ଭିତରେ ବିକଳ ଭାବରେ କାନ୍ଦୁଥାଏ । ଘରର ଆଉ ଯେ ଜଣେ ଦୁଇଜଣ ଚାକର ଥିଲେ ସେମାନେ ବି ଆସି ଯୋଗ ଦେଲେ ।

 

ଯେତେବେଳେ ଭାବାବେଗ ସରି ଆସିଲା ଶ୍ରୀକଣ୍ଠ ଗଦ୍‍ଗଦ କଣ୍ଠରେ କହିଲା, “ଦୀନା, ମା’ତ ଯାଇଥିଲେ, ବାପା ବି ତ ଗଲେ, ସମ୍ପତ୍ତିବାଡ଼ି ତ ସବୁ ଗଲା, ମୁଁ ବର୍ତ୍ତମାନ ଏଇ ଯମପୁରୀରେ ରହି ଆଉ କ’ଣ କରିବି ? ମୁଁ ଯାଉଛି ।’’

 

ଦୀନା କହିଲା “ବାବୁ, ଏ ପୂର୍ବ ପୁରୁଷର ମାଟି । ୟାକୁ ଛାଡ଼ି କୁଆଡ଼େ ଯିବ ? ଏବେବି କ’ଣ ବା ନାହିଁ ? ଆପଣ ତ ଗୋଟିଏ ଲୋକ । ଯାହା ଅଛି ତାକୁଇ ବସି ବସି ଖାଇଲେ ସରିବନି-।’’

 

“ନା ଦୀନା, ଆଉ ବଳାନା, ମତେ ଆଉ ରହିବାକୁ ଇଚ୍ଛା ହେଉନି । ଏତେଗୁଡ଼ାଏ ଘର–ଶୂନ୍ ଶାନ୍–ଖାଁ ଖାଁ ଲାଗୁଛି । ମୁଁ ରହିପାରିବିନି ଏଠି । ଯାହା ଅଛି, ତମରିମାନଙ୍କ ହାତରେ ବିଶ୍ଵାସରେ ଛାଡ଼ିଯାଉଛି । କେବେ ଯଦି ଆସେ ତ ଭୋଗ କରିବି, ନ ହେଲେ ତମରି ଭିତରେ ବାଣ୍ଟି ନେବ ।’’

 

“ହଜୁର୍‍, ମା’ବାପ । ସେ କଥା ତୁଣ୍ଡରେ ଧରୁଛନ୍ତି କାହିଁକି ? ତମେ ରଜା ଜୀଇଁ ଥାଉ ଥାଉ, ଆମେ ଏ ସମ୍ପତ୍ତି ଭକ୍ଷ୍ୟ କରିବୁ ? ଧର୍ମ କ’ଣ ରାଇଜ୍ୟରୁ ଚାଲିଗଲା ? ହଉ ଆପଣ ଯଦି ଯିବାକୁ ଥିର କଲେଣି ମନ, ଯାଆନ୍ତୁ । ସାଆନ୍ତମାନଙ୍କ ପାଖେ ମୋ ବାପ ଗୋସାପେ ଏଇ ସମ୍ପତ୍ତିକି ଦେଖାଚାହାଁ କରୁଥିଲେ । ତମେ ଯେତେ ଦିନ ବଞ୍ଚିଥିବ ବାବୁ, ଆଉ ମୁଁ ଯେତେ ଦିନ ବଞ୍ଚିଥିବି, ମୁଁ ବି ୟାକୁ ଦେଖାଚାହାଁ କରିବି ।’’

 

ସେଇ ହେଲା ସିଦ୍ଧାନ୍ତ । ଶ୍ରୀକଣ୍ଠ ଗାଁ ଛାଡ଼ିଲା । ସେଇ ଦିନଠାରୁ ସମସ୍ତେ ତାକୁ ଜାଣନ୍ତି କେବଳ ଶ୍ରୀକଣ୍ଠ ବୋଲି । ସେ କ୍ଵଚିତ କେବେ ଶ୍ରୀକଣ୍ଠ ଚମ୍ପତିରାୟ ବୋଲି ତା’ର ପୂରା ନାମ ଲେଖେ । ଗାଁରେ ଛାଡ଼ି ଯାଇଥିବା ୨୦ ଏକର ଜମି ଓ ଦୁଇ ତିନିଟି ତୋଟା ଯାହା ଅବଶିଷ୍ଟ ରହିଥିଲା ତା’ର ବିସ୍ତୃତ ପୈତୃକ ସମ୍ପତ୍ତିର, ସେ ସବୁ ଦୀନା ତରାଇ ବିଶ୍ୱସ୍ତ ଭାବରେ ଦେଖୁଥିଲା । ଶ୍ରୀକଣ୍ଠ ଗାଁ ଛାଡ଼ିବାର ପ୍ରାୟ ଦଶବର୍ଷ ହୋଇଯିବଣି । ଦୀନା ବୁଢ଼ା ହୋଇଗଲାଣି । ଏବେ ତା’ ପୁଅ ଦଣ୍ଡିଆ ନିଜର ଓ ସାଆନ୍ତଙ୍କ ଜମିବାଡ଼ି ବୁଝା ବୁଝି କରେ । କିନ୍ତୁ ବାପ ବା ପୁଅ ବରାବର କଟକ ଯାଇ ଶ୍ରୀକଣ୍ଠର ସମ୍ପତ୍ତିର ଯାହା ଆୟ ତାହା ଶସ୍ୟ ବା ଟଙ୍କା ଆକାରରେ ଦେଇ ଆସନ୍ତି । ଏୟା ଓ ଚିତ୍ର ଇତ୍ୟାଦିରୁ ଯାହା ପାଏ ଶ୍ରୀକଣ୍ଠ ସେଇଥିରେଇ ଚଳିଯାଏ ।

 

ଏବେ ଶ୍ରୀକଣ୍ଠ ଗାଁକୁ ଫେରିଛି । ଦୀନା ଓ ତା’ ପୁଅର ବିଭାଘର କହିଲେ ଚଳେ । ଛୋଟଗାଁ ରସିକହାଟ ବି ଆନନ୍ଦରେ ଉଛୁଳି ଉଠୁଛି । ଶ୍ରୀକଣ୍ଠ ଦେଖୁଛି ଯେ ତିନି ସାଆଲା ଘରରୁ କେବଳ ଆଗ ସାଆଲାଟି ଅକ୍ଷୁଣ୍ଣ ଅଛି, ବାକି ମଝି ଓ ଶେଷ ସାଆଲା ଜିରାଜୀର୍ଣ୍ଣ ଓ ପତନୋନ୍ମୁଖ । ଦୀନା ଏତେଗୁଡ଼ାଏ ଘର ଖାଲି ଖାଲି ଠିଆ କରେଇବା କିଛି ଦରକାର ମନେ ନ କରି ଛାଡ଼ି ଦେଇଥିଲା, ଘର, ପଛଆଡ଼ର କୂଅ, ପୋଖରୀ ବଦ୍ଧଜଳ, ଦଳ ଓ ଘାସରେ ପୂର୍ଣ୍ଣ । ଅଗଣାରେ ବି ଘାସ ଉଠିଯାଇଛି ।

 

ଶ୍ରୀକଣ୍ଠ କାହାକୁ କିଛି ଦୋଷ ନ ଦେଇ ଆସ୍ତେ ଆସ୍ତେ ସଂସ୍କାର ଆରମ୍ଭ କଲା । ଶେଷ ସାଆଲାଟି ଭାଙ୍ଗି ଦେଇ ବାକି ଦୁଇ ସାଆଲା ମରାମତି କରି ଠିଆକଲା, ସେଇ ଉପାଦାନରେ । ଘର ଦୁଆର ସଫା କରେଇଲା । ବଗିଚାଟିକି ନୂତନ ଭାବରେ ସଜେଇଲା । ଗାଁର ପ୍ରତ୍ୟେକ ପରିବାରକୁ ଯାଇ ସେମାନଙ୍କର ଦୁଃଖସୁଖ କଥା ପଚାରି ଗାଁର ଅଭାବ ଅସୁବିଧା ଇତ୍ୟାଦି ବୁଝିବାକୁ ଲାଗିଲା । ଦେଖିଲା ଗାଁରେ ଗୋଟାଏ ଠୁଣୁଠୁଣିକିଆ ବୈଦ୍ୟ ବି ନାହିଁ । ସେ ନିଜ ଘରର ଗୋଟାଏ ଅଂଶ ଡାକ୍ତରଖାନା ପାଇଁ ଛାଡ଼ିଦେବ କହି ଜିଲାବୋର୍ଡ଼ର ଚେୟାରମାନଙ୍କୁ ଏକ ଚିଠି ଦେଲା । ନିଜର ଏକାକୀତ୍ଵରୁ ନିସ୍ତାର ପାଇବା ପାଇଁ ସ୍ଥାନୀୟ ଅପର ପ୍ରାଇମେରୀ ସ୍କୁଲ୍‍ର ଟୋକା ଦ୍ଵିତୀୟ ଶିକ୍ଷକ ଧ୍ରୁବଚରଣ ପାତ୍ରକୁ ନିଜ ଘରେ ଆଣି ରଖିଲା ।

 

ଭବଷ୍ୟତ ପନ୍ଥା କ’ଣ ତା’ର ହେବ ସେ ବରାବର ଭାବୁଥାଏ, ଏଇ ସମୟରେ ସେ ସାବିତ୍ରୀର ଭାଇ ଶ୍ୟାମସୁନ୍ଦର ଠାରୁ ଖଣ୍ଡିଏ ଚିଠି ପାଇଲା । ଚିଠିଟି ଏଇପରି–

 

ମାନନୀୟ ଶ୍ରୀକଣ୍ଠବାବୁ,

 

କହିଥିଲ ଗଲେ ଚିଠି ଦେବ ବୋଲି । କାଇଁ ଚିଠି ତ ଦେଇନ । ଆପଣ ବଡ଼ ଲୋକ । ଆମ ପରି ମଫସଲୀ ଗରୀବ ଲୋକଙ୍କୁ କାଇଁ ବା ପଚାରିବେ । ଆମେ ସମସ୍ତେ ଭଲରେ ଅଛୁ । ଆପଣଙ୍କ ଗାଁ ଘର ମୋର ଦେଖିବାକୁ ଭାରି ଇଚ୍ଛା । ଆପଣ କେବେ ଆଉ ଆମ ଗାଁକୁ ଆସିବେ । ଗାଁର ସମସ୍ତେ ଆପଣଙ୍କୁ ପ୍ରଶଂସା କରୁଛନ୍ତି ।

 

। ଇତି ।

ଶ୍ୟାମସୁନ୍ଦର

 

ଶ୍ରୀକଣ୍ଠ ଚିଠିଟି ପାଇ ଅତ୍ୟନ୍ତ ପ୍ରୀତ ହେଲା ଓ ଶ୍ୟାମସୁନ୍ଦରକୁ ଚିଠି ଦେଲା ସାଙ୍ଗେ ସାଙ୍ଗେ ତା’ ଗାଁକୁ ଆସିବାକୁ, ଯେପରିକି ସେ କୁଆଁର ପୂନେଇଟା ଏଠି କଟେଇ ଇସ୍କୁଲକୁ ଫେରିଯିବ । ସେଇ ମର୍ମରେ ସେ ତା’ ବାପାଙ୍କ ନିକଟକୁ ବି ଖଣ୍ଡେ ଚିଠି ଦେଲା ।

 

(୨୪)

 

ଶ୍ରୀକଣ୍ଠର ଗ୍ରାମ ରସିକହାଟରୁ ଫେରି ସାବିତ୍ରୀର ଭାଇ ଶ୍ୟାମସୁନ୍ଦର ନିଜ ଘରେ ଯେ କାଣ୍ଡଟା ଆରମ୍ଭ କଲା, ସେଥିରେ ତା’ର ବାପ ମା କେବଳ ନୁହେଁ, ଗ୍ରାମବାସୀ ମଧ୍ୟ ଅବାକ୍ ।

 

ପ୍ରଥମେ ତା’ ବୋଉକୁ ଗୋପନରେ ଏବଂ ପରେ ପ୍ରକାଶ୍ୟରେ ସେ କହି ବୁଲିଲା ଯେ ଶ୍ରୀକଣ୍ଠବାବୁଙ୍କ ସଙ୍ଗେଇ ସାବିତ୍ରୀର ବିବାହ ହେଉ ।

 

ସେ ଯାହା ଦେଖି ଆସିଛି ତାହା ବର୍ଣ୍ଣନା କଲା । ଶ୍ରୀକଣ୍ଠ ଖାଲି କଟକିଆ ବାବୁ ନୁହେଁ । ସେ ଏକ ଉଚ୍ଚ ପ୍ରାଚୀନ ବଶର ଏକ ମାତ୍ର ଉତ୍ତରାଧିକାରୀ । ତାଙ୍କର ଘରଦ୍ୱାର, ବାଡ଼ି ବଗିଚା ଏବେ ବି ଜଣେ ରଜାଘର ପରି । ପୁଣି କଟକରେ ତାକୁ ନ ଚିହ୍ନେ କିଏ ଏପରି ଲୋକ ନାହିଁ । ପ୍ରଭୁଭାଇ ତ ବିଭା ହେବାକୁ ନାହିଁ କଲେ, ତେବେ ଶ୍ରୀକଣ୍ଠବାବୁଙ୍କଠୁ ଆଉ ଭଲ ବର ପାଖ ଆଖରେ ମିଳିବ କେଉଁଠି ?

 

ଟୋକାଟାର ବାରମ୍ବାର କୁହା ଫଳରେ ଓ ଗୃହଣୀଙ୍କ ପ୍ରବର୍ତ୍ତନାରେ କଳ୍ପତରୁ ସ୍ଵାଇଁ ବାଧ୍ୟ ହେଲେ ଗାଁରୁ ଜଣେ ଭଣ୍ଡାରୀ, ଜଣେ ଭଦ୍ରଲୋକ ଶ୍ରୀପତି ସାହୁ ଓ ଜଣେ ବ୍ରାହ୍ମଣ, ଶ୍ରୀକଣ୍ଠଙ୍କ ଗାଁ ଘର ଦେଖି ଆସିବାକୁ ।

 

ସେମାନେ ଫେରି କହିଲେ “ଆରେ ଏ ଟୋକା ଯାହା କହୁଛି ସତ ହୋ ! ସେ ତ ସତେ ଏକ ରଜାର ଘର । କି ଆଡ଼ମ୍ଭରରେ ଶ୍ରୀକଣ୍ଠ ଆମକୁ ଚର୍ଚ୍ଚା ନ କଲେ । ସ୍ଵାଇଁଏ, ଝିଅର ଭାଗ୍ୟ ଯଦି ଭଲ ତେବେ ସେଇପରି ପାତ୍ରରେ ପଡ଼ିବ । ଆଉ ଏପଟ ସେପଟ କରନା । ନିଷ୍ପତ୍ତି କରି ନିଅ ।’’

 

ନିଷ୍ପତ୍ତି ହୋଇଗଲା ।

 

ସେ ବର୍ଷର ଶୀତ ଶେଷରେ ବସନ୍ତର ପ୍ରାରମ୍ଭରେ ଫଗୁଣ-ଅଧାଅଧି ଏକ ଶୁଭ ତିଥିରେ ଶିଳ୍ପୀ ଶ୍ରୀକଣ୍ଠ ତା’ର ଚିତ୍ତ ରାଜ୍ୟର ନିଷ୍କଳଙ୍କ ଚନ୍ଦ୍ରମା ସାବିତ୍ରୀକୁ ସ୍ଵାଧିକାରସ୍ଥ ବୋଲି ଭାବି ପୁଲକିତ ହେଲା ।

 

ବାଟବରଣରେ ଶ୍ୟାମସୁନ୍ଦର ହିଁ ପାଲ୍‍କୀରେ ମାର୍ଗୁଣ୍ଡି ହୋଇ ବସିଥିଲା । ସେଇ ପୁଣି ବେଦି ଉପରେ ଶ୍ରୀକଣ୍ଠର ଅସତର୍କ ପୃଷ୍ଠ ଦେଶରେ ବିଧା ଦେଇ ପଳାୟନ କଲା । ଅବଶ୍ୟ ବିଧାଟାକୁ ସେ ଲୋକଦେଖାକୁ ଖୁବ୍‍ ହୁଙ୍କାର ସହିତ ପକାଇଥିଲେହେଁ ମାଡ଼ଟା ପ୍ରକୃତରେ ଅତ୍ୟନ୍ତ ଲଘୁ ଥିଲା ।

 

ବେଦି ଚାରିପାଖେ ଘେରି ରହିଥିଲେ ଶ୍ରୀକଣ୍ଠର ବନ୍ଧୁଗୋଷ୍ଠୀ–ଗୁରୁଦେବ, କରୁଣାସିନ୍ଧୁ, ପ୍ରଭୁପାଦ, ଉଦୟନ ଇତ୍ୟାଦି । କଳ୍ପତରୁ ସ୍ୱାଇଁଙ୍କୁ କିଛି କରେଇ ଦେଇ ନାହାନ୍ତି ସେମାନେ । ଗୁରୁଦେବଙ୍କ ଚାଳନାରେ ସେମାନେଇ ନିଜର ଘର ପରି ଭୋଜିଭାତ ଦେଣ ନେଣ ସବୁ ଚଳେଇ ନେଉଛନ୍ତ । ପୁଣି ଗାଁର ଯଦୁ ସାହୁ, ଗଙ୍ଗା ଦଳେଇ, ଶ୍ରୀପତି ସାହୁ ଇତ୍ୟାଦି ତ ଅଛନ୍ତି । ପ୍ରଭୁପାଦର ପ୍ରବର୍ତ୍ତନାରେ ସାବିତ୍ରୀର ମା ଏଇ ନବାଗତମାନଙ୍କୁ ନ ଲୁଚି ନିଜର ପୁଅ ପରି ସମସ୍ତଙ୍କ ସାଥିରେ କଥାବାର୍ତ୍ତା ହେଉଛନ୍ତି, ସେମାନଙ୍କୁ ପାଖରେ ବସେଇ ଖୁଆଉଛନ୍ତି, ଯେମିତି ଛଅମାସ ତଳେ ସେ ଶ୍ରୀକଣ୍ଠକୁ ଖୁଆଇଥିଲେ । ଆହା, କିଏ ଜାଣିଥିଲା ଯେ ସେହି ଚଣ୍ଡାଳ, ଯତ୍ନକରି ଖୁଆଇବାର ଋଣ, ତାଙ୍କର ପ୍ରାଣର କନ୍ୟାରତ୍ନଟିକୁ ନେଇ ପଳେଇବାରେ ଶୁଝିବ ! ଗୁରୁଦେବ ପ୍ରଭୃତି ବୁଢ଼ୀକି ଏୟା କହି ଥଟ୍ଟା କଲେ, ବୁଢ଼ୀର ଆଖିରୁ ଦର ଦର ଦୁଇଧାର ଲୁହ ଢଳ ଢଳ ହୋଇ ବୋହି ଆସେ ଏବଂ ଆଖି ପୋଛି ପୋଛି ଗଦ୍‍ଗଦ୍‍ ସ୍ଵରରେ କହେ “ଆହା, ତାଙ୍କୁ ଏମିତି କାହିଁକି କହୁଛ । ସେ ତ ମୋର ପୁଅ ହେଇଛନ୍ତି ସେଇଦିନଠୁ । ଏ ଘର ତାଙ୍କର, ତାଙ୍କର ତ ବାପ ମା ନାହିଁ, ଆମେଇ ତାଙ୍କର ବାପ ମା । ତମମାନଙ୍କ ଆଶୀର୍ବାଦରେ ସେ ଦିହେଁ କିମିତି ସୁଖରେ କାଳ କାଟନ୍ତୁ, …..’’

ସାବିତ୍ରୀ ସେଇ ଯେ ଶ୍ରୀକଣ୍ଠକୁ ଦେଖିଥିଲା ଲୁଚି ଲୁଚି କୌଣସି ଆଢ଼ୁଆଳ ପଛରୁ, ଆଉ ତ ସେ ତାକୁ ଦେଖିନି । ବିଭାଘରର ଏଇ ଯେ ବିପୁଳ ଜନସମାଗମ, ଏଇ ଯେ ଗ୍ରାମକମ୍ପନକାରୀ ବାଦ୍ୟଧ୍ଵନି, ଏଇ ଭୋଜିଭାତ, ଜନ କୋଳାହଳ, ଏ ସମସ୍ତ ପ୍ରତି ସେ ଏକାନ୍ତ ନିରପେକ୍ଷ । ତା’ର ଅନ୍ତରତମ ଚିତ୍ତରେ ସେ କେବଳ ବ୍ୟାକୁଳ, ଶ୍ରୀକଣ୍ଠକୁ ଆଉ ଥରେ କିପରି ଦେଖିବ ।

ପଟୋତ୍ତରୀୟାଚ୍ଛାଦିତା, ଅବନତାଙ୍ଗୀ ସାବିତ୍ରୀକୁ କୁଳବଧୂମାନେ ଯେତେବେଳେ ବେଦି ଉପରେ ଶ୍ରୀକଣ୍ଠର ଦେହକୁ ଲଗାଇ ବସାଇ ଦେଲେ, ସାବିତ୍ରୀର ସମଗ୍ର ତରୁଣ, ନିଷ୍ପାପ ଶରୀର ମୃଦୁ ମୃଦୁ କମ୍ପିତ ହେବାକୁ ଲାଗିଲା । ତା’ର ଶରୀରର ସହସ୍ର ସ୍ନାୟୁ ଦେଇ ଶୋଣିତପ୍ରବାହ ତ୍ଵରିତ ଗତିରେ ବହିବାକୁ ଲାଗିଲା । ତା’ର ଶରୀର ସମଗ୍ର ଭାବରେ ସ୍ଵେଦାକ୍ତ ହୋଇ ଉଠିଲା ଏବଂ ସେ ଜାଣି ପାରିଲାନି ଆଚ୍ଛାଦନକାରି ଉତ୍ତରୀୟର ତଳେ ତଳେ ଲୋକଲୋଚନ ଅଗୋଚରରେ ଶ୍ରୀକଣ୍ଠ ତା’ର ବାମ ହାତରେ ତା’ର ଡାହାଣ ହାତଟିକୁ କେତେବେଳେ ଧରି ନେଇ ଅଙ୍ଗୁଳିବଦ୍ଧ କରି ସାରିଲାଣି । ସେ ସମ୍ପୂର୍ଣ୍ଣଭାବରେ ତା’ର ପ୍ରାଣର ଦେବତା ନିକଟରେ ସେହି ମୁହୂର୍ତ୍ତରେ ହିଁ ନିଜକୁ ସମର୍ପଣ କରିଦେଲା । ବାହାରେ ଅଧାପାଠୁଆ ବ୍ରାହ୍ମଣ ଭୁଲଭାଲ୍‍ ସଂସ୍କୃତରେ ଯେଉଁ ମିଳନମନ୍ତ୍ର ଉଚ୍ଚାରଣ କରୁଥାଏ, ତାହା କେବଳ ସାମାଜିକ ପ୍ରଥା ମାତ୍ର । ତା’ର କୌଣସି ଦରକାରଇ ନ ଥିଲା । କାରଣ ପ୍ରକୃତି ନିଜେଇ ପୁରୋଧା ହୋଇ ଦୁଇଟି ପ୍ରାଣକୁ ବହୁ ଆଗରୁ ଓ ବର୍ତ୍ତମାନ ଏକାଠି କରି ସାରିଥିଲା ।

ବରକନ୍ୟା ନନ୍ଦିଗାଁରୁ ରସିକହାଟର ପ୍ରାଚୀନ ଚମ୍ପତିରାୟଙ୍କ ଐତିହାସିକ ଘରକୁ ଫେରିଲେ । ଶ୍ରୀକଣ୍ଠ ସବୁ ବନ୍ଧୁ ବି ସାଥେ ସାଥେ ଫେରିଛନ୍ତି । ସେହି ପ୍ରାଚୀନ ପରିତ୍ୟକ୍ତ ଉଆସ ଆଜି ଯେପରି ତା’ର ପରମ୍ପରାର ସୂତ୍ର ଫେରି ପାଇଛି । ଗାଁ ଗହଳ, ପୁଣି ଗାଁରୁ ବେଶି ଗହଳ ଚମ୍ପତିରାୟଙ୍କ ଘରେ । ଶ୍ରୀକଣ୍ଠର ବନ୍ଧୁମାନେଇ ଗ୍ରାମବାସୀ ଓ ବନ୍ଧୁବାନ୍ଧବମାନଙ୍କ ଚର୍ଚ୍ଚାରେ ବ୍ୟସ୍ତ ।

ଶ୍ରୀକଣ୍ଠର ବାପା ଯେଉଁ ବଖରାଟିରେ ଶୁଆଉଠା କରୁଥଲେ, ସେଇଘରେ ସେ ଇତିମଧ୍ୟରେ ତା’ର ବାପା ଓ ବୋଉଙ୍କର ଦୁଇଟି ତୈଳଚିତ୍ର ନିଜେ ଆଙ୍କି କାନ୍ଥରେ ଝୁଲାଇ ଦେଇଛି-। ବରଯାତ୍ରୀମାନେ ଗାଁକୁ ଫେରି ଶୋଭାଯାତ୍ରା କରି ଚମ୍ପତିରାୟଙ୍କ ଉଆସରେ ପଶିଲା ବେଳକୁ ପ୍ରାୟ ରାତି ଘଡ଼ିଏ ହୋଇଗଲାଣି । ଶ୍ରୀକଣ୍ଠ ଯିମିତି ଘରେ ପଶିଛି, ସଙ୍ଗେ ସଙ୍ଗେ ସାବିତ୍ରୀକୁ ପାଲ୍‍କୀରୁ ବାହାରକରି ନେଇ ସିଧା ନେଇଗଲା ତା’ର ସେଇ ବାପାଙ୍କ ଘରକୁ । ସମବେତ ସ୍ତ୍ରୀ ଓ ପୁରୁଷ କାବାହୋଇ ଅନେଇଛନ୍ତି । “ମଲା ! ଟୋକାଟା କି ବେଲଜିଆ କାମଟା କଲା । ଏତେ ଲୋକଙ୍କ ଆଗରେ ନୂଆ ସ୍ତ୍ରୀଟାକୁ ନିଜେ ଟାଣି ନେଇ ଘରେ ପଶିଲା ।’’

କିନ୍ତୁ ସେ ଘରେ ପଶିଲାମାତ୍ରେ ଶ୍ରୀକଣ୍ଠ ସାବିତ୍ରୀର ଓଢ଼ଣା କାଢ଼ି ଛବି ଦି’ଟିକି ଦେଖାଇ କେବଳ କହିଲା ‘ଏଇ ତମର ଶାଶୁ ଓ ଶଶୁର । ମୋର ଅନ୍ୟ ଦେବତା ନହାନ୍ତି । ମୁଁ ଏଇ ଦୁହିଙ୍କୁ ହିଁ ପୂଜାକରେ ।’ ଏହା କହି ସଙ୍ଗେ ସଙ୍ଗେ ଜାନୁପାତ କରି ଶ୍ରୀକଣ୍ଠ ଆଖିବୁଜି ବାପାବୋଉଙ୍କୁ ସ୍ମରଣ କରି ପ୍ରାର୍ଥନା କରିବାକୁ ଲାଗିଲା । ସାବିତ୍ରୀ ତତ୍‍କ୍ଷଣାତ୍ ତଳେ ବସିପଡ଼ି ଜୁହାର ହେବାକୁ ଲାଗିଲା-। ଶ୍ରୀକଣ୍ଠର ଆଖିରୁ ଲୁହ ବୋହି ଯାଉଥାଏ ଏବଂ ସେ ଅସ୍ଫୁଟ କଣ୍ଠରେ କହିବାର ଶୁଣାଗଲା–“ବାପା, ବୋଉ, ତମର ଶୂନ୍ୟ ଘରକୁ ପୂର୍ଣ୍ଣ କରିବା ପାଇଁ, ତମର ଏ ମଲା ଉଆସକୁ ବଞ୍ଚେଇ ରଖିବା ପାଇଁ, ମୁଁ ଆଜି ବହୁଦୂରରୁ ଗୋଟିଏ ବୋହୂ ଘରକୁ ଆଣିଛି । ମୁଁ କି ହତଭାଗ୍ୟ, ତମେ ଆଜି କେହି ବଞ୍ଚିନାହଁ, ମୋର ଓ ତା’ର ସେବା ନେବା ପାଇଁ । ବୋଉ, ବାପା, ଅଶୀର୍ବାଦ କର । ଆମ୍ଭମାନଙ୍କ ଜୀବନ ସୁଖମୟ, ଶାନ୍ତିମୟ ହେଉ । ମୁଁ ତମର ଉପଯୁକ୍ତ ହୁଏ । ଏଇ ଯେ ପରଝିଅଟି ଆଜି ତା’ର ବାପ ମାଙ୍କଠାରୁ ଛଡ଼ାଇ ଆଣିଛି, ତା’ର ଜୀବନ ମଧ୍ୟ ଏ ଘରେ, ଏ ବଂଶରେ ସୁଖମୟ, ଶାନ୍ତିମୟ, ଗୌରବମୟ ଯେପରି ହୁଏ ।’’

ଯେତେବେଳେ ଶ୍ରୀକଣ୍ଠ ସାବିତ୍ରୀକୁ ତଳୁ ଉଠାଇ ଆଣିଲା, ସେତେବେଳକୁ ତା’ର ନିଜର ଲୁହ ଶୁଖି ଯାଇଥିଲା, କିନ୍ତୁ ଭାବାବେଗରେ ସାବିତ୍ରୀ କଇଁ କଇଁ କାନ୍ଦିବାର ଦେଖାଗଲା । ସେ କିନ୍ତୁ ତୀବ୍ର, ଗଭୀର ଆନନ୍ଦର ଅଶ୍ରୁ–ଅତି ସ୍ଵାଭାବିକ, ଅତି ପବିତ୍ର, ଅତି ପୁଣ୍ୟବନ୍ତ, ଅତି ଶୁଭ ।

ସେତେବେଳକୁ ବାହାରେ ଲୋକ ଜମା ହୋଇ ଗଲେଣି । ଲୋକେ କଥାଟା ବୁଝି ଓ କାମଟା ମନ୍ଦ ନୁହେଁ ଜାଣି ଆଉ କିଛି କହୁ ନାହାନ୍ତି । ସେମାନେ ବର୍ତ୍ତମାନ ସମସ୍ତେ ଉତ୍‍ପକ୍ଷ୍ମ, ନୂଆବୋହୂଟିର ମୁହଁଟି ଦେଖିବାକୁ । କିନ୍ତୁ ଗାଁର ଜଣେ ବର୍ଷୀୟସୀ ସଧବା ଆଈ ତା’ କରେଇ ଦେଲେନି । ସେ ଘର ଭିତରକୁ ପଶିଯାଇ ସାବିତ୍ରୀର ଉପରାଙ୍ଗରେ ପୁଣି ଉତ୍ତରୀୟ ଘୋଡ଼ାଇ ଦେଇ ଶ୍ରୀକଣ୍ଠକୁ “ପିଲାଟା ଘରେ ନ ପଶୁଣୁ ତାକୁ କନ୍ଦଉଛୁ, କି ବୁଦ୍ଧି ତୋର ରେ କଣ୍ଠିଆ ! କୁ ଘରେ, କୁ କାଳେ କିଏ ଏହା ଦେଖିଥିଲା !” କହି କହି ଭର୍ତ୍ସନା କଲା ଓ ଲୋକଙ୍କୁ ତଡ଼ି ତଡ଼ି ବୋହୂକୁ ଭିତରକୁ ନେଇଗଲା ।

ସେଇଦିନ ଗଭୀର ନୀରବ ନିଶୀଥରେ ପ୍ରେମିକଯୁଗଳର ହେଲା ସ୍ଵଚ୍ଛନ୍ଦ ସାକ୍ଷାତ ।

ସାବିତ୍ରୀ ଶ୍ରୀକଣ୍ଠର ପାଦତଳେ ଲୁଟିଯିବାକୁ ବସିଲା ବେଳକୁ, ଶ୍ରୀକଣ୍ଠ ତାକୁ ଦୁଇ ବାହୁରେ ଧରିନେଇ ଉଠାଇ ଦେଲା ।

ଶ୍ରୀକଣ୍ଠ ଥଟ୍ଟାରେ ପଚାରିଲା “ମୁଁ ତମକୁ ଯେଉଁ ରଙ୍ଗଣୀ ଫୁଲ ଦେଇଥିଲି, କ’ଣ କଲ-?”

ଶ୍ରୀକଣ୍ଠ ପରମ ବିସ୍ମିତ ହେଲା ଦେଖି ଯେ ସତେ ସତେ ସେହି ପଲ୍ଲୀବାଳିକା ତା’ର ସେଇ ତୁଚ୍ଛ ଉପହାରଟିକୁ ଏପର୍ଯ୍ୟନ୍ତ ସାଇତି ରଖିଛି । ବକ୍ଷଦେଶର ବସ୍ତ୍ରାଞ୍ଚଳର ଏକ ନିଭୃତ କୋଣରୁ ସେଇ ଶୁଷ୍କ ପୁଷ୍ପଗୁଚ୍ଛଟି ସେଇ ଖଟ ଉପରେ ଥୋଇ ଦେଇ ଲଜ୍ଜାରେ ଅନ୍ୟ ଆଡ଼େ ଅନାଇ ରହିଲା ।

ଶ୍ରୀକଣ୍ଠ ବର୍ତ୍ତମାନ ସାବିତ୍ରୀ ଦେଇଥିବା ଶୁଷ୍କ, କୃଷ୍ଣୀଭୂତ କିଆଫୁଲଟି ବାକ୍ସରୁ ତା’ର ବାହାର କଲା । ଗୋଟିଏ ଛୋଟ ଚନ୍ଦନ କାଠର ବାକ୍ସ ଆଣି ଦୁଇ ହୃଦୟର ଏଇ ଦୁଇଟି ମଧୁର ସ୍ମାରକକୁ ଏକ ପଟ୍ଟବସ୍ତ୍ରରେ ବାନ୍ଧି ସାବିତ୍ରୀକୁ ଧରାଇ ଦେଇ କହିଲା “ୟାକୁ ରଖିଥିବ । ମୋ ନିକଟରେ ଏ ଦୁଇଟି ଶୁଖିଲା ଫୁଲ ଜଗତର ସର୍ବଶ୍ରେଷ୍ଠ ହୀରାଠାରୁ ମୁଲ୍ୟବାନ୍ ।

ବୋହୂଟିକୁ ଦେଖି ବଂଧୁ ବାନ୍ଧବ ଗ୍ରାମବାସୀ ସମସ୍ତେ ଖୁସୀ । ନାନା ଅଳଙ୍କାର ମଣ୍ଡିତ ହୋଇ ସାବିତ୍ରୀ ପ୍ରକୃତରେ ସେ ଘରର ଜୀବନ୍ତ ଲକ୍ଷ୍ମୀପରି ପ୍ରତୀୟମାନ ହେବାକୁ ଲାଗିଲା । ଲୋକେ କହିଲେ ‘‘ଚମ୍ପତିରାୟଙ୍କ ଭାଗ୍ୟ ଫେର୍‍ ଲେଉଟିଲା ।’’

ଶ୍ରୀକଣ୍ଠର ବଂଧୁମାନେ ଅନେକ କଥା କୁହାକୁହି ହେଲେ, ଯାର ସାରତତ୍ତ୍ଵ ଏଇପରି “ପଲ୍ଲୀ ଓ ପଲ୍ଲୀକୁ, ପଲ୍ଲୀ ଓ ନଗରକୁ ମିଳେଇବା ପାଇଁ ମନ୍ତ୍ରୀ ଓ ନେତା କେତେ କେତେ ଲମ୍ବା ଲମ୍ବା ବକ୍ତୃତା ଝାଡ଼ୁଛନ୍ତି, କେତେ ଯୋଜନା ହେଉଛି । କିନ୍ତୁ ସେଥିରେ ପ୍ରାଣର ସ୍ପର୍ଶ ନାହିଁ । ସବୁ ଫାଙ୍କା ଆବାଜ । କିନ୍ତୁ ଯାହା ନେତା ଓ ମନ୍ତ୍ରୀ, ବକ୍ତୃତା ଓ ଯୋଜନା କରିବାରେ ଅସମର୍ଥ, ଏକାନ୍ତ ଅଜ୍ଞାତସାରରେ ତାହା ଏଇ ପଲ୍ଲୀବାଳିକା କରାଇ ନେଲା । ଭ୍ରାମ୍ୟମାଣ, ଲକ୍ଷ୍ମୀଛଡ଼ା ଗ୍ରାମତ୍ୟାଗୀ ଶ୍ରୀକଣ୍ଠକୁ ଏ ଗାଁକୁ କିଏ ପୁଣି ଆଣି ପୂରାଇ ଥାନ୍ତା ? ଆମେ ମଧ୍ୟ ନନ୍ଦିଗାଁ ଓ ରସିକହାଟକୁ କଟକର ବାଲୁବଜାର ବା ମାରୁଆଡ଼ିପଟିଠାରୁ ରେଭେନ୍ସା କଲେଜ ବା ଉତ୍କଳସାହିତ୍ୟ ସମାଜ ହଲ୍‍ଠାରୁ ଅଧିକ ପରିଚିତ, ଅଧିକ ନିକଟତର, ଅଧିକ ସୁଖକର କେବେହେଲେ ମନେ କରିଥାନ୍ତୁ କି-? ପୃଥିବୀରେ ମନୁଷ୍ୟ ମନୁଷ୍ୟର ହୃଦୟ ଯେଉଁଠି ଅବାଧ ସ୍ଵାଚ୍ଛନ୍ଦ୍ୟରେ, ପାରସ୍ପରିକ ସୌହାର୍ଦରେ ମିଳିତ ହୁଏ, ତାହା ହିଁ ହୁଏ ପ୍ରକୃତ ଶ୍ରୀକ୍ଷେତ୍ର । ଆଉ ସବୁ କେବଳ ନିରର୍ଥକ କୃ–କ୍ଷେତ୍ର, ଖାଲି ଗୁଡ଼ାଏ ଅର୍ଥହୀନ, ବା ଅନିଷ୍ଟକର କୃ ବା କର୍ମର ସମାହାର । ମନୁଷ୍ୟର ଶ୍ରେଷ୍ଠ ବାସସ୍ଥାନ ପଲ୍ଲୀ ବା ନଗରରେ ନୁହେଁ, ତାହା ସେଇଠି ଯେଉଁଠି ପ୍ରାଣ ପ୍ରାଣର ଅମଳିନ ମେଳ, ଯେଉଁଠି ଶାସନ ନିର୍ମମ ଓ ଶକ୍ତି-ରୁଗ୍‍ଣ ନୁହେଁ, ଯେଉଁଠି ସ୍ନେହ ଓ ଶ୍ରଦ୍ଧା ଭୟ ଓ ଦଣ୍ଡର କାମ କରନ୍ତି, ଯେଉଁଠି ସ୍ଵାଭାବିକ ସ୍ୱାସ୍ଥ୍ୟରେ ସୌନ୍ଦର୍ଯ୍ୟ ପ୍ରସ୍ଫୁଟିତ, ଏବଂ ଦୈନନ୍ଦିନ କର୍ମ, ବଚନ ଓ ଭୋଜନରେ ଯେଉଁଠି ଲକ୍ଷ୍ମୀ ବିରାଜିତ–ବାଙ୍କର ମୋଟା ଲୌହ ସିନ୍ଧୁକରେ ନୁହେଁ, ମୁକ୍ତ ପ୍ରାନ୍ତରର ସ୍ଵର୍ଣ୍ଣ ଶସ୍ୟରେ, ଶ୍ରମିକ ଶ୍ରମିକାର ଗୀତ ମୁଖର ପ୍ରାଣ-ପ୍ରାଚୁର୍ଯ୍ୟରେ ।’’

ଗୁରୁଦେବ କହିଲେ “ଶ୍ରୀକଣ୍ଠ, ତତେ ମୁଁ ଭାବି ନେଇଥିଲି କେବଳ ଗୋଟାଏ ବିଳାସୀ, ଜୀବନଠାରୁ ପଳାତକ, ସୋଖୀନ, ହାଲୁକାପ୍ରାଣ ଜୀବଟାଏ ବୋଲି । ମୁଁ କିନ୍ତୁ ଦେଖୁଛି ଆଜି ସେହି ସୋଖୀନ ଜୀବନ ତଳେ ତଳେ ତୋର ଏକ ନିରବଚ୍ଛିନ ଅନ୍ୱେଷଣ ଓ ସାଧନା ଚାଲି ଆସିଛି । କଳାଲକ୍ଷ୍ମୀ ଆଜି ତୋତେ ବରଦାନ କରିଛନ୍ତି ଏବଂ ସେଇ ଆଶୀଷ, କେବଳ ତୋର ନିଜର ଲକ୍ଷ୍ମୀଛଡ଼ା ଜୀବନକୁ ନୁହେଁ, ତାହା ଦୁଇଟି ପଲ୍ଲୀକୁ, ଦୁଇଟି ପରିବାରକୁ, ନଗରବାସୀ ଓ ପଲ୍ଲୀବାସୀକୁ ଆନନ୍ଦ ସୂତ୍ରରେ ବାନ୍ଧି ପାରିଛି । ରୂପାଜୀବ କଳା, ସାହିତ୍ୟ ଓ ଶିଳ୍ପର ସମାଜ ପ୍ରତି ଏହ ହିଁ ପ୍ରକୃଷ୍ଟ ଦାନ । ଆଶାକରେ ଆଜି ତୋ ଅନ୍ୱେଷଣର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା । ଏଇ ଅଧ୍ୟାୟର କୃତିତ୍ଵ ତୋର ପୂର୍ବ କୁତିତ୍ୱକୁ ବଳି ଯିବ ଆଶାକରେ, ଯାହା ଲାଗି ଜାତି ତୋ ନିକଟରେ ରହିବ ଚିର କୃତଜ୍ଞ । ଏଇ ମୋର ଆଶୀର୍ବାଦ ।’’

ବଂଧୁ ବାନ୍ଧବ ସବୁ ବିଦାୟ ହୋଇଗଲେ ।

ଶ୍ରୀକଣ୍ଠର ଅନୁରୋଧରେ ଗୁରୁଦେବ ତା’ ଗାଁରେ ଆଉ କିଛିଦିନ ରହିବାର ସ୍ଥିର କଲେ ।

ସେଇଠାରେ ଉଦୟନ ଏକ ଚିଠି ପାଇଲା ଯେ ସେ କେବଳ ଏମ୍.ଏସ୍‍ସି ପାଶ୍‍ କରିନି, ବମ୍ବେରେ ଗୋଟିଏ ସୂତାକଳରେ ଗୋଟିଏ ଉତ୍ତମ ଚାକିରି ମଧ୍ୟ ପାଇଛି ।

ପ୍ରଭୁପାଦ ଠିକ୍ କଲା ସେ ବି କଟକ ଛାଡ଼ି ସେଇ ବମ୍ବେରେ ଇକନମିକସ୍‍ର ଏମ୍‍.ଏ. ପଢ଼ିବ ।

ଉଦୟନ ବର୍ତ୍ତମାନ ତା’ର ମା ହେରିକାଙ୍କୁ ବମ୍ବେ ନେଇ ପାରୁନି, କାରଣ ମଲ୍ଲିକା ମାଟ୍ରିକ୍‍ ପରେ ଟିଚରସ୍ ଟ୍ରେନି ପାଇଁ ଯିବାର ସ୍ଥିର କରିଛି । ଗୁରୁଦେବ ଓ ଶ୍ରୀକଣ୍ଠ ଉଭୟେ କହିଲେ “ଚିନ୍ତା ନାହିଁ, ଆମେ ତାଙ୍କର ସବୁ ଦେଖିବୁ । ତମେ ଦିହେଁ ଚାଲିଯା ।’’

Image